Unknown

 

 

 

 

 

 

 

 

 

ସମ୍ପାଦକର ସ୍ତମ୍ଭ

(ପ୍ରଥମ ଖଣ୍ଡ)

ଚିତ୍ତରଞ୍ଜନ ଦାସ

 

 

 

 

 

 

 

 

 

ଉତ୍ସର୍ଗ

 

ଏହି ସଙ୍କଳନଟିକୁ ମୁଁ

‘ଧରିତ୍ରୀ’ର ବର୍ତ୍ତମାନ ସମ୍ପାଦକ

ଶ୍ରୀଯୁକ୍ତ ତଥାଗତ ଶତପଥୀଙ୍କୁ

ଉତ୍ସର୍ଗ କରୁଛି

Image

 

୧୯୭୫-୭୭ ମସିହାରେ ଦୈନିକ ‘ଧରିତ୍ରୀ’ ସମ୍ବାଦପତ୍ରରେ ମୁଁ ଏକଦା ସମ୍ପାଦକୀୟ ଲେଖା ଲେଖୁଥିଲି । ସପ୍ତାହରେ ପ୍ରାୟ ତିନି ଚାରିଦିନ ତାହାକୁ ଲେଖିବାର ଦାୟିତ୍ୱ ମୋତେ ଦିଆଯାଇଥିଲା । ‘ଧରିତ୍ରୀ’ର ତତ୍କାଳୀନ ସମ୍ପାଦକଙ୍କର ଅନୁରୋଧରେ ମୁଁ ସେହି କାର୍ଯ୍ୟଟିକୁ କରୁଥିଲି ।

 

ସେହି ସମୟରେ ଭାରତବର୍ଷରେ ସରକାରଙ୍କ ତରଫରୁ ଏକ ଜରୁରୀକାଳୀନ ଅବସ୍ଥା ଜାରି ହୋଇଥିଲା । ସେକାଳର ସେହି ଲେଖାଗୁଡ଼ିକର ଏବେ ମଧ୍ୟ କୌଣସି ପ୍ରାସଙ୍ଗିକତା ରହିବ କି ନାହିଁ, ମୁଁ ଏ ବିଷୟରେ କେବେ ଭାବିନଥିଲି । କେତେକ ପ୍ରାସଙ୍ଗିକତା ଅବଶ୍ୟ ରହିଛି । ବନ୍ଧୁ ଶ୍ରୀ ଭାଗ୍ୟଧର ସାହୁ ସେଗୁଡ଼ିକୁ ଛପାଇବା ସକାଶେ ଏକ ପ୍ରସ୍ତାବ ଦେବାରୁ ସମ୍ଭବତଃ ସେହି କାରଣରୁ ମୁଁ ସେଥିରେ ରାଜୀ ହୋଇଗଲି ।

 

ଏହି ଅବସରରେ ଦୈନିକ ‘ଧରିତ୍ରୀ’ ପାଖରେ ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।

 

–ଲେଖକ

Image

 

ସୂଚୀପତ୍ର

 

୧.

ରାଜନୀତିକ ସ୍ଥିରତା

୨.

ଉପମହାଦେଶର ଶାନ୍ତି

୩.

କାହାର ମାନ ବୃଦ୍ଧି କରିବା

୪.

ସାମରିକ ସମାଧାନ

୫.

ନୂଆ ଅର୍ଥନୀତି

୬.

ଦକ୍ଷିଣ ଆଫ୍ରିକା

୭.

ଏକ ଦୁଷ୍ଟ ଶକୁନ

୮.

ନୂଆ ଶିକ୍ଷା

୯.

ନୂତନ ମୋଡ଼ ଓ ମୂଲ୍ୟବୋଧ

୧୦.

ସଂସ୍କୃତକୁ ବଞ୍ଚାଅ

୧୧.

ସାବାଳକ ରାଜନୀତି

୧୨.

ମଧ୍ୟପ୍ରାଚ୍ୟର ଦ୍ୱିତୀୟ ସମସ୍ୟା

୧୩.

ରାଷ୍ଟ୍ରସଂଘରେ ହିନ୍ଦୀ ଭାଷା

୧୪.

ଶୁଭାୟ ଭବତୁ

୧୫.

କାମ୍ୱୋଡ଼ିଆ ଲୋକେ କୁଆଡ଼େ ଯିବେ

୧୬.

ପର୍ତ୍ତୁଗାଲ୍‌ରେ ଜନ୍ମଯନ୍ତ୍ରଣା

୧୭.

ଯୋଗ, ଜୀବନ ଲାଗି

୧୮.

ନୂତନ ଉନ୍ମେଷ

୧୯.

ପୃଥିବୀକୁ କେତେଭାଗ କରିବା ?

୨୦.

ମରଣର ବଣିକ

୨୧.

ସୀମାନ୍ତ ଗାନ୍ଧୀ କାହାନ୍ତି ?

୨୨.

ଆଉ ଜଣେ ରାଜା ଗଲେ

୨୩.

ଲୋନ୍ ନୋଲ୍ ଦେଶ ଛାଡ଼ିଲେ ?

୨୪.

ଅନ୍ୟ ଏକ ବାଟ

୨୫.

ପୁନରାବୃତ୍ତି ହେଉନାହିଁ

୨୬.

ପାଖ୍‌ତୁନିସ୍ତାନ

୨୭.

ମଳୁ, ବଇଦ ଓ ବିଜ୍ଞାନ

୨୮.

ଦାର୍ଶନିକ ରାଷ୍ଟ୍ରପତି

୨୯.

ପରିବର୍ତ୍ତନର ପବନ

୩୦.

ଜର୍ମାନୀ ସୁସ୍ଥ ହୋଇ ଆସୁଛି

୩୧.

ଭାରତ ଓ ଆମେରିକା

୩୨.

କାମ୍ବୋଡ଼ିଆ

୩୩.

ଯୁଦ୍ଧକୁ ସ୍ୱୀକୃତି ଦେବା

୩୪.

ସୁଏଜ କେନାଲ ଖୋଲିବ ?

୩୫.

ପାକିସ୍ଥାନ ପ୍ରତି ବିପଦ

୩୬.

ପେଟ୍ରୋଲ ପଛକୁ ରବର ?

୩୭.

ପର୍ତ୍ତୁଗାଲ୍‌ରେ ହରିନାମ

୩୮.

ଆଙ୍ଗୋଲାରେ ଗୃହରଣ

୩୯.

ଏକ ନିର୍ବୋଧତାର ହିସାବ

୪୦.

ବିଜୟ-ବର୍ଷ

୪୧.

ବାଦଶାହ ଖାଁ ପୁଣି ବନ୍ଦୀ

୪୨.

ମତ୍ସ୍ୟପୁରାଣ

୪୩.

କିଏ ହାରିଲା, କିଏ ଜିତିଲା ?

୪୪.

ବିଦ୍ୟା ନା ବ୍ୟସନ ?

୪୫.

ପାଲେଷ୍ଟାଇନ୍‌ ସଂଗ୍ରାମ

୪୬.

ଯୁଦ୍ଧ-ପରିହାର ଚୁକ୍ତି

୪୭.

ଏଥର କୋରିଆ ?

୪୮.

ପୁନଃସ୍ମରଣ

୪୯.

ଲେବାନନ୍‌ରେ ସୈନ୍ୟଶାସନ

୫୦.

ତୁରସ୍କର ଧମକ

୫୧.

ବାସନ୍ଦ କର !

୫୨.

ଆଫ୍ରିକାର ହିଟ୍‌ଲର

୫୩.

ଲାଓସ୍‌ର ନବବର୍ଷ

୫୪.

ମେଣ୍ଟରେ ଅମେଣ୍ଟ

୫୫.

ପୁଣି ଦକ୍ଷିଣ ଆଫ୍ରିକା

୫୬.

ଜାତିସଂଘ ଉପରେ ଚାପ

୫୭.

ଇଣ୍ଡିଆ-ଇଣ୍ଡୋନେସିଆ

୫୮.

ଖାଇବା ଲାଗି ବଞ୍ଚିବା

୫୯.

ସାହୀ-ଅର୍ଥନୀତି

୬୦.

ଆନ୍ତର୍ଜାତିକ ବିଡ଼ମ୍ବନା

୬୧.

ଅନେକ ବାଟ ବାକି

୬୨.

ପୁନରୁଜ୍ଜୀବନ

୬୩.

ହଙ୍ଗ୍‍କଙ୍ଗ୍‌ ଦ୍ୱୀପ

୬୪.

ଜର୍ମାନୀ ଓ ଇସ୍ରାଏଲ

୬୫.

ଇଉରୋପା

୬୬.

ଆକର୍ଷକ ମହାସାଗର

୬୭.

ଆମେରିକା ଆବିଷ୍କାର

୬୮.

ହେଲସିଙ୍କି ସମ୍ମିଳନୀ

୬୯.

ଅନ୍ତରୀକ୍ଷରେ ମିଳନ

୭୦.

ଶସ୍ତା ମହଙ୍ଗାର ବିଚାର

୭୧.

ଲୁଆଣ୍ଡାରେ ଲଣ୍ଡଭଣ୍ଡ

୭୨.

ନୂଆ ବିଶ୍ୱବିଦ୍ୟାଳୟ

୭୩.

ଡାକ୍ତରଙ୍କ ଡାକ୍ତର

୭୪.

କାମ୍ପାଲା କମ୍ପିଲା

୭୫.

ଆଫ୍ରିକାରେ ଦୁଇଟି ରାସ୍ତା ?

୭୬.

ହେଲସିଙ୍କିରେ କଜିଆ

୭୭.

ବୋମାର କେତୋଟି ବର୍ଷ

୭୮.

ଭାଙ୍ଗି ଦିଆଯିବ ?

୭୯.

ଅନାବଶ୍ୟକ ବାସନ୍ଦ

୮୦.

ବଡ଼ ଯୁଦ୍ଧ, ସାନ ଯୁଦ୍ଧ

୮୧.

ଶିକ୍ଷା ଲାଗି ଭିଡ଼

୮୨.

ଟିମ ଦ୍ୱୀପ ଟିମୋର୍‌

୮୩.

ରାଜନୀତିକ ଅବିବେକ

୮୪.

ମାମଲତକାରୀ ଶାନ୍ତି

୮୫.

ପ୍ରତିବେଶୀ ଶତ୍ରୁତା

୮୬.

ଇସ୍ରାଏଲର ଆରବବାସୀ

୮୭.

ଆଦିବାସୀଙ୍କ ଶିକ୍ଷା

୮୮.

ଆଦିବାସୀ ଶିକ୍ଷାର ଅନ୍ୟ ଏକ ଦିଗ

୮୯.

ଭେଟୋ-ଏକ ପ୍ରତିବନ୍ଧକ

୯୦.

ରାଜନୀତିରୁ ଅର୍ଥନୀତି

୯୧.

ହେଲସିଙ୍କିରୁ ଏସିଆକୁ

୯୨.

ଲିମାରୁ କଲମ୍ୱୋ

୯୩.

ବିଶ୍ୱସିନ୍ଦୂକ-ସମ୍ୱାଦ

୯୪.

ଉତ୍ସବରେ କେହି ନ ଥିଲେ

୯୫.

ଶୂନ୍ୟସ୍ଥାନର ପ୍ରପୂରଣ

୯୬.

ଏଥିଓପିଆର ବର୍ଷେ

୯୭.

ମାକାଓର ବିଚିତ୍ର ଭାଗ୍ୟ

୯୮.

ଜାତିସଂଘର ତିରିଶି ବର୍ଷ

୯୯.

ପଞ୍ଜାବରେ ଶିକ୍ଷାସଂସ୍କାର

୧୦୦.

ଏକୁଟିଆ ତାଇଓ୍ୱାନ

Image

 

ରାଜନୀତିକ ସ୍ଥିରତା

 

ପ୍ରାୟ ଚାରିଶହ ବର୍ଷ ପୂର୍ବେ କଲମ୍ୱସ୍‌ ଆମେରିକା ଆବିଷ୍କାର କରିଥିଲେ ବୋଲି ଆମେ ଇତିହାସ ବହିରୁ ପଢ଼ିଛୁ । ତା’ପରେ ଏବେ ଆମେରିକା ବୋଲି କୁହାଯାଉଥିବା ସମସ୍ତ ଭୂ-ଭାଗଟିରେ ସ୍ପେନ ଦେଶର ରାଜପଣ ଚାଲିଲା । ଇଂରେଜମାନେ ଉତ୍ତର ଭାଗଟିକୁ ଦଖଲ କରାଯିବା ପରେ ତାହାକୁ ଉତ୍ତର ଆମେରିକା କୁହାଗଲା । ଦକ୍ଷିଣ ଭାଗଟିକୁ ତା’ପରେ ଦକ୍ଷିଣ ଆମେରିକା ବା ଲାଟିନ୍‌ ଆମେରିକା ବୋଲି ସମସ୍ତେ କହିଲେ । ଭୂଗୋଳ ବହିରେ ଲାଟିନ୍‌ ଆମେରିକା ବୋଲି ଲେଖାହେଲା; ରାଜନୀତିରେ ମଧ୍ୟ ଲାଟିନ୍‌ ଆମେରିକା ବୋଲି କୁହାଗଲା ।

 

ଲାଟିନ୍‌ ଆମେରିକାରେ ଦୁଇ ତିନୋଟି ସାନ ଦେଶଖଣ୍ଡକୁ ଛାଡ଼ିଦେଲେ ସେଠି ଆଉ ସବୁ ଦେଶ ଗତ ଦେଢ଼ଶହ ବର୍ଷ ମଧ୍ୟରେ ରାଜନୀତିକ ସ୍ୱାଧୀନତା ଲାଭ କରିସାରିଲେଣି । ଲାଟିନ୍‌ ଆମେରିକାରେ ସ୍ପେନ୍‌ର ଭାଷା ଏବଂ ଲାଟିନ୍‌ ସଂସ୍କୃତି ସ୍ଥାୟୀଭାବରେ ରହିଯାଇଛି ସତ, ମାତ୍ର ସ୍ପେନ୍‌ର ରାଜତ୍ୱ ସେଠାରୁ କୋଉକାଳୁ ହଟି ଆସିଲାଣି; କିନ୍ତୁ ରାଜନୀତିକ ସ୍ଥିରତା ଏପର୍ଯ୍ୟନ୍ତ ଆସିନାହିଁ ।

 

ବରଂ କହିବାକୁ ହେବ ଯେ, ସେଠି ପ୍ରାୟ ସବୁଯାକ ଦେଶରେ ରାଜନୀତିକ ଅସ୍ଥିରତା ଲାଗି ରହିଛି । ପ୍ରାୟ ସବୁ ଦେଶରେ ସାମରିକ ଶାସନ ଚାଲିଛି । ସାମରିକ ଶାସନର ଅର୍ଥ ହେଉଛି ଅସ୍ଥିର ଶାସନ, ଠେଙ୍ଗାବାଡ଼ିର ଶାସନ । ଗୋଟାଏ ଗୋଟାଏ ଦେଶକୁ ସାମରିକ ବାହିନୀ ସିଧା ଶାସନ କରୁଛନ୍ତି ଏବଂ ଆହୁରି କେତେକ ଦେଶରେ ସାମରିକ କର୍ତ୍ତାମାନଙ୍କର ମରଜି ଯାହା ଉପରେ ଯେତେବେଳେ ହେଉଛି, ସିଏ ସେତେବେଳେ ସେତିକିଦିନ ଲାଗି ଦେଶର ଶାସନ ଚଳାଉଛି ଏବଂ ଆଉକିଛି ଅଧିକ ଯଥାର୍ଥ ଶବ୍‌ଦର ଅଭାବରୁ ତାହାକୁ ହିଁ ଗଣତନ୍ତ୍ର ବୋଲି କୁହାଯାଉଛି । ମାତ୍ର ଅସଲ କଥା ହେଉଛି ଯେ ଯେଉଁଠି ପ୍ରକୃତ ଗଣତନ୍ତ୍ର ଚାଲୁଥାଏ ଅର୍ଥାତ୍ ଗଣଙ୍କର ମତରେ ଗଣଙ୍କ ଲାଗି ଶାସନ ଚାଲିଥାଏ, ସେଠାରେ କଦାପି ରାଜନୀତିକ ଅସ୍ଥିରତା ଆସେ ନାହିଁ । ତେବେ ଲାଟିନ୍‌ ଆମେରିକାରେ ତା’ହେଲେ କ’ଣ ଚାଲିଛି ?

 

ଏହି ସପ୍ତାହରେ ପେରୁରେ ସେହିପରି ଏକ ଅସ୍ଥିରତା ଆରମ୍ଭ ହୋଇଛି । ସେଠାରେ ଆଗରୁ ଯେଉଁମାନେ ଶାସକ ହୋଇ ଦେଶର ଶାସନ ଚଳାଉଥିଲେ, ସେହି ଦେଶର ସେନାବାହିନୀ ସେମାନଙ୍କୁ ଗାଦିରୁ ତଡ଼ି ଦେଇଛନ୍ତି ଓ ତା’ପରେ ଦେଶଯାକ ସାମରିକ ଶାସନ ଜାରି ହୋଇଛି । ସେ ଦେଶରେ ପ୍ରଥମେ ପୋଲିସମାନେ ଧର୍ମଘଟ କଲେ ଏବଂ ତା’ପରେ ଅବସ୍ଥା ଏପରି ଅସମ୍ଭାଳ ହେଲା ଯେ ସୈନ୍ୟବାହିନୀ ଶାସକମାନଙ୍କ ହାତରୁ ସତ୍ତା ଛଡ଼ାଇ ନେବାକୁ ବାଧ୍ୟ ହେଲେ । ପେରୁରେ ଏକଥା ପ୍ରଥମଥର ସକାଶେ ଘଟିଲା ନାହିଁ, ଆଗରୁ ଆହୁରି କେତେଥର ବି ଘଟିଥିଲା । ଗୁଆଟେମାଲାଠାରୁ ଆରମ୍ଭ କରିଚିଲିରାଜ୍ୟ ପର୍ଯ୍ୟନ୍ତ ସବୁଠାରେ ଏହି ବଳାତ୍କାର ଓ ଦଖଲ ଏକ ନିତ୍ୟନୈମିତ୍ତିକ ବ୍ୟାପାର ହୋଇ ଲାଗି ରହିଛି ।

 

ଏପରି କାହିଁକି ହେଉଛି ? ଏବେ ପୃଥିବୀ ଗୋଟାକ ଲୋକନୀତି ଓ ଲୋକଶକ୍ତିର ଶାସନ ଆଡ଼କୁ ଅଗ୍ରସର ହୋଇଯାଉଥିବା ସମୟରେ ଲାଟିନ୍‌ ଆମେରିକା ପଛରେ ପଡ଼ିରହିଛି କାହିଁକି ? ଏହାର କେତେ କେତେ କାରଣ ରହିଛି । ଏହି ଅସ୍ଥିରତା-ରୋଗର କେତେ କେତେ ନିଦାନ ରହିଛି । ପୃଥିବୀର ଗୋଟାଏ ବଡ଼ ଶକ୍ତି ଯୁକ୍ତରାଷ୍ଟ୍ର ଆମେରିକା ଲାଟିନ୍ ଆମେରିକାର ଦେଶମାନଙ୍କରେ ରାଜନୀତିକ ଅସ୍ଥିରତାକୁ ବଜାୟ ରଖିବାକୁ ଚାହୁଛି ବୋଲି କୁଆଡ଼େ ଏପରି ହେଉଛି ବୋଲି କେତେକ ମତ ଦିଅନ୍ତି । ଏସବୁ ଦେଶରେ ରାଜନୀତିକ ସ୍ଥିରତା ଆସିଗଲେ ତେଣେ ଆମେରିକାର ସେହି ଭୂ-ଖଣ୍ଡରେ ରହିଥିବା ଆର୍ଥିକ ସ୍ୱାର୍ଥଗୁଡ଼ାକ ହୁଏତ ଆଉ ସୁରୁଖୁରୁରେ ରହିପାରିବ ନାହିଁ ବୋଲି କୁଆଡ଼େ ଆମେରିକା ସେଠାରେ ଅସ୍ଥିରତା ଭିଆଉଛି । ସେଠାରେ ଲୋକମତରେ ଲୋକଙ୍କର ଉଦୟଲାଗି ରାଜନୀତି ଚାଲିଲେ ସେସବୁ ଦେଶର ଅର୍ଥନୀତି ଆଉ କାହିଁକି ଆମେରିକାର ଚରାଭୂଇଁ ହୋଇ ରହନ୍ତା ?

 

ତା ୦୮-୦୨-୧୯୭୫ ରିଖ

Image

 

ଉପମହାଦେଶର ଶାନ୍ତି

 

ଭାରତବର୍ଷ ଆଗେ ଗୋଟିଏ ଦେଶ ଥିଲା । ନାନା ଐତିହାସିକ କାରଣରୁ ଏବେ ଏହାକୁ ଏକ ଉପମହାଦେଶ ବୋଲି କୁହାଯାଉଛି । ଏହି ଉପମହାଦେଶର ଶାନ୍ତି ବା ଅଶାନ୍ତି ଏହି ଉପମହାଦେଶରେ ବାସ କରୁଥିବା ଲୋକମାନଙ୍କର ହିଁ ଧନ୍ଦା ହୋଇ ରହିବା ଦରକାର । ଅର୍ଥାତ୍, ବାସ୍ତବ ରାଜନୀତିକ ଭାଷାରେ କହିଲେ, ଏହି ଉପମହାଦେଶର ତିନୋଟିଯାକ ଦେଶରେ ଯେଉଁମାନେ ସରକାର ଚଳାଉଛନ୍ତି, ସେହିମାନଙ୍କର ହିଁ ଧନ୍ଦା ହୋଇ ରହିବା ଦରକାର । କିନ୍ତୁ ତା’ କ’ଣ ହୋଇପାରୁଛି ?

 

ନାନା କାରଣରୁ ଏବଂ ନାନା ଅକାରଣରୁ ୧୯୪୭ ମସିହାରେ ଯେତେବେଳେ ଗୋଟିଏ ଭାରତବର୍ଷ ଦୁଇଖଣ୍ଡରେ ବିଭକ୍ତ ହେଲା, ସେହିଦିନଠାରୁ ଭାରତ ଏବଂ ପାକିସ୍ଥାନର ସମ୍ୱନ୍ଧ ମୁଖ୍ୟତଃ ବିବାଦର ହିଁ ଏକ ସମ୍ୱନ୍ଧ ହୋଇ ରହିଆସିଥିଲା । ମଝିରେ ମଝିରେ ସିଧା ଯୁଦ୍ଧ ଲାଗୁଥିଲା; ମାତ୍ର ସବୁବେଳେ ଏକ ଶୀତଳ ଯୁଦ୍ଧ ଲାଗି ହିଁ ରହିଥିଲା । ଘଟଣାକ୍ରମେ ପାକିସ୍ଥାନ ଦୁଇ ଭାଗ ହେଲା । ଉପମହାଦେଶର ଭାଗ୍ୟରେ ଏକ ନୂତନ ବେଳ ଆସିଲା, ରାଜନୀତିର ସମ୍ୱନ୍ଧକ୍ଷେତ୍ରରେ ପ୍ରାୟ ଏକ ବାସ୍ତବବାଦୀ ନୂତନ ମନର ସୃଷ୍ଟି ହେଲା । ଶତ୍ରୁତାଗୁଡ଼ାକ କ୍ରମେ ମେଣ୍ଟିଯିବାକୁ ଲାଗିଲା, ଗଣ୍ଠିଗୁଡ଼ାକ କ୍ରମେ ଫିଟିଯିବାକୁ ଲାଗିଲା ଏବଂ ପୁରୁଣା ଅଭିମାନ ଓ ଜିଦ୍‌ଗୁଡ଼ାକ ମଧ୍ୟ କ୍ରମେ ବାଟ ଛାଡ଼ିଦେବାକୁ ଲାଗିଲେ । ଭାରତ ଓ ପାକିସ୍ଥାନ ମଧ୍ୟରେ ସିମଳା ରାଜିନାମା ହେଲା, ଆପଣା ଦେହରୁ ମାଉଁସ ଖଣ୍ଡେ ପରି ଛିଣ୍ଡି ଅଲଗା ହୋଇଯାଥିବା ବଙ୍ଗଳାଦେଶକୁ ପାକିସ୍ଥାନ ଏକ ସ୍ୱତନ୍ତ୍ର ଅସ୍ତିତ୍ୱ ରୂପେ ସ୍ୱୀକାର କଲା, ତା’ ସହିତ ବାଣିଜ୍ୟିକ ଆଦାନପ୍ରଦାନର କେତେ ଚୁକ୍ତି ମଧ୍ୟ କଲା । ଭାରତ ଓ ପାକିସ୍ଥାନ ଭିତରେ ମଧ୍ୟ ବାଣିଜ୍ୟିକ ଦିଆନିଆ ଚାଲିବ ବୋଲି ଏବେ ଚୁକ୍ତି ହୋଇଗଲା ।

 

କିନ୍ତୁ ଏହି ବୁଝାମଣା ଓ ଏହି ନିକଟ ହୋଇ ଆସିବାକୁ ପୁଣି ସଂସାର ସହିଲେ ତ ? ଏବଂ ରାଜନୀତିର ଖେଳ ଭିତରେ ସଂସାର କହିଲେ ଆଜି ପୃଥିବୀର ତିନି ଚାରୋଟି ବଡ଼ ସାମରିକ ଶକ୍ତିକୁ ହିଁ ବୁଝାଉଛି । ସେଇମାନଙ୍କର ବନ୍ଧୁକଭେଳା ଆଜି ସଂସାରଯାକ ପଇଁତରା ମାରୁଛି । ସେମାନେ ତିଆରି କରୁଥିବା ଉଦ୍‌ବୃତ୍ତ ଅସ୍ତ୍ରଶସ୍ତ୍ରମାନ ଦୁନିଆଯାକ ବିକା ହେଉଛି, ବଣ୍ଟା ମଧ୍ୟ ହେଉଛି । ଅତ୍ୟନ୍ତ ବିଡ଼ମ୍ୱନାର ବିଷୟ ଯେ ଏହାଦ୍ୱାରା ପୃଥିବୀରେ ଶାନ୍ତିରକ୍ଷା ହେଉଛି ବୋଲି ବୃହତ୍‌ ଶକ୍ତିମାନେ କହିବାରେ ଲାଗିଛନ୍ତି ।

 

ପାକିସ୍ଥାନକୁ ପୁଣି ସାମରିକ ସାହାଯ୍ୟ ଦିଆଯିବାର ପ୍ରଶ୍ନଟି ଉପରେ ବିଚାର କରାଯାଉଛି ବୋଲି ଏବେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଅର୍ଥାତ୍‌ ଏହି ଉପମହାଦେଶ ଭିତରେ ବିରୁଡ଼ି ପୂରାଇ ଏଠି ଶାନ୍ତିଭଙ୍ଗ କରାଯିବା ଓ ଏଠାରେ ରହିଥିବା ଓ କ୍ରମେ ପରସ୍ପରର ନିକଟବର୍ତ୍ତୀ ହୋଇଆସୁଥିବା ତିନୋଟି ଦେଶ ଭିତରେ ପାରସ୍ପରିକ ନାନା ସନ୍ଦେହ ଓ ବିଦ୍ୱେଷ ସୃଷ୍ଟି କରାଯିବା ଲାଗି ବର୍ତ୍ତମାନ ଆମେରିକାରେ ମସୁଧା ଚାଲିଛି । ଏହି ମସୁଧାକୁ ଉପମହାଦେଶର ଏହି ଭୂମି ପ୍ରତିରୋଧ କରିପାରିବ ତ ? ପ୍ରତିରୋଧ କରିବାର ଶକ୍ତି ବାହାରୁ ନୁହେଁ, ଏଇଠି ଏହି ଭିତରୁ ହିଁ ଆସିବ ।

 

ତା ୦୮.୦୨.୧୯୭୫ ରିଖ

Image

 

କାହାର ମାନ ବୃଦ୍ଧି କରିବା ?

 

ଶିକ୍ଷାକୁ କିପରି ଅଧିକ ଫଳଦାୟକ ଏବଂ ଅଧିକ କର୍ମାଭିମୁଖୀ କରାଯାଇ ପାରିବ, ସେଥିଲାଗି ବିହାର ସରକାର ରାଜ୍ୟର ଶିକ୍ଷାଯନ୍ତ୍ରୀ ଓ ଶାସକମାନଙ୍କୁ ନେଇ କେତେଦିନ ତଳେ ଗୋଟିଏ ଅଧ୍ୟୟନ-ମଣ୍ଡଳୀ ନିଯୁକ୍ତ କରିଥିଲେ । ମଣ୍ଡଳୀ ଆପଣାର ସକଳ ଉପଚାର ସମାପନ କରିବା ପରେ ଏବେ ଆପଣାର ବିବରଣୀଟିଏ ଦେଇଛନ୍ତି । ସେଥିରେ କେତେ ଗଲତିକୁ ସୁଧାରିବା ପାଇଁ କେତେ କ୍ଷେତ୍ରର କେତେ ସୁପାରିଶ ରହିଛି । ଏକ ଅନ୍ୟତମ ସୁପାରିଶ ରୂପେ ଇଂରାଜୀଶିକ୍ଷାର ମାନ ବୃଦ୍ଧି କରିବାକୁ ହେବ ବୋଲି ବୟାନ କରାଯାଇଛି ।

ବିହାରର ସ୍କୁଲ ଓ କଲେଜମାନଙ୍କରେ ଇଂରାଜୀ ପଢ଼ାଇବାର ମାନ ଏକାବେଳେକେ ତଳକୁ ଚାଲିଗଲାଣି ବୋଲି ମଣ୍ଡଳୀ ଅନୁସନ୍ଧାନ କରିଜାଣିବାକୁ ପାଇଛନ୍ତି ଏବଂ ଇଂରାଜୀଟା କଞ୍ଚା ରହିଯାଉଥିବାରୁ ବିହାରର ଶିକ୍ଷିତମାନେ ପ୍ରତିଯୋଗିତାର ବଜାରରେ ପ୍ରାୟ ସବୁଠାରୁ କଞ୍ଚା ରହିଯାଉଛନ୍ତି । ସ୍କୁଲମାନଙ୍କରେ ଇଂରାଜୀ ପଢ଼ାଇବା ଲାଗି ଯେଉଁ ଶିକ୍ଷକମାନେ ବିଶେଷ ଭାବରେ ଅଛନ୍ତି, ଉପଯୁକ୍ତ ତାଲିମ ନଥିବା ହେତୁ ସେମାନେ ପିଲାଙ୍କୁ ମଧ୍ୟ ଠିକ୍‌ ଠିକ୍‌ ଇଂରାଜୀ ପଢ଼ାଇ ପାରୁନାହାନ୍ତି । ତେଣୁ ଏକ ନିର୍ଦ୍ଦିଷ୍ଟ ସଘନ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରାୟ ବାଧ୍ୟତାମୂଳକ ଭାବରେ ସ୍କୁଲମାନଙ୍କର ଇଂରାଜୀ ଶିକ୍ଷକ ସମସ୍ତଙ୍କୁ ଏହି ଦିଗରେ ଉପଯୁକ୍ତ ପ୍ରଶିକ୍ଷଣ ଅବଶ୍ୟ ଦିଆଯାଉ ବୋଲି ଏକ ଉଦ୍‌ବେଗ ପ୍ରକାଶ କଲାପରି ମଣ୍ଡଳୀ ପରାମର୍ଶ ଦେଇଛନ୍ତି ।

ଇଂରେଜମାନେ ଏହି ଦେଶକୁ ଆସିଥିଲେ, ସେମାନେ ଏହି ଦେଶକୁ ଶାସନ କରୁଥିଲେ, ଏହି ଦେଶରେ ପାଠ ତଥା ଶାଠର ବନ୍ଦୋବସ୍ତ କରିବା ମଧ୍ୟ ସେମାନଙ୍କର ଦାୟିତ୍ୱ ହୋଇ ରହିଥିଲା । ଇଂରେଜମାନେ ଏ ଦେଶରୁ ଗଲେ, ଇଂରେଜମାନଙ୍କର ଶାସନ ମଧ୍ୟ ହଟିଗଲା-। ଇଂରାଜୀ ଭାଷା ରହିଗଲା, ଅର୍ଥାତ୍‌ ଦେଶରୂପକ ଆମର ଏହି ଘରେ ସମଗ୍ର ବିଶ୍ୱ ଆଡ଼କୁ ଗୋଟାଏ ଜୀବନ୍ତ ଝରକା ଖୋଲା ହୋଇ ରହିଲା । ଏକ ଜାତି ହିସାବରେ ତଦ୍ଦ୍ୱାରା ଆମର ଅନେକ ଲାଭ ହେଲା । ଏହାହିଁ ଆମ ଲାଗି ଇଂରେଜ ଶାସନ ଅମଳର ସମ୍ଭବତଃ ସବୁଠାରୁ ବଡ଼ ଲାଭ ହୋଇ ରହିଲା । କିନ୍ତୁ ଆପଣାର ଭାଷାକୁ କଞ୍ଚା ରଖି ଦେଶରେ ଏକ ବିଦେଶୀ ଭାଷାର ମୂଳଦୁଆକୁ କିଏ କେଉଁଠି ପକ୍‌କା କରିପାରିଛି, ଇତିହାସରେ ତାହାର ଆଦୌ କୌଣସି ଦୃଷ୍ଟାନ୍ତ ନାହିଁ । ଆମ ଦେଶରେ ବାବୁମାନେ ଯାହା କହୁଥାନ୍ତୁ ପଛକେ, ମନୋବିଜ୍ଞାନ ମଧ୍ୟ ଏହି ବିଚାରଟିକୁ କଦାପି ଏକ ସ୍ୱାଭାବିକ ବିଚାର ବୋଲି କହିବ ନାହିଁ । ତଥାପି ଏକଥା ମଧ୍ୟ ସତ ଯେ ଭାରତବର୍ଷରେ ଭାରତୀୟ ଭାଷାର ମାନକୁ ଦୁର୍ବଳ କରିରଖି ଇଂରାଜୀ ଭାଷାକୁ ମଜବୁତ୍‌ କରିବା ଲାଗି ଗତ କେତେବର୍ଷ ହେଲା ଏକ ଅସାଧୁ ଏକଜିଦିଆ ଚେଷ୍ଟା ରୀତିମତ କରାଯାଇ ଆସିଛି । ଇଂରେଜ ଥିଲାବେଳେ ସେକଥା ନ୍ୟାୟତଃ କରାଯାଉଥିଲା ଏବଂ ଇଂରେଜ ଶାସନ ଯିବାପରେ ନାନା ପ୍ରୟୋଜନ ଦ୍ୱାରା ବାଧ୍ୟ ହୋଇ ଶିକ୍ଷାଗହନର ନିୟନ୍ତାମାନେ ତାହା କରିଆସୁଛନ୍ତି ।

ଆପଣା ଭାଷାକୁ ନ୍ୟୂନ କରିରଖି ଓ ଆପଣା ଭାଷା ଲାଗି ଏକ ଅଶ୍ରଦ୍ଧା ରଖି ଏ ଦେଶରେ କେହି କଦାପି ଇଂରାଜୀ ଭାଷାର ମାନବୃଦ୍ଧି କରିପାରି ନଥାନ୍ତା ଏବଂ ପରିମାଣରେ ତାହାହିଁ ହୋଇଛି । ଇଂରାଜୀ ଶିକ୍ଷକଙ୍କ ଲାଗି କେବଳ କେତେକ ବିଶେଷ ପ୍ରଶିକ୍ଷଣର ବ୍ୟବସ୍ଥା ହେଲେ କ’ଣ ସତରେ ଯାହା ଅବଶ୍ୟ ଘଟିବାର କଥା, ତାହାର ଗତିକୁ କେହି ବଦଳାଇ ଦେଇ ପାରିବେ ?

ତା ୧୯-୦୨-୧୯୭୫ ରିଖ

Image

 

ସାମରିକ ସମାଧାନ

 

ମଣିଷ ମଣିଷ ଭିତରେ କଜିଆ ହେଲେ ସମାଧାନ ଲୋଡ଼ାହୁଏ । ଦେଶ ଦେଶ ଭିତରେ କଜିଆ ଲାଗିଲେ ଆଗ ଅସ୍ତ୍ର ଲୋଡ଼ାହୁଏ, ତା’ପରେ ଯାଇ ସମାଧାନ ଲୋଡ଼ାହୁଏ । ଆଗ ଗୁଳି-ବାରୁଦ ଜମା କରାହୁଏ, ସୈନ୍ୟ-ସାମନ୍ତର ଧମକ ଦିଆହୁଏ ଏବଂ ତା’ପରେ ସେହି ଧମକ ବଦଳରେ ପରସ୍ପର ଗୋଟାଏ କିଛି ସମାଧାନ ବାହାର କରିବା ପାଇଁ ଏକାଠି ହେବାକୁ ଆସନ୍ତି । ସତେଅବା ବାଧ୍ୟ ହେଲାପରି ସମାଧାନ ଲୋଡ଼ନ୍ତି । ତେଣୁ ବାଧ୍ୟ ହୋଇ ସମାଧାନଟାକୁ ମାନନ୍ତି । ଅନ୍ତଃରାଷ୍ଟ୍ରୀୟ ସମ୍ବନ୍ଧର ଇତିହାସରେ ଏହାକୁ ବିବେକ ବୋଲି ହୁଏତ କୁହାଯାଇନପାରେ, ମାତ୍ର ପ୍ରଧାନତଃ ଏହା ହିଁ ଯେ ଆମ ଆଧୁନିକ ଅନ୍ତଃରାଷ୍ଟ୍ରୀୟ ଆଚରଣର ରୀତି ହୋଇ ରହିଲା ପରି ବୋଧ ହେଉଛି, ସେକଥାକୁ ସହଜରେ ଅସ୍ୱୀକାର କରିହେବ ନାହିଁ ।

କିଛିଦିନ ତଳେ ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଏକ ଭୋଜିସଭାରେ ଭାଷଣ ଦେଇ କହିଛନ୍ତି ଯେ ଇସ୍ରାଏଲ ବିନାସର୍ତ୍ତରେ ଆରବ ଦେଶମାନଙ୍କ ସହିତ କୌଣସି ଏକ ସମାଧାନ ଲାଗି ଆଲୋଚନା କରିବା ସକାଶେ ପ୍ରସ୍ତୁତ ଅଛି । କାରଣ ସାମରିକ ସମାଧାନ ଦ୍ୱାରା ଯେ କଳହର କୌଣସି ପ୍ରକୃତ ସମାଧାନ ହୋଇପାରିବ ନାହିଁ, କ୍ରମେ ଏହି କଥାରେ ତାଙ୍କର ଦୃଢ଼ବିଶ୍ୱାସ ହୋଇ ଆସିଲାଣି ।

ସାମରିକ ସମାଧାନରେ ଇସ୍ରାଏଲର ବିଶ୍ୱାସ ନାହିଁ ବା ଆରବଗୋଷ୍ଠୀ ଦେଶମାନଙ୍କର ବି ବିଶ୍ୱାସ ନାହିଁ । ତଥାପି ଏକଥା ମଧ୍ୟ ନିରୋଳା ସତ୍ୟ ଯେ ଏପର୍ଯ୍ୟନ୍ତ ଇସ୍ରାଏଲ ଏବଂ ଆରବ ଦୁଇଟିଯାକ ପକ୍ଷ ପ୍ରାୟ ସବୁଯାକ ସମସ୍ୟାର ଏକ କଡ଼ା ସାମରିକ ସମାଧାନର ହିଁ ପ୍ରତ୍ୟାଶା ରଖି ଆସିଛନ୍ତି ଏବଂ ସେଇଥିଲାଗି ସେହି ଗୋଟିଏ ଭୂଭାଗର ସମସ୍ୟା ସତେଅବା ଏକ ବିଶ୍ୱ-ସମସ୍ୟାରେ ପରିଣତ ହୋଇଛି । ମଧ୍ୟପ୍ରାଚ୍ୟରେ ଅନେକ ସମୟରେ ମନୁଷ୍ୟଭାଗ୍ୟର ହୃତ୍‌ପିଣ୍ଡଟା ରୁନ୍ଧିହୋଇ ଅଟକିଗଲା ପରି ମନେହେଉଛି । ସେଠି ମରୁଭୂମିର ଶାନ୍ତି ଓ ମରୂଦ୍ୟାନର ଶୀତଳତା ଭଙ୍ଗ କରିଏକ ଅମଙ୍ଗଳ ଅଶାନ୍ତି ଭବିଷ୍ୟତକୁ ଅନାଇ ସତେଅବା ଉପହାସ କରିବାରେ ଲାଗିଛି ।

ସବୁଠାରୁ ବଡ଼ ବିଡ଼ମ୍ୱନାର ବିଷୟ ହେଉଛି ଯେ ମଧ୍ୟପ୍ରାଚ୍ୟରେ କୌଣସି ଗୋଟିଏ ଦେଶରେ ମଧ୍ୟ ଗୁଳି-ବାରୁଦ, କମାଣ କିମ୍ୱା ଟ୍ୟାଙ୍କ୍‌ ତିଆରି ହେଉନାହିଁ । ଯେଉଁଠି ଗବଗଛ ନାହିଁ, ସେଠି ଗବଗଛର ଜଙ୍ଗଲ ସମ୍ଭବ ହୋଇପାରୁଛି କିପରି ? ଇସ୍ରାଏଲର ଆବଶ୍ୟକ ସକଳ ସାମରିକ ଅସ୍ତ୍ରଶସ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକାରୁ ଆସୁଛି । ଆମେରିକା ସରକାର ପ୍ରାୟ ଏକ ଧର୍ମକାର୍ଯ୍ୟ ପରି ଏହି ଅସ୍ତ୍ରଯୋଗାଣର କାମ କରୁଛନ୍ତି ଏବଂ ଆରବ ଦେଶଗୁଡ଼ିକର ଶାସକମାନେ ଆମେରିକା ଓ ରୁଷିଆ ଦୁଇଟିଯାକ ଗୋଦାମରୁ ସଉଦା କରିପାରୁଛନ୍ତି । ଦୁଇଟିଯାକ ଥାଳରେ ହାତ ଭର୍ତ୍ତି କରିପାରୁଛନ୍ତି । ବିଶ୍ୱରାଜନୀତିର ଏହି କ୍ରୂର ଦୁଃସମୟଟିର କୃପାରୁ ଯେତେବେଳେ ଏତେ ସହଜରେ ଚାହିଦା ସରଞ୍ଜାମଗୁଡ଼ାକ ମିଳିଯାଉଛି, ସେତେବେଳେ ସାମରିକତା ବ୍ୟତୀତ ଆଉ ଅନ୍ୟ ସମ୍ଭାବନାକୁ କିଏ କାହିଁକି ଖୋଜିବାକୁ ଯିବ !

ତଥାପି ଚକ ବଦଳିବ, ତଥାପି ରୀତି ବଦଳିବ । ସାମରିକ ସମାଧାନ ଯେ ସମାଧାନ ନୁହେଁ, ଏକଥା କ୍ରମେ ଅଧିକରୁ ଅଧିକ ଦେଶର ଲୋକେ ସ୍ୱାଭାବିକ ଭାବରେ ବିଶ୍ୱାସ କରିବେ । ଏହି ବିଶ୍ୱାସ ଶକ୍ତିଶାଳୀ ହୋଇ ସରକାରଗୁଡ଼ିକୁ ମଧ୍ୟ ବଙ୍କାରୁ ସିଧାକୁ ଆଣିବ । ପୃଥିବୀର ଭବିଷ୍ୟ ଅନ୍ୟ ଆକାର ଧାରଣ କରିବ । ଏହା ଜଳ ଜଳ ଦିଶୁଛି ।

ତା ୨୧-୦୨-୧୯୭୫ ରିଖ

Image

 

ନୂଆ ଅର୍ଥନୀତି

 

ଅର୍ଥନୀତି ଅର୍ଥ ଅର୍ଥକାରୀ ନୀତି । ମଣିଷଜୀବନରେ ସାର୍ଥକତା ଆଣିଦେବାକୁ ଏହି ଅର୍ଥନୀତି ଗୋଟିଏ ସାଧନ । ଜୀବନର ବିକାଶ ପାଇଁ ଅର୍ଥ ଦରକାର । ମଣିଷ ଲାଗି ଖାଇବା ଦରକାର, କପଡ଼ା ଦରକାର, ବାସଗୃହ ଦରକାର । ସମାଜରେ ସବୁ ମଣିଷଙ୍କ ସକାଶେ ଏସବୁ ଦରକାର । ଗୋଟିଏ ଦେଶରେ ବାସ କରୁଥିବା ସବୁ ମଣିଷଙ୍କ ସକାଶେ ଏସବୁ ଦରକାର । ତେଣୁ ଅର୍ଥନୀତି ହେଉଛି ଜୀବନର ସର୍ବପ୍ରଥମ ଭୂମି । ଏହି କଥାଟିକୁ ଆହୁରି ଅଧିକ ଗୁରୁତ୍ୱ ଦେଇ ଦେଖାଇ ଦେବା ଉଦ୍ଦେଶ୍ୟରେ ସମାଜବାଦୀ ଅନେକ ଦାର୍ଶନିକ ଏହି ଅର୍ଥନୀତିକୁ ଜୀବନର ସବୁକିଛି ବୋଲି ଘୋଷଣା କରିଛନ୍ତି ।

 

ମଣିଷର ସୁଖବିଧାନ ସକାଶେ ଅର୍ଥନୀତିର ଭିଆଣ ହୋଇଥିଲା । ଆଧୁନିକ ଯୁଗରେ ପୂର୍ବତନ ଯେକୌଣସି ଯୁଗର ତୁଳନାରେ ପୃଥିବୀର ଧନ ଓ ଐଶ୍ୱର୍ଯ୍ୟମାନ ଶତଗୁଣରେ ବୃଦ୍ଧିଲାଭ କଲା । ଆଧୁନିକ ଅର୍ଥନୀତି ପୂର୍ବତନ ଯେକୌଣସି ଯୁଗର ତୁଳନାରେ ମଣିଷକୁ ସହସ୍ରଗୁଣ ସମ୍ପଦର ଅଧିକାରୀ କରାଇଲା । କିନ୍ତୁ କାହିଁ, ତଥାପି ସଙ୍କଟ ତ ଗଲା ନାହିଁ ! ପୃଥିବୀର ଅଧେ ମଣିଷ ଏହି ବିପୁଳ ଅର୍ଥପ୍ରାଚୁର୍ଯ୍ୟ ଭିତରେ ମଧ୍ୟ ଦରପେଟ ହୋଇ ରହିଲେ । ଅଧେ ପିଲା ପାଠ ପଢ଼ିପାରିଲେ ନାହିଁ । ପୃଥିବୀରେ ଦୁର୍ଭିକ୍ଷ ଲାଗି ରହିଲା । ତିନିଚଉଠ ମଣିଷଙ୍କୁ କାଙ୍ଗାଳ କରିରଖି ଚଉଠେ ମଣିଷ କୁବେର ହେଲେ । ଏହାକୁ କ’ଣ ଆମେ ଅର୍ଥନୀତି ବୋଲି କହିବା ? ନା ଅର୍ଥଜନିତ ଏକ ଅତି କ୍ରୂର ଅନୀତି ବୋଲି କହିବା ?

 

ଏପରି ଗୋଟିଏ ମୌଳିକ ଦୃଷ୍ଟିକୋଣକୁ ସମ୍ମୁଖରେ ରଖି ଅଳ୍ପଦିନ ତଳେ ଶ୍ରୀ ଅରବିନ୍ଦ ଆଶ୍ରମରେ ଆୟୋଯିତ ହୋଇଥିବା ଆଲୋଚନା–ଗୋଷ୍ଠୀ ଭାରତବର୍ଷର ବର୍ତ୍ତମାନ ଆର୍ଥିକ ସ୍ଥିତିଟି ବିଷୟରେ ଆଲୋଚନା କରିଥିଲା । ଭାରତବର୍ଷରେ ଗତ ପଚିଶବର୍ଷ ହେଲା ଯେଉଁ ଅର୍ଥନୀତି ଆମର ଜୀବନକୁ ନିୟନ୍ତ୍ରିତ କରିଆସୁଛି, ସେଥିରେ କେଉଁଠି କ’ଣ ବିଷକିଳା ପଶିଯାଇଛି କେଜାଣି, ତଦ୍ଦ୍ୱାରା ଆମର ଜାତୀୟ ଆର୍ଥିକ ସ୍ଥିତି ଆମର ଅଭିଳଷିତ ମାର୍ଗରେ ଗତି କରିପାରୁ ନାହିଁ । କେଉଠି କ’ଣ ଦୋଷ ବା ଛିଦ୍ର ରହିଯାଇଛି କେଜାଣି, ଆମେ ବିଭିନ୍ନ ସ୍ତରରେ ଯେତେ ଯାହା ଉଦ୍ୟମ କଲେ ମଧ୍ୟ କେଉଁଠି କିଛି ବିଭ୍ରାଟ ହୋଇଯାଉଛି । ପଇସା ବଢ଼ୁଛି, କିନ୍ତୁ କ୍ରୟଶକ୍ତି ହ୍ରାସ ହୋଇଯାଉଛି । ଯିଏ ଉତ୍ପାଦନ କରୁଛି, ସତେଅବା ସେଇ ସବୁଠାରୁ ଅଧିକ ପରିମଣାରେ ବଞ୍ଚିତ ହେବାରେ ଲାଗିଛି-। ମଝିରେ ରହିଥିବା ନାନାବିଧ ଅନୁତ୍ପାଦକ ଶ୍ରେଣୀ ଅର୍ଥନୀତିର ଯାବତୀୟ ଉଦ୍ୟମର ସବୁ ଲାଭ ମାରିନେଇ ଚାଲିଯାଉଛନ୍ତି ।

 

ଏପରି କାହିଁକି ହେଉଛି ? ବିନାଶକାରୀ ଏହି ଅଭେଦ୍ୟ ବ୍ୟୂହଟିକୁ ଭେଦକରିପାରିବା ଲାଗି ଓ ଜାତୀୟ ଅର୍ଥନୀତିର ଏହି କ୍ଷୟକାରୀ ପ୍ରବୃତ୍ତିଗୁଡ଼ିକୁ ରୋଧକରିରଖିପାରିବା ଲାଗି କ’ଣ ପ୍ରକୃତରେ କୌଣସି ବାଟ ନାହିଁ ? ଯଦି ଅଛି, ତେବେ ଆମକୁ ଏଦିଗରେ କିପରି ଭାବରେ ଅଗ୍ରସର ହେବାକୁ ପଡ଼ିବ ? ଆଲୋଚନା–ଗୋଷ୍ଠୀ ସମସ୍ୟାଟିର ଏକ ଯଥାସମ୍ଭବ ବୃହତ୍ତର ପୃଷ୍ଠଭୂମି ଉପରେ ବିଷୟଟିର ଆଲୋଚନା କରିଥିଲା ।

 

ଆମ ଦେଶର ଅର୍ଥନୈତିକ କ୍ଷେତ୍ରରେ କୌଣସି ପ୍ରକାର ପରିବର୍ତ୍ତନ ସମ୍ଭବ କରିବାକୁ ହେଲେ ପ୍ରଥମେ ଆମର ଦୃଷ୍ଟିକୋଣରେ ପରିବର୍ତ୍ତନ ଘଟାଇବାକୁ ପଡ଼ିବ । ବ୍ୟକ୍ତିର ଦୃଷ୍ଟିକୋଣରେ ତଥା ସମଷ୍ଟିର ଦୃଷ୍ଟିକୋଣରେ ପରିବର୍ତ୍ତନ ଘଟାଇବାକୁ ପଡ଼ିବ । ଧନସମ୍ପତ୍ତି, ପଇସା ଓ ଶ୍ରମ ପ୍ରତି ପାରମ୍ପରିକ ଭାବରେ ଆମର ଯେଉଁ ପୁରୁଣା ଦୃଷ୍ଟିକୋଣଟି ରହିଆସିଛି, ସେଥିରେ ପରିବର୍ତ୍ତନ ଘଟାଇବାକୁ ପଡ଼ିବ । ଏପର୍ଯ୍ୟନ୍ତ ଶ୍ରମ ନ କରିବାକୁ, ଅର୍ଥାତ୍ ଯଥାସମ୍ଭବ କମ୍‌ ଶ୍ରମ କରିଅପେକ୍ଷାକୃତ ଅଧିକ ସମ୍ଭୋଗ ମାଡ଼ି ବସିବାକୁ ହିଁ ଆମେ ସାଧାରଣତଃ ଏକ ଗୌରବ ବୋଲି ଅନୁଭବ କରିଆସୁଥିଲୁ । ଆମ ଭିତରୁ ଯେଉଁମାନେ ଚତୁରତାର ସହିତ ଏହି କଥାଟିକୁ ସଫଳ ଭାବରେ କରିଆସୁଥିଲେ, ଆମେ ସେହିମାନଙ୍କୁ ହିଁ ସମାଜରେ ସର୍ବାଧିକ ସ୍ୱୀକୃତି ଓ ସମ୍ମାନ ଦେଉଥିଲୁ । ଆପଣା ପାଖରେ ଗଚ୍ଛିତ ଧନକୁ କିଏ କେତେ ପ୍ରକୃଷ୍ଟ ଭାବରେ କାର୍ଯ୍ୟରେ ଲଗାଇ ପାରୁଛି ଓ ଅଧିକ ଐଶ୍ୱର୍ଯ୍ୟର ସୃଷ୍ଟି ଲାଗି ତାହାକୁ ବିତରିତ କରିଦେଇ ପାରୁଛି ସେହି ଦୃଷ୍ଟିରୁ ନୁହେଁ, ମାତ୍ର ଆପଣା ପାଖରେ କିଏ କେତେ ବେଶି ଧନ ଗଚ୍ଛିତ କରିରଖିପାରୁଛି, ସେହି ଦୃଷ୍ଟିରୁ ହିଁ ଆମେ ଏ ଦେଶରେ ଧନଶାଳୀ ବ୍ୟକ୍ତିମାନଙ୍କୁ ସମ୍ମାନ ଦେଇ ଆସୁଥିଲୁ । ପଇସା ବିଷୟରେ ମଧ୍ୟ ଆମର ପ୍ରାୟ ସେହିଭଳି ଏକ ଦୃଷ୍ଟି ରହିଆସିଥିଲା । ଏହିସବୁ ଦୃଷ୍ଟିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ତେବେଯାଇ ପଇସା ଦ୍ୱାରା ଏ ଦେଶରେ ମଣିଷର ସମୃଦ୍ଧିକୁ ସମ୍ଭବ କରାଯାଇପାରିବ ।

 

ଏଗୁଡ଼ାକ କ’ଣ ଖାଲି ସିଦ୍ଧାନ୍ତ କଥା ? ଖାଲି ଆଦର୍ଶର କଥା ? ମଣିଷର ଅର୍ଥନୀତିକୁ କ’ଣ ମଣିଷର ଜୀବନନୀତିର ଏକ ଅନ୍ୟତମ ଅଙ୍ଗ ରୂପେ ବ୍ୟବହାର କରାଯାଇ ପାରିବ ନାହିଁ ? ମଣିଷଜୀବନକୁ ଏକ ପୂର୍ଣ୍ଣତର ତାତ୍ପର୍ଯ୍ୟ ଏବଂ ଗତି ଆଣି ଦେଇଥିବା ନାନା ଶକ୍ତି ମଧ୍ୟରେ ଅର୍ଥକୁ କ’ଣ ଏକ ଶକ୍ତିରୂପେ ବ୍ୟବହାର କରାଯାଇ ପାରିବ ନାହିଁ ? ପଇସା କ’ଣ ସବୁଦିନେ ମଣିଷକୁ ମଣିଷଠାରୁ ଦୂରଛଡ଼ା କରିରଖିଥିବ ? ପୃଥିବୀରେ ଧନ ବଢ଼ାଇବାକୁ ହେଲେ କ’ଣ ସବୁଦିନେ ଥୋକାଏ ମଣିଷକୁ ବଞ୍ଚିତ କରିରଖିବାକୁ ପଡ଼ୁଥିବ ? ଥୋକାଏ ମଣିଷଙ୍କୁ ଶୋଷିତ ଓ ଅଜ୍ଞାନଗ୍ରସ୍ତ କରିନ ରଖିଲେ କ’ଣ ଆଉ ଥୋକାଏ ମଣିଷଙ୍କର କଲ୍ୟାଣ ହୋଇପାରିବ ନାହିଁ ? ଆଧୁନିକ ମନୁଷ୍ୟକୁ ଆଜି ଏହି ପ୍ରଶ୍ନଗୁଡ଼ିକର ଜବାବ ଦେବାକୁ ପଡ଼ିବ । ଆମର ଏହି ଦେଶରେ ମଧ୍ୟ ଜାତୀୟ ସ୍ତରରେ ଅର୍ଥନୈତିକ ଯେକୌଣସି ସମସ୍ୟାର ଯଥାର୍ଥ ଭାବରେ ସମ୍ମୁଖୀନ ହେବାକୁ ଗଲାବେଳେ ଆମକୁ ଏଗୁଡ଼ିକର ବିଚାର କରିବାକୁ ପଡ଼ିବ ।

 

ଅର୍ଥ ଏକ ବନ୍ଧନ ନୁହେଁ, ସମାଜକୁ ଅଗ୍ରସର କରାଇ ନେବା ଲାଗି ଅର୍ଥ ହେଉଛି ଏକ ଶକ୍ତି । ମନୁଷ୍ୟର ପରିପୂର୍ଣ୍ଣ ଆତ୍ମୋପଲବ୍‌ଧି ଲାଗି ଅର୍ଥ ହେଉଛି ଗୋଟିଏ ସାଧନ । ଶ୍ରୀଅରବିନ୍ଦ ଆଶ୍ରମରେ ଅର୍ଥକୁ ବା ଅର୍ଥନୀତିକୁ ବହିଷ୍କୃତ କରିରଖାଯାଇ ନାହିଁ । ମଣିଷର ଅଭ୍ୟୁଦୟ ଲାଗି ମଣିଷ ଅନ୍ନ ଅର୍ଥାତ୍‌ ଅର୍ଥର କ୍ଷେତ୍ରରେ ମଧ୍ୟ କିପରି ପରସ୍ପର ସହିତ ଏକତ୍ର ସମବେତ ହୋଇ କାର୍ଯ୍ୟ କରିପାରେ, ଶ୍ରୀଅରବିନ୍ଦ ଆଶ୍ରମ ଆମକୁ ତାହାର ଏକ କାର୍ଯ୍ୟକାରୀ ଦୃଷ୍ଟାନ୍ତ ଯୋଗାଇ ଦେଇପାରିବ । ମାତ୍ର ଆମ ଅର୍ଥନୀତି କ୍ଷେତ୍ରରେ ଆମର ଦୃଷ୍ଟିଟିକୁ ବଦଳାଇ ପାରିଲେ ଯାଇ ଆମେ ସେଇ ଦୃଷ୍ଟାନ୍ତରୁ ଉପକୃତ ହୋଇପାରିବା ।

 

ତା ୨୮-୦୨-୧୯୭୫ ରିଖ

Image

 

ଦକ୍ଷିଣ ଆଫ୍ରିକା

 

ଦକ୍ଷିଣ ଆଫ୍ରିକାରେ ପ୍ରଥମେ କଳାଲୋକ ବାସ କରୁଥିଲେ । ତା’ପରେ ୟୁରୋପରୁ ଗୋରାଲୋକେ ଆସିଲେ । ସେମାନେ ନୂଆ ବାସଭୂମି ଓ ନୂଆ ବଣିଜଭୂମି ଖୋଜି ଆଫ୍ରିକା ଆସିଥିଲେ । ତା’ପରେ ଅସଭ୍ୟ କଳା ଆଫ୍ରିକାବାସୀଙ୍କୁ ସଭ୍ୟତାର ଆଲୋକ ଭିତରକୁ ଆଣିବା ଲାଗି ସେମାନଙ୍କ ଉପରେ ଶାସନ ଆରମ୍ଭ କଲେ; ଅର୍ଥାତ୍ ସେମାନଙ୍କ ଉପରେ ମାଲିକ ହୋଇ ବସିଲେ । ସଭ୍ୟତାର ଏକ ବର୍ବର ନିୟମ ଅନୁସାରେ କଳାମଣିଷ ଗୋରା ମଣିଷର ଦାସ ହୋଇ ଖଟିଲା । ଗୋରାମାନଙ୍କର ଧର୍ମଟା ମଧ୍ୟ ସେହି କଥାକୁ ସମର୍ଥନ ଜଣାଇଲା । ସେହି ବର୍ବରତାକୁ ହିଁ ଗୋରା ମଣିଷର କର୍ତ୍ତବ୍ୟ ବୋଲି ଘୋଷଣା କଲା । ଆଫ୍ରିକାର ଇତିହାସରେ କାଳିମା ଯୁଗର ଆରମ୍ଭ ହେଲା ।

 

ତା’ପରେ ଦକ୍ଷିଣ ଆଫ୍ରିକାକୁ ଭାରତୀୟମାନେ ଆସିଲେ । ଭାରତବର୍ଷର ପଶ୍ଚିମ ଉପକୂଳରୁ ହିଁ ଏମାନେ ପ୍ରଧାନତଃ ଆସିଥିଲେ । ଏମାନେ ବାଣିଜ୍ୟ ଓ ବ୍ୟବସାୟ କରିବାକୁ ଆସିଥିଲେ । ଗୋରାମାନଙ୍କର ରାଷ୍ଟ୍ରରେ ସାନବଡ଼ ଚାକିରୀ ଆଦରି ଜୀବିକାନିର୍ବାହ କରିବାକୁ ଆସିଥିଲେ । ଏମାନେ ଦୋକାନୀ ହୋଇ ଆସିଥିଲେ । ଦୋକାନ ଓ ବିକାକିଣା କରୁ କରୁ ଦକ୍ଷିଣ ଆଫ୍ରିକାରେ ସ୍ଥାୟୀ ହୋଇ ରହିଗଲେ । ତା’ପରେ ସେମାନଙ୍କର ଯାବତୀୟ କାର୍ଯ୍ୟ ତୁଲାଇବାକୁ ସେହି ଭାରତରୁ କ୍ରମେ ଅନ୍ୟମାନେ ବି ଆସିଲେ; ଅର୍ଥାତ୍ ପୁରୋହିତ ଆସିଲେ, ପାଠ ପଢ଼ାଇବାକୁ ମାଷ୍ଟର ଆସିଲେ, ମକଦ୍ଦମା ତୁଲେଇବାକୁ ଓକିଲ ଆସିଲେ ।

 

ଦକ୍ଷିଣଆଫ୍ରିକାକୁ ଶାସନ କରୁଥିବା ଗୋରାମାନେ ଭାରତବାସୀଙ୍କୁ ମଧ୍ୟ ଆପଣାର ସମାନସ୍କନ୍ଧ ବା ସମାସ୍କନ୍ଧ ବୋଲି ଗ୍ରହଣ କରିବାକୁ ସମ୍ମତ ହେଲେ ନାହିଁ । ଭାରତୀୟମାନେ ନିଗ୍ରୋମାନଙ୍କ ପରି ଦେଖାଯାଉନଥିଲେ ମଧ୍ୟ ଗୋରାମାନଙ୍କ ପରି ମଧ୍ୟ ଦେଖାଯାଉ ନଥିଲେ । ତେଣୁ ଶାସକମାନଙ୍କର ଧର୍ମବିବେକ ଅନୁସାରେ ସେମାନେ ଧର୍ମଘରେ ଅନେକ ପଛରେ ରହିଥିଲେ । ଆପଣାର ସଭ୍ୟତା ଅର୍ଥାତ୍ ଆପଣାର କର୍ତ୍ତୃତ୍ୱ ବିଷୟରେ ଉଗ୍ରସଚେତ ହୋଇ ରହିଥିବା ଗୋରାମାନେ ଭାରତୀୟମାନଙ୍କୁ ମଧ୍ୟ ଆପଣାଠାରୁ ଦୂରରେ ରଖିଲେ ।

 

ଏହିପରି ଭାବରେ ଦକ୍ଷିଣ-ଆଫ୍ରିକାରେ ତିନି ବିଭିନ୍ନ ସ୍ତରର ନାଗରିକ ବାସକରିଆସୁଛନ୍ତି । ସବା ଉପରେ ଗୋରାମାନେ ଶାସକ ହୋଇ ରହିଛନ୍ତି, ସବା ତଳେ କଳାମାନେ ରହିଛନ୍ତି ଓ ମଝିରେ ଭାରତୀୟମାନେ ରହିଛନ୍ତି । ଗୋଟାଏ ଦେଶ ତିନି ଭାଗ ହୋଇ ରହିଛି । ଗୋଟାଏ ଜାତି ବା ଗୋଟିଏ ବର୍ଗ ରାଜଭାରର ଅଧିକାରୀ ହୋଇ ରହିଛି । ଅନ୍ୟ ଦୁଇଟିଯାକ ଜାତି ଅସ୍ୱୀକୃତ ଓ ବଞ୍ଚିତ ହୋଇ ରହିଛନ୍ତି । ଗୋରାମାନେ ଭାରତୀୟ ତଥା କଳାଜାତି ଉଭୟଙ୍କୁ ଆପଣାଠାରୁ ହୀନ ବା ନିକୃଷ୍ଟତର ବୋଲି ଭାବୁଛନ୍ତି ଏବଂ ସେମାନଙ୍କୁ ସକଳ ପ୍ରକାର ରାଜ ଆୟୋଜନ ଦ୍ୱାରା ଠିକ୍‌ ସେହିଭଳି ନିକୃଷ୍ଟ କରିହିଁ ରଖିଛନ୍ତି । ଭାରତୀୟମାନେ ରାଷ୍ଟ୍ରୀୟ ବ୍ୟବସ୍ଥା ଦ୍ୱାରା ଗୋରାମାନଙ୍କଠାରୁ ଅଧସ୍ତନ ହୋଇ ରହିବା ଲାଗି ବାଧ୍ୟ ହେଉଛନ୍ତି ସତ, ମାତ୍ର ସତେ ଅବା ତାହାରି ଏକ ମାନସିକ କ୍ଷତିପୂରଣ ରୂପେ ସେମାନେ ଆହୁରି ନିକୃଷ୍ଟତର ହୋଇ ରହିଥିବା କଳାମାନଙ୍କ ତୁଳନାରେ ଆପଣାକୁ ଅଧିକ ଉତ୍କୃଷ୍ଟ ବୋଲି ଭାବୁଛନ୍ତି । ଗୋଲାମ ଦେଶରେ ନିକୃଷ୍ଟତମ ଗୋଲାମମାନଙ୍କ ତୁଳନାରେ ସେମାନେ ଆପଣାକୁ ଅପେକ୍ଷାକୃତ ଅଧିକ ସରସାସ୍ତରର ଗୋଲାମ ବୋଲି ମନେ କରୁଛନ୍ତି । ତେଣୁ ଏହିଭଳି ଏକ ବିଚିତ୍ର ସମ୍ୱନ୍ଧ ବିଧାନରେ ସେଠି ସମାଜ ତିନିମୁହଁ ହୋଇ ରହିଛି, ତିନୋଟି ଆକୃତି ଏହି ବିଂଶ ଶତାବ୍ଦୀରେ ମଧ୍ୟ ଏକ ଚରମ ବର୍ବରତାକୁ ସତେଅବା ଫୁଲପାଣି ଦେଇ ରଖିଛି ।

 

ତା ୦୨-୦୩-୧୯୭୫ ରିଖ

Image

 

ଏକ ଦୁଷ୍ଟ ଶକୁନ

 

ଦକ୍ଷିଣ-ଆଫ୍ରିକାରେ ଭାରତୀୟମାନେ ଆପଣାର ନାଗରିକ ଅଧିକାରଗୁଡ଼ିକ ଲାଗି ଅନେକ ଦିନରୁ ସଂଗ୍ରାମ କରିଆସୁଛନ୍ତି । ଆଫ୍ରିକାବାସୀ କଳାମାନେ ମଧ୍ୟ ଆପଣାର ନାଗରିକ ତଥା ମାନବିକ ଅଧିକାରଗୁଡ଼ିକ ସକାଶେ ସଂଗ୍ରାମ କରୁଛନ୍ତି । ଏମାନେ ଦୁହେଁ ଗୋଟିଏ ମାଲିକର ଔଦ୍ଧତ୍ୟ ବିରୁଦ୍ଧରେ ସଂଗ୍ରାମ କରୁଛନ୍ତି ସତ, ମାତ୍ର ପରସ୍ପରଠାରୁ ଅଲଗା ହୋଇ ରହିହିଁ ସେହି ସଂଗ୍ରାମ କରୁଛନ୍ତି । ଏକାଠି ଗୋଟିଏ ଶିବିର ରୂପେ ସଂଗ୍ରାମ କରିପାରୁ ନାହାନ୍ତି । ଭାରତୀୟମାନେ ମୂଳତଃ ଭାରତୀୟ ହୋଇ ରହିସଂଗ୍ରାମ କରୁଛନ୍ତି, ତୁଚ୍ଛା ମଣିଷ ପରି ମଣିଷର ସର୍ବମୂଳ ଅଧିକାରଗୁଡ଼ିକ ଲାଗି ସେହି ଦେଶର ଅନ୍ୟ ଓ ବୃହତ୍ତର ବଞ୍ଚିତ ବର୍ଗଟି ସହିତ ଏକତ୍ର ହୋଇ ସଂଗ୍ରାମ କରୁନାହାନ୍ତି । ତେଣୁ ସକଳ ପ୍ରଚାର ସତ୍ତ୍ୱେ ସେମାନଙ୍କର ସଂଗ୍ରାମଟି ଏକ ଜାତିଆଣ ସଂଗ୍ରାମ ହୋଇ ରହିଛି । ଦକ୍ଷିଣ ଆଫ୍ରିକାର ଭୂମିଜନର ଆଖିରେ ସେଠାକାର ଭାରତୀୟମାନେ ତଥାପି ଆଉଗୋଟାଏ ଜାତି ହୋଇ ରହିଛନ୍ତି, ହୁଏତ ଦୁଇ ନମ୍ୱର ଶୋଷକ ହୋଇ ରହିଛନ୍ତି । ହୁଏତ ଭାରତୀୟ ଏପର୍ଯ୍ୟନ୍ତ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ଆପଣାର ଭୂମି ଓ ଭାଗ୍ୟ ବୋଲି ଗ୍ରହଣ କରିପାରି ନାହିଁ । ତା’ର କେବଳ ଗୋଟିଏ ଗୋଡ଼ ସେଠି ରହିଛି ଏବଂ ଆଉ ଗୋଟିଏ ଗୋଡ଼ ଅନ୍ୟତ୍ର ରହିଛି ।

 

ଏବେ ଦକ୍ଷିଣ-ଆଫ୍ରିକାରେ ବାସ କରୁଥିବା ଭାରତୀୟ ସଂପ୍ରଦାୟର ନେତାମାନଙ୍କ ସହିତ ଦକ୍ଷିଣ-ଆଫ୍ରିକାର ଗୋରା ଶାସକମାନଙ୍କର ଏକ କଥାବାର୍ତ୍ତା ହୋଇଯାଇଛି । ସେଥିରେ ଦୁଇପକ୍ଷର ରାଜିରେ ଏହି କଥାଟି ସ୍ଥିର ହୋଇଛି ଯେ ସେହି ଦେଶରେ କଳାଲୋକଙ୍କ ପାଇଁ ଅର୍ଥାତ୍‌ କଳା ସଂପ୍ରଦାୟ ପାଇଁ ସରକାର ଯେଉଁପରି ବ୍ୟବସ୍ଥା କରିଛନ୍ତି, ଏଣିକି ଭାରତୀୟ ସଂପ୍ରଦାୟଙ୍କ ଲାଗି ମଧ୍ୟ ସେହି ବ୍ୟବସ୍ଥା କରାଯିବ । କଳା ଲୋକଙ୍କର ବିଷୟ ଓ ମାମଲତମାନ ବୁଝିବା ଲାଗି ସେ ଦେଶରେ ନିର୍ବାଚିତ କଳା ପ୍ରତିନିଧିଙ୍କୁ ନିଯୁକ୍ତ କରାଯାଇଛି । ଏଣିକି ଭାରତୀୟ ସଂପ୍ରଦାୟର ବିଷୟ ଏବଂ ମାମଲତମାନ ବୁଝିବାକୁ ନିର୍ବାଚିତ ଭାରତୀୟ ପ୍ରତିନିଧିଙ୍କୁ ସୁଯୋଗ ଦିଆଯିବ । ଦେଶର ଶାସନନୀତିକୁ ନିଷ୍ପତ୍ତି କରିବାରେ ସେମାନଙ୍କର ଓ କଳା ଲୋକମାନଙ୍କର କୌଣସି ଭାଗ ରହିବ ନାହିଁ । କାରଣ କେବଳ ଗୋରା ଲୋକମାନେ ହିଁ ଭୋଟ ଦେବେ, ନିୟମ ଓ ନୀତିର ନିର୍ଦ୍ଧାରଣ କରିବେ । ସେମାନେ କଳା ଓ ଭାରତୀୟଙ୍କ ପାଇଁ ସୁବିବେଚନା ଦ୍ୱାରା ଯେଉଁ ବିଧିମାନ ନିର୍ଣ୍ଣୟ କରିଦେବେ, ନିର୍ବାଚିତ କଳା ଓ ଭାରତୀୟ ପ୍ରତିନିଧିମାନେ ତାହାକୁ ହିଁ ଆପଣା ଆପଣା ସଂପ୍ରଦାୟର ସ୍ତରରେ କାର୍ଯ୍ୟକାରୀ କରିବେ ।

 

ଅର୍ଥାତ୍ ଦକ୍ଷିଣ-ଆଫ୍ରିକାରେ ଜାତି ତିନି ଖଣ୍ଡ ହୋଇ ରହିବ, ଭାଗ୍ୟ ତିନି ଖଣ୍ଡ ହୋଇ ରହିବ, ମଣିଷ ବି ତିନି ଖଣ୍ଡ ହୋଇ ଉଚ୍ଚ ଓ ନୀଚ ବୋଲି ଗଣା ହେବ, ସଭ୍ୟ ଓ ଅସଭ୍ୟ ବୋଲି ଗଣା ହେବ । ଦକ୍ଷିଣ-ଆଫ୍ରିକା ବାହାରେ ଯେଉଁ ବୃହତ୍ତର ପୃଥିବୀଟି ରହିଛି ସେଠି ସକଳ ଭେଦକୁ ଦୂର କରିଓ ସକଳ ବାଧାର ନିରାକରଣ କରିକ୍ରମେ ମଣିଷକୁ ଗୋଟାଏ ବୋଲି ସ୍ୱୀକାର କରାଯାଉଛି । ସମଗ୍ର ପୃଥିବୀର ଏହି ଆକାଙ୍‌କ୍ଷା ଆଗରେ ଦକ୍ଷିଣ-ଆଫ୍ରିକା ଏକ ଦୁଷ୍ଟ ଶକୁନ ହୋଇ ରହିଛି, ଆମ ସମସ୍ତଙ୍କ ଲାଗି ଏକ ଆହ୍ୱାନ ହୋଇ ରହିଛି ।

 

ତା ୦୨.୦୩.୧୯୭୫ ରିଖ

Image

 

ନୂଆ ଶିକ୍ଷା

 

ନୂଆ ଶିକ୍ଷା କହିଲେ ଆମେ ପ୍ରକୃତରେ କ’ଣ ବୁଝିବା ? କେବଳ ଯେକୌଣସି ପ୍ରକାରେ ଗୋଟାଏ ପରୀକ୍ଷାରେ ପାସ୍‌ କରିବା ଲାଗି ଯାହା ପଢ଼ାଯାଏ, ତାହା ହେଉଛି ପୁରୁଣା ଶିକ୍ଷା । କେବଳ ଗୋଟାଏ ଚାକିରି ପାଇବା ଲାଗି ପାଠ ପଢ଼ିବା ନାମରେ ଯାହାକୁ ଏକ କ୍ଳେଶ ପରି ଆତ୍ମସାତ୍‌ କରିବାକୁ ହୁଏ, ତାହା ହେଉଛି ପୁରୁଣା ଶିକ୍ଷା । ଯାହାର ଯେତେ ବେଶି ପଇସା ଅଛି ବା ଯିଏ ଯେତେ ବଡ଼ କ୍ଷମତାରେ ରହିଛି ସିଏ ହେଉଛି ସେତେ ବଡ଼ ମଣିଷ,–ଏହି ରୁଚିଟି ହେଉଛି ପୁରୁଣା ଶିକ୍ଷା, ଏହା ଏକ କୁରୁଚି, ଏକ କୁସଂସ୍କାର । ଏହି ପୁରୁଣା ଶିକ୍ଷାକୁ ଆଦରି ଜଣେ ଧନବାନ ହୋଇପରେ, ବାବୁ ହୋଇପାରେ, ଅସୁର ପରି କ୍ଷମତାବାନ୍‌ ମଧ୍ୟ ହୋଇପାରେ; ମାତ୍ର ଶିକ୍ଷିତ ହୋଇପାରେ ନାହିଁ । ଏହି ଶିକ୍ଷା ଆମ ପାଖରେ ସବୁ ଥାଇ ମଧ୍ୟ ଆମର ଯୁଗଟିକୁ ଅନ୍ଧାର କରିରଖେ, ମଣିଷ ପାଖରେ ମଣିଷକୁ ହତାଦୃତ କରିରଖେ, ଦେଶର ବର୍ତ୍ତମାନକୁ ଅବଲୁଣ୍ଠିତ କରିରଖେ, ଭବିଷ୍ୟତକୁ ଅନିଶ୍ଚିତ କରିରଖେ ।

 

ନୂଆ ଶିକ୍ଷା ହେଉଛି ଏକ ନୂତନ ସମ୍ଭାବନା ଅର୍ଥାତ୍‌ ନୂତନ ପୃଥିବୀର ଆଗ୍ରହ ରଖିଥିବା ଶିକ୍ଷା, ମଣିଷକୁ ମଣିଷ ପାଖରେ ଏକ ନୂତନ ସମ୍ୱନ୍ଧ ଦେଇ ପରିଚିତ କରାଇ ଦେଉଥିବା ଶିକ୍ଷା, ମଣିଷକୁ ମଣିଷର ସହଯୋଗୀ ଏବଂ ସହଚାରୀ କରିତିଆରି କରିବାର ଅଭିଳାଷ ରଖିଥିବା ଶିକ୍ଷା-। ଏହି ଶିକ୍ଷାରେ ବଡ଼ ସାନକୁ ଅବଜ୍ଞା କରେ ନାହିଁ, ସେ ତାକୁ ସମ୍ମାନ କରେ, ଶ୍ରଦ୍ଧା କରେ । ଏଥିରେ ପ୍ରବୀଣ ନବୀନକୁ ଭୟ କରେ ନାହିଁ, ସେ ନବୀନ ମଧ୍ୟରେ ଆପଣାର ପୂର୍ଣ୍ଣତର ପରିଣତିଟିକୁ ଖୋଜି ବୁଲେ ଏବଂ ସେହି ଅନୁସାରେ ନବୀନକୁ ନବ ନବ ଦୁଃସାହସର ଓ ନବ ନବ ଅନୁରାଗର ପ୍ରେରଣା ଦେବାରେ ଲାଗିଥାଏ । ଏବଂ, ଯେଉଁ ଦେଶର ଶିକ୍ଷାଳୟମାନଙ୍କରେ ଏହି ଅନୁରାଗ ଓ ଏହି ପ୍ରେରଣାଟି ବଞ୍ଚି ରହିଥାଏ, ସେହି ଦେଶଟି ମଧ୍ୟ ସ୍ୱୟଂ ବଞ୍ଚି ରହିଥାଏ, ସେହି ଦେଶ ଆପଣାର ଯଥାର୍ଥ ଆଶାଟିକୁ ଧାରଣ କରିବଞ୍ଚି ରହିଥାଏ ।

 

ଆମ ଦେଶରେ ବର୍ତ୍ତମାନ ଏପରି ଏକ ପରିସ୍ଥିତି ଆସି ପହଞ୍ଚିଛି, ଯେତେବେଳେ କି ଦେଶରେ ବିଚାରଶୀଳ ସମସ୍ତେ ଶିକ୍ଷାର କ୍ଷେତ୍ରରେ ଗୋଟାଏ ନୂଆ କିଛି ହେବାଲାଗି ଅପେକ୍ଷା କରିବସିଛନ୍ତି । ଯେଉଁମାନେ ପୁରୁଣା ଭିତରେ ନାକଯାଏ ଛନ୍ଦି ହୋଇ ବସିଛନ୍ତି, ଯେଉଁମାନେ ପୁରୁଣାର ଯନ୍ତ୍ରଟିକୁ ଚଳାଇବାରେ ଆଜ୍ଞାବହ ହୋଇ ରହିଛନ୍ତି, ସେମାନେ ମଧ୍ୟ ସତେଅବା ବଡ଼ ଅସହ୍ୟ ହୋଇ ପଡ଼ିଥିବାପରି ଶିକ୍ଷାର ଘରେ ଏକ ନୂତନ ପବନର ସଞ୍ଚାର ହେଉ ବୋଲି ଇଚ୍ଛା କରୁଛନ୍ତି । ଜାତିର ଜନସାଧାରଣ ଚାହୁଛନ୍ତି, ଶାସକବର୍ଗ ଚାହୁଛନ୍ତି, ଶିକ୍ଷକ ଚାହୁଛନ୍ତି ଓ ଛାତ୍ରମାନେ ମଧ୍ୟ ଚାହୁଛନ୍ତି । ଏହି ଚାହିଁବାଟାକୁ ସେମାନେ ଆପଣାର ଭିନ୍ନ ଭିନ୍ନ ନାନା ଅସନ୍ତୋଷ ରୂପରେ ହିଁ ପ୍ରକଟ କରୁଛନ୍ତି । କିନ୍ତୁ ଦେଶବ୍ୟାପୀ ଏହି ଇଚ୍ଛାଟିକୁ ଏକ ସୁସମାଦୃତ ରୂପ ଦିଆଯାଇପାରିବ କିପରି, ଏକ ସୁସଙ୍ଗତ ଗଠନମୂଳକ ମାର୍ଗ ଦିଆଯାଇପାରିବ କିପରି ? ଏହି ବିଷୟଟି ଉପରେ ଏକତ୍ର କିଛି ଚିନ୍ତା କରିବା ଲାଗି ଶ୍ରୀ ଅରବିନ୍ଦ ଆଶ୍ରମ, ପଣ୍ଡିଚେରୀଠାରେ ଅନୁଷ୍ଠିତ ଜାତୀୟ ପୁନର୍ଗଠନ ସମ୍ବନ୍ଧୀୟ ଆଲୋଚନା ଶିବିରର ଏକ ବିଶେଷ ଗୋଷ୍ଠୀ ଏବେ ପ୍ରୟାସ କରିଥିଲେ ।

 

ତା ୦୪-୦୩-୧୯୭୫ ରିଖ

Image

 

ନୂତନ ମୋଡ଼ ଓ ମୂଲ୍ୟବୋଧ

 

କେବଳ ଶିକ୍ଷାର ଏକ ତଥାକଥିତ ବିଚ୍ଛିନ୍ନ କ୍ଷେତ୍ରରେ ନୁହେଁ, ମାତ୍ର ଆମ ସମାଜର ସମଗ୍ର କ୍ଷେତ୍ରଟିରେ ଏକ ସମୂଳ ପରିବର୍ତ୍ତନ ଏବଂ ପୁନର୍ଗଠନର ଆବଶ୍ୟକତା ରହିଛି ବୋଲି ଉକ୍ତ ଗୋଷ୍ଠୀରେ ଅନୁଭୂତ ହୋଇଥିଲା । ବର୍ତ୍ତମାନ ସମଗ୍ର ଦେଶରେ ଶିକ୍ଷାରେ ଏକ ନୂତନ ମୋଡ଼ ଏବଂ ଏକ ନୂତନ ମୂଲ୍ୟବୋଧର ଉଦ୍‌ବୋଧନ ଆଣି ଦେବାଲାଗି ପ୍ରାୟ ସବୁ ସ୍ତରରେ ଯେଉଁ ଆଲୋଡ଼ନଟି ଦେଖା ଦେଇଛି, ଗତ ପଚିଶି ବର୍ଷ ହେଲା ଶ୍ରୀ ଅରବିନ୍ଦ ଆଶ୍ରମରେ ହୋଇ ଆସିଥିବା ନୂତନ ଶିକ୍ଷାର ପ୍ରୟୋଗଟି କେତେଦୂର ସେହି ଆଲୋଡ଼ନ ପାଇଁ ଏକ ମାର୍ଗସଙ୍କେତ ଯୋଗାଇ ଦେଇ ପାରିବ, ତାହାର ଅବଧାରଣା କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା ।

ଶିକ୍ଷାର ଯେକୌଣସି କାର୍ଯ୍ୟକ୍ରମରେ ଶିକ୍ଷକମାନେ ଯେ ସଞ୍ଚାରକ କେନ୍ଦ୍ର ସ୍ୱରୂପ, ଏଥିରେ କାହାରି କଦାପି ଦ୍ୱିମତ ରହିବ ନାହିଁ । ବର୍ତ୍ତମାନ ଆମ ଦେଶରେ ଶିକ୍ଷାର କ୍ଷେତ୍ରରେ ଯେକୌଣସି ନୂତନ ପ୍ରବର୍ତ୍ତନ ବା ପ୍ରୟାସ ଲାଗି ଏପରି ଅନେକ ଶିକ୍ଷକ ଦରକାର, ଯେଉଁମାନେ କି ଏକ ବ୍ରତ ହିସାବରେ ଆପଣାର ଧନ୍ଦାଟିକୁ ଗ୍ରହଣ କରିଥିବେ, ଜଣେ ଜଣେ ଶିକ୍ଷକ ହିସାବରେ ଆପଣାର ଭୂମିକାଟି ଉପରେ ଗମ୍ଭୀର ଭାବରେ ବିଚାର କରୁଥିବେ, ସମାଜରେ ସବୁ ନୀତି ଓ ସବୁ ପଦ୍ଧତି ସେହି ପୁରୁଣା କୁଣ୍ଡଟା ଭିତରେ ବୁଡ଼ି ରହିଥିବା ସମୟରେ ତଥାପି ନୂତନ କିଛି କରିବା ଲାଗି ସମ୍ମତ ହୋଇ ରହିଥିବେ । ଆମ ଦେଶରେ କ’ଣ ପ୍ରକୃତରେ ଏଭଳି ଶିକ୍ଷକ ଅଛନ୍ତି ?

ହଁ, ଅଛନ୍ତି ଏବଂ ସେମାନେ ନାନା ଜାଗାରେ ଏକୁଟିଆ ହୋଇ ଅଛନ୍ତି ଓ ପ୍ରାୟ ଛଟପଟ ହେବାରେ ଲାଗିଛନ୍ତି । ସେମାନଙ୍କୁ ଖୋଜି ବାହାର କରିବାକୁ ହେବ, ସେମାନଙ୍କୁ ପରସ୍ପରର ସମ୍ପର୍କରେ ଆଣିବାକୁ ପଡ଼ିବ, ଶିକ୍ଷାରେ ଯାବତୀୟ ନବନିର୍ମାଣର ପରିକଳ୍ପନାକୁ ସେମାନଙ୍କ ଦୁଆରଯାଏ ପ୍ରସାରିତ କରିନେବାକୁ ପଡ଼ିବ । ଏହି ପରିକଳ୍ପନାରେ ଶିକ୍ଷାର ବ୍ୟବସ୍ଥାପକମାନେ ମଧ୍ୟ ସହଯୋଗୀ ହୋଇ ବାହାରିବେ । ଏଥିରେ ସମାଜ ସହଯୋଗ କରିବ, ରାଷ୍ଟ୍ର ମଧ୍ୟ ସହଯୋଗ କରିବ ।

ଶିକ୍ଷକଙ୍କ ପଛକୁ ପିତାମାତା । ଏ ଦେଶର ପିତାମାତାଙ୍କୁ ଜାଣିବାକୁ ପଡ଼ିବ ଯେ ସେମାନଙ୍କର ପିଲାମାନେ ଏକ ସମ୍ପୂର୍ଣ୍ଣ ଭିନ୍ନ ଭବିଷ୍ୟତର ଅଧିକାରୀ ହେବାକୁ ଯାଉଛନ୍ତି । ତେଣୁ ସେହି ପିଲାମାନଙ୍କ ଲାଗି ବର୍ତ୍ତମାନ ଯେଉଁ ଶିକ୍ଷାର ବ୍ୟବସ୍ଥା ହେବ, ତାହା କେବଳ ସେହି ନୂତନ ଭବିଷ୍ୟତଟି ଉଦ୍ଦେଶ୍ୟରେ ଏକ ନୂତନ ମାର୍ଗରେ ଅଗ୍ରସର ହୋଇ ପାରିବାକୁ ହିଁ ସେମାନଙ୍କୁ ଉପଯୁକ୍ତ ଭାବରେ ଶିକ୍ଷିତ କରିପାରିବା ଉଚିତ ।

ଅଧ୍ୟୟନକାରୀ ଛାତ୍ରମାନଙ୍କର ମଧ୍ୟ ଏହି କ୍ଷେତ୍ରରେ ଅନେକ କିଛି ଭାବିବାକୁ ରହିଛି ଓ ଅନେକ ନୂତନ ନିଷ୍ପତ୍ତି ଗ୍ରହଣ କରିବାକୁ ରହିଛି । ପୁରୁଣା ବାଡ଼ଗୁଡ଼ାକ ସେମାନଙ୍କୁ ବାଟ ଛାଡ଼ି ଦେଉନଥିଲେ ମଧ୍ୟ ତଥାପି ସେମାନଙ୍କୁ ଆପଣା ଉପରେ ନିର୍ଭର କରିହିଁ ଯଥୋପଯୁକ୍ତ ଭାବରେ ଭବିଷ୍ୟତ ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ, ଆପଣା ହାତରେ ସେହି ଭବିଷ୍ୟତଟିକୁ ଗଢ଼ିବା ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ, ଅର୍ଥାତ୍‌ ଯଥାର୍ଥ ଅଧ୍ୟୟନ ଦ୍ୱାରା ସେହି କାର୍ଯ୍ୟଟି ପାଇଁ ଯୋଗ୍ୟ ହେବାକୁ ପଡ଼ିବ ।

ଓଡ଼ିଶା ସରକାର ଭଳି କେତେକ ରାଜ୍ୟର ସରକାର ଏଥିପାଇଁ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଆମ ଦେଶରେ ଏପର୍ଯ୍ୟନ୍ତ ଶିକ୍ଷାର କାର୍ଯ୍ୟକ୍ରମଟିକୁ ଏକ ଜାତୀୟ କାର୍ଯ୍ୟକ୍ରମ ବା ଜାତୀୟ ଉଦ୍ୟମ ରୂପେ ଗ୍ରହଣ କରାଯାଇନାହିଁ । ବର୍ତ୍ତମାନ ତାକୁ ଏକ ନୂତନ ଆଭିମୁଖ୍ୟ ଦେବାର ବେଳ ଆସିଛି ।

ତା ୦୪.୦୩.୧୯୭୫ ରିଖ

Image

 

ସଂସ୍କୃତକୁ ବଞ୍ଚାଅ

 

ବର୍ତ୍ତମାନ ସଂସ୍କୃତକୁ ବଞ୍ଚାଅ ବୋଲି ସଭାମାନଙ୍କରେ ହୁରି ପଡ଼ିଛି । ସେଥିଲାଗି ଶୋଭାଯାତ୍ରା ହେଉଛି, ହାକିମମାନଙ୍କର ଘରକୁ ଯାଇ ଅଳି କରାହେଉଛି । ଓଡ଼ିଶାଯାକର ସଂସ୍କୃତ ଅଧ୍ୟାପକ, ସଂସ୍କୃତ ଶିକ୍ଷକ ଓ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ପଢ଼ୁଥିବା ଛାତ୍ରମାନେ ହଠାତ୍‌ ଘର ଭିତରେ ଆସି ପାଣି ପଶି ଯାଇଥିବା ପରି ବ୍ୟତିବ୍ୟସ୍ତ ହୋଇ ଉଠିଛନ୍ତି ।

 

ଓଡ଼ିଶାରେ ମାଧ୍ୟମିକ ଶିକ୍ଷାର ପ୍ରବନ୍ଧକ ଓ ତତ୍ତ୍ୱାବଧାରକ ରୂପେ କାମ କରୁଥିବା ମାଧ୍ୟମିକ ଶିକ୍ଷାବୋର୍ଡ଼ ହାଇସ୍କୁଲର ପାଠ୍ୟବିଷୟ ଏବଂ ପାଠ୍ୟକ୍ରମ ମଧ୍ୟରେ ଆବଶ୍ୟକ ପରିବର୍ତ୍ତନ ଉଦ୍ଦେଶ୍ୟରେ ପରାମର୍ଶମାନ ଦେବା ଲାଗି ବିଶେଷଜ୍ଞମାନଙ୍କର ଏକ କମିଟି ବସାଇଥିଲେ । ସେମାନେ ଅନ୍ୟାନ୍ୟ ନାନା ପରାମର୍ଶ ମଧ୍ୟରେ କୁଆଡ଼େ ଏକଥା ମଧ୍ୟ କହିଛନ୍ତି ଯେ, ମାଟ୍ରିକ୍ ପରୀକ୍ଷାରେ ପିଲାମାନଙ୍କ ଲାଗି ସଂସ୍କୃତ ଏକ ବାଧ୍ୟତାମୂଳକ ବିଷୟ ନ ହୋଇ ଗୋଟିଏ ଐଚ୍ଛିକ ବିଷୟ ହୋଇ ରହୁ । ଅର୍ଥାତ୍ ହାଇସ୍କୁଲର ପିଲାଏ ଏଣିକି ସମସ୍ତେ ବାଧ୍ୟହୋଇ ସଂସ୍କୃତ ନ ପଢ଼ନ୍ତୁ-। ଯିଏ ସଂସ୍କୃତ ପଢ଼ିବାକୁ ଚାହୁଛି, ଅର୍ଥାତ୍ ସଂସ୍କୃତ ପଢ଼ିବା ଲାଗି ଯାହାର ଆଗ୍ରହ ଅଛି, ସେ ହିଁ ସଂସ୍କୃତ ପଢ଼ୁ । ଅନ୍ୟମାନେ ନିଜ ନିଜର ଆଗ୍ରହ ଅନୁସାରେ ଅନ୍ୟ ଭାଷାମାନ ପଢ଼ନ୍ତୁ । ଉଚ୍ଚତର ଓଡ଼ିଆ ପଢ଼ନ୍ତୁ, ଉଚ୍ଚତର ଇଂରାଜୀ ପଢ଼ନ୍ତୁ କିମ୍ବା ଉଚ୍ଚତର ହିନ୍ଦୀ ପଢ଼ନ୍ତୁ ।

 

ଏହି ପରାମର୍ଶଟି କେବଳ ଏକ ପରାମର୍ଶ ସ୍ତରରେ ହିଁ ରହିଛି । ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ଏଇଟିକୁ ଗ୍ରହଣ କରିନିଆଗଲେ ତଦ୍ଦ୍ୱାରା ଯେ ଓଡ଼ିଶାରେ ସଂସ୍କୃତ ଭାଷା ବଞ୍ଚିରହିବାର ବା ନ ରହିବାର ଏକ ଚୂଡ଼ାନ୍ତ ମୀମାଂସା ହୋଇଯିବ, ସେପରି ଭାବିବା ଲାଗି ମଧ୍ୟ ଆଦୌ କୌଣସି କାରଣ ନାହିଁ । ଅବଶ୍ୟ ଏକଥାଟି ନିଶ୍ଚୟ ସତ୍ୟ ଯେ ରାଜ୍ୟରେ ଯେଉଁମାନେ ସଂସ୍କୃତ ଭାଷାକୁ ଜୀବିକାର୍ଜନର ମାଧ୍ୟମ କରିଗ୍ରହଣ କରିଛନ୍ତି ବା ଆଉ ଯେଉଁମାନେ ତାହାକୁ ଜୀବିକାର ମାଧ୍ୟମ ବୋଲି ଗ୍ରହଣ କରିବାକୁ ଯାଉଛନ୍ତି ଏବଂ ତେଣୁ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ପଢ଼ୁଛନ୍ତି, ସେମାନେ ବ୍ୟକ୍ତିଗତ ଭାବରେ ଏହାଦ୍ୱାରା ବଡ଼ କ୍ଷତିଗ୍ରସ୍ତ ହେବେ । କାରଣ, ଏଣିକି ହାଇସ୍କୁଲମାନଙ୍କରେ ସଂସ୍କୃତ ପଢ଼ିବାର ପିଲାଙ୍କ ସଂଖ୍ୟା ଅନେକ ପରିମାଣରେ କମିଯିବ, ତେଣୁ ସଂସ୍କୃତ ପଢ଼ାଇବାର ଶିକ୍ଷକମାନଙ୍କର ଆବଶ୍ୟକ ସଂଖ୍ୟାଟି ମଧ୍ୟ ଅନେକ ପରିମାଣରେ କମିଯିବ । ସଂସ୍କୃତ ଭାଷାର ଅଧ୍ୟାପନାକ୍ଷେତ୍ରରେ ନିଯୁକ୍ତିର ସଂଖ୍ୟା କମିଯିବ ଏବଂ ଯେଉଁପରି ଏକ କାଳରୀତି ଅନୁସାରେ ଭବିଷ୍ୟତ କର୍ମନିଯୁକ୍ତିକୁ ହିଁ ଏବେ ଅଧ୍ୟୟନର ପ୍ରାୟ ଏକମାତ୍ର ଔଚିତ୍ୟ ଓ ପ୍ରେରକରୂପେ ଗ୍ରହଣ କରିନିଆଯାଉଛି, ସେହି କ୍ଷେତ୍ରରେ ଏପରି ଏକ ସ୍ଥିତିରେ ଆମ ଦେଶର କେତେଜଣ ନିଶ୍ଚୟ ପ୍ରମାଦ ଗଣିବାକୁ ବାଧ୍ୟ ହେବେ ।

 

ମାଧ୍ୟମିକ ଶିକ୍ଷାର ଗୁହାଳକୁ ଯଦି କେହି ପରିଷ୍କାର କରିବାକୁ ବାହାରେ, ତେବେ ତା’ ଆଗରେ ସୁଦୂରପ୍ରସାରୀ କେତେ କେତେ ସମସ୍ୟା ଗୋଟାଏ ଗୋଟାଏ ବିକଟ ଆହ୍ୱାନରୂପେ ଆସି ଦଣ୍ଡାୟମାନ ହେବ । ମାତ୍ର ଯଦି କେତେକ ସ୍ୱକ୍ଷେତ୍ର ବିଶେଷଜ୍ଞଙ୍କୁ ନେଇ ଗୋଟାଏ କମିଟି ଗଢ଼ି ଦିଆଯାଏ, ଯଦି ଶିକ୍ଷାର ଜଙ୍ଗଲରେ ପ୍ରକୃତ ନିଦାନଗୁଡ଼ିକୁ ଖୋଜି ଆବଶ୍ୟକ ନିରାକରଣଗୁଡ଼ିକୁ ସୂଚାଇ ଦେବାକୁ ସେହି କମିଟିର ସଭ୍ୟମାନଙ୍କର ଆଦୌ କୌଣସି ଗରଜ ନ ଥାଏ ଏବଂ ସାମର୍ଥ୍ୟ ମଧ୍ୟ ନ ଥାଏ, ତେବେ ସେମାନେ ସାପ ନ ମଲେ ମଧ୍ୟ, ତଥାପି ବାଡ଼ି କେବେହେଲେ ନ ଭାଙ୍ଗିବା ସକାଶେ ଫଟା କାନ୍ଥରେ ଏପରି ଗୋଟାଏ ଗୋଟାଏ ପ୍ୟାଚ୍‌ ପକାଇଦେବେ ଯେ ତଦ୍ଦ୍ୱାରା ସେମାନଙ୍କର କାର୍ଯ୍ୟଟି ସମ୍ପୂର୍ଣ୍ଣ ନିରାପଦ ଭାବରେ ସମ୍ପନ୍ନ ହୋଇଯାଇ ପାରିବ ଏବଂ ତଦ୍ଦ୍ୱାରା ଉପରେ ଗୋଟାଏ କିଛି ପ୍ରକୃତରେ ବଦଳୁଛି ବୋଲି ଭାରି ଚମତ୍କାର ଭାବରେ ପ୍ରତୀତ ହେବାକୁ ଲାଗିବ । ଅର୍ଥାତ୍‌ କେତେବେଳେ ପୁରୁଣା ଇତିହାସ ଓ ଭୂଗୋଳକୁ ଏକାଠିକରି ସାମାଜିକ ଶିକ୍ଷା କରିଦିଆଯିବ ଓ ପୁଣି କେତେବେଳେ ଅଚଳନ୍ତି ସାମାଜିକ ଶିକ୍ଷାକୁ ଭାଙ୍ଗି ଇତିହାସ ଓ ଭୂଗୋଳ ରୂପରେ ପୁଣି ଚଳନ୍ତି କରିଦିଆଯିବ । କେତେବେଳେ କଲେଜର ଚାରିଟା ବର୍ଷକୁ ୧+୩ କରିଭାଙ୍ଗି ଦିଆଯିବ ତ ପୁଣି କେତେବେଳେ ୨+୨ କରିସଜାଇ ଦିଆଯିବ ଏବଂ ସେଥିଲାଗି ଏପରି ଏକ କୋଳାହଳ ସୃଷ୍ଟି କରାଯିବ ଯେ ବାହାରକୁ ସତେଅବା ଗୋଟିଏ କିଛି ବଡ଼ କ’ଣ ଘଟୁଥିବା ପରି ପ୍ରତୀତ ହେବାରେ ଲାଗିଥିବ ।

 

ସଂସ୍କୃତ ମରିବ ନାହିଁ । ହାଇସ୍କୁଲମାନଙ୍କରେ ଆଜିଯାଏ ସଂସ୍କୃତ ଗୋଟିଏ ବାଧ୍ୟତାମୂଳକ ବିଷୟ ରୂପେ ପଢ଼ା ହେଉଥିଲା ବୋଲି ହିଁ ଯେ ସଂସ୍କୃତ ବଞ୍ଚିକରିରହିଥିଲା ବୋଲି ଯେପରି କୁହାଯାଇ ପାରିବ ନାହିଁ, ସେହିପରି ସଂସ୍କୃତକୁ ଏକ ଇଚ୍ଛାଧୀନ ବିଷୟ କରିରଖାଗଲେ ସଂସ୍କୃତ ଲୁପ୍ତ ହୋଇଯିବ ବୋଲି ମଧ୍ୟ କଦାପି କୁହାଯାଇ ପାରିବ ନାହିଁ । ଭାରତୀୟ ଜନଗଣ ବଞ୍ଚି ରହିଥିବା ପର୍ଯ୍ୟନ୍ତ ଭାରତୀୟ ଭାଷାଗୁଡ଼ିକ ଅବଶ୍ୟ ବଞ୍ଚିରହିବ ଏବଂ ଭାରତୀୟ ଭାଷାଗୁଡ଼ିକ ବଞ୍ଚିରହିବା ପର୍ଯ୍ୟନ୍ତ ସେଗୁଡ଼ିକର ଜନନୀସ୍ୱରୂପ ସଂସ୍କୃତ ମଧ୍ୟ ନିଶ୍ଚୟ ବଞ୍ଚିରହିବ । ହିବ୍ର୍ୟୁ ଭାଷା ପ୍ରାୟ ଦୁଇହଜାର ବର୍ଷ ପର୍ଯ୍ୟନ୍ତ ନାରଖାର ଓ ମୃତପ୍ରାୟ ହୋଇ ରହିଥିଲା । ମାତ୍ର ଇହୁଦୀ ଜାତି ବଞ୍ଚି ରହିଥିବାରୁ ସେମାନଙ୍କୁ ଗୋଟିଏ ଦେଶରେ ଆସି ଜାତୀୟ ଭାଗ୍ୟ ଗଢ଼ିବାର ଅବସର ଆସି ପହଞ୍ଚିବା ମାତ୍ରକେ ହିବ୍ର୍ୟୁ ଭାଷା ପୁଣି ପ୍ରାଣ ପାଇ ଉଠିଲା । ଆମେ ସଂସ୍କୃତକୁ ଆମ ବାଙ୍‌ମୟ ଜୀବନର ଜନନୀରୂପେ ଭଲପାଉ ଓ ସେଇଥିଲାଗି ତାହାକୁ ବଞ୍ଚାଇ ରଖିବାକୁ ଚାହୁ ନା ସଂସ୍କୃତ ଆମକୁ ଏକ ଜୀବିକା ଯୋଗାଇ ଦେଉଥିବାରୁ ଆମେ ସଂସ୍କୃତ ବଞ୍ଚିରହୁ ବୋଲି ଇଚ୍ଛା କରୁ, ଅତ୍ୟନ୍ତ ଅପ୍ରମତ୍ତ ଚିତ୍ତରେ ଆଜି ଆମକୁ ଏହି ପ୍ରଶ୍ନଟିର ଜବାବ ଦେବାକୁ ପଡ଼ିବ । ତାହା ହିଁ ସମସ୍ୟା । ଆମ ଶ୍ରଦ୍ଧା ଓ ଆମ ଅନୁରକ୍ତିର ସମସ୍ୟା । ଆମେ କମ୍‌ କୋଳାହଳ କରିବା ଓ ସେଇଟି ବିଷୟରେ ସଚେତନ ହେବା । ତେବେ ଯାଇ ଆମେ ଏହି ଦେଶରେ ବଞ୍ଚିଲା ପରି ବଞ୍ଚି କରିରହିପାରିବା ।

 

ତା ୦୯-୦୩-୧୯୭୫ ରିଖ

Image

 

ସାବାଳକ ରାଜନୀତି

 

‘ଥାଇ’ ବା ଶ୍ୟାମଦେଶର ନୂଆ ସରକାର ଅର୍ଥାତ୍ ନିର୍ବାଚିତ ନୂଆ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏଣିକି ସେ ଦେଶରେ କୌଣସି ବିଦେଶୀ ରାଷ୍ଟ୍ରର ସାମରିକ ଘାଟୀମାନ ରହିପାରିବ ନାହିଁ । ଥାଇଲ୍ୟାଣ୍ଡ୍‍ରେ ଏପର୍ଯ୍ୟନ୍ତ ଯୁକ୍ତରାଜ୍ୟ ଆମେରିକାର ହିଁ ସାମରିକ ଘାଟୀମାନ ରହିଥିଲା । ଆମେରିକା ସରକାର ‘ଥାଇ’ ଦେଶକୁ ଆପଣାର ଏକ ମିତ୍ରଦେଶ ବୋଲି କହୁଥିଲେ; ସେ ଦେଶକୁ ଆପଣା ସାମରିକ ଶକ୍ତିର ଏକ ଅବତରଣ ଭୂମିରୂପେ ବ୍ୟବହାର କରୁଥିଲେ । ଭିଏତ୍‌ନାମ୍‌ ଓ କାମ୍ୱୋଡ଼ିଆରେ ଆମେରିକା ତରଫରୁ ଯେଉଁ ଯୁଦ୍ଧସରଞ୍ଜାମଗୁଡ଼ିକର ଯୋଗାଣ ହେଉଥିଲା, ପ୍ରାୟ ଥାଇଲ୍ୟାଣ୍ଡ୍‍କୁ ହିଁ ତାହାର ଗଚ୍ଛିତ ଭଣ୍ଡାର ରୂପେ ବ୍ୟବହାର କରାଯାଉଥିଲା । ଥାଇଲ୍ୟାଣ୍ଡ୍‌ର ସରକାର ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ବୋଲକରା ହୋଇ କାର୍ଯ୍ୟ କରୁଥିଲେ ।

 

ବୋଲକରା ହୋଇ କାର୍ଯ୍ୟ କରିବାର ରାଜନୀତି ହେଉଛି ନାବାଳକର ରାଜନୀତି । ଦୁର୍ଭାଗ୍ୟବଶତଃ ଆମ ପୃଥିବୀରେ ବର୍ତ୍ତମାନ କେତୋଟି ରାଷ୍ଟ୍ର ରହିଛନ୍ତି, ଯେଉଁମାନେ କି ପୃଥିବୀର ଅନ୍ୟାନ୍ୟ ଦେଶଗୁଡ଼ିକୁ ଏହିପରି ନାବାଳକ ପରି ମନେ କରୁଛନ୍ତି । ଅର୍ଥାତ୍‌ ସେମାନେ ସାରା ପୃଥିବୀର ସତେଅବା ଗାର୍ଡ଼ିଆନ୍‌ ହୋଇ ରହିବାକୁ ଇଚ୍ଛା କରୁଛନ୍ତି; ଆତ୍ମନିଯୁକ୍ତ ତତ୍ତ୍ୱାବଧାରକ ହୋଇ ରହିବାକୁ ଇଚ୍ଛା କରୁଛନ୍ତି । ସେମାନଙ୍କ ପାଖରେ ମଣିଷର ଭବିଷ୍ୟତକୁ ନେଇ କୌଣସି ଉନ୍ନତତର ଆଦର୍ଶ ବା ବୃହତ୍ତର ପୁରୋଦୃଷ୍ଟି ରହିଛି ବୋଲି ଯେ ସେମାନେ ଆଧୁନିକ ପୃଥିବୀରେ ଆପଣାକୁ ଅଭିଭାବକରୂପେ ଦେଖିବାକୁ ଆରମ୍ଭ କରିଛନ୍ତି, ତାହା ଆଦୌ ନୁହେଁ । ସେମାନଙ୍କ ପାଖରେ ଅଧିକ ଧନବଳ ରହିଛି, ଅଧିକ ଅସ୍ତ୍ରବଳ ରହିଛି । ତେଣୁ ଆପଣାର ଏକପ୍ରକାର ଉଗ୍ରତା ଦ୍ୱାରା ପ୍ରେରିତ ହୋଇ ସେମାନେ ଆପଣାକୁ ହିଁ ବିଶ୍ୱରାଜନୀତିର ଗୋଟିଏ ଗୋଟିଏ ଧୁରନ୍ଧର ନିୟାମକରୂପେ ବିଚାରୁଛନ୍ତି । ଯେଉଁ ଅଭିଭାବକ ସଂସାରଟାଯାକକୁ ନାବାଳକ ବୋଲି ଦେଖୁଥାଏ ଓ ତାକୁ ସବୁଦିନ ଲାଗି ନାବାଳକ ଅର୍ଥାତ୍‌ ନିର୍ଭରଶୀଳ କରିରଖିବାକୁ ଚାହେ, ସେହି ଅଭିଭାବକର ବୁଦ୍ଧିରେ ନିଶ୍ଚୟ କିଛି ନାବାଳକତା ବା ଅପରିପକ୍ୱତା ରହିଛି ବୋଲି କୁହାଯାଇ ପାରିବ ।

 

ଗଣତନ୍ତ୍ରର ଯୁଗ ହେଉଛି ସାବାଳକତାର ଯୁଗ । ଗଣତନ୍ତ୍ରର ରାଜନୀତି ହେଉଛି ସାବାଳକତାର ରାଜନୀତି । ଏଥିରେ ପ୍ରତ୍ୟେକ ମଣିଷକୁ ଜଣେ ପରିପକ୍ୱ, ସ୍ୱମତସମର୍ଥ ଓ ବିବେକଯୁକ୍ତ ବ୍ୟକ୍ତି ବୋଲି ସ୍ୱୀକାର କରିନିଆଯାଏ ଏବଂ ସେହି ମତଟିକୁ ପୂର୍ଣ୍ଣ ସ୍ୱୀକୃତି ଦିଆଯାଇ ଦେଶର ଶାସନ ଚାଲେ । ପ୍ରତ୍ୟେକ ଦେଶର ସ୍ତରରେ ଯାହା ହେଉଛି, ବିଶ୍ୱର କ୍ଷେତ୍ରରେ ଅର୍ଥାତ୍‌ ଦେଶ ଓ ଦେଶ ମଧ୍ୟରେ ରହିଥିବା ସମ୍ବନ୍ଧର କ୍ଷେତ୍ରରେ ମଧ୍ୟ ଠିକ୍‌ ତାହାହିଁ ହେବା ଉଚିତ । ତେବେ ଯାଇ ଏକ ଗଣତାନ୍ତ୍ରିକ ଆଧାର ଉପରେ ପୃଥିବୀଯାକର ମଣିଷ ଏକ ଯଥୋଚିତ ଭବିଷ୍ୟତର ନିର୍ମାଣରେ ସହାୟକ ହୋଇ କାର୍ଯ୍ୟ କରିପାରିବେ ।

 

ଗତ ଦ୍ୱିତୀୟ ମହାଯୁଦ୍ଧ ପରେ କେବଳ ଗୋଟିଏ ପକ୍ଷ ହାରିଲେ ନାହିଁ ବା ଗୋଟିଏ ପକ୍ଷର ଜିତାପଟ ହେଲାନାହିଁ, ତା’ପରେ ସାରା ପୃଥିବୀର ରାଜନୀତିକ ମାନଚିତ୍ର ହିଁ ବଦଳିଗଲା । ପୁରୁଣା ସାମ୍ରାଜ୍ୟଗୁଡ଼ାକ ଭୁଷୁଡ଼ି ପଡ଼ିଲା, କେତେ କେତେ ଶତାବ୍ଦୀର ସୁପ୍ତି ପରେ କେତେ ନୂତନ ଜାତିର ରାଜନୀତିକ ଅଭ୍ୟୁଦୟ ଘଟିଲା । ଏସିଆର ଦେଶଗୁଡ଼ିକ ସ୍ୱାଧୀନ ହେଲେ, ଆଫ୍ରିକାର ଅନ୍ଧାର ଯାଇ ସେଠାରେ ମଧ୍ୟ କେତେ କେତେ ସ୍ୱାଧୀନ ଗଣଭାଗ୍ୟର ଉଦୟ ହେଲା, ଏହି ନବୋଦୟର ପର୍ବ ଭିତରୁ ପ୍ରଶାନ୍ତ ମହାସାଗରର ଅନାମଧେୟ ସାନ ଦ୍ୱୀପଗୁଡ଼ିକ ମଧ୍ୟ ବାଦ୍‌ ପଡ଼ିଲେ ନାହିଁ । ମଣିଷ ସବୁଠାରେ ସାବାଳକ ହେବ ବୋଲି ନୂତନ ଜିଦ୍‌ ନେଇ ବାହାରିଲା । ତେଣୁ ସେହି ନୂତନ ଅବସ୍ଥାଟିର ଅନୁକୂଳ ହୋଇ ପାରିବାକୁ ପୃଥିବୀଟାକୁ ମଧ୍ୟ ନୂତନ ଭାବରେ ସଜାଡ଼ି ହେବାର ଆବଶ୍ୟକତା ଆସି ପହଞ୍ଚିଲା ।

 

ତଥାପି ଭୟ ଭାଙ୍ଗି ନଥିଲା । ପୁରୁଣା ପୃଥିବୀଟାରୁ ବରାବର ଲାଭ ଉଠାଇ ଆସିଥିବା କେତେକ ବଡ଼ ସାମରିକ ଶକ୍ତି ନୂତନ ପରିବର୍ତ୍ତନଟି ଅନୁସାରେ ପ୍ରସ୍ତୁତ ହୋଇ ପାରିଲେ ନାହିଁ । ପୁରୁଣା ପୃଥିବୀରେ ସେମାନେ ସମ୍ରାଟ ହୋଇ ରହିଥିଲେ, ନୂଆ ପୃଥିବୀରେ ଅନ୍ତତଃ ଅଭିଭାବକ ହୋଇ ରହିବାକୁ ଚାହିଲେ । ନୂଆ ହୋଇ ଜନ୍ମଲାଭ କରିଥିବା ଦେଶଗୁଡ଼ିକୁ ସେମାନେ ସତେଅବା ନାବାଳକ ପରି ହିଁ ଦେଖିଲେ ଏବଂ ସମ୍ଭବ ହେଲେ ଯାବତ୍‌ଚନ୍ଦ୍ରାର୍କେ ସ୍ୱୟଂ ସେମାନଙ୍କର ଅଭିଭାବକ ହୋଇ ରହିବାକୁ ଚାହିଲେ । ପ୍ରତ୍ୟେକ ଦେଶରେ ସେହି ଦେଶର ସାବାଳକମାନେ ଯେ ସେଠାରେ ରାଷ୍ଟ୍ରୀୟ ଭାଗ୍ୟର ନିଷ୍ପତ୍ତି କରିବେ, ସେମାନେ ଏକଥାରେ ବିଶ୍ୱାସ କଲେ ନାହିଁ ଓ ସେଥିରେ ଆପଣାର ସ୍ୱାର୍ଥଗୁଡ଼ିକ ଲାଗି କେବଳ ପ୍ରମାଦ ହିଁ ଦେଖିବାକୁ ଲାଗିଲେ । କାଳେ ସେମାନଙ୍କର ସ୍ୱାର୍ଥର ମଞ୍ଚାଗୁଡ଼ାକ ଭୁଷ୍‌କରିଭାଙ୍ଗିପଡ଼ିବ, ସେଥିଲାଗି ସେମାନେ ଶାନ୍ତିରକ୍ଷକ ଭାବରେ ପୃଥିବୀର ନାନା ଦେଶରେ ସାମରିକ ଘାଟୀମାନ ରଖିଲେ । ବିଭିନ୍ନ ଦେଶରେ ରାଜନୀତିରେ ଅମାନିଆ ହସ୍ତକ୍ଷେପମାନ କରିସେଠାରେ ଆପଣାର ମନୋମତ ଦଳକୁ ବା ଲୋକମାନଙ୍କୁ ଆଣି ଥାପି ରଖିଲେ, ଯେଉଁମାନେ କି ସେମାନଙ୍କର ଘାଟୀଗୁଡ଼ାକ ଲାଗି ନୀରବରେ ବାଟ ଛାଡ଼ିଦେବେ ।

 

ଦ୍ୱିତୀୟ ମହାଯୁଦ୍ଧ ପରେ ବିଶ୍ୱରାଜନୀତି କହିଲେ ପ୍ରଧାନତଃ ଏହିପରି କେତେଜଣ ଅଭିଭାବକଙ୍କ ଅକୀର୍ତ୍ତିଗୁଡ଼ାକୁ ହିଁ ବୁଝାଇବ । ଏମାନଙ୍କର ଦିନ ସରି ଆସିଲାଣି । ଲୋକେ କ୍ରମେ ସାବାଳକ ପରି ଚିନ୍ତା କରିବାକୁ ଆରମ୍ଭ କଲେଣି । ଗୋଟାଏ ଦେଶକୁ ଆଉ ଗୋଟାଏ ଦେଶ ନାବାଳକ ପରି ଦେଖୁଥିବ, ତୁମ ଘରେ ଜବରଦସ୍ତି ପଶି ମୁଁ ଶାନ୍ତିରକ୍ଷା କରୁଥିବି, ତୁମ ଜୀବନନାଡ଼ୀଗୁଡ଼ାକୁ ମୁଁ ନାନା କୁକୌଶଳରେ କାମୁଡ଼ି ଧରିଥବି, ଆଉ ଏସବୁକୁ କେହି ବରଦାସ୍ତ କରିବେ ନାହିଁ । ଆଧୁନିକ ପୃଥିବୀ ଆଉ କେତେଟା ପ୍ରତାପୀ ଦେଶଙ୍କର ପ୍ରଭାବମଣ୍ଡଳରେ ଛଅଖଣ୍ଡ ହୋଇ ରହିବ ନାହିଁ । ଆଧୁନିକ ରାଜନୀତି ସାବାଳକର ରାଜନୀତି ହେବ । ଦେଶ ସ୍ତରରେ ହେବ, ସମଗ୍ର ପୃଥିବୀର ସ୍ତରରେ, ଅର୍ଥାତ୍ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ହେବ ।

 

ତା ୧୦-୦୩-୧୯୭୫ ରିଖ

Image

 

ମଧ୍ୟପ୍ରାଚ୍ୟର ଦ୍ୱିତୀୟ ସମସ୍ୟା

 

ଆଗେ ଯେଉଁଠି ବେବିଲୋନ୍‌ର ପ୍ରାଚୀନ ସଭ୍ୟତାଟି ଗଢ଼ି ଉଠିଥିଲା, ବର୍ତ୍ତମାନ ଆଧୁନିକ ଭୂଗୋଳରେ ତାହାକୁ ଇରାକ୍‌ ବୋଲି କୁହାଯାଉଛି । ଦୁଇ ନଦୀ ମଧ୍ୟରେ ବିକଶିତ ହୋଇ ଆସିଥିବା ଏହି ଦେଶରେ ଗତ ପ୍ରାୟ ଗୋଟିଏ ପୁରୁଷ ହେଲା ଏପରି ଗୋଟିଏ ସମସ୍ୟା କ୍ରମଶଃ କୁହୁଳି କୁହୁଳି ଆସିଲାଣି, ଯାହାକୁ କି ଆମେ ମଧ୍ୟପ୍ରାଚ୍ୟର ଦ୍ୱିତୀୟ ସମସ୍ୟା ବୋଲି କହିପାରିବା । ଏହି ସମସ୍ୟାଟିକୁ ଗଣ୍ଠି କରିଇରାକ୍‌ ଓ ଇରାନ୍‌ ଭିତରେ ଏକ ଯୁଦ୍ଧ ବି ଲାଗିଯାଇପାରେ ବୋଲି ମଧ୍ୟପ୍ରାଚ୍ୟ ରାଜନୀତିର ଅଧ୍ୟୟନକାରୀମାନେ ମତ ଦେଉଛନ୍ତି ଏବଂ ସେହି ଯୁଦ୍ଧର ମାଧ୍ୟମରେ ପୃଥିବୀରେ ଦୁଇ ସାମରୀକ ବଡ଼ ଶକ୍ତି–ରୁଷିଆ ଓ ଆମେରିକା ଯେ ଜଡ଼ିତ ହୋଇ ପଡ଼ିବେ, ସେପରି ଏକ ଆଶଙ୍କା କରିବା ଲାଗି ମଧ୍ୟ ଅନେକ କାରଣ ରହିଛି । ସେହି ସମସ୍ୟାଟି ହେଉଛି କୁର୍ଦିସ୍ତାନର ସମସ୍ୟା, ଇରାକର ଉତ୍ତର ଭାଗରେ ବାସ କରୁଥିବା କୁର୍ଦମାନଙ୍କ ସମସ୍ୟା ।

 

ଇରାକ୍‌ର ଉତ୍ତରାଞ୍ଚଳରେ ଥିବା ପାର୍ବତ୍ୟଭୂମିରେ ଯେଉଁଠି ଇରାନ୍‌, ଇରାକ୍‌, ସିରିଆ, ତୁର୍କୀ ଏବଂ ଋଷିଆର ସରହଦଗୁଡ଼ିକ ଏକାଠି ଲାଗି ଆସିଛି, ସେହି ଅଞ୍ଚଳର ଅଧିବାସୀମାନଙ୍କୁ କୁର୍ଦ ବୋଲି କୁହାଯାଏ । କୁର୍ଦମାନେ ହେଉଛନ୍ତି ଏକ ଅତି ପ୍ରାଚୀନ ଜାତି; ସେମାନଙ୍କର ଭାଷା ହେଉଛି ଏକ ଇଣ୍ଡୋୟୁରୋପୀୟ ଭାଷା । ସେହି ଅଞ୍ଚଳରେ ବ୍ୟବହୃତ ହେଉଥିବା ସେମିଟିକ୍‌ ଅର୍ଥାତ୍‌ ଆରବ ଭାଷା ଏବଂ ତୁର୍କୀ ଭାଷାଠାରୁ ଏହା ଅତ୍ୟନ୍ତ ଅନ୍ୟ ରକମର ଓ ଇରାନର ପର୍ସିଆନ ଭାଷା ସହିତ ବରଂ ଏହାର ଅଧିକ ଅନେକ ସାମଞ୍ଜସ୍ୟ ରହିଛି । ମାତ୍ର ଏଣେ ଅନ୍ୟ ପକ୍ଷରେ ତୁର୍କୀ ଓ ଆରବମାନଙ୍କ ପରି କୁର୍ଦମାନେ ମଧ୍ୟ ଇସଲାମ ଧର୍ମର ସୁନ୍ନୀ ସଂପ୍ରଦାୟର ଅନ୍ତର୍ଗତ ଓ ଇରାନର ଅଧିକାଂଶ ଅଧିବାସୀ ତଥା ଇରାକରେ ବାସ କରୁଥିବା ଆରବମାନେ ସିହା ସଂପ୍ରଦାୟର ଅନ୍ତର୍ଗତ ।

 

କୁର୍ଦମାନେ ଇରାକର ମୋଟ ଜନସଂଖ୍ୟାର ଶତକଡ଼ା ପ୍ରାୟ ୧୭ ଭାଗ । ଆଖପାଖ କୌଣସି ଦେଶରେ ସେମାନେ ଏତେ ଅଧିକ ଅନୁପାତରେ ବାସ କରୁନାହାନ୍ତି । ଗତ ପ୍ରାୟ ଚାଳିଶିବର୍ଷ ହେଲା ସେଠାରେ କୁର୍ଦମାନଙ୍କୁ ଏକତ୍ରିତ କରିଏକ ଜାତୀୟ ଆନ୍ଦୋଳନ ସଂଗଠିତ ହୋଇଆସିଛି । ଦକ୍ଷିଣ ଇରାକ୍‌ର ଅଧିବାସୀ ଏବଂ ଇରାକ୍‌ର ଅଧିବାସୀ ତଥା ଇରାକ୍‌ର କ୍ଷମତାରୂଢ଼ ସ୍ୱାର୍ଥଗୁଡ଼ିକ ପ୍ରଧାନତଃ ଆରବ ଜାତୀୟତା ଆଡ଼କୁ ଅନୁରକ୍ତ ହୋଇ ରହିଥିବାରୁ ସମଗ୍ର ଇରାକକୁ ଗୋଟିଏ ଏକକ ରୂପେ ଗ୍ରହଣ କରିଏକ ଇରାକୀ ଜାତୀୟତା ବିକଶିତ ହେବାରେ ସେଠି ଅନେକ ବାଧା ରହିଛି । ମୁଲ୍ଲା ମସ୍ତାଫା ବାର୍‌ଜାନିଙ୍କ ନେତୃତ୍ୱରେ ସେଠାରେ ଏକ ସ୍ୱତନ୍ତ୍ର କୁର୍ଦିସ୍ତାନ ଗଠନର ଆନ୍ଦୋଳନ କ୍ରମଶଃ ଦାନା ବାନ୍ଧି ଆସିଛି । ପ୍ରାୟ ତିନି ଦଶକର ସାମରିକ ସଂଘର୍ଷ ଓ ବିବାଦ ପରେ ଇରାକ୍‌ର ସରକାର ମଧ୍ୟ କ୍ରମେ ସେହି ଆନ୍ଦୋଳନ ବା ଦାବୀଟିକୁ ପ୍ରାୟ ସ୍ୱୀକାର କରିନେଇ ସାରିଲେଣି । ମାତ୍ର ଅଡ଼ୁଆ ତଥାପି ରହିଯାଉଛି ।

 

ଏକ ସ୍ୱୟଂଶାସିତ କୁର୍ଦିସ୍ତାନ ଲାଗି ବାର୍‌ଜାନିଙ୍କ ନେତୃତ୍ୱରେ କୁର୍ଦିଷ୍ଠ୍‍ ଡିମୋକ୍ରାଟିକ୍‌ ପାର୍ଟି ତରଫରୁ ଯେଉଁ ଅଞ୍ଚଳଟିକୁ ଦାବୀ କରାଯାଉଛି, ତାହାରି ମଧ୍ୟରେ କିର୍‌କୁଜ୍‌ ଅଞ୍ଚଳଟି ମଧ୍ୟ ଅନ୍ତର୍ଭୁକ୍ତ ହୋଇ ରହିଛି । କିରକୁଜ୍‌ ଅଞ୍ଚଳ ହେଉଛି ଏକ ତୈଳସମୃଦ୍ଧ ଅଞ୍ଚଳ । ପେଟ୍ରୋଲିଅମ୍ ହେଉଛି ଇରାକର ମୋଟ ପରିମାଣ ରପ୍ତାନି ଦ୍ରବ୍ୟର ଶତକଡ଼ା ୯୫ ଭାଗ ଏବଂ ସାହି ସମ୍ପଦର ଶତକଡ଼ା ୭୦ ଭାଗ କିର୍‌କୁଜ୍‌ ଅଞ୍ଚଳରୁ ହିଁ ଆମଦାନି ହେଉଛି । ବାଗ୍‌ଦାଦର ଇରାକ ସରକାର ଏହି ଅଞ୍ଚଳଟିକୁ ହାତଛଡ଼ା କରିବାକୁ ରାଜି ନୁହନ୍ତି ଏବଂ କୁର୍ଦପକ୍ଷ ମଧ୍ୟ ସେହି ଅଞ୍ଚଳଟିକୁ ନେବା ଲାଗି ଜିଦ୍‌ ଧରି ବସିଛନ୍ତି । ତେଣୁ କୌଣସି ଏକ ମୀମାଂସା ହେବାଯାଏ ସଂଘର୍ଷ ଲାଗି ରହିଛି ।

 

ପ୍ରାୟ ବର୍ଷେ ହେଲା ଏହି ସାମରିକ ସଂଘର୍ଷ ଚାଲିଲାଣି । ଏହାରି ମଧ୍ୟରେ ଉଭୟ ପକ୍ଷରୁ କେତେ ମୃତାହତ ହେଲେଣି, ତାହାର କୌଣସି ହିସାବ ନାହିଁ; ମାତ୍ର ଏକଥା ସତ ଯେ ଏହି ଗୋଟିଏ ବର୍ଷ ଭିତରେ ୮୦,୦୦୦ରୁ ଅଧିକ କୁର୍ଦ ଇରାକ୍ ଛାଡ଼ି ପଡ଼ୋଶୀ ଦେଶ ଇରାନ୍‌କୁ ପଳାଇ ଯାଇଛନ୍ତି ।

 

ଇରାକ୍‌ ସରକାର ବିଦେଶରୁ ଯେଉଁ ଟ୍ୟାଙ୍କ୍‌ ଓ ମିଗ୍‌ ବିମାନମାନ ପାଇଛନ୍ତି, ସେହିଗୁଡ଼ିକୁ ସେଇ କୁର୍ଦମାନଙ୍କ ବିରୁଦ୍ଧରେ ଲଗାଉଛନ୍ତି ଏବଂ ତେଣେ ଇରାନ୍‌ର ଶାହା କୁର୍ଦମାନଙ୍କୁ ସାହାଯ୍ୟ କରୁଛନ୍ତି । ଅର୍ଥାତ୍‌ ଆମେରିକାରୁ ସାହାଯ୍ୟ ରୂପେ ମିଳୁଥିବା କମାଣ, ବାରୁଦ, ମିସାଇଲ୍‌କୁ ସେ ଇରାକୀ ସରକାର ବିରୁଦ୍ଧରେ ବ୍ୟବହୃତ ହେବାକୁ କୁର୍ଦମାନଙ୍କ ହାତରେ ଆଣି ଯୋଗାଇ ଦେଉଛନ୍ତି । ସାନ ସମସ୍ୟାର ଗଣ୍ଠିଟିକୁ ଆହୁରି ଜଟିଳ ଓ ଆନ୍ତର୍ଜାତିକ ରୂପ ଦେଇ ସେଠାରେ ବଡ଼ ଗଣ୍ଠିଟିଏ ପଡ଼ିବାରେ ଲାଗିଛି । ଗୋଟାଏ ବଡ଼ ଯୁଦ୍ଧ ବ୍ୟତୀତ କ’ଣ ଏହି ସମସ୍ୟାଟିର ଆଉ କୌଣସି ଅନ୍ୟ ସମାଧାନ ନାହିଁ ? ଆମେ ଆଶା କରିବୁ, ପୃଥିବୀର ଏହି ତୈଳଭଣ୍ଡାର ଅଞ୍ଚଳରେ ଯୁଦ୍ଧଟିଏ ଲାଗିଗଲେ ତଦ୍ଦ୍ୱାରା ସମଗ୍ର ପୃଥିବୀ ଯେପରି କ୍ଷତିଗ୍ରସ୍ତ ହେବ, ବିଶ୍ୱ ରାଜନୀତି ସେ ବିଷୟରେ ଅବଶ୍ୟ ସଚେତନ ରହିଥିବ ।

 

ତା ୧୧.୦୩.୧୯୭୫ ରିଖ

Image

 

ରାଷ୍ଟ୍ରସଂଘରେ ହିନ୍ଦୀ ଭାଷା

 

ସଂଯୁକ୍ତ ରାଷ୍ଟ୍ରସଂଘରେ ବର୍ତ୍ତମାନ ୧୩୦ରୁ ଅଧିକ ଦେଶ ସଦସ୍ୟ ଅଛନ୍ତି । ପ୍ରାୟ ତିରିଶିବର୍ଷ ପୂର୍ବେ ମୋଟେ ପଚାଶଟି ଦେଶର ସରକାରଙ୍କର ସ୍ୱାକ୍ଷର ବହନ କରିସଂଯୁକ୍ତ ରାଷ୍ଟ୍ରସଂଘର ପ୍ରତିଷ୍ଠା ହୋଇଥିଲା । ତା’ପରେ ପ୍ରାୟ ପ୍ରତ୍ୟେକ ବର୍ଷ ତାହାର ସଦସ୍ୟସଂଖ୍ୟା ବଢ଼ିଛନ୍ତି । ଏହି ତିରିଶିବର୍ଷ ମଧ୍ୟରେ ଆଗରୁ ବଡ଼ ବଡ଼ ସାମ୍ରାଜ୍ୟର ଅଧୀନସ୍ଥ ଉପନିବେଶ ହୋଇ ରହିଆସିଥିବା ଅନେକ ଦେଶ ସ୍ୱାଧୀନତା ଲାଭ କରିଛନ୍ତି ଏବଂ ରାଷ୍ଟ୍ରସଂଘରେ ସଦସ୍ୟରୂପେ ଗୃହୀତ ହୋଇଛନ୍ତି । ଯାହା ଅନୁମାନ କରାଯାଉଛି ୧୯୮୦ ମସିହାବେଳକୁ ପୃଥିବୀରେ କେଉଁଠି ହେଲେ ଆଉ କୌଣସି ଉପନିବେଶ ନ ଥିବ ଏବଂ ପୃଥିବୀର ସବୁ ଦେଶ ଗୋଟିଏ ଗୋଟିଏ ସ୍ୱାଧୀନ ଦେଶ ହିସାବରେ ସଂଯୁକ୍ତ ରାଷ୍ଟ୍ରସଂଘରେ ସଦସ୍ୟସ୍ଥାନ ଅଧିକାର କରିସାରିଥିବେ ।

 

ପୃଥିବୀରେ ଯେପରି ରହିଛି ବିଭିନ୍ନ ଦେଶ, ସେପରି ଅଛି ବିଭିନ୍ନ ଭାଷା । ୟୁରୋପର କେତେ ଶକ୍ତି ଆଗରୁ ପୃଥିବୀର ଯେତେ ଜାଗାରେ ସାମ୍ରାଜ୍ୟ ସ୍ଥାପନ କରିବାକୁ ଯାଇଥିଲେ, ସେଠାରୁ ସେମାନେ ଏବେ ବିଦାୟ ହୋଇ ଆସିଲେ ସତ, ମାତ୍ର ସେଠାରେ ଆପଣାର ଭାଷାଟିକୁ ଛାଡ଼ିଦେଇ ଆସିଲେ । ଏକ ମିଳିତ ବିଶ୍ୱରେ ଭାବର ଆଦାନ-ପ୍ରଦାନ ଲାଗି ତାହା ବର୍ତ୍ତମାନ ଗୋଟିଏ ବଡ଼ ସହାୟକ ଭାବରେ କାର୍ଯ୍ୟ କରୁଛି । ରାଷ୍ଟ୍ରସଂଘରେ ଥିବା ବର୍ତ୍ତମାନ ସଦସ୍ୟମାନେ ଯେପରି ସେହି ଅନୁଷ୍ଠାନର ଆଲୋଚନାଗୁଡ଼ିକରେ ସକ୍ରିୟ ଅଂଶ ଗ୍ରହଣ କରିପାରିବେ ଅର୍ଥାତ୍‌ ଅନ୍ୟମାନେ ଯାହା କହୁଛନ୍ତି ତାହା ବୁଝିପାରିବେ ଏବଂ ଆପଣାର ବକ୍ତବ୍ୟକୁ ଅନ୍ୟମାନଙ୍କର ବୋଧଗମ୍ୟ କରାଇ ପାରିବେ, ସେଥିଲାଗି ସେଠାରେ ଏକାବେଳେକେ ଛଅଟି ଭାଷା ଚଳୁଛି । ସେ ଛଅଟିଯାକ ଭାଷା ହେଲା ଇଂରାଜୀ, ରସିଆନ୍‌, ସ୍ପେନିଶ୍‌, ଫ୍ରେଞ୍ଚ୍‌, ଚାଇନିଜ୍‌ ଓ ଆରବିକ୍‌ । ଆରବିକ୍‌ ଭାଷା ଆଗରୁ ଅନ୍ତର୍ଭୁକ୍ତ ହୋଇ ନ ଥିଲା, ଏବେ ହେଲା ।

 

ଗୋଟିଏ ନୂଆ ଭାଷାକୁ ରାଷ୍ଟ୍ରସଂଘର ଭାଷା ରୂପେ ଗ୍ରହଣ କରିନେବାକୁ ପ୍ରକୃତରେ ଆଦୌ କମ୍‌ ପୂର୍ବ ଆୟୋଜନ କରିବାକୁ ପଡ଼େ ନାହିଁ ଏବଂ ଆଦୌ କମ୍‌ ପଇସା ଖରଚ କରିବାକୁ ପଡ଼େନାହିଁ । ସେଥିଲାଗି ଆବଶ୍ୟକ ପରିମାଣରେ ଦୋଭାଷିଆ ରଖିବାକୁ ପଡ଼େ, ଯେଉଁମାନେ କି କୌଣସି ଗୋଟିଏ ଭାଷାରେ କେହି ଆପଣାର ବକ୍ତବ୍ୟକୁ କହୁଥିବା ସମୟରେ ସଙ୍ଗେ ସଙ୍ଗେ ସେଗୁଡ଼ିକୁ ଅନ୍ୟାନ୍ୟ ସ୍ୱୀକୃତ ଭାଷାରେ ଅନୁବାଦ କରିଦେଉଥାନ୍ତି ଏବଂ ଯୁକ୍ତରାଷ୍ଟ୍ରସଂଘର ବୈଠକଗୁଡ଼ିକରେ ହେଉଥିବା ବକ୍ତବ୍ୟ ଓ ଭାଷଣଗୁଡ଼ିକୁ ସେହି ଭାଷାରେ ଛପାଇବାକୁ ମଧ୍ୟ ପଡ଼େ-। ଏବେ ଆରବ ଦେଶମାନେ ରାଷ୍ଟ୍ରସଂଘର ଏହି ଅଧିକା ଖରଚକୁ ବହନ କରିବାକୁ ସମ୍ମତ ହୋଇସାରିବା ପରେ ଯାଇ ଆରବ ଭାଷା ସେଠାରେ ଏକ ସ୍ୱୀକୃତ ଭାଷାରୂପେ ଗୃହୀତ ହୋଇପାରିଲା । ଅର୍ଥାତ୍‌ ଆରବ ସଦସ୍ୟ-ରାଷ୍ଟ୍ରମାନଙ୍କୁ ଏହି ବାବଦକୁ ବର୍ଷକୁ ପ୍ରାୟ କେତେ ଲକ୍ଷ ବା କେତେ କୋଟି ଦେବାଲାଗି ପ୍ରଥମେ ରାଜି ହେବାକୁ ପଡ଼ିଲା ।

 

ଭାରତରେ ଅନେକ ବ୍ୟକ୍ତି, ବିଶେଷ କରିହିନ୍ଦୀ-ଅନୁରାଗୀ ବ୍ୟକ୍ତି ସଂଯୁକ୍ତ ରାଷ୍ଟ୍ରସଂଘରେ ଏଥର ହିନ୍ଦୀ ଭାଷାକୁ ମଧ୍ୟ ଏକ ସ୍ଥାନ ଦିଆଇବାକୁ ଅଭିଳାଷ କରୁଥିଲେ । କିନ୍ତୁ ଅନ୍ୟାନ୍ୟ ଯାବତୀୟ ଅସୁବିଧାର ବିଚାର କରାଯିବା ପୂର୍ବରୁ ଏହି କ୍ଷେତ୍ରରେ ଆବଶ୍ୟକ ଦେୟଟିକୁ ଦେଇପାରିବା ହିଁ ସବୁଠାରୁ ବଡ଼ ପ୍ରତିବନ୍ଧକ ହୋଇ ଠିଆ ହେଲା । ଭାରତବର୍ଷର ସରକାର ଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ଦେୟ ବାବଦକୁ ବାର୍ଷିକ ପ୍ରାୟ ସାଢ଼େ ଚଉଦ କୋଟି ଟଙ୍କା ଦେଉଛନ୍ତି । ଏହି ଅର୍ଥ ପରିମାଣଟିକୁ ଆମ ସରକାରଙ୍କୁ ବିଦେଶୀ ମୁଦ୍ରାରେ ଦେବାକୁ ପଡ଼ୁଛି । ଆହୁରି ଅନେକ ଅତ୍ୟାବଶ୍ୟକ କ୍ରୟ ଓ ଆମଦାନି ସକାଶେ ସରକାରଙ୍କ ପାଖରେ ଯେତେ ପରିମାଣରେ ବିଦେଶୀ ମୁଦ୍ରା ଦରକାର ଅନେକ ସମୟରେ ସରକାରଙ୍କୁ ସେତିକି ଲାଗି ମଧ୍ୟ ନାନା ଅସୁବିଧାରେ ପଡ଼ିବାକୁ ହେଉଛି ଏବଂ ତେଣୁ କେତେଆଡ଼ୁ କେତେପ୍ରକାରେ କାଟିକୁଟି ସରକାରଙ୍କୁ ଆପଣାର ଚାହିଦାଟିକୁ ତୁଲାଇବାକୁ ହେଉଛି । ଏଭଳି ପରିସ୍ଥିତିରେ କଣ ହିନ୍ଦୀ ଭାଷାକୁ ସଂଯୁକ୍ତ ରାଷ୍ଟ୍ରସଂଘର ଏକ ବ୍ୟବହୃତ ଭାଷା ରୂପେ ସ୍ୱୀକୃତ କରାଇବା ଲାଗି ସରକାର ଏତେଗୁଡ଼ାଏ ବିଦେଶୀ ମୁଦ୍ରା ଗଣିବାକୁ ପ୍ରକୃତରେ ପ୍ରସ୍ତୁତ ହୋଇପାରିବେ ?

 

ଏହି ପ୍ରଶ୍ନଟିର ଗୋଟିଏ ଦିଗ ମଧ୍ୟ ରହିଛି । ଆମେ ଆମ ନିଜ ଦେଶରେ ହିନ୍ଦୀଭାଷାକୁ ଆପଣାର ଜାତୀୟ ଭାଷା ବା ରାଷ୍ଟ୍ରୀୟ ଭାଷା ବୋଲି ଆଦରି ନ ନେଇଥିବା ପର୍ଯ୍ୟନ୍ତ ତାହାକୁ ସଂଯୁକ୍ତ ରାଷ୍ଟ୍ରସଂଘ ଯାଏ ନେଇ ସ୍ୱୀକୃତିର ଆସ୍ଥାନରେ ରଖିବାକୁ ଆମର ଧର୍ମତଃ କୌଣସି ଯୁକ୍ତି ରହିବ କି ? ଏବେ ମଧ୍ୟ ଏ ଦେଶରେ ଅନେକ ଶିକ୍ଷିତ ରହିଛନ୍ତି, ଯେଉଁମାନେ ନିଜ ଭିତରେ କଥାବାର୍ତ୍ତା ହେବାବେଳେ ଦେଶୀୟ କୌଣସି ଭାଷାରେ କଥାବାର୍ତ୍ତା ହେବାଲାଗି ଆପଣାକୁ ପ୍ରାୟ ଅପାରଗ ବୋଲି ଅନୁଭବ କରନ୍ତି । ଆମ ଦେଶର ରାଷ୍ଟ୍ରଭାଷା ରୂପେ ହିନ୍ଦୀ ଭାଷା ସ୍ୱୀକୃତ ହୋଇସାରିଥିଲେ ମଧ୍ୟ ଏବେ ବି ଆମ ଅନେକଙ୍କର ମନ ଓ ଆଗ୍ରହଗୁଡ଼ାକ ସେହି ଦିଗରେ ଅନୁରୂପ ଭାବରେ ମଣ ହୋଇ ପାରିନାହିଁ । ଘରେ ଆମେ ତୀବ୍ର ଉତ୍ସାହରେ ଇଂରାଜୀ କହୁଥିବା, ସମ୍ଭବ ହେଲେ ଆମ ପିଲା ଭୂମିଷ୍ଠ ହେବା ପୂର୍ବରୁ ମଧ୍ୟ ଇଂରାଜୀ ଭାଷା ଶିଖିବା ଆରମ୍ଭ କରିଦେଉ ବୋଲି ଉତ୍ସାହ ଦେଖାଉଥିବା, ତେଣେ ବିଶ୍ୱସଭାରେ ହିନ୍ଦୀ ଭାଷାକୁ ନେଇ ବସାଇବା ଲାଗି ସରାଗୀ ହେଉଥିବା–ଆମ ଜାତୀୟ ଜୀବନର ଆହୁରି ଅନେକ ବିଡ଼ମ୍ବନା ପରି ଏହାକୁ ମଧ୍ୟ ଏକ ବିଡ଼ମ୍ବନା ବୋଲି କୁହାଯିବ ନାହିଁ କି ? ଇଂରାଜ ତା’ ଇଂରାଜୀ ଭାଷାକୁ ଯେତିକି ଆଦରିଥାଏ, ଆମେ ଆମର ଏକ ସାଧାରଣ ଭାରତୀୟ ଭାଷାକୁ ଆଗ ସେତିକି ଆଦରି ନେଇ ପାରିଲେ ଯାଇ ତା’ପରେ ତାକୁ ଅନ୍ୟମାନଙ୍କ ସହିତ କୌଣସି ବଡ଼ ଦରବାରରେ ବସାଇବାକୁ ଗଲେ ତା’ ପଛରେ ପ୍ରକୃତ ଯୁକ୍ତି ରହିବ, ସଙ୍ଗତି ମଧ୍ୟ ରହିବ ।

 

ତା ୧୪.୦୩.୧୯୭୫ ରିଖ

Image

 

ଶୁଭାୟ ଭବତୁ

 

ଏଇ ପନ୍ଦର ତାରିଖରୁ ନେସନାଲ୍‌ ବୁକ୍‌ ଟ୍ରଷ୍ଟ୍‌ ଏବଂ ଓଡ଼ିଶା ରାଜ୍ୟ ସାହିତ୍ୟ ଏକାଡ଼େମୀର ସମ୍ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଅନୁବାଦ ବିଷୟରେ ଏକ କର୍ମଶାଳାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନେସନାଲ୍ ବୁକ୍‌ଟ୍ରଷ୍ଟ୍‌ ଭାରତବର୍ଷର ବିଭିନ୍ନ ଭାଷାକୁ ନେଇ ସେହି ଭାଷାଭାଷୀ ବିଭିନ୍ନ ସ୍ଥାନରେ ଏଭଳି କର୍ମଶାଳାମାନଙ୍କର ଆୟୋଜନର ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ଅନୁଷ୍ଠିତ ହେଉଥିବା କର୍ମଶାଳାଟି ସେହି ସମଗ୍ର କାର୍ଯ୍ୟକ୍ରମଟିର ଅନ୍ତର୍ଗତ ।

 

ଗୋଟିଏ ଭାଷାରୁ ଆଉ ଗୋଟିଏ ଭାଷାକୁ କିଛି ଅନୁବାଦ କରିବାର କାର୍ଯ୍ୟଟିକୁ ଅନେକ ସମୟରେ ଏକ ଅତ୍ୟନ୍ତ ସହଜ କାର୍ଯ୍ୟ ବୋଲି ମନେ କରାଯାଇଥାଏ । ପୁଣି, ଆହୁରି ଅନେକେ ଅନୁବାଦକୁ ଏକ ସୃଜନାତ୍ମକ କାର୍ଯ୍ୟ ବୋଲି କହିବାକୁ ସମ୍ମତ ମଧ୍ୟ ହୁଅନ୍ତି ନାହିଁ । କୌଣସି ଗୋଟିଏ ଭଲ ଅଭିଧାନ ସାହାଯ୍ୟରେ ଶବ୍‌ଦାର୍ଥଗୁଡ଼ିକୁ ଜାଣି ପ୍ରାୟ ଏକ ଯାନ୍ତ୍ରିକ ପ୍ରକ୍ରିୟାରେ ଗୋଟିଏ ଭାଷାରୁ ଆଉ ଗୋଟିଏ ଭାଷାକୁ ଅନୁବାଦ କରାଯାଇପାରିବ ବୋଲି ସେମାନେ ମତ ଦେଇଥାନ୍ତି । ସମ୍ଭବତଃ ସେମାନେ ନିଜେ କେବେହେଲେ କୌଣସି ଅନୁବାଦ କରିନଥାନ୍ତି । ଅଥବା, କରିଥିଲେ କେବଳ ଅଭିଧାନ ସାହାଯ୍ୟରେ ହିଁ ତାହା କରିଥାନ୍ତି । ଅନୁବାଦକୁ ଆପଣାର ସାହିତ୍ୟିକ ଅଭିବ୍ୟକ୍ତିର ଏକ କ୍ଷେତ୍ର ବୋଲି ଗ୍ରହଣ କରିନ ଥାନ୍ତି ।

 

ଏବଂ ଅନ୍ୟ ପକ୍ଷରେ ଆଉ କେତେକ ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ଅନୁବାଦକୁ ପ୍ରାୟ ଏକ ଅସମ୍ଭବ କାର୍ଯ୍ୟ ବୋଲି ମନେ କରିଥାନ୍ତି । ଗୋଟାଏ ଭାଷା ଆଉ ଗୋଟାଏ ଭାଷାଠାରୁ ଗଢ଼ଣରେ ପୃଥକ୍‌, ଚାହାଣିରେ ପୃଥକ୍‌ ଓ ଚଳଣିରେ ପୃଥକ୍‌ । ଗୋଟିଏ କଥାରେ କହିବାକୁ ଗଲେ ଦୁଇଟି ଭାଷା ପରସ୍ପରଠାରୁ ଆପଣା ଆପଣାର ଜଳବାୟୁରେ ହିଁ ପୃଥକ୍‌ । ତେଣୁ ଗୋଟିଏ ଭାଷାରୁ ଆଉ ଗୋଟିଏ ଭାଷାକୁ କରାଯାଉଥିବା ଯାବତୀୟ ଅନୁବାଦକୁ ସେମାନେ ସତେଅବା ଏକ ଅକାର୍ଯ୍ୟ ବୋଲି କହନ୍ତି ଏବଂ ଅନୁବାଦକମାନଙ୍କୁ ଧିକ୍‌କାରାର୍ଥରେ ବିଶ୍ୱାସଘାତକ ବୋଲି କହିଥାନ୍ତି-। ସେମାନେ କହନ୍ତି ଯେ ଯେଉଁ ଗ୍ରନ୍ଥଟି ଯେଉଁ ମୂଳଭାଷାରେ ଲେଖାଯାଇଛି, ଆମେ ତାକୁ ସେହି ଭାଷାରେ ହିଁ ପଢ଼ିବା, ନ ହେଲେ ଧୋକାରେ ପଡ଼ିଯିବା ।

 

ଏହି ଦୁଇଟିଯାକ ଉଗ୍ରପ୍ରାନ୍ତର ମଝିରେ ଆମେ ଅଧିକାଂଶ ସମସ୍ତେ ଅବସ୍ଥିତ ହୋଇ ରହିଥାଉ । ଅର୍ଥାତ୍ ଆମେ, ଅର୍ଥାତ୍ ଶହେରେ ନବେ ଭାଗ ଅନୁବାଦକୁ ଏକ ଅତି ସହଜ କାର୍ଯ୍ୟ ବୋଲି କହୁନାହିଁ ଅଥବା ଅନ୍ୟ ପାଖରେ ଅନୁବାଦକୁ ଗୋଟାଏ ତୁଚ୍ଛା ଦୁଃସାହସୀ ଓ ବିଶ୍ୱାସଘାତକ ବୋଲି କହି ଗାଳି ମଧ୍ୟ ଦେଉନାହିଁ । ଆମେ ସମସ୍ତେ ଅନୁବାଦକୁ ପଢ଼ୁ ଓ ଅନୁବାଦ କରୁ । ଅନୁବାଦକୁ ‘ସାହିତ୍ୟ’ ବୋଲି କହୁ, ଏକ ସୃଜନାତ୍ମକ ଧନ୍ଦା ବୋଲି କହୁ । ଅନୁବାଦ ଜରିଆରେ ପୃଥିବୀରେ ଭାଷା ଭାଷା, ଦେଶ ଦେଶ ଓ ଯୁଗ ଯୁଗ ମଧ୍ୟରେ ଏକ ସେତୁ ବାନ୍ଧିବା ସମ୍ଭବ ହୋଇଥାଏ ଓ ଏକ ଭାବଗତ ଆଦାନପ୍ରଦାନ ପ୍ରସରିଥାଏ ବୋଲି ଆମେ ବିଶ୍ୱାସ କରୁ । ନିର୍ଦ୍ଦୋଷ ଅନୁବାଦ ସର୍ବଦା ସମ୍ଭବ ହେଉନଥିଲେ ମଧ୍ୟ ଆମେ କେହି ଅନୁବାଦ କରିବାଟାକୁ ଗୋଟାଏ ଅକାର୍ଯ୍ୟ ବୋଲି ଆଦୌ କହୁନାହିଁ ।

 

ଅନୁବାଦ ଆମ ଘରର ଝରକା ଖୋଲି ଦେଇଥାଏ, ଆମେ ଆପଣାର ଭାଷା ଓ ସାହିତ୍ୟରେ ମଧ୍ୟ ଆମର ଅଧିଗମି ପାରିବାର ସାମର୍ଥ୍ୟକୁ ଅନେକ ପ୍ରକାରେ ଓ ଅନେକ ଗୁଣରେ ସମୃଦ୍ଧ କରିଦେଇଯାଏ । ଅନୁବାଦ ଅନେକ ଜଳାଶୟରେ ସ୍ରୋତଗତିର ସଞ୍ଚାର କରେ, ଆମ ଜୀବନଲୋକନର ପ୍ରସ୍ଥଗୁଡ଼ିକୁ ପ୍ରସାର ଦେଇଯାଏ । ଯେଉଁ ସାହିତ୍ୟକୁ ବିଭିନ୍ନ ଅନ୍ୟ ଭାଷାର ସାହିତ୍ୟରୁ ଯେତେ ଅଧିକ ଅନୁବାଦ କରାଯାଇଛି ସେହି ସାହିତ୍ୟକୁ ଆମେ ସେତିକି ଗତିଶୀଳ ଓ ଜୀବନବନ୍ତ ସାହିତ୍ୟ ବୋଲି ଅବଶ୍ୟ କହିପାରିବା । ଏହି କ୍ଷେତ୍ରରେ ଇଂରାଜୀ ସାହିତ୍ୟ ଆମ ଆଗରେ ଏକ ଦୃଷ୍ଟାନ୍ତ ହୋଇ ରହିଛି ।

 

ନାନା ଐତିହାସିକ ତଥା ଅନ୍ୟ କାରଣରୁ ଓଡ଼ିଆ ସାହିତ୍ୟର ରୁଚି ଓ ଦୃଷ୍ଟି ଅନେକ ପରିମାଣରେ ପ୍ରାୟ ଦ୍ୱୀପଧର୍ମୀ ହୋଇ ରହିଯାଇଛି । ଅନେକ ସମୟରେ ସାହିତ୍ୟ-ସୃଜନ ଓ ସାହିତ୍ୟିକ ସମ୍ୱନ୍ଧର କ୍ଷେତ୍ରରେ ଆମେ ଭାରି ସ୍ପର୍ଶକାତର ହୋଇ ରହିଛୁ । ଆପଣାର ଝରକାଗୁଡ଼ିକୁ ବନ୍ଦ କରିରଖି ଆମେ ସତେଅବା ସ୍ୱୟଂସଂପୂର୍ଣ୍ଣ ହୋଇ ରହିଯିବା ପାଇଁ ଭାରି ସରାଗ ଦେଖାଇଛୁ । ବିଦେଶୀ ଭାଷା କହିଲେ ଆମେ ଅଧିକାଂଶ ସମୟରେ ଇଂରାଜୀ ଭାଷାକୁ ହିଁ ବୁଝିଛୁ ଏବଂ ସେଥିଲାଗି ଓଡ଼ିଆ ଭାଷାକୁ ପ୍ରାୟ ସବୁଯାକ ଅନୁବାଦ ନ୍ୟାୟତଃ କେବଳ ସେହି ଗୋଟିଏ ଭାଷାରୁ ଆସିଛି । ଆମର ପ୍ରତିବେଶୀ ଆନ୍ଧ୍ର ଭାଷାରୁ ଓଡ଼ିଆକୁ ଏପର୍ଯ୍ୟନ୍ତ ଖଣ୍ଡେ ସୁଦ୍ଧା ବହିର ଅନୁବାଦ ହୋଇ ନାହିଁ । ତାମିଲ, ମାଲୟାଲମ୍‌, ଓ ଉର୍ଦ୍ଦୁ ପ୍ରଭୃତି ସମୃଦ୍ଧ ଭାଷାର ପୁସ୍ତକମାନ ଆମର ଦାଣ୍ଡି ମାଡ଼ିନାହିଁ । ତେଣୁ ଏକଥାରେ କେହି କଦାପି ଅସମ୍ମତ ହେବେ ନାହିଁ ଯେ ଆମ ଜଳବାୟୁଟି ମଧ୍ୟରୁ ଏହି ପାରମ୍ପରିକ ଜାଡ଼୍ୟକୁ ଭାଙ୍ଗିଦେବା ଲାଗି ଆମ ଘରେ ଅନେକ ଝରକା ଫିଟାଇବାର ଅତ୍ୟାବଶ୍ୟକତା ରହିଛି ।

 

ଭୁବନେଶ୍ୱରରେ ବସିଥିବା ଅନୁବାଦସମ୍ବନ୍ଧୀ କର୍ମଶାଳାକୁ ଆମେ ଅଭିନନ୍ଦନ ଜଣାଉଛୁ । ସେଥିରେ ଅଂଶଗ୍ରହଣ କରୁଥିବା ଲେଖକ, ଅଧ୍ୟାପକ ଏବଂ ସମ୍ପାଦକମାନଙ୍କୁ ସ୍ୱାଗତ କରୁଛୁ । ସେମାନେ ଓଡ଼ିଶାର ଅନୁବାଦ କ୍ଷେତ୍ରରେ ଜଣେ ଜଣେ ଶୁଭ ଉତ୍‌ପ୍ରେରକ ରୂପେ କାର୍ଯ୍ୟ କରନ୍ତୁ, ଭବିଷ୍ୟତ ଲାଗି ଆମେ ଏହି କାମନା ହିଁ କରୁଛୁ ।

 

ତା ୧୬.୦୩.୧୯୭୫ ରିଖ

Image

 

କମ୍ବୋଡ଼ିଆ ଲୋକେ କୁଆଡ଼େ ଯିବେ ?

 

କମ୍ବୋଜ ବା ଆଧୁନିକ କାମ୍ବୋଡ଼ିଆ ଏକ ପୁରୁଣା ଦେଶ । ଆମେରିକାର ସମଗ୍ର ଭୂଖଣ୍ଡଟି ପୃଥିବୀର ମାନଚିତ୍ର ଉପରେ ସ୍ଥାନ ପାଇବା ପୂର୍ବରୁ କମ୍ବୋଜରେ ଏକ ରାଜ୍ୟ ଥିଲା, ଏକ ସଭ୍ୟତା ଥିଲା, କାରିଗରିକୁଶଳ ଏକ ଜନତା ମଧ୍ୟ ଥିଲେ । ଏସିଆରେ ଉପନିବେଶ ଥାପନାର ଯୁଗରେ କାମ୍ବୋଡ଼ିଆ ଫ୍ରାନ୍‌ସର ହାବୁଡ଼ରେ ପଡ଼ିଥିଲା । ଫରାସୀ ଉପନିବେଶ ଇଣ୍ଡୋଚାଇନାର ଏକ ଅଂଶ ହୋଇ ରହିଥିଲା । ତା’ପରେ ସ୍ୱାଧୀନ ହେଲା । ମାତ୍ର ସ୍ୱାଧୀନ କାମ୍ୱୋଡ଼ିଆକୁ ଆମେରିକାର ଛାୟାଶ୍ରୟୀ କରିରଖାଗଲା । ଅର୍ଥାତ୍ ଆମେରିକା ଯେମିତି ଚାହିଲା, ଏଠି ଶାସନ ସେମିତି ଚାଲିଲା; ଯାହାକୁ ଚାହିଲା, ତାହାରି ଶାସନ ଚାଲିପାରିଲା ।

କମ୍ବୋଜର ରାଜକୁମାର ନରୋତ୍ତମ ସିଂହନଖ ଏକଦା ଆମେରିକାର ପେଷଣିଆ ହୋଇ ସେଠାରେ ଶାସନ କରୁଥିଲେ । କମ୍ବୋଜକୁ କମ୍ବୋଜବାସୀଙ୍କର ଏକ ଦେଶରୂପେ ପ୍ରତିଷ୍ଠିତ କରିବା ବିଷୟରେ ସେ ସେତିକି ସଚେତନ ହେଲେ, ଏଣେ ଆମେରିକାର ମଧ୍ୟ ସେତିକି ଚକ୍ଷୁଶୀଳ ହେବାକୁ ଲାଗିଲେ । ସିଏ ଥରେ ଚୀନ ପରିଦର୍ଶନରେ ଯାଇଥିବା ସମୟରେ ଆମେରିକାର ପ୍ରରୋଚନାରେ କାମ୍ବୋଡ଼ିଆରେ ଶାସନକୁ ବଦଳାଇ ଦିଆଗଲା । ରାଜକୁମାର ସିଂହନଖ ସିଆଡ଼େ ନିର୍ବାସିତ ହୋଇ ରହିଲେ । ଆମେରିକାର ସମରଶକ୍ତି ବଳରେ କାମ୍ବୋଡ଼ିଆରେ ମନୋନୀତ କଣ୍ଢେଇମାନେ ରାଜତ୍ୱ କଲେ । ସେଇ ଦିନଠାରୁ ସେଠି ଗୃହଯୁଦ୍ଧ ଲାଗିଛି । ଅର୍ଥାତ୍ ଦେଶବାସୀ ଦେଶ ଉପରେ ଆଣି ଲଦି ଦିଆଯାଇଥିବା ଶାସକମାନଙ୍କ ସହିତ ଗରିଲା ଯୁଦ୍ଧ ଲଢ଼ୁଛନ୍ତି । ଦୁଇପକ୍ଷରେ ଅବିରାମ ହାରଜିତ୍ ଲାଗି ରହିଛି । ପ୍ରତ୍ୟେକ ବର୍ଷ ଆମେରିକା ସରକାର ଆପଣା ବଜେଟରୁ କୋଟି କୋଟି ଡଲାରର ସମରଶକ୍ତି ଖଟାଇ କାମ୍ୱୋଡ଼ିଆରେ କଣ୍ଢେଇମାନଙ୍କୁ ତିଷ୍ଠାଇ ରଖିବାର ପ୍ରୟାସ କରିଆସିଛନ୍ତି । ପ୍ରାଚୀନ ମନ୍ଦିରର ଦେଶ କାମ୍ବୋଡ଼ିଆର ଶାନ୍ତିଭଙ୍ଗ କରିକମାଣ ଫୁଟୁଛି, ଭାଇ ହାତରେ ଭାଇର ମୃତ୍ୟୁରେ ସେଠି ସବୁ ନ୍ୟାୟ ଓ ସବୁ ବୁଝାମଣା ଆର୍ତ୍ତନାଦ କରିଉଠୁଛି ।

ତଥାପି ଏକଥା ଅତ୍ୟନ୍ତ ସ୍ୱତଃସିଦ୍ଧ କଥା ଯେ, ସମସ୍ତ ପୃଥିବୀରେ ଯାହା ହେଉଛି, କାମ୍ବୋଡ଼ିଆରେ ଠିକ୍‌ ତାହାହିଁ ହେବ । ଶୀଘ୍ର ହେଉ ବା ବିଳମ୍ବରେ ହେଉ, ପରିଶେଷରେ ତାହାହିଁ ଫଳିବ । ସଂସାରର ସାହୁକାର ବା ସିଆଣିଆମାନେ ଯେତେଯାହା ଚାହୁଥିଲେ ମଧ୍ୟ କୌଣସି ଦେଶର ଅଧିବାସୀ ପ୍ରକୃତରେ ଯାହା ଚାହୁଛନ୍ତି, ସେହି ଦେଶରେ ତାହାର ହିଁ ପ୍ରତିଷ୍ଠା ହେବ । କାମ୍ବୋଡ଼ିଆର ଭାଗ୍ୟକୁ କାମ୍ବୋଡ଼ିଆବାସୀ ସ୍ୱୟଂ ଗଢ଼ିବା ଲାଗି ଚାହୁଛନ୍ତି ଏବଂ ଗୋଳାବାରୁଦ ବା କୁଟିଳ ରାଜନୀତିର ସକଳ ଫିସାଦ ଓ ଧମକ ସତ୍ତ୍ୱେ ସେମାନେ ଅବଶ୍ୟ ସେହି ଅଧିକାରଟିକୁ ହାସଲ କରିବେ ।

କାମ୍ୱୋଡ଼ିଆରେ ତଥାକଥିତ ସରକାର ହୋଇ ବସିଥିବା ଲୋନ୍‌ ନୋଲ୍‌ ଶାସନର ମୂଳଗୁଡ଼ାକ କ୍ରମଶଃ ଦୋହଲିବାକୁ ଆରମ୍ଭ କଲାଣି । ରାଜଧାନୀ ନୋମ୍‌ପେନ୍‌କୁ ବାହାର ସଂସାର ସହିତ ସଂଯୁକ୍ତ କରିରଖିଥିବା ରାସ୍ତାଗୁଡ଼ାକ କାଟି ଦିଆଗଲାଣି । ବାହାରୁ ସାମରିକ ସାହାଯ୍ୟ ଓ ରସଦ ନ ଆସିଲେ ଏହି ବରାଦୀ ଯୁଦ୍ଧଟା ଯେ ସେଠାରେ ଆଦୌ ବେଶୀଦିନ ଲାଗି ଚାଲିପାରିବ ନାହିଁ, ସେକଥା ସମସ୍ତେ ଜାଣିଗଲେଣି । ତେଣୁ ରାଜଧାନୀ ନୋମ୍‌ପେନ୍‌ ପରିତ୍ୟାଗ କରିବିଦେଶୀ ପରିବାରମାନେ ଶୀଘ୍ର ଅନ୍ୟତ୍ର ଚାଲିଯାଆନ୍ତୁ ବୋଲି ଘୋଷଣା ମଧ୍ୟ କରିଦିଆଗଲାଣି । କାରଣ ଘୋର ବିପଦ ମାଡ଼ି ଆସୁଛି । ଜନ ଓ ଜୀବନ ପ୍ରତି ବିପଦ ମାଡ଼ିଆସୁଛି । ନିଜର ଜନ ଓ ଜୀବନକୁ ନିରାପଦ ରଖିବାଲାଗି ବିଦେଶୀମାନେ ସିନା ଅନ୍ୟତ୍ର ପଳାଇଯିବେ, ସେମାନେ ହୁଏତ ଆପଣା ଆପଣାର ନିଜ ଦେଶକୁ ପଳାଇବେ, ମାତ୍ର ଯେଉଁମାନେ ସ୍ୱୟଂ କାମ୍ବୋଡ଼ିଆବାସୀ, ସେମାନେ ପୁଣି କୁଆଡ଼େ ଯିବେ ? ଆଉ କେତେବର୍ଷ ଧରି ବିଦେଶୀ ପଇସା ଓ ବିଦେଶୀ ଅସ୍ତ୍ରର ସାହାଯ୍ୟରେ ସେମାନଙ୍କର ନିଜ ଦେଶରେ ସେମାନଙ୍କର ଧନ ଓ ଜୀବନକୁ ବିପନ୍ନ କରିରଖାଯାଇଥିବ ? ପୃଥିବୀର କୌଣସି ବଡ଼ ଶକ୍ତିର ମରଜି ହେଉନାହିଁ ବୋଲି ସେମାନେ କାହିଁକି ଅସ୍ତ୍ରର ମୁନତଳେ ରହିଉଦ୍‌ବିଗ୍ନ ଜୀବନ କଟାଇବାକୁ ବାଧ୍ୟ ହେଉଥିବେ ? ଜଗତରେ କ୍ଷମତା କ’ଣ ସବୁଦିନେ ଏହିପରି ନିର୍ଲଜ୍ଜ ହୋଇ ରହିଥିବ ?

ଖବରରୁ ଜଣାଯାଇଛି ଯେ ଲୋନ୍‌ ନୋଲ୍‌ ସରକାର ପୁରୁଣା ପ୍ରଧାନମନ୍ତ୍ରୀଙ୍କ ଜାଗାରେ ଏବେ ଜଣେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି । ପୁଣି ତାଙ୍କ ସୈନ୍ୟବାହିନୀର ପ୍ରଧାନ ସେନାପତି ତେଣେ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାପତ୍ର ଗୃହୀତ ହୋଇଯାଇଛି ଓ ତାଙ୍କ ଜାଗାରେ ଆଉ ଜଣେ ସେନାପତିଙ୍କୁ ବରାଦ କରାଯାଇଛି । ଏହି ପ୍ରଧାନମନ୍ତ୍ରୀ ବା ପ୍ରଧାନ ସେନାପତି, ଏମାନେ ମଧ୍ୟ ସମସ୍ତେ ସେହି କାମ୍ବୋଡ଼ିଆର ମଣିଷ । କାମ୍ବୋଡ଼ିଆବାସୀ ହିସାବରେ ସେମାନଙ୍କର ମଧ୍ୟ ଏକ ବିବେକଶକ୍ତି ରହିଥିବ । ସେମାନେ ଯେ ଆପଣା ଦେଶବାସୀଙ୍କ ବିରୁଦ୍ଧରେ ଲଢ଼ୁଛନ୍ତି, ଆପଣା ଭିତରେ ଏପରି ଏକ ଦଂଶନ ଅନୁଭବ କରିବା ମାତ୍ରକେ ସେମାନଙ୍କୁ ଯେ ବରଖାସ୍ତ କରାଯାଉଥିବ ବା ଇସ୍ତଫା ଦେବାକୁ ପଡ଼ୁଥିବ, ଏକଥା ବୁଝିବା କଦାପି କଷ୍ଟକର ହେବନାହିଁ । ମାତ୍ର ଏସବୁ ତାମସା କେତେଦିନ ଚାଲିବ ? ନ୍ୟାୟକୁ ଅବରୁଦ୍ଧ କରିରଖି କ୍ଷମତାର ତାମସା କେତେଦିନ ଚାଲିବ ? ମଣିଷର ବାଟକୁ ଉଗାଳି ରଖି ଧୂର୍ତ୍ତତାର ତାମସା କେତେଦିନ ଚାଲିବ ? ପଇସା ଓ ଅସ୍ତ୍ରଶକ୍ତି କେତେଦିନ ଯାଏ ଇତିହାସର ପଥକୁ ଓଗାଳି ରଖିପାରିବ ?

ତା ୧୯.୦୩.୧୯୭୫ ରିଖ

Image

 

ପର୍ତ୍ତୁଗାଲ୍‌ରେ ଜନ୍ମଯନ୍ତ୍ରଣା

 

ପର୍ତ୍ତୁଗାଲ୍‌ ଆଗେ ଏପରିକି ଦଶ ବର୍ଷ ତଳେ ଯେଉଁ ପର୍ତ୍ତୁଗାଲ୍‌ ହୋଇ ରହିଥିଲା, ବର୍ତ୍ତମାନ ଆଉ ସେହି ପର୍ତ୍ତୁଗାଲ୍‌ ହୋଇ ନାହିଁ । ପ୍ରାୟ ପାଞ୍ଚଶହ ବର୍ଷ ତଳେ ପର୍ତ୍ତୁଗାଲ୍‌ ଯାହାର ଏକ ଅଂଶ ହୋଇ ରହିଥିଲା, ସେଇ ଆଇବେରୀୟ ଭୂଖଣ୍ଡରୁ କଲମ୍ବସ୍‌ ଆମେରିକା ବାହାରିଥିଲେ, ଭାସ୍କୋଡ଼ାଗାମା ଆଫ୍ରିକାକୁ ମୁଣ୍ଡଳି ବୁଲାଇ ଭାରତବର୍ଷର ପଶ୍ଚିମ ଉପକୂଳ ଯାଏ ଆସିଥିଲେ । ସେହିଦିନଠାରୁ ପୃଥିବୀର ରାଜନୀତିକ ଓ ମାନବ-ସମ୍ବନ୍ଧଗତ ଇତିହାସରେ ଏକ ନୂତନ ଯୁଗର ଆରମ୍ଭ ହେଲା । ସେହିଠାରୁ ହିଁ ୟୁରୋପୀୟ ସାମ୍ରାଜ୍ୟଗୁଡ଼ାକ କ୍ରମେ ସାମ୍ରାଜ୍ୟବାଦର ପରିଚ୍ଛଦ ଗ୍ରହଣ କଲେ, ୟୁରୋପୀୟ ବାଣିଜ୍ୟକୁ ସେହିଦିନଠାରୁ ନୂଆ ଡାଆଣୀ ଲାଗିଲା ଓ ଆପଣାର ଚରିବାଲାଗି ନୂଆ ଭୂଇଁର ଅନ୍ୱେଷଣ କରିତାହା ସାରା ସଂସାରକୁ ସତେ ଅବା ଗୋଟିଏ ଭାଗ୍ୟର ଜାଲ ମଧ୍ୟରେ ଏକାଠି ଛନ୍ଦି ଦେଇଥିଲା ।

ସେସବୁ ହେଉଛି ଆମ ସଂସାରର ବିଗତ ପାଞ୍ଚଶହ ବର୍ଷର ଇତିହାସ । ତା’ପରେ ପୃଥିବୀର ନଈରେ କେତେ ଘଟଣାର ସ୍ରୋତ ବହିଗଲାଣି, ସାମ୍ରାଜ୍ୟବାଦ ପଛଘୁଞ୍ଚା ଦେଇ ଜାତୀୟ ସ୍ୱାଧୀନତାକୁ ବାଟ ଛାଡ଼ି ଦେଲାଣି । ଦେଶ ପରେ ଦେଶ ସ୍ୱାଧୀନ ହୋଇ ସାରିଲେଣି । ଯେଉଁ ପର୍ତ୍ତୁଗାଲ୍‌ରୁ ସାମ୍ରାଜ୍ୟବାଦୀ ରତ୍ନଲୋଭର ପ୍ରଥମ ଯାତ୍ରା ଆରମ୍ଭ ହୋଇଥିଲା, ବଡ଼-ବଡ଼ମାନେ ଫସରଫାଟି ଯାଇଥିଲେ ମଧ୍ୟ ସେହି ପର୍ତ୍ତୁଗାଲ୍‌ ସାମ୍ରାଜ୍ୟବାଦର ବେସର ବାଟିବା ଲାଗି ମୁହଁମାଡ଼ି ଟାଣ ମୁହଁକରିପଡ଼ି ରହିଥିଲା । ଅତି ଆଧୁନିକ ୟୁରୋପରେ ଅତି ଆଦିମ ଏକ ଅତି ପଛମୁହାଁ ଆଣ୍ଟପଣର ପ୍ରତୀକ ହୋଇ ରହିଥିଲା । ପର୍ତ୍ତୁଗାଲ୍‌ର ସାମ୍ରାଜ୍ୟ ଆଫ୍ରିକାରେ ଥିଲା । ଆମ ଭାରତବର୍ଷରେ ମଧ୍ୟ ପ୍ରାୟ ଚାରିଖଣ୍ଡ ଗାଆଁ ଓ ତିନିଖଣ୍ଡ ସାହିରେ ପର୍ତ୍ତୁଗାଲ୍‌ର ପତାକା ଉଡ଼ୁଥିଲା । ୧୯୬୧ ମସିହାରେ ଯେତେବେଳେ ଭାରତ ଗୋଆ ଭିତରକୁ ସୈନ୍ୟସାମନ୍ତ ନେଇ ମାଡ଼ିଗଲା ଓ ଗୋଆରେ ଭାରତୀୟ ପତାକା ଉଡ଼ିଲା, ସେତେବେଳେ ପର୍ତ୍ତୁଗାଲ୍‌ କେତେ ପାଟିକଲା; ନ୍ୟାୟ, ସାଧୁତା ଓ ଆନ୍ତର୍ଜାତିକ ନିରାପତ୍ତା ନାମରେ କେତେ ଗର୍ଜନ କଲା । କିନ୍ତୁ ସେହି ଗର୍ଜନ କ୍ରମେ ଥମି ଆସିଲା, କାଳର ଦେବୀ ହିଁ ସ୍ୱୀକୃତ ହେଲା ।

ସେହି କାଳର ଆହ୍ୱାନକ୍ରମେ ଖାସ୍‌ ପର୍ତ୍ତୁଗାଲ୍‌ ଦେଶରେ ମଧ୍ୟ ଆସ୍ଥାନ ବଦଳିଲା । ଅର୍ଥାତ୍ ପୁରୁଣା ଏକଛତ୍ର ଶାସନ ଭୁଷୁଡ଼ି ପଡ଼ିଲା ଏବଂ ନୂତନ ଅଭିଳାଷର ଉତ୍ସାହ ନେଇ ସେଠି ନୂଆମାନେ ଶାସନକୁ ଆସିଲେ । ପର୍ତ୍ତୁଗାଲ୍‌ରେ କଂସାକବାଟ ଖୋଲିଗଲା, କୋଉକାଳରୁ ମୁଦା ହୋଇ ରହିଥିବା ଝରକାଗୁଡ଼ାକ ମଧ୍ୟ ଖୋଲିଯିବାକୁ ଆରମ୍ଭ କଲା । ସେ ଦେଶର ନୂଆ ଶାସକମାନେ ଆଫ୍ରିକାରେ ଥିବା ପର୍ତ୍ତୁଗୀଜ ଉପନିବେଶଗୁଡ଼ିକୁ କ୍ରମଶଃ ସ୍ୱୟଂଶାସନର ଅଧିକାର ଦେବାଲାଗି ଘୋଷଣା କଲେ । ସମସ୍ତ ପୃଥିବୀ ଆଶ୍ଚର୍ଯ୍ୟ ହୋଇଗଲା । ୧୯୭୪ ମସିହାର ଏକ ବଡ଼ ଘଟଣାର ନିମିତ୍ତ ଭାବରେ ପର୍ତ୍ତୁଗାଲ୍‌ର ନାଆଁ ବହିରେ ଲେଖାହୋଇ ରହିଲା । ଏସବୁ ହେଉଛି ପ୍ରକୃତରେ ଏକ ନୂତନ ଜନ୍ମର କାହାଣୀ । ପର୍ତ୍ତୁଗାଲ୍‌ ଏକ ନୂତନ ଆକାଙ୍‌କ୍ଷା ନେଇ ନୂତନ ଭାବରେ ଜନ୍ମ ଗ୍ରହଣ କରିବାର କାହାଣୀ । ମାତ୍ର ସକଳପ୍ରକାର ଜନ୍ମ ଭଳି ଏହି କ୍ଷେତ୍ରରେ ମଧ୍ୟ ଏକ ଜନ୍ମକାଳୀନ ଯନ୍ତ୍ରଣା ରହିଛି । ଏହି ଯନ୍ତ୍ରଣା ପ୍ରକୃତରେ କେତେକାଳ ଯାଏ ଲାଗି ରହିବ, କେହି ସେକଥାଟିକୁ ହିସାବ କରିପାରିବ ନାହିଁ ସତ, ମାତ୍ର ପର୍ତ୍ତୁଗାଲ୍‌ରେ ଗତ କେତୋଟି ମାସ ହେଲା ଯାହାକିଛି ଅଦଳବଦଳ ଓ ଅନିଶ୍ଚିତତା ଘଟୁଛି, ସେଗୁଡ଼ିକୁ ଆମେ କେବଳ ସେହି ଜନ୍ମଯନ୍ତ୍ରଣାର ହିଁ ଗୋଟିଏ ଗୋଟିଏ ଘଟଣା ବୋଲି ବୁଝିବା ।

ଏହି ଯନ୍ତ୍ରଣା ଉତ୍କଟ ହେବା ପଛରେ ଅନେକ କାରଣ ରହିଛି । ସର୍ବପ୍ରଥମ କାରଣ ହେଉଛି ଯେ ଏପର୍ଯ୍ୟନ୍ତ ପର୍ତ୍ତୁଗାଲ୍‌ର ଶାସନ ଜନଗଣଙ୍କ ହାତକୁ ଆସିନାହିଁ । ସାମରିକ ମୁଖ୍ୟମାନେ ସେ ଦେଶରେ ଆକସ୍ମିକ ଶାସନ ପରିବର୍ତ୍ତନ ଘଟାଇ ଏକଛତ୍ରବାଦର ଦୃଢ଼ ଆସନଟିକୁ ଚଳାଇ ଦେଇଥିଲେ ଓ ବର୍ତ୍ତମାନ ସେଇମାନେ ହିଁ ସେଠି ଶାସନ କରୁଛନ୍ତି । ଏକ ଗଣତାନ୍ତ୍ରିକ ଶାସନ ଲାଗି କ୍ଷେତ୍ରଟିକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିଦେଇ ପାରିବା ପର୍ଯ୍ୟନ୍ତ ସେମାନେ ପର୍ତ୍ତୁଗାଲ୍‌ରେ ଶାସନର ତତ୍ତ୍ୱାବଧାରକ ହୋଇ ରହିବେ ବୋଲି ମନସ୍ଥ କରିଛନ୍ତି । ମାତ୍ର ସେମାନେ କେତେ ଦିନ ରହିବେ ? ପର୍ତ୍ତୁଗାଲ୍‌ର ଜନସାଧାରଣ ଏହି କଥାଟିର ନିଷ୍ପତ୍ତି କରିବେ ନା ସେହି ସାମରିକ ଶାସକମାନେ ହିଁ ତାହା କରିବେ ?

ବର୍ତ୍ତମାନ ପର୍ତ୍ତୁଗାଲ୍‌କୁ ଶାସନ କରୁଥିବା ସାମରିକ ମୁଖ୍ୟମାନଙ୍କୁ ତଡ଼ିବା ଲାଗି କରା ହୋଇଥିବା ଏକ ଷଡ଼ଯନ୍ତ୍ର ଏବେ ଧରା ପଡ଼ିଛି । ଅର୍ଥାତ୍‌ ସେଠାରେ ପୁରୁଣା ଏକଛତ୍ରବାଦ ଓ ରକ୍ଷଣଶୀଳତାର ସ୍ୱାର୍ଥଗୁଡ଼ିକ ଏବେ ମଧ୍ୟ ବଞ୍ଚି ରହିଛନ୍ତି ଓ ନୂଆ ଶାସକମାନଙ୍କ ପଛରେ ଛକି ରହିଛନ୍ତି । ପୁରୁଣା ଏତେ ସହଜରେ କେବେହେଲେ ମରେ ନାହିଁ ଏବଂ ଆଉସବୁ କୌଶଳରେ ବିଫଳ ହେଲେ ତାହା ଅସ୍ତ୍ର ମଧ୍ୟ ଧାରଣ କରିଥାଏ । ପର୍ତ୍ତୁଗାଲ୍‌ରେ ତାହାହିଁ ହେଉଛି । ହୋଇଯାଇଥିବା ଏହି ଷଡ଼ଯନ୍ତ୍ରଟି ପଛରେ ଯୁକ୍ତରାଜ୍ୟ ଆମେରିକାର ସରକାରଙ୍କର ପ୍ରରୋଚନା ରହିଛି ବୋଲି ମଧ୍ୟ ସେଠାରେ କେହି କେହି ସନ୍ଦେହ କରୁଛନ୍ତି । ଆମେରିକା ହେଉଛି ପୃଥିବୀରେ ଗଣତନ୍ତ୍ର ଶାସନର ଜୋରଦାର ରକ୍ଷାକର୍ତ୍ତା । ସିଏ ପୁଣି ପର୍ତ୍ତୁଗାଲ୍‌ରେ ଏତେଦିନେ ଗଣତନ୍ତ୍ରର ଆଶାକୁ ଜାଗୃତ କରିଦେଇଥିବା ଗୋଷ୍ଠୀଟି ବିରୁଦ୍ଧରେ ଷଡ଼ଯନ୍ତ୍ର କରାଉଛି କିପରି ? ଏହାର ସୂତ୍ରଟିକୁ ପାଇବାକୁ ହେଲେ ଆମକୁ ଇଉରୋପୀୟ ରାଜନୀତିର ନିଶ୍ଚିତ ଅନ୍ତଃପ୍ରବାହଗୁଡ଼ିକୁ ମଧ୍ୟ ବୁଝିବାକୁ ପଡ଼ିବ ।

ତା ୨୧.୦୩.୧୯୭୫ ରିଖ

Image

 

ଯୋଗ, ଜୀବନ ଲାଗି

 

ଗତ ସତର ତାରିଖରେ ନୂଆଦିଲ୍ଲୀ ସମ୍ବାଦରୁ ପ୍ରକାଶ ଯେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର କରଣ ସିଂହ କହିଛନ୍ତି, ଯୋଗ, ବିଜ୍ଞାନ ଓ ମନୁଷ୍ୟ ଏହି ବିଷୟକୁ ନେଇ ସେଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଯୋଗ ସମ୍ୱନ୍ଧୀୟ ଗବେଷଣା ଓ ଶିକ୍ଷା ଆଦି ପରିଚାଳନା କରିବା ପାଇଁ ଏକ ସ୍ଥାୟୀ କମିଟି ନିଯୁକ୍ତ କରିବା ଉଦ୍ଦେଶ୍ୟରେ ଏହି ଆଲୋଚନାଚକ୍ର ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା ଓ ସରକାର ତାହା ଗ୍ରହଣ କରିଛନ୍ତି । ଏହା ଗୋଟିଏ ଉତ୍ତମ ପଦକ୍ଷେପ । କିନ୍ତୁ ଯୋଗ ସମ୍ପର୍କରେ ଆମ୍ଭମାନଙ୍କ ମନରେ ଯେଉଁ କେତେକ ଭ୍ରାନ୍ତ ଧାରଣା ରହିଛି, ତାହା ଦୂର ହେବା ଦରକାର ।

 

ଯୋଗର ସାଧନା କଲେ ମଣିଷକୁ ଯେ ଘର ଛାଡ଼ି ଅରଣ୍ୟକୁ ଯିବାକୁ ହୁଏ, ଆମ ଦେଶରେ ଏହି ବିଶ୍ୱାସଟି ପାରମ୍ପରିକ କାଳରୁ ଆମ ସମସ୍ତଙ୍କ ଭିତରେ ପ୍ରାୟ ବଦ୍ଧମୂଳ ହୋଇ ରହିଆସିଛି । ଆମେ ଭାବୁ ଯିଏ ଯୋଗୀ ହେବ ତାକୁ ଘର ଛାଡ଼ିବାକୁ ହେବ । ସଂସାରର ବନ୍ଧନଟିକୁ କାଟିବାକୁ ପଡ଼ିବ, ହିମାଳୟ ଯାଏ ଯିବାକୁ ପଡ଼ିବ । ଯୋଗୀ ହେଲେ ମୁକ୍ତି ମିଳିବ, ଅର୍ଥାତ୍ ସଂସାରରୂପୀ ଦୁଃଖଜାଲରୁ ମୁକ୍ତି ମିଳିବ, ଜୀବନର ଯାବତୀୟ ଦହନରୁ ଛୁଟି ମିଳିଯିବ । ସଂସାରର ଯାବତୀୟ ବନ୍ଧନକୁ ଛଡ଼ାଇଦେଇ ପାରିଲେ ଯାଇ ଭଗବାନଙ୍କର ସାନ୍ନିଧ୍ୟ ମିଳିବ, ସ୍ୱର୍ଗ ମିଳିବ । ଦୁଃଖରୁ ପଳାଇଗଲେ ଅସଲ ସୁଖ ମିଳିବ, ପରିତ୍ରାଣରେ ହିଁ ସଂସାରରେ ଜନ୍ମ ହୋଇଥିବାର ପାପ ଖଣ୍ଡନ ହୋଇଯିବ, ଆଉ ପୁନର୍ଜନ୍ମର ବୋଝକୁ ମୁଣ୍ଡାଇବାକୁ ପଡ଼ିବ ନାହିଁ ।

 

କିନ୍ତୁ ଯୋଗର ଯେଉଁ ଅନ୍ୟ ବିଶ୍ୱାସଟି ନେଇ ଆଜିଠୁ ପଞ୍ଚଷଠି ବର୍ଷ ତଳେ ଶ୍ରୀ ଅରବିନ୍ଦ ପଣ୍ଡିଚେରୀ ଆସିଥିଲେ, ସେଇଟି ଆମକୁ ସଂସାର ଏବଂ ଭଗବାନଙ୍କ ବିଷୟରେ ସଂପୂର୍ଣ୍ଣ ଏକ ଭିନ୍ନ ପ୍ରେରଣା ଦେଇଥାଏ । ଯୋଗର ଯେଉଁ ବିଶ୍ୱାସଟିରେ ଶ୍ରୀ ଅରବିନ୍ଦ ପଣ୍ଡିଚେରୀରେ ସିଦ୍ଧିଲାଭ କରିଥିଲେ, ତାହା ଆମ ଆଗରେ ଜୀବନ ତଥା ଜୀବନର ପରମ ନିଦାନ ବିଷୟରେ ସଂପୂର୍ଣ୍ଣ ଏକ ଭିନ୍ନ ପ୍ରସ୍ଥର ଉନ୍ମୋଚନ କରାଇ ଦେଇଥାଏ । ଯୋଗ ଜୀବନଠାରୁ ବିଚ୍ଛିନ୍ନ ନୁହେଁ, ଯୋଗ ହିଁ ଜୀବନ; ଯୋଗ ହେଉଛି ଯୁକ୍ତ ହେବା ପଥ, ସମସ୍ତ ଜୀବନ ହେଉଛି ଯୋଗ । ଯୋଗଦ୍ୱାରା ମନୁଷ୍ୟ ଆପେ ବହନ କରିସଂସାରକୁ ଆସିଥିବା ଆପଣାର ସର୍ବୋତ୍ତମ ଓ ସର୍ବୋଚ୍ଚ ସତ୍ୟଟି ସହିତ ଯୁକ୍ତ ହୋଇପାରେ, ସେହି ସୂତ୍ରଟିକୁ ଧରି ସିଏ ଏହି ସଂସାରରେ ଅନ୍ୟ ସମସ୍ତଙ୍କ ସହିତ ତଥା ଏହି ସବୁଟି ସହିତ ଯୁକ୍ତ ହୋଇପାରେ । ଯୋଗ ଜୀବନକୁ ପରିପୂର୍ଣ୍ଣ କରେ, ଜୀବନକୁ ତା’ର ପରିପୂର୍ଣ୍ଣତମ ବିସ୍ତାର ଦେଇ ପ୍ରକାଶିତ ହେବାର ବାଟଟିକୁ ଖୋଲିଦିଏ–ଏହି ଧୂଳିକୁ ସୁନ୍ଦର କରେ, ଏହି ଘରଟିକୁ ନିର୍ମଳ କରିଦେଇଯାଏ । ସେଇଥିଲାଗି ଶ୍ରୀ ଅରବିନ୍ଦ ଆପଣାର ଏହି ବିଶେଷ ଦୃଷ୍ଟିଟି ଦେଇ ଯଥାର୍ଥ ଯୋଗକୁ ଆତ୍ମପରିପୂର୍ଣ୍ଣତାର ଯୋଗ ବୋଲି କହିଛନ୍ତି । ଆହୁରି ଅଳପ କଥାରେ ଆମେ ଏହାକୁ ପୂର୍ଣ୍ଣଯୋଗ ବୋଲି କହିଥାଉଁ ।

 

ଆମର ଏହି ମନ୍ଦିରଟିକୁ ନିର୍ମଳ ଅର୍ଥାତ୍‌ ଯଥୋପଯୁକ୍ତ କରିପ୍ରସ୍ତୁତ କରିବାକୁ ହେବ, ଯେପରି କି ଏଠାରେ ସେହି ପରମ ଜୀବନମୟ ସର୍ବୋଚ୍ଚ ସତ୍ୟଟିର ପ୍ରତିଷ୍ଠା ହୋଇପାରିବ–ଆପଣାର ‘‘ଦେବ-ମୁହୂର୍ତ୍ତ’’ ଗ୍ରନ୍ଥରେ ଶ୍ରୀ ଅରବିନ୍ଦ ଆମକୁ ଏହିପରି ଏକ ଆହ୍ୱାନ ଦେଇଛନ୍ତି । ଆମର ଏହି ମନ୍ଦିର, ଅର୍ଥାତ୍ ଆମର ଏହି ଘର, ଏହି ଆଧାର, ଏହି ଆସ୍ଥାନ ଓ ଏହି ନିମିତ୍ତଟିକୁ ଆମକୁ ସର୍ବୋଚ୍ଚ ସତ୍ୟର ଅର୍ଥାତ୍‌ ସର୍ବୋଚ୍ଚ ଏକାତ୍ମତାର ଉପଯୁକ୍ତ କରିଗଢ଼ିବାକୁ ହେବ । ଏହି ଘର ଅର୍ଥାତ୍‌ ଏହି ଦେହ, ଆମର ଏହି ବ୍ୟକ୍ତିଗତ ଜୀବନ ଓ ତାହାକୁ ଏକ ସମଗ୍ରତାର ବେଢ଼ ଦେଇ ରଖିଥିବା ଆମର ଏହି ସାମାଜିକ ଜୀବନ । ଆମର ଘରଟି ଆମ ସ୍ୱପ୍ନ ଓ ଆମ ଆକାଙ୍‌କ୍ଷାର ଯୋଗ୍ୟ ହେବ, ଆମର ଏହି ତଥାକଥିତ ସଂସାରଟି ଆମର ଆଦର୍ଶ ଓ ଆମ ଅଭୀପ୍‌ସାର ଯୋଗ୍ୟ ହେବ । ଆମର ଦେଶ,–ଏଇଟିକୁ ମଧ୍ୟ ଏହି ଦୃଷ୍ଟିରୁ ଶ୍ରୀ ଅରବିନ୍ଦ ଆମର ବିଧିନିର୍ଦ୍ଦିଷ୍ଟ ଘର ବୋଲି କହିଛନ୍ତି । ତେଣୁ ଯୋଗୀ ଲାଗି ଏହି ଦେଶର ମଧ୍ୟ ଏକ ଆବେଦନ ରହିଛି, ଏହି ଦେଶ ତାହାର ଯାବତୀୟ ସମସ୍ୟା ତଥା ସମ୍ଭାବନା ସହିତ ଯୋଗୀର ଏକ ଅବଦାନ ଲାଗି ଅପେକ୍ଷା କରିରହିଛି ।

 

ତା ୨୩.୦୩.୧୯୭୫ ରିଖ

Image

 

ନୂତନ ଉନ୍ମେଷ

 

ଏହିଭଳି ଏକ ଆଧ୍ୟାତ୍ମିକ ପ୍ରୟୋଜନ ଦ୍ୱାରା ପ୍ରେରିତ ହୋଇ ଗତମାସ ୧୮ରୁ ୨୦ ପର୍ଯ୍ୟନ୍ତ ଶ୍ରୀ ଅରବିନ୍ଦ ଆଶ୍ରମ, ପଣ୍ଡିଚେରୀଠାରେ ମଧ୍ୟ ଗୋଟିଏ ଅଖିଳ ଭାରତୀୟ ଆଲୋଚନା ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ସମଗ୍ର ଦେଶରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଶ୍ରୀ ଅରବିନ୍ଦ ଆଶ୍ରମର କେତେଜଣ ପ୍ରବୀଣ ସାଧକ ଏହି ଶିବିରର ପରିଚାଳନା କରିଥିଲେ । ଜାତୀୟ ପୁର୍ନଗଠନ ସମ୍ୱନ୍ଧରେ ଆଲୋଚନା ଶିବିର–ଏହିପରି ଭାବରେ ଶିବିରଟିର ନାମକରଣ ହୋଇଥିଲା । ଏକ ସାଧାରଣ ଅଧିବେଶନରେ ଶିବିରଟିର ଉଦ୍‌ଘାଟନ ହୋଇସାରିବା ପରେ ଶିବିରର ପ୍ରତିନିଧିମାନେ ଚାରୋଟି ବିଶେଷ ଗୋଷ୍ଠୀରେ ବାଣ୍ଟି ହୋଇଯାଇଥିଲେ ଓ ପ୍ରାୟ ଦଶ ଘଣ୍ଟା ସମୟ ଦେଇ ଚାରୋଟି ବିଭିନ୍ନ ବିଷୟରେ ଚର୍ଚ୍ଚା କରିଥିଲେ । ଗୋଟିଏ ଗୋଷ୍ଠୀ ସାମାଜିକ ପୁନର୍ଗଠନର ଚର୍ଚ୍ଚା କରିଥିଲା । ଆଉ ଗୋଟିଏ ଅର୍ଥନୈତିକ ଜୀବନର ସଂଗଠନ ବିଷୟରେ ଚର୍ଚ୍ଚା କରିଥିଲା, ତୃତୀୟ ଗୋଷ୍ଠୀଟି ଜାତୀୟ ଜୀବନର ଯାବତୀୟ ଉଦ୍ୟମରେ ଆଧ୍ୟାତ୍ମିକତାକୁ ହିଁ କିପରି ଭୂମି କରିରଖିବାକୁ ହେବ, ତାହାରି ଚର୍ଚ୍ଚା କରିଥିଲା ଏବଂ ଚତୁର୍ଥ ଗୋଷ୍ଠୀ ନୂତନ ଶିକ୍ଷା ବିଷୟରେ ଚର୍ଚ୍ଚା କରିଥିଲା । ଏମାନେ କେବଳ ଏସବୁ ବିଷୟରେ ଚର୍ଚ୍ଚା କରିନଥିଲେ; ମାତ୍ର ଶ୍ରୀ ଅରବିନ୍ଦଙ୍କର ବିଚାର ଓ ଭବିଷ୍ୟତ ଦୃଷ୍ଟିକୁ ଭିତ୍ତି କରିଏହିସବୁ କ୍ଷେତ୍ରରେ ଆଗାମୀ କେତୋଟି ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିପାରିବା ଭଳି କେତେକ କାର୍ଯ୍ୟକ୍ରମ ମଧ୍ୟ ଦେଲେ । ଶ୍ରୀ ଅରବିନ୍ଦ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ଜଣେ ସଂଗ୍ରାମୀ ଥିଲେ, ଶିକ୍ଷାର କ୍ଷେତ୍ରରେ ସେ ଆପଣାର ନାନା ବିଚାର ପ୍ରକଟ କରିଥିଲେ । ସେହି ବିଚାରକୁ ମୂଳପ୍ରେରଣା ରୂପେ ଗ୍ରହଣକରି ଗତ ପ୍ରାୟ ପଚିଶି ବର୍ଷ ହେଲା ଶିକ୍ଷାର ଏକ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ରମର ପ୍ରୟୋଗ ପଣ୍ଡିଚେରୀରେ ହୋଇଆସୁଛି । ପଣ୍ଡିଚେରୀ ଆଶ୍ରମରେ ଆଧ୍ୟାତ୍ମିକତାକୁ ଜୀବନର ମୂଳ ଅଭୀଷ୍ଟ ରୂପେ ଗ୍ରହଣ କରିଅର୍ଥନୀତି ଚାଲୁଚି, ଶିଳ୍ପ ଚାଲୁଛି, ଏକ ପୂର୍ଣ୍ଣତର ଜୀବନର ଅଭିଳାଷୀ ସମାଜଟିଏ ମଧ୍ୟ ଚାଲୁଛି । ତେଣୁ ଏହିପରି ଏକ କେନ୍ଦ୍ରରେ ଯେ ଏଭଳି ଆଲୋଚନା-ଶିବିରଟିଏ ଅନୁଷ୍ଠିତ ହେଲା, ତାହାର ଅନେକ ତାତ୍ପର୍ଯ୍ୟ ରହିଛି । ଆମ ଭିତରୁ ଯେଉଁମାନେ ଆପଣାର ଏହି ଯୁଗଟିକୁ ପାରମ୍ପରିକ ରୀତିରୁ ଏକ ଭିନ୍ନ ରୂପ ଦେଇ ମୁହାଁଇ ନେବାକୁ ଚାହାନ୍ତି, ଯେଉଁମାନେ ଏପର୍ଯ୍ୟନ୍ତ ନିରାଶ ହୋଇ ପଡ଼ିନାହାନ୍ତି ଓ ଦେଶ ତଥା ଜଗତ ସମ୍ୱନ୍ଧରେ ଯେଉଁମାନେ ତଥାପି ଏକ ଉଜ୍ଜ୍ୱଳ ଆଶା ରଖିଛନ୍ତି ଓ ଆପଣାର ବିଶ୍ୱାସକୁ ମୂଳ କରିବାଟ ଚାଲୁଛନ୍ତି; ସେମାନଙ୍କ ଲାଗି ଏଭଳି ଉଦ୍ୟମଗୁଡ଼ିକର ଏକ ବିଶେଷ ତାତ୍ପର୍ଯ୍ୟ ରହିଛି ।

 

ଏହି ବିଶ୍ୱାସରୁ ହିଁ ନୂତନର ସଂସ୍ଥାପନ ହୁଏ । ଯୁଗ ମଧ୍ୟରୁ ହିଁ ଯୁଗକୁ ନୂତନ କରିଗଢ଼ିବା ଲାଗି ନିମିତ୍ତମାନେ ତିଆରି ହୋଇ ଆସନ୍ତି । ଯୁଗ ଯୁଗ ଧରି ଜମାଟ ବାନ୍ଧି ହୋଇ ବସି ରହିଥିବା ବରଫ ଭିତରୁ ହିଁ ନୂତନ ଉନ୍ମେଷଟି ଉତ୍ସାହର ଜଳଧାରା ରୂପେ ପ୍ରବାହିତ ହୋଇଆସେ ।

 

ତା ୨୩.୦୩.୧୯୭୫ରିଖ

Image

 

ପୃଥିବୀକୁ କେତେଭାଗ କରିବା ?

 

ଯେଉଁଠାରେ ଇଉରୋପ ସରିଛି ଏବଂ ଏସିଆ ମହାଦେଶ ଆରମ୍ଭ ହୋଇଛି ସେଇଠି ଭୂମଧ୍ୟ ସାଗରର କଣକୁ ସାଇପ୍ରସ୍‌ ବୋଲି ଏକ ଦ୍ୱୀପ ଅଛି । ଆୟତନରେ ଆମ ଓଡ଼ିଶାଠାରୁ ବି କମ୍‌ ହେବ । କମଳାଲେମ୍ୱୁ ଓ ଖଜୁରୀକୋଳି ସେଠାରେ ପ୍ରଧାନ ଉତ୍ପାଦିତ ଦ୍ରବ୍ୟ । ଦୁଇଟାଯାକ ଅଧିକରୁ ଅଧିକ ପାହାଡ଼ । ସମୁଦ୍ରକୂଳରେ ସାନ ସାନ ବନ୍ଦରମାନ ଏବଂ ଦ୍ୱୀପଟିର ମଝିରେ ଏକ ସୁନ୍ଦର ମାଳଭୂମି ଉପରେ ରମଣୀୟ ଭାବରେ ଅବସ୍ଥିତ ରାଜଧାନୀ ନିକୋସିଆ ସହର ।

 

ଅତି ପ୍ରାଚୀନ କାଳରେ ସାଇପ୍ରସ୍‌ ଗ୍ରୀକ୍‌ ସଂସ୍କୃତିର ହିଁ ଏକ ସଂପ୍ରସାରିତ ଅଂଶ ହୋଇ ରହିଥିଲା । ଅର୍ଥାତ୍‌ ଗ୍ରୀକ୍‌ ସ୍ଥପତି ଓ ଗ୍ରୀକ୍‌ କଳା ଏଥେନ୍‌ସ ନଗରୀଠାରୁ କ୍ରେଟାଦ୍ୱୀପ ହୋଇ ସାଇପ୍ରସ୍‌ ଯାଏ ଲମ୍ୱି ରହିଥିଲା । ତା’ପରେ ଉପରୁ ତୁର୍କୀମାନେ ବି ଆସିଲେ । ସାଇପ୍ରସ୍‌ ଦ୍ୱୀପ ତୁର୍କୀ ଏବଂ ଗ୍ରୀକ୍‌ ଉଭୟ ଜାତି ଲୋକଙ୍କର ଘର ହୋଇ ରହିଲା । ସେମାନେ ଏକାଠି ପରସ୍ପରର ପଡ଼ିଶା ପରି ରହିଥିଲେ, ସମସ୍ତ ଦ୍ୱୀପଟିକୁ ଆପଣାର ଭାଗ୍ୟ ତଥା ଆପଣାର ଭୂମି ବୋଲି ଆଦରି ନେଇଥିଲେ । ତା’ପରେ ବ୍ରିଟିଶ ସାମ୍ରାଜ୍ୟର ଅଧୀନରେ ଏକ ଉପନିବେଶ ହୋଇ ସାଇପ୍ରସ କେତେ ପୁରୁଷ ଧରି ରହିଲା । ବ୍ରିଟିଶ ସାମ୍ରାଜ୍ୟ ଯୁଆଡ଼େ ଯାଉଥିଲା, ସେଠି ମଉରସୀ ଘରକୁ ପ୍ରଥମେ ଦୁଇ ଭାଗରେ ଫଟାଇ ଆପଣାର ରାଜତ୍ୱକୁ ଚଉକଷ ଓ ଦୋରସ୍ତ କରିବା ହିଁ ତାହାର ପବିତ୍ର ନୀତି ହୋଇଥିଲା । ଠିକ୍‌ ସେହି ନୀତି ଅନୁସାରେ ଏହି ସାନ ଦ୍ୱୀପ ସାଇପ୍ରସ୍‌ରେ ମଧ୍ୟ ଗୋଟିଏ ଘର କ୍ରମେ ଦୁଇ ଖଣ୍ଡ ହେଲା ।

 

ଏହି ଶତାବ୍ଦୀର ପଞ୍ଚମ ଦଶକରେ ସାଇପ୍ରସ୍‌ ସ୍ୱାଧୀନ ହେଲା । ପୃଥିବୀଯାକ ବ୍ରିଟିଶ ସାମ୍ରାଜ୍ୟର ଦେହୁଡ଼ିଗୁଡ଼ାକ ଭୁଷୁଡ଼ି ପଡ଼ିଲା ପରି ଏଠି ମଧ୍ୟ ତାହା ଭୁଷୁଡ଼ି ପଡ଼ିଥିଲା । ଇଂରେଜ ଶାସନ ବିଦା ହୋଇଗଲା । ସାଇପ୍ରସ୍‌ରେ ସ୍ୱାଧୀନ ଶାସନ ଚାଲିଲା । ଗ୍ରୀକ୍‌ ଆର୍ଚ୍ଚବିଶପ୍‌ ମାକାରିଅସ୍‌ ଦେଶର ସର୍ବପ୍ରଥମ ରାଷ୍ଟ୍ରପତି ହେଲେ, ଜଣେ ତୁର୍କୀଭାଷୀ ନେତା ଉପରାଷ୍ଟ୍ରପତି ହେଲେ । ତୁର୍କୀ ଏବଂ ଗ୍ରୀସ୍‌ ସହିତ ସାଇପ୍ରସ୍‌ ମଧ୍ୟ ଆମେରିକାର ନେତୃତ୍ୱ ତଥା ଅସ୍ତ୍ରଧନରେ ଗଢ଼ା ଯାଇଥିବା ସାମରିକ ମେଣ୍ଟରେ ଏକ ସଦସ୍ୟ ହୋଇ ରହିଲା । ମନେହେଲା, ସାଇପ୍ରସ୍ ସେହିସବୁ ଭିତରେ କୁଆଡ଼େ ଅଶ୍ରୁତ ହୋଇ ରହିଗଲା,–କିନ୍ତୁ ସେଇଠି ତଥାପି ଏତେ ନିଆଁ କ୍ରମେ କୁହୁଳି ଉଠିବାକୁ ରହିଥିଲା ବୋଲି କିଏ ଜାଣିଥିଲା ?

 

ସାଇପ୍ରସ୍‌ରେ ଅରାକରେ ଗ୍ରୀକ୍‌ ଗାଆଁ ତ ଆଉ ଅରାକରେ ତୁର୍କୀ ଗାଆଁ । ଗୋଟାଏ ପାଖରେ ଗ୍ରୀକ୍‌ ଭାଷା, ଗ୍ରୀକ ସଂସ୍କୃତି ଓ ଗ୍ରୀକ୍‌ ରାଜନୀତି ଓ ଆଉ ଗୋଟାଏ ପାଖରେ ତୁର୍କୀ ଭାଷା, ତୁର୍କୀ ସଂସ୍କୃତି, ଓ ତୁର୍କୀ ରାଜନୀତି । ସାଇପ୍ରସ୍‌ର ଉତ୍ତରକୁ ମାତ୍ର କେତେ ମାଇଲ୍‍ର ସମୁଦ୍ରଖାଡ଼ୀ ସେପାଖରେ ବିରାଟକାୟ ତୁର୍କୀ ଦେଶ ଓ ତେଣେ ପଶ୍ଚିମରେ ଅତି ନିକଟରୁ କ୍ରେଟା ପାଖରୁ ହିଁ ଗ୍ରୀସ୍‌ ଦେଶ ଆରମ୍ଭ ହୋଇଛି । ଏଇଠୁ କଜିଆର ମଞ୍ଜି ପୋତାଗଲା । ସେହି ମଞ୍ଜି ମୂଳତଃ ଗ୍ରୀସ୍‌ ଆଉ ତୁର୍କୀ ଉଭୟ ଦେଶରୁ ରପ୍ତାନି ହୋଇ ଆସିଲା । ଗ୍ରୀସ୍‌ ସରକାର ସାଇପ୍ରସ୍‌ରେ ବାସ କରୁଥିବା ଗ୍ରୀକ୍‌ମାନଙ୍କର ଭାଗ୍ୟକୁ ଆପଣାର ଖାସ୍‌ମାହାଲ ବୋଲି ଭାବିଲେ ଓ ତେଣେ ତୁର୍କୀ ସରକାର ମଧ୍ୟ ସାଇପ୍ରସ୍‌ରେ ବାସ କରୁଥିବା ତୁର୍କୀମାନଙ୍କର ଭାଗ୍ୟକୁ ଆପଣାର ଖାସ୍‌ମାହାଲ ବୋଲି ଭାବିଲେ । ଗୋଟିଏ ଦେଶର ଅନୁରକ୍ତି କ୍ରମେ ଦୁଇ ଖଣ୍ଡ ହୋଇଗଲା । ଏହି ଦ୍ୱିଭାଜିତ ଘରକୁ ଆହୁରି ବିଭକ୍ତ କରିରଖିବା ଲାଗି ଗ୍ରୀସ୍‌ ଏବଂ ତୁର୍କୀ ଉଭୟ ଦେଶରୁ ପଇସା ଆସିଲା, ଠେଙ୍ଗା ଆସିଲା, ଦୁଷ୍ଟବୁଦ୍ଧି ମଧ୍ୟ ଆସିଲା । ସାଇପ୍ରସ୍‌ର ଗୋଟିଏ ମନ କ୍ରମେ ଦୁଇଟି ସାହିରେ ବିଭକ୍ତ ହୋଇଗଲା ।

 

ଗ୍ରୀସ୍‌ଦେଶରେ ଅଳ୍ପଦିନ ତଳେ ରାଜା ଥିଲେ, ଏବେ ସୈନ୍ୟାଧ୍ୟକ୍ଷମାନେ ସେଠାରେ ଶାସନ କରୁଛନ୍ତି, ଅର୍ଥାତ୍ ସାମରିକ ଉପାୟରେ ସେମାନେ ସେଠାରେ ଦେଶଟାକୁ ଗଣତନ୍ତ୍ର ଲାଗି ମଣ କରିବାରେ ଲାଗିଛନ୍ତି । ଲୋକଙ୍କର ମୁହଁକୁ ବନ୍ଦ କରିରଖାଯାଇ ଓ ସକଳ ପ୍ରକାର ଅନ୍ୟମତର ଗୋଛି କାଟି ସେଠି ସାମରିକ ସାମନ୍ତମାନେ ଦେଶର ଅଗ୍ରଗତି ସାଧନ କରିବାରେ ଲାଗିଛନ୍ତି ।

 

ଏହି ଶତାବ୍ଦୀର ଆରମ୍ଭରେ ତୁର୍କୀକୁ ଇଉରୋପର ମଳୁ ବୋଲି କୁହାଯାଉଥିଲା । ତା’ପରେ ସେଠି ଏକଛତ୍ରାଧିପତି ହୋଇ କାମାଲପାଶା ଆସିଲେ, ଆଇନ କରିଦେଶଟାକୁ ଆଧୁନିକ କଲେ, ଅର୍ଥାତ୍ ଇଉରୋପୀୟ ଛାଞ୍ଚରେ ନେଇ ପକାଇଲେ । ସେହିଦିନଠାରୁ ଏପର୍ଯ୍ୟନ୍ତ ସେ ଦେଶରେ ରାଜନୀତିକ ଏବଂ ଅନ୍ୟାନ୍ୟ ନାନା ଅସ୍ଥିରତା ଲାଗି ରହିଛି । ଅର୍ଥାତ୍ ଗ୍ରୀସ ଓ ତୁର୍କୀ ଦୁଇ ଦେଶରେ ସାଧାରଣ ପ୍ରଜାଙ୍କର ମୁହଁ ବନ୍ଦ ରହିଛି । ଅସନ୍ତୋଷ କୁହୁଳୁଛି ଏବଂ ସେହି ଅସନ୍ତୋଷକୁ ଅନ୍ୟତ୍ର ହୁଡ଼ାଇ ଦେବାକୁ ଗ୍ରୀକ୍‌ ଓ ତୁର୍କୀ ଉଭୟ ସରକାର ସାଇପ୍ରସ୍‌କୁ ମୋହକ ରୂପେ ବ୍ୟବହାର କରୁଛନ୍ତି । ସାଇପ୍ରସ୍‌ ଦୁଇ ଖଣ୍ଡ ହେଉ ବୋଲି ପ୍ରରୋଚନା ଦେଇ ସେଠି ଲୋକମାନଙ୍କୁ ଉସକାଇ ରଖିବା ପାଇଁ ଅସ୍ତ୍ର ପଠାଉଛନ୍ତି, କେତେବେଳେ ସୈନ୍ୟ ମଧ୍ୟ ପଠାଉଛନ୍ତି ।

 

ବର୍ତ୍ତମାନ ତୁରସ୍କର ସୈନ୍ୟମାନେ ସାଇପ୍ରସ୍‌ର ୪୦% ଭୂମି ଅଧିକାର କରିରହିଛନ୍ତି । ଦେଶର ଆର୍ଥିକ ସମ୍ପଦର ପ୍ରାୟ ୭୦ ଭାଗ ସେମାନଙ୍କର ହାତରେ ରହିଛି । ଦାବୀ ହେଉଛି ଯେ, ସାଇପ୍ରସ୍‌କୁ ଏହାରି ଭିତରେ ଦୁଇ ଖଣ୍ଡ କରିଦିଆଯାଉ ଓ ସେଠାରେ ଦୁଇଟି ରାଷ୍ଟ୍ରର ପ୍ରତିଷ୍ଠା ହେଉ-। ତେଣେ ଗ୍ରୀକ୍‌ ଉଗ୍ରବାଦୀ ଏନୋସିସ୍‌ ବୋଲି ଗୋଟିଏ ସଂସ୍ଥା ସାଇପ୍ରସ୍‌କୁ ଗୋଟାସୁଦ୍ଧା ଗ୍ରୀକ୍‌ ଦେଶ ସହିତ ମିଶାଇ ଦିଆଯାଉ ବୋଲି ସନ୍ତ୍ରାସବାଦ କରିବାରେ ଲାଗିଛନ୍ତି । ଆମେରିକାରୁ ଆସିଥିବା ଅସ୍ତ୍ରରେ ଦୁଇପକ୍ଷର ଲଢ଼ାଇ ଚାଲିଛି ।

 

ଗୋଟାଏ ଘରକୁ ଦୁଇଭାଗ କଲେ ଘର ଶାନ୍ତ ହୋଇଯିବ ବୋଲି ଯେଉଁମାନେ କହନ୍ତି, ସେମାନେ ମଣିଷର ସମସ୍ୟାକୁ ନେଇ ଫିସାଦ କରିବାରେ ଲାଗିଥାନ୍ତି । ଏହି ବିଚାରରେ ଭାରତବର୍ଷକୁ ମଧ୍ୟ ମାଲିକକୁ ଭଲଲୋକ କରିବସାଇ ଏକଦା ଦୁଇଖଣ୍ଡ କରାଯାଇଥିଲା । ପୃଥିବୀକୁ ଏହିପରି ଆମେ କେତେ ଭାଗ କରିବା ? ଭାଗ ଭାଗ ହେଲେ ପୃଥିବୀରେ ଶାନ୍ତି ଆସିବ ନା ସମଗ୍ର ମନୁଷ୍ୟ ଜାତିକୁ ଏକ କରିଆଣିଲେ ଶାନ୍ତି ଆସିବ ? ଅନେକ ଭାଷା, ଅନେକ ସଂସ୍କୃତି ଓ ଅନେକ ଆର୍ଦଶ ସତ୍ତ୍ୱେ ଆମେ କ’ଣ କେବେହେଲେ ପରସ୍ପର ସହିତ ଗୋଟିଏ ଭାଗ୍ୟ ଓ ଗୋଟିଏ ବ୍ରତର ଅଧିକାରୀ ହୋଇ ବାସକରିପାରିବା ନାହିଁ ?

 

ତା ୨୪.୦୩.୧୯୭୫ ରିଖ

Image

 

ମରଣର ବଣିକ

 

ପାକିସ୍ଥାନ ସହିତ ଅସ୍ତ୍ରଶସ୍ତ୍ର କାରବାର କରିବେ ନାହିଁ ବୋଲି ଆମେରିକା ସରକାର ୧୯୬୫ ମସିହାରେ ଯେଉଁ ନିଷ୍ପତ୍ତି କରିଥିଲେ, ଏବେ ସେହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ୧୯୬୫ ମସିହାରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଲଢ଼େଇ ଲାଗିଥିଲା । ସେତେବେଳେ ପାକିସ୍ଥାନ ଆମେରିକାରୁ ପାଇଥିବା ଅସ୍ତ୍ର ସାହାଯ୍ୟ ବଳରେ ହିଁ ଭାରତ ସହିତ ଲଢ଼େଇ କରିଥିଲା । ଦଶବର୍ଷ ହେଲା ଯେଉଁ ସାହାଯ୍ୟ ଆପାତତଃ ସ୍ଥଗିତ ରହିଥିଲା, ଏବେ ତାହା ପୁଣିଥରେ ଆରମ୍ଭ କରାଯିବ । ସ୍ୱୟଂ ଆମେରିକା ସରକାରଙ୍କର ପକ୍ଷରୁ ଏହି ଘୋଷଣାଟି କରାଯାଇ ସାରିଲାଣି ।

 

ଭାରତବର୍ଷକୁ ଏବେ ଆମେରିକାରର ରାଷ୍ଟ୍ରଦୂତ ହୋଇ ଆସିଥିବା ସାକ୍‌ସ୍‌ବେ ସାହେବ ଆମକୁ ବୁଝାଇଦେଇ କହିଛନ୍ତି ଯେ ପୂର୍ବ ନିଷ୍ପତ୍ତିଟିର ପରିବର୍ତ୍ତନ ଫଳରେ ଆମେରିକା ସରକାର ପାକିସ୍ଥାନକୁ ମୋଟେ ଦଶକୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇବେ ଏବଂ ଏହି ଯୋଗାଣ ଦାନ ବା ସାହାଯ୍ୟ ଆକାରରେ ହେବନାହିଁ, ସଂପୂର୍ଣ୍ଣ ବଣିଜ ଆକାରରେ ହେବ । ଅର୍ଥାତ୍ ଆମେରିକା ବିକିବ ଓ ପାକିସ୍ଥାନ ପଇସା ଦେଇ କିଣିବ ଏବଂ ଆମେରିକା ସରକାର ପାକିସ୍ଥାନକୁ କୌଣସି ନୂଆ ପ୍ରକାରର ଅସ୍ତ୍ରଶସ୍ତ୍ର ଦେବେନାହିଁ । ସିଏ କେବଳ ପୁରୁଣାପୁରୁଣି ଦେବେ; ଅର୍ଥାତ୍ ଅଧିକ ଉନ୍ନତ ଉଦ୍‌ଭାବନ ଫଳରେ ଆମେରିକାରେ ଦିନକୁଦିନ ନୂଆ ନୂଆ ଅସ୍ତ୍ରଶସ୍ତ୍ର ତିଆରି ହେଉଥିବା ଯୋଗୁଁ ସେଠାରେ ଗଚ୍ଛିତ ଓ ପୂର୍ବରୁ ପ୍ରସ୍ତୁତ ଯେଉଁସବୁ ଅସ୍ତ୍ରଶସ୍ତ୍ର ଆମେରିକାର ସାମରିକବାହିନୀ ଦ୍ୱାରା ଆଉ ବ୍ୟବହୃତ ହେବାର ପ୍ରାୟ କୌଣସି ସମ୍ଭାବନା ନାହିଁ, ଆମେରିକା ସରକାର ପ୍ରଧାନତଃ ସେହିଗୁଡ଼ିକୁ ହିଁ ଦାନ ବା ସାହାଯ୍ୟ ହିସାବରେ ଅନ୍ୟ ଦେଶମାନଙ୍କୁ ଦେଇଥାନ୍ତି ଓ ବିକ୍ରୀ ମଧ୍ୟ କରିଥାନ୍ତି । ଯେକୌଣସି ଅକଲମନ୍ଦ ବେପାରୀର ସର୍ବତଃ ତାହାହିଁ କରିବାର କଥା । ବଣିଜର କ୍ଷେତ୍ରରେ ଏଇଟା ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ସୂତ୍ର ।

 

୧୯୬୫ ମସିହା ପର୍ଯ୍ୟନ୍ତ ପାକିସ୍ଥାନ ଆମେରିକା ସରକାରଙ୍କଠାରୁ ପ୍ରାୟ ୭୩ କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର କେବଳ ଦାନ ଓ ସାହାଯ୍ୟ ଆକାରରେ ହିଁ ପାଇଥିଲା । ପାକିସ୍ଥାନରେ ଅସ୍ତ୍ରଶସ୍ତ୍ରର ଫ୍ୟାକ୍ଟରୀ ଇତ୍ୟାଦି ବସାଇବା ଭଳି ଅନ୍ୟ ସୂତ୍ରରେ ମଧ୍ୟ ଆମେରିକା ପାକିସ୍ଥାନକୁ ଆହୁରି ୧୩୦ କୋଟି ଡଲାର ଦାନ ଓ ସାହାଯ୍ୟ ଦେଇଥିଲା । ଆମେରିକାର ରାଷ୍ଟ୍ରଦୂତ ଯାହାହେଉ କହିଛନ୍ତି ଯେ ଏଥର ଆମେରିକା ପାକିସ୍ଥାନକୁ କେବଳ ଅସ୍ତ୍ରଶସ୍ତ୍ର ବିକିବ, କୌଣସି ସାହାଯ୍ୟ ଦେବନାହିଁ । ଅବଶ୍ୟ ଏକଥା ସତ ଯେ ବଡ଼ ବଡ଼ ବେପାରୀମାନେ ପୁରୁଣା ଜିନିଷଗୁଡ଼ାକୁ ଯେଉଁଭଳି ନିୟମରେ ବିକନ୍ତି, ଆମେରିକା ଠିକ୍ ସେହିଭଳି ନିୟମରେ ହିଁ ବିକିବ । ଅର୍ଥାତ୍ ଯେଉଁସବୁ ସରଞ୍ଜାମ ଆମେରିକାର କୌଣସି କାର୍ଯ୍ୟରେ ଲାଗି ନଥାନ୍ତା, ଯେଉଁଗୁଡ଼ାକ କେବଳ ଗୋଦାମଗୁଡ଼ାକୁ ପୂର୍ଣ୍ଣକରିରଖି ଆମେରିକା ଲାଗି କେବଳ ଏକ ସ୍ଥାନାଭାବର ସମସ୍ୟା ହିଁ ସୃଷ୍ଟି କରିଥାନ୍ତା, ଆମେରିକା ସେଗୁଡ଼ାକୁ ପ୍ରାୟ ମାଗଣା ଦେଇଦେଲା ପରି ବିକିବ । ଲୁହାକୁ ଲୁଣ ମୂଲ୍ୟରେ ବିକିବତ, ଗୋରସକୁ ତୁଚ୍ଛା ପାଣି ମୂଲ୍ୟରେ ବିକିବ । ଚୁକ୍ତିରେ ୟେପରି କଥାବାର୍ତ୍ତା ହୋଇଛି, ୧୦୦ ଟଙ୍କାର ମାଲ ପ୍ରାୟ ୭ ରୁ ୧୫ ଟଙ୍କାରେ ବିକ୍ରି ହେବ । ଅର୍ଥାତ୍ ବଦଳିଆ ହିସାବ ଅନୁସାରେ, ପାକିସ୍ଥାନ ୧୦ କୋଟି ଡଲାର ଦେଇ ୧୦୦ କୋଟି ଡଲାର୍‌ର ମାଲ କିଣିବାକୁ ପାଇବ । ଏହି ମାଲ ଭିତରେ ପାଟନ୍ ଟ୍ୟାଙ୍କ୍ ରହିବ ଷ୍ଟାର୍ ଲଢ଼ୁଆ ବିମାନ ମଧ୍ୟ ରହିବ ।

 

ମାତ୍ର ପାଞ୍ଚମାସ ତଳେ ଆମେରିକା ସରକାରଙ୍କର ଖାସ୍‌ ମୁଖପାତ୍ର ଡାକ୍ତର କିସିଞ୍ଜର୍‌ ଭାରତକୁ ଆସିଥିବା ସମୟରେ ହଲପ କରିକହିଥିଲେ ଯେ ଆମେରିକା ୧୯୬୫ ନିଷ୍ପତ୍ତିକୁ କେବେହେଲେ ଭାଙ୍ଗିବ ନାହିଁ ଓ ତେଣୁ ପାକିସ୍ଥାନ ସହିତ କୌଣସି ପ୍ରକାର ସାମରିକ ସାହାଯ୍ୟ କାରବାର କରିବ ନାହିଁ । କିନ୍ତୁ ଏହି ଅଳ୍ପ କେଇଟା ମାସ ଭିତରେ ପୁଣି ସବୁ ବଦଳିଗଲା କାହିଁକି ? ପାକିସ୍ଥାନର ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ଡକାଇ ନିଆଯାଇ ତାଙ୍କ ହାତରେ ଏହି ନୂତନ ଦାନଟିକୁ ସମର୍ପି ଦିଆଗଲା କାହିଁକି ?

 

ଭାରତବର୍ଷ ହେଉଛି ଆମେରିକାର ବନ୍ଧୁ । ଏକଥା ଆମେରିକାର ସରକାର କର୍ତ୍ତାମାନେ ସବୁବେଳେ କହି ଆସିଛନ୍ତି । କିନ୍ତୁ ପାକିସ୍ଥାନ ହେଉଛି ଆମେରିକାର ପଟ । ଅର୍ଥାତ୍ ପାକିସ୍ଥାନର ପ୍ରାୟ ସୃଷ୍ଟି ହେବା ଦିନଠାରୁ ସେହି ଦେଶକୁ ଆମେରିକା ଆପଣାର ପଟରେ ରଖି ଆସିଛି । ପୃଥିବୀକୁ ଯୁଦ୍ଧର ପ୍ରସ୍ତୁତି ଜରିଆରେ ଶାନ୍ତିରେ ରଖିବାଲାଗି ଆମେରିକା ତରଫରୁ ଯେତେବେଳେ ସାମରିକ ମେଣ୍ଟ ବା ଚୁକ୍ତିର ବରାଦ ହୋଇଛି, ପାକିସ୍ଥାନ ସେହିଗୁଡ଼ିକରେ ଏକ ସକ୍ରିୟ ପଟ ହୋଇ ରହିଆସିଛି । ଏହି ଉପମହାଦେଶର ଘରଭିତରେ ପଶି ଏଠିକାର ନାନା ମାମଲାରେ ପ୍ରବେଶ କରିବାକୁ ପାକିସ୍ଥାନ ଆମେରିକା ଲାଗି ସତେଅବା ଏକ ଛିଦ୍ର ଯୋଗାଇ ଦେଇଛି । ପୃଥିବୀର ସର୍ବତ୍ର ଆମେରିକା ପରେ ଯେଉଁମାନେ ଅଛନ୍ତି, ସେମାନେ ସମସ୍ତେ ଆମେରିକାଠାରୁ ଅତ୍ୟନ୍ତ ଉଦାର ଭାବରେ ସାମରିକ ସାହାଯ୍ୟ ପାଉଛନ୍ତି । ଖାଲି ପାକିସ୍ଥାନ କାହିଁକି ସେଥିରୁ ବଂଚିତ ହୋଇ ରହିବ ?

 

ଯେତେଥର ଆମେରିକାରୁ ପାକିସ୍ଥାନକୁ ସାମରିକ ସାହାଯ୍ୟ ଆସିଛି, ସେତେଥର କୌଣସି ନା କୌଣସି ଆଳରେ ଏହି ଉପମହାଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି ଓ ଲଢ଼େଇ ଆରମ୍ଭ ହୋଇଯାଇଛି । ଏଥର କ’ଣ ସେଇଆ ହେବାକୁ ଯାଉଛି କି ? ଆମେରିକା ସିନେଟର ଜଣେ ସଭ୍ୟ ଏହି ଘଟଣାଟି ଉପରେ ଏକ ବିବୃତ୍ତି ଦେଇ କହିଛନ୍ତି, ‘‘ଏଥର ପାକିସ୍ଥାନ ଆମଠାରୁ ଯେଉଁ ଆଧୁନିକ ଅସ୍ତ୍ରଶସ୍ତ୍ର କିଣିବ, ତାହା ବର୍ତ୍ତମାନ ଆମେରିକା ଲାଗି ମଧ୍ୟ ଆଦୌ ହିତକାରୀ ହେବନାହିଁ । ଆମ ଦେଶରେ ଥିବା ‘ମରଣର ବଣିକମାନେ ଏହା ପୂର୍ବରୁ ସେହି ଉପମହାଦେଶରେ ଯୁଦ୍ଧ ଲଗାଇଦେବାରେ ଦୁଇଥର ନିମିତ୍ତ ପରି କାର୍ଯ୍ୟ କରିଛନ୍ତି ଏବଂ ଯଦି ଆଉଥରେ ଆମ ସାହାଯ୍ୟ ଫଳରେ ସେଠାରେ ସେହିପରି ଆଉ ଗୋଟିଏ ସଂଘର୍ଷ ଉପୁଜିବାକୁ ଯାଉଥାଏ, ତେବେ ଆମର କଦାପି ସେଇଟି ବିଷୟରେ ଆଖି ବୁଜିଦେଇ ବସିବା ଉଚିତ ନୁହେଁ ।’’

 

ମରଣର ବଣିକମାନେ ଆଜି ପୃଥିବୀରେ ସବୁଠାରୁ ପ୍ରବଳ ହୋଇ ବାହାରିଥିଲା ପରି ମନେ ହେଉଛି । ଏମାନେ ପ୍ରାୟ ସବୁଠାରେ ଆପଣା ଆପଣାର ସରକାରକୁ ନିଜର ପ୍ରାୟ ବୋଲକରା କରିରଖିଛନ୍ତି । ଏହିମାନଙ୍କର ବୋଲ ଅନୁସାରେ ପ୍ରତିଶ୍ରୁତି ଦିଆଯାଉଛି, ପ୍ରତିଶ୍ରୁତି ଭାଙ୍ଗୁଛି । ଏମାନଙ୍କର ମରଜି ଅନୁସାରେ ମଣିଷକୁ ମଣିଷ ସହିତ ଲଢ଼ାଇ ଦିଆଯାଉଛି । ଯେଉଁ ଯୁଗଟିକୁ ଯଥାର୍ଥରେ ଏକ ଅଭୂତପୂର୍ବ ମାନବୀୟ ଅଗ୍ରଗତିର ଯୁଗବୋଲି କୁହାଯାଇ ପାରନ୍ତା, ଏକ କୁଚକ୍ରାନ୍ତ ଫଳରେ ସେଇଟି ମରଣର ବଣିକମାନଙ୍କର ହିଁ ହାତମୁଠାରେ ଆସି ରହିଛି ।

 

ତା ୨୬.୦୩.୧୯୭୫ ରିଖ

Image

 

ସୀମାନ୍ତ ଗାନ୍ଧୀ କାହାନ୍ତି ?

 

ଭାରତ ଆଉ ପାକିସ୍ଥାନ ତିଆରି ହେଲାବେଳେ ଏହି ଭାରତ ଭୂଖଣ୍ଡକୁ ଯେଉଁ କ୍ଷତଟିକୁ ସହିବାକୁ ହୋଇଥିଲା, ସୀମାନ୍ତ ଗାନ୍ଧୀ ସମ୍ଭବତଃ ତାହାର ସବୁଠାରୁ ବଡ଼ ସନ୍ତକ ହୋଇ ରହିଛନ୍ତି । ଦେଶ ବିଭାଜନର ଆଘାତଟିକୁ ସିଏ ସମ୍ଭବତଃ ସବୁଠାରୁ ଅଧିକ ସହିଛନ୍ତି । ଏବଂ, ଉପନିବେଶ ଶାସନରୁ ଆମ ସମସ୍ତଙ୍କୁ ମୁକ୍ତ କରିବାରେ ସିଏ ଜଣେ ଅଗ୍ରଗାମୀ ସଂଗ୍ରାମୀ ହିସାବରେ ଅଂଶ ଗ୍ରହଣ କରିଥିଲେ । ତାଙ୍କ ଗାଆଁରେ ଓ ତାଙ୍କ ପ୍ରଦେଶରେ ତାଙ୍କୁ ଲୋକମାନେ ବାଦଶାହ ଖାଁ ବୋଲି ଚିହ୍ନନ୍ତି, ସରକାରୀ ଖାତାପତ୍ରରେ ତାଙ୍କ ନାଆଁ ଖାଁ ଅବଦୁଲ୍ ଗଫୁର ଖାଁ ବୋଲି ଲେଖାଯାଇଛି ଏବଂ ସ୍ୱାଧୀନତାର ଖାତାରେ ମହାତ୍ମା ଗାନ୍ଧୀଙ୍କ ପଛକୁ ତାଙ୍କର ନାଆଁ ସୀମାନ୍ତ ଗାନ୍ଧୀ ବୋଲି ଲେଖା ହୋଇ ରହିଛି । ତାଙ୍କୁ ତାଙ୍କ ପରିଚୟ ପଚରାଗଲେ ସିଏ ହୁଏତ ଏସବୁ କିଛି ହେଲେ କହିବେ ନାହିଁ; ସେ ଆପଣାକୁ କେବଳ ଜଣେ ଖୁଦାଇ ଖିଦ୍‌ମତ୍‌ଗାର୍‌ ଅର୍ଥାତ୍ ଭଗବାନଙ୍କର ସେବକ ବୋଲି ହିଁ କହିବେ ।

 

ବର୍ତ୍ତମାନ ସୀମାନ୍ତ ଗାନ୍ଧୀ କେଉଁଠାରେ ଅଛନ୍ତି ? ସିଏ ଜୀବନରେ ଅଛନ୍ତି ନା ନାହିଁ ? ସିଏ ବନ୍ଦୀଶାଳାରେ ଅଛନ୍ତି ନା ବାହାରେ ଅଛନ୍ତି ? ସିଏ ନିରାପଦ ହୋଇ ଅଛନ୍ତି ନା ନାହିଁ ? ଗତ ଫେବୃୟାରୀ ମାସର ମଧ୍ୟଭାଗରୁ ପାକିସ୍ଥାନ ସରକାର ବିରୋଧୀ ଜାତୀୟ ଆୱାମୀ ଦଳ ଉପରେ ଯେଉଁ ତୁମୁଳ ଆକ୍ରମଣ ଓ ଅତ୍ୟାଚାର ଆରମ୍ଭ କରିଛନ୍ତି, ତା’ପରେ ବାଦଶାହ ଖାଁଙ୍କ ବିଷୟରେ ଆଉ କିଛିହେଲେ ଶୁଣିବାକୁ ମିଳୁନାହିଁ । ତାଙ୍କର ପୁଅ ଓ୍ୱାଲି ଖାଁ ହେଉଛନ୍ତି ଏହି ଆଓ୍ୱାମୀ ଦଳର ତୁଙ୍ଗତମ ନେତା । ପ୍ରାୟ ବର୍ଷକ ପୂର୍ବରୁ ଭାରତୀୟ ଲୋକ-ମୁଖରେ ବେଲୁଚି ଗାନ୍ଧୀ ବୋଲି ପରିଚିତ ଖାଁ ଅବଦୁଲ ସମଦ୍‌ ଖାଁ ତାଙ୍କର ନିଜ ଘର ଭିତରେ ଆତତାୟୀର ବୋମାଦ୍ୱାରା ଆହତ ହୋଇ ପ୍ରାଣ ହରାଇଛନ୍ତି । ପାକିସ୍ଥାନର ରାଜନୀତି ନାନା କାରଣରୁ ଗତ କେତେକ ବର୍ଷ ହେଲା ଆତତାୟିତା ଏବଂ ହତ୍ୟାର ଏକ ନିୟମିତ ଆଖଡ଼ା ହୋଇ ରହିଆସିଛି । ଏହି ଆଖଡ଼ାରେ ସରକାରୀ ପକ୍ଷ ଓ ଆଉ ଅନ୍ୟ ପକ୍ଷମାନେ ସମାନ ଯୋଶ୍‌ ସହିତ ଭାଗ ନେଇଆସିଛନ୍ତି । ମୂଳତଃ ଆତତାୟିତାର ସାମର୍ଥ୍ୟ ଦ୍ୱାରା ହିଁ କ୍ଷମତାଗାଦୀ କାହା ହାତରେ ରହିବ, ତାହାର ନିଷ୍ପତ୍ତି ହୋଇଛି । ସୀମାନ୍ତ ଗାନ୍ଧୀଙ୍କୁ ଏବେ ଏହି ଲୋଲୁପମାନଙ୍କର କବଳରେ ପଡ଼ିବାକୁ ହୋଇନାହିଁ ତ ?

 

ଗତବର୍ଷ ମାର୍ଚ୍ଚ ମାସରେ ବାଦଶାହ ଖାଁଙ୍କୁ ଏକ ସରକାରୀ ଆଦେଶ ଦ୍ୱାରା ତାଙ୍କରି ଗାଆଁରେ ଅନ୍ତରୀଣ ବନ୍ଦୀକରିରଖାଯାଇଥିଲା । ତାଙ୍କ ଲାଗି ସକଳ ପ୍ରକାର ସଭାସମିତି ଓ ରାଜନୀତିକ କ୍ରିୟାକଳାପ ସମ୍ପୂର୍ଣ୍ଣ ମନା ହୋଇ ରହିଥିଲା । କରାଚୀର ଜଣେ ସାମ୍ୱାଦିକଙ୍କୁ ସାକ୍ଷାତ ଦେଇ ସେତେବେଳେ ମନ୍ତବ୍ୟ ଦେଇ କହିଥିଲେ, ‘‘ପୂର୍ବ ଖଣ୍ଡଟି ଅଲଗା ହୋଇ ଚାଲିଯିବା ପରେ ପାକିସ୍ଥାନ ବର୍ତ୍ତମାନ ଯେତିକି ଆକାରରେ ରହିଲା, ସେତିକି ଜାଗାରେ ମଧ୍ୟ ଯେପରି ମଣିଷ ମଣିଷ ପରି ବଞ୍ଚି ରହିପାରିବ, ସେଥିଲାଗି କିଛି କରିବା ଲାଗି ମୁଁ ଜାତିର ସବୁ ଲୋକଙ୍କୁ ପୁନର୍ବାର ଆହ୍ୱାନ ଜଣାଉଛି । ଆମେ ପାକିସ୍ଥାନକୁ ଗୋଟିଏ ଗଣତାନ୍ତ୍ରିକ ଦେଶ କରିଗଢ଼ିବା ଯେଉଁଠି ସ୍ୱାଧୀନତା ଥିବ; ସ୍ୱାଧୀନ ମଣିଷ ଥିବେ, ଆଇନ ଦ୍ୱାରା ଦେଶର ଶାସନ ଚାଲୁଥିବ । ଦେଶ ଉପରେ ଜଣେ ମଣିଷ ବା ଗୋଟାଏ ଦଳ ଡିକ୍ଟେଟର୍ ହୋଇ ବସି ତଡ଼ା ଓ ଦଉଡ଼ି ଚଳାଉନଥିବେ, ଜନସାଧାରଣଙ୍କ ନେତାମାନଙ୍କୁ ହାଣି ଦିଆଯାଉ ନଥିବ; ଜେଲଖାନାରେ ଚୋର ଓ ଡକାଏତମାନେ ରହୁଥିବେ; ଲେଖକ, ସାମ୍ୱାଦିକ ଓ ଶ୍ରମିକମାନଙ୍କୁ ନେଇ ସେଠାରେ ଆଦୌ ଭର୍ତ୍ତି କରାଯାଉ ନଥିବ-।’’

 

ତା’ପୂର୍ବରୁ ବେଶ୍‌ କେତେବର୍ଷ କାଳ ବାଦଶାହ ଖାଁ ପାକିସ୍ଥାନର ବାହାରେ ହିଁ ଥିଲେ ଏବଂ ତାହାର ଆହୁରି ପୂର୍ବରୁ ପ୍ରାୟ ପନ୍ଦରବର୍ଷ କାଳ ସେ ପାକିସ୍ଥାନର ଜେଲଖାନାରେ ସଢ଼ୁଥିଲେ-। ଜେଲରୁ ମୁକୁଳିବା ପରେ ସିଏ ପଡ଼ୋଶୀ ରାଜ୍ୟ ଆଫଗାନିସ୍ଥାନରେ ଥିଲେ । ତା’ପରେ ଜନାବ ଭୁଟ୍ଟୋ ପାକିସ୍ଥାନର ଶାସକ ହୋଇ ବସିବା ପରେ ତାଙ୍କୁ ପାକିସ୍ଥାନକୁ ଡାକି ଅଣାଗଲା ଏବଂ ଏଣିକି ପାକିସ୍ଥାନରେ ଗଣତନ୍ତ୍ର ଶାସନ ଚାଲିବ ବୋଲି ତାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦିଆଗଲା । ବାଦଶାହ ଖାଁ ଦେଶକୁ ଆସିଲେ, ଲୋକଙ୍କ ପକ୍ଷରେ ରହିଲେ ଓ ଲୋକଙ୍କ ପକ୍ଷରୁ କହିଲେ । ତା’ପରେ ପାକିସ୍ଥାନରେ ରାଜନୀତିକ ଆତଙ୍କବାଦ ସୁରୁ ହେଲା । ରାଜନୀତିକ ନେତାମାନଙ୍କୁ ଗୁଣ୍ଡା ଲଗାଇ ଉଠାଇ ନିଆଗଲା, ଦିନ ଦି’ ପହରରେ ଗୁଳି ଚାଲିଲା, ବେଲୁଚିସ୍ଥାନରେ ନରକର ଅଭିନୟ ଚାଲିଲା-। ରାଜନୀତିକ ଦଳଗୁଡ଼ାକର ପାଟିକୁ ବନ୍ଦ କରିରଖାଗଲା ଏବଂ ଏହି ପର୍ଯ୍ୟାୟରେ ଏକ କାର୍ଯ୍ୟକ୍ରମ ରୂପେ ବାଦଶାହ ଖାଁ ମଧ୍ୟ ପୁଣି ସରକାରୀ ଶାସକମାନଙ୍କର ଶତ୍ରୁ ବୋଲି ଘୋଷିତ ହେଲେ, ତାଙ୍କ ଆପଣା ଗାଆଁରେ ଅଟକ ହେଲେ ।

 

୧୯୬୯ ମସିହାର ଶେଷ ଭାଗରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ନିମନ୍ତ୍ରଣରେ ସୀମାନ୍ତଗାନ୍ଧୀ ଭାରତକୁ ଆସିଥିଲେ । ଗାନ୍ଧୀ ଶତବାର୍ଷିକୀର ସେହି ବର୍ଷରେ ଆନ୍ତର୍ଜାତିକ ସଦ୍‌ଭାବ ଲାଗି କାର୍ଯ୍ୟ କରୁଥିବାରୁ ତାଙ୍କୁ ନେହେରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହି ଅବସରରେ ସେ ଭାରତସାରା ବୁଲିଥିଲେ, ଓଡ଼ିଶାକୁ ମଧ୍ୟ ଆସିଥିଲେ । ଭାରତୀୟ ଜନତା ତାଙ୍କୁ କେବଳ ଜଣେ ସରକାରୀ ଅତିଥି ଭାବରେ ନୁହେଁ, ଆପଣା ସଂଗ୍ରାମର ଜଣେ ସହଚାରୀ ବୀର ରୂପେ ଅଭ୍ୟର୍ଥନା ଜଣାଇଥିଲା ।

 

ବାଦଶାହଙ୍କ ବୟସ ବର୍ତ୍ତମାନ ନବେରୁ ଅଧିକ ହୋଇଯିବଣି । ଜୀବନସାରା ତାଙ୍କୁ ଆପଣାର ବିଶ୍ୱାସ ବା ଆର୍ଦଶଟି ପାଇଁ ସଂଗ୍ରାମ ହିଁ କରିବାକୁ ପଡ଼ିଛି । ପାକିସ୍ଥାନ ଗଢ଼ା ହେବା ପରେ ଆହୁରି ଅନେକ ନେତାଙ୍କ ପରି ସେ ନିଶ୍ଚୟ ଭାରତବର୍ଷ ଚାଲି ଆସି ପାରିଥାନ୍ତେ ଏବଂ ଏଠାରେ କ’ଣ ନା କ’ଣ ହୋଇ ପରିଥାନ୍ତେ । ସ୍ୱାଧୀନ ଭାରତର ନିର୍ମାଣ-ସ୍ୱପ୍ନରେ ସେ ମହୁଡ଼ମଣି ହୋଇ ବସିପାରିଥାନ୍ତେ । କିନ୍ତୁ ବାଦଶାହା ଖାଁ ଜାଣିଜାଣି ପାକିସ୍ଥାନରେ ରହିଲେ, ଆପଣାର ମଣିଷଙ୍କୁ ଛାଡ଼ିଦେଇ ପଳାଇ ଆସିପାରିଲେ ନାହିଁ । ଏକ ଦୁଃଖଦ ବାସ୍ତବ ଇତିହାସର ଅନମନୀୟ ପ୍ରତିବାଦ ପରି ହୋଇ ରହିଲେ । ସେଇଥିଲାଗି ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଦେଶଭକ୍ତ ହୋଇଥିଲେ ମଧ୍ୟ କ୍ଷମତାସୀନ ଅଶାସକମାନଙ୍କ ଦ୍ୱାରା ଦେଶଦ୍ରୋହୀ ରୂପେ କଷଣ ପାଇଲେ ।

 

ବାଦଶାହ ଖାଁ ଆଜି କେଉଁଠି ଅଛନ୍ତି ? କିପରି ଅବସ୍ଥାରେ ଅଛନ୍ତି ? ଏଠି ଭାରତବର୍ଷରେ ମଧ୍ୟ ସେହି ପ୍ରଶ୍ନଟି ପଚରାହେବା ଉଚିତ ।

 

ତା ୦୪-୦୪-୧୯୭୫ ରିଖ

Image

 

ଆଉ ଜଣେ ରାଜା ଗଲେ

 

୧୯୩୭ ମସିହାରେ ଇତାଲୀର ଏକଛତ୍ର ଶାସକ ବେନିଟୋ ମୁସୋଲିନୀ ଯେତେବେଳେ ଆଫ୍ରିକା ମହାଦେଶର ଆବିସିନିଆ ଦେଶ ଉପରେ ଆକ୍ରମଣ କଲେ, ସେତେବେଳେ ବିବେକ ଥିବା ପୃଥିବୀଯାକର ଲୋକେ ସେଥିରେ ଆତଙ୍କିତ ହୋଇ ଉଠିଥିଲେ ଓ ସେହି ଆକ୍ରମଣର ପ୍ରତିବାଦ କରିଥିଲେ । ଭାରତବର୍ଷ ସେତେବେଳେ ସ୍ୱାଧୀନ ହୋଇନଥିଲା, ତଥାପି ଭାରତୀୟ ସ୍ୱାଧୀନତାର ଆକାଙ୍‌କ୍ଷା ରଖି ସେଥିଲାଗି ସଂଗ୍ରାମ କରୁଥିବା ଭାରତୀୟ ଜାତୀୟ କଂଗ୍ରେସ ଏହି ଦୁରାତ୍ମ କାର୍ଯ୍ୟର ପ୍ରତିବାଦ କରିଥିଲା । ପଣ୍ଡିତ ନେହେରୁ ତାଙ୍କର ଓଜସ୍ୱିନୀ ଭାଷାରେ ଭାରତୀୟ ଜନଗଣଙ୍କ ପୂର୍ଣ୍ଣ ସହାନୁଭୂତି ଆବିସିନିଆ ପକ୍ଷରେ ଅଛି ବୋଲି ଘୋଷଣା କରିଥିଲେ ।

 

ସେତେବେଳେ ଶ୍ରୀ ହାଇଲେ ସିଲାସି ଆବିସିନିଆର ସମ୍ରାଟ ଥିଲେ । ସେ୧୯୭୪ ମସିହା ପର୍ଯ୍ୟନ୍ତ ସେଇ ଆବିସିନିଆକୁ ସମ୍ରାଟ ରୂପେ ଶାସନ କରିଆସିଛନ୍ତି । ତାଙ୍କରି ରାଜତ୍ୱକାଳରେ ଆବିସିନିଆର ନାଆଁ ବଦଳି ଏଥିଓପିଆ ହୋଇଛି । ଏଥିଓପିଆ ଆରବ ଦେଶ ନୁହେଁ, ନିଗ୍ରୋମାନଙ୍କର ବି ଦେଶ ନୁହେଁ । ଆଫ୍ରିକାର ଏକ ପ୍ରାଚୀନ ସଂସ୍କୃତିର ପ୍ରତିନିଧିରୂପେ ଏଡେବଡ଼ ମହାଦେଶରେ ଏଥିଓପିଆର ଅଧିବାସୀମାନେ ପ୍ରାୟ ଏକ ଅନନ୍ୟ ସମୂହରୂପେ ବାସ କରିଆସିଛନ୍ତି । ଆଧୁନିକ ଆଫ୍ରିକାର ରାଜନୀତି କହିଲେ ସାଧାରଣତଃ ଯେଉଁ ମୁଖ୍ୟ ମୁଖ୍ୟ ସମସ୍ୟାଗୁଡ଼ିକୁ ବୁଝାଏ, ଏଥିଓପିଆ ସେଗୁଡ଼ିକରୁ ଆପଣାକୁ ମୁଖ୍ୟତଃ ସ୍ୱତନ୍ତ୍ର କରିରଖିଆସିଛି ।

 

ଗତ ମାସରେ ଏଥିଓପିଆର କ୍ଷମତାସୀନ ଶାସକମାନେ ଏକ ଅଧ୍ୟାଦେଶ ଜାରି କରିସେହି ଦେଶରୁ ରାଜପଦକୁ ଲୁପ୍ତ କରିଦିଆଗଲା ବୋଲି ଘୋଷଣା କରିଛନ୍ତି । ସମ୍ରାଟ ହାରିଲେ ସିଲାସି ଆଉ ଏଥିଓପିଆର ସମ୍ରାଟ ହୋଇ ରହିବେ ନାହିଁ ବା ତାଙ୍କ ଅନ୍ତେ ତାଙ୍କର ପୁଅ ବା ନାତିମାନେ ମଧ୍ୟ ସେଠି ଆଉ ଶାସକ ହୋଇପାରିବେ ନାହିଁ । ଗତ କେତେମାସ ହେଲା ସମ୍ରାଟ ସିଲାସି ବନ୍ଦୀ ହୋଇ ରହିଛନ୍ତି । ସାମରିକ ଶାସକମାନେ ତାଙ୍କୁ ବନ୍ଦୀ କରିରଖିଛନ୍ତି । ସମ୍ରାଟଙ୍କର କେତେ ବଂଶଧର ଓ ଅନୁରକ୍ତ ଅଫିସର, ସେନାପତି ଓ ନାଗରିକମାନେ ଏହା ଭିତରେ ସେଠାରେ ହାଣ ଖାଇ ସାରିଲେଣି ।

 

ଏକଥା ଅତ୍ୟନ୍ତ ନିଶ୍ଚିନ୍ତ ଯେ ଆଉ ପୁରୁଣା ଅବସ୍ଥା ଫେରିବ ନାହିଁ, ସମ୍ରାଟ ଫେରିବେ ନାହିଁ । ଆଗାମୀ ପୃଥିବୀରେ ସମ୍ରାଟମାନଙ୍କ ଲାଗି ଯେ କୌଣସି ସ୍ଥାନ ରହିବ ନାହିଁ, ଏହା ହେଉଛି ତାହାର ଆଉ ଗୋଟିଏ ପ୍ରମାଣ । ବିଗତ ପ୍ରାୟ କୋଡ଼ିଏ ବର୍ଷ ଭିତରେ ପୃଥିବୀରୁ ଏହିପରି ଅନେକ ସମ୍ରାଟ ବିଦାୟ ନେଇ ଯାଇଛନ୍ତି । ମହାରାଜାମାନଙ୍କର ଦିନ ଚାଲିଯାଇଛି । ମୁକ୍ତ ନାଗରିକର ଦିନ ଆସିଛି । ଏଥିଓପିଆରେ ୧୯୭୪ ମସିହାରେ ଯାହାସବୁ ଘଟିଲା, ତାହାକୁ ଆମେ ସେହି ସମଗ୍ର ପ୍ରବୃତ୍ତିଟିର ହିଁ ଗୋଟିଏ ଅଂଶ ବୋଲି ବୁଝିବାକୁ ଚେଷ୍ଟା କରିବା ।

 

ଏଥିଓପିଆର ସମ୍ରାଟ ଗଲେ, ରାଜତନ୍ତ୍ର ଗଲା, ମାତ୍ର ତାହା ଜାଗାରେ କ’ଣ ଆସିଲା ? ସେଠି ସମ୍ରାଟଙ୍କର କେତେଜଣ ସୈନ୍ୟାଧ୍ୟକ୍ଷ ହିଁ ସମ୍ରାଟଙ୍କ ବିରୁଦ୍ଧରେ ସର୍ବପ୍ରଥମେ ସ୍ୱର ଉତ୍ତୋଳନ କରିଥିଲେ, ଅସ୍ତ୍ରୋତ୍ତୋଳନ କରିଥିଲେ । ଭବିଷ୍ୟକାମୀ ପ୍ରଜାବର୍ଗଙ୍କର ଅଭିଳାଷଟି ଲାଗି ଏହାଦ୍ୱାରା ଏକ ପ୍ରକାଶମାର୍ଗ ମିଳିଗଲା । ସେମାନେ ବିଦ୍ରୋହୀ ସୈନ୍ୟାଧ୍ୟକ୍ଷମାନଙ୍କ ପକ୍ଷରେ ସହାନୁଭୂତି ପ୍ରକାଶ କଲେ ଏବଂ ତାହାରି ଫଳରେ ପୁରୁଣା ବ୍ୟବସ୍ଥାଟିର ଅନ୍ତ ହେଲା ।

 

ସୈନ୍ୟତନ୍ତ୍ରରୁ ଲୋକତନ୍ତ୍ର–ଏଇଟା ଏକ ଗହନ ବାଟ । ଅନେକ ସମୟରେ ତାହା ଏକ ଦୀର୍ଘ ବାଟ ହୋଇ ପଡ଼ିବାର ଆଶଙ୍କା ମଧ୍ୟ ରହିଥାଏ । ଯେଉଁ ଅସ୍ତ୍ର ଚଳାଇ ସୈନ୍ୟମାନେ ପୁରୁଣାକୁ କାଟିଥାନ୍ତି, ସେହି ଅସ୍ତ୍ରରେ ସେମାନେ ଆପଣାର ସକଳ ବିରୋଧୀଙ୍କୁ ମଧ୍ୟ କାଟି ବାହାରନ୍ତି । ତରବାରୀ ନ୍ୟାୟର ଅଧୀଶ୍ୱର ହେବାକୁ ବାହାରେ । ଏଥିଓପିଆର ଏକ ପ୍ରଦେଶାଞ୍ଚଳ ଇରିଟ୍ରିଆ ଦେଶର ଏହି ନବଗଠନ ଦ୍ୱାରା ଉତ୍ସାହିତ ହୋଇ ସ୍ୱୟଂ ସ୍ୱାଧୀନ ହେବାଲାଗି ଇଚ୍ଛା କରୁଛି-। ଇରିଟ୍ରିଆ ହାତରୁ ଚାଲିଗଲେ ଅବଶିଷ୍ଟ ଏଥିଓପିଆର ସମୁଦ୍ରକୁ ବାହାରିବା ଲାଗି ଆଉ କୌଣସି ବାଟ ରହିବ ନାହିଁ । ତେଣୁ ସେଠି ନୂଆ ସୈନ୍ୟ-ଶାସକମାନେ ବନ୍ଧୁକ ଦ୍ୱାରା ଇରିଟ୍ରିଆର ସକଳ ଅନ୍ୟ ଇଚ୍ଛାକୁ ଦଳି ଦେବାକୁ ବାହାରିଛନ୍ତି ।

 

ପରିବର୍ତ୍ତନର ଇତିହାସରେ ଏଗୁଡ଼ାକୁ କ’ଣ ଅବଶ୍ୟମ୍ଭାବୀ ବୋଲି ଧରି ନିଆଯିବ ? ଏବଂ ଏହିସବୁ ହତ୍ୟା ଓ ଧର୍ଷଣର ବିଭୀଷିକା ପରେ ଦେଶକୁ ଯେଉଁ ପରିବର୍ତ୍ତନ ଆସିବ, ତାହା କ’ଣ ସବୁ ମଣିଷଙ୍କ ଲାଗି ସେହି ଇପ୍‌ସିତ ସୁଶାସନଟିକୁ ବହନ କରିଆଣିପାରିବ ? ଗତ ଦୁଇଦଶକ ମଧ୍ୟରେ ସମଗ୍ର ଆଫ୍ରିକା ମହାଦେଶରେ ଅନେକ ସ୍ଥାନରେ ଯାହା ଘଟିଛି, ତାହା ଆମକୁ ଏହାର ଠିକ୍ ବିପରୀତ ପ୍ରମାଣଟି ଆଣି ଦେଉଥିଲା ପରି ମନେ ହୋଇଥାଏ ।

 

ତା ୦୫.୦୪.୧୯୭୫ ରିଖ

Image

 

ଲୋନ୍‌ ନୋଲ୍‌ ଦେଶ ଛାଡ଼ିଲେ ?

 

ଲୋନ୍‌ ନୋଲ୍ ଦେଶ ଛାଡ଼ିଲେ । ସିଏ ସେଠାରୁ ଇଣ୍ଡୋନେସିଆ ଗଲେ । ଇଣ୍ଡୋନେସିଆ ସରକାର ତାଙ୍କ ଲାଗି ଦଶଦିନର ଏକ ବେସରକାରୀ ରହଣି ମଞ୍ଜୁର କରିଛନ୍ତି । ସେଠାରୁ ସେ ଆମେରିକା ଯିବେ । ଆପଣାର ଚିକିତ୍ସା ପାଇଁ ସେ ଆମେରିକା ଯାଉଛନ୍ତି ବୋଲି ଦେଶରୁ ଗଲାବେଳେ ବିବୃତି ଦେଇ କହିଛନ୍ତି । ସିଏ କ’ଣ ପାଇଁ ଯାଉଛନ୍ତି, ସେକଥା ରାଜନୀତିକୁ ବୁଝୁଥିବା ପ୍ରତ୍ୟେକ ଲୋକ ଜାଣନ୍ତି । ଯାହାର ଜୀବନ ଯେଉଁଠି ଥାଏ, ବିପଦ ପଡ଼ିଲେ ଅର୍ଥାତ୍‌ ଜୀବନଲୋପର ପ୍ରାୟ ନିଶ୍ଚିନ୍ତ ଆଶଙ୍କା ଆସି ହାବୁଡ଼ିଲେ ସିଏ ସେଇଠାକୁ ଦଉଡ଼ି ପଳାଇବାକୁ ଧାଏଁ । ଲୋନ୍‌ ନୋଲ୍‌ ଆମେରିକାରେ ଅସ୍ତ୍ର ଭିକ୍ଷା କରିବେ, ସହାୟତା ଭିକ୍ଷା କରିବେ, ବଳ ଭିକ୍ଷା କରିବେ । ଏହି ମନାସରେ ସେ ଆମେରିକା ଗଲେ ।

 

କାମ୍ୱୋଡ଼ିଆରେ ଯେଉଁ ଦୁଇପକ୍ଷ ମଧ୍ୟରେ ଯୁଦ୍ଧ ଚାଲିଛି, ସେଥିରୁ ଗୋଟାଏ ପକ୍ଷର କୌଣସି ମୂଳ ନାହିଁ । କେବଳ ବୈଦେଶିକ ବଳ ଓ ବୈଦେଶିକ ଅର୍ଥ ସାହାଯ୍ୟରେ ବାଲିପରସ୍ତ ଉପରେ ଗୁଡ଼ାଏ ଡାଳ ପୋତା ହୋଇ ପ୍ରଦର୍ଶିତ ହୋଇ ରହିଛି । ଖବର କାଗଜରେ ଯେଉଁସବୁ ପ୍ରତ୍ୟକ୍ଷଦର୍ଶୀ ବିବରଣୀମାନ ବାହାରୁଛି, ସେଥିରୁ ଜଣା ଯାଉଛି ଯେ କାମ୍ୱୋଡ଼ିଆ ରାଜ୍ୟରେ ପ୍ରକୃତରେ ସେପରି କୌଣସି ଯୁଦ୍ଧ ହେଉନାହିଁ । ତଥାକଥିତ ସରକାରୀପକ୍ଷର ସୈନ୍ୟସାମନ୍ତ ଦଳ ଦଳ ହୋଇ ଅସ୍ତ୍ରଶସ୍ତ୍ର ସହିତ ଆକ୍ରମଣକାରୀ ଅପରପକ୍ଷ ପାଖରେ ଆତ୍ମସମର୍ପଣ କରୁଛନ୍ତି ଓ ଯେଉଁସବୁ ସ୍ଥାନରେ ସେମାନେ ଏହି ଆତ୍ମସମର୍ପଣ କରୁଛନ୍ତି, ତାହାରି ପରିଣାମ ସ୍ୱରୂପ ସେହିସବୁ ସ୍ଥାନ ସରକାରୀ ଦଖଲରୁ ମୁକ୍ତ ହୋଇଯିବାରେ ଲାଗିଛି । ୧୯୪୮-୪୯ ବେଳେ ଚୀନରେ ପ୍ରାୟ ସେହିକଥା ଘଟିଥିଲା । ସରକାରୀ ପକ୍ଷର ସୈନ୍ୟମାନେ ସହସ୍ର ସହସ୍ର ସଂଖ୍ୟାରେ ଆକ୍ରମଣକାରୀ ପକ୍ଷ ପାଖରେ ଆପଣାର ଅସ୍ତ୍ରଶସ୍ତ୍ର ସମେତ ଯାଇ ଆତ୍ମସମର୍ପଣ କରୁଥିଲେ । ବିଦେଶୀ ଅର୍ଥ, ବିଦେଶୀ ବଢ଼ିଆ ବଢ଼ିଆ ଅସ୍ତ୍ର ଓ ବିଦେଶୀ କୂଟନୀତି ସବୁକିଛି ବ୍ୟର୍ଥ ହୋଇଗଲା । ଯାହା ହେବାର କଥା ତାହାହିଁ ହେଲା । ଚୀନରେ ଯୁଗ କଡ଼ ଲେଉଟାଇଲା, ଶାସନ ବଦଳିଲା ।

 

ଲୋନ୍‌ ନୋଲ୍ ଆମେରିକାରୁ ଧନବଳ ଓ ଅନ୍ୟବଳ ନେଇ ଆସିପାରନ୍ତି, ନ ଆସି ବି ପାରନ୍ତି । ଆସିଲେ ବିଦ୍ରୋହ ବଢ଼ିବ, ଆହୁରି ଲମ୍ୱିବ ସିନା କଦାପି ତୁଟିବ ନାହିଁ । ବିଦ୍ରୋହ ଆହୁରି ଜଟିଳ ହେବ, ଆହୁରି ଉତ୍କଟ ହେବ, ହୁଏତ ବିସ୍ଫୋରଣରେ ଯାଇ ସମାଧାନ ହେବ । କିନ୍ତୁ ଲୋନ୍‌ ନୋଲ୍‌ କ’ଣ ସତରେ ତାଙ୍କ ଦେଶରେ ମାଲିକ ହୋଇ ରହିଥିଲେ ? ତାଙ୍କ ଦେଶର ଲୋକେ ତାଙ୍କୁ ଶାସନଗାଦୀରେ ନିର୍ବାଚିତ କରିନେଇ ବସାଇଥିଲେ ? ଯଦି ତାହା ହୋଇଥାନ୍ତା ତେବେ ତାଙ୍କୁ କେବେହେଲେ ଦେଶରୁ ଅନ୍ୟତ୍ର ଯିବାକୁ ପଡ଼ି ନଥା’ନ୍ତା । ଦେଶରେ ଥିଲାବେଳେ ମଧ୍ୟ ସେ ସର୍ବଦା ଲୋକମାନଙ୍କର ଭରସା ଉପରେ ହିଁ ଅଧିଷ୍ଠିତ ରହିଥାନ୍ତେ, ସେନା ଓ ସେନାପତିମାନଙ୍କର କୁଚକାୱାଜ୍‌ ଭିତରେ ଲୋକମାନଙ୍କଠାରୁ କେବଳ ଆତ୍ମରକ୍ଷା କରିବାରେ ହିଁ ଲାଗି ନଥାନ୍ତେ । ଯଦି ସିଏ ଲୋକନିର୍ବାଚିତ ଶାସକ ହୋଇ ରହିଥାନ୍ତେ ତେବେ ଲୋକମାନେ ହିଁ ଆକ୍ରମଣକାରୀର ମୁକାବିଲା କରୁଥାନ୍ତେ, ତାଙ୍କୁ ଇତିହାସର ପ୍ରତ୍ୟେକ ମୂଳହୀନ ଓ ଅସହାୟଙ୍କ ପରି ବିଦେଶରୁ ହିଁ ନିଜେ ତିଷ୍ଠି ରହିବାର ନୈତିକ ତଥା ଅନ୍ୟ ଯାବତୀୟ ଶକ୍ତିକୁ ଆମଦାନୀ କରିଆଣିବାକୁ ପଡ଼ୁନଥାନ୍ତା । ଆପଣାର ପେଡ଼ିଗୁଡ଼ାକରୁ ସମ୍ୱଳ ସରିଗଲେ ବାର ବାର ବିଦେଶୀ ଅନୁଗ୍ରହର ଅମାରଗୁଡ଼ାକ ଉପରେ ନିର୍ଭର କରିବାକୁ ପଡ଼ୁନଥାନ୍ତା ଏବଂ ସେ ପ୍ରକୃତରେ ନିର୍ବାଚିତ ହୋଇ ଦେଶର ଶାସକ ହୋଇ ବସିଥିଲେ ତାଙ୍କରି ସୈନ୍ୟମାନେ ଆକ୍ରମଣକାରୀଙ୍କ ପାଖରେ ଯାଇ ଆପଣାକୁ ଗୋଟାସୁଦ୍ଧା ସମର୍ପଣ କରିଦେଉ ନଥାନ୍ତେ, ସେମାନଙ୍କ ସହିତ ସାମିଲ ହୋଇଯାଉ ନଥା’ନ୍ତେ ।

 

ଲୋନ୍ ନୋଲ୍‌ଙ୍କର କଣ ପ୍ରକୃତରେ ଆପଣାର ଦେଶ ବୋଲି କିଛି ଥିଲା ? କାମ୍ୱୋଡ଼ିଆର ମାଟିକୁ ସିଏ କଣ ଆପଣାର ହୃଦୟ ଭିତରେ ପ୍ରକୃତରେ ଆପଣାର ଦେଶ ବୋଲି ଚିହ୍ନୁଥିଲେ ଏବଂ କାମ୍ୱୋଡ଼ିଆର ଅଧିବାସୀ ମଣିଷମାନଙ୍କୁ ସିଏ କ’ଣ କେବେ ଆପଣା ଭାଗ୍ୟର ଭାଗୀଦାର ବୋଲି ସ୍ୱୀକାର କରିଥିଲେ ? ତେବେ ସିଏ ନିଜ ଦେଶକୁ ଛାଡ଼ିପାରିଲେ କିପରି ? ନିଜର ଦେଶକୁ ଛାଡ଼ିକରିକିଏ କ’ଣ କେବେ ଅନ୍ୟତ୍ର ଚାଲିଯାଇପାରେ ? ଆପଣା ଦେଶ ଉପରେ ସବୁଠାରୁ ଭୟଙ୍କର ବିପଦ ପଡ଼ିଥିବା ବେଳେ କେହି କ’ଣ କେବେ ଦେଶକୁ ଛାଡ଼ି ଅନ୍ୟତ୍ର ଚାଲିଯାଏ ? ଆପଣା ଘର ଉପରେ ବିପଦ ପଡ଼ିଥିବା ବେଳେ କେହି କ’ଣ ଘରକୁ ଛାଡ଼ି ଚାଲିଯାଏ-? କମାଣର ଗର୍ଜନକୁ ଡରି କୌଣସି ଯଥାର୍ଥା ସୈନିକ କେବେହେଲେ ଯୁଦ୍ଧଭୂଇଁକୁ ଛାଡ଼ି ଚାଲିଯାଏ-? ବିପଦ ବେଳେ କୌଣସି ସନ୍ତାନ କ’ଣ କେବେହେଲେ ତାହାର ଜନନୀକୁ ଛାଡ଼ି ଚାଲିଯାଏ ? କିନ୍ତୁ ଜେନେରାଲ ଲୋନ୍‌ ନୋଲ୍‌ ଏସବୁ କିଛି ନଥିଲେ । ତେଣୁ ସେ ଅନ୍ୟତ୍ର ଚାଲିଯାଇ ପାରିଲେ । କାମ୍ୱୋଡ଼ିଆବାସୀ ଭୂଇଁ ଛାଡ଼ି ଚାଲିଗଲେ ନାହିଁ । ଲୋନ୍‌ ନୋଲ୍‌ ଭୂଇଁ ଛାଡ଼ିଲେ । ଇତିହାସରୁ ପୋଛି ହୋଇଗଲେ ।

 

ସାନ କାମ୍ୱୋଡ଼ିଆରେ ଯାହା ଘଟୁଛି, ତାହା କେବଳ କାମ୍ୱୋଡ଼ିଆର ହିଁ ଏକ ଘଟଣା ନୁହେଁ । ଗତ ଦ୍ୱିତୀୟ ମହାଯୁଦ୍ଧ ବେଳେ ଅର୍ଥାତ୍‌ ପ୍ରାୟ ୧୯୪୨ ମସିହାରେ ଇଣ୍ଡୋନେସିଆ ଉପରେ ଜାପାନୀ ଆକ୍ରମଣ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ସୁବିଧାବାଦୀ ଏବଂ ଦେଶଭକ୍ତମାନଙ୍କ ମଧ୍ୟରେ ଯେଉଁ ସଂଘର୍ଷ ଓ ବିଦ୍ରୋହ ଚାଲିଛି, ଏହା କେବଳ ତାହାରି ଏକ ଅଂଶ-। ଏହି ବିଦ୍ରୋହର ସମାଧାନ ଆଜି ମଧ୍ୟ ହୋଇନାହିଁ । ଆନ୍ତର୍ଜାତିକ ଫିସାଦ ଅନୁସାରେ ଜେନେଭା ବା ପାରିସ୍‌ରେ ମନୋଲୋଭା କେତେ ଶାନ୍ତି ସମ୍ମିଳନୀ ବସିଛି; ତଥାପି ସମାଧାନ ହୋଇନାହିଁ । କାଳପୁରୁଷ ମଣିଷର ବିବେକକୁ ପରୀକ୍ଷା କରିବାରେ ଲାଗିଛି ।

 

ଜେନେରାଲ୍‌ ଲୋନ୍‌ ନୋଲ୍‌ଙ୍କର କ’ଣ କେବେହେଲେ କୌଣସି ଦେଶ ଥିଲା ? ତେବେ ସେ କେଉଁ ଦେଶକୁ ଛାଡ଼ିଲେ ? କେଉଁ ଦେଶକୁ ଗଲେ ?

 

ତା ୦୭.୦୪.୧୯୭୫ ରିଖ

Image

 

Unknown

ଅନ୍ୟ ଏକ ବାଟ

 

ଭିଏତ୍‌ନାମରେ ଘର ବୁଡ଼ିବାକୁ ବସିଲାଣି, କୁଳ ଭାସିଯିବାକୁ ବସିଲାଣି ଏବଂ ଆମେରିକା ସୈନ୍ୟବାହିନୀର ସର୍ବୋଚ୍ଚ ସେନାପତି ଆସି ଭିଏତ୍‌ନାମରେ ହାଜର ହୋଇ ଗଲେଣି । ସିଏ ବୋଧହୁଏ ସବା ଉପରେ ବସି ସରକାରଙ୍କୁ ନୀତି ବତାଇବେ, କୌଶଳ ବତାଇବେ, ଭଙ୍ଗାକାନ୍ଥକୁ ମାଟିଲେସି ରକ୍ଷା କରିବାକୁ ଉଦ୍ୟମ କରିବେ । ଆମେରିକାର ସରଞ୍ଜାମଭେଳା ଅଧବାଟରେ ହୋଇଗଲାଣି ବୋଲି ମଧ୍ୟ ତେଣେ ଖବରରେ କୁହାହୋଇ ସାରିଲାଣି । ସେଥିରେ ଲଢ଼ୁଆ ଜାହାଜ ଅଛି, ରକେଟ ଅଛି, ବନ୍ଧୁକ ଅଛି, କମାଣ ଓ ଆଉ କେତେ କ’ଣ ଅଛି । ସେସବୁ ଆସି ପହଂଚିଗଲେ ଅବସ୍ଥା ପୁନର୍ବାର ବଦଳିଯିବ । ଅର୍ଥାତ୍ ସେ ପକ୍ଷରୁ ଯେତିକି ମାଡ଼ି ମାଡ଼ି ଆସିଛନ୍ତି, ଏ ପକ୍ଷରୁ ସେତିକି ମାଡ଼ି ମାଡ଼ି ଯିବେ । ତାମସା କେବେହେଲେ ସରିବ ନାହିଁ । ଗୋଟାଏ ଭିଏତ୍‌ନାମ ଦୁଇଟା ଭିଏତ୍‌ନାମ ହୋଇ ଲଢ଼ିବାରେ ଲାଗିଥିବେ ଏବଂ ସଂସାରର ଯୁଦ୍ଧ ତିଆରି କାରଖାନାଗୁଡ଼ାକ ସୁରୁଖୁରୁରେ ଚାଲୁ ରହିଥିବ ।

 

ଏଥିରେ ଆମେ କ’ଣ କରିବା ? ଅର୍ଥାତ୍‌ ଏସିଆ କ’ଣ କରିବ ? ଏହି ପୃଥିବୀର ସାନ ସାନ ରାଷ୍ଟ୍ରମାନେ କ’ଣ କରିବେ ? ନୂଆ ହୋଇ ଜନ୍ମ ହୋଇଥିବା ଓ ଆପଣାର ଏକ ସ୍ୱତନ୍ତ୍ର ଅସ୍ତିତ୍ୱ ଧରି ବଂଚି ରହିବାକୁ ଚାହୁଁଥିବା ରାଷ୍ଟ୍ରମାନେ ଓ ଦେଶମାନେ କ’ଣ କରିବେ ? ସେମାନେ ପ୍ରତିବାଦ କରିବେ ? ସଭା କରିଆମେରିକାର ଏହି କାର୍ଯ୍ୟକଳାପର ନିନ୍ଦା କରିବେ ? ଏସିଆ ସପ୍ତାହ ପାଳନ କରିବେ ? ପୃଥିବୀର ଏ ସାଗରଠାରୁ ସେ ମହାସାଗର ପର୍ଯ୍ୟନ୍ତ ଯେଉଁଠି ଯେତେ ଅନାମଧେୟ ସାନ ଦ୍ୱୀପ ଓ ଟାପୁମାନ ଥିଲା, ଓକିନାୱାଠାରୁ ଆରମ୍ଭ କରି ଡିଏଗୋଗାର୍ସିଆ ପର୍ଯ୍ୟନ୍ତ, ସେମାନଙ୍କର ଆଖିରୁ ଯେ କେଉଁ ଗୋଟିକ କେଉଁଠି ବାଦ୍‌ ପଡ଼ିଗଲା, ସେକଥା କହିବା କଷ୍ଟକର ହେବ । ଆମେ ତ ଓକିନାୱା ବେଳେ ପ୍ରତିବାଦ କରିଥିଲେ, ଡିଏଗୋଗାର୍ସିଆ ବେଳେ ମଧ୍ୟ ଠିକ୍‌ ସେହିପରି ପ୍ରତିବାଦ କରୁଛୁ; କିନ୍ତୁ ସେ ପ୍ରତିବାଦକୁ ଅପେକ୍ଷା କରୁଛି କିଏ ? ପ୍ରତିବାଦକୁ ଅପେକ୍ଷା ନକଲେ ତାହାର ପ୍ରତିବିଚାର କରିବା ଲାଗି ଆମ ପୃଥିବୀରେ ଉଚ୍ଚତର ନ୍ୟାୟାଳୟ ବା କେଉଁଠି ଅଛି ?

 

ଯୁଦ୍ଧର ସାମର୍ଥ୍ୟ ଦ୍ୱାରା ହିଁ ନୀତି ଓ ରାଜନୀତିର ଅଙ୍କକଷା ଆରମ୍ଭ ହେବା ଦିନଠାରୁ ପୃଥିବୀ ଅଧିକରୁ ଅଧିକ ପରିମାଣରେ ଏହିପରି ଗୋଟିଏ ଅସ୍ୱାଭାବିକତା ମଧ୍ୟରେ ଆସି ପଶିଯିବାରେ ଲାଗିଛି । ପୃଥିବୀରେ ସବୁ ଦେଶ ଓ ସବୁ ରାଷ୍ଟ୍ରଙ୍କର ସମାନ ପରିମାଣର ଯୁଦ୍ଧସାମର୍ଥ୍ୟ ନାହିଁ । କାହା ପାଖରେ ଅଣୁଅସ୍ତ୍ର ଅଛି ତ କାହା ପାଖରେ ଅଣୁଅସ୍ତ୍ର ନାହିଁ, କାହା ପାଖରେ ଅଳ୍ପ ଅସ୍ତ୍ର ଅଛି ତ କାହା ପାଖରେ ବହୁଳ ଅସ୍ତ୍ର ରହିଛି, ପୁଣି ଆଧୁନିକ ସନ୍ତ୍ରସ୍ତତାର ସଂସାର ମଧ୍ୟରେ ତିଷ୍ଠି କରିରହିବାକୁ ଆଉ କାହାକୁ ଭାତରୁ କାଟି ଗୁଳାବାରୁଦ କିଣିବାକୁ ପଡ଼ୁଛି ଏବଂ ଯାହା ପାଖରେ ଗୁଡ଼ାଏ ଅସ୍ତ୍ର ଜମି ରହିଛି ସେ ସାରା ପୃଥିବୀ ଉପରେ ନ୍ୟାୟାଧୀଶ ହୋଇ ବସି ରହିବାକୁ ଚାହୁଛି ଓ ସାରା ପୃଥିବୀ କେଉଁ ବାଟରେ କେତେଦୂର ଯିବ ବା ନଯିବ, ସେହି ବିଷୟରେ ନ୍ୟାୟ କରିବାକୁ ବାହାରୁଛି ଏବଂ ନଥିବା ଅବଶିଷ୍ଟ ପୃଥିବୀଟି ସେହି ଅନ୍ୟାୟଗୁଡ଼ିକୁ ହିଁ ନ୍ୟାୟ ବୋଲି ମାନି ନେବାକୁ ବାଧ୍ୟ ହେଉଛି । ଏହି ହୀନ ଅବସ୍ଥାଟାକୁ ହିଁ ମୁହଁରକ୍ଷା କରିବା ଲାଗି ଆମ ପୃଥିବୀରେ ରାଜନୀତି ବୋଲି କୁହାଯାଉଛି ।

 

ଏହି ରାଜନୀତିରେ ଇଉରୋପ ବା ଉତ୍ତର ଆମେରିକାକୁ ଖୁବ୍‌ ବେଶୀ କ୍ଷତି ସହିବାକୁ ପଡ଼ୁନାହିଁ । ଲାଟିନ୍‌ ଆମେରିକା, ଆଫ୍ରିକା ଓ ଏସିଆକୁ ସବୁଠାରୁ ଅଧିକ ହରବର ହେବାକୁ ପଡ଼ୁଛି-। ଏହିସବୁ ମହାଦେଶର ଅଧିକାଂଶ ଭୂଖଣ୍ଡ ମାତ୍ର ଅଳ୍ପ କେତେବର୍ଷ ତଳେ ଆଉ କେଉଁ ଏକ ଅଧିକ ବଳଶାଳୀ ଦେଶ ବା ସମ୍ରାଜ୍ୟର ଉପନିବେଶ ହୋଇ ରହିଥିଲେ । ସେମାନଙ୍କ ମଧ୍ୟରୁ କେତୋଟି ଦେଶକୁ ଏବେ ମଧ୍ୟ ରାଜନୀତିକ ସ୍ୱାଧୀନତା ଲାଗି ସଂଗ୍ରାମ କରିବାକୁ ପଡ଼ୁଛି । କେତେକ ଭୂଖଣ୍ଡରେ ଆର୍ଥିକ ଉପନିବେଶବାଦ ଆଜି ମଧ୍ୟ ପୂର୍ଣ୍ଣ ପରାକ୍ରମରେ ଚାଲିଛି । ଅନ୍ୟ ଯେଉଁମାନେ ନୂଆ ସ୍ୱାଧୀନ ହୋଇଛନ୍ତି, ସେଠି ଜାତୀୟ ତଥା ରାଷ୍ଟ୍ରୀୟ ଭାଗ୍ୟକୁ ଅଭିଳଷିତ କୌଣସି ଏକ ନିର୍ଦ୍ଦିଷ୍ଟ ଆକାର ଦେବାଲାଗି କେତେ ପ୍ରକାର ଭଙ୍ଗାଗଢ଼ା ଯେ ବେଶ୍‌ କେତେବର୍ଷ ଲାଗି ରହିବ, ତାହା ଅତ୍ୟନ୍ତ ସ୍ୱାଭାବିକ । ମାତ୍ର ଏଇଠି ବଡ଼ ଶକ୍ତିମାନେ ପ୍ରତିବନ୍ଧକ ହୋଇ ବାହାରୁଛନ୍ତି । ସେମାନେ ଏହି ବିବର୍ତ୍ତନ ଓ ପରିବର୍ତ୍ତନଟିକୁ ଆପଣାର ନିୟନ୍ତ୍ରରେ ରଖିବାକୁ ଚାହୁଛନ୍ତି; ପୃଥିବୀରେ ଯେଉଁଠି ଯାହାକିଛି ବିବର୍ତ୍ତନ ଏବଂ ପରିବର୍ତ୍ତନ ହେବା କଥା, ତାହା ସେହିମାନଙ୍କୁ ସୁହାଇଲାଭଳି ହେଉ, ଅର୍ଥାତ୍‌ ସେହିମାନଙ୍କର ଅଭିଭାବକତ୍ୱରେ ହେଉ ବୋଲି ସେମାନେ ଅଡ଼ି ବସୁଛନ୍ତି । ନହେଲେ ଗୁଳି ବନ୍ଧୁକ ଦେଖାଉଛନ୍ତି । ବଇରୀ ବୋଲି ଭାବୁଛନ୍ତି ।

 

ଭିଏତ୍‌ନାମକୁ ନେଇ ବର୍ତ୍ତମାନ ଯାହାକିଛି ଘଟୁଛି ବା ସମଗ୍ର ଦକ୍ଷିଣପୂର୍ବ ଏସିଆରେ ଗତ ପ୍ରାୟ କୋଡ଼ିଏ ପଚିଶିବର୍ଷ ହେଲା ଯେତେ ଯାହା ଘଟିଛି, ପ୍ରାୟ ସବୁଟିକୁ ଆମେ ଏହି ଗୋଟିଏ ମୂଳ ସମସ୍ୟାର ଅଙ୍ଗ ରୂପେ ବିଚାର କରିପାରିବା । ଏସବୁକୁ କ’ଣ ଆମେ ଖାଲି ପ୍ରତିବାଦ ଦ୍ୱାରା ରୋକି ରଖିପାରିବା ? ନା ସେହି ଅଭିଭାବକମାନେ ଅସ୍ତ୍ରଶକ୍ତିରେ ଯେତିକି ବଡ଼, ଆମେ ପ୍ରତ୍ୟେକେ ସେତିକି ସେତିକି ହେବାକୁ ଉଦ୍ୟମ କରିବା ଓ ତେବେ ଯାଇ ସେମାନଙ୍କ ଉପରେ ପ୍ରଭାବ ପକାଇପାରିବା ? ନା ଆମର ବିବର୍ତ୍ତନ ଓ ପରିବର୍ତ୍ତନର ଧାରାଟିକୁ ଆମେ ସେହିମାନଙ୍କର ହାତରେ ଛାଡ଼ି ଦେବା, ଅର୍ଥାତ୍‌ ଏଠି ସକଳ ବିବର୍ତ୍ତନର ଦ୍ୱାରକୁ ବନ୍ଦ କରିରଖିବା ? ସେମାନେ ଏଠି ଆମ ଭିତରୁ ଯାହା ହାତରେ ଗୁଡ଼ାଏ ଟଙ୍କା ଓ ଗୁଡ଼ାଏ ବନ୍ଧୁକ ଆଣି ଗୁଞ୍ଜି ଦେଉଥିବେ, ସେମାନଙ୍କ ତରଫରୁ ସେଇ ଆମ ଉପରେ ଶାସନ କରୁଥିବ, ଆମ ଘରେ ଲଢ଼େଇ ଲଗାଇ ରଖିଥିବ, ଆମର ଗୋଟାଏ ଦେଶକୁ ଦୁଇଖଣ୍ଡ କରିରଖିଥିବ, ଆମର ସକଳ ଉଦୟକୁ ସେ ପୂରାପୂରି ବନ୍ଦ କରିରଖି ଆମର ସୁକୁଟ ଦେଖିବାରେ ଲାଗିଥିବ । ସେମାନେ ଯେଉଁ ପୃଥିବୀରେ ଭୋଗୀ ହୋଇ ରହିଛନ୍ତି, ସେହି ପୃଥିବୀରେ କୌଣସି ପରିବର୍ତ୍ତନ ହେଉ ଏବଂ ସ୍ୱାଭାବିକ ଭାବରେ ସେହି ପରିବର୍ତ୍ତନ ହେଉ ବୋଲି ସେମାନେ ଇଚ୍ଛା କରିବେ ବା କାହିଁକି ? ମାତ୍ର ଆପଣାର ଇପ୍‌ସିତ ସ୍ଥାନଟିକୁ ଆସିପାରିବା ଲାଗି ଆମ ଯେଉଁମାନଙ୍କ ଲାଗି ଆହୁରି ଅନେକ ସୋପାନ ବାକି ରହିଛି, ଆମ ସମାଜ, ସଂହତି ଓ ଆଭିମୁଖ୍ୟଗୁଡ଼ାକୁ ନାନା ଭାବେ ଓଲଟପାଲଟ କରିଦେଖିବାର ଆବଶ୍ୟକତା ରହିଛି, ସେମାନେ ଏତିକିରେ ବାଧ୍ୟ ହୋଇ ବୋଲ ମାନି ରହିପାରିବେ ବି କିପରି ?

 

ଆମ ଆଗରେ ଏହାହିଁ ସମସ୍ୟା । ଭିଏତ୍‌ନାମର ସମସ୍ୟା କହିଲେ ପୃଥିବୀର ଏହି ଖଣ୍ଡଟାରେ ତାହା ମୂଳତଃ ଏହାହିଁ ବୁଝାଇବ । ଏଥିଲାଗି ଆମକୁ ଅନ୍ୟ ପନ୍ଥା ବାହାର କରିବାକୁ ହେବ, ଅନ୍ୟ ଶକ୍ତି ସୃଷ୍ଟି କରିବାକୁ ହେବ । ପଣ୍ଡିତ ଜବାହରଲାଲ ଏକଦା ଏହାକୁ ତୃତୀୟ ଶକ୍ତି ବୋଲି କହିଥିଲେ । ସେହି ଶକ୍ତିରୂପେ ଅବତୀର୍ଣ୍ଣ ହୋଇ ପାରିବାକୁ ହେଲେ ଆମକୁ ସେଥିଲାଗି ଆବଶ୍ୟକ ଭାବରେ ପ୍ରସ୍ତୁତ ହେବାକୁ ପଡ଼ିବ । ତେବେ ଯାଇ ଆମର ବିବର୍ତ୍ତନଟି ଆମରି ନିୟନ୍ତ୍ରଣରେ ସମ୍ଭବ ହେବ ।

 

ତା ୦୯.୦୪.୧୯୭୫ ରିଖ

Image

 

ପୁନରାବୃତ୍ତି ହେଉନାହିଁ

 

ଭିଏତ୍‌ନାମ ଗୋଟିଏ ଦେଶ । କିନ୍ତୁ ବାହାରର ରାଜନୀତି ତାହାକୁ ଦୁଇଟା କରିରଖିଛି-। ଗୋଟାଏ ଆକାଙ୍‌କ୍ଷା ଓ ଗୋଟାଏ ଆକାରକୁ ଦୁଇ ଖଣ୍ଡ କରିରଖିଛି । ଭିଏତ୍‌ନାମବାସୀଙ୍କୁ ପରସ୍ପରଠାରୁ ଅଲଗା କରିରଖିଛି ଏବଂ ଅତ୍ୟନ୍ତ ଜାଣିସିଆଣିଆ ଭାବରେ ସେହି ଦେଶର ଏକତ୍ରୀକରଣକୁ ସାରା ପୃଥିବୀର ଗୋଟାଏ ଏଡ଼େବଡ଼ ସମସ୍ୟା ବୋଲି ତିଳକୁ ତାଳ କରିକୁହାଯାଉଛି ।

 

ଭିଏତ୍‌ନାମ କହିଲେ ପୃଥିବୀର ମାନଚିତ୍ର ଉପରେ ଯେଉଁ ଭୂଖଣ୍ଡଟିକୁ ବୁଝାଏ, ତାହାର ମଧ୍ୟ ଏକ ଇତିହାସ ରହିଛି । ଆମେରିକା ବା ୟୁରୋପର ଇତିହାସଠାରୁ ହୁଏତ ଏକ ଅଧିକ ପୁରୁଣା ଓ ଅଧିକ ଐଶ୍ୱର୍ଯ୍ୟମୟ ଇତିହାସ ରହିଛି । ଫରାସୀ ଉପନିବେଶ କାଳରେ ଏହି ପୂର୍ବ ଇତିହାସକୁ କୌଣସି ପ୍ରକାର ସ୍ୱୀକୃତି ନ ଦେଇ ଶାସନଗତ ସୁବିଧା ଦୃଷ୍ଟିରୁ ଭିଏତ୍‌ନାମ ସାଙ୍ଗକୁ ଆଉ ଦୁଇଟା ଦେଶକୁ ଏକାଠି ଗୁନ୍ଥି ଇଣ୍ଡୋଚାଇନା ବୋଲି ଗୋଟାଏ ଉପନିବେଶ ତିଆରି କରାଯାଇଥିଲା । ଏପାଖରେ ଇଣ୍ଡିଆ ଅର୍ଥାତ୍‌ ଭାରତବର୍ଷ ଓ ସେପାଖରେ ଚୀନ, ଏହି ଦୁଇଟା ବଡ଼ ଦେଶ ମଧ୍ୟରେ ରହିଥିବା ଏହି ଭୂଖଣ୍ଡଟିର ହୁଏତ ଗୋଟାଏ ସ୍ୱତନ୍ତ୍ର ନାମ ଓ ଅସ୍ତିତ୍ୱ ଥିବ ବୋଲି ଭାବିବା ଲାଗି ମଧ୍ୟ କଷ୍ଟ ନ କରିସହଜତାପ୍ରିୟ ଫରାସୀମାନେ ସେତେବେଳେ ସୁବିଧା ଦୃଷ୍ଟିରୁ ସେହି ଭୂଖଣ୍ଡଟିକୁ ଇଣ୍ଡୋଚୀନ ବୋଲି କହିବାକୁ ଆରମ୍ଭ କଲେ । ସେମାନଙ୍କ ସାମ୍ରାଜ୍ୟ ଭିତରେ ଭୂଖଣ୍ଡଟିର ନାମ ତାହାହିଁ ହୋଇ ରହିଲା ।

 

ଯେଉଁ ଉପନିବେଶ-କାଳରେ ଆଫ୍ରିକା ଓ ଏସିଆ ବ୍ୟାପୀ ଜାତୀୟ ଆତ୍ମସଚେତନତାର ଜାଗରଣ-ଯୁଗଟି ଜନ୍ମଲାଭ କରିଥିଲା, ସେହି କାଳରେ ହିଁ ସାମ୍ରାଜ୍ୟର ଖାତାପତ୍ରରେ ରହିଥିବା ଇଣ୍ଡୋଚାଇନା କ୍ରମଶଃ ତିନୋଟି ଜାତି ବା ତିନୋଟି ଜାତୀୟ ଆକାଙ୍‌କ୍ଷାରୂପେ ବିକଶିତ ହୋଇ ଆସିଲା ଏବଂ ଦ୍ୱିତୀୟ ମହାଯୁଦ୍ଧ ପରେ ଯେତେବେଳେ ଫରାସୀ ସାମ୍ରାଜ୍ୟର ବିଲୟ ଘଟିଲା, ସେତେବେଳେ ଏଠାରେ ତିନୋଟି ଦେଶ ବା ତିନୋଟି ସ୍ୱତନ୍ତ୍ର ଏକକର ଗଠନ ହେଲା । ଏଇଥିରୁ ଗୋଟିଏ ଏକକ ହେଉଛି ଭିଏତ୍‌ନାମ । ଫରାସୀ ମାଲିକାନାରୁ ମୁକ୍ତ ହେବା ପୂର୍ବରୁ ମଧ୍ୟ ଯେତେବେଳେ ଜାପାନୀ ଆକ୍ରମଣକାରୀମାନେ ଆସି ଇଣ୍ଡୋଚାଇନାରୁ ଫରାସୀମାନଙ୍କୁ ବାହାରକୁ ତଡ଼ି ଦେଇଥିଲେ, ସେତେବେଳେ ମଧ୍ୟ ଗୋଟିଏ ଏକକ ରୂପେ ହିଁ ଭିଏତ୍‌ନାମ ଜାପାନୀ ଆଧିପତ୍ୟ ବିରୁଦ୍ଧରେ ଗରିଲା ପ୍ରତିରୋଧ କରିବାକୁ ଲାଗିଥିଲା । ଫରାସୀ ସାମ୍ରାଜ୍ୟ ଗଲା, ଜାପାନୀ ସାମ୍ରାଜ୍ୟ ବି ଧୂଳି ହୋଇଗଲା; ମାତ୍ର ସେମାନଙ୍କ ପରେ ପୃଥିବୀର ଭାଗ୍ୟଧର ହେବାକୁ ଯେଉଁ ନୂଆ ବୃହତ୍‌ ଶକ୍ତିମାନେ ଆସିଲେ ସେମାନେ ଭିଏତ୍‌ନାମକୁ ଗୋଟିଏ ଏକକ ହୋଇ ରହିବାରେ ଅନ୍ତରାୟ ହୋଇ ଠିଆହେଲେ । ଭିଏତ୍‌ନାମ ଗୋଟିଏ ଏକକ ବା ଦେଶ ହୋଇ ରହିବାର ଅର୍ଥ ହେଉଛି, ସେମାନେ ଏକ ସ୍ୱାଧୀନ ଜନସମୂହ ହିସାବରେ ଦେଶର ଶାସନ ଯେପରି ହେଉ ବୋଲି ଇଚ୍ଛା କରିଥାନ୍ତେ, ଦେଶର ଶାସନ ସେହିପରି ହୋଇଥାନ୍ତା । ସେମାନଙ୍କର ଜାତୀୟ ଭାଗ୍ୟର ରୀତି ଓ ଆର୍ଦଶକୁ ସେମାନେ ନିଜେ ସ୍ଥିର କରିଥାନ୍ତେ । କିନ୍ତୁ ଯେଉଁ ପୃଥିବୀରେ ଆର୍ଦଶଗୁଡ଼ାକ ପରସ୍ପରର ଭୟରେ ଗଦା ଗଦା ବାରୁଦ ଓ ବୋମା ଜମା କରିବସିଛନ୍ତି ଏବଂ ଅଲିଅଳ ଅଥଚ ଅନର୍ଥକାରୀ ପିଲାଙ୍କପରି କେବଳ ସେହିମାନଙ୍କର ଫରମାସ ମୁତାବକ ସଂସାରଟା ଚାଲୁ ବୋଲି ଜିଦ୍‌ କରୁଛନ୍ତି, ସେହି ପୃଥିବୀରେ ଭିଏତ୍‌ନାମ କିପରି ସମ୍ଭବ ହୋଇଥାନ୍ତା ?

 

ସେଇଥିରୁ କନ୍ଦଳ ଉପୁଜିଲା, କନ୍ଦଳରୁ ଯୁଦ୍ଧ ହେଲା, ଯୁଦ୍ଧରୁ ଗୋଟାଏ ଦେଶ ଦୁଇଭାଗ ହେଲା; ଏବଂ ତା’ପରେ ବାହାରର ଭଲ ଲୋକମାନେ କାଳକ୍ଷେପଣ କରିବାପାଇଁ ହିଁ କେତେ ଶାନ୍ତି ସମ୍ମିଳନୀ କରାଇଲେ, କେତେ ସୀମା ଜଗୁଆଳ ନେଇ ରଖାଇଲେ । ମାତ୍ର ଦେଶକୁ ଦୁଇଭାଗ କରାଗଲା ପରେ ମଧ୍ୟ ଯୁଦ୍ଧ ଲାଗିରହିଲା । ଶେଷକୁ ଆବଶ୍ୟକତା ଏପରି ପ୍ରବଳ ହେଲା ଯେ ଖୋଦ୍‌ ଆମେରିକା ତୁମୁଳ ସୈନ୍ୟସାମନ୍ତ ନେଇ ସେଠାକୁ ଲଢ଼ିବାକୁ ଆସି ପହଞ୍ଚିଗଲା । ଏଡ଼େ ବଡ଼ ଭୀମ ଆଗରେ ସାନ ମଣିଷଟିଏ ପରି ଭିଏତ୍‌ନାମ ଯେ କିପରି ବର୍ଷ ବର୍ଷ କାଳ ଲଢ଼ାଇ କରିପାରିଲା, ହଟିଗଲା ପଛେ କେବେହେଲେ ଧସିଗଲା ନାହିଁ, ସେକଥା ଆଧୁନିକ ଇତିହାସରେ ଯଥାର୍ଥରେ ଏକ ବିସ୍ମୟ ହୋଇ ରହିଗଲା । ତା’ପରେ ଗୋଟାଏ ଆନ୍ତର୍ଜାତିକ ସମ୍ମିଳନୀ ଓ ଶାନ୍ତିଥାପନାର ଆଳରେ ଆମେରିକା ଭିଏତ୍‌ନାମରୁ ବାହାରି ଆସିଲା । ଗୋଟିଏ ଦେଶ ରୂପେ ଗୋଟିଏ ଚେତନା ନେଇ ଜନ୍ମଲାଭ କରିବା ଲାଗି ଭିଏତ୍‌ନାମ ଦେଶବାସୀଙ୍କର ସଂଗ୍ରାମ ପୁଣି ଆରମ୍ଭ ହୋଇଗଲା । ଆମେରିକା ସେଠାରେ ଥାପି ଆସିଥିବା କଣ୍ଢେଇମାନଙ୍କ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ ହେଲା । ଏହା ଅଳପରୁ ବହୁତ ଓ ବହୁତରୁ ପ୍ରବଳ ହୋଇ ଏବେ ପ୍ରବଳରୁ କ୍ରମେ ଅସମ୍ଭାଳ ହେବାକୁ ଆରମ୍ଭ କଲାଣି । ତଥାକଥିତ ଦକ୍ଷିଣ ଭିଏତ୍‌ନାମର ଗୋଟାକୁ ଗୋଟା ଘାଟିକୁ ଭିଏତ୍‌ନାମବାସୀଙ୍କର ପକ୍ଷ ଅଧିକାର କରିନେଉଛନ୍ତି । ଆଜି ଏ ସହର ଚାଲିଯାଉଛି ତ କାଲି ସେ ବନ୍ଦର ଯାଉଛି । ପୁରୁଣା ସୀମାଗୁଡ଼ାକ ରଦ୍ଦି ହୋଇଯାଉଛି । ଯେଉଁମାନେ ରାଜପ୍ରସାଦ ଭିତରେ ରହିଆମେରିକାର ପୁଞ୍ଜି ଓ ପ୍ରେରଣା ବଳରେ ଦେଶଟାକୁ ଶାସନ କରୁଥିଲେ ବୋଲି କାଗଜ ଛପାଉଥିଲେ, ସେମାନେ ମଧ୍ୟ ନିଜ ନିଜ ଭିତରେ ଫଟାଫଟି ହେବାକୁ ଆରମ୍ଭ କଲେଣି । ଏସବୁ ଦେଖି ଭିଏତ୍‌ନାମରେ ଇତିହାସର ଏକ ପୁନରାବୃତ୍ତି ହେଉଛି ବୋଲି କ’ଣ କୁହାଯିବ କି ?

 

ଇତିହାସର ପୁନରାବୃତ୍ତି ହେଉନାହିଁ । ଘଟଣାଗୁଡ଼ିକର ପୁନରାବୃତ୍ତି ହେଉଛି, ନଈ ଭିତରେ କାଲି ସୁଅ ଚାଲିଥିଲା ଆଜି ମଧ୍ୟ ସୁଅ ଚାଲିଛି । କାଲିର ସୁଅ ଆଜି ‘ରହୁନାହିଁ’, ଆଜି ନୂତନ ସୁଅର ପ୍ରତ୍ୟକ୍ଷ କରିବାକୁ ପଡ଼ୁଛି ଏବଂ ସେଥିରୁ ନୂତନ ପରିମାଣ ମଧ୍ୟ ଉପୁଜିବାରେ ଲାଗିଛି । ତେଣୁ କେତେ ବର୍ଷ ତଳେ ଚୀନ ଦେଶରେ ଯାହା ଘଟିଥିଲା, ଚୀନରେ ତତ୍କାଳୀନ ପରିବେଶର ଏକ ନୂତନ ପରିଣାମରୂପେ ତାହା ଯେପରି ଘଟିଥିଲା, ବର୍ତ୍ତମାନ ଭିଏତ୍‌ନାମରେ ଯାହା ଘଟିବ, ସେଠାରେ ବର୍ତ୍ତମାନର ପରିବେଶରୁ ଜାତ ଏକ ନୂତନ ପରିଣାମ ରୂପେ ହିଁ ତାହା ଘଟିବ । ଆମେ କେତେବର୍ଷ ତଳେ ଯାହା ଥିଲେ ଓ ଚଳନ୍ତା ଇତିହାସକୁ ଯେପରି ଆଖିରେ ଦେଖୁଥିଲେ, ବର୍ତ୍ତମାନ ଯଦି ଠିକ୍‌ ତାହା ହିଁ ହୋଇ ରହିଥିବା ଓ ଚଳନ୍ତା ଇତିହାସକୁ ଠିକ୍‌ ସେହିପରି ଆଖିରେ ଆମ ଅଭ୍ୟସ୍ତ ରୀତିରେ ହିଁ ଦେଖିବାରେ ଲାଗିଥିବା, ତେବେ ହୁଏତ ବିଗତ କେତେବର୍ଷ ତଳେ ଚୀନରେ ଯାହା ଘଟିଲା, ପୃଥିବୀର ଇତିହାସରେ ଏହା ଭିତରେ ଏତେ ସୁଅ ବହି ଚାଲିଯିବା ପରେ ମଧ୍ୟ ଆମେ ତଥାପି ଭିଏତ୍‌ନାମରେ କେବଳ ତାହାରି ପୁନରାବୃତ୍ତି ହିଁ ହେବାକୁ ଯାଉଛି ବୋଲି କହିବାକୁ ମନ କରୁଥିବା ।

 

ତା ୧୦.୦୪.୧୯୭୫ ରିଖ

Image

 

ପାଖ୍‌ତୁନିସ୍ତାନ୍‌

 

ପାକିସ୍ଥାନର ଏପାଖରେ ଭାରତବର୍ଷ, ସେପାଖରେ ଆଫଗାନିସ୍ଥାନ । ଇତିହାସରେ ଯୁଗେ ଯୁଗେ ହିନ୍ଦୁକୁଶ ପର୍ବତଶ୍ରେଣୀର ଯେଉଁ ସୁଡ଼ଙ୍ଗ ଅଞ୍ଚଳ ଦେଇ ବହିରାଗତମାନେ ଭାରତବର୍ଷରେ ପ୍ରବେଶ କରିଥିଲେ, ବ୍ରିଟିଶ ଅମଳରେ ସେହି ଅଞ୍ଚଳଟିକୁ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ବୋଲି କୁହାଯାଉଥିଲା । ସେହି ଅଞ୍ଚଳରେ ବାସ କରୁଥିବା ଅଧିବାସୀମାନେ ଆପଣାକୁ ପଠାଣ ବୋଲି କହନ୍ତି । ସେମାନଙ୍କ ଭାଷା ମଧ୍ୟ ପୁସ୍ତୁ । ପୁସ୍ତୁ ଆଦିମ ସଂସ୍କୃତ ଭାଷାରୁ ବିବର୍ତ୍ତିତ ହୋଇ ଆସିଛି । ସେମିଟିକ୍‌ ପାର୍ସୀ ଭାଷା ଅନେକ ପରେ ଯାଇ ପଠାଣମାନଙ୍କ ଭିତରେ ପ୍ରବେଶ କରିଛି ।

 

ଇଂରେଜ ସାମ୍ରାଜ୍ୟ ମଧ୍ୟରୁ ମୁକ୍ତ ହୋଇ ଆସିବା ଲାଗି ସେତେବେଳେ ଆମ ଦେଶରେ ଏକ ଜାତୀୟ ସଂଗ୍ରାମ ଲାଗିଥିବା ସମୟରେ ପଠାଣମାନେ ସେଥିରେ ଏକ ଅତି ପ୍ରଶଂସନୀୟ ଅଂଶଗ୍ରହଣ କରିଥିଲେ । ମହମ୍ମଦ ଅଲ୍ଲି ଜିନ୍ନା, ସଂଖ୍ୟାଗରିଷ୍ଠ ହିନ୍ଦୁମାନେ ହିଁ ସଂଖ୍ୟାଲଘୁ ମୁସଲମାନମାନଙ୍କର ଆଶଙ୍କାର ସର୍ବବୃହତ୍ କାରଣ ବୋଲି କହି ଇଂରାଜୀ ଶାସକମାନଙ୍କ ହାତରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଆୟୁଧ ପରି ବ୍ୟବହୃତ ହେଉଥିବାବେଳେ ପଠାଣମାନଙ୍କର ନେତୃତ୍ୱ ସର୍ବଦା ସେହି ଭ୍ରମଟି ମଧ୍ୟରୁ ଆପଣାକୁ ଅଲଗା କରିରଖିଥିଲା ଏବଂ ଆପଣାର ଶକ୍ତିକୁ ସାମ୍ରାଜ୍ୟବାଦ ବିରୁଦ୍ଧରେ ହିଁ ଲଗାଇଥିଲା । ସେତେବେଳେ ବାଦଶାହ ଖାଁ ପଠାଣମାନଙ୍କର ନେତା ଥିଲେ । ଏକ ଅତି ଦୁର୍ଦ୍ଧର୍ଷ ଓ ପ୍ରତ୍ୟକ୍ଷ ଭାବରେ ଯୁଦ୍ଧପ୍ରିୟ ଜାତି ହୋଇଥିଲେ ମଧ୍ୟ ସେହିମାନଙ୍କ ମଧ୍ୟରୁ ହଜାର ହଜାର ପ୍ରଗତିକାମୀ ତରୁଣଙ୍କୁ ନେଇ ବାଦଶାହ ଖାଁ ସେଠି ଆପଣାର ଖୁଦାଇ ଖିଦ୍‌ମତ୍‌ଗାର୍‌ ଆନ୍ଦୋଳନଟିକୁ ସଙ୍ଗଠିତ କରିଥିଲେ । ଖୁଦାଇ ଖିଦ୍‌ମତ୍‌ଗାର୍‌ ମୁକ୍ତି ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କୁ ହିଁ ସେନାପତି ରୂପେ ସ୍ୱୀକାର କରିନେଇଥିଲେ ।

 

ନାନା କାରଣରୁ ସ୍ୱାଧୀନତା ଲାଭ କରିବାର ପ୍ରାୟ ଏକ ପୂର୍ବସର୍ତ୍ତ ରୂପେ ଭାରତବର୍ଷ ଯେତେବେଳେ ଦୁଇଭାଗ ହେଲା, ସେତେବେଳେ ମଧ୍ୟ ପଠାଣମାନେ ସେହି ବ୍ୟବଚ୍ଛେଦକୁ ଆଦୌ ସ୍ୱାଗତ କରିନଥିଲେ । ସେମାନେ ଏକ ସ୍ୱତନ୍ତ୍ର ଓ ସ୍ୱୟଂଶାସିତ ଏକକ ହୋଇ ରହିବାକୁ ଇଚ୍ଛା କରୁଥିଲେ । ସେମାନଙ୍କୁ ଆପଣା ପକ୍ଷକୁ ମନାଇ ଆଣିବାର ମତଲବରେ ଖୋଦ୍‌ ମହମ୍ମଦ ଅଲ୍ଲି ଜିନ୍ନା ମଧ୍ୟ ସେମାନଙ୍କୁ ସେହିଭଳି ଏକ ପ୍ରତିଶ୍ରୁତି ଦେଇଥିଲେ । ୧୯୪୭ ମସିହା ଜୁନ୍‌ ମାସ ତିରିଶ ତାରିଖରେ ଗୋଟିଏ ବିବୃତ୍ତିରେ ଜିନ୍ନା ସାହେବ କହିଥିଲେ: ‘ପାକିସ୍ଥାନର ବିଧାନ ପରିଷଦ ଯେଉଁ ସମ୍ୱିଧାନ ତିଆରି କରିବ, ସେଥିରେ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ଏକ ସ୍ୱାଧୀନ ଏକକ ହୋଇ ରହିବ । ସେମାନେ ନିଜେ ନିଜର ଶାସକ ହୋଇ ରହିବେ ଓ ଆପଣାର ସାମାଜିକ, ସାଂସ୍କୃତିକ ତଥା ଶିକ୍ଷାର ବ୍ୟାପାରଗୁଡ଼ିକୁ ନିଜେ ନିର୍ଦ୍ଧାରିତ କରିବାର ଅଧିକାର ପାଇବେ ।’

 

ଭାରତ ଦୁଇ ଖଣ୍ଡ ହୋଇ ସ୍ୱାଧୀନ ହେବା ପରେ ପଠାଣ ମାନେ ଭାରତରେ ରହିବେ ବା ପାକିସ୍ଥାନ ସହିତ ସାମିଲ ହେବେ, ତାହାରି ମୀମାଂସା କରିବା ପାଇଁ ସେଠାରେ ଏକ ଗଣଭୋଟ ନିଆଯାଇଥିଲା । ଖୁଦାଇ ଖିଦ୍‌ମତ୍‌ଗାରମାନେ ଏହି ଗଣଭୋଟକୁ ବର୍ଜନ କରିଥିଲେ । କାରଣ, ପଠାଣମାନେ ସେମାନଙ୍କର ଏକ ସ୍ୱତନ୍ତ୍ର ରାଜ୍ୟ ପାଖ୍‌ତୁନିସ୍ତାନ ଗଢ଼ିବେ ଅଥବା ପାକିସ୍ଥାନ ଭିତରେ ରହିବେ, ଏହି ବିଷୟରେ ଗଣଭୋଟ ନିଆଯାଉ ବୋଲି ସେମାନେ ଦାବୀ କରୁଥିଲେ । ବାଦଶାହ ଖାଁ ଏବଂ ଖୁଦାଇ ଖିଦ୍‌ମତ୍‌ଗାର୍‌ଙ୍କୁ ବାଦ୍‌ ଦେଇ ଯେଉଁ ଗଣଭୋଟ ହେଲା, ସେଥିରେ ପାକିସ୍ଥାନରେ ମିଶିକରିରହିବା ସପକ୍ଷରେ ୫୧% ଭୋଟ ପଡ଼ିଲା । ଭୌଗୋଳିକ ଦୃଷ୍ଟିରୁ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ଭାରତବର୍ଷ ସହିତ ମିଶିକରି ରହିଲେ ତଦ୍ଦ୍ୱାରା ଯେ ସମସ୍ୟାଗୁଡ଼ାକ ଆହୁରି ଜଟିଳ ହୋଇଥାନ୍ତା, ମାନଚିତ୍ରକୁ ଅନାଇଲେ ସେକଥା ଯେକେହି କହିଦେଇପାରିବ ଏବଂ ତେଣେ ପାକିସ୍ଥାନ ତରଫରେ ଅଧିକ ଭୋଟ ପଡ଼ିଲେ ପଠାଣମାନେ ଏକ ସ୍ୱତନ୍ତ୍ର ଏକକ ହୋଇ ରହିବେ ବୋଲି ମଧ୍ୟ ପାକିସ୍ଥାନର ତତ୍କାଳୀନ ଏକକନିର୍ମାତା ଜିନ୍ନାଙ୍କଠାରୁ ଏକ ନିର୍ଭର ପ୍ରତିଶ୍ରୁତି ମିଳିଥିଲା । ଏହିପରି ଭାବରେ ପଠାଣମାନେ ପାକିସ୍ଥାନ ଭିତରେ ସାମିଲ ହେଲେ ।

 

ମାତ୍ର ପଠାଣମାନଙ୍କୁ ଦିଆଯାଇଥିବା ସେହି ପ୍ରତିଶ୍ରୁତିଟିକୁ ପରେ ଆଉ କିଏ ମାନିଲା ? ୧୯୫୫ ମସିହାରେ ପାକିସ୍ଥାନର ତତ୍କାଳୀନ ଏକଛତ୍ର ଶାସନ ସିନ୍ଧୁ, ପଞ୍ଜାବ, ବେଲୁଚିସ୍ଥାନ ଓ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ ଚାରୋଟିଯାକ ଭାଗକୁ ଏକାଠି ମିଶାଇ ଗୋଟିଏ ପ୍ରଦେଶରେ ପରିଣତ କରିଦେଲା । ସେଇଟିକୁ ପଶ୍ଚିମ ପାକିସ୍ଥାନ ବୋଲି କୁହାଗଲା । ପଠାଣମାନଙ୍କର ସ୍ୱପ୍ନକୁ ମାଡ଼ି ଦଳି ଦିଆଗଲା । ସବଳ ତା’ର ପ୍ରତିଶ୍ରୁତି ଭଙ୍ଗ କଲା ଏବଂ ତା’ପରେ ଯାହା ଅବଶ୍ୟ ଘଟନ୍ତା, ସେଠାରେ ତାହା ହିଁ ଘଟିଲା ।

 

ବାଦଶାହ ଖାଁ ଜେଲରେ ରହିଲେ । ଖୁଦାଇ ଖିଦ୍‌ମତ୍‌ଗର୍‌ମାନେ ସରକାରଙ୍କର ସନ୍ଦେହଚକ୍ଷୁରେ ପଡ଼ି ନାନା ପ୍ରକାରେ ନିର୍ଯାତିତ ହେଲେ । ପଠାଣମାନଙ୍କୁ ଆଉ ଏକ ସ୍ୱତନ୍ତ୍ର ଏକକ ରୂପେ ସ୍ୱୀକାର କରିବାର ପ୍ରଶ୍ନ ହିଁ ଉଠାଗଲା ନାହିଁ । ସେମାନଙ୍କୁ ହିନ୍ଦୁ ଓ କାଫେର୍ ବୋଲି କୁହାଗଲା, ହିନ୍ଦୁମାନଙ୍କର ଗୋଲାମ ବୋଲି କୁହାଗଲା । ନାନା ପ୍ରଲୋଭନ ଦେଖାଇ ପାଖ୍‌ତୁନ୍‌ମାନଙ୍କର ଏକତାକୁ ଭାଙ୍ଗି ଦେବାର ଚେଷ୍ଟା କରାଗଲା । ସେମାନଙ୍କୁ ପାକିସ୍ଥାନୀ ସେନାବାହିନୀ ଭିତରୁ ବରଖାସ୍ତ କରିଦିଆଗଲା ଏବଂ ଏହିପରି ଏକ ନିର୍ଯାତନା ମଧ୍ୟରେ ହିଁ ସଚେତନ ପଠାଣ ଭିତରେ ସ୍ୱତନ୍ତ୍ର ପାଖ୍‌ତୁନିସ୍ତାନର ସ୍ୱପ୍ନଟି ପୁର୍ନବାର ପ୍ରାଣ ପାଇଉଠିଲା, କ୍ରମେ ସାକାର ହୋଇ ଦେଖାଯିବାକୁ ଆରମ୍ଭ କଲା ।

 

ଭାରତବର୍ଷକୁ ସ୍ମରଣ କରାଇଦେଇ ବାଦଶାହ ଖାଁ ଆଜି ମଧ୍ୟ ଏକଦା ମହାତ୍ମା ଗାନ୍ଧୀ ପଠାଣମାନଙ୍କୁ ଦେଇଥିବା ଏକ ପ୍ରତିଶ୍ରୁତିର ଉଲ୍ଲେଖ କରିଥାନ୍ତି । ପାକିସ୍ଥାନ ଯଦି ପଠାଣମାନଙ୍କ ପ୍ରତି ଅବିଚାର କରେ ଓ ସେମାନଙ୍କ ପ୍ରତି ଦୁର୍ବ୍ୟବହାର ଦେଖାଏ, ତେବେ ଭାରତବର୍ଷ ପଠାଣଙ୍କ ପକ୍ଷ ସମର୍ଥନ କରିହିଁ ସଂଗ୍ରାମ କରିବ ବୋଲି ଦେଶର ବଣ୍ଟନ ବେଳେ ଗାନ୍ଧିଜୀ ଜବାବ ଦେଇଥିଲେ-। ଭାରତବର୍ଷ ଦେଶ ବିଭାଗକୁ ଗ୍ରହଣକରି ପାଖ୍‌ତୁନ୍‌ମାନଙ୍କୁ ଯେ ଗଧିଆମାନଙ୍କ ମୁହଁରେ ଛାଡ଼ିଦେଇ ଆସିଲା, ବାଦଶାହ ଖାଁ ଏବେ ମଧ୍ୟ ଆମକୁ ସେହି କଥାଟିକୁ ସ୍ମରଣ କରାଇ ଦେଉଛନ୍ତି-

 

ତେଣୁ ପାଖ୍‌ତୁନିସ୍ତାନର ଆନ୍ଦୋଳନ କଦାପି ଏକ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ନୁହେଁ । ଏକ ସମୂହ ହିସାବରେ ସମ୍ମାନର ସହିତ ଆପଣାର ଭାଗ୍ୟନିର୍ଣ୍ଣୟ କରିବା ପାଇଁ ଏହା ହେଉଛି ଏକଛତ୍ର ଆତଙ୍କଶାସନ ବିରୁଦ୍ଧରେ ଏକ ଆନ୍ଦୋଳନ ।

 

ତା ୧୩.୦୪.୧୯୭୫ ରିଖ

Image

 

ମଳୁ, ବଇଦ ଓ ବିଜ୍ଞାନ

 

ଦେହ ଦୁଃଖ ହେଲେ ମଣିଷ ବଇଦ ପାଖକୁ ଯାଏ । ବଇଦ ପଇସା ନିଏ, ରୋଗକୁ ଔଷଧ ବତାଏ, ଦୁଃଖର ପ୍ରତିକାର କରିଦିଏ । ଆଗେ ଯେଉଁମାନଙ୍କୁ ବଇଦ ବା ବୈଦ୍ୟ ବୋଲି କୁହାଯାଉଥିଲା, ଏବେ ସେମାନଙ୍କୁ ଲୋକମୁଖରେ ଡାକ୍ତର ବୋଲି କୁହାଯାଉଛି । ଡାକ୍ତରମାନେ ଡାକ୍ତରୀବିଦ୍ୟା ପଢ଼ିଛନ୍ତି । ସେହି ବିଦ୍ୟା ବିଦେଶରୁ ଆସିଛି । ତେଣୁ ଏ ଦେଶରେ କେବଳ କଲେଜମାନଙ୍କରେ ତାହା ପଢ଼ାଯାଉଛି ଏବଂ ସେହି ବିଦ୍ୟାକୁ ସମସ୍ତେ ଏକ ବିଜ୍ଞାନ ବୋଲି କହୁଛନ୍ତି ।

 

ଡାକ୍ତର ଦେହର ରୋଗକୁ ଭଲ କରେ । ବୈଦ୍ୟ ମଧ୍ୟ ତା’ର ନିଜ ଇଲମ ଅନୁସାରେ ରୋଗକୁ ଔଷଧ ବତାଏ, ରୋଗ ଭଲ କରେ । ନିଜର ବିଦ୍ୟାକୁ ସେ ଆୟୁର୍ବେଦ ବୋଲି କହେ । ଡାକ୍ତରଙ୍କର ବିଜ୍ଞାନ ତୁଳନାରେ ଆୟୁର୍ବେଦକୁ ଅଧିକ ପୁରୁଣା ବୋଲି ଦାବୀ କରେ । ଡାକ୍ତରୀ ଓ ଆୟୁର୍ବେଦ ସାଙ୍ଗକୁ ମଳୁ ପାଇଁ ହୋମିଓପାଥି ବୋଲି ଆହୁରି ଗୋଟାଏ ବାଟ ମଧ୍ୟ ରହିଛି । ଏ ତିନୋଟିଯାକ ବାଟ ପରସ୍ପରକୁ ସହିପାରନ୍ତି ନାହିଁ । ଅର୍ଥାତ୍‌ ଆୟୁର୍ବେଦ ଡାକ୍ତରୀ ବିଜ୍ଞାନକୁ ସହିପାରେ ନାହିଁ କି ଡାକ୍ତରୀ ବିଜ୍ଞାନ ଆୟୁର୍ବେଦ ଅଥବା ହୋମିଓପାଥିକୁ ସହିପାରେ ନାହିଁ । ବିଜ୍ଞାନୀ ହୋଇଥିଲେ ମଧ୍ୟ ଏମାନେ ପରସ୍ପର ପ୍ରତି ବଡ଼ ଅଜ୍ଞାନ ଆଚରଣ କରନ୍ତି ଏବଂ ପରସ୍ପରର ନିନ୍ଦାପବାଦ କରିବାରେ ଲାଗିଥାନ୍ତି ।

 

ଭାରତରେ ତେଣୁ ରୋଗୀମାନଙ୍କର ତିନୋଟି ବାଟ ରହିଛି । ଆଗରୁ ଆୟୁର୍ବେଦ ରହିଥିଲା; ତା’ପରେ ୟୁରୋପୀୟ ବିଜ୍ଞାନ ସହିତ ଡାକ୍ତରୀ ବିଜ୍ଞାନ ଆସିଲା ଏବଂ ଡାକ୍ତରୀ ବିଜ୍ଞାନର ସତେ ଅବା ପ୍ରତିବାଦ ବା ପ୍ରତିବିଧାନ ଘୋଷଣା କରିତା’ ପଛେ ପଛେ ହୋମିଓପାଥି ମଧ୍ୟ ଆସି ପହଞ୍ଚିଲା । ଭାରତରେ ରୋଗ ଓ ରୋଗୀଙ୍କର ତତ୍ତ୍ୱାବଧାନ ଲାଗି ଏବେ ଆମ ଚାରିପାଖରେ ତିନିହେଁ ମହଜୁଦ ରହିଛନ୍ତି । ମଳୁମାନେ ତିନିଜଣଯାକଙ୍କ ପାଖକୁ ଯାଉଛନ୍ତି । ସରକାର ତିନିଙ୍କୁ ସାହାଯ୍ୟ କରୁଛନ୍ତି । ସରକାରଙ୍କ ତରଫରୁ ଡାକ୍ତରୀବିଦ୍ୟାର ବଡ଼ ବଡ଼ କଲେଜ ଅଛି, ଏଠିସେଠି ଆୟୁର୍ବେଦ ଏବଂ ହୋମିଓପାଥିର କଲେଜ ବି ବସାଯାଇଛି । ଅନେକ ସମୟରେ ଜଣେ ଚିକିତ୍ସକ ଏକାବେଳକେ ତିନୋଟିଯାକର କାରବାର କରୁଛନ୍ତି । ତିନୋଟିରେ ସିଦ୍ଧିଲାଭ କରିଛନ୍ତି । ହୋମିଓପାଥି ଔଷଧ ରଖିଛନ୍ତି, ମୋଦକ ରଖିଛନ୍ତି ଓ ଏଣେ ଇଞ୍ଜେକ୍‌ସନ ମଧ୍ୟ ରଖିଛନ୍ତି । ଯୋଉଟା ଯେତେବେଳେ କାମ ଦେଲା, ସେଠି ସେଇଟାକୁ କାମରେ ଲଗାଉଛନ୍ତି । ମଳୁ ଓ ବୈଦ୍ୟ ଉଭୟଙ୍କୁ ନେଇ ତିନୋଟିଯାକ ବିଜ୍ଞାନର ଚମତ୍କାର ସମନ୍ୱୟ ଓ ସହାବସ୍ଥାନ ହେବାରେ ଲାଗିଛି ।

 

ସ୍ୱାଧୀନ ଭାରତରେ ଏଇଟା ଏକ ସତ୍ୟ କଥା ଯେ ସରକାର ଏପର୍ଯ୍ୟନ୍ତ ଡାକ୍ତରୀ ବିଜ୍ଞାନକୁ ହିଁ ସବୁଠାରୁ ଅଧିକ ଅନୁଗ୍ରହ ଦେଖାଇ ଆସିଛନ୍ତି । ଡାକ୍ତରୀ ଚିକିତ୍ସା, ଡାକ୍ତରୀ ପାଠପଢ଼ା ଏବଂ ଡାକ୍ତରୀ ବିଜ୍ଞାନ ସକାଶେ କୋଟି କୋଟି ଟଙ୍କା ଖରଚ କରିଛନ୍ତି । ମାତ୍ର ସୁଖର କଥା ଯେ ଏବେ ଚିକିତ୍ସାର ଅନ୍ୟ ଦୁଇଟି ବାଟ ଉପରେ ମଧ୍ୟ ସରକାରଙ୍କର ଦୃଷ୍ଟି କ୍ରମେ ପଡ଼ିବାକୁ ଆରମ୍ଭ କଲାଣି । ଆୟୁର୍ବେଦ ଓ ହୋମିଓପାଥିର ଗବେଷଣା ତଥା ଅଧିକତର ବିକାଶ ସାଧନ ପାଇଁ ଭାରତ ସରକାର ଏବର୍ଷ ପ୍ରାୟ ଦୁଇକୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏବର୍ଷ ସରକାରଙ୍କର ତରଫରୁ ଦେଶଯାକ କେତୋଟି ହୋମିଓପାଥି ଡାକ୍ତରଖାନା ଏବଂ ଶିକ୍ଷଣକେନ୍ଦ୍ର ଖୋଲିବାର ବ୍ୟବସ୍ଥା କରାଯାଉଛି ।

 

ଆମ ଦେଶରେ ଯେଉଁମାନେ ରୋଗରେ ପଡ଼ନ୍ତି, ସେମାନେ, କେଉଁ ବିଜ୍ଞାନଟା କେତେଦୂର ଅଧିକ ବା କମ୍‌ ବିଜ୍ଞାନସମ୍ମତ, ସେହି ଦୃଷ୍ଟିରୁ ଆଦୌ ଆପଣାର ଚିକିତ୍ସା ଲାଗି ଏବାଟ ବା ସେବାଟଟିକୁ ଗ୍ରହଣ କରିବାକୁ ଯାଆନ୍ତି ନାହିଁ । ସେମାନଙ୍କର ନଅଣ୍ଟିଆ ବଜେଟରେ ଯେଉଁଟି ଲାଗି ସେମାନଙ୍କର ସାମର୍ଥ୍ୟ ପାଏ, ସେମାନେ ସେହି ବାଟଟିର ଆଶ୍ରୟ ନିଅନ୍ତି ।

 

ଡାକ୍ତରୀ ବିଜ୍ଞାନର ଚିକିତ୍ସା ଏକ ଅତି ମହଙ୍ଗା ଚିକିତ୍ସା । ଏଥିରେ ଯେଉଁମାନେ ପାଠପଢ଼ି ଡାକ୍ତର ହୁଅନ୍ତି, ସେମାନଙ୍କୁ ଅଣ୍ଟିରେ ଅଣ୍ଟିଏ ପଇସା ଧରି ପାଠ ପଢ଼ିଯିବାକୁ ହୁଏ । ତେଣୁ ପାଠ ପଢ଼ିସାରି ସେମାନେ ରୋଗୀଙ୍କ ଉପରେ ସେହି ମୋଟା ତହବିଲ୍‌ଟାକୁ ଭିଡ଼ିନେବାକୁ ଚାହାନ୍ତି । ବିଦେଶୀ ବିଜ୍ଞାନକୁ ସହରରେ ପଢ଼ିଥିବାରୁ ସେମାନଙ୍କୁ ବାବୁ ପରି ରହିବାକୁ ପଡ଼େ, ସହରରେ ରହିବାକୁ ମଧ୍ୟ ବା କିଛି ନ ହେଲେ ଅନ୍ତତଃ ସହରର ଠାଣିରେ ରହିବାକୁ ପଡ଼େ । ସେଥିଲାଗି ଅଧିକ ପଇସା ଲୋଡ଼ା ହୁଏ ଏବଂ ସେହି ପଇସାକୁ ବିଚରା ମଳୁଙ୍କଠାରୁ ଭିଡ଼ିବାକୁ ହୁଏ ।

 

ବଇଦ ବା ହୋମିଓପାଥି ଡାକ୍ତର ଅଳ୍ପ ପଇସା ନିଅନ୍ତି । ସେମାନଙ୍କର ଔଷଧ ପାଇଁ ମଧ୍ୟ ଅଳ୍ପ ପଇସା ଦେବାକୁ ପଡ଼େ । ସେମାନେ ବି ଏଡ଼େ ବଡ଼ ବାବୁଙ୍କ ପରି ରହିନଥାନ୍ତି । ତେଣୁ ମଫସଲ ଗାଆଁରେ ତୁମ ଆମ ସମସ୍ତଙ୍କର ହାତପାହାନ୍ତାରେ ଯାଇ ପହଞ୍ଚି ବି ପାରନ୍ତି । ବିପଦବେଳେ ପାଖରେ ମିଳିଯାଆନ୍ତି । ସମସ୍ତଙ୍କର ସାମର୍ଥ୍ୟ ପାଇଲା ଭଳି ପରିଧି ଭିତରେ ରହିଥାନ୍ତି ।

 

ଡାକ୍ତରୀ ବିଜ୍ଞାନ, ହୋମିଓପାଥି ବା ଆୟୁର୍ବେଦ – ଏହି ତିନିଟାଯାକ ବାଟ ଭିତରୁ କୋଉଟା ଖାଣ୍ଟି ଓ କୋଉଟା ଭେଲ, ସେକଥା ସେହି କ୍ଷେତ୍ରର ବିଜ୍ଞାନୀମାନେ ହୁଏତ ଭବିଷ୍ୟତରେ କେଉଁଦିନ ନିଷ୍ପତ୍ତି କରିକହିପାରିବେ ଓ ସେପର୍ଯ୍ୟନ୍ତ ପରସ୍ପର ପ୍ରତି ଏକ ଉତ୍କଟ ସପତ୍ନୀଭାବ ରଖିଥିବେ । କିନ୍ତୁ ଆମ ଦେଶରେ ମଳୁସମାଜର ଆର୍ଥିକ ତଥା ସାମାଜିକ ବର୍ତ୍ତମାନ ସ୍ତରଟିକୁ ଆଖି ଆଗରେ ରଖି ଏକଥା ନିରାପଦରେ କୁହାଯାଇପାରିବ ଯେ ଆମ ଦେଶରେ ଲୋକେ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଏହି ତିନୋଟିଯାକ ପନ୍ଥାକୁ ଅବଶ୍ୟ ଲୋଡ଼ିବେ । ତିନୋଟିଯାକ ବାଟ ପରସ୍ପରର ପାର୍ଶ୍ୱବର୍ତ୍ତୀ ହୋଇ ନିଶ୍ଚୟ ରହିଥିବେ । ଯିଏ ଦେହଦୁଃଖ ବେଳେ ଯେତେ ପଇସା ଖରଚ କରିପାରିବ, ସିଏ ସେହି ଅନୁସାରେ ତଦନୁରୂପ ଏକ ବାଟଦ୍ୱାରା ଉପକୃତ ହେବାକୁ ମନ କରିବ ।

 

ତେଣୁ ତିନୋଟିଯାକ ବାଟକୁ ପ୍ରୋତ୍ସାହନ ଦିଆଯାଉ, ପୃଷ୍ଠପୋଷକତା ମିଳୁ । ଏହାହିଁ ପ୍ରଶସ୍ତତମ ନୀତି ରୂପେ ଗୃହୀତ ହେଉ ।

 

ତା ୧୭.୦୪.୧୯୭୫ ରିଖ

Image

 

ଦାର୍ଶନିକ ରାଷ୍ଟ୍ରପତି

 

ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍‍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ଆଉ ଆମ ସହିତ ଏହି ଇହଧାମରେ ନାହାନ୍ତି । ତାଙ୍କର ମୃତ୍ୟୁ ସହିତ ଭାରତବର୍ଷ ଜଣେ କୃତବିଦ୍ୟ ଶିକ୍ଷକଙ୍କୁ ହରାଇଲା, କୃତବିଦ୍ୟ ଦାର୍ଶନିକ ଓ ବାଗ୍ମୀପୁରୁଷଙ୍କୁ ହରାଇଲା । ଭାରତବର୍ଷକୁ, ଅର୍ଥାତ୍ ଭାରତବର୍ଷର ବିଦ୍ୟା ଓ ସାଂସ୍କୃତିକ ମହିମାକୁ ଭାରତର ବାହାରେ ଅବଜ୍ଞାତ କରାଇବା ଓ ବୃହତ୍ତର ପୃଥିବୀର ଜିଜ୍ଞାସୁମାନଙ୍କୁ ଏହି ବିଦ୍ୟା ଆଡ଼କୁ ଆକର୍ଷିତ କରାଇ ଆଣିବାରେ ଶ୍ରୀଯୁକ୍ତ ରାଧାକୃଷ୍ଣନଙ୍କର ଏକ ଅତ୍ୟନ୍ତ ମହନୀୟ ଅବଦାନ ରହିଛି ।

 

ଭାରତବର୍ଷ ସ୍ୱାଧୀନତା ପାଇବା ବେଳକୁ ରାଧାକୃଷ୍ଣନ୍‌ ଜଣେ ଦର୍ଶନ ପଣ୍ଡିତ ଓ ଅଧ୍ୟପକ ହିସାବରେ ପ୍ରଖ୍ୟାତି ଲାଭ କରିଥିଲେ । ଭାରତୀୟ ଦର୍ଶନଶାସ୍ତ୍ରମାନ ମୂଳ ସଂସ୍କୃତ ଭାଷାରେ ଲେଖାହୋଇ ରହିଥିଲା । ରାଧାକୃଷ୍ଣନଙ୍କ ପୂର୍ବରୁ ପ୍ରଧାନତଃ ସଂସ୍କୃତ ଟୋଲ୍‍ର ପଣ୍ଡିତମାନେ ହିଁ ଦର୍ଶନଚର୍ଚ୍ଚା କରୁଥିଲେ । କାରଣ ସେହିମାନେ ସଂସ୍କୃତ ଭାଷାକୁ ଭେଦି ପାରୁଥିଲେ-। ୟୁରୋପରୁ ଯେଉଁ ବିଦ୍ୱାନ୍‌ମାନେ ଭାରତୀୟ ଦର୍ଶନର ଅଧ୍ୟୟନ ଏବଂ ଗବେଷଣା ଲାଗି ଭାରତକୁ ଆସୁଥିଲେ, ସେମାନେ ନିଜ ସଂସ୍କୃତ ଜାଣି ନଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କର ଭାରତ ରହଣି କାଳରେ ଜଣେ ଜଣେ ସଂସ୍କୃତ ପଣ୍ଡିତଙ୍କୁ ବେତନ ଦେଇ ରଖାଇ ସେହିମାନଙ୍କଠାରୁ ଭାରତୀୟ ଶାସ୍ତ୍ରଗୁଡ଼ିକର ଅର୍ଥ ବୁଝୁଥିଲେ ଓ ସେହି ଅଳ୍ପ ଓ ପରୋକ୍ଷଲବ୍‌ଧ ଜ୍ଞାନକୁ ଭିତ୍ତି କରିହିଁ ଭାରତୀୟ ବିଦ୍ୟାର ବ୍ୟାଖ୍ୟା କରୁଥିଲେ । ଏହା ଫଳରେ ସେହିସବୁ ବ୍ୟାଖ୍ୟା ଓ ଅଧ୍ୟୟନରେ କେତେ କେତେ ବିକୃତି ଓ ଅର୍ଥପ୍ରମାଦ ପଶିଯାଉଥିଲା ଓ ଭାରତୀୟ ଦର୍ଶନ ପ୍ରକୃତରେ ଯାହା ନୁହେଁ, ପୃଥିବୀସଭାରେ ତାହା ସେହିପରି ଏକ ଆକାରରେ ପରିବେଷିତ ହେଉଥିଲା ।

 

ଏହି ଧାରାରେ ଯେଉଁ ଦୁଇଜଣ ବିଦ୍ୱାନ ଏକ ପରିବର୍ତ୍ତନ ଆଣିଲେ, ସେମାନେ ହେଉଛନ୍ତି ଶ୍ରୀଯୁକ୍ତ ଆନନ୍ଦ କୁମାରସ୍ୱାମୀ ଓ ଶ୍ରୀ ରାଧାକୃଷ୍ଣନ୍‌ । ରାଧାକୃଷ୍ଣନ୍ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗରେ ଅଧ୍ୟାପକ ଥିଲେ । ଭାରତୀୟ ଦର୍ଶନକୁ ସେ ଆପଣାର ବିଶେଷ ଅଧ୍ୟୟନ କ୍ଷେତ୍ରରୂପେ ବାଛିଲେ ଏବଂ ସେହି କ୍ଷେତ୍ରରେ ସକଳ ପ୍ରକାର ଆବଶ୍ୟକ ପଙ୍କୋଦ୍ଧାର କରିବା ଲାଗି ବଦ୍ଧପରିକର ହୋଇ ବାହାରିଥିଲେ । ସେ ଭାରତୀୟ ଦର୍ଶନର ଇତିହାସ ଲେଖିଲେ । ଗୀତା ଓ ଉପନିଷଦର ଅଧ୍ୟୟନ ପ୍ରକାଶ କଲେ, ବ୍ରହ୍ମସୂତ୍ରର ବ୍ୟାଖ୍ୟା ଲେଖିଲେ ଓ ଧମ୍ମପଦର ତର୍ଜମା କଲେ । ପୃଥିବୀର ଅଧ୍ୟାତ୍ମଜ୍ଞାନ କ୍ଷେତ୍ରରେ ଭାରତୀୟ ଅଧ୍ୟାତ୍ମବିଦ୍ୟାର ବିଶେଷ ଅବଦାନ ଏବଂ ଆବେଦନଟିକୁ ଚିହ୍ନାଇଦେଲେ । ବିଭିନ୍ନ ଦାର୍ଶନିକ ପରମ୍ପରା ଓ ଧାରା ସହିତ ଭାରତୀୟ ଦର୍ଶନଧାରାର ଏକ ତୁଳନାତ୍ମକ ଅଧ୍ୟୟନ କଲେ ଏବଂ ସିଏ ଯାହା ଲେଖିଲେ, ସେସବୁକୁ ଇଂରାଜୀ ଭାଷାରେ ଲେଖିଲେ, ଏକ ବୃହତ୍ତର ଦରବାର ଉଦ୍ଦେଶ୍ୟରେ ଲେଖିଲେ । ଆମ ବିଦ୍ୟାର ଦରଜାଟିକୁ ବାହାରର ବୃହତ୍ତର ଜଗତ ଆଡ଼କୁ ଉନ୍ମୋଚିତ କରିଦେଲେ । ଭାରତୀୟ ବିଦ୍ୟା ସବୁଦିନ ଲାଗି ତାଙ୍କ ପାଖରେ ନିଶ୍ଚୟ ଋଣୀ ରହିଥିବ ।

 

ଡକ୍ଟର ରାଧାକୃଷ୍ଣନ୍‌ କେବଳ ବିଦ୍ୱାନ ନଥିଲେ, ବାଗ୍ମୀ ମଧ୍ୟ ଥିଲେ । ଆପଣାର ଅନନ୍ୟ ଏକ ଓଜସ୍ୱୀ ଶୈଳୀରେ ସେ କେତେ କେତେ ଗହନ ଓ ଜଟିଳ ବିଷୟକୁ ପ୍ରାଣବନ୍ତ ଓ ଲୋକଗ୍ରାହୀ କରିପ୍ରକାଶ କରିପାରୁଥିଲେ । ଜ୍ଞାନ ଯେତେବେଳେ ଜୀବନର ଅନେକ ଗଭୀରକୁ ଭେଦିପାରେ, ଯେତେବେଳେ ଜ୍ଞାନ ବିଶ୍ୱାସ ରୂପେ ସଚଳ ଓ ସଜୀବ ହେବାକୁ ଆରମ୍ଭ କରେ; ସେତିକିବେଳେ ଯାଇ ଏହି ଅସାଧାରଣ ବାଗ୍ମିତା ସମ୍ଭବ ହୋଇଥାଏ । ରାଧାକୃଷ୍ଣନ୍‌ ମସ୍ତିଷ୍କ ଦେଇ ଜ୍ଞାନକୁ ବୁଝୁନଥିଲେ, ସେ ଜ୍ଞାନକୁ ନିଜସ୍ୱ କରିବଳି ତାହାକୁ ଆତ୍ମଜ୍ଞାନରେ ପରିଣତ କରିପାରୁଥିଲେ, ଅନ୍ତର୍ବିଶ୍ୱାସରେ ରୂପାନ୍ତରିତ କରିପାରୁଥିଲେ ।

 

ପ୍ରାଚୀନ ଗ୍ରୀସ୍‌ର ଦାର୍ଶନିକ ପ୍ଲେଟୋ ଦର୍ଶନବିତ୍‌ ଶାସକଙ୍କର କଥା ଲେଖିଛନ୍ତି । ଯେତେବେଳେ ଦାର୍ଶନିକମାନେ ହିଁ ଶାସନର ଦାୟିତ୍ୱରେ ରହିବେ ବା ଶାସକମାନେ ଦର୍ଶନର ଲୋଚନ ଦେଇ ସବୁକିଛିର ଅବଲୋକନ କରିବାକୁ ସମର୍ଥ ହେବେ, ସେତିକିବେଳେ ଯାଇ କୌଣସି ରାଜ୍ୟର ଶାସନ ଯଥୋପଯୁକ୍ତ ଓ ସର୍ବୋତ୍କୃଷ୍ଟ ହେବ ବୋଲି ସେ ମତ ଦେଇଛନ୍ତି । ଭାରତବର୍ଷରେ ଯେଉଁ ସମୟରେ ପଣ୍ଡିତ ଜବାହରଲାଲ ପ୍ରଧାନମନ୍ତ୍ରୀ ଥିଲେ ଓ ଡକ୍ଟର ରାଧାକୃଷ୍ଣନ୍‌ ରାଷ୍ଟ୍ରପତି ହୋଇ ରହିଥିଲେ, ସେତିକିବେଳେ ପୃଥିବୀର ଅନେକ ରାଜନୀତିକ ସମୀକ୍ଷକ ଭାରତବର୍ଷରେ ପ୍ଲେଟୋଙ୍କର କଳ୍ପନା ବାସ୍ତବରେ ପରିଣତ ହୋଇଛି ବୋଲି ମତପ୍ରକାଶ କରୁଥିଲେ-

 

ଅଧ୍ୟାପକ ରାଧାକୃଷ୍ଣନ୍ ଆପଣା ଜୀବନପଥର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ରାଧାକୃଷ୍ଣନ୍‌ ହେବାର ସମ୍ମାନ ଲାଭ କଲେ । ମଧ୍ୟବର୍ତ୍ତୀ କାଳରେ ସେ ଭାରତ ସରକାରଙ୍କର ରାଷ୍ଟ୍ରଦୂତ ହୋଇ ସୋଭିଏତ୍‌-ରୁଷିଆ ଯାଇଥିଲେ; ବର୍ଷେ ଇଉନେସ୍କୋର ସଭାପତି ମଧ୍ୟ ହୋଇଥିଲେ । ସୋଭିଏତ୍‌-ରୁଷିଆ ଓ ଭାରତବର୍ଷ ମଧ୍ୟରେ ଯେଉଁ ସାଂସ୍କୃତିକ ସଖ୍ୟ ଦିନକୁ ଦିନ ଦୃଢ଼ତର ହେବାରେ ଲାଗିଛି, ଅନେକ ଦୃଷ୍ଟିରୁ ଦେଖିଲେ ଶ୍ରୀ ରାଧାକୃଷ୍ଣନ୍‌ ହିଁ ତାହାର ମୂଳଦୁଆ ପକାଇଥିଲେ, ତାହାକୁ ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ପ୍ରଦାନ କରିଥିଲେ ।

 

ଡକ୍ଟର ରାଧାକୃଷ୍ଣନଙ୍କୁ ଭାରତବର୍ଷ ଆଗାମୀ ଅନେକଦିନ ପାଇଁ ନିଶ୍ଚୟ ମନେ ରଖିବ । ଭାରତବର୍ଷର ଅଧ୍ୟାପକମାନଙ୍କ ଲାଗି ସେ ଏକ ଶକ୍ତିଶାଳୀ ପ୍ରେରଣା ହୋଇ ରହିବେ । ଭାରତୀୟ ଦର୍ଶନ ତାଙ୍କରିଠାରୁ ପାଇଥିବା ଉତ୍ତରାଧିକାରଟିରୁ ଆଗାମୀ ଅନେକ ବର୍ଷ ଲାଗି ଉପକୃତ ହେଉଥିବ ।

 

ତା ୨୨.୦୪. ୧୯୭୫ ରିଖ

Image

 

ପରିବର୍ତ୍ତନର ପବନ

 

ଭାରତର ଉତ୍ତର ଭାଗରେ ହିମାଳୟର ପର୍ବତାଞ୍ଚଳ, ତାହାରି ଭିତରେ ସିକିମ୍‌ ଗୋଟିଏ ରାଜ୍ୟ । ସେଠାରେ ମଧ୍ୟ ପରିବର୍ତ୍ତନର ପବନ ବହିବାକୁ ଆରମ୍ଭ କଲାଣି ।

 

ବ୍ରିଟିଶ ଅମଳରେ ଭାରତବର୍ଷ ସହିତ ଛୋଟବଡ଼ ପ୍ରାୟ ଛଅଶହ ସରିକି କରଦରାଜ୍ୟ ଅଲଗା ଗୁନ୍ଥା ହୋଇ ରହିଥିଲେ । ସିକିମ୍ ମଧ୍ୟ ତାହାରି ଭିତରୁ ଗୋଟିଏ କରଦରାଜ୍ୟ ଥିଲା । ସର୍ଦ୍ଦାର ପଟେଲଙ୍କର ଉଦ୍ୟମରେ ଓ କାଳର ଆହ୍ୱାନକୁ ମାନି ସବୁ କରଦରାଜ୍ୟକୁ ଯେତେବେଳେ ସ୍ୱାଧୀନ ଭାରତର ଭାଗ୍ୟ ସହିତ ଏକାଠି ସାମିଲ୍ କରିଦିଆଗଲା, କୂଟନୈତିକ କୌଣସି ଏକ ଆବଶ୍ୟକତାର ଅନୁରୋଧରେ ସିକିମ୍‌କୁ ସେତେବେଳେ ତଥାପି ଅଲଗା କରିରଖାଯାଇଥିଲା । ସିକିମ୍‌ର ରାଜା ଅର୍ଥାତ୍ ଚୋଗ୍ୟାଲ୍‌ ଏକ ସ୍ୱତନ୍ତ୍ର ପାହିଆରେ ରହିଲେ, ସିକିମ୍‌ର ଶାସନକର୍ତ୍ତା ହୋଇ ରହିଲେ, ପ୍ରାୟ ଚାରିଶହ ବର୍ଷର ପୁରୁଣା ଏକ ରାଜବଂଶର ସନ୍ତକ ହୋଇ ରହିଲେ । ଭାରତ ସରକାରଙ୍କ ତରଫରୁ ଭାରତର ସ୍ୱାର୍ଥାଦିର ରକ୍ଷଣାବେକ୍ଷଣ କରିବା ଲାଗି ଜଣେ ପଲିଟିକାଲ୍‌ ଅଫିସର ମଧ୍ୟ ଅବସ୍ଥାପିତ ହୋଇ ରହିଲେ ।

 

ଏହା ଭିତରେ ସ୍ୱାଧୀନ ଭାରତବର୍ଷରେ ଏକ ସମ୍ୱିଧାନ ପ୍ରଣୟନ କରାଗଲା, ସେହି ସମ୍ୱିଧାନ ଅନୁସାରେ ପୃଥିବୀର ବୃହତ୍ତମ ଗଣତନ୍ତ୍ରରୂପେ ଏଠାରେ ନିର୍ବାଚନମାନ ହେଲା ଓ ନିର୍ବାଚିତ ପ୍ରତିନିଧିମାନେ ହିଁ ଲୋକସଭାର ଆସ୍ଥା ନେଇ ଭାରତବର୍ଷର ଶାସନ କଲେ, ଭବିଷ୍ୟର ଭାରତବର୍ଷ ପାଇଁ ଯୋଜନା ଗଢ଼ିଲେ । ସିକିମ୍‌ରେ ଯଦି ଖାଲି ପର୍ବତ ଓ ଅରଣ୍ୟଗୁଡ଼ିକ ହିଁ ଥାଆନ୍ତା, କୋଉଠି ହେଲେ ମଣିଷ ନଥାନ୍ତେ, ତେବେ ଭାରତବର୍ଷର ଏହି ଶାସନତାନ୍ତ୍ରିକ ପରିବର୍ତ୍ତନ ଓ ଜାତୀୟ ନବ-କଳେବର ସିକିମ୍‌ ଭିତରେ ହୁଏତ ଆଦୌ କୌଣସି ପ୍ରଭାବ ପକାଇନଥାନ୍ତା । ମାତ୍ର ଭାରତବର୍ଷରେ ଯାହା ଘଟୁଥିଲା, ସିକିମ୍‌ର ଦୁଇଲକ୍ଷ ଲୋକ ମଧ୍ୟ ତାହାକୁ ଅବଲୋକନ କରୁଥିଲେ; ନୂତନ ଭାରତର ରାଜନୀତିକ ପୁରୋଗମନ ସିକିମ୍‌ବାସୀଙ୍କ ହୃଦୟରେ ମଧ୍ୟ ନୂତନ ଆକାଙ୍‌କ୍ଷାମାନ ଜାଗୃତ କରିବାରେ ଲାଗିଥିଲା । ତେଣୁ ଚୋ-ଗ୍ୟାଲଙ୍କର ନିବୁଜ ଦୁର୍ଗଟି ଆଉ ଅଧିକ କାଳ ଲାଗି ନିବୁଜ ଦୁର୍ଗଟିଏ ହୋଇ ରହିପାରିଲା ନାହିଁ । କାଳକ୍ରମେ ସେଠାରେ ମଧ୍ୟ ସାବାଳକ ଭୋଟାଧିକାର ନିୟମରେ ଏକ ନର୍ବାଚନ ହେଲା, ଏକ ଲୋକପ୍ରତିନିଧି ସରକାର ଗଠନ କରାଗଲା ।

 

ମାତ୍ର ଚାରିଶହ ବର୍ଷର ପୁରୁଣା ଏକ ରାଜବଂଶର ସନ୍ତକପ୍ରାୟ ହୋଇ ରହିଥିବା ଚୋ-ଗ୍ୟାଲ ଏହି ପରିବର୍ତ୍ତନକୁ ସହୃଦୟ ଭାବରେ କଦାପି ମାନିନେଇ ପାରିଲେ ନାହିଁ । ସେ ଆପଣାର ସ୍ଥିତି କ୍ରମେ ଆପନ୍ନ ହେବାରେ ଲାଗିଛି ବୋଲି ଆଶଙ୍କା କରିବାକୁ ଲାଗିଲେ । ତାଙ୍କର ବ୍ୟକ୍ତିଗତ ସୁରକ୍ଷା ସକାଶେ ଯେଉଁ ରକ୍ଷାଦଳ ନିଯୁକ୍ତ ହୋଇ ରହିଥିଲେ, ସେମାନଙ୍କୁ ସେ ଲୋକପ୍ରତିନିଧି ଓ ଲୋକଶାସନ ବିରୁଦ୍ଧରେ ବ୍ୟବହାର କରିବାକୁ ଲାଗିଲେ । ବର୍ତ୍ତମାନ ଖବର ମିଳୁଛି ଯେ ସେମାନଙ୍କୁ ସେ ସିକିମ୍‌ ରାଜନୀତିର କେତେଜଣ ମୁଖ୍ୟ ବ୍ୟକ୍ତିଙ୍କୁ ହତ୍ୟା କରିବା ଲାଗି ମଧ୍ୟ ପ୍ରରୋଚନା ଦେଇଥିଲେ । ଗୋଟାଏ ପାଖରେ ରାଜା ଓ ଆଉ ଗୋଟାଏ ପାଖରେ ନିର୍ବାଚିତ ଲୋକପ୍ରତିନିଧି ଶାସନ, ଗୋଟାଏ ପାଖରେ ପରିବର୍ତ୍ତନକୁ ଭୟ କରୁଥିବା ଓ ପରିବର୍ତ୍ତନକୁ ସହୁନଥିବା ପୁରୁଣା ଓ ଆଉ ଗୋଟିଏ ପାଖରେ ପୃଥିବୀର ପରିବର୍ତ୍ତନ ସହିତ ତାଳ ମିଳାଇ ସାରା ପୃଥିବୀର ମଣିଷଙ୍କ ଧାଡ଼ିରେ ସାମିଲ ହେବାକୁ ବ୍ୟଗ୍ର ହେଉଥିବା ନୂଆ–ଦୁହିଁଙ୍କ ମଝିରେ ପଡ଼ି ସିକିମ୍‌ର ଭାଗ୍ୟ ଛଟପଟ ହେବାକୁ ଲାଗିଲା । ପୁରୁଣା ଓ ନୂଆ ଭିତରେ ଛକାଛକି ଓ ବଳ କଷାକଷି ମଧ୍ୟ ଚାଲିଲା-। ମାତ୍ର ଲୋକଙ୍କର ଇଚ୍ଛା ହିଁ ଶେଷକୁ ଜୟଯୁକ୍ତ ହେଲା ।

 

ଚୋ-ଗ୍ୟାଲଙ୍କର ଦେହରକ୍ଷୀମାନଙ୍କୁ ଲୋକମାନଙ୍କୁ ଦମନ କରାଯିବାରେ ନିଯୁକ୍ତ କରାଯିବାରୁ ସିକିମ୍‌ର ଲୋକପ୍ରତିନିଧିମାନଙ୍କର ଅନୁରୋଧକ୍ରମେ ଭାରତ ସରକାରଙ୍କ ତରଫରୁ ଗତ ସପ୍ତାହରେ ସେମାନଙ୍କୁ ନିରସ୍ତ୍ର କରିଦିଆଗଲା । ସିକିମ୍‌ ଭାରତବର୍ଷ ଭିତରେ ଭାରତର ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ପରି ସାମିଲ ହୋଇ ରହିବ, ସେଠାରୁ ରାଜତନ୍ତ୍ର ଲୋପ ପାଇବ, ଏହି ପ୍ରଶ୍ନଟି ଉପରେ ଏବେ ସଂକ୍ରାନ୍ତିଦିନ ଗୋଟିଏ ଗଣଭୋଟ ମଧ୍ୟ ହୋଇଗଲା । ରାଜ୍ୟର ଶତକଡ଼ା ୯୭ ଭାଗ ଭୋଟଦାତା ପ୍ରସ୍ତାବଟିର ସପକ୍ଷରେ ଭୋଟ ଦେଲା । ସିକିମ ପୁରୁଣା ଭିତରୁ ନୂଆ ହୋଇ ବାହାରିଆସିଲା ।

 

ଏହି ନିଷ୍ପତ୍ତିକୁ ଯେ ଚୋ-ଗ୍ୟାଲ୍ କଦାପି ମାନିବେ ନାହିଁ, ସେକଥା ଯେକେହି ସହଜରେ ଅନୁମାନ କରିପାରୁଥିବେ । ମାତ୍ର ପରିସ୍ଥିତିର ଦାବୀକୁ ମାନିନେବାକୁ ସିଏ ବାଧ୍ୟ ହେବେ । ପରିବର୍ତ୍ତନକୁ ମାନିନେବାକୁ ବାଧ୍ୟ ହେବେ । ଇତିହାସରେ ଅନେକ ନୃପତି ନାଟକଟିର ଶେଷକ୍ଷଣ ଆସିବା ମାତ୍ରକେ ଯେପରି ଅପସରି ଯାଇଛନ୍ତି, ସେହି ନିୟମଟିକୁ ମାନି ଯେଡ଼େ ଅମଙ୍ଗ ହେଉଥିଲେ ମଧ୍ୟ ଚୋ-ଗ୍ୟାଲଙ୍କୁ ଅପସରିଯିବାକୁ ହିଁ ପଡ଼ିବ ।

 

ଭାରତବର୍ଷରେ ଘଟୁଥିବା ଏହି ଘଟଣାଟିକୁ ପୃଥିବୀର କେତେ ସରକାର କେତେପ୍ରକାର ଚିତ୍ର କରିକହିବେ । ଭାରତ କୌଶଳକରି ସକିମ୍‌କୁ ଆତ୍ମସାତ୍‌ କରିନେଲା ବୋଲି ସେମାନେ ହୁଏତ ଅପବାଦ ଦେବେ । ୧୯୬୧ ମସିହାରେ ଗୋଆକୁ ଭାରତବର୍ଷରେ ସାମିଲ କରାଗଲାବେଳେ ଏମିତି କେତେ ସରକାର କେତେପ୍ରକାରେ କହିଥିଲେ । କିନ୍ତୁ ଗୋଆ ଭାରତ ଭିତରେ ରହିଲା, ଗୋଆରେ ଧର୍ମାଧିପତି ବୋଲାଉଥିବା ପର୍ତ୍ତୁଗାଲ କାଳକ୍ରମେ ନିଜେ ବଦଳିଗଲା-। ଚୋ-ଗ୍ୟାଲଙ୍କ ପକ୍ଷ ନେଇ କହୁଥିବା ନ୍ୟସ୍ତସ୍ୱାର୍ଥ ପକ୍ଷମାନେ ସେହିପରି କ୍ରମେ ନୀରବ ହୋଇଯିବେ । ସିକିମ୍‌ ପରିବର୍ତ୍ତନର ସ୍ରୋତରେ ବସି ଆଗକୁ ଆଗକୁ ମାଡ଼ିଚାଲିବ ।

 

ତା ୨୩.୦୪.୧୯୭୫ ରିଖ

Image

 

ଜର୍ମାନୀ ସୁସ୍ଥ ହୋଇ ଆସୁଛି

 

ପଶ୍ଚିମ ଜର୍ମାନୀ ଓ ପୂର୍ବ ଜର୍ମାନୀ ଭିତରେ କ୍ରମେ ଏକ ସୁସ୍ଥ ସମ୍ପର୍କର ପ୍ରତିଷ୍ଠା ହୋଇଆସୁଛି । ଦଶବର୍ଷ ପୂର୍ବେ ଜର୍ମାନୀରେ ଯାହାକୁ ଅସମ୍ଭବ କହି ଉଡ଼ାଇ ଦିଆଯାଉଥିଲା, ତାହା କ୍ରମଶଃ ସମ୍ଭବ ହୋଇଆସୁଛି । ପଶ୍ଚିମ ଜର୍ମାନୀରେ ଅଣକମ୍ୟୁନିଷ୍ଟ ସରକାର ଓ ପୂର୍ବ ଜର୍ମାନୀରେ କମ୍ୟୁନିଷ୍ଟ ସରକାରର ଶାସନ ଚାଲୁଛି । ପଶ୍ଚିମ ଜର୍ମାନୀ ଆପଣାକୁ ଜର୍ମାନ ସଂଘୀୟ ଗଣରାଷ୍ଟ୍ର ବୋଲି କହୁଛି ଓ ପୂର୍ବ ଜର୍ମାନୀ ଆପଣାକୁ ଜର୍ମାନ ଗଣତାନ୍ତ୍ରିକ ଗଣରାଷ୍ଟ୍ର ବୋଲି କହୁଛି । ଦୁଇ ଦେଶର ଗୋଟିଏ ଭାଷା, ଗୋଟିଏ ଅତୀତ । ତଥାପି ଗତ ମହାଯୁଦ୍ଧଠାରୁ ଜର୍ମାନୀ ଜର୍ମାନୀ ଭିତରେ କୌଣସି କଥାବାର୍ତ୍ତା ହିଁ ନଥିଲା । ପଶ୍ଚିମ ଜର୍ମାନୀର ରାଷ୍ଟ୍ରମୁଖ୍ୟ ଭିଲି ବ୍ରାଣ୍ଟ୍‌ ପ୍ରଥମେ ଏହି କଥାବାର୍ତ୍ତା ଆରମ୍ଭ କଲେ, ଦୁଇ ଜର୍ମାନୀ ଭିତରେ ଅପଡ଼ ହୋଇ ନ ରହିବାର ଏକ ସାମୟିକ ଚୁକ୍ତି ସ୍ୱାକ୍ଷର କରାଇଲେ । ସେହିଦିନଠାରୁ ଦୁଇ ଦେଶର ସମ୍ପର୍କର ବରଫ କ୍ରମେ ତରଳି ଆସୁଛି । ଦୁଇ ଦେଶ ଭିତରେ ଅନ୍ତର୍ବାଣିଜ୍ୟ ଓ ଦ୍ରବ୍ୟ କାରବାର ଚାଲିବ ବୋଲି ମଧ୍ୟ ଏବେ ଗୋଟିଏ ଚୁକ୍ତି ହୋଇଯାଇଛି ।

 

ଜର୍ମାନୀର ଗତ ଶହେଟି ବରଷର ଇତିହାସ ନାନା ବିଚିତ୍ର ରଙ୍ଗବଦଳର ଇତିହାସ । ଜର୍ମାନୀ ପ୍ରଥମରେ ଅସ୍ତିତ୍ୱରେ ହିଁ ନ ଥିଲା । ଏବେ ଭୂଗୋଳରେ ଯାହାକୁ ଜର୍ମାନୀ ବୋଲି କୁହାଯାଉଛି, ତାହା ପ୍ରାୟ ଦୁଇ ଡଜନ ସାନବଡ଼ ରାଜ୍ୟରେ କେତେଖଣ୍ଡ ହୋଇ ପଡ଼ିଥିଲା । ୧୮୭୦ ମସିହାରେ ପ୍ରୁସିଆର ଲୌହମଣିଷ ବିସ୍‌ମାର୍କ ଏହିସବୁ ଖଣ୍ଡକୁ ଏକତ୍ର କରିଜର୍ମାନୀ ନାମରେ ଗୋଟିଏ ଦେଶ ସ୍ଥାପନା କଲେ । ଜର୍ମାନୀ ଦୁଇଟିଯାକ ବିଶ୍ୱସମରରେ ହାରିଲା । ହିଟଲରର ଦୌରାତ୍ମ୍ୟ ଭିତରେ ଦୀର୍ଘ ପନ୍ଦର ବରଷ ନିଶାଖାଇ ମୁଗ୍‌ଧ ହୋଇ ରହିଲା ଏବଂ ନାତ୍‌ସୀ ବଳକୁ ପରାସ୍ତ କରିଯେତେବେଳେ ପୂର୍ବ-ପଶ୍ଚିମ ଦୁଇଆଡ଼ୁ ମିତ୍ରପକ୍ଷର ସେନା ମାଡ଼ି ଆସିଲେ, ସେତେବେଳେ ସେମାନେ ଯେତେ ଯେତେ ଭୂଇଁ ଦଖଲ କରିନେଲେ, ସେହି ଅନୁସାରେ ଜର୍ମାନୀ ଦୁଇଖଣ୍ଡ ହେବାର ଭିତ୍ତି ପଡ଼ିଲା । ପୂର୍ବପଟୁ ରୁଷବାହିନୀ ମାଡ଼ି ଆସୁଥିଲେ, ପଶ୍ଚିମପଟୁ ଆମେରିକାବାହିନୀ ମାଡ଼ି ଆସୁଥିଲେ । ଦୁଇ ବିଜୟୀ ପଟ ଯେଉଁଠି ଭେଟାଭେଟି ହେଲେ, ସେଇଠି ଦୁଇ ଜର୍ମାନୀ ଭିତରେ ଗାର ପଡ଼ିଲା । ପଶ୍ଚିମପଟ ପଶ୍ଚିମ ଜର୍ମାନୀ ହେଲା ଓ ପୂର୍ବପଟର ଏକ ଅଂଶ ପୂର୍ବ ଜର୍ମାନୀ ହେଲା । ଆଉ ଏକ ଅଂଶରୁ ଚେନାଏ ରୁଷିଆ ସହିତ ମିଶିଲା ଓ ଆଉ ଚେନାଏ ପୋଲାଣ୍ଡ ସହିତ ମିଶିଲା । ପୂର୍ବପଟେ କମ୍ୟୁନିଷ୍ଟ ରାଜ୍ୟ ଗଢ଼ାହେଲା, ପଶ୍ଚିମପଟେ ଅମଣିଆ ଜର୍ମାନମାନଙ୍କୁ ଗଣତନ୍ତ୍ରରେ ମଣ କରାଗଲା ।

 

ଏବଂ ଦୁଇ ଦେଶ ମଝିରେ ତାରବାଡ଼ ବସିଲା । ଗାଆଁଗଣ୍ଡା ଉଠାଇ ଦିଆଗଲା । ମଞ୍ଚା ଉପରେ ବନ୍ଧୁକଧାରୀ ସୈନ୍ୟମାନେ ପହରା ଦେଇ ରହିଲେ । ବର୍ଲିନ୍‌ ସହରକୁ ମଧ୍ୟ ନଈ, ନାଳ, ପାର୍କ, ଘର କିଛି ନ ମାନି ଦୁଇ ଫାଳ କରିଦିଆଗଲା ଓ ମଝିରେ କଂକ୍ରିଟ୍‌ର ପାଚେରୀ ବସିଲା; କଣ୍ଟାବାଡ଼ ବସାଗଲା । ଏପାଖ ଲୋକ ସେପାଖକୁ ଗଲେ ନାହିଁ କି ସେପାଖ ଲୋକ ଏପାଖକୁ ଆସିଲେ ନାହିଁ । ହିଟ୍‌ଲରର ସ୍ୱସ୍ତିକ ପତାକା ତଳେ ଯେଉଁମାନେ ମାତ୍ର କେଇଟା ବର୍ଷ ତଳେ ବିଶ୍ୱବିଜୟ କରିହଜାରେ ବର୍ଷ ଯାବତ୍ ଗୋଟାଏ ସାମ୍ରାଜ୍ୟ ଗଢ଼ିବାର ସ୍ୱପ୍ନ ଦେଖୁଥିଲେ, ସେମାନେ ରାଜନୀତିର ପାଚନ ପିଇ ମୁହଁ ଚାହାଁ ଚୁହିଁ ବି ହୋଇପାରିଲେ ନାହିଁ । ପୁଣି ସବୁଠାରୁ ବିଚିତ୍ର କଥା ହେଉଛି ଯେ ଦୁଇଟା ଯାକ ଫାଳ କେବଳ ଆପଣାକୁ ହିଁ ଅସଲ ଜର୍ମାନୀ ବୋଲି କହିଲେ ଏବଂ ଆଉ ଫାଳଟାକୁ ଆପଣାର ଅସଲ ଶତ୍ରୁ ବୋଲି ଜାଣିବାକୁ ଶିକ୍ଷା ପାଇଲେ ।

 

କିନ୍ତୁ କାଳ ଅତିବାହିତ ହେବା ସଙ୍ଗେ ସଙ୍ଗେ ବୈରଭାବର ଗଣ୍ଠିଗୁଡ଼ାକ କ୍ରମେ ହୁଗୁଳା ହୋଇଆସିଲା । ଆଦର୍ଶବାଦର ମୁଦାଘରଗୁଡ଼ାକରେ କ୍ରମେ ରନ୍ଧ୍ର ହେବାକୁ ଲାଗିଲା । ଏପାଖର ପବନ ସେପାଖରେ ଯାଇ ବାଜିବାକୁ ଆରମ୍ଭ କଲା । ଦୁହିଁଙ୍କ ଭିତରୁ କେହି ଯେ ଅସୁର ବଂଶରୁ ଜାତ ହୋଇନାହାନ୍ତି, କ୍ରମେ ଦୁଇ ପକ୍ଷ ସେହି ସତ୍ୟଟିକୁ ଆବିଷ୍କାର କଲେ ଓ ପ୍ରକୃତିସ୍ଥ ହେଲେ । ପୃଥିବୀର ତଥାକଥିତ ବୃହତ୍‌ ଶକ୍ତିଙ୍କର ହାତବାରିସି ହୋଇ ସେମାନେ ଯେ କାହିଁକି ପରସ୍ପର ପ୍ରତି ବିମୁଖ ହୋଇ ରହିଥିବେ, ଉଭୟ ପକ୍ଷ କ୍ରମେ ସେହି ପ୍ରଶ୍ନଟିକୁ ପଚାରିବାକୁ ଲାଗିଲେ । ସେତିକିବେଳେ ଅସଲ ମୁହୂର୍ତ୍ତଟିକୁ ସମ୍ଭବ କରିବା ଲାଗି ଭିଲି ବ୍ରାଣ୍ଟ୍ ନିମିତ୍ତ ହୋଇ ଜର୍ମାନୀର ରାଜ୍ୟମୁଖ୍ୟ ହୋଇ ଆସିଲେ । ପୂର୍ବ ଜର୍ମାନୀ ସହିତ କୌଣସି ସମ୍ପର୍କ ରଖିବାକୁ ନୈବ ନୈବ ଚ ବୋଲି ଜିଦ୍‌ ଧରି ଆସିଥିବା ବୁଢ଼ା ଆଡ଼େନାୱାର୍ ଶିମିଳୀତୂଳା ପରି କୁଆଡ଼େ ଅସ୍ତମିତ ହୋଇଗଲେ ।

 

ଭିଲି ବ୍ରାଣ୍ଟ୍‌ ଏହା ମଧ୍ୟରେ ରାଜନୀତିରୁ ବିଦାୟ ନେଇ ଚାଲିଗଲେଣି; କିନ୍ତୁ ସିଏ ଆରମ୍ଭ କରିଥିବା ନୂଆ ପ୍ରବୃତ୍ତିଟି ବର୍ତ୍ତମାନ ଖାଲି ଜର୍ମାନୀରେ ନୁହେଁ, ମାତ୍ର ସମଗ୍ର ଇଉରୋପରେ ମଧ୍ୟ କ୍ରମେ ସର୍ବମୁଖ୍ୟ ପ୍ରବୃତ୍ତି ରୂପେ ଜନ୍ମଗ୍ରହଣ କରିବାକୁ ଆରମ୍ଭ କରୁଛି । ଯୁଦ୍ଧକାଳୀନ ଶତ୍ରୁତାଗୁଡ଼ାକୁ ଭୁଲି ଇଉରୋପର ବିଭିନ୍ନ ଦେଶ କ୍ରମଶଃ ଏକତ୍ର ହୋଇ ଆସୁଛନ୍ତି । ପୁରୁଣା ଦମ୍ଭଗୁଡ଼ାକ ହାରିଯାଉଛି, ଏକାଠି ଗୋଟିଏ ଭାଗ୍ୟକୁ ନେଇ ସୁସ୍ଥ ଭାବରେ ବଞ୍ଚିବାର ଆଗ୍ରହଟି କ୍ରମଶଃ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଛି ।

 

ତା ୨୪ .୦୪ .୧୯୭୫ ରିଖ

Image

 

ଭାରତ ଓ ଆମେରିକା

 

ଭାରତ ଆଉ ଆମେରିକା–ପୃଥିବୀର ଏହି ଦୁଇଟିଯାକ ଦେଶରେ ଗଣତନ୍ତ୍ର ଶାସନ ଚାଲୁଛି । ଅର୍ଥାତ୍‌ ସାବାଳକ ଭୋଟପ୍ରଥା ଅନୁସାରେ ଦୁଇଟିଯାକ ଦେଶରେ ନିର୍ବାଚନ କରାଯାଇ ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ଦେଶ–ଶାସନ ଚାଲିଛି । ଗଣତନ୍ତ୍ର ବିଚାରର କଥା ପଡ଼ିଲେ ଖାଲି ଭାରତ ନୁହେଁ, ସାରା ପୃଥିବୀଯାକର ଲୋକେ ଆମେରିକାର ଜେଫର୍‌ସନ୍‌ ଓ ଲିଙ୍କ୍‍ନଙ୍କୁ ମଧ୍ୟ ସ୍ମରଣ କରନ୍ତି । କିନ୍ତୁ ବର୍ତ୍ତମାନର ଆମେରିକା ପୃଥିବୀର ଜନଗଣଙ୍କୁ ଗଣତନ୍ତ୍ର ବା ସ୍ୱାଧୀନତା ବିଷୟରେ ପ୍ରାୟ ଆଦୌ କୌଣସି ପ୍ରେରଣା ଦେଇପାରୁ ନାହିଁ । ଆମେରିକା କହିଲେ ପୃଥିବୀର ନବଜାତ ସ୍ୱାଧୀନ ଦେଶମାନଙ୍କ ପାଖରେ ସାହୁକାର ହୋଇ ଡଲାର୍ ଓ ଗୁଳିବାରୁଦର କାରବାର କରୁଥିବା ଏକ ବୃହତ୍ ଅତିବଳ ଶକ୍ତିକୁ ବୁଝାଉଛି । ଦ୍ୱିତୀୟ ମହାଯୁଦ୍ଧ ପରେ ଆମ ପୃଥିବୀ ଲାଗି ଏହା ପ୍ରକୃତରେ ଏକ ହତଭାଗ୍ୟ କାହାଣୀ ହୋଇ ରହିଛି ଏବଂ ଅନ୍ୟାନ୍ୟ ଅନେକ ଦେଶ ପରି ଭାରତ ମଧ୍ୟ ସେହି ହତଭାଗ୍ୟର ଶିକାର ହୋଇଛି ।

 

ମହାଯୁଦ୍ଧ ପରେ କେବଳ ଆମେରିକା ହିଁ ପରମାଣୁ ବୋମାର ଅଧିକାରୀ ହୋଇ ପାରିଥିଲା । ଆମେରିକାର ରାଜନୀତି ସେତେବେଳେ ପୃଥିବୀଟାକୁ ସତେଅବା ଆପଣାର ପ୍ରଭାବମଣ୍ଡଳ ମଧ୍ୟକୁ ଆଣିବାକୁ ହିଁ ବିଶ୍ୱରାଜନୀତି ବୋଲି ଭାବିଲା । କମ୍ୟୁନିଷ୍ଟବାଦକୁ ଆପଣାର ପରମଶତ୍ରୁ ମଣି ସଂସାରଟାଯାକ ସୈନ୍ୟଛାଉଣୀ ବିଛାଇଦେଇ ସଂସାରଟାକୁ ଆପଣା ଆଡ଼କୁ ଆଉଜାଇ ଆଣିବାକୁ ଇଛା କଲା । ଯେଉଁସବୁ ଦେଶ ନୂଆ ନୂଆ ସ୍ୱାଧୀନ ହେଲେ ବା ହେଉଥିଲେ, ସେମାନଙ୍କର ଭାଗ୍ୟ ଓ ଆକାଙ୍‌କ୍ଷାଗୁଡ଼ାକୁ ମଧ୍ୟ ଆମେରିକା ସେହି ତରାଜୁଟିରେ ହିଁ ଓଜନ କରିଦେଖିଲା ଓ ସେହି ଅନୁସାରେ ଆପଣାର ବନ୍ଧୁ ବା ଶତ୍ରୁ ନିର୍ଣ୍ଣୟ କଲା । ଏହାରି ଫଳରେ ହିଁ ଆମେରିକା ଅଭ୍ୟୁଦୟଶୀଳ ନବସ୍ୱାଧୀନ ଦେଶଗୁଡ଼ିକର ପ୍ରାୟ ଅବନ୍ଧୁ ହୋଇ ରହିଲା । ବିଶ୍ୱରାଜନୀତିରେ ଯାହାକୁ ତୃତୀୟ ଜଗତ ବା ନିରପେକ୍ଷ ଜଗତ ବୋଲି କୁହାଯାଏ, ପଣ୍ଡିତ ନେହେରୁ ସେହି ଜଗତର ନେତା ଥିଲେ । ପଞ୍ଚଶୀଳ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଭାବନା ତାଙ୍କରି ବିଚାରରୁ ବାହାରିଥିଲା । ଆମେରିକାର ସରକାରକୁ ଏଗୁଡ଼ାକ ଆରେଇଲା ନାହିଁ । ଭାରତର ଅନ୍ୟବିଧ ନୀତିଟିକୁ ସେ ଆପଣାର ବାଟରେ କଣ୍ଟକ ବୋଲି ମନେକଲା ।

 

ନୂଆ ସ୍ୱାଧୀନ ହୋଇଥିବା ଅଥବା ଅଳ୍ପବିକଶିତ ଯେଉଁସବୁ ଦେଶ ଆମେରିକାର ପଛରେ ଅଛନ୍ତି ଓ ତା’ର ଶୁଭଦୃଷ୍ଟି ଲାଭ କରିଛନ୍ତି, ସେସବୁ ଦେଶରେ ପ୍ରାୟ ଅପରିହାର୍ଯ୍ୟ ଭାବରେ ଆମେରିକାର ସୈନ୍ୟଘାଟି ବା ବିମାନଘାଟି ରହିଛି । ଆମେରିକାର ଉଦ୍ୟମ ଓ ଖରଚରେ ଗଢ଼ାହୋଇଥିବା ସାମରିକ ମେଣ୍ଟଗୁଡ଼ିକରେ ଏମାନଙ୍କୁ ସଦସ୍ୟ ରୂପେ ଭର୍ତ୍ତି କରାଯାଇଛି । ଭାରତ ଆମେରିକାର ଘାଟି ପାଇଁ ଆପଣା ଭୂଇଁରେ କୌଣସି ଜାଗା ଛାଡ଼ି ଦେଇ ନାହିଁ କିମ୍ୱା କୌଣସି ପ୍ରକାର ସମରମେଣ୍ଟରେ ସଦସ୍ୟ ହୋଇନାହିଁ । ତେଣୁ ଆମେରିକା ସରକାରଙ୍କର ଓ ଆମେରିକା ସାହୁକାରମାନଙ୍କର କୋପଦୃଷ୍ଟିରେ ପଡ଼ିଛି । ଆମେରିକାରୁ ଭାରତକୁ ମିଳୁଥିବା ଖାଦ୍ୟ ଓ ଅନ୍ୟାନ୍ୟ ସାହାଯ୍ୟର କ୍ଷେତ୍ରରେ ମଧ୍ୟ ସେହି ଅନୁସାରେ କୃପଣତା କରାଯାଇଛି ।

 

ଯୁଦ୍ଧପରେ ପୃଥିବୀରେ ଆମେରିକାର ଆଖିରେ ସଂସାରଟାଯାକ କେବଳ ଦୁଇଭାଗ ହୋଇ ଦେଖାଯାଇଥିଲା । ଗୋଟାଏ ପାଖରେ କମ୍ୟୁନିଷ୍ଟ ଓ ଆଉଗୋଟାଏ ପାଖରେ ଅଣକମ୍ୟୁନିଷ୍ଟ, ଆମେରିକାର ଅଭିଜ୍ଞ କୂଟନୀତିଜ୍ଞମାନେ ସେତେବେଳେ କେବଳ ଏତିକି ବୁଝୁଥିଲେ-। ଅଣକମ୍ୟୁନିଷ୍ଟ ପାଖରେ ଆମେରିକା ବଡ଼ପଣ୍ଡା ହୋଇରହିଲା ଏବଂ ଯେଉଁସବୁ ଦେଶ ତା’ପଟକୁ ନ ଆସିଲେ, ତା’ର ବୋଲ ନ ମାନିଲେ, ତାହାର ପୋଥିବାଇଗଣ ସହିତ ତାଳ ନ ଦେଲେ, ଆମେରିକା ସେମାନଙ୍କୁ ଅନ୍ୟପଟର ବୋଲି ସମଝିଲା, ଅନେକ ସମୟରେ ଶତ୍ରୁ ବୋଲି ବୁଝିଲା । କିନ୍ତୁ ନୂଆ କରିସ୍ୱାଧୀନ ହୋଇଥିବା ଅନେକ ଦେଶ କାହାରି ବୋଲ ନମାନି ଆପଣା ସ୍ୱକୀୟ ବାଟରେ ହିଁ ବିକଶିତ ହେବାକୁ ନୀତି ବୋଲି ଗ୍ରହଣ କଲେ ଓ ଆମେରିକାର ଚକ୍ଷୁଃଶୂଳ ହେଲେ । ଆପଣାର ଏକପାଖିଆ ଦୃଷ୍ଟି ଯୋଗୁଁ ଆମେରିକା ଭିଏତ୍‌ନାମ ଓ କାମ୍ୱୋଡ଼ିଆରେ ଆପଣାର ଫାଶଗୁଡ଼ାକରେ ଆପେ ହିଁ ବାନ୍ଧି ହୋଇଗଲା । ଆମେରିକା ସମେତ ପୃଥିବୀର ପ୍ରାୟ ସବୁ ଦେଶରେ ଜନଗଣଙ୍କ ଚକ୍ଷୁରେ ସେ ନିନ୍ଦନୀୟ ହେଲା । ପୃଥିବୀର ପ୍ରଗତି, ଜନଇଚ୍ଛା ଓ ଗଣତନ୍ତ୍ରର ମଧ୍ୟ ଏକ ପ୍ରତିବନ୍ଧକ ରୂପେ କାର୍ଯ୍ୟ କଲା । ମଣିଷର ବିଚାର ଏବଂ ମଣିଷର ହୃଦୟ ଯେ ସଂସାରଯାକର ଟଙ୍କା ଓ ଗୁଳିବନ୍ଧୁକ ଅପେକ୍ଷା ଅଧିକ ଶକ୍ତିଶାଳୀ, ଆମେରିକା ତାହା ବୁଝିପାରିଲା ନାହିଁ ।

 

ଯୁଦ୍ଧ ପରେ ଭାରତବର୍ଷକୁ ଆମେରିକା ସରକାରଙ୍କ ତରଫରୁ ଯେତେଜଣ ରାଷ୍ଟ୍ରଦୂତ ଆସିଛନ୍ତି, ସେମାନେ ଭାରତ ବିଷୟରେ ଯେଉଁ ରିପୋର୍ଟ ଦେଇଛନ୍ତି, ୱାଶିଂଟନର ରାଷ୍ଟ୍ରଭବନ ତାହାକୁ ଗ୍ରହଣ କରିନାହିଁ । ସମ୍ଭବତଃ ସେହି କାରଣରୁ ହିଁ ରାଷ୍ଟ୍ରଦୂତମାନେ ଜଣକ ପରେ ଜଣେ ବଦଳି ହୋଇଯାଇଛନ୍ତି; ମାତ୍ର ଭାରତ ଆଉ ଆମେରିକାର ସମ୍ପର୍କରେ ପ୍ରାୟ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି କ୍ଷେତ୍ରରେ ଅନେକ ଅବିଶ୍ୱାସ ଓ ଭୁଲ ବୁଝିବାର କୁହୁଡ଼ି ସତ୍ୟକୁ ଆଚ୍ଛନ୍ନ କରିରଖିଛି ।

 

ପୃଥିବୀଯାକର ସାହୁକାର ଓ ପୃଥିବୀଯାକର ତତ୍ତ୍ୱାବଧାରକ ହୋଇ ରହିବା ଲାଗି ମନ କରୁଥିବା ପର୍ଯ୍ୟନ୍ତ ଆମେରିକା ପୃଥିବୀ ଭିତରେ ଥାଇ ମଧ୍ୟ ପୃଥିବୀର ଜନମାନସଠାରୁ ଏହିପରି ଦୂରବର୍ତ୍ତୀ ହୋଇ ରହିଥିବ । ଆମେରିକା ଏହିପରି ଗୋଟାକ ପରେ ଗୋଟାଏ କରିମିଛଯୁଦ୍ଧ ଲଢ଼ୁଥିବ ଓ କେତେ କେତେ ଜନସମୂହର ଶୁଭେଚ୍ଛାକୁ ହରାଇବାରେ ଲାଗିଥିବ ।

 

ତା ୨୮.୦୪.୧୯୭୫ ରିଖ

Image

 

କାମ୍ୱୋଡ଼ିଆ

 

କାମ୍ୱୋଡ଼ିଆରେ ଯୁଦ୍ଧର ଅବସାନ ହେଲା । ଗତ ପାଞ୍ଚ ବର୍ଷ ଧରି ଏହି ଯୁଦ୍ଧ ଚାଲିଥିଲା-। କେତେବେଳେ ଏପକ୍ଷ ଏଠି ଜିତୁଥିଲେ ତ ଆଉ କେତେବେଳେ ସେପକ୍ଷ ସେଠି ଜିତୁଥିଲେ । କେତେବେଳେ ଏପକ୍ଷ ପୁଳାଏ ଜାଗା ମାଡ଼ିଯାଉଥିଲେ ତ ଆଉ କେତେବେଳେ ସେପକ୍ଷ ପୁଳାଏ ଜାଗା ମାଡ଼ି ଆସୁଥିଲେ । ଗୋଟାଏ ପାଖରେ କାମ୍ୱୋଡ଼ିଆର ସାଧାରଣ ଅଧିବାସୀ ଓ ସେହିମାନଙ୍କର ପକ୍ଷରୁ ଲଢ଼େଇ ଲଢ଼ୁଥିବା ଖ୍‌ମେର୍‌ ରୁଜ୍‌ ଅର୍ଥାତ୍‌ ଲାଲ ବାହିନୀ ଏବଂ ଆଉ ଗୋଟିଏ ପାଖରେ ଏକ ପ୍ରସ୍ଥାପିତ ସରକାର–ବିଦେଶର ଟଙ୍କା ଓ ବିଦେଶର ଅସ୍ତ୍ରବଳରେ ସୁପୁଷ୍ଟ ଓ ସୁସଜ୍ଜିତ । ପାଞ୍ଚ ବର୍ଷ ତଳେ କାମ୍ୱୋଡ଼ିଆର ତତ୍କାଳୀନ ରାଜ୍ୟମୁଖ୍ୟ ରାଜକୁମାର ସିଂହନଖ ଚୀନ ପରିଦର୍ଶନରେ ଯାଇଥିବା ସମୟରେ ଏଣେ ରାଜ୍ୟରେ ଯେଉଁ ପ୍ରରୋଚିତ ଗାଦୀବଦଳର ଅଭିନୟ ହୋଇଥିଲା, ଏପର୍ଯ୍ୟନ୍ତ ସେହି ଅଭିନୟର ପୁତ୍ତଳିମାନେ ଆପଣାକୁ ରାଜ୍ୟର ଶାସକ ରୂପେ ବସାଇଥିଲେ । ସେମାନଙ୍କର ପ୍ରଚାରଭାଷାରେ ସେମାନେ କୁଆଡ଼େ ରାଜ୍ୟକୁ କମ୍ୟୁନିଷ୍ଟ କବଳରୁ ରକ୍ଷା କରୁଥିଲେ, ଗଣତନ୍ତ୍ରକୁ ଏକଛତ୍ରବାଦୀ ଦୌରାତ୍ମ୍ୟର କବଳରୁ ରକ୍ଷା କରୁଥିଲେ ଏବଂ ଏଣେ ଖୋଦ୍‌ ଦେଶ ଉପରେ ସର୍ବବିଧ ଦୌରାତ୍ମ୍ୟ କରିବାରେ ଲାଗିଥିଲେ-

ଯୁଦ୍ଧର ଅବସାନ ଘଟିବାର ଅବ୍ୟବହିତ ପୂର୍ବରୁ ଆମେରିକାର କଠାଉକୁ ସିଂହାସନରେ ଥାପି ରାଜ୍ୟର ଶାସନ କରୁଥିବା ସେନାପତି ଲୋନ୍‌ ନୋଲ୍ ନିରାପତ୍ତା ଖୋଜି ଆମେରିକା ଛୁ’ କଲେ । ଆପଣାର ପ୍ରେରଣାର ସ୍ରୋତଟିକୁ ଖୋଜି ଖୋଜି ସେ ଯେଉଁଠୁ ପ୍ରେରଣାଟି ଆସୁଥିଲା, ଆଖରକୁ ଯାଇ ସେଇଠି ପହଞ୍ଚିଲେ । ସିଏ ଯିବା ପରେ ଆଉ ଯେଉଁମାନେ ପାଗ ବାନ୍ଧି ବସିଥିଲେ, ସେମାନେ ମଧ୍ୟ ଦେଶ ଛାଡ଼ି ଚାଲିଗଲେ । ହୁଏତ ସେମାନେ ମଧ୍ୟ ଶେଷକୁ ଯାଇ ଆମେରିକାରେ ପହଞ୍ଚିବେ । କାମ୍ୱୋଡ଼ିଆ ଦେଶରେ ଯେଉଁମାନେ ରହିଗଲେ, ସକଳ ବିପଦରେ ଯେଉଁମାନେ ତଥାପି କାମ୍ୱୋଡ଼ିଆରେ ରହିଲେ, ସେହି ଜନଗଣ ହିଁ ପୁଣି ଆପଣାର ଦେଶଟିକୁ ଫେରିପାଇଲେ, ଆପଣାର ଘରଟିକୁ ଫେରିପାଇଲେ ।

ଏହି ପାଞ୍ଚୋଟି ବର୍ଷର ଯୁଦ୍ଧରେ କ’ଣ ସବୁ ହୋଇଛି ବା ନ ହୋଇଛି, ଏବେ ଖବରକାଗଜରେ ସେହିସବୁର ହିସାବ ବାହାରିଛି । ଗତ ପାଞ୍ଚ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ସେହି ଦେଶରେ ପ୍ରାୟ ଦଶ ଲକ୍ଷ ସୈନ୍ୟ ଏବଂ ବେସାମରିକ ଲୋକ ମୃତାହତ ହୋଇଛନ୍ତି । ଗତ ପାଞ୍ଚ ବର୍ଷ ଧରି ନୋମ୍‌ପେନ୍‌ରେ ବସିଥିବା ସରକାର କେତେ ମାସ ତଳେ ଗୋଟାଏ ହିସାବ ତିଆରି କରିକହିଥିଲେ, ଯୁଦ୍ଧର ପ୍ରଥମ ଚଉବନ ମାସ ଭିତରେ ମୋଟ ୩୪ ହଜାର ସରକାରୀ ସୈନ୍ୟ ଏବଂ ୩୭ ହଜାର ‘ଖ୍‌ମେର୍‌ ରୁଜ୍‌’ ସୈନ୍ୟ ପ୍ରାଣ ହରାଇଛନ୍ତି । ଆମେରିକା ଏପର୍ଯ୍ୟନ୍ତ ମୋଟ ୧୨୦ କୋଟି ଡଲାର ମୂଲ୍ୟର ସାମରିକ ସାହାଯ୍ୟ କାମ୍ୱୋଡ଼ିଆକୁ ଦେଇଛି । ନାଆ ବୁଡ଼ିଲା ବେଳକୁ କାମ୍ୱୋଡ଼ିଆକୁ ଆହୁରି ଷାଠିଏ ଲକ୍ଷ ଡଲାର ସାମରିକ ସାହାଯ୍ୟ ଆଣି ଯୋଗାଇଦେବା ଲାଗି ଆମେରିକାର ସରକାରୀ ବିଭାଗରେ ବିଚାର ହୋଇସାରିଥିଲା । ମାତ୍ର ସାହାଯ୍ୟର ସରବରାହ ହେବା ପୂର୍ବରୁ ଏଣେ ନାଆଟି ବୁଡ଼ିଗଲା । ଆଉ ସାହାଯ୍ୟର ପ୍ରୟୋଜନ ରହିଲା ନାହିଁ । ଏହିସବୁ ସାମରିକ ସାହାଯ୍ୟ ଓ ଏହିସବୁ ମୃତ୍ୟୁ ଓ କ୍ଷତି ଫଳରେ କାହାର କି ଲାଭ ହେଲା ? ସ୍ୱନିର୍ବାଚିତ କେତେକ ସାମରିକ ସୈନ୍ୟାଧ୍ୟକ୍ଷଙ୍କୁ କାମ୍ୱୋଡ଼ିଆର ସିଂହାସନରେ ଆଣି ଥାପିଦେଇ ଓ ତଦ୍ଦ୍ୱାରା କାମ୍ୱୋଡ଼ିଆର ପ୍ରକୃତ ସରକାର ଏବଂ ଜନସାଧାରଣଙ୍କୁ ପ୍ରତ୍ୟାଖାନ କରିଆମେରିକା ବା କେଉଁ ଲାଭ ପାଇଲା ? ଅନେକ ବର୍ଷକାଳ ଆଉ ଏକ ଦେଶର ଉପନିବେଶ ହୋଇ ରହିବା ପରେ ଯେଉଁ ଦେଶ ଓ ଯେଉଁ ଜନଗଣ ସ୍ୱାଧୀନ ହୋଇ ଆପଣାର ଭାଗ୍ୟଟିକୁ ଗଢ଼ିବାର ସ୍ୱପ୍ନ ଦେଖୁଥିଲେ, ସେମାନଙ୍କୁ ଗୋଟାଏ ଗୃହଯୁଦ୍ଧର ବୀଭତ୍ସ ଜଞ୍ଜାଳ ଭିତରେ ଜୋର କରିଆଣି ପକାଇଦେବା ଦ୍ୱାରା ଆମ ପୃଥିବୀର ମଧ୍ୟ କି ଲାଭ ହେଲା ? ରାଜନୀତିର କି ଲାଭ ହେଲା ?

କାମ୍ୱୋଡ଼ିଆର ନିର୍ମାଣ-ଇତିହାସରେ ଏହି କେତୋଟି ବର୍ଷକୁ ଆମେ କେବଳ କେତୋଟି ଜଖମବର୍ଷ ବୋଲି କହିପାରିବା । କାମ୍ୱୋଡ଼ିଆ ଯେତେବେଳେ ବାଟ ଚାଲିଥାନ୍ତା, ସେତିକିବେଳେ ତା’ର ଗୋଡ଼କୁ ଛୋଟା କରିଦିଆଗଲା, ତା’ର ଅଣ୍ଟା ଭାଙ୍ଗିଦିଆଗଲା । ଯେଉଁମାନେ ସେଠି ଇସ୍କୁଲରେ ପାଠ ପଢ଼ିଥାନ୍ତେ, ସମଗ୍ର ମାନବଜାତି ସହିତ ଯେଉଁମାନେ ସମତାଳ ହୋଇ ଭବିଷ୍ୟର ସ୍ୱପ୍ନ ଦେଖିପାରିଥାନ୍ତେ, ସେମାନଙ୍କୁ ଜବରଦସ୍ତି ଆଣି ଗୋଟାଏ ହାସ୍ୟାସ୍ପଦ ଅଥଚ ଘାତକ ଗୃହଯୁଦ୍ଧ ଭିତରେ ଛନ୍ଦି ଦିଆଗଲା, ଗରିଲା ହେବାକୁ ବାଧ୍ୟ କରାଗଲା । ଇତିହାସର ଗୋଡ଼କୁ ଦଉଡ଼ିରେ ବାନ୍ଧି ତାକୁ ଅଟକାଇ ରଖାଗଲା ।

ତେଣୁ କାମ୍ୱୋଡ଼ିଆର ଇତିହାସରେ ଏକ ନିରର୍ଥକ ପର୍ଯ୍ୟାୟର ଅନ୍ତ ହେଲା ଓ ମଝିରେ ଅଟକି ଯାଇଥିବା ଅସଲ ନିର୍ମାଣପର୍ଯ୍ୟାୟର ପୁନରାରମ୍ଭ ହେଲା ବୋଲି କୁହାଯାଇ ପାରିବ । ଏଣିକି କାମ୍ୱୋଡ଼ିଆର ଖବରକାଗଜମାନଙ୍କରେ ହୁଏତ ଆଉ ଏତେ ବେଶି ଖବର ଆଦୌ ବାହାରିବ ନାହିଁ । କାମ୍ୱୋଡ଼ିଆ ନୀରବ ହୋଇ ପୁଣି ଆପଣାର ନିର୍ମାଣଶାଳାଟି ଭିତରକୁ ଚାଲିଯିବ-। ବୃହତ୍‌ ଶକ୍ତିମାନଙ୍କର ଯାବତୀୟ କୂଟନୀତିରୁ ମୁକ୍ତ ହୋଇ ସେ ପୁଣି ନିଜକୁ ଅବଲୋକନ କରିଶିଖିବ, ପୁଣି ଆପଣାକୁ କଳିଶିଖିବ, ଆପଣା ଭାଗ୍ୟର ପରବର୍ତ୍ତୀ ସୋପାନଗୁଡ଼ିକୁ ତିଆରି କରିବାରେ ଲାଗିଯିବ ।

ତା ୦୩.୦୫.୧୯୭୫ ରିଖ

Image

 

ଯୁଦ୍ଧକୁ ସ୍ୱୀକୃତି ଦେବା

 

ନୂଆ କାମ୍ୱୋଡ଼ିଆ ସରକାରକୁ ଗୋଟି ଗୋଟି କରିପୃଥିବୀର ବିଭିନ୍ନ ଦେଶ ସ୍ୱୀକୃତି ଦେଇ ସାରିଲେଣି । ରାଜକୁମାର ସିଂହନଖ ଯେତେବେଳେ ଚୀନଦେଶକୁ ପରିଭ୍ରମଣରେ ଯାଇ ସେଇଠି ନିର୍ବାସିତ ହୋଇ ରହିଲେ, ସେତେବେଳେ ପୃଥିବୀର ବିଭିନ୍ନ ଅନେକ ଦେଶ ଗୋଟି ଗୋଟି କରିନୋମ୍‌ପେନ୍‌ଠାରେ ସଦ୍ୟ ପ୍ରତିଷ୍ଠିତ ହୋଇଥିବା କୁଣ୍ଢେଇ ସରକାରଙ୍କୁ ସ୍ୱୀକୃତି ଦେଇଥିଲେ ଓ ନରୋତ୍ତମ ସିଂହନଖଙ୍କଠାରୁ ସ୍ୱୀକୃତି ପ୍ରତିହାର କରିଆଣିଥିଲେ ।

 

ଖ୍‌ମେର୍‌ ରୁଜ୍ ସୈନ୍ୟବାହିନୀ ରାଜଧାନୀ ନୋମ୍‌ପେନ୍‌କୁ ଯେତେବେଳେ ଚାରିଆଡ଼ୁ ଘେରି ଆସିଲେ, ଯେତେବେଳେ ସବୁ ସରିବା ଆଗରୁ ଆମେରିକାର ଗୁଳାବାରୁଦଗୁଡ଼ାକ କଦାପି ଆସି ପହଞ୍ଚି ପାରିବ ନାହିଁ ବୋଲି ସଫା ଜଣାପଡ଼ିଗଲା, ସେତେବେଳେ ପୃଥିବୀର ସରକାରମାନେ ପୁଣି ଧଡ଼ପଡ଼ ହୋଇ ଅନାଇଲେ ଓ ଧଡ଼ପଡ଼ ହୋଇ ସିଂହନଖଙ୍କୁ ହିଁ ସ୍ୱୀକୃତି ଜଣାଇବାକୁ ଆରମ୍ଭକଲେ । ମାଲୟ ଆସିଲା, ମାଲୟ ପଛକୁ ଫିଲିପାଇନ୍‌ ଓ ସିଙ୍ଗାପୁର ଆସିଲେ, ତାଙ୍କ ପରେ ଇରାନ୍‌ର ଶାହା ସ୍ୱୀକୃତି ଦେବାକୁ ଆସିଲେ ଏବଂ ତା’ପରେ ଏବେ ମାତ୍ର ଅଳ୍ପଦିନ ହେଲା ଅନ୍ଧାରର ଗଡ଼ିଆ ଭିତରୁ ଉଠୁଥିବା ପର୍ତ୍ତୁଗାଲ୍‌ ମଧ୍ୟ ସ୍ୱୀକୃତି ଜଣାଇ ପଠାଇଲା । ପ୍ରଶ୍ନ ହେଉଛି, ଏହି ସରକାରମାନେ ପ୍ରକୃତରେ କାହାକୁ ସ୍ୱୀକୃତି ଦେଲେ ? ଏମାନେ କ’ଣ କୌଣସି ନୀତି ବା ଆର୍ଦଶକୁ ସ୍ୱୀକୃତି ଦେଲେ, କାମ୍ୱୋଡ଼ିଆର ଜନଗଣଙ୍କୁ ସ୍ୱୀକୃତି ଦେଲେ ନା ଅବସ୍ଥାକ୍ରମେ ଯିଏ ଯୁଦ୍ଧରେ ଜୟଲାଭ କଲା, ସେମାନେ ସମସ୍ତେ ମିଳି ତାହାକୁ ହିଁ ସ୍ୱୀକୃତି ଦେଲେ ? ଆପଣା ପାଖରେ ଅଧିକ ସାମରିକ ସାଧନସାମଗ୍ରୀ ଓ ଅଧିକ ସାମରିକ ବାସ୍ତବବୁଦ୍ଧି ରହିଥିବାରୁ କାମ୍ୱୋଡ଼ିଆର ଜନଗଣଙ୍କର ଭାଗ୍ୟଟା ଗଡ଼ି ଗଡ଼ି ବର୍ତ୍ତମାନ ଯେଉଁମାନଙ୍କର ଅଧିକାରକୁ ଆସିଲା, ସମସ୍ତେ ସେହିମାନଙ୍କୁ ସ୍ୱୀକାରକଲେ ?

 

ଆମ ସଂସାରର ତଥାକଥିତ ରାଜନୀତି ଓ ଆନ୍ତର୍ଜାତିକ ନିଷ୍ପତ୍ତିଗୁଡ଼ାକ ସାଧାରଣତଃ କେଉଁ ସ୍ତରରେ ଓ କେଉଁ ନିୟମକୁ ମାନି ଆତଯାତ ହେଉଛି, ଏହି ସାନ ଘଟଣାଟିରୁ ଆମେ ତାହାର ଧାରଣା କରିପାରିବା । କାମ୍ୱୋଡ଼ିଆକୁ ଯେଉଁ ସ୍ୱୀକୃତି ମିଳିଛି, ତାହାକୁ ବିଭିନ୍ନ ଦେଶର ସରକାରମାନେ ଦେଇଛନ୍ତି । ସାଧାରଣ ଭାଷାରେ ଆମେ ଯାହାକୁ ସରକାର ବୋଲି କହିଥାଉଁ, ରାଜନୀତିର ପରିଭାଷାରେ ତାହାକୁ ରାଷ୍ଟ୍ର ବୋଲି କୁହାଯାଏ । ଗୋଟାଏ ରାଷ୍ଟ୍ର ଯେ କୌଣସି ଏକ ମୂଳ ଆର୍ଦଶ ବା ସତ୍ୟ ଦ୍ୱାରା ପରିଚାଳିତ ହୋଇ ଆଉ ଗୋଟିଏ ରାଷ୍ଟ୍ରକୁ ସ୍ୱୀକୃତି ଦିଏ, ତାହା ସର୍ବଥା ଠିକ୍‌ ନୁହେଁ । ତାହାରି ସେହି ସ୍ୱୀକୃତି ଦେବା ପଛରେ ଆହୁରି ଅନେକ ପ୍ରକାର କାରଣ ରହିଥାଏ । ସେହି କାରଣଗୁଡ଼ାକୁ ଏକାଠି କରିଅନେକ ସମୟରେ ବାସ୍ତବ ସ୍ଥିତି ବୋଲି କୁହାଯାଏ-। ଆମେ ଅନେକ ସମୟରେ ସେହି ତଥାକଥିତ ବାସ୍ତବ ସ୍ଥିତିକୁ କୌଣସି ଏକ ଦେଶର ତତ୍କାଳିକ ସ୍ୱାର୍ଥ ବୋଲି ମଧ୍ୟ କହିପାରିବା । ରାଷ୍ଟ୍ର ତାହାରି ଦ୍ୱାରା ପରିଚାଳିତ ହୋଇ ଆପଣାର ନିଷ୍ପତ୍ତିଗୁଡ଼ିକୁ ଗ୍ରହଣ କରେ । ଯିଏ ଲଢ଼େଇ ଭିତରୁ ବିଜୟୀ ହୋଇ ବାହାରିଲା, ରାଷ୍ଟ୍ରମାନେ ସାଧାରଣତଃ ତାହାକୁ ହିଁ ପ୍ରକୃତ ଅଧୀଶ୍ୱର ବୋଲି ମାନି ନିଅନ୍ତି, ତାହାକୁ ହିଁ ସ୍ୱୀକୃତି ଦିଅନ୍ତି । ପୁନର୍ବାର ବିପର୍ଯ୍ୟୟ ଘଟି ସିଏ ଯଦି ପୂର୍ବ କ୍ଷମତାରୁ ଖସିଗଲା ବା ଲଢ଼େଇରେ ହାରିଗଲା, ତେବେ ରାଷ୍ଟ୍ରୀୟ ସ୍ୱୀକୃତିଗୁଡ଼ାକ ତା’ଠାରୁ ଓହରିଯିବାକୁ ଆଦୌ କାଳବିଳମ୍ୱ ଘଟେ ନାହିଁ ।
 

ଅନେକ ସମୟରେ ବାସ୍ତବ ସ୍ଥିତିଟା ବଦଳିଗଲେ ମଧ୍ୟ ତଥାପି ସ୍ୱୀକୃତି ଦେବା ସମ୍ଭବ ହୁଏ ନାହିଁ । ସେତେବେଳେ ଆପଣାର ସ୍ୱାର୍ଥଟା ବଡ଼ ଅନମନୀୟ ହୋଇ ଆପଣାକୁ ହିଁ ଜାହିର କରିରଖିବାକୁ ଚାହେ, ଆପଣାର ଆଣ୍ଟଗୁଡ଼ାକ ହିଁ ରାଜନୀତିରେ ପ୍ରଧାନ ମୀମାଂସକ ହୋଇ ବାହାରେ । ୧୯୪୯ ମସିହାରେ ଚୀନରେ କମ୍ୟୁନିଷ୍ଟମାନେ ଶାସନକୁ ଆସିଲେ । ପୃଥିବୀଯାକର ବିବେକ ସେମାନଙ୍କୁ ବାସ୍ତବ ସ୍ଥିତିରୂପେ ସ୍ୱୀକାର କରିନେଲା । ପୃଥିବୀର ଅନେକ ରାଷ୍ଟ୍ର ଚୀନର ଏହି ନୂତନ ରାଷ୍ଟ୍ରଟିକୁ ଗ୍ରହଣ ଓ ସ୍ୱୀକାର କରିନେଲେ । ତଥାପି ଆମେରିକା ଗୋଠଖଣ୍ଡିଆ ହୋଇ ରହିଲା । ଚୀନକୁ ସ୍ୱୀକୃତି ନ ଦେଇ ଚେଇଁ ଶୋଇଲା ପରି ଚୀନ ବୋଲି ତାଇୱାନକୁ ଦେଖାଇବାକୁ ଲାଗିଲା, ସେଇଟାକୁ ହିଁ ପୃଥିବୀର ଚାରିଆଡ଼େ ଘୋଡ଼ା କରିନଚାଇଲା । ହାସ୍ୟାସ୍ପଦ ହେଲା, ତଥାପି ଆଣ୍ଟ ଭାଙ୍ଗିଲା ନାହିଁ ।

 

ଆଣ୍ଟ ମନକୁ ମନ ଭାଙ୍ଗିଗଲା । ସମୟ ସେହି ଆଣ୍ଟକୁ ଭାଙ୍ଗିଦେଲା । ଆମେରିକାର ସରକାର ନିଜ ତରଫରୁ ଚୀନର କମ୍ୟୁନିଷ୍ଟ ସରକାରଙ୍କୁ ସଙ୍ଖୋଳି ବାହାରିଲେ । ସ୍ୱୀକୃତି ଦେଲେ । ଆଖି ବଦଳିଯିବା ମାତ୍ରକେ ବାସ୍ତବ ସ୍ଥିତିଟା ମଧ୍ୟ ଅନ୍ୟପ୍ରକାର ଦିଶିଲା, ବିଶ୍ଳେଷଣଗୁଡ଼ାକ ବଦଳିଗଲା ଏବଂ ତାହା ଫଳରେ ପୃଥିବୀର ରାଜନୀତି ମଧ୍ୟ ବଦଳିଗଲା । ରାଜନୀତିକ ବିକ୍ଷୁବ୍‌ଧତା ହ୍ରାସ ହୋଇଆସିଲା । ପୃଥିବୀର ରାଜନୀତିକ ମାନଚିତ୍ରରେ ସମସ୍ତେ ସ୍ଥାନ ପାଇଲେ । ଏସବୁ କଥାର ଆଗପଛ କଥା ଭଲ କରିନ ବୁଝିଲେ ଆଜି ମଧ୍ୟ ଆନ୍ତର୍ଜାତିକ ରାଜନୀତିର ଅନେକ କଥା ଅବୋଧ୍ୟ ହୋଇ ରହିଯିବ !

 

ତା ୦୪.୦୫.୧୯୭୫ ରିଖ

Image

 

ସୁଏଜ କେନାଲ ଖୋଲିବ ?

 

ପୃଥିବୀର ପୂର୍ବପଟେ ସୁଏଜ କେନାଲ ଏବଂ ପଶ୍ଚିମପଟେ ପାନାମା କେନାଲ–ଏହି ଦୁଇଟିଯାକ ମନୁଷ୍ୟକଳ୍ପିତ ଓ ମନୁଷ୍ୟକୃତ ଜଳପଥ ପୃଥିବୀର ବଡ଼ ବଡ଼ ଜଳଭାଗ ଗୁଡ଼ିକୁ ପରସ୍ପର ସହିତ ସଂଯୁକ୍ତ କରୁଛି ଏବଂ ପୃଥିବୀର ବିଭିନ୍ନ ମହାଦେଶଗୁଡ଼ିକ ମଧ୍ୟରେ ରହିଥିବା ଦୂରତାକୁ ଅନେକ ପରିମାଣରେ ହ୍ରାସ କରିଦେଉଛି । ପୃଥିବୀରେ ବାଣିଜ୍ୟ ପ୍ରସାରର ଇତିହାସରେ ଓ ପୃଥିବୀର ଜନଗଣଙ୍କୁ ପରସ୍ପର ସହିତ ସମ୍ପର୍କବଦ୍ଧ କରିରଖିବାରେ ଏହି ଦୁଇଟିଯାକ କେନାଲର ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ଖାଲି ଏ ଦେଶର ବା ସେ ମହାଦେଶର ଲୋକେ ନୁହନ୍ତି, ପୃଥିବୀଯାକର ସବୁ ଲୋକେ ଏହି ଦୁଇଟି ଜଳପଥ ପାଖରେ ଏକାଧିକ କାରଣରୁ ନିଶ୍ଚୟ କୃତଜ୍ଞ ହୋଇ ରହିବେ ।

ସୁଏଜ କେନାଲ ଖୋଳା ହେବା ପୂର୍ବରୁ ୟୁରୋପରୁ ଏସିଆକୁ ଜଳପଥରେ ଆସିବାକୁ ହେଲେ ଆଫ୍ରିକା ମହାଦେଶର ଗୋଟାକଯାକ ଭୂଖଣ୍ଡକୁ ପରିକ୍ରମା କରିଆସିବାକୁ ପଡ଼ୁଥିଲା । ପର୍ତ୍ତୁଗାଲର ଭାସ୍କୋଡ଼ାଗାମା ସମ୍ଭବତଃ ଏହି କାରଣରୁ ହିଁ ଉଲ୍ଲସିତ ମନରେ ଆଫ୍ରିକାର ଦକ୍ଷିଣ ମୁନକୁ ଉତ୍ତମାଶା ଅନ୍ତରୀପ ବୋଲି କହିଥିଲେ । କିନ୍ତୁ ସୁଏଜ କେନାଲ ଖୋଳାହେବା ପରେ ତାହା ହିଁ ଏହି କ୍ଷେତ୍ରରେ ସର୍ବୋତ୍ତମ ଆଶାର ସନ୍ତକ ହୋଇ ରହିଲା । ଜଣେ ଫରାସୀ ଇଂଜିନିଅର୍‌ ଏହି କେନାଲଟିକୁ ତା’ର ଆଧୁନିକ ଆକାର ଦେଇଥିଲେ ଓ ଗତ ଶତାବ୍ଦୀରେ ଏହା ଖୋଳା ହେବା ଦିନଠାରୁ ଇଂଲଣ୍ଡ ଓ ଫ୍ରାନ୍‌ସ୍‌ ଏହି କେନାଲର ମାଲିକ ହୋଇ ରହିଥିଲେ । କେନାଲରୁ ଲାଭ ଖାଉଥିଲେ ଓ କେନାଲର ରକ୍ଷଣାବେକ୍ଷଣ କରୁଥିଲେ ।

୧୯୫୬ ମସିହାରେ ମିଶରର ଶାସକ ଅବ୍‌ଦୁଲ୍ ନାସେର୍‌ ସୁଏଜ ନାଳକୁ ତାଙ୍କ ଦେଶର ସମ୍ପତ୍ତି ବୋଲି ଘୋଷଣା କଲେ ଓ ସୈନ୍ୟସାମନ୍ତ ପଠାଇ ତାହାକୁ ଦଖଲ କରିନେଇଥିଲେ । ଇସ୍ରାଏଲକୁ ମଝିରେ ପୂରାଇ ଇଂଲଣ୍ଡ ଓ ଫ୍ରାନ୍‌ସ ଏହି ନିଷ୍ପତ୍ତିଟି ବିରୁଦ୍ଧରେ ଖୁବ୍‌ ଲଢ଼ିଲେ, କେତେ ରକ୍ତପାତ ଭିଆଇଲେ । ମାତ୍ର ସାମ୍ରାଜ୍ୟବାଦର କାଳ ପୂରି ଯାଉଥିବାବେଳେ ସେମାନେ ଆଉ ସୁଅ ବିରୁଦ୍ଧରେ କିପରି ବା ତିଷ୍ଠିପାରନ୍ତେ ? ତେଣୁ ସୁଏଜ କେନାଲ ମିଶରର ହିଁ ସମ୍ପତ୍ତି ହୋଇ ରହିଲା ଓ ସମଗ୍ର ପୃଥିବୀ ସେହି କଥାଟିକୁ ହିଁ ବାସ୍ତବ ବୋଲି ସ୍ୱୀକାର କରିନେଲା ।

ଆନ୍ତର୍ଜାତିକ ସମ୍ୱନ୍ଧର ପରମ୍ପରା ଅନୁସାରେ ସୁଏଜ କେନାଲ ମିଶରର ସମ୍ପତ୍ତି ହୋଇ ରହିଥାନ୍ତା ସତ, ମାତ୍ର ସେଥିରେ ପୃଥିବୀର ସବୁ ଦେଶର ଜାହାଜ ଲାଗି ଚଳାଚଳର ସୁଯୋଗ ମିଳିଥାନ୍ତା । କୌଣସି ପ୍ରକାର ସ୍ଥାନୀୟ ଶତ୍ରୁତା ବା ତାତ୍କାଳିକ ରାଜନୀତି ଏଥିରେ କୌଣସି ବିଘ୍ନ ଘଟାଇ ନଥାନ୍ତା, କୌଣସି ପ୍ରକାରେ ହସ୍ତକ୍ଷେପ କରିନଥାନ୍ତା ବୋଲି ସମସ୍ତେ ଆଶା କରୁଥିଲେ । କିନ୍ତୁ ସେକଥା ହୋଇପାରିଲା ନାହିଁ । ମଧ୍ୟପ୍ରାଚ୍ୟରେ ଆରବଦେଶପୁଞ୍ଜ ଓ ଇସ୍ରାଏଲ ମଧ୍ୟରେ ଯେଉଁ ତୀବ୍ର ବୈରଭାବ ରହିଛି, ତା’ରି ଫଳରେ ଇସ୍ରାଏଲର ଜାହାଜ ଯାତାୟତ ଲାଗି ସୁଏଜ କେନାଲକୁ ନିଷିଦ୍ଧ କରାଗଲା । ଏହି କାରଣରୁ ଦୁଇ ପକ୍ଷ ମଧ୍ୟରେ ଯୁଦ୍ଧ ହେଲା । ସିନାଇ ମାଳଭୂମି ଟପିଯାଇ ଇସ୍ରାଏଲର ସୈନ୍ୟବାହିନୀ ଶର୍ମଏଲ୍‌ ଶେକ୍‌ଠାରୁ ପୋର୍ଟ ସୟଦ ବନ୍ଦର ପର୍ଯ୍ୟନ୍ତ ନାନା ସ୍ଥାନରେ ସୁଏଜ କେନାଲ ଯାଏ ମାଡ଼ିଆସିଲେ ଏବଂ ସୁଏଜ ସହର ଓ ଆଉ କେତେକ ଅଞ୍ଚଳରେ ମଧ୍ୟ ମିଶର ଭିତରକୁ ପଶିଗଲେ । ସୁଏଜ କେନାଲ ଉପରେ ଯୁଦ୍ଧ ହେଲା, ପୋଲଗୁଡ଼ାକୁ ଭାଙ୍ଗି ଦିଆଗଲା ଓ ସୁଏଜ କେନାଲ ଭିତରେ ମାଇନ୍ ପକାହେଲା । ଜାହାଜ ଚଳାଚଳ ବନ୍ଦ ହୋଇଗଲା ଏବଂ ସେହିଦିନଠାରୁ ୟୁରୋପର ଜାହାଜଗୁଡ଼ାକ ପୁଣି ଆଫ୍ରିକାକୁ ମୁଣ୍ଡଳା ବୁଲି ଏସିଆକୁ ଆସିବାକୁ ବାଧ୍ୟ ହେଲେ । ଇତିହାସ ପଛକୁ ଫେରିଗଲା ।

ବିଶ୍ୱଶକ୍ତିଗୁଡ଼ିକର ମଧ୍ୟସ୍ଥତାରେ ଇସ୍ରାଏଲ ଓ ଆରବ ଦେଶ ଭିତରେ ଏକ ଅସ୍ଥାୟୀ ଯୁଦ୍ଧବିରତି ସ୍ୱାକ୍ଷରିତ ହେଲା । ଇସ୍ରାଏଲ ପକ୍ଷ ଚୁକ୍ତି ମାନି ସୁଏଜ କେନାଲର ଆରପାଖକୁ ହଟିଗଲେ । କେନାଲ ଅଞ୍ଚଳଟି ମିଳିତ ଜାତିସଂଘର ତତ୍ତ୍ୱାବଧାନରେ ରହିଲା । ମାତ୍ର ଯୁଦ୍ଧବେଳେ ସୁଏଜ ଉପରେ ଯେଉଁସବୁ ଖଣ୍ଡଯୁଦ୍ଧ ହୋଇଥିଲା, ତା’ପରେ କେନାଲଟି ଆଉ ଜାହାଜ ଚଳାଚଳ ଲାଗି ଆଦୌ ଅନୁକୂଳ ଅବସ୍ଥାରେ ନଥିଲା ।

ଏହା ମଧ୍ୟରେ ଜଣାଯାଉଛି ଯେ ଡକ୍ଟର କିସିଞ୍ଜରଙ୍କ ମଧ୍ୟସ୍ଥତାରେ ଅନ୍ତତଃ ସୁଏଜ କେନାଲ ବିଷୟରେ ଇସ୍ରାଏଲ ଓ ମିଶର ମଧ୍ୟରେ ଏକ ସାମୟିକ ଚୁକ୍ତିନାମା ହୋଇଯିବାର ଖୁବ୍‌ ସମ୍ଭାବନା ରହିଛି । ଗତ କେତେ ମାସ ଧରି ସୁଏଜ କେନାଲ ଉଝୁଳା ଚାଲିଛି । ଭଙ୍ଗାରୁଜା ଯୁଦ୍ଧସରଞ୍ଜାମ ବାହାର କରିଦେଇ ଯେଉଁସବୁ ଥାନରେ କେନାଲ ପୋତି ହୋଇ ଯାଇଥିଲା ସେଠାରେ ତାହାକୁ ଯଥେଷ୍ଟ ଗଭୀର କରିଖୋଳିଦିଆଯାଉଛି । ମାଇନ୍‌ଗୁଡ଼ାକୁ ଛାଣି ବାହାର କରିଦିଆଯାଇ ସାରିଲାଣି । ଭଙ୍ଗା ପୋଲଗୁଡ଼ାକ ମରାମତି ହୋଇଗଲାଣି । ମିଶର ତରଫରୁ ସମସ୍ତ ଶକ୍ତି ଖଟାହୋଇ କେନାଲଟିକୁ ପୂନର୍ନାବ୍ୟା କରିବାର ବ୍ୟବସ୍ଥାମାନ ଚାଲିଛି । ସୁଏଜ କେନାଲ ବନ୍ଦ ହୋଇ ପଡ଼ିଯିବା ଫଳରେ ବହିର୍ବାଣିଜ୍ୟ ରହିଥିବା ପୃଥିବୀର ପ୍ରତ୍ୟେକ ଦେଶ କ୍ଷତିଗ୍ରସ୍ତ ହେଉଛନ୍ତି, ଅସୁବିଧାରେ ପଡ଼ିଛନ୍ତି । ତେଣୁ ମଧ୍ୟପ୍ରାଚ୍ୟରେ ଶତ୍ରୁତା ବା ମିତ୍ରତା ଯେଉଁ ଅବସ୍ଥା ଥାଉ ପଛକେ, କେନାଲଟି ଶୀଘ୍ର ଖୋଲିବା ବିଷୟରେ ଆନ୍ତର୍ଜାତିକ ଚାପ ଆସି ପଡ଼ୁଛି ଏବଂ ଆଶା କରାଯାଉଛି ଯେ ସମସ୍ତଙ୍କର ସେହି ପ୍ରୟୋଜନର ଚାପରେ ସୁଏଜ କେନାଲ ଏହି କେତେ ମାସ ଭିତରେ ପୁଣି ଖୋଲିଯାଇ ପାରିବ ଓ ତଦ୍ଦ୍ୱାରା ସଂପୃକ୍ତ ସମସ୍ତେ ଉପକୃତ ହେବେ ।

ତା ୦୬.୦୫.୧୯୭୫ ରିଖ

Image

 

ପାକିସ୍ଥାନ ପ୍ରତି ବିପଦ

 

ଭାରତର ଦେଶରକ୍ଷା ବିଭାଗର ମନ୍ତ୍ରୀ ସର୍ଦ୍ଦାର ସ୍ୱର୍ଣ୍ଣ ସିଂହ ଏବେ ଗୋଟିଏ ବିବୃତ୍ତିରେ କହିଛନ୍ତି ଯେ ଆମେରିକା ଯେ ପୁନର୍ବାର ପାକିସ୍ଥାନକୁ ଯୁଦ୍ଧସରଞ୍ଜାମ ଦେବାକୁ ମନସ୍ଥ କରିଛି, ଏହା ସ୍ୱୟଂ ପାକିସ୍ଥାନ ପ୍ରତି ମଧ୍ୟ ଗୋଟିଏ ବିପଦ । ଚିଆଙ୍ଗ୍‌ କାଇଶେକ୍‌ ଦିନେ ହୁଏତ ଭାବିଥିଲେ ଯେ ଆମେରିକାରୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ଆଣି ସିଏ ଚୀନ ଦେଶରେ ଇତିହାସର ଦୁର୍ବାର ଧାରାଟିକୁ ପ୍ରକୃତରେ ରୋକିଦେଇପାରିବେ । ଗତ ପାଞ୍ଚ ବର୍ଷ ହେଲା କମ୍ୱୋଜ ବା କାମ୍ୱୋଡ଼ିଆରେ ଜେନେରାଲ ଲୋନ୍‌ ନୋଲ୍‌ ସେହିପରି ଭାବିଥିଲେ ଯେ ଆମେରିକାର କୂଟନୈତିକ କାରସାଦି ଦ୍ୱାରା ଅବସ୍ଥାପିତ ହୋଇଥିବାରୁ ସିଏ ଆମେରିକାର ଅର୍ଥବଳ ଓ ଅସ୍ତ୍ରବଳରେ ତାଙ୍କ ଦେଶରେ ମଧ୍ୟ ଇତିହାସର ଦୁର୍ବାର ଗତିଟିକୁ ରୋଧି ରଖିଦେଇପାରିବେ । ଏବଂ, ଗତ କୋଡ଼ିଏ ବର୍ଷ ହେଲା ଦକ୍ଷିଣ ଭିଏତ୍‌ନାମର ସଖୀକୁଣ୍ଢେଇମାନେ ମଧ୍ୟ ଭାବିଥିଲେ ଯେ ଅର୍ଥ ଓ ଅସ୍ତ୍ରର ସେହି ବିରାଟ ଉତ୍ସ ଆମେରିକାରୁ ବଳ ଓ ଦମ୍ଭ ଆଣି ଆପଣା ଦେଶରେ ଇତିହାସକୁ ତଡ଼ା ଦେଖାଇ ଡରାଇ ରଖିପାରିବେ । ପାକିସ୍ଥାନର ସରକାର ବେଳେବେଳେ ବୋଧହୁଏ ସେଇଆ ଭାବୁଛନ୍ତି ଏବଂ କହିବା ବାହୁଲ୍ୟ, ଏସବୁର ପରିଣାମ ସ୍ୱରୂପ ସେମାନେ ଆପଣା ଉପରକୁ ହିଁ ସେହି ବିପଦଗୁଡ଼ାକୁ ଡାକି ଆଣୁଛନ୍ତି ।

 

ବଳ ଆପଣା ଦେଶରୁ ଆସେ, ଦେଶର ଶାସକମାନେ ଦେଶର ଜନଗଣଙ୍କଠାରୁ ହିଁ ସବୁଠାରୁ ବଡ଼ ଦମ୍ଭ ପାଇଥାନ୍ତି । ପାକିସ୍ଥାନର ଶାସକମାନେ ସମ୍ଭବତଃ ଆଜି ପର୍ଯ୍ୟନ୍ତ ମଧ୍ୟ ଏହି ବିଶ୍ୱାସଟି ସକାଶେ ଆବଶ୍ୟକ ଅନୁରୂପ ଦମ୍ଭଟିକୁ ଲାଭକରି ପାରିନାହାନ୍ତି । ଏପରିକି, ପାକିସ୍ଥାନ ଏକ ସ୍ୱତନ୍ତ୍ର ଦେଶରୂପେ ଜନ୍ମଲାଭ କରିବା ପରଠାରୁ ମଧ୍ୟ ସେମାନଙ୍କୁ ଏପରି ଏକ ଅଭିଜ୍ଞତା ଲାଭ କରିବା ଲାଗି ଆଦୌ କୌଣସି ଅବକାଶ ଜୁଟିନାହିଁ । ପାକିସ୍ଥାନରେ ଯଦି ଜନଗଣଙ୍କ ଉପରେ ନିର୍ଭର କରାଯାଉଥାଆନ୍ତା, ଜନଗଣଙ୍କର ସମ୍ମତି ଓ ସ୍ୱୀକୃତିକୁ ହିଁ ସର୍ବପ୍ରଧାନ ରାଜନୀତିକ ସ୍ୱୀକୃତି ବୋଲି ସ୍ୱୀକାର କରାଯାଉଥାନ୍ତା, ତେବେ ପାକିସ୍ଥାନର ରାଜନୀତି ଏବେ ସୁଦ୍ଧା କଦାପି ପୂର୍ବର ସେହି ମୋଗଲ ଅନ୍ତଃପୁରୀୟ ରାଜନୀତି ହୋଇ ରହିନଥାନ୍ତା । ଆପଣା ଘର ଉପରେ ନିର୍ଭର ନ କରିପାକିସ୍ଥାନର ଶାସକମାନେ କେବେହେଲେ ବିଦେଶୀ ଅସ୍ତ୍ରର ସାହାଯ୍ୟ ଉପରେ ଏତେ ବେଶି ନିର୍ଭର କରୁନଥାନ୍ତେ ।

 

ବିଦେଶୀ ଅସ୍ତ୍ରସାହାଯ୍ୟ ସାମୟିକ ଭାବରେ ପାକିସ୍ଥାନର ଶାସକମାନଙ୍କୁ ହୁଏତ କିଂଚିତ୍‌ ମିଛଦମ୍ଭ ବା ମିଛବଳ ଦେଇପାରେ, ଆପଣାର ଦୁଇ ପଡ଼ୋଶୀ ରାଜ୍ୟ ଆଫଗାନିସ୍ଥାନ ଓ ଭାରତବର୍ଷକୁ ଟିକିଏ ଛାନିଆ କରିପକାଇବାକୁ ସେମାନେ ଏହି ସାହାଯ୍ୟକୁ ଏକ ରାଜନୀତିକ ସାଧନ ହିସାବରେ ବ୍ୟବହାର ମଧ୍ୟ କରିପାରନ୍ତି । ମାତ୍ର ଏ ସାହାଯ୍ୟ ସ୍ୱୟଂ ପାକିସ୍ଥାନକୁ ହିଁ ଦୁର୍ବଳ କରିରଖିବ । ପାକିସ୍ଥାନର ରାଜନୀତିର ଅନ୍ଧାର କାନ୍ଥଗୁଡ଼ାକୁ ତାହା ଆହୁରି ଦୃଢ଼ସ୍ଥାୟୀ କରିରଖିବ, ଏବଂ ଏଣେ ଏସିଆ ମହାଦେଶ ତା’ର ଦ୍ୱିତୀୟ ଜନ୍ମଲାଭ କରିଅଗ୍ରସର ହୋଇ ଚାଲିଯାଉଥିଲେ ମଧ୍ୟ ପାକିସ୍ଥାନ ପ୍ରାୟ ଏକ ଅଚେତନ ମାଉଁସପିଣ୍ଡୁଳା ପରି ଯେଉଁଠି ସେଇଠି ପଡ଼ିରହିଥିବ । ଗତ ପଚିଶି ବର୍ଷ ହେଲା ଏସିଆରେ ଯେତେ ଯାହା ଜନଜାଗରଣ ହୋଇଛି, ଏସୀୟ ଜନଆକାଙ୍‌କ୍ଷା ଯେତେ ଯେଉଁଠି କଡ଼ ଲେଉଟାଇବାକୁ ଓ ଆପଣାର ଯଥାର୍ଥ ପରିଚୟଟିକୁ ଖୋଜିବାକୁ ଏକ ପଦକ୍ଷେପ ଗ୍ରହଣ କରିଛି, ସେହିସବୁ ଘଟଣାର ପ୍ରବାହ ସହିତ ପାକିସ୍ଥାନର ଅଧିବାସୀ ପ୍ରାୟ କୌଣସି ସମ୍ପର୍କ ରଖିପାରି ନାହିଁ । ପାକିସ୍ଥାନରେ ସିଂହାସନ ପାଇଁ ଲଢ଼େଇ ଚାଲିଛି, ପ୍ରତିକ୍ରିୟାଶୀଳ ଯୁଦ୍ଧର କେତେ କେତେ ଭିଆଣ ଭିତରେ ପାକିସ୍ଥାନରେ ଜନଗଣଙ୍କର ଆଖିକୁ ଅନ୍ୟଆଡ଼ିଆ କରିରଖିଦିଆଯାଇଛି । ଏସୀୟ ଜାଗରଣ ଓ ଜନଯାତ୍ରାର ଆଧୁନିକ ଇତିହାସରେ ପାକିସ୍ଥାନ ଦୁର୍ଭାଗ୍ୟବଶତଃ ପ୍ରତିକ୍ରିୟାର ପଟରେ ହିଁ ରହିଯାଇଛି ଏବଂ ସେହି ଦେଶର କ୍ଷମତାରୂଢ଼ ଶାସକମାନେ ହିଁ ତାକୁ ସେହିପରି କରିରଖିଛନ୍ତି ।

 

ଏସିଆରେ ଗତ ପଚିଶି ବର୍ଷ ହେଲା ଯେଉଁ ପୁରୁଣା ଶିବିରଗୁଡ଼ାକ ଏଠି ରାଜନୀତିକ ପ୍ରଗତି ଓ ଚେତନାକୁ ଅଟକାଇ ରଖିଥିଲେ, ବର୍ତ୍ତମାନଠାରୁ ସେଗୁଡ଼ାକ ଭାଙ୍ଗିଯିବାକୁ ଆରମ୍ଭ କଲାଣି । ଏସିଆର ବିବର୍ତ୍ତନରେ ଆବଶ୍ୟକ ନୂତନ ପର୍ଯ୍ୟାୟଟି ସତେଅବା ଆରମ୍ଭ ହେବାକୁ ଯାଉଛି । ବିଦେଶୀ ସରକାରକୁ ସାମରିକ ଘାଟୀ ଲାଗି ଜାଗା ଛାଡ଼ିଦେଇ ବିଦେଶୀ ସରକାର ଛତାଗୁଡ଼ାକ ତଳେ ବଶ ହୋଇ ରହିଯିବାର ସେହି ପୁରୁଣା ରୀତି ଏବେ ଭୁଷୁଡ଼ି ପଡ଼ୁଛି । ପାକିସ୍ଥାନର ଶାସକମାନେ ଏଥିରୁ ଶିକ୍ଷା ନ କଲେ ତାହା କେବଳ ସେହିମାନଙ୍କ ଲାଗି ହିଁ ବିପଦର କାରଣ ହୋଇ ରହିଥିବ । ଏସିଆ ଆଗକୁ ମାଡ଼ିଯିବ, ମାତ୍ର ପାକିସ୍ଥାନ ସେଥିରେ ସମସ୍ତଙ୍କ ସହିତ ସାମିଲ ହେବାକୁ ପ୍ରସ୍ତୁତ ହୋଇପାରିବ ନାହିଁ ।

 

ପୁରୁଣା ରାଜନୀତିର ଛିଦ୍ରଗୁଡ଼ାକ କ୍ରମେ ମେଲା ହୋଇଯାଉଥିବା ସମୟରେ ପାକିସ୍ଥାନ କାହିଁକି ତଥାପି ସେହି ପୁରୁଣା କାଇଦାଗୁଡ଼ାକୁ କାମୁଡ଼ି କରିଧରିଛି ? କାରଣ ପାକିସ୍ଥାନର ଶାସକମାନେ ପ୍ରାୟ ଅଭ୍ୟସ୍ତ ହୋଇ ରହିଥିବା ପରି ଜନଗଣଙ୍କର ରକ୍ଷା ଅପେକ୍ଷା ଆପଣାର ଦୁର୍ଗଗୁଡ଼ାକୁ ରକ୍ଷା କରିବା ଲାଗି ହିଁ ରାଜଧର୍ମ ରୂପେ ଗ୍ରହଣ କରିଆସିଛନ୍ତି । ସେହି ଦୁର୍ଗଗୁଡ଼ାକୁ ହିଁ ସେମାନେ ସମଗ୍ର ଦେଶ ଓ ସମଗ୍ର ପୃଥିବୀ ବୋଲି ଭ୍ରମ କରିଛନ୍ତି ।

 

ତା ୧୧.୦୫.୧୯୭୫ ରିଖ

Image

 

ପେଟ୍ରୋଲ ପଛକୁ ରବର ?

 

ସବୁ ଦେଶରେ ଲୋକେ ପେଟ୍ରୋଲ ଆବଶ୍ୟକ କରନ୍ତି । ସବୁ ଦେଶରେ କାରଖାନା, ଅନ୍ୟାନ୍ୟ ଯନ୍ତ୍ର ଓ ଯାନବାହନ ଆଦି ଚାଲିବା ପାଇଁ ପେଟ୍ରୋଲ ଦରକାର ହୁଏ । ମାତ୍ର ପେଟ୍ରୋଲର ଖଣି ସବୁ ଦେଶରେ ନାହିଁ । ଆଙ୍ଗୁଠି ଆଗରେ ଗଣି ହୋଇ ଯାଉଥିବା ଅଳ୍ପ କେତୋଟି ଦେଶରେ ଅଛି । ପୃଥିବୀର ପେଟ୍ରୋଲ ଭଣ୍ଡାରର ଅଧିକାଂଶ ଭାଗ ଆରବ ଅଞ୍ଚଳର ମାତ୍ର କେତୋଟି ଦେଶରେ ଅଛି । ସେହିସବୁ ଦେଶକୁ ଶାସନ କରୁଥିବା ଶେଖ୍, ଅମୀର ଓ ସୈନ୍ୟାଧୀଶମାନେ ଏବେ ସଙ୍ଗଠନ ବାନ୍ଧି ଅନେକ ସମୟରେ ଆପଣାର ମରଜି ଅନୁସାରେ ପେଟ୍ରୋଲର ଉତ୍ପାଦନ ପରିମାଣ ଓ ବିକ୍ରୟମୂଲ୍ୟକୁ ସ୍ୱନିୟନ୍ତ୍ରଣ ଭିତରେ ରଖିବାକୁ ମନସ୍ଥ କରିଛନ୍ତି ଓ ପେଟ୍ରୋଲର ମୂଲ୍ୟକୁ ଇଚ୍ଛା ମୁତାବକ ବଢ଼ାଇ ଦେଇ ପାଶ୍ଚାତ୍ୟ ଦେଶମାନଙ୍କୁ ହଇରାଣରେ ପକାଇ ବିଶ୍ୱ ରାଜନୀତିକୁ ମଧ୍ୟ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ।

ପେଟ୍ରୋଲ ପଛକୁ ଏବେ ରବରର ବେଳ ଆସୁଥିବା ପରି ମନେହେଉଛି । ରବରର ଆବଶ୍ୟକତା ପୃଥିବୀର ସବୁ ଦେଶରେ ରହିଛି ଓ ଟାୟାର୍ ତଥା ଟିଉବ୍‌ର ସାମ୍ରାଜ୍ୟ ପରିସର ବୃଦ୍ଧି ପାଉଥିବା ସଙ୍ଗେ ସଙ୍ଗେ ରବର ଆଧୁନିକ ପୃଥିବୀର ଏକ ଅପରିହାର୍ଯ୍ୟ ସାମଗ୍ରୀରୂପେ ଅଚିରେ ପ୍ରତିଷ୍ଠିତ ହେବାକୁ ଯାଉଛି । ଏବେ ବିଜ୍ଞାନ ବଳରେ କୃତ୍ରିମ ରବର ବାହାରିଲାଣି ସତ, ମାତ୍ର ତାହା ଯେ କେବଳ ପ୍ରାକୃତିକ ରବରକୁ ତା’ର ପ୍ରତିଷ୍ଠା ସ୍ଥାନରୁ ହଟାଇଦେଇପାରିବ, ସେଭଳି କୌଣସି ସମ୍ଭାବନା ନାହିଁ ।

ପେଟ୍ରୋଲ ପରି ରବର ମଧ୍ୟ ପୃଥିବୀର ସବୁ ଦେଶରେ ହୁଏ ନାହିଁ । ଏକ ନିର୍ଦ୍ଦିଷ୍ଟ ଜଳବାୟୁରେ ହିଁ ରବରଗଛ ଉଧେଇପାରେ ଏବଂ ତେଣୁ ସେହି ଜଳବାୟୁ ରହିଥିବା ମାତ୍ର କେତୋଟି ଦେଶରେ ବାଣିଜ୍ୟିକ ସ୍ତରରେ ରବରର ଉତ୍ପାଦନ ହୋଇଥାଏ । ମାଲୟେସିଆ ବା ପୁରାତନ ମାଳୟରେ ପୃଥିବୀର ସବୁଠାରୁ ଅଧିକ ରବର ଉତ୍ପନ୍ନ ହୁଏ । ମାଳୟ ପଛକୁ ଇଣ୍ଡୋନେସିଆ ଓ ଇଣ୍ଡୋନେସିଆ ପଛକୁ ଥାଇଲାଣ୍ଡ । ଭାରତରେ ଓ ସିଂହଳ ଦ୍ୱୀପରେ ମଧ୍ୟ କିଛି କିଛି ରବର ଉତ୍ପନ୍ନ ହୋଇଥାଏ ।

ଏବେ ମାଳୟ, ଇଣ୍ଡୋନେସିଆ ଓ ଥାଇଲାଣ୍ଡ ଏହି ତିନୋଟି ଦେଶ ପୃଥିବୀରେ ରବର ଯୋଗାଣ ବିଷୟରେ ଏକାଠି ବସି ଏକ ମସୁଧା କରିଛନ୍ତି । ମାଲୟର ରାଜଧାନୀ କୁଆଲାଲୁମ୍ପୁରଠାରେ ସେହି ମସୁଧା ହୋଇଛି । ସେଠାରେ ତିନିଦେଶ ମିଳି ଗୋଟିଏ ସଙ୍ଗଠନ ଗଢ଼ିଛନ୍ତି । ସେହି ସଙ୍ଗଠନଟିକୁ ପ୍ରାକୃତିକ ରବର ଉତ୍ପାଦନ କରୁଥିବା ଦେଶମାନଙ୍କର ସଙ୍ଗଠନ ବୋଲି ନାମ ଦିଆଯାଇଛି । ପେଟ୍ରୋଲ ଉତ୍ପାଦନ କରୁଥିବା ଦେଶମାନେ ଯେପରି ପେଟ୍ରୋଲ ରପ୍ତାନି କରୁଥିବା ଦେଶମାନଙ୍କର ସଙ୍ଗଠନ ବୋଲି ଗୋଟିଏ ମେଣ୍ଟ ଗଢ଼ିଛନ୍ତି, ଏହା କ୍ରମଶଃ ସେହିଭଳି ଗୋଟିଏ ସଙ୍ଗଠନରେ ପରିଣତ ହୋଇଯିବ ବୋଲି କେତେକ ପର୍ଯ୍ୟବେକ୍ଷଣକାରୀ ଆଶଙ୍କା ପ୍ରକାଶ କରୁଛନ୍ତି ।

ସମଗ୍ର ପୃଥିବୀରେ ପ୍ରାକୃତିକ ରବରର ଯେତେ ଉତ୍ପାଦନ ହୁଏ, ଏହି ତିନୋଟି ଦେଶ ଅର୍ଥାତ୍ କେବଳ ମାଲୟେସିଆ, ଇଣ୍ଡୋନେସିଆ ଓ ଥାଇଲାଣ୍ଡରେ ତାହାର ଚାରି ଭାଗରୁ ତିନି ଭାଗ ଉତ୍ପନ୍ନ ହୋଇଥାଏ । ସମଗ୍ର ପୃଥିବୀରେ ବର୍ଷକୁ ପ୍ରାୟ ୩୫ ଲକ୍ଷ ପ୍ରାକୃତିକ ରବର ଉତ୍ପନ୍ନ ହୁଏ ବୋଲି ବିଶେଷଜ୍ଞମାନେ ହିସାବ କରିଥାନ୍ତି । ଆଲୋଚିତ ତିନୋଟି ଦେଶ ଯେଉଁ ସଙ୍ଗଠନଟି ଏବେ ଗଢ଼ିଛନ୍ତି, ସେହି ସଙ୍ଗଠନ ହିଁ ପୃଥିବୀ ବଜାରରେ ରବରର ସର୍ବୋଚ୍ଚ ତଥା ସର୍ବନିମ୍ନ ବିକ୍ରୀମୂଲ୍ୟକୁ ଯେପରି ନିରୂପଣ କରିପାରିବ, ସେଥିଲାଗି ସଙ୍ଗଠନର ବୈଠକରେ ଏକ କାର୍ଯ୍ୟକାରୀ ସୂତ୍ର ବାହାର କରାଯାଇଛି । ଅବଶ୍ୟ ଏକଥା ସତ ଯେ, ସେହି ସଙ୍ଗଠନରେ ସଦସ୍ୟ ହୋଇପାରିବା ଲାଗି ରବର ଉତ୍ପନ୍ନ କରୁଥିବା ତଥା ରବର ବ୍ୟବହାର କରୁଥିବା ଅନ୍ୟାନ୍ୟ ଦେଶଗୁଡ଼ିକ ଲାଗି ମଧ୍ୟ ଦ୍ୱାର ଉନ୍ମୁକ୍ତ ରହିଛି ଏବଂ ଭାରତ ସରକାର ମଧ୍ୟ ଏହି ସଙ୍ଗଠନରେ ଏକ ସଦସ୍ୟ ରୂପେ ଗୃହୀତ ହେବା ଲାଗି ଉଦ୍ୟମ କରୁଛନ୍ତି । ତଥାପି ଏକଥା ମଧ୍ୟ ସତ ଯେ ଯେଉଁ ଦେଶ ଯେତେ ଅଧିକ ପରିମାଣରେ ରବର ଉତ୍ପନ୍ନ କରୁଛି, ସଙ୍ଗଠନର ନିଷ୍ପତ୍ତିଗୁଡ଼ିକରେ ମଧ୍ୟ ସେହି ଦେଶର ଯେ ସେତିକି ଅଧିକ ହାତ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ । ଅର୍ଥାତ୍‌ ଏହି ସଙ୍ଗଠନର ନିଷ୍ପତ୍ତିଗୁଡ଼ିକରୁ ମାଲୟେସିଆ, ଇଣ୍ଡୋନେସିଆ ଓ ଥାଇଲାଣ୍ଡ ସର୍ବାପେକ୍ଷା ଅଧିକ ପରିମାଣରେ ଲାଭବାନ୍‌ ହେବେ ଓ ଏହି ସଙ୍ଗଠନ ପୃଥିବୀର ରବର ବଜାରକୁ ନିୟନ୍ତ୍ରଣ କରିବାରେ ପ୍ରାୟ ଏକମାତ୍ର ନିମିତ୍ତ ହୋଇ ରହିଥିବ ।

ଏହିପରି ଭାବରେ ଜାତୀୟ ଅର୍ଥନୀତିଗୁଡ଼ାକ ଯଦି ବିଶ୍ୱବଜାର ଓ ବିଶ୍ୱଅର୍ଥନୀତିକୁ ଆପଣାର କାବୁ ଭିତରେ ରଖିବାକୁ ଯାଏ, ତେବେ ପୃଥିବୀର ଆକାଙ୍‌କ୍ଷିତ ଭବିଷ୍ୟତ ଦୃଷ୍ଟିରୁ ତାହା ଆଦୌ ଖୁବ୍‌ ବେଶୀ ଉତ୍ସାହପ୍ରଦ ବୋଲି ମନେହେବ ନାହିଁ । ତଥାପି ଏହି କ୍ଷେତ୍ରରେ ଗୋଟିଏ ଆଶାର କଥା ରହିଛି ଯେ ରବର ଉତ୍ପାଦନକାରୀ ଆଲୋଚିତ ତିନୋଟି ଦେଶରେ ଅଳ୍ପ ବା ବହୁତ ମାତ୍ରାରେ ହେଉ ପଛକେ ଏକ ଗଣତାନ୍ତ୍ରିକ ସରକାର ଚାଲିଛି । ଏହି ସରକାରମାନେ ଯେ ପେଟ୍ରୋଲ ଭଣ୍ଡାରଗୁଡ଼ାକର ଶେଖ୍‌, ଅମୀର ବା ସୈନ୍ୟାଧ୍ୟକ୍ଷମାନଙ୍କ ପରି କଦାପି ସେତେଦୂର ମନୋମୁଖି ହେବେ ନାହିଁ, ସେଭଳି ବିଶ୍ୱାସ କରିବା ଲାଗି ପୃଥିବୀ ପାଖରେ ଏକାଧିକ କାରଣ ରହିଛି, ଏକାଧିକ ନିଜର ମଧ୍ୟ ରହିଛି । ଏହାହିଁ ଏକମାତ୍ର ଆଶ୍ୱାସନାର କଥା ।

ତା ୧୨.୦୫.୧୯୭୫ ରିଖ

Image

 

ପର୍ତ୍ତୁଗାଲରେ ହରିନାମ

 

ପର୍ତ୍ତୁଗାଲରେ ଏବେ ଗୋଟିଏ ସାଧାରଣ ନିର୍ବାଚନ ହୋଇଯାଇଛି । ପର୍ତ୍ତୁଗାଲର ସାମରିକ ଶାସନମୁଖ୍ୟମାନେ ଏହି ନିର୍ବାଚନଟିକୁ ଆପଣାର ଘୋଷଣା ମୁତାବକ ସମ୍ପନ୍ନ କରିପାରିଛନ୍ତି । ୧୯୭୪ ମସିହାରେ ଏହି ମୁଖ୍ୟମାନେ ପର୍ତ୍ତୁଗାଲରୁ ପୁରୁଣା ଶାସନର ଅବସାନ ଘଟାଇ ରାଷ୍ଟ୍ରୀୟ ସତ୍ତାକୁ ଅଧିକାର କରିନେଇଥିଲେ ଓ ପରେ ଅନୁକୂଳ ପରିସ୍ଥିତିରେ ଏକ ସାଧାରଣ ନିର୍ବାଚନ କରାଇ ଦେଶରେ ପ୍ରତିନିଧି ଶାସନର ପ୍ରବର୍ତ୍ତନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେମାନେ ସେହି ପ୍ରତିଶ୍ରୁତି ପାଳନ କରିଛନ୍ତି । ସାବାଳକ ଭୋଟପ୍ରଥା ଅନୁସାରେ ସେଠାରେ ଏକ ନିର୍ବାଚନ ହୋଇଛି ଓ ତାହାରି ଭିତ୍ତି ଉପରେ ଏକ ପ୍ରତିନିଧି ଶାସନ ଗଢ଼ାଯାଇଛି ।

 

ଏହି ନିର୍ବାଚନଟିରେ ଦେଶର ପ୍ରାୟ ବାରଗୋଟି ବିଭିନ୍ନ ରାଜନୀତିକ ଦଳ ଆପଣା ଆପଣାର ପ୍ରାର୍ଥୀ ଛିଡ଼ା କରାଇଥିଲେ । ଦୀର୍ଘ ଗଣତାନ୍ତ୍ରିକ ପରମ୍ପରା ରହିଥିବା ଦେଶମାନଙ୍କରେ ଯେଉଁ ବିଧିରେ ଭୋଟ ନିଆଯାଏ, ପର୍ତ୍ତୁଗାଲ୍‌ରେ ଏଥର ସେହି ବିଧିରେ ଭୋଟ ନିଆଯାଇଥିଲା ।

 

ଶୁଣିବା ମାତ୍ରକେ ଅନେକ ଲୋକ ହୁଏତ ସତ ବୋଲି ମୋଟେ ବିଶ୍ୱାସ କରିବେ ନାହିଁ । କାରଣ ଦୀର୍ଘ ପଚାଶବର୍ଷ ହେଲା ପର୍ତ୍ତୁଗାଲ ଦେଶରେ ସେଭଳି କିଛି ହେଉନଥିଲା ବା ହେବାକୁ ଦିଆଯାଉନଥିଲା ଏବଂ ପଚାଶ ବର୍ଷ ତଳେ ସମଗ୍ର ପୃଥିବୀ ଅସଲ ଗଣତାନ୍ତ୍ରିକ ବିବର୍ତ୍ତନରେ ଖୁବ୍‌ ବେଶୀ ବିକାଶଲାଭ କରିଥିଲା ବୋଲି ଆଦୌ କୁହାଯାଇପାରିବ ନାହିଁ । ସେତେବେଳେ ଆମ ସଂସାରରେ ଗଣତାନ୍ତ୍ରିକ ହାଉଆ ତଥାପି ବୋହିନଥିଲା, ଗଣତନ୍ତ୍ର ପ୍ରାୟ ଏକ ପରୀକ୍ଷାମୂଳକ ଅବସ୍ଥାରେ ହିଁ ରହିଥିଲା । ବର୍ତ୍ତମାନ ପରି ତାହା ଏକ ନିଶ୍ଚିତ ମାର୍ଗ ଓ ନିଶ୍ଚିତ ଭାଗ୍ୟରେ ପରିଣତ ହୋଇନଥିଲା ।

 

ଅର୍ଥାତ୍ ଆଉଗୋଟିଏ ଦୃଷ୍ଟିରୁ ବିଚାରକରିଦେଖିଲେ ପର୍ତ୍ତୁଗାଲ ଦେଶରେ ଅଗ୍ରଗତିର ରାଜନୀତିକ ସୁଅଟିକୁ ଜବରଦସ୍ତି ଅଟକାଇ ଦିଆଯାଇଥିଲା । ୟୁରୋପ ମହାଦେଶର ଅନ୍ତର୍ଗତ ହୋଇ ରହିମଧ୍ୟ ସତେ ଯେପରି ୟୁରୋପୀୟ ବିବର୍ତ୍ତନର କୌଣସି ତରଙ୍ଗ ପର୍ତ୍ତୁଗାଲର ଉଚ୍ଚ ପାଚେରୀଗୁଡ଼ିକୁ ସ୍ପର୍ଶ କରିପାରୁ ନଥିଲା । ଫ୍ରାନ୍‌ସର ଦକ୍ଷିଣ ସୀମାରେ ରହିଥିବା ପରିନିଜ୍‌ ପର୍ବତରେ ଧକ୍‌କା ଖାଇ ପରିବର୍ତ୍ତନର ଯାବତୀୟ ଆକୃତି ଓ ଆକାଙ୍‌କ୍ଷା ସତେ ଯେପରି ସେଇଠି ଅଟକି ରହୁଥିଲା, ସେପାଖକୁ ଅତିକ୍ରମି ପାରୁନଥିଲା ।

 

ପର୍ତ୍ତୁଗାଲ କାଥୋଲିକ୍‌ ଧର୍ମର ଦେଶ ଥିଲା । ପର୍ତ୍ତୁଗାଲର ଶାସକମାନେ ସାମ୍ରାଜ୍ୟଟାକୁ ସବୁଦିନ ପାଇଁ ବଜ୍ର କରିରଖିପାରିବେ ବୋଲି ନିଷ୍ଠାପର ଭାବରେ ବିଶ୍ୱାସ କରୁଥିଲେ । ସେମାନେ ପୃଥିବୀର ରକ୍ଷଣଶୀଳ ପକ୍ଷଟାରେ ରହିଥିଲେ, ବର୍ବର ପକ୍ଷରେ ରହିଥିଲେ । ଆଫ୍ରିକା ମହାଦେଶର ମୋଜାମ୍ୱିକ୍‌ ଏବଂ ଆଙ୍ଗୋଲା ଏହି ବର୍ବରତାର ସବାକ୍‌ ଅଭିଲେଖ ହୋଇ ଇତିହାସରେ କାଳକାଳକୁ ରହିଥିବ । ସାମ୍ରାଜ୍ୟବାଦର ଶେଷ ପ୍ରକୋପରେ ଏକ ନିର୍ଲଜ୍ଜ ଉଦାହରଣ ହୋଇରହିଥିବ ।

 

ସେହି ପର୍ତ୍ତୁଗାଲ ଦେଶରେ ଏବେ ଏକ ଗଣଭୋଟ ହୋଇଯାଇଛି । ଆଜିଯାଏ ସେଠାରେ ଉତ୍ପାତ ଦେଖାଇ ଆସିଥିବା ଉତ୍ପୀଡ଼କ ଏକଛତ୍ର ଶାସକ ଓ ଅମାତ୍ୟମାନେ ମାଟିତଳେ ପୋତାହୋଇ କୁଆଡ଼େ ମାଟିହୋଇ ସାରିଲେଣି । ଆଫ୍ରିକାରେ ରହିଥିବା ପର୍ତ୍ତୁଗୀଜ ଉପନିବେଶଗୁଡ଼ିକୁ ଏକ ତ୍ୱରାନ୍ୱିତ କ୍ରମରେ ସ୍ୱାଧୀନ କରିଦିଆଯିବ ବୋଲି ପର୍ତ୍ତୁଗାଲର ନୂଆ ଶାସକମାନେ କହିସାରିଲେଣି । ଏହି ଶାସକମାନେ ସମସ୍ତେ ସାମରିକ ବାହିନୀର ଲୋକ । ସେମାନେ ବିଦ୍ରୋହର ପ୍ରଥମ ଖଡ଼୍‍ଗ ଉଠାଇ ପର୍ତ୍ତୁଗାଲର ପୁରୁଣା ପିଣ୍ଡାଟା ଉପରେ ଆଘାତ କରିଥିଲେ ଓ ତାହାକୁ ଭାଙ୍ଗିଦେଲେ । ମାତ୍ର ଗୋଟିଏ ବର୍ଷ ଭିତରେ ପର୍ତ୍ତୁଗାଲରେ ଏତେସବୁ କଥା ଘଟିଗଲା । ସେହି ସାମରିକ ଶାସକମାନେ ହିଁ ବର୍ତ୍ତମାନ ପର୍ତ୍ତୁଗାଲରେ ସାଧାରଣ ନିର୍ବାଚନ କରାଇଛନ୍ତି । ନିର୍ବାଚନରେ ଯେଉଁ ଦଳ ମତାଧିକ୍ୟ ଲାଭକଲେ, ସେହି ଦଳର ପ୍ରତିନିଧିମାନେ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଛନ୍ତି ।

 

ଏମିତି ଉଦାହରଣ ଦେଖିବାକୁ ମିଳୁଥିବା ଏକ ପୃଥିବୀରେ ନିରାଶ ହେବାଲାଗି ପ୍ରକୃତରେ ଆଦୌ କୌଣସି କାରଣ ଦେଖାଯାଏ ନାହିଁ । ରାଜନୀତି ମଧ୍ୟ କ୍ରମେ ମନୁଷ୍ୟ ଓ ମଣିଷ-ଆକୂତିର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇଆସୁଛି, ପର୍ତ୍ତୁଗାଲ ଆମକୁ ସେହିପରି ଏକ ସୂଚନା ଦେଇଯିବା ଉଚିତ । ପୁରୁଣାଗୁଡ଼ାକ ଭାଙ୍ଗି ଭାଙ୍ଗି ଯାଉଛି, ନୂଆ ପବନ ଲାଗି ବାଟ ଛାଡ଼ିଦିଆଯାଉଛି । ମଣିଷର ଏହି ଆକାଙ୍‌କ୍ଷା ପାଖରେ ଅସ୍ତ୍ରବଳ କୌଣସି କାମ କରୁନାହିଁ, ଧନବଳ ହାରିଯାଉଛି, ଯାବତୀୟ ପ୍ରଚାର ମଧ୍ୟ ଫସରଫାଟି ଯାଉଛି । ଆଜି ପର୍ତ୍ତୁଗାଲରେ ଯାହା ହେଲା, ତାହା ହୁଏତ ଅଚିରେ ପଡ଼ିଶା ଦେଶ ସ୍ପେନକୁ ସଂକ୍ରମିତ ହୋଇଯିବ । ଜିବ୍ରାଲଟର ବାଟେ ସମୁଦ୍ର ଡେଇଁ ତାହା ମଗ୍‌ରିବ୍‌ ଅର୍ଥାତ୍ ପୁରୁଣା ଶାସନର ବର୍ବରତାଗୁଡ଼ାକୁ ଭୋଗୁଥିବା ମରକ୍‌କୋ ଓ ଟିଉନିସିଆକୁ ବ୍ୟାପିବ ଏବଂ ହୁଏତ ଗୋଟାଏ ଦଶକ ମଧ୍ୟରେ ଆମେ ଦକ୍ଷିଣଆଫ୍ରିକା ଓ ରୋଡ଼େସିଆରେ ମଧ୍ୟ ସାଧାରଣ ନିର୍ବାଚନ ହେବାର ଦେଖିବାକୁ ପାଇବା । ଲଙ୍କାଗଡ଼ଗୁଡ଼ାକର ଧର୍ମ କ୍ରମେ ବଦଳିଯିବାର ଦେଖିବାକୁ ପାଇବା । ବର୍ଣ୍ଣ, ଧର୍ମ, ଅର୍ଥ ଓ ଜାତିକୁ ଦ୍ୱାହି ଦେଇ ଏହି ବିଂଶ ଶତାବ୍ଦୀରେ ମଧ୍ୟ ତଥାପି ଚାଲିଥିବା ବର୍ବରତାଗୁଡ଼ାକ ଯାଇ ଶେଷରେ ମଣିଷର ମତରେ, ମଣିଷର ଶାସନଅଧୀନସ୍ଥ ହେଉଥିବାର ଦେଖିବାକୁ ପାଇବା ।

 

ତା ୧୩.୦୫.୧୯୭୫ ରିଖ

Image

 

ଆଙ୍ଗୋଲାରେ ଗୃହରଣ

 

ଆଫ୍ରିକା ମହାଦେଶର ଉତ୍ତରଭାଗରେ ଭୂମଧ୍ୟସାଗର କୂଳରେ ଆଲ୍‌ଜିରିଆ ଓ ପ୍ରାୟ ଦକ୍ଷିଣପ୍ରାନ୍ତକୁ ଆଟଲାଣ୍ଟିକ ମହାସାଗରର କୂଳକୁ ଆଙ୍ଗୋଲା । ଆଙ୍ଗୋଲା ହେଉଛି ପର୍ତ୍ତୁଗାଲର ଏକ ଉପନିବେଶ । ପର୍ତ୍ତୁଗାଲରେ ରାଜନୀତିକ ଅଦଳବଦଳ ହୋଇଯିବା ପରେ ନୂତନ କ୍ଷମତାସୀନମାନେ ଏବେ ଘୋଷଣା କରିକହିସାରିଲେଣି ଯେ ଆଗାମୀ ଅଳ୍ପ କେତେବର୍ଷ ମଧ୍ୟରେ ଆଙ୍ଗୋଲାକୁ ସ୍ୱାଧୀନ କରିଦିଆଯିବ ।

 

ଏହି ଘୋଷଣାଟି ପ୍ରଚାରିତ ହେବାର ପ୍ରାୟ ସର୍ବପ୍ରଥମ ପରିଣାମ ସ୍ୱରୂପ ଆଙ୍ଗୋଲାରେ ଗୃହରଣ ଆରମ୍ଭ ହୋଇଗଲାଣି । ମାତ୍ର ବର୍ଷକ ତଳେ ଯେଉଁମାନେ ଏକତ୍ର ଗୋଟିଏ ଶିବିରରୁ ଦେଶର ସ୍ୱାଧୀନତା ହାସଲ କରିବା ଲାଗି ବିଦେଶୀ ପର୍ତ୍ତୁଗୀଜ୍‌ ଆଧିପତ୍ୟ ବିରୁଦ୍ଧରେ ସଂଗ୍ରାମ କରୁଥିଲେ, ବର୍ତ୍ତମାନ ସେମାନେ ଆପଣା ଆପଣା ମଧ୍ୟରେ ସଂଗ୍ରାମରତ ହେଲେଣି । ଦେଶରେ ଦୁଇଟି ମୁଖ୍ୟ ରାଜନୀତିକ ଦଳ ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ହୋଇ ଲଢ଼ୁଥିଲେ ଏବଂ ସ୍ୱାଧୀନତା ମିଳିବ ବୋଲି ଘୋଷଣା ହୋଇଯିବା ପରେ ସେମାନେ ବର୍ତ୍ତମାନ ପରସ୍ପର ଭିତରେ ଲଢ଼ୁଛନ୍ତି । ଏହି ଅଳ୍ପ କେତୋଟି ସପ୍ତାହ ମଧ୍ୟରେ ଏହି ଗୃହକାଣ୍ଡଟି ଫଳରେ ପ୍ରାୟ ପାଞ୍ଚଶହରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଲେଣି ବୋଲି ସମ୍ୱାଦପତ୍ର କହୁଛି ।

 

ପୃଥିବୀର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଆଲ୍‌ଜିରିଆ ଦେଶର ତ୍ୟାଗକାହାଣୀ ପ୍ରକୃତରେ ଅନନ୍ୟ ହୋଇ ରହିଥିବ । ଦେଶ ଲାଗି ସ୍ୱାଧୀନତା ହାସଲ କରିବା ପାଇଁ ଆଉ ଅନ୍ୟ କୌଣସି ଦେଶକୁ ସମ୍ଭବତଃ ଏତେ ବେଶୀ ତ୍ୟାଗମୂଲ୍ୟ ଦେବାକୁ ପଡ଼ିନାହିଁ । ଏତେ ପ୍ରାଣ ବଳି ଦେବାକୁ ପଡ଼ିନାହିଁ । ଫରାସୀ ଔପନିବେଶିକ ଆଧିପତ୍ୟ ବିରୁଦ୍ଧରେ ଗରିଲାଯୁଦ୍ଧ କରିହଜାର ହଜାର ଯୁବକ-ଯୁବତୀଙ୍କର ଜୀବନ ଆହୂତି ପଡ଼ିଛି । ଜୀବନ ଦେଇ ସ୍ୱାଧୀନତା ହାସଲ କରିବାର କାହାଣୀ ଆଲ୍‌ଜିରିଆର ନାମ ଅଗ୍ନି ଅକ୍ଷରରେ ଲେଖାହୋଇ ରହିଛି ।

 

ମାତ୍ର ଆଲ୍‌ଜିରିଆ ସ୍ୱାଧୀନତା ଲାଭ କଲା ପରେ ସେଠାରେ କ’ଣ ସବୁ ଘଟିଲା ? ନୂତନ ଜୀବନର ସିନ୍ଦୂରା ଫାଟୁ ଫାଟୁ ସେଠି ସଂଗ୍ରାମୀମାନଙ୍କ ମଧ୍ୟରେ ଗୃହରଣ ଆରମ୍ଭ ହୋଇଗଲା । ବେନ୍‌ ଖେଡ଼ା ଗଲେ, ବେନ୍‌ ବେଲା ଆସିଲେ; ବେନ୍‌ ବେଲା ଗଲେ, ଏବେ ପୁଣି ବୁମ୍‌ଡ଼ିଏନଙ୍କର ରାଜତ୍ୱ ଚାଲିଛି ଏବଂ ଆଲ୍‌ଜିରିଆର ରାଜନୀତି ଏବେ ମଧ୍ୟ ଶାନ୍ତ ହୋଇନାହିଁ । ପକ୍ଷ ବିପକ୍ଷକୁ ଭୟ କରୁଛି । ପ୍ରାୟ ଅଧା ଏକଛତ୍ର ଶାସନକୁ ଜାତୀୟ ଶାସନ ବୋଲି କହିବା ବ୍ୟତୀତ ଆଉ କାହାରି କୌଣସି ଜୁ’ ନାହିଁ ।

 

ଏହି କଥାଟି କେବଳ ଆଲ୍‌ଜିରିଆରେ ଘଟିନାହିଁ । ଅଳ୍ପବହୁତେ ଆଫ୍ରିକାର ପ୍ରାୟ ପନ୍ଦରପଣ ଦେଶରେ ଘଟିଛି । ସଂଗ୍ରାମୀମାନେ ପରସ୍ପର ସହିତ ଯୁଦ୍ଧ କରିନବଲବ୍‌ଧ ଜାତୀୟ ସ୍ୱାଧୀନତାକୁ ସତତ ବିପନ୍ନ ଓ ହତବଳ କରିରଖିଛନ୍ତି । ଜଣେ ସଂଗ୍ରାମୀ ଆଉ ଜଣେ ସଂଗ୍ରାମୀର ଚେର ତାଡ଼ିଛି, ଆଉ ଜଣେ ସଂଗ୍ରାମୀର ମୁଣ୍ଡ କାଟିଛି । କେତେବେଳେ ଦେଶର ସୈନ୍ୟବାହିନୀ ଦେଶର ପ୍ରତିଷ୍ଠିତ ସରକାରଟିକୁ ବନ୍ଧୁକ ଦେଖାଇ ଗିଳି ପକାଇଛି । ପାଣିଫୋଟକା ପରି ସରକାର ଗଢ଼ା ହୋଇଛି, ସରକାର ଭାଙ୍ଗିଛି । ପୁରୁଣାମାନଙ୍କୁ ଏକାଠି ଠିଆକରାଇ ଗୁଳିରେ ଉଡ଼ାଇ ଦିଆଯାଉଛି । ଆଫ୍ରିକାର ଏମୁଣ୍ଡରୁ ସେମୁଣ୍ଡ ଯାଏ ପ୍ରାୟ ସେହିକଥା ଘଟିଛି, ଘଟିବାରେ ଲାଗିଛି ।

 

ଏହି ରୀତିଟି ଅନୁସାରେ ୟୋମୋ କେନିଆଟାଙ୍କର କେନିଆ ରାଜ୍ୟରେ ସ୍ୱାଧୀନତାର ଜଣେ ଅନ୍ୟତମ ଦକ୍ଷ ସଂଗ୍ରାମୀ ଓଡ଼ିଙ୍ଗାଙ୍କୁ ସ୍ୱାଧୀନତା ପରେ ଧର୍ଷଣ ସହିବାକୁ ପଡ଼ିଛି, ବର୍ଷ ବର୍ଷ ବନ୍ଦୀଶାଳାରେ ଅତ୍ୟାଚାରିତ ହେବାକୁ ପଡ଼ିଛି । କେନିଆଟାଙ୍କର ଏକଦା ଅତିବିଶ୍ୱସ୍ତ ସହକର୍ମୀ ଟମ୍‌ ମ୍‌ବୋୟାଙ୍କୁ ଆତତାୟୀ ହାତରେ ପ୍ରାଣଦେବାକୁ ମଧ୍ୟ ପଡ଼ିଛି । ନାଇଜିରିଆର ସୈନ୍ୟବାହିନୀର ମୁଖ୍ୟ ପ୍ରତିନିଧି ଶାସନର ମୁଖ୍ୟ କାଲେବାଙ୍କୁ କ୍ଷମତାରୁ ଅନ୍ତର କରିନେଇଛନ୍ତି । ଘାନା ରାଜ୍ୟରେ ଆପଣା କାଳରେ ଆପଣାକୁ ପ୍ରାୟ ଏକ ଦେବଦର୍ପରେ ପ୍ରତିଷ୍ଠିତ କରିରଖିଥିବା କ୍ୱାମେ ଙ୍କ୍ରୁମା ସେହି ଦେଶର ଅନ୍ୟମାନଙ୍କ ହାତରେ ଗାଦିରୁ ତଡ଼ା ଖାଇଛନ୍ତି ଓ ଦେଶଛଡ଼ା ହୋଇଛନ୍ତି । ଏହିଭଳି ଏକ ଗୃହଯୁଦ୍ଧର କବଳରେ ପଡ଼ି ବିରାଟ କଙ୍ଗୋଦେଶରେ ଲୁମୁମ୍ୱା ମରିଛନ୍ତି । ଏବେ ମଧ୍ୟ ଆଫ୍ରିକାର ଚାଦ୍ ଦେଶରେ ସୈନ୍ୟବାହିନୀର ସେନାପତିଙ୍କ ହାତରେ ଦେଶର ଶାସକ ପ୍ରାଣ ହରାଇଛନ୍ତି ଏବଂ ଶେଷରେ ବର୍ତ୍ତମାନ ଆଙ୍ଗୋଲାର ପାଳି ପଡ଼ିଥିଲା ପରି ମନେହେଉଛି । ତାଞ୍ଜାନିଆର ଜୁଲିଅସ୍‌ ନାଇରେରେଙ୍କ ବ୍ୟତୀତ ଆଫ୍ରିକା ମହାଦେଶର ନବସ୍ୱାଧୀନ କୌଣସି ଦେଶରେ ସମ୍ଭବତଃ ମାତ୍ର ଦଶବର୍ଷ ତଳର ରାଜନୀତିକ ନେତୃତ୍ୱ ଏପର୍ଯ୍ୟନ୍ତ ତିଷ୍ଠି ରହିପାରିନାହିଁ ।

 

ଏସବୁ ହତ୍ୟାକାଣ୍ଡ ଓ ଗୃହରଣ ଦ୍ୱାରା ସାଧାରଣ ଆଫ୍ରିକାବାସୀର କେଉଁ ହିତ ହୋଇଛି-? ସହରଠାରୁ ଯୋଜନ ଯୋଜନ ଦୂରରେ ସେ ଗଭୀର ଜଙ୍ଗଲ ଭିତରେ ଆଗେ ଯେପରି ପତର କୁଡ଼ିଆରେ ବାସ କରୁଥିଲା, ବର୍ତ୍ତମାନ ମଧ୍ୟ ଠିକ୍ ସେହିପରି ବାସ କରୁଛି । ସେମାନଙ୍କ ଲାଗି ଡାକ୍ତର ନାହାନ୍ତି, ଶିକ୍ଷକ ନାହାନ୍ତି, ବୈଜ୍ଞାନିକ ନାହାନ୍ତି । ତେଣେ ଆଫ୍ରିକାର ରାଜଧାନୀଗୁଡ଼ିକୁ ପରସ୍ପର ସହିତ ଗଅଁଠାଇ ରଖିବା ଲାଗି ସରକାରୀ ବ୍ୟବସ୍ଥା ଅନୁସାରେ ଆକାଶମାର୍ଗରେ ଉଡ଼ାଜାହାଜ ଚାଲିଛି । ଔପନିବେଶିକ ଅମଳରେ ଯେଉଁ ଭାଗ୍ୟବାନ କେତେଜଣ ଲଣ୍ଡନ ବା ପ୍ୟାରିସରେ ବିଦେଶୀ ବିଦ୍ୟା ପଢ଼ି ଆସିବାର ସୌଭାଗ୍ୟ ଲାଭ କରିଥିଲେ, ସେହିମାନେ ଅଧିକାଂଶ ଦେଶରେ ରାଜନୀତିକ ମାଲିକ ବନିଛନ୍ତି । ଅଧିକାଂଶ ଦେଶରେ ସେମାନେ ଆଫ୍ରିକାବାସୀଙ୍କୁ ଅବଶିଷ୍ଟ ପୃଥିବୀଠାରୁ ବିଚ୍ଛିନ୍ନ କରିରଖିବାକୁ ଚାହୁଛନ୍ତି । ଏକ ନୂଆ ବାଗରେ ଆଫ୍ରିକାକୁ ପୁନର୍ବାର ଏକ ଅନ୍ଧାର ମହାଦେଶ କରିରଖିବାକୁ ମନସ୍ଥ କରିଛନ୍ତି । ଆଫ୍ରିକାର ଯାହା ହେଉ ପଛକେ, ଏମାନେ ଆପଣା ଦେଶରେ ନିଜ କ୍ଷମତାରେ ରହିବାକୁ ଚାହୁଛନ୍ତି, ତେଣୁ ହାତରେ ବନ୍ଧୁକ ଧରି ନିଜର ଭାଗ୍ୟପରୀକ୍ଷା ଓ ଭାଗ୍ୟନିର୍ମାଣ କରୁଛନ୍ତି ଏବଂ ଏପରି କି ସ୍ୱାଧୀନତା ଆସି ପହଞ୍ଚିଯିବ ବୋଲି ପ୍ରତିଶ୍ରୁତି ପାଇବା ସଙ୍ଗେ ସଙ୍ଗେ ପରସ୍ପରର ଛେଦନ ଓ ଉଚ୍ଛେଦନରେ ଲାଗି ଯାଉଛନ୍ତି ।

 

ଆଫ୍ରିକାର ରାଜନୀତିକ ବର୍ତ୍ତମାନରେ ଏସବୁ ଆଦୌ କୌଣସି ଆଶାର ଇଙ୍ଗିତ ଦେଉନାହିଁ । ଆଙ୍ଗୋଲାରେ ଦେଉନାହିଁ କି ଆଲ୍‌ଜିରିଆରେ ମଧ୍ୟ ଦେଉ ନାହିଁ ।

 

ତା ୧୬.୦୫.୧୯୭୫ ରିଖ

Image

 

ଏକ ନିର୍ବୋଧତାର ହିସାବ

 

ନାନା ଦୃଷ୍ଟିରୁ ଆମେ ଯେକୌଣସି ଯୁଦ୍ଧକୁ ସର୍ବଦା ଏକ ନିର୍ବୋଧତା ବୋଲି ହିଁ କହି ପାରିବା । ଗତ କୋଡ଼ିଏ ବର୍ଷ ହେଲା ଭିଏତ୍‌ନାମକୁ ଦୁଇ ଭାଗ କରିସେଠାରେ ଯେଉଁ ଯୁଦ୍ଧ ଲାଗି ରହିଥିଲା ଓ ଯେଉଁ ଯୁଦ୍ଧର ଏବେ ଅବସାନ ଘଟିଲା, ଆମେ ତାହାକୁ ହୁଏତ କେବଳ ଏକ ନିର୍ବୋଧତାର ଅବସାନ ବ୍ୟତୀତ ଆଉ କିଛିହେଲେ କହିପାରିବା ନାହିଁ ।

 

ବର୍ତ୍ତମାନ ଯେଉଁ ଭୂଖଣ୍ଡଟିକୁ ଭିଏତ୍‌ନାମ, କାମ୍ୱୋଡ଼ିଆ ଓ ଲାଓସ ଏହିପରି ତିନୋଟି ଦେଶ ବୋଲି ଅଭିହିତ କରାଯାଇଛି, ତାହା ଇଣ୍ଡୋଚୀନ ନାମରେ ଗୋଟିଏ ଶତାବ୍ଦୀରୁ ଅଧିକକାଳ ଫରାସୀ ଶାସନ ଅଧୀନରେ ଏକ ଉପନିବେଶ ହୋଇ ରହିଥିଲା । ଜାପାନୀ ସୈନ୍ୟବାହିନୀ ୧୯୪୧ରେ ତାହାକୁ ଅଧିକାର କରିନେବାପରେ କେବଳ ଗରିଲାମାନେ ହିଁ ସେମାନଙ୍କର ପ୍ରତିରୋଧ କରିବାରେ ଲାଗିଥିଲେ । ଦ୍ୱିତୀୟ ମହାଯୁଦ୍ଧ ପରେ ହୋ ଚି-ମିନଙ୍କ ନେତୃତ୍ୱରେ ସେହି ଗରିଲାମାନେ ଦେଶକୁ ଫରାସୀ ସାମ୍ରାଜ୍ୟର କବଳରୁ ମୁକ୍ତି କରିଆଣିଲେ । ସେତିକିବେଳେ ଭିଏତ୍‌ନାମରେ ଆମେରିକାର ରାଜନୀତିକ ହସ୍ତକ୍ଷେପ ଆରମ୍ଭ ହେଲା । ଯେଉଁ ଗଣଭୋଟ ଫଳରେ ଭିଏତ୍‌ନାମ ଗୋଟିଏ ଦେଶ ଓ ଏକ ସ୍ୱାଧୀନ ଦେଶରୂପେ ଜନ୍ମଲାଭ କରିଥାନ୍ତା, ଆମେରିକା ସରକାର ନାନା କାରଣରୁ ସେହି ଗଣଭୋଟ କରାଇଦେଲେ ନାହିଁ । ଭିଏତ୍‌ନାମ ଦୁଇ ଖଣ୍ଡ ହୋଇ ରହିଲା । ଦକ୍ଷିଣ ଭିଏତ୍‌ନାମରେ ଆମେରିକାର ସୁପାରିଶରେ ସରକାର ବସିଲା ଏବଂ ଜନଗଣଙ୍କ ପକ୍ଷରୁ ଏକ ମୁକ୍ତିସାମ୍ମୁଖ୍ୟ ସେହି ସରକାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା । ଆମେରିକାର ପାଞ୍ଚଜଣ ରାଷ୍ଟ୍ରପତି ଆପଣା ଆପଣାର ଅମଳରେ ଭିଏତ୍‌ନାମ ଯୁଦ୍ଧକୁ ଚାଲୁ ରଖିଲେ-। ଆମେରିକାର ଛାତ୍ରମାନେ ଅବଶ୍ୟ ଯୁଦ୍ଧ ନାମରେ ଏହି ହସ୍ତକ୍ଷେପ ଓ ହତ୍ୟାକାଣ୍ଡ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ଲାଗିଥିଲେ ।

 

ଏହି ଯୁଦ୍ଧ କୋଡ଼ିଏ ବର୍ଷ ଚାଲିଲା । ଏହି ଯୁଦ୍ଧରେ ଅଧ୍ୟକ୍ଷତା କରିବା ଲାଗି ପ୍ରଥମ ପର୍ଯ୍ୟାୟରେ ଆମେରିକାରୁ କେବଳ ସାମରିକ ପରାମର୍ଶଦାତାମାନେ ପଠାହେଉଥିଲେ । ୧୯୬୦ ମସିହା ପର୍ଯ୍ୟନ୍ତ ଏହି ପରାମର୍ଶଦାତାଙ୍କ ସଂଖ୍ୟା କେବଳ ୬୮୫ ଥିଲା । କେନେଡ଼ି ରାଷ୍ଟ୍ରପତି ହୋଇ ଏହି ସଂଖ୍ୟାକୁ ହୁ ହୁ କରିବଢ଼ାଇଦେଲେ ଓ ଜନ୍‌ସନଙ୍କ କାଳକୁ ଭିଏତ୍‌ନାମରେ ୧୭୦୦୦ ଆମେରିକାନ୍‌ ରହିଥିଲେ । ତା’ର ପରବର୍ତ୍ତୀ ପାଞ୍ଚବର୍ଷ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ତିରିଶଗୁଣ ବଢ଼ିଗଲା । ଆମେରିକାରୁ ସୈନ୍ୟ ଆସି ଭିଏତ୍‌ନାମର ସରକାରୀ ପକ୍ଷରେ ଯୁଦ୍ଧ କଲେ, ଆମେରିକାର ସେନାପତିମାନେ ଭିଏତ୍‌ନାମ ସୈନ୍ୟବାହିନୀର ସେନାପତିତ୍ୱ କଲେ । ସେହି ଆମେରିକାରୁ ଅସ୍ତ୍ରଶସ୍ତ୍ର ଆସିଲା, ନୂଆ ନୂଆ ବୋମା ଆସିଲା, ମଣିଷ ମାରିବାର ନୂଆ ନୂଆ ସାମଗ୍ରୀମାନ ଆସି ମଧ୍ୟ ପହଞ୍ଚିଲା ।

 

ଏହି ଯୁଦ୍ଧକାଳଟି ମଧ୍ୟରେ ଆମେରିକା ତରଫରୁ ଭିଏତ୍‌ନାମ ଉପରେ ସତୁରି ଲକ୍ଷ ଟନ୍‌ ବୋମା ଅଜଡ଼ା ହେଲା, ଅର୍ଥାତ୍ ଏକ ତୁଳନାତ୍ମକ ହିସାବ ଅନୁସାରେ ଗତ ଦ୍ୱିତୀୟ ମହାଯୁଦ୍ଧରେ ଜର୍ମାନୀ ଉପରେ ମୋଟ ଯେତେ ପରିମାଣର ବୋମା ବର୍ଷା ହୋଇଥିଲା, ସାନ ଭିଏତ୍‌ନାମରେ ତା’ରି ଦେଢ଼ଗୁଣ ଅଧିକା ବୋମା ବର୍ଷା ହୋଇଛି । ଭିଏତ୍‌ନାମର ଗଛ ପତର ଓ କ୍ଷେତ ଫସଲ ନଷ୍ଟ କରିଦେବାକୁ ଆମେରିକା ସେଠି ପ୍ରାୟ ଦୁଇକୋଟି ଗ୍ୟାଲେନ୍ ନିଷ୍ପତ୍ରକାରକ ବିଷଦ୍ରବ୍ୟ ଛିଞ୍ଚାଇଛି, ବିଶ୍ୱମତକୁ ଅବଜ୍ଞା କରିନାପାମ୍‌ ଗ୍ୟାସ୍‌ ଛଡ଼ାଯାଇଛି, ବିଭିନ୍ନ ମାରାତ୍ମକ ରୋଗର ଜୀବାଣୁ ମଧ୍ୟ ବିଞ୍ଚିଦିଆଯାଇଛି । ଏହି ଗତ ମାସରେ, ଅର୍ଥାତ୍ ପ୍ରାୟ ଯୁଦ୍ଧଶେଷରେ ଘଣ୍ଟା ବାଜି ଆସିଲା ବେଳକୁ ଦକ୍ଷିଣ ଭିଏତ୍‌ନାମର ଆକାଶବାହିନୀ ବୋମାବର୍ଷୀ ଜାହାଜମାନେ ଆମେରିକାରୁ ତିଆରି ହୋଇ ଆସିଥିବା ଏପରି ଏକ ନୂଆ ବୋମାର ବ୍ୟବହାର କରୁଥିଲେ, ଯାହାକି ବିସ୍ଫୋରଣର ସଙ୍ଗେ ସଙ୍ଗେ ବାୟୁମଣ୍ଡଳରୁ ଅମ୍ଳଜାନ ଅଂଶଟିକୁ ଏକାବେଳେକେ ନଷ୍ଟ କରିଦେଉଥିଲା ଏବଂ ବୋମା ପଡ଼ିବା ସ୍ଥାନରେ ଶହେଗଜ ଆକ୍ରାନ୍ତରେ ରହିଥିବା ଯେକୌଣସି ବ୍ୟକ୍ତିର ଶ୍ୱାସରୋଧ କରିପକାଉଥିଲା ।

 

ଏହି ଯୁଦ୍ଧରେ ଇଣ୍ଡୋଚୀନରେ ୩୫ଲକ୍ଷ ମନୁଷ୍ୟଙ୍କର ପ୍ରାଣପାତ ହେଲା, ଅର୍ଥାତ୍ ସେହି ଭୂଖଣ୍ଡରେ ବାସ କରୁଥିବା ମୋଟ ଜନସଂଖ୍ୟାର ଶତକଡ଼ା ଛଅଭାଗ ମୃତ୍ୟୁମୁଖରେ ପଡ଼ିଲେ । ଅବଶ୍ୟ ଭିଏତ୍‌ନାମରୁ ହିଁ ସର୍ବାଧିକ ମଲେ । ବର୍ଷ ବର୍ଷ ଧରି ଭିଏତ୍‌ନାମ ଯୁଦ୍ଧ ପାଇଁ ଆମେରିକା ସରକାରଙ୍କୁ ବାର୍ଷିକ ତିନି ହଜାର କୋଟି ଡଲାର ଖର୍ଚ୍ଚ କରିବାକୁ ହେଉଥିଲା, ଅର୍ଥାତ୍ ସମଗ୍ର ଭାରତବର୍ଷର ମୋଟ ଜାତୀୟ ଉତ୍ପାଦନରୁ ଅଧିକ ପରିମାଣର ଅର୍ଥ ଲଗାଇବାକୁ ପଡ଼ୁଥିଲା । ଆମେରିକାର ଗୋଟିଏ ଖବରକାଗଜର ହିସାବ ଅନୁସାରେ ଭିଏତ୍‌ନାମବାସୀ ଜଣେ ମଣିଷକୁ ମାରିବା ଲାଗି ଆମେରିକା ସରକାରଙ୍କୁ ହାରାହାରି ଦଶଲକ୍ଷ ଡଲାରରୁ ଅଧିକ ବ୍ୟୟ କରିବାକୁ ପଡ଼ୁଥିଲା । ଏହି ଯୁଦ୍ଧରେ ୫୬୦୦୦ରୁ ଅଧିକ ଆମେରିକାନ୍‌ ସୈନ୍ୟଙ୍କୁ ମଧ୍ୟ ପ୍ରାଣ ଦେବାକୁ ହେଲା ।

 

ଆମେରିକା କାହିଁକି ଏ ଯୁଦ୍ଧ ଲଢ଼ୁଥିଲା ? ଜନ୍‌ ଫାଷ୍ଟର୍‌ ଡଲେସ୍‌ ମରିବାର ଏତେ ବର୍ଷ ପରେ ମଧ୍ୟ ଆମେରିକା କାହିଁକି ତାଙ୍କରି ନିର୍ବୋଧ ନୀତିଗୁଡ଼ାକୁ ହିଁ ଅନୁସରଣ କରିବାରେ ଲାଗିଥିଲା ? ଏପରି ଏକ ଯୁଦ୍ଧ ଦ୍ୱାରା ପୃଥିବୀର କି ଲାଭ ହେଲା ? ହଁ, ଯେତେ ମହାର୍ଘ ହେଉ ପଛକେ, ସାଂପ୍ରତିକ ଇତିହାସରେ ଗୋଟିଏ ପ୍ରମାଣ ଏହାଦ୍ୱାରା ରହିଗଲା ଯେ ପୃଥିବୀରେ କ୍ରମଶଃ ଜନଶକ୍ତିର ବଳ ବଢ଼ୁଛି, ଅସ୍ତ୍ରଶକ୍ତିର ଆଣ୍ଟ ଭାଙ୍ଗି ଭାଙ୍ଗି ଯାଉଛି । ବଡ଼ ଶକ୍ତିଟାଏ ଇଚ୍ଛା କଲେ ମଧ୍ୟ ଗୋଟାଏ ସାନ ଦେଶର ସଂକଳ୍ପକୁ ଭାଙ୍ଗି ଦେବାରେ ଆଦୌ ସଫଳ ହୋଇପାରୁନାହିଁ ।

 

ତା ୧୭.୦୫.୧୯୭୫ ରିଖ

Image

 

ବିଜୟ-ବର୍ଷ

 

୧୯୦୪ ମସିହାରେ ଏସିଆରେ ଏପରି ଗୋଟିଏ ଯୁଦ୍ଧ ଲାଗିଥିଲା ଓ ଏପରି ଏକ ପରିଣାମରେ ତାହାର ଅବସାନ ହେଲା ଯେ ଏସିଆର ଆଧୁନିକ ଇତିହାସରେ ତାହା ଏକ ଦିଗମୀମାଂସକ ପ୍ରସ୍ତର ପରି କାର୍ଯ୍ୟ କରିଥିଲା । ସେହି ଯୁଦ୍ଧରେ ଜାପାନ ରୁଷିଆକୁ ପରାସ୍ତ କରିଥିଲା । ରୁଷିଆରେ ସେତେବେଳେ ଜାର୍‌ଶାସନର ସମୟ–ଏତେ ବଡ଼ ସାମ୍ରାଜ୍ୟ, ଏତେ ବଡ଼ ସେନାନୀ ଏବଂ ଏତେ ବେଶି ପ୍ରତାପ । ଦୀର୍ଘଦିନର ଆତ୍ମନିର୍ବାସନରୁ ମୁକୁଳିବାକୁ ମାତ୍ର ଆରମ୍ଭ କରୁଥିବା ସାନ ଜାପାନଦେଶ ଯୁଦ୍ଧରେ ସେହି ରୁଷିଆକୁ ପରାସ୍ତ କରିଥିଲା । ଇତିହାସରେ ହୁଏତ ସର୍ବପ୍ରଥମଥର ପାଇଁ ଏସିଆର ଗୋଟିଏ ଦେଶ ୟୁରୋପର ଏକ ସାମ୍ରାଜ୍ୟଶକ୍ତିର ପରାଭବ ଘଟାଇପାରିଲା ଏବଂ ତାହା ହିଁ ସମସ୍ତ ଏସିଆର ପରବର୍ତ୍ତୀ କେତେବର୍ଷର ଅଭ୍ୟୁଦୟ-କାହାଣୀରେ ପରମ ଉତ୍ସାହର ଏକ କାରଣ ହୋଇ ରହିଲା ।

 

ତା’ପୂର୍ବରୁ ପ୍ରାୟ ଅଢ଼େଇଶହ ବର୍ଷର ଔପନିବେଶିକ ଇତିହାସରେ ୟୁରୋପ କ୍ରମେ ବିଶ୍ୱାସ କରିବାରେ ଲାଗିଥିଲା ଯେ ଏସିଆ ଉପରେ ଶାସନ ବିସ୍ତାର କରିରହିବାକୁ ହିଁ ସିଏ ପ୍ରାୟ ବିଧିନିର୍ଦ୍ଦିଷ୍ଟ ହୋଇ ଏସିଆକୁ ଆସିଛି । ବିପର୍ଯ୍ୟୟ ସହି ସହି ଏସିଆବାସୀ ମଧ୍ୟ କ୍ରମେ ସେହି ଔଦ୍ଧତ୍ୟକୁ ଏକ ବାସ୍ତବ ସତ୍ୟ ବୋଲି ଗ୍ରହଣ କରିନେଉଥିଲେ । ୟୁରୋପର ଯୁଦ୍ଧପାତ ଏବଂ ୟୁରୋପର ବିଜୟବିପଣି ମାଡ଼ି ମାଡ଼ି ଯାଉଥିଲା । ସେଇ ଗତିରେ କୁଠାର ଆଘାତ କଲା ୧୯୦୪ର ରୁଷିଆ ଜାପାନ ଯୁଦ୍ଧ ଏବଂ ସେଥିରେ ଏସୀୟ ଜାପାନର ବିଜୟଲାଭ ।

 

ଏସିଆରେ ଜାତୀୟ ସ୍ୱାଧୀନତାର ସଂଗ୍ରାମକୁ ଏହି ଘଟଣାଟି ସେତେବେଳେ ଅନେକ ପ୍ରେରଣା ଦେଇଥିଲା । ଭାରତୀୟ ସ୍ୱାଧୀନତା ସଂଗ୍ରାମର କେତେଜଣ ତତ୍କାଳୀନ ନେତା ଜାପାନକୁ ପ୍ରେରଣାଗୁରୁ ବୋଲି ଗ୍ରହଣ କରିଥିଲେ । ଆପଣାର ‘‘ବିଶ୍ୱ ଇତିହାସ’’ ପୁସ୍ତକରେ ପଣ୍ଡିତ ନେହେରୁ ମଧ୍ୟ ସେହି ଘଟଣାଟିର ଉଲ୍ଲେଖ କରିଛନ୍ତି ।

 

୧୯୦୪ ପରେ ୧୯୭୫ ମସିହାକୁ ଆମେ ଏସିଆ ଲାଗି ସେହିପରି ଏକ ବିଜୟ ବର୍ଷ ବୋଲି କହିପାରିବା କି ? ଦ୍ୱିତୀୟ ମହାଯୁଦ୍ଧର ଅବସାନ ପରେ ପରେ ଏସିଆବାସୀଙ୍କର ରାଜନୀତିକ ଆକାଙ୍‌କ୍ଷାପଥରେ ପ୍ରାୟ ସବୁଠାରେ ଯାହା ସର୍ବପ୍ରଧାନ ପ୍ରତିବନ୍ଧକ ହୋଇ ରହିଥିଲା, ୧୯୭୫ରେ ସେହି ପ୍ରତିବନ୍ଧକଟି ବିଶ୍ୱାସଯୋଗ୍ୟ ଭାବରେ ଟଳିଯିବାକୁ ହିଁ ଆରମ୍ଭ କଲା । ଏହି ପ୍ରତିବନ୍ଧକଟି ଯେ ନିଶ୍ଚୟ ଟଳିଯିବ, ଏସିଆକୁ ଯେ ଆଉ ବାଧ୍ୟ ହୋଇ କୌଣସି ଶୀତଳଯୁଦ୍ଧରେ ବଳି ପଡ଼ିବାକୁ ହେବ ନାହିଁ, ୧୯୭୫ରେ ଯାଇ ସେହି ପ୍ରତ୍ୟୟରେ ଫୁଲଫଳ ଧରିଲା । ପ୍ରଥମେ କାମ୍ୱୋଡ଼ିଆ ତାହା ପ୍ରତିପାଦନ କଲା, ତା’ପରେ ଭିଏତ୍‌ନାମ ଓ ତା’ପରେ ଅନ୍ୟ ସବୁ ଦେଶରେ ତାହାର ଯେଉଁ ପ୍ରତିକ୍ରିୟାମାନ ଦେଖାଦେଲାଣି, ସେଇଥିରୁ ହିଁ ଆମର ଏହି ବିଶ୍ୱାସଟି ଦୃଢ଼ୀଭୂତ ହୋଇଯିବା ଉଚିତ ।

 

ଥାଇଲାଣ୍ଡ ଆଜି ପର୍ଯ୍ୟନ୍ତ ଆମେରିକାର ଯୁଦ୍ଧଗୋଦାମ ହୋଇ ରହିଥିଲା । ଗୋଟାଏ ଏକତରଫା ଚୁକ୍ତି ଅନୁସାରେ ଆମେରିକା ଥାଇଲାଣ୍ଡରେ ତା’ର ସାମରିକ ଘାଟିଗୁଡ଼ାକୁ ରଖିପାରିବ ବୋଲି ରାଜିନାମା ହୋଇଥିଲା । କାମ୍ୱୋଡ଼ିଆ ଓ ଭିଏତ୍‌ନାମର ଲଢ଼େଇରେ ଥାଇଲାଣ୍ଡର ଏହି ଘାଟିଗୁଡ଼ାକ ପ୍ରକୃତରେ ଭଣ୍ଡାର ଘର ପରି କାର୍ଯ୍ୟ କରୁଥିଲେ । ଏହା ଭିତରେ ଥାଇଲାଣ୍ଡ ସରକାର ଆମେରିକାକୁ ଜଣାଇଦେଇ ସାରିଲେଣି ଯେ ଥାଇଲାଣ୍ଡ ଆପଣା ରାଜ୍ୟସୀମା ଭିତରେ ଅପରଦେଶୀୟ ଏହି ସମରଘାଟୀଗୁଡ଼ିକୁ ଆଉ କଦାପି ରହିବା ପାଇଁ ଅନୁମତି ଦେବ ନାହିଁ । ଆମେରିକା ସହିତ କଥାବାର୍ତ୍ତା ହୋଇ ଏହି ଦିଗରେ କେତେ ନିଷ୍ପତ୍ତି ମଧ୍ୟ ଏହା ଭିତରେ କରାଯାଇ ସାରିଲାଣି । ସେହି ନିଷ୍ପତ୍ତି ଅନୁସାରେ ଆର ମାସରେ ସେଠାରୁ କେତେକ ସାମରିକ ଘାଟୀ ଉଠିଯିବ ଓ ବର୍ଷ ଶେଷ ବେଳକୁ ଥାଇଲାଣ୍ଡରେ ଆମେରିକାର ଗୋଟିଏ ହେଲେ ଘାଟୀ ବା ଗୋଟିଏ ହେଲେ ଛାଉଣୀ ନଥିବ ।

 

ଭିଏତ୍‌ନାମ ଯୁଦ୍ଧର ଅବସାନ ପରେ ଇଣ୍ଡୋନେସିଆ, ମାଳୟେସିଆ ଏବଂ ଏପରିକି ଫିଲିପାଇନସରେ ମଧ୍ୟ ଅନୁରୂପ ପ୍ରତିକ୍ରୟାମାନ ଦେଖାଯିବାକୁ ଆରମ୍ଭ କଲାଣି । ଏପରି କି ଏକ ପରାଭୂତ ଦେଶ ହିସାବରେ ଯେଉଁ ଜାପାନ ଆନ୍ତର୍ଜାତିକ ସମ୍ୱନ୍ଧର ଏକାଧିକ କ୍ଷେତ୍ରରେ ଆମେରିକାଠାରେ ବାଧ୍ୟ ହୋଇ ରହିଥିଲା ଓ ଆପଣାର ଏକ ସ୍ୱତନ୍ତ୍ର ବୈଦେଶିକ ନୀତି ଠିକ୍‌ କରିବାର ଆବଶ୍ୟକ ସ୍ୱାଧୀନତାରୁ ମଧ୍ୟ ସେ ବଞ୍ଚିତ ହୋଇ ରହିଥିଲା, ସେଠାରେ ମଧ୍ୟ ରାଜନୀତି ଓ ଆମେରିକା ସହିତ ଜାପାନର ଚୁକ୍ତିବଦ୍ଧ ସମ୍ୱନ୍ଧଗୁଡ଼ିକ ବିଷୟରେ ଅଧିକ ନିର୍ଭୀକତା ସହ ବିଚାର କରିବା ଆରମ୍ଭ ହେଲାଣି । ଏସିଆର ଏହି ପାଖଟାରେ ସତେ ଯେପରି ଏକ ନୂତନ ହାଉଆ ବହିବାକୁ ଆରମ୍ଭ କରୁଛି । ଏକ ନୂତନ ବିଶ୍ୱାସର ହାଉଆ ବୋହିବା ଭଳି ଲାଗୁଛି ।

 

ବାଂଲାଦେଶର ମୁକ୍ତିସଂଗ୍ରାମବେଳେ ଭାରତବର୍ଷକୁ ଅଙ୍କୁଶ ଦେଖାଇବାକୁ ଆମେରିକାର ସପ୍ତମ ବାହିନୀ ବଙ୍ଗୋପସାଗର ଭିତରକୁ ମଧ୍ୟ ଚମକି ଆସିଥିଲା । ଏଣିକି ସେସବୁ ଅଭିନୟ ସତେ ଅବା ଏକ ପୁରୁଣା ନାଟକର ଅଂଶ ହୋଇ ରହିଯାଉଥିଲା ପରି ମନେ ହେଉଛି । ପୃଥିବୀର ରାଜନୀତିକ ଏବଂ ସାମାଜିକ ବିକାଶକୁ କେହି ଦର୍ପ ଦେଖାଇ ଆପଣାର ମୁଣାବାଟେ ଗଳି କରିଯିବାକୁ ଯେ ବାଧ୍ୟ କରିପାରବ ନାହିଁ, ସମଗ୍ର ଏସିଆରେ ୧୯୭୫ ଏହି ବିଶ୍ୱାସଟିକୁ ଆଣିଦେଇଛି-

 

ତା ୧୮.୦୫.୧୯୭୫ ରିଖ

Image

 

ବାଦଶାହ ଖାଁ ପୁଣି ବନ୍ଦୀ

 

ବାଦଶାହ ଖାଁଙ୍କୁ ପାକିସ୍ଥାନରେ ପୁଣି ବନ୍ଦୀ କରିନିଆଯାଇଛି । ଭାରତ ଯେତେବେଳେ ଗୋଟିଏ ଥିଲା, ଗୋଟିଏ ଶିବିରରୂପେ ବିଦେଶୀ ଶାସକ ସହିତ ଦେଶର ସ୍ୱାଧୀନତା ପାଇଁ ଲଢ଼ୁଥିଲା, ବାଦଶାହ ଖାଁ ସେତିକିବେଳର ଜଣେ ବୀର ପ୍ରତିନିଧି । ଉପମହାଦେଶର ସ୍ୱାଧୀନତା ପ୍ରାପ୍ତି ପରେ ସିଏ ଭାରତବର୍ଷ ଓ ପାକିସ୍ଥାନ ଉଭୟ ଦେଶର ଗୌରବ ହୋଇ ରହିବା ଉଚିତ ଥିଲା-। କିନ୍ତୁ ପାକିସ୍ଥାନ ଏକ ଦେଶ ରୂପେ ଜନ୍ମଗ୍ରହଣ କରିବା ଦିନଠାରୁ ବାଦଶାହ ଖାଁଙ୍କର ଅଧିକ ସମୟ ବାହାରେ ନ କଟି ଭିତରେ ବନ୍ଦୀଶାଳାରେ ହିଁ କଟିଛି । ଅଶୀ ବର୍ଷରୁ ଉର୍ଦ୍ଧ୍ୱ ଏହି ଅଦମ୍ୟ ମୁକ୍ତିସଂଗ୍ରାମୀଙ୍କୁ ପାକିସ୍ଥାନର ଶାସକମାନେ ଆଜି ମଧ୍ୟ ମହାପ୍ରମାଦ ବୋଲି ମଣୁଛନ୍ତି ।

 

ଦୀର୍ଘ ଅନେକ ବର୍ଷ ବନ୍ଦୀଶାଳାରେ ରହିବା ପରେ ବାଦଶାହ ଖାଁ ଯେତେବେଳେ ମଝିରେ ଥରେ ଖଲାସ ହୋଇ ବାହାରକୁ ଆସିଥିଲେ, ସେତେବେଳେ ସେ ଆପଣାର ଚିକିତ୍ସା ସକାଶେ ଲଣ୍ଡନ ଗଲେ ଓ ଲଣ୍ଡନରୁ ପାକିସ୍ଥାନ ଫେରି ନ ଆସି ଆଫଗାନିସ୍ଥାନ ଆସିଲେ ଏବଂ ଆଫଗାନିସ୍ଥାନର ରାଜଧାନୀ କାବୁଲରେ ଅବସ୍ଥାନ କଲେ । କାବୁଲରେ ଅବସ୍ଥାନ କରୁଥିବା ସମୟରେ ଭାରତବାସୀ ଓ ଭାରତ ସରକାରଙ୍କର ନିମନ୍ତ୍ରଣକ୍ରମେ ସେ ଭାରତବର୍ଷକୁ ମଧ୍ୟ ଆସିଥିଲେ । ତାଙ୍କୁ ନେହେରୁ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବା ପରେ ସେ ଉତ୍ତରରୁ ଦକ୍ଷିଣଯାଏ ଦେଶଟାଯାକ ଗସ୍ତ କରିଥିଲେ ଓ ପରମବନ୍ଧୁର ଅଭ୍ୟର୍ଥନା ଲାଭ କରିଥିଲେ ।

 

ତା’ପରେ ଅବସ୍ଥାର ବିଧିନିର୍ଦ୍ଦିଷ୍ଟ କ୍ରମରେ ଆଗର ପୂର୍ବ ପାକିସ୍ଥାନ ବାଂଲାଦେଶ ହୋଇ ନବଜନ୍ମ ଲାଭକଲା ଏବଂ ପାକିସ୍ଥାନର ସୈନ୍ୟାଧ୍ୟକ୍ଷ ଶାସକ ୟାହିୟା ଖାଁଙ୍କ ପରେ ଜୁଲଫିକର୍ ଭୁଟ୍ଟୋ ପାକିସ୍ଥାନର ପ୍ରଧାନମନ୍ତ୍ରୀ ହେଲେ । ଏକ ନିର୍ବାଚନରେ ତାଙ୍କର ଦଳ ମତାଧିକ୍ୟ ଲାଭ କଲା ଓ ତେଣୁ ଅନେକ ବର୍ଷ ପରେ ପାକିସ୍ଥାନରେ ଗଣତନ୍ତ୍ର ପ୍ରତିଷ୍ଠିତ ହେଲା । ପ୍ରଧାନମନ୍ତ୍ରୀ ଭୁଟ୍ଟୋ ଘୋଷଣା କରିସେତିକିବେଳେ କହିଥିଲେ, ‘‘ଏ ଦେଶ ଆମ ସମସ୍ତଙ୍କର ଦେଶ । ଗଣତନ୍ତ୍ର ହେଉଛି ଆମର ରାଜନୀତି ଏବଂ ଇସଲାମ ହେଉଛି ଆମର ଧର୍ମ ।’’ ତାଙ୍କର ଏହି ଘୋଷଣାଗୁଡ଼ିକୁ ଅନ୍ତତଃ ସେହି ସମୟରେ ସମସ୍ତେ ବିଶ୍ୱାସ କଲେ । ବିରୋଧୀ ଦଳର ନେତା ଖାଁ ଅବଦୁଲ ୱାଲି ଖାଁ ସେଥିରେ ବିଶ୍ୱାସ କଲେ ଏବଂ ସେହି ବିଶ୍ୱାସ ଦ୍ୱାରା ପ୍ରେରିତ ହୋଇ ସେ ତାଙ୍କର ପିତା ବାଦଶାହ ଖାଁଙ୍କୁ କାବୁଲରୁ ସ୍ୱଦେଶକୁ ଫେରି ଆସିବା ପାଇଁ ଅନୁରୋଧ କଲେ । ବାଦଶାହ ଖାଁ ସେତିକିବେଳେ ପୁଣି ପାକିସ୍ଥାନକୁ ଫେରିଆସିଲେ ।

 

କିନ୍ତୁ ଗଣତନ୍ତ୍ରର ସେହି ହାୱା ବଦଳି ଯିବାକୁ ପାକିସ୍ଥାନରେ ମୋଟେ ବିଳମ୍ୱ ଲାଗିଲା ନାହିଁ । ଗୋଟାକ ପରେ ଗୋଟାଏ ହୋଇ ରାଜନୀତିକ ଦଳମାନ ସରକାରଙ୍କ ଦ୍ୱାରା ବେଆଇନ ଘୋଷିତ ହେଲେ । ସେମାନଙ୍କର ନେତା ଓ ସକ୍ରିୟ ସହଯୋଗୀମାନଙ୍କୁ ଜେଲ୍‌ ପଠାଇ ଦିଆଗଲା । ମନ ନ ମାନୁଥିବା ଲାଟ ଓ ମନ୍ତ୍ରୀମାନଙ୍କୁ ଆତତାୟୀ ଦ୍ୱାରା ହତ୍ୟା କରାଗଲା । ବେଲୁଚିସ୍ଥାନରେ ଲୋକଅସନ୍ତୋଷକୁ ଭୟଭୀତ କରିଦବାଇଦେବା ପାଇଁ ଉଡ଼ାଜାହାଜରୁ ବୋମାବୃଷ୍ଟି କରାଗଲା । ନିର୍ବାଚିତ ପ୍ରଧାନମନ୍ତ୍ରୀ କ୍ରମେ ଆପଣାର ଏକଛତ୍ରବାଦୀ ରୂପରେ ଆବିର୍ଭୂତ ହୋଇ ଆସିବାକୁ ମନ କଲେ । ଶେଷକୁ ମୁଖ୍ୟ ବିରୋଧୀଦଳ ଜାତୀୟ ଆୱାମୀ ପାର୍ଟିକୁ ମଧ୍ୟ ବେଆଇନ ବୋଲି ଘୋଷଣା କରାଗଲା । ତାହାର ନେତା ୱାଲି ଖାଁ ପୁଣି ଜେଲକୁ ଗଲେ ଓ ଦେଶଦ୍ରୋହ କରିଥିବାର ଅଭିଯୋଗରେ ତାଙ୍କ ନାମରେ ମକଦ୍ଦମା ହେଲା । ବାଦଶାହ ଖାଁଙ୍କର ମୋହ ଭାଙ୍ଗିଗଲା ।

 

‘‘ଜନାବ୍ ଭୁଟ୍ଟୋ ପାକିସ୍ଥାନରେ ଗଣତନ୍ତ୍ରର ପ୍ରତିଷ୍ଠା କରିବାକୁ ଯେଉଁ ବଚନ ଦେଇଥିଲେ, ମୁଁ ସେଥିରେ ବିଶ୍ୱାସ କରିପକାଇଥିଲି । କିନ୍ତୁ ବର୍ତ୍ତମାନ ପାକିସ୍ଥାନରେ କାନୁନ୍‌ ବୋଲି ଆଉ କିଛି ଅଛି ବୋଲି କିଏ କହିବ ?’’ ୧୯୭୨ ମସିହାରେ ସେ କାହିଁକି କାବୁଲରୁ ଏଠାକୁ ଫେରିଆସିଲେ, ସେଥିଲାଗି ଦୁଃଖ ପ୍ରକାଶ କଲେ ଏବଂ ପୁଣିଥରେ ପାକିସ୍ଥାନ ଛାଡ଼ି କାବୁଲ୍ ଫେରିଯିବା ପାଇଁ ଇଚ୍ଛା କଲେ । ଏହାପରେ ବାଦଶାହ ଖାଁଙ୍କୁ ତାଙ୍କ ନିଜ ଗାଁରେ ଅଟକବନ୍ଦୀ କରିରଖାଗଲା । କିନ୍ତୁ ବାଦଶାହ ଖାଁ ସେଇଠି ଶାନ୍ତ ହୋଇ ବସି ଆଖି ଆଗରେ ସବୁ ଦେଖିଥାନ୍ତେ ବା କିପରି ?

 

ସରକାରଙ୍କୁ ସେ ଆପଣାର କାବୁଲ ଯାତ୍ରାର ନିଷ୍ପତ୍ତି ଜଣାଇଦେଲେ ଏବଂ ଏକ ନିର୍ଦ୍ଦିଷ୍ଟ ତାରିଖରେ ପାକିସ୍ଥାନ-ଆଫଗାନିସ୍ଥାନର ସୀମା ଆଡ଼କୁ ବାହାରି ପଡ଼ିଲେ । କହିବା ବାହୁଲ୍ୟ, ଆଇନ ଅମାନ୍ୟ କରିଥିବାର ଅପରାଧରେ ସରକାରୀ ପୋଲିସ ତାଙ୍କୁ ବାଟରୁ ଗିରଫ କଲା ଓ ଜେଲ୍‌କୁ ନେଇଗଲା । ସୀମାନ୍ତଗାନ୍ଧୀ ପୁନର୍ବାର ପାକିସ୍ଥାନରେ ତାଙ୍କର ପୂର୍ବପରିଚିତ ସ୍ଥାନଟିକୁ ଫେରିଗଲେ ।

 

ଏଥର ତାଙ୍କୁ ପୁଣି କେତେବର୍ଷ ଜେଲ୍‌ ଭିତରେ ରହିବାକୁ ହେବ ? ଯେଉଁ ସମୟରେ ଦେଶର ଶାସକମାନେ ଦେଶର ଭକ୍ତ, ବୀର ଏବଂ ସେବକମାନଙ୍କୁ ଜେଲରେ ପୂରାଇ ବିଦେଶରୁ ଗୁଳିବନ୍ଧୁକ ଆଣି ଦେଶକୁ ଶକ୍ତିଶାଳୀ କରିବା ଉପରେ ଅଧିକ ଭରସା ରଖନ୍ତି, ସେତେବେଳେ ସେହି ଦେଶ ଉପରେ ପ୍ରକୃତରେ ଏକ ଦୁଃସମୟ ଆସି ପହଞ୍ଚେ । ପାକିସ୍ଥାନର ଶାସକ ଆମେରିକା ପାଖରୁ ପୁଣି ଅସ୍ତ୍ରଶସ୍ତ୍ର ପାଇବେ ବୋଲି ଅନୁମତି ପାଇଲେଣି । ଏହି ଜୁନ ମାସରେ ଚୀନ ସହିତ ସିଏ କୁଆଡ଼େ ଏକ ସାମରିକ ଚୁକ୍ତି କରିବା ଲାଗି ଯୋଗାଡ଼ ବି କରୁଛନ୍ତି । ଏଣେ ଦେଶରେ କାଉ, କୋଇଲିଙ୍କର ମୁହଁକୁ ବନ୍ଦକରି ରଖିଲେଣି । ସମସ୍ତଙ୍କୁ କଣ୍ଟକ ମଣି ଜେଲ୍‌ ଭିତରେ ଭର୍ତ୍ତି କରିସାରିଲେଣି । ଏଭଳି ରାଜନୀତି ଯେ କାହାରି ପାଇଁ କୌଣସି ଭଲ ଆଣେ ନାହିଁ, ଇତିହାସ ବାର ବାର ସେକଥା କହିଆସିଛି ।

 

ତା ୧୯.୦୫.୧୯୭୫ ରିଖ

Image

 

ମତ୍ସ୍ୟପୁରାଣ

 

ସମଗ୍ର ପୃଥିବୀରେ ନିଆଯାଇଥିବା ଗୋଟିଏ ହିସାବରୁ ଜଣାଯାଇଛି ଯେ ଅଳ୍ପ ଉନ୍ନତ ବା ବିକାଶଶୀଳ ଦେଶଗୁଡ଼ିକରେ ବାସକରୁଥିବା ମୋଟ ଲୋକସଂଖ୍ୟାର ଶତକଡ଼ା ପ୍ରାୟ ଷାଠିଏ ଭାଗ ଲୋକ ଅନ୍ନକଷ୍ଟ ଭୋଗ କରୁଛନ୍ତି ଏବଂ ସେମାନଙ୍କର ଦେହ ଲାଗି ଯେତିକି ପୃଷ୍ଟିକର ଖାଦ୍ୟ ଲୋଡ଼ା, ତାହା ସେମାନେ ଆଦୌ ପାଉନାହାନ୍ତି ।

ଉତ୍ତର-ଆମେରିକା ଓ ପଶ୍ଚିମ-ୟୁରୋପକୁ ଛାଡ଼ିଦେଲେ ପୃଥିବୀର ଆଉ କେଉଁଠି ହେଲେ ଲୋକେ ସେମାନଙ୍କର ଦୈନିକ ଖାଦ୍ୟରେ ଯଥେଷ୍ଟ ପରିମାଣରେ କ୍ୟାଲୋରି କିମ୍ୱା ପ୍ରୋଟିନ୍ ପାଇପାରୁ ନାହାନ୍ତି । ଏଣେ ପୃଥିବୀର ଲୋକସଂଖ୍ୟା ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛି । ଏହି ଶତାବ୍ଦୀଟି ଶେଷ ହେବା ବେଳକୁ ପୃଥିବୀର ମୋଟ ସାତଶହ କୋଟି ମଣିଷ ବାସ କରୁଥିବେ ବୋଲି ଅନୁମାନ କରାଯାଉଛି । ପୃଥିବୀର ଆବାଦ ହୋଇପାରିବା ଭଳି ମୋଟ ଯେତେ ଭୂମି ରହିଛି, ତାହାର ଅଧେ ଅଂଶ ବର୍ତ୍ତମାନ ଆବାଦ ହୋଇସାରିଲାଣି । ବାକୀ ଅଧକୁ ଆବାଦ କରିପାରିବା ଲାଗି ଜଳସେଚନ ପ୍ରଭୃତି ବାବଦରେ ଯେଉଁ ବିପୁଳ ଅର୍ଥର ପ୍ରୟୋଜନ ହେବ, ତାହା ସବୁଠାରେ କଦାପି ସୁଲଭ ହେବନାହିଁ । ତେଣୁ ମନୁଷ୍ୟ ଜାତିକୁ ଖାଦ୍ୟ ଯୋଗାଇବା ଲାଗି ପୃଥିବୀରେ ତିନିଚଉଠ ଜାଗା ମାଡ଼ିବସିଥିବା ସମୁଦ୍ର ବିଷୟରେ ଏବେ ଚିନ୍ତା କରାଯାଉଛି । ସମୁଦ୍ରର ମାଛକୁ ମନୁଷ୍ୟର ଖାଦ୍ୟରୂପେ ବ୍ୟବହାର କରାଯାଇ ପୃଥିବୀର ଖାଦ୍ୟ-ସମସ୍ୟାଟିର ସମାଧାନ ହେବ କି ?

୧୯୭୩ ମସିହାରେ ପୃଥିବୀର ସମୁଦ୍ରଜଳରୁ ପ୍ରାୟ ସାଢ଼େ ଛଅକୋଟି ଟନ ମାଛ ଧରାଯାଇଥିଲା । ଏଥିରୁ ସାଢ଼େ ଚାରିକୋଟି ଟନ ମନୁଷ୍ୟର ଖାଦ୍ୟ ରୂପେ ବ୍ୟବହୃତ ହୋଇଥିଲା ଓ ଅବଶିଷ୍ଟ ପ୍ରାୟ ଦୁଇକୋଟି ଟନ ମାଛ ପିଡ଼ିଆ ଓ ମାଛତେଲ ତିଆରି କରିବା ପ୍ରଭୃତି ଅନ୍ୟ କାର୍ଯ୍ୟରେ ଲାଗିଥିଲା । ବିଶେଷଜ୍ଞମାନେ ହିସାବ କରିଛନ୍ତି ଯେ ମାଛ ଧରିବାର ବିଜ୍ଞାନଟିକୁ ପୃଥିବୀର ସର୍ବତ୍ର ସୁବିକଶିତ କରିପାରିଲେ ଆମେ ସମୁଦ୍ରରୁ ବାର୍ଷିକ କୋଡ଼ିଏରୁ ତିରିଶକୋଟି ଟନ ପର୍ଯ୍ୟନ୍ତ ମତ୍ସ୍ୟ ଓ ମତ୍ସ୍ୟଜାତ ଦ୍ରବ୍ୟ ସଂଗ୍ରହ କରିପାରିବା ଏବଂ ତାହା ପୃଥିବୀର ଖାଦ୍ୟ ଚାହିଦାର କ୍ଷେତ୍ରରେ ନିଶ୍ଚୟ ଏକ ବଡ଼ ଅଭାବର ପୂରଣ କରିପାରିବ ।

ପୃଥିବୀର ସବୁ ଦେଶରେ ସମୁଦ୍ର ଉପକୂଳ ନାହିଁ ବା ପୃଥିବୀର ସବୁ ସମୁଦ୍ରରେ ସମାନ ପରିମାଣରେ ମାଛ ଉତ୍ପନ୍ନ ହୁଅନ୍ତି ନାହିଁ । ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିବାକୁ ଗଲେ ପୃଥିବୀରେ ମାତ୍ର ଚାରୋଟି ଅଞ୍ଚଳକୁ ହିଁ ସଘନ ମତ୍ସ୍ୟାଞ୍ଚଳ ବୋଲି କୁହାଯାଇପାରିବ । ଗୋଟିଏ ହେଉଛି ଜାପାନରୁ ଆରମ୍ଭ କରିବେରିଂ ପ୍ରଣାଳୀ ଯାଏ ବିସ୍ତୃତ ସମୁଦ୍ରାଞ୍ଚଳ, ଦ୍ୱିତୀୟଟି ନିଉୟର୍କ ଓ ପୂର୍ବ-କାନାଡ଼ାର ସମୁଦ୍ରାଞ୍ଚଳ, ତୃତୀୟଟି ଇଂଲଣ୍ଡ ସମେତ ଉତ୍ତର ସାଗରର ଅଞ୍ଚଳ ଓ ଶେଷଟି ହେଉଛି ପେରୁକୁ କେନ୍ଦ୍ରକରିଦକ୍ଷିଣ ଆମେରିକାର ପଶ୍ଚିମ ସମୁଦ୍ରାଞ୍ଚଳ । ପ୍ରଥମ ତିନୋଟିଯାକ ଅଞ୍ଚଳରେ ବର୍ଷକୁ ପ୍ରାୟ ତିନିକୋଟି ଟନ୍‌ ମାଛ ଧରାଯାଏ; ଅର୍ଥାତ୍ ସମଗ୍ର ପୃଥିବୀରେ ମୋଟ ଯେତେ ସମୁଦ୍ରମାଛ ଧରାଯାଏ ତାହାର ଶତକଡ଼ା ପ୍ରାୟ ୪୬ ଭାଗ କେବଳ ଏହି ତିନୋଟି ଅଞ୍ଚଳରୁ ଧରାଯାଏ । ଅର୍ଥାତ୍ ପୃଥିବୀର ମାନଚିତ୍ର ଉପରେ ଦୃଷ୍ଟିପାତ କରିବଡ଼ ସହଜରେ କୁହାଯାଇପାରିବ ଯେ ପୃଥିବୀର ସବୁଠାରୁ ଅଧିକ ଉତ୍ପାଦନକାରୀ ମତ୍ସ୍ୟାଞ୍ଚଳଗୁଡ଼ିକ ବିକଶିତ ଦେଶଗୁଡ଼ିକର ଅଞ୍ଚଳଗୁଡ଼ିକରେ ହିଁ ଅବସ୍ଥିତ ରହିଛନ୍ତି । ସେହିସବୁ ଦେଶରେ ଉନ୍ନତ କୃଷି ରହିଛି, ଉନ୍ନତ ପଶୁପାଳନ ମଧ୍ୟ ହେଉଛି । ଅର୍ଥାତ୍‌, ମତ୍ସ୍ୟଖାଦ୍ୟ ଯେଉଁସବୁ ଦେଶର ଖାଦ୍ୟାଭାବରେ ଏକ ବୃହତ୍ ଅଂଶର କ୍ଷତିପୂରଣ କରିପାରନ୍ତା, ସେସବୁ ଦେଶରେ ବେଶି ମତ୍ସ୍ୟ ଆମଦାନୀ ହେଉନାହିଁ । ସେସବୁ ଦେଶରେ ଦୀର୍ଘ ସମୁଦ୍ର-ଉପକୂଳ ନାହିଁ; ତେଣୁ ବର୍ତ୍ତମାନର ବ୍ୟବସ୍ଥାରେ ସେମାନଙ୍କର ମତ୍ସ୍ୟ-ଉତ୍ପାଦନରେ ଖୁବ୍‌ ବେଶୀ ବୃଦ୍ଧି ହୋଇପାରିବ ବୋଲି ଆଦୌ ଦେଖାଯାଉ ନାହିଁ ।

ସମୁଦ୍ରକୁ ବ୍ୟବହାର କରିବା ବିଷୟରେ ମିଳିତ ଜାତିସଂଘ ପକ୍ଷରୁ ଏବେ କାରାକସ୍‌ଠାରେ ହୋଇଯାଇଥିବା ସମ୍ମିଳନୀର ନିଷ୍ପତ୍ତି ଅନୁସାରେ ଯେଉଁ ଦେଶରେ ଯେତେ ସମୁଦ୍ର ଉପକୂଳ ରହିଥିବ, ସେହି ଦେଶ ସ୍ୱାଧୀନ ଭାବରେ ସେହି ଉପକୂଳକୁ କାର୍ଯ୍ୟରେ ଲଗାଇପାରିବ ଓ ସେହି ଉପକୂଳ କେବଳ ତାହାରି ହୋଇ ରହିବ । ଅର୍ଥାତ୍ କୌଣସି ଦେଶ ଇଚ୍ଛା କଲେ ତା’ର ସମୁଦ୍ରରୁ କମ୍‌ ମାଛ ମଧ୍ୟ ମାରିପାରିବ । ମାତ୍ର ତାହା ଫଳରେ ପୃଥିବୀର ଲୋକମାନଙ୍କ ପାଇଁ ଯେତେ ମାଛ ମରାଯାଇ ପାରନ୍ତା, ତାହା ପ୍ରକୃତରେ ଉପଲବଧ୍‌ ହେବନାହିଁ ।

ତେଣୁ ଏହି କ୍ଷେତ୍ରରେ ଏକାନ୍ତ ପ୍ରୟୋଜନ ଯେ, ପୃଥିବୀର ଯେଉଁସବୁ ଦେଶର ସମୁଦ୍ର ଉପକୂଳ ରହିଛି ଓ ମାଛ ମାରିବାକୁ ଯେଉଁମାନେ ଏକ ବୈଜ୍ଞାନିକ ଧନ୍ଦା ବୋଲି ଗ୍ରହଣ କରିଛନ୍ତି, ସେମାନେ ସମସ୍ତେ ଏକାଠି ହେବେ, ମାଛ ମାରିବା ବିଷୟରେ ଆବଶ୍ୟକ ଯୋଜନାମାନ କରିବେ, ଆବଶ୍ୟକ ସଂରକ୍ଷଣ ଓ ନିୟନ୍ତ୍ରଣାଦିର ବ୍ୟବସ୍ଥା କରିବେ । ବର୍ତ୍ତମାନ ପରି ସମୁଦ୍ରକୁ ବାଣ୍ଟିକୁଣ୍ଟି ନେଇ ଆପଣା ଆପଣାର ଅଲଗା କାରବାର କଲେ ପୃଥିବୀର ଚାହିଦା ଲାଗି ମତ୍ସ୍ୟଶିଳ୍ପ ଖୁବ୍‌ ବେଶି ସାହାଯ୍ୟ କରିପାରିବ ନାହିଁ । ଅର୍ଥାତ୍‌, ଅନ୍ୟାନ୍ୟ ଅନେକ କ୍ଷେତ୍ର ପରି ଏଠାରେ ମଧ୍ୟ ଏକ ବିଶ୍ୱସ୍ତରୀୟ ସହଯୋଗ ଏକାନ୍ତ ଆବଶ୍ୟକ । ସହଯୋଗ ଦ୍ୱାରା ହିଁ ପୃଥିବୀ ତା’ର ସମୁଦ୍ରଗୁଡ଼ିକୁ ଆପଣାର ଖାଦ୍ୟଭଣ୍ଡାର ରୂପେ ବ୍ୟବହାର କରିପାରିବ ।

ତା ୨୦.୦୫ .୧୯୭୫ ରିଖ

Image

 

କିଏ ହାରିଲା, କିଏ ଜିତିଲା ?

 

ଦୀର୍ଘ କୋଡ଼ିଏ ବର୍ଷ ପରେ ଭିଏତ୍‌ନାମରେ ଯୁଦ୍ଧ ସରିଲା । ଭିଏତ୍‌ନାମର ମଣିଷ ଏତେଦିନକେ ଟିକିଏ ଶାନ୍ତିରେ ନିଶ୍ୱାସ ମାରିବାକୁ ଫୁରସତ ପାଇଲା ଅର୍ଥାତ୍‌ ନିଜର ଭାଗ୍ୟକୁ ନିଜେ ଗଢ଼ିବା ଲାଗି ସେ ଅନୁମତି ପାଇଲା । ମାତ୍ର ଯୁଦ୍ଧରେ କିଏ ହାରିଲା, କିଏ ଜିତିଲା ?

 

ରାଜନୀତିକୁ ହିଁ କାଳର ଏକମାତ୍ର ନ୍ୟାୟ ବୋଲି ସମଝୁଥିବା ବ୍ୟକ୍ତିମାନେ କହିବେ ଯେ ଭିଏତ୍‌ନାମ ଯୁଦ୍ଧରେ ଆମେରିକା ପକ୍ଷ ହାରିଗଲା ଓ ଅନ୍ୟ ପକ୍ଷ ଜିତିଲେ । ରାଜନୀତିର ଉପୁରି ବ୍ୟାଖ୍ୟାଟା ଅନୁସାରେ ଭିଏତ୍‌ନାମରେ ବିଗତ କୋଡ଼ିଏ ବର୍ଷଧରି ଗୋଟାଏ ପକ୍ଷରେ ଆମେରିକା ସହିତ ଅପର ପକ୍ଷରେ ଆମେରିକା-ବିରୋଧୀ ଅନ୍ୟ ଏକ ପଟର ଯୁଦ୍ଧ ଚାଲିଥିଲା । ପୃଥିବୀଯାକକୁ ଯଥାସମ୍ଭବ ଆପଣାର ପ୍ରଭାବମଣ୍ଡଳ ମଧ୍ୟକୁ ଆଣିବା ଲାଗି ଦ୍ୱିତୀୟ ମହାଯୁଦ୍ଧ ପରେ ପ୍ରାୟ ସବୁଠାରେ ପରିପନ୍ଥୀମାନଙ୍କ ମଧ୍ୟରେ ଯେଉଁ ଶୀତଳଯୁଦ୍ଧ ଚାଲିଛି, ଭିଏତ୍‌ନାମ ସେଇଥିରେ ହିଁ ଏପର୍ଯ୍ୟନ୍ତ ଏକ ବିଶେଷ କ୍ଷେତ୍ର ହୋଇ ରହିଥିଲା ବୋଲି ସେମାନେ କହିବେ ।

 

୧୯୬୨ ମସିହାରେ ପୃଥିବୀର ରାଜନୀତିକ ଇତିହାସରେ ଠିକ୍‌ ଏହିପରି ଗୋଟିଏ ଘଟଣା ଘଟିଥିଲା । ରୁଷିଆର ନୌବାହିନୀ ଆଟଲାଣ୍ଟିକ ମହାସାଗର ଦେଇ କ୍ୟୁବା ଅଭିମୁଖରେ ଅଗ୍ରସର ହେଉଥିଲା । ଯେଉଁଠି ମହାସାଗର ସ୍ଥଳଭାଗ ଭିତରକୁ ପଶିଯାଇ କାରେବିୟାନ୍‌ ସାଗରର ସୃଷ୍ଟି କରିଛି, ସେଇଠି ଫ୍ଲୋରିଡ଼ା ପାଖରେ ଆମେରିକାର ନୌ ଏବଂ ଆକାଶବାହିନୀ ସେମାନଙ୍କର ମୁକାବିଲା କରିବା ଲାଗି ପ୍ରସ୍ତୁତ ହୋଇ ରହିଥିଲେ । ପୃଥିବୀର ଭାଗ୍ୟ ସୂତାଖିଅରେ ଝୁଲୁଥିଲା । ଦୁଇ ବୃହତ୍‌ଶକ୍ତି ମୁହାଁମୁହିଁ ହୋଇଗଲେ ଯେ ଏକ ଭୟାବହ ଯୁଦ୍ଧ ଲାଗିଯିବ, ସେ ବିଷୟରେ ଆଶଙ୍କାର ପ୍ରତ୍ୟେକଟି ପଦକ୍ଷେପଟିକୁ ବିଶ୍ୱବାସୀ ଗଣିବାରେ ଲାଗିଥିଲେ । ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ରୁଷିଆର ନୌବାହିନୀକୁ ଆମେରିକା କଦାପି କ୍ୟୁବା ଯାଏ ଆସିବାକୁ ଦେବ ନାହିଁ ବୋଲି ବଦ୍ଧପରିକର ହୋଇ ବସିଥିଲେ । ପରିଣାମ ଲାଗି ପୃଥିବୀ ଅପେକ୍ଷା କରିରହିଥିଲା ।

 

କାରେବିୟାନ ଭିତରେ ପହଂଚିବା ପୂର୍ବରୁ ରୁଷିଆର ତତ୍‌କାଳୀନ ପ୍ରଧାନମନ୍ତ୍ରୀ କୃଶ୍ଚେଭ ରୁଷ ନୌବାହିନୀକୁ ଆଉ ଅଧିକ ଅଗ୍ରସର ନ ହୋଇ ଫେରିଯିବା ଲାଗି ନିର୍ଦ୍ଦେଶ ଦେଲେ-। ସମଗ୍ର ପୃଥିବୀ ଲାଗି ଏତେବଡ଼ ଘାଟି କଟିଗଲା । ସମସ୍ତେ ଶ୍ୱସ୍ତିର ନିଶ୍ୱାସ ମାରିଲେ । ରାଜନୀତିବାଲାଏ ସେତେବେଳେ ସବୁ ସମଝିଗଲା ପରି କହିଥିଲେ ଯେ ସେଥର ଆମେରିକାର ଜିତାପଟ ହେଲା, ରୁଷିଆ ହାରିଗଲା । ତାହାର ଜବାବ ଦେଇ କୃଶ୍ଚେଭ କହିଥିଲେ ଯେ ଟିକିଏ ନିକଟରୁ ବିଚାର କରିଦେଖିଲେ ଏଥିରେ ଆମେରିକା ଜିତିଲା ନାହିଁ କିମ୍ୱା ରୁଷିଆ ହାରିଲା ନାହିଁ । ଏଥିରେ ପ୍ରକୃତରେ ମଣିଷର ବିବେକ ହିଁ ଜିତିଲା, ବିଚାରଶକ୍ତି ଜିତିଲା, ଜିଦ୍‌ ହାରିଗଲା ।

 

ସେହିପରି ଭିଏତ୍‌ନାମରେ ଏକ ଦୀର୍ଘ ଯୁଦ୍ଧର ଅବସାନ ପରେ ସେଠି ପ୍ରକୃତରେ କିଏ ହାରିଲା ଓ କିଏ ଜିତିଲା ? ଏହି ପ୍ରଶ୍ନଟିର ଉତ୍ତର ଦେଇ ପୃଥିବୀର ସମ୍ୱାଦପତ୍ରମାନଙ୍କରେ କେତେ ବିବୃତି ଦିଆଯାଇଛି, କେତେ କେତେ ମତ ପ୍ରକଟ କରାଯାଉଛି । ମାତ୍ର ୧୯୬୨ ମସିହାରେ କୃଶ୍ଚେଭ ଯାହା କହିଥିଲେ ସମ୍ଭବତଃ ଏଠାରେ ମଧ୍ୟ ଆମେ ସେହି କଥାଟିକୁ ହିଁ ଉତ୍ତର ବୋଲି ଗ୍ରହଣ କରିପାରିବା । ଭିଏତ୍‌ନାମରେ ମଧ୍ୟ ମନୁଷ୍ୟର ବିବେକ ଜିତିଲା, ଆଗାମୀକାଳ ଲାଗି ଉଦୟ ହୋଇ ଆସୁଥିବା ବିଚାରଟି ଜିତିଲା, କାଳର ଅସଲ ଆକାଙ୍‌କ୍ଷାଟି ହିଁ ଜିତିଲା ।

 

ଏଣିକି ପୃଥିବୀରେ ଯେତେ ଯେଉଁଠି ସାମୟିକ ବା ସ୍ଥାନୀୟ ବିବାଦମାନ ଲାଗିବ ଓ ସେହି ବିବାଦ ଅଛିଣ୍ଡା ରହିଶେଷକୁ ଏକ ଯୁଦ୍ଧରେ ପରିଣତ ହେବ, ସେଥିରେ ହୁଏତ ଆଉ କେହିହେଲେ ଜିତିବେ ନାହିଁ ବା ଆଉ କେହିହେଲେ ହାରିବେ ନାହିଁ । ଗତ ଦ୍ୱିତୀୟ ମହାଯୁଦ୍ଧରେ ମଧ୍ୟ ଆମ ହିସାବ ଅନୁସାରେ ମିତ୍ରପକ୍ଷ ଜିତିଥିଲେ ଓ ଅପରପକ୍ଷ ହାରିଥିଲେ । ମାତ୍ର ଅସଲ ହିସାବଟି ଅନୁସାରେ ସେମାନେ ଉଭୟେ ହାରିଗଲେ । ଯିଏ ବୋମା ପକାଇଥିଲା, ସିଏ ହାରିଲା; ଯାହା ଉପରେ ବୋମା ପଡ଼ିଥିଲା, ସିଏ ବି ହାରିଲା । ଯୁଦ୍ଧରେ ବିଶ୍ୱାସ କରୁଥିବା ଓ ପୃଥିବୀକୁ ଭାଗ ଭାଗ କରିଭୋଗ କରିବାରେ ବିଶ୍ୱାସ କରୁଥିବା ସମସ୍ତେ ହାରିଲେ । କେଡ଼େ କେଡ଼େ ସାମ୍ରାଜ୍ୟଗୁଡ଼ିକର ବୟସ ହୋଇଗଲା, ଅଣ୍ଟା ଭାଙ୍ଗିପଡ଼ିଲା । ପୁରୁଣା ପତାକାଗୁଡ଼ିକ ଉପୁଡ଼ିଗଲା, ନୂଆ ପତାକାମାନ ଉଡ଼ିଲା । ଏସିଆ ସ୍ୱାଧୀନ ହେଲା, ଆଫ୍ରିକା ସ୍ୱାଧୀନ ହେଲା । ପ୍ରଶାନ୍ତ ମହାସାଗରର ମିନିମିନି ଅନାମଧେୟ ଦ୍ୱୀପଗୁଡ଼ାକ ମଧ୍ୟ ସ୍ୱାଧୀନ ହେଲେ । ଜାତିସଂଘରେ ସେମାନେ ସମସ୍ତେ ସ୍ୱାଧିକାର ଲାଭ କରିସେମାନଙ୍କର ପୂର୍ବତନ ଶାସକମାନଙ୍କର ସମକକ୍ଷ ହୋଇ ବସିଲେ । ମଣିଷ ମଣିଷର ସମକକ୍ଷ ଓ ସହଭାଗୀ ହୋଇ ବାଟ ଚାଲିବାର ବିଂଶ ଶତାବ୍ଦୀୟ ବିଶ୍ୱ-ଆକାଙ୍‌କ୍ଷାଟି ଜିତିଲା । ଆଉ ସମସ୍ତେ ହାରିଗଲେ, ଫସରଫାଟିଗଲେ ।

 

ଭିଏତ୍‌ନାମରେ ବି ଠିକ୍‌ ସେଇଆ ହେଲା । ଏସିଆର ବାଟରେ ଦୀର୍ଘ ଅନେକ ବର୍ଷ ଧରି ଯେଉଁ ବୃହତ୍ ପଥରଟା ବାଧା ହୋଇ ପଡ଼ିଥିଲା, ସେହି ପଥରଟା ଘୁଞ୍ଚିଗଲା ।

 

ତା ୨୨.୦୫.୧୯୭୫ ରିଖ

Image

 

ବିଦ୍ୟା ନା ବ୍ୟସନ ?

 

ଯେକୌଣସି ସ୍ୱାଧୀନ ଦେଶରେ ବିଦ୍ୟା କଦାପି ବ୍ୟସନ ଲାଗି ନୁହେଁ; ବିଦ୍ୟା ହେଉଛି ନୂତନ ନିର୍ମାଣର ପ୍ରସ୍ତୁତି ଲାଗି, ମଣିଷର ହାତରେ ଯେ ସମାଜ ଓ ସମାଜର ବ୍ୟବସ୍ଥାକୁ ଅନେକ ଦୂର ସଜାଡ଼ିଦେବ, ଏହିପରି ଏକ ବିଶ୍ୱାସକୁ ଅଧିକରୁ ଅଧିକ ବଳିଷ୍ଠ କରିବା ଲାଗି ଏବଂ ମଣିଷ ଗୋଟିଏ ଦେଶ ମଧ୍ୟରେ ଯେଉଁ ଅନ୍ୟ ଅନେକ ମଣିଷଙ୍କ ସହିତ ଏକତ୍ର ବାସକରୁଛି, ସେହିମାନଙ୍କର ଅଧିକରୁ ଅଧିକ କାମରେ ଲାଗିପାରିବା ଲାଗି ଓ ସେହିମାନଙ୍କ ଦ୍ୱାରା ଅଧିକରୁ ଅଧିକ ପରିମାଣରେ ସ୍ୱୀକୃତ ହେବାଲାଗି ।

 

ବିଦ୍ୟା ହେଉଛି ଆପଣା ଦେଶର ଭୂମିଟିକୁ ଅଧିକରୁ ଅଧିକ ଚିହ୍ନି ପାରିବା ଲାଗି–ଆପଣା ଅତୀତଟିକୁ ଅଧିକରୁ ଅଧିକ ଆତ୍ମୀୟତାର ସହିତ ଆବିଷ୍କାର କରିପାରିବା ଲାଗି । ଆପଣା ଦେଶ, ସମାଜ ଓ ସାଂସ୍କୃତିକ ଜୀବନର ବର୍ତ୍ତମାନକୁ ଆପଣାର ବର୍ତ୍ତମାନ ବୋଲି ଗ୍ରହଣ କରିପାରିବା ଲାଗି ଏବଂ ସେହି ଅନୁସାରେ ଯେଉଁ ଭବିଷ୍ୟତଟି ଗଢ଼ା ହେବା ଲାଗି ଆମ ସମସ୍ତଙ୍କ ପାଇଁ ଅପେକ୍ଷା କରିରହିଛି, ସେହି ଭବିଷ୍ୟତଟିକୁ ଆପଣା ମଧ୍ୟରେ ଅନୁଭବ କରିସେହି ଅନୁସାରେ ଆପଣାକୁ ନିୟୋଜିତ କରିପାରିବା ଲାଗି ।

 

ଆମର ନୂଆ ଦେଶରେ ଶିକ୍ଷାର ଘରଟା ସେହିପରି ପୁରୁଣା ହୋଇ ପଡ଼ିଛି । ଉପର ଛପରଟା ଯାହା ଟିକିଏ ବଦଳୁଛି, ମାତ୍ର ତାର ଅସଲ ବୁଣାଟି ସେହି ପୁରୁଣା ହୋଇ ରହିଛି, ଖୁଣ୍ଟଗୁଡ଼ାକ ସେହି ପୁରୁଣା ଖୁଣ୍ଟ ହୋଇ ରହିଛନ୍ତି । ଆମ ଝରକାଗୁଡ଼ାକରେ ସେହି ପୁରୁଣା କାଳର ଅଳନ୍ଧୁ ଓ ଅସନାଗୁଡ଼ାକ ଏପରି ବୋଳି ହୋଇ ଜାଲବାନ୍ଧି ରହିଛନ୍ତି ଯେ ଆମକୁ ଆଉ ଅଧିକ କିଛି ହେଲେ ଦେଖାଇଦେଉନାହାନ୍ତି । ଆମେ ସମସ୍ତେ ଆମ ଆପଣାକୃତ ଅଶିକ୍ଷାର ଷଡ଼ଯନ୍ତ୍ର ମଧ୍ୟରେ ପଡ଼ିଯାଇଛୁ ।

ଏ ଦେଶରେ ଉଚ୍ଚପାଠଗୁଡ଼ାକ ଆମ ନିଜ ଭାଷାରେ ପଢ଼ା ନ ଯାଇ ଇଂରାଜୀ ଭାଷାରେ ପଢ଼ାଯାଉଛି, ଇଏ ହେଉଛି ସେହିପରି ଏକ ଷଡ଼ଯନ୍ତ୍ର । କଲେଜ ଓ ବିଶ୍ୱବିଦ୍ୟାଳୟକୁ ଗଲେ ଆମେ ଯେଉଁ ଭାଷାରେ ପଢ଼ିବାକୁ, ଭାବିବାକୁ ଏବଂ ଅନୁଭବ କରିବାକୁ ବାଧ୍ୟ ହେଉ, ସେଇଟା ଆମ ନିଜ ଭାଷା ନୁହେଁ । ଏକ ବିଦେଶୀ ଭାଷାରେ ପ୍ରେମିକା ବା ପ୍ରେମିକ ସହିତ ପ୍ରେମ କରିନ ହେଲା ପରି ଏକ ବିଦେଶୀ ଭାଷାରେ ଦେଶଟାକୁ କଦାପି ଭଲପାଇ ହୁଏ ନାହିଁ, ଦେଶଟାକୁ ଆଦୌ ନିଜର ବୋଲି ଗ୍ରହଣ କରିହୁଏ ନାହିଁ । ଅଧ୍ୟାପକ ଓଡ଼ିଆ, ପିଲା ଓଡ଼ିଆ ଏବଂ ଓଡ଼ିଶାର ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ଇତିହାସ ପଠନ ଓ ପାଠନ ସମୟରେ ଯେତେବେଳେ ସେମାନେ ଇଂରାଜୀ ଭାଷାରେ ହିଁ ସମ୍ବନ୍ଧ ସ୍ଥାପନ କରିବାକୁ ଚେଷ୍ଟା କରୁଥାନ୍ତି, ସେତେବେଳେ ଖାଲି ମଣିଷ କାହିଁକି ସ୍ୱୟଂ ଭଗବାନ ମଧ୍ୟ ଉପରୁ ଥାଇ ଆମ ମେହେନତଗୁଡ଼ାକୁ ତୁଚ୍ଛା ହସିବାରେ ହିଁ ଲାଗୁଥିବେ । ପୁଣି ଯେତେବେଳେ ବକ୍ତା ଯାହା କହନ୍ତି, ତାହାକୁ ସେ ସ୍ୱୟଂ ବୁଝିପାରନ୍ତି ନାହିଁ ଓ ଶ୍ରୋତା ଯାହା ଶୁଣନ୍ତି, ସେଇଟାକୁ ସିଏ ମଧ୍ୟ ସ୍ୱୟଂ ବୁଝିପାରନ୍ତି ନାହିଁ; ତଥାପି ଦେଉଳରେ ଯଥାଚରିତ ଭାବରେ ନୀତି ଚାଲିଥାଏ, ଷାଠିଏ ପଉଟି ଭୋଗ ବି ଚାଲିଥାଏ, ସେତେବେଳେ ଭଗବାନଙ୍କ କଥା ତ ତେଣିକି ଥାଉ, ଆମର ମତଲବଗୁଡ଼ାକ ହୁଏତ ଆମେ ନିଜେ ମଧ୍ୟ ବୁଝିପାରୁ ନାହିଁ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଧ୍ୟାପକ ନୁରୁଲ୍‌ ହାସାନ ଏବେ ଏହି ସ୍ଥିତିଟି ବିଷୟରେ ଗୋଟିଏ ସଭାରେ ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି । ସିଏ କହିଛନ୍ତି ଯେ ଇଂରାଜୀ ମାଧ୍ୟମରେ ଦିଆଯାଉଥିବା ଶିକ୍ଷାକୁ ଛାତ୍ରମାନେ ବୁଝିବାକୁ ସମର୍ଥ ହେଉନାହାନ୍ତି । ଏକଥା କହିବା ଲାଗି ଯେ ଇଂରାଜୀ ଭାଷାକୁ କୌଣସି ଅବଜ୍ଞାର ଚକ୍ଷୁରେ ଦେଖିବାକୁ ହେବ, ସେକଥା ଆଦୌ ନୁହେଁ । ଜଣେ ଇଂରାଜୀ ତା’ର ଭାଷାକୁ ଯେତିକି ବିଶ୍ୱାସ ଦେଇ ଦେଖେ ଓ ତାହାକୁ ଯେତିକି ଶ୍ରଦ୍ଧାର ସହିତ ଆପଣାର ଭାଷା ବୋଲି ଗ୍ରହଣ କରିନେଇଥାଏ, ଆମେ ଏଠି ମଧ୍ୟ ଆମର ନିଜ ଭାଷାକୁ ସେତିକି ବିଶ୍ୱାସ ଦେଇ ଦେଖିପାରିଲେ ଓ ସେତିକି ଶ୍ରଦ୍ଧାର ସହିତ ଗ୍ରହଣ କରିପାରିଲେ ଶିକ୍ଷାମନ୍ତ୍ରୀଙ୍କ କଥାକୁ ଆମେ ମଧ୍ୟ ଏକ ସତ୍ୟ ବୋଲି ଗ୍ରହଣ କରିପାରିବା ଏବଂ ଇଂରାଜୀ ମାଧ୍ୟମରେ ଶିକ୍ଷା ଦିଆଯାଉଥିବାଜନିତ କ୍ଷତିଟିକୁ ଯଥାର୍ଥ ଭାବରେ କଳନା କରିପାରିବା ।

ଗତ ପଚିଶି ବର୍ଷ ହେଲା ଯେଉଁଠି ଆମ ଦେଶରେ ଇଂରାଜୀ ଭାଷାରେ ଶିକ୍ଷାଦାନ ହେଉଛି, ସେଠି ଯାହା ପଢ଼ା ହୋଇଆସିଛି, ତାହାକୁ ପଢ଼ି ଆସିଥିବା ପିଲାଏ ପ୍ରକୃତରେ ବୁଝିପାରି ନାହାନ୍ତି, ହଜମ କରିପାରି ନାହାନ୍ତି । ଖାଲି ମୁଖସ୍ଥ କରିପକାଇଛନ୍ତି, ଗିଳି ପକାଇଛନ୍ତି ଏବଂ ସେହିମାନେ ହିଁ ବାହାରକୁ ଆସି ଏ ଦେଶରେ ଡାକ୍ତର ହୋଇଛନ୍ତି, ଇଞ୍ଜିନିୟର ହୋଇଛନ୍ତି, ଅଧ୍ୟାପକ, ବୈଜ୍ଞାନିକ ଓ ଆହୁରି କେତେ କଣ ହୋଇଛନ୍ତି । ଫଳ ଯାହା ହେବାର ହୋଇଛି । ବିଦ୍ୟା ଏକ ବିଳାସରେ ପରିଣତ ହୋଇଛି । ଥୋକେ ମଣିଷ ଇଂରାଜୀ ଭାଷାକୁ ଭାତ ଡାଲି କରିଭୁଞ୍ଜିବାକୁ ହିଁ ଆଦରି ଯାଇଛନ୍ତି; ଏ ଦେଶର ଐତିହ୍ୟ, ବର୍ତ୍ତମାନ ଓ ଭବିଷ୍ୟତରୁ ଗଣ୍ଠିଛିଣ୍ଡା ହୋଇ ରହିଛନ୍ତି ଏବଂ ଶାସନର ଲଗାମଗୁଡ଼ାକ ସେହିମାନଙ୍କ ହାତରେ ଅଛି । ମଣିଷଙ୍କଠାରୁ ସେମାନେ ଦୂରବର୍ତ୍ତୀ ହୋଇ ରହିଛନ୍ତି । ଆମ ବିଦ୍ୟା ଆମକୁ ଏକାଠି ଗୋଟିଏ ପ୍ରାଣ ରୂପେ ନ ବାନ୍ଧି ଖଣ୍ଡ ଖଣ୍ଡ କରିରଖିଛି ।

ତା ୨୪.୦୫.୧୯୭୫ ରିଖ

Image

 

ପାଲେଷ୍ଟାଇନ୍‌ ସଂଗ୍ରାମ

 

ପାଲେଷ୍ଟାଇନ୍‌ ଏକ ପୁରୁଣା ଭୂମି; ମାତ୍ର ସେହି ଭୂମିକୁ ନେଇ ଯେଉଁ ଯୁଦ୍ଧ ଚାଲିଛି ସେଇଟି ହେଉଛି ଏବକାର, ଅର୍ଥାତ୍‌ ଏଇ ପ୍ରାୟ ପଚିଶ ବର୍ଷର । ୧୯୪୮ ମସିହାରେ ମିଳିତ ଜାତିସଂଘର ଏକ ପ୍ରସ୍ତାବ ଅନୁସାରେ ଇସ୍ରାଏଲ ରାଜ୍ୟର ପ୍ରତିଷ୍ଠା ହେଲା ଓ ତା’ପରେ ଇସ୍ରାଏଲ ସରକାର ସେହି ରାଜ୍ୟକୁ ବିଶେଷ ଭାବରେ ଏକ ଇହୁଦୀ ରାଷ୍ଟ୍ର ବୋଲି ଘୋଷଣା କଲେ । ଶତାବ୍ଦୀ ଶତାବ୍ଦୀ ଧରି ସେହି ଭୂମିରେ ଯେଉଁ ଆରବମାନେ ବାସ କରିଆସୁଥିଲେ, ସେମାନେ ଏଥିରେ ପ୍ରମାଦ ଗଣିଲେ । ଇସ୍ରାଏଲ୍‌ର ସୈନ୍ୟବାହିନୀ ସହିତ ସେମାନଙ୍କର ଏକାଧିକ ଥର ଖଣ୍ଡଯୁଦ୍ଧ ମଧ୍ୟ ହୋଇଗଲା । ତା’ପରେ ହଜାର ହଜାର ଆରବ ପରିବାର ଇସ୍ରାଏଲର ଭୂଇଁ ଛାଡ଼ି ସେପାଖକୁ ପଳାଇଲେ । ୟୁନେସ୍କୋ ତରଫରୁ ସ୍ଥାପିତ ଶରଣାର୍ଥୀ ଶିବିରମାନଙ୍କରେ ରହିଲେ । ବର୍ତ୍ତମାନ ଶରଣାର୍ଥୀ ଶିବିର ନାହିଁ ସତ, ମାତ୍ର ମିଳିତ ଜାତିସଂଘ ତରଫରୁ ସେମାନଙ୍କ ଲାଗି ବାର୍ଷିକ ଏକ ମୋଟା ଧନରାଶି ଭତ୍ତାରୂପେ ଦିଆଯାଉଛି ।

 

ଇସ୍ରାଏଲକୁ ଘେରି ଆରବ ଦେଶମାନେ ରହିଛନ୍ତି । ଏହି ଦେଶମାନଙ୍କରେ ପାଲେଷ୍ଟାଇନ୍‌ରୁ ବାହାରି ଆସିଥିବା ପରିବାରମାନଙ୍କ ଲାଗି ଯଥେଷ୍ଟ ଭୂମି ରହିଛି ଓ ତେଣୁ ସେମାନଙ୍କ ସେଇଠି ସ୍ଥାୟୀ ଭାବରେ ରହିପାରିବେ ବୋଲି ଇସ୍ରାଏଲ ସରକାର ଏପର୍ଯ୍ୟନ୍ତ ଯୁକ୍ତି କରିଆସୁଛନ୍ତି । ମାତ୍ର ଏହି ଶରଣାର୍ଥୀମାନେ ଯେଉଁ ଦେଶରୁ ଆସିଛନ୍ତି, ସେହି ଦେଶକୁ ଫେରିଗଲେ ଯାଇ ସମସ୍ୟା ତୁଟିବ ବୋଲି ଆରବ ଶକ୍ତିଗୁଡ଼ିକ ଜିଦ୍‌ଧରି ଆସିଛନ୍ତି । ଏହିପରି ଭାବରେ ସମସ୍ୟାଟି ଦିନୁଁ ଦିନ ଅଧିକ ଜଟିଳ ହୋଇଆସିଛି । ଏକ ସ୍ଥାନୀୟ ସମସ୍ୟା ବିଶ୍ୱସମସ୍ୟାର ଆବର୍ତ୍ତ ସୃଷ୍ଟି କରିଛି । ଇସ୍ରାଏଲ କବଳରୁ ପାଲେଷ୍ଟାଇନକୁ ମୁକ୍ତ କରିବା ସକାଶେ ପାଲେଷ୍ଟାଇନ ମୁକ୍ତିସାମ୍ମୁଖ୍ୟ ତିଆରି ହୋଇଛି ।

 

ଇସ୍ରାଏଲ୍ ଭୂମିରେ ବାସ କରୁଥିବା ଇହୁଦୀମାନେ ପୃଥିବୀର ପ୍ରାୟ ଅଶୀଟି ବିଭିନ୍ନ ଦେଶରୁ ଏହି ନୂଆ ଦେଶଟିକୁ ଆସିଛନ୍ତି । ଇତିହାସରେ ଏମାନେ ଦୁଇଥର ଇସ୍ରାଏଲର ଭୂମିରୁ ତଡ଼ା ଖାଇଥିଲେ, ପୃଥିବୀର ବିଭିନ୍ନ ଦେଶରେ ଲାଞ୍ଛିତ ହୋଇ ରହିଥିଲେ, ଇଉରୋପର ଇହୁଦୀ-ଘୃଣା ଦ୍ୱାରା ଏକାଧିକବାର ସଂହାରର ସମ୍ମୁଖୀନ ହୋଇଥିଲେ । ମିଳିତ ଜାତିସଂଘରେ ସେମାନଙ୍କ ଲାଗି ଇସ୍ରାଏଲ ଦେଶଟିର ସୃଷ୍ଟି ହେବା ପରେ ସେମାନେ ଏହି ଭୂମିଟିକୁ ଆସିଲେ । ସେମାନେ ବା ଏବେ ଇସ୍ରାଏଲ ଛାଡ଼ି କୁଆଡ଼େ ଯିବେ ?

 

ଆରବ ଦେଶଗୁଡ଼ିକ ଦୀର୍ଘକାଳ ଧରି ଇସ୍ରାଏଲର ଅସ୍ତିତ୍ୱଟିକୁ ହିଁ ସ୍ୱୀକାର କରୁନଥିଲେ-। ଆଇନସଙ୍ଗତ ଅସ୍ତିତ୍ୱ ତ ଦୂରର କଥା, ସେମାନେ ତା’ର ବାସ୍ତବ ଅସ୍ତିତ୍ୱଟିକୁ ମଧ୍ୟ ସ୍ୱୀକାର କରୁ ନ ଥିଲେ । ଏପରି କି ସୁଏଜ କେନାଲ ମିଶରର ଅଧିକାରକୁ ଆସିବା ପରେ ମିଶର ଇସ୍ରାଏଲର ଜାହାଜଗୁଡ଼ିକୁ ସେହି କେନାଲବାଟେ ଯିବାଲାଗି ଅନୁମତି ମଧ୍ୟ ଦେଉନଥିଲା । ଇସ୍ରାଏଲର ମଧ୍ୟ ଆମେରିକା, ଇଂଲଣ୍ଡ ଓ ଫ୍ରାନ୍‌ସର ସମର୍ଥନକୁ ଭରସା କରିରହୁଥିଲା । ଶତ୍ରୁତାଗୁଡ଼ାକ ଏହିପରି ଭାବରେ ପାକଳ ହୋଇ ରହିଥିଲା ।

 

କୌଣସି ଅସ୍ତ୍ରଶସ୍ତ୍ର, କୌଣସି ପ୍ରକାର ଘୃଣା ବା ଖଣ୍ଡଯୁଦ୍ଧ ପାଲେଷ୍ଟାଇନ ବନାମ ଇସ୍ରାଏଲର ସମସ୍ୟାଟିକୁ ସମାଧାନ କରିପାରିବ ନାହିଁ । ସମୟ ହିଁ ହୁଏତ ସେଠାରେ ସବୁଠାରୁ ଅଧିକ ଶକ୍ତିଶାଳୀ ସମାଧାନକାରୀ ହିସାବରେ କାର୍ଯ୍ୟ କରିବ, ସମୟ ହିଁ ସତ୍ୟଦର୍ଶନ କରାଇବ, ଜିଦ୍‌ଗୁଡ଼ାକୁ ଭୁଲାଇବ । କ୍ରମେ ତାହାର ସୂଚନା ମିଳିଲାଣି । ମିଶରର ଅନ୍‌ୱାର ସାଦତ୍‌ ଏବେ ଇସ୍ରାଏଲକୁ ଏକ ଐତିହାସିକ ବାସ୍ତବସତ୍ୟ ବୋଲି ଅବଶ୍ୟ ଗ୍ରହଣ କରିବାକୁ ହେବ ବୋଲି ସ୍ୱୀକାର କରିକହିଛନ୍ତି । ଜର୍ଡ଼ାନର ରାଜା ହୁସେନ ମଧ୍ୟ କ୍ରମେ ଆପଣାକୁ ସତ୍ୟ ଆଡ଼କୁ ମଣାଇ ଆଣୁଛନ୍ତି । ତେବେ ଇସ୍ରାଏଲ ମଧ୍ୟ କ୍ରମେ ଆପଣାର ପ୍ରତିବେଶୀମାନଙ୍କ ସହିତ ଅଧିକରୁ ଅଧିକ ସହାବସ୍ଥିତ ହୋଇ ରହିଶିଖିବ, ସେମାନଙ୍କର ଆସ୍ଥାଭାଜନ ହେବ, ସେମାନଙ୍କ ମଧ୍ୟରେ ବହିରାଗତ ପରି ନ ଦିଶି ସେମାନଙ୍କ ମଧ୍ୟରେ ଜଣେ ହୋଇ ରହିବ ।

 

ପୁରାଣର କାହାଣୀ ଅନୁସାରେ ଇହୁଦୀ ଓ ଆରବ ହେଉଛନ୍ତି ଗୋଟିଏ ବାପର ଦୁଇ ପୁଅ, ସେମାନେ ଦୁଇ ଭାଇ । ନାନାପ୍ରକାର ଉଗ୍ରତା ଓ ବହିଃହସ୍ତକ୍ଷେପ ସେମାନଙ୍କୁ ଆଜି ବନ୍ଧୁକ ହାତରେ ପରସ୍ପରର ସମ୍ମୁଖୀନ କରିଠିଆ କରାଇଛି, ସମୟର ଆରୋଗ୍ୟକାରୀ ହାତ ସେମାନଙ୍କୁ ପୁଣି ଏକତ୍ର କରିଆଣିବ ।

 

ତା ୨୫.୦୫.୧୯୭୫ ରିଖ

Image

 

ଯୁଦ୍ଧ-ପରିହାର ଚୁକ୍ତି

 

ଏବେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯେଉଁ କଥାବାର୍ତ୍ତା ହେଉଥିଲା, ସେଥିରେ ଭାରତ ତରଫରୁ ଦୁଇଦେଶ ଭିତରେ ଏକ ଯୁଦ୍ଧ-ପରିହାର ଚୁକ୍ତିରେ ସ୍ୱାକ୍ଷର କରିବାଲାଗି ଭାରତ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ବ୍ୟକ୍ତ କରାଯାଇଥିଲା । ଅସଲ କଥାବାର୍ତ୍ତାଟି ଦୁଇ ଦେଶ ମଧ୍ୟରେ ବେସାମରିକ ବିମାନ ଚଳାଚଳ ବିଷୟରେ ହେଉଥିଲା । ସେଇଟି ବିଫଳ ହେଲା ଏବଂ କଥାବାର୍ତ୍ତା ଭାଙ୍ଗିଲା ବେଳକୁ ଭାରତବର୍ଷ ଦୁଇ ଦେଶ ମଧ୍ୟରେ ରହିଥିବା ସମ୍ୱନ୍ଧକୁ ଅଧିକ ସ୍ୱାଭାବିକ କରିବା ଲାଗି କେତେ ଅଧିକ ବାଟ ଯିବାକୁ ପ୍ରସ୍ତୁତ ଅଛି, ତାହାର ଗୋଟିଏ ସୂଚନା ଦେଇଥିଲା ।

 

ପାକିସ୍ଥାନ ଓ ଭାରତବର୍ଷ ଭିତରେ ଏକ ଯୁଦ୍ଧ-ପରିହାର ଚୁକ୍ତି ସ୍ୱାକ୍ଷରିତ ହେଉ ବୋଲି ଭାରତବର୍ଷ ଆଗରୁ ଏକାଧିକବାର ପ୍ରସ୍ତାବ ଦେଇଛି ଏବଂ ସବୁଥର ପାକିସ୍ଥାନ ତରଫରୁ ସେ ବିଷୟରେ ନାସ୍ତିବାଣୀ ଶୁଣାଇ ଦିଆଯାଇଛି । ଯୁଦ୍ଧ-ପରିହାର ଚୁକ୍ତି ଯେ ପ୍ରକୃତରେ ଯୁଦ୍ଧ ପରିହାର ବିଷୟରେ ଏକ ଗ୍ୟାରେଣ୍ଟି, ସେକଥା ଆଦୌ ନୁହେଁ । ମାତ୍ର ସଂପୃକ୍ତ ଦୁଇ ଦେଶ ଯେ କଳହ ମୀମାଂସା ବିଷୟରେ ଯୁଦ୍ଧକୁ ଗୋଟିଏ ପନ୍ଥାରୂପେ ଗ୍ରହଣ କରିବାକୁ ଚାହାନ୍ତି ନାହିଁ, ଏହି ଚୁକ୍ତି କେବଳ ସେତିକି ଜଣାଇ ଦେଇଥାଏ ଏବଂ ଆମର ପ୍ରତିବେଶୀ ପାକିସ୍ଥାନ ସେତିକି କରିବାକୁ ମଧ୍ୟ ଆଗରୁ ପ୍ରସ୍ତୁତ ହୋଇପାରିନାହିଁ । ଆଗେ ସେ ଦେଶରେ ସାମରିକ ଶାସନ ଚାଲିଥିଲା ବେଳେ ପ୍ରସ୍ତୁତ ହୋଇନାହିଁ କି ବର୍ତ୍ତମାନ ଏକ ନିର୍ବାଚନ ଦ୍ୱାରା ଗାଦିକୁ ଆସିଥିବା ସରକାରଙ୍କ ସମୟରେ ମଧ୍ୟ ପ୍ରସ୍ତୁତ ହୋଇପାରୁନାହିଁ ।

 

ପାକିସ୍ଥାନ ବରାବର କହିଆସିଛି ଯେ ଦୁଇ ଦେଶ ମଧ୍ୟରେ ଅଛିଣ୍ଡା ହୋଇ ରହିଥିବା ସମସ୍ୟାଗୁଡ଼ାକ ଆଗ ଛିଡ଼ିସାରୁ, ତା’ପରେ ଯାଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିହାରର ଚୁକ୍ତି ସମ୍ଭବ ହୋଇପାରିବ । ସେପରି କହିବାର ପରୋକ୍ଷ ତାତ୍ପର୍ଯ୍ୟ ହେଉଛି ଯେ, ବର୍ତ୍ତମାନ ଭାରତ ଓ ପାକିସ୍ଥାନ ମଧ୍ୟରେ ଯେଉଁ ସମସ୍ୟାଗୁଡ଼ିକର ଏବେ ସୁଦ୍ଧା ସମାଧାନ ହୋଇପାରିନାହିଁ, ସେଗୁଡ଼ାକ ଆଗ କଥାବାର୍ତ୍ତାରେ ଛିଡ଼ିବ, ନଚେତ୍‌ ମଧ୍ୟସ୍ଥତା ଦ୍ୱାରା ଛିଡ଼ିବ,–ତା’ ନହେଲେ ରଣଭୂଇଁରେ ନ୍ୟାୟ ହେବ । ରଣଭୂଇଁରେ ନ୍ୟାୟ ଲୋଡ଼ିବା ଉପରେ ବିଶ୍ୱାସ ରଖିଥିବା ପର୍ଯ୍ୟନ୍ତ କିପରି ପୂର୍ଣ୍ଣ ସଦିଚ୍ଛା ଓ ସମାଧାନ ଇଚ୍ଛା ସହିତ କୌଣସି ପ୍ରକାର କଥାବାର୍ତ୍ତା ସମ୍ଭବ ହୋଇପାରିବ, ଏହି କ୍ଷେତ୍ରରେ ତାହାହିଁ ସବୁଠାରୁ ବଡ଼ ବିଡ଼ମ୍ୱନା ହୋଇ ରହିଛି ।

 

ସେହି ବିଡ଼ମ୍ୱନାର ଶିକାର ହୋଇ ରହିଥିବାରୁ ପାକିସ୍ଥାନ ଭାରତବର୍ଷର ଉକ୍ତ ପ୍ରସ୍ତାବରେ ଆଦୌ ରାଜି ହୋଇ ପାରୁନାହିଁ, ହୁଏତ କୌଣସି ପ୍ରକାର ପ୍ରସ୍ତାବକୁ ସଳଖ ହୋଇ ବିଚାର କରିପାରୁନାହିଁ । ଭାରତବର୍ଷ ତରଫରୁ ପାକିସ୍ଥାନ ଉପରେ କେବେ ସାମରିକ ଆକ୍ରମଣ ହେବ ବୋଲି ପାକିସ୍ଥାନ ଯେ ପ୍ରକୃତରେ ଭୟ କରୁଛି, ସେକଥା ଆଦୌ ନୁହେଁ । ଭାରତ ସହିତ ଅଡ଼ୁଆଗୁଡ଼ାକ ଛିଡ଼ି ନପାରିଲେ ଶେଷକୁ ସେଗୁଡ଼ାକ ଠେଙ୍ଗା ଦ୍ୱାରା ଛିଡ଼ିବ ବୋଲି ପାକିସ୍ଥାନ ପୂର୍ଣ୍ଣପ୍ରାଣରେ ବିଶ୍ୱାସ କରୁଛି ବୋଲି ପାକିସ୍ଥାନ ଏପରି ଏକ ଅସମ୍ମତିର ବାଟ ଧରିଛି ବୋଲି କୁହାଯାଇପାରିବ । ଉପରେ ସେ ଯେଉଁ ଦେଶରୁ ତା’ ଉପରେ ଆକ୍ରମଣ ହେବାର ଭୟ ରହିଛି ବୋଲି କହୁଛି ଓ ସେହି ଉଲୁଗୁଣାରେ ବାହାରୁ ସାମରିକ ସାହାଯ୍ୟ ଲୋଡ଼ୁଛି, ସେହି ଦେଶ ସହିତ ଶେଷକୁ ଏକ ଖଣ୍ଡଯୁଦ୍ଧ ଦ୍ୱାରା ହିଁ ସମସ୍ୟାଗୁଡ଼ାକର ସମାଧାନ ହୋଇପାରିବ ବୋଲି ପାକିସ୍ଥାନ ସରକାର ବିଶ୍ୱାସ କରୁଛନ୍ତି-

 

ବହିଃ ଆକ୍ରମଣର ଆଶଙ୍କାକୁ ବିଭିନ୍ନ ରାଷ୍ଟ୍ର ଅନେକ ସମୟରେ ପ୍ରଜା-ସମର୍ଥନ ଲାଭ କରିବାର ଏକ ଅସ୍ତ୍ର ହିସାବରେ ବ୍ୟବହାର କରିଆସିଛନ୍ତି । ବାହାର ଶତ୍ରୁର ଭୟକୁ ଏକ କାରଣ ରୂପେ ବ୍ୟବହାର କରିସେମାନେ ପ୍ରଜାଙ୍କର ସମର୍ଥନ ଲାଭ କରିଛନ୍ତି । ପାକିସ୍ଥାନ ସରକାର ହୁଏତ ସେହିପରି ଏକ ପନ୍ଥା ଧରିଛନ୍ତି । କିନ୍ତୁ ଯେଉଁ ଦେଶରୁ ଆକ୍ରମଣ ହେବ ବୋଲି ସେଠି ଏତେ ପ୍ରଚାର ହେଉଛି, ସେହି ଦେଶ ଆପଣା ପକ୍ଷରୁ ଯୁଦ୍ଧ ପରିହାର ଚୁକ୍ତିର ପ୍ରସ୍ତାବ ଦେଉଥିବା ବେଳେ ଆଉ କେଉଁଠି କି ଅସୁବିଧା ରହୁଛି ? ପାକିସ୍ଥାନ ସରକାରୀ ରେଡ଼ିଓ ସେହି ଅସୁବିଧାଟି ବିଷୟରେ କ’ଣ ପ୍ରକୃତରେ ଲୋକମାନଙ୍କୁ କିଛି କହିବାକୁ ଚେଷ୍ଟା କରୁଥିବ ?

 

ତା ୨୭.୦୫ .୧୯୭୫ ରିଖ

Image

 

ଏଥର କୋରିଆ ?

 

ଭିଏତ୍‌ନାମର ପ୍ରାୟ ସେହି ଗୋଟିଏ ଦ୍ରାଘିମାରେ ବେଶ୍‌ କେତୋଟି ଅକ୍ଷାଂଶ ଉପରକୁ ଉଠିଗଲେ ଆମେ ଆସି କୋରିଆ ଦେଶରେ ପହଞ୍ଚିବା । କୋରିଆର ଗୋଟିଏ ଜାତି, ଗୋଟିଏ ଅତୀତ, ଗୋଟିଏ ଭାଷା ଓ ଗୋଟିଏ ଭାଗ୍ୟ । ମାତ୍ର ଆନ୍ତର୍ଜାତିକ ରାଜନୀତିର ପଶାଖେଳାଳିମାନଙ୍କର ଚକ୍ରାନ୍ତରେ କୋରିଆ ଗତ ପ୍ରାୟ ପଚିଶି ବର୍ଷ ହେଲା ତଥାକଥିତ ଦୁଇଟା ଦେଶ ହୋଇ ରହିଛି । ଗୋଟାକୁ ଉତ୍ତର କୋରିଆ ଓ ଆଉ ଗୋଟାକୁ ଦକ୍ଷିଣ କୋରିଆ ବୋଲି କୁହାଯାଉଛି । ସେଠି କୌଣସି ନଈ, ନାଳ, ହିଡ଼ ବା ବାଡ଼ ଯେ ଦୁଇଦେଶ ମଧ୍ୟରେ ସରହଦ ହୋଇ ରହିଛି, ସେକଥା ଆଦୌ ନୁହେଁ । ବିଶେଷଜ୍ଞମାନଙ୍କର ନିଷ୍ପତ୍ତିକ୍ରମେ ଗୋଟାଏ କାଳ୍ପନିକ ଅକ୍ଷାଂଶରେଖା ହିଁ ଦୁଇଦେଶ ମଝିରେ ସୀମା ହୋଇ ରହିଛି । ଭିଏତ୍‌ନାମକୁ ଦୁଇଖଣ୍ଡ କରିବାକୁ ଯେମିତି କରାହୋଇଥିଲା, ଏଠି ଠିକ୍ ସେମିତି ହୋଇଛି ।

 

ଭିଏତ୍‌ନାମ ଯୁଦ୍ଧର ଗୌରବମୟ ପରିସମାପ୍ତି ପରେ ସୁଦୂର କୋରିଆରେ ଯେ ଉତ୍ସାହର ଏକ ତରଙ୍ଗାଘାତ ଅବଶ୍ୟ ଲାଗିବ, ସେଥିରେ ବିସ୍ମିତ ହେବାର ଆଦୌ କିଛି ନାହିଁ । ତୁମ ଭାଇ ଭାଇ ଭିତରେ କିଛି କଜିଆ ନାହିଁ, କିନ୍ତୁ ଅନ୍ୟ ଗାଆଁରୁ ମାମଲତକାର ଆସି ତୁମକୁ ଠେଙ୍ଗାବାଡ଼ି ଯୋଗାଇ ଦେଇ ଯଦି ଗୋଟିଏ ଘରକୁ ଦୁଇଭାଗ କରିଦେବ, ପବନରେ ଗୋଟାଏ ଗାର କାଟି ସରହଦ ମାରିଦେବେ, ତେବେ ପୁଣି ତାହାକୁ କିପରି ବ୍ୟବସ୍ଥା ବୋଲି କୁହାଯିବ ? ଭିଏତ୍‌ନାମ ଓ କୋରିଆରେ ପ୍ରାୟ ଏହିପରି ଏକ ମାମଲତକାରି କରାହୋଇଥିଲା ଏବଂ ଗୋଟାଏ ଘରେ ସେଇଟା ଧରାପଡ଼ିଯିବା ପରେ ଆର ଘରଟାରେ ଯେ ଚଞ୍ଚଳତା ପ୍ରକାଶ ପାଇବ, ସେଥିରେ ମଧ୍ୟ ବିସ୍ମିତ ହେବାର କିଛି ନାହିଁ ।

 

ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ପୁଣି ଏକାଠି ମିଶିବେ ଓ ପୁଣି ଗୋଟିଏ ଦେଶ ହେବେ, ଏହି ଉଦ୍ୟମ ଗତ କେତେବର୍ଷ ଧରି ଚାଲିଆସିଥିଲା । ଦୁଇ ଦେଶର ପ୍ରତିନିଧି ଏହି ଅଭିପ୍ରାୟରେ କେତେଥର ଏକାଠି ବସିଥିଲେ, ବେଶ୍ କେତେଦୂର ଯାଏ ସଫଳତା ମଧ୍ୟ ହାସଲ କରିଥିଲେ । କିନ୍ତୁ ଯେଉଁଠି କଥାବାର୍ତ୍ତା କରୁଥିବା ପକ୍ଷମାନେ ସ୍ୱତନ୍ତ୍ର ହୋଇ କଥାବାର୍ତ୍ତା ନ କରିପାରିବେ, ସେଠି ପୂରାପୂରି ସଫଳତା ମିଳିବ ବା କିପରି ?

 

ଆମେରିକା ଏବେ ଉତ୍ତର କୋରିଆକୁ ଗୋଟାଏ ଚେତାବନୀ ଶୁଣାଇଦେଇଛି । ଉତ୍ତର କୋରିଆ ଦକ୍ଷିଣ କୋରିଆ ଉପରେ ଆକ୍ରମଣ କରିବା ଲାଗି କୌଣସି ପ୍ରକାର ଉଦ୍ୟମ କଲେ ଆମେରିକା ତାହାକୁ କଦାପି ଚୁପ୍‌ ହୋଇ ଦେଖିପାରିବ ନାହିଁ ବୋଲି ଆମେରିକାର ସରକାର ଧମକ ଦେଇଛନ୍ତି । ଭିଏତ୍‌ନାମ ଧନ୍ଦାଟିକୁ ଆରମ୍ଭ କରିବା ପୂର୍ବରୁ ଆମେରିକା ଠିକ୍‌ ସେହିଭଳି ଭାଷାରେ କଥା କହୁଥିଲା । ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ କେହି ଆମେରିକାର ପ୍ରତିବେଶୀ ନୁହନ୍ତି । ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଦୁହେଁ ପୋଡ଼ି ଭସ୍ମ ହୋଇଗଲେ ମଧ୍ୟ ଆମେରିକା ଯାଏ କଦାପି ନିଆଁ ଡେଇଁ ଯାଇପାରିବ ନାହିଁ । ତଥାପି ଯେ ଆମେରିକା କାହିଁକି କୋରିଆ କଥାରେ ଆପଣାର ହୁଙ୍କାର ଶୁଣାଇବାକୁ ଇଚ୍ଛା କରୁଛି, ଗତ ପଚିଶି ବର୍ଷର ବିଶ୍ୱ ରାଜନୀତିକୁ ଅନୁଧ୍ୟାନ କରିଆସିଥିବା ଯେକୌଣସି ବ୍ୟକ୍ତି ସେହି କାରଣଟିକୁ ବେଶ୍ ଠଉରାଇ ନେଇପାରିବ ।

 

ଦକ୍ଷିଣ କୋରିଆରେ ଯେଉଁମାନେ ଶାସକ ହୋଇ ବସିଛନ୍ତି, ସେମାନେ କୋରିଆବାସୀଙ୍କର କେତେଦୂର ପ୍ରତିନିଧିତ୍ୱ କରୁଛନ୍ତି ବା ଆମେରିକା ତରଫ ବରାଦଟି ଅନୁସାରେ ସେମାନେ କେତେଦୂର ସେଠାରେ ଥାପନା ହୋଇ ରହିଛନ୍ତି, ଅତ୍ୟନ୍ତ ନିକଟ ଭବିଷ୍ୟତରେ ଆମେ ସମସ୍ତେ ତାହାରି ସଚ୍ଚା ପ୍ରମାଣ ପାଇବାକୁ ଯାଉଛୁ ଏବଂ ଭଙ୍ଗା ଘରକୁ ପୁଣି ଏକାଠି ଯୋଡ଼ିବାର ଯେକୌଣସି ଉଦ୍ୟମକୁ ବାହାରୁ ସୁକୁଟ ଦେଖୁଥିବା ପକ୍ଷ କିପରି ଗୋଟାଏ ପଟ ଆଉ ଗୋଟାଏ ପଟ ଉପରେ ଆକ୍ରମଣ କଲା ବୋଲି କହିବ ଏବଂ ସେହି ଛିଦ୍ରଟି ଦେଇ ଘରଟି ଭିତରେ ବନ୍ଧୁକ, ଗୁଳା ଓ ଜାହାଜଭେଳା ନେଇ ପ୍ରବେଶ କରିବାର ଚେଷ୍ଟା ମଧ୍ୟ କରିବ, ଆମକୁ ସେହି ଦୃଷ୍ଟାନ୍ତଟିର ଏକ ଅଭିନୟ ବି ଦେଖିବାକୁ ମିଳିପାରେ ।

 

କୋରିଆ ଦୀର୍ଘ ଅତୀତରୁ କେବଳ ଏହିପରି ଭାବରେ ନିର୍ଯାତନା ହିଁ ସହି ଆସିଛି । ଜାର୍‌ ସମ୍ରାଟଙ୍କର ଅଧୀନରେ ରହିଛି, ଜାପାନର ଏକଛତ୍ରବାଦ କୋରିଆକୁ ଏକାବେଳେକେ ଗିଳିପକାଇଛି ଏବଂ ବୃହତ୍‌ ଶକ୍ତିର ଦୌରାତ୍ମ୍ୟ ଦ୍ୱାରା ଆକ୍ରାନ୍ତ ଏକ ରାଜନୀତିର ଫାନ୍ଦରେ ପଡ଼ି କୋରିଆ ବର୍ତ୍ତମାନ ଦୁଇଖଣ୍ଡ ହୋଇ ରହିଛି । ଶୀତଳ ଯୁଦ୍ଧରେ ପକ୍ୱାନ୍ନ ହୋଇ ପରଷା ହେଉଛି । ସାଧାରଣ କୋରିଆବାସୀ ଏସବୁ ଉଠାପକା ମଧ୍ୟରେ ପ୍ରାୟ କୌଣସି ଭୂମିକା ଅଭିନୟ କରିନାହିଁ । ସେ ବୋକା ପରି ଅନାଇ ରହିଛି, ଦକ୍ଷିଣ କୋରିଆର ରାଜଧାନୀ ସେଓଲ ସହରରେ ଛାତ୍ରମାନଙ୍କୁ ଲୁହାବୋମା ଫୁଟାଇ ଜଳକା କରିରଖାଯାଉଛି ଏବଂ ତେଣେ ଦୁର୍ଭାଗ୍ୟଟା ହିଁ ପରମ ଅଧୀଶ୍ୱର ହୋଇ ବସିଛି । ସାନ ସାନ ଦେଶମାନଙ୍କରେ ଏହି ଦୁର୍ଭାଗ୍ୟଟି ଯେଉଁଦିନ ପ୍ରକୃତରେ ଘୁଞ୍ଚିଯିବ, ସେହିଦିନ ଯାଇ ଧରଣୀ ଶୀତଳ ହେବ, ମଣିଷର ଭାଗ୍ୟ ସ୍ଥିର ହେବ, ରାଜନୀତି ମଣିଷ ଲାଗି କଲ୍ୟାଣର ବାଟକୁ ଫିଟାଇଦେଇଯିବ ।

 

ତା ୨୮.୦୫.୧୯୭୫ ରିଖ

Image

 

ପୁନଃସ୍ମରଣ

 

ଦ୍ୱିତୀୟ ମହାଯୁଦ୍ଧ ପରେ ପୃଥିବୀର ବଡ଼ ବଡ଼ ସାମରିକ ଶକ୍ତିଙ୍କୁ ଯେଉଁ ଭୟ ଗ୍ରାସ କରିପକାଇଥିଲା, ତାହାରି ଫଳରେ ସେମାନେ ଗୋଟିଏ ଗୋଟିଏ ସାମରିକ ମେଣ୍ଟ ଗଢ଼ି ପୃଥିବୀଟାକୁ ସତତ ସନ୍ତ୍ରସ୍ତ କରିରଖିବାକୁ ହିଁ ଏକମାତ୍ର ଆନ୍ତର୍ଜାତିକ ରାଜନୀତି ବୋଲି ବିଚାର କରିବାକୁ ଲାଗିଲେ । ସେମାନେ ପରସ୍ପରକୁ ଭୟ କରୁଥିଲେ । ମୋ’ ଆଗରୁ କାଳେ ଆଉ କୌଣସି ଶକ୍ତି ଏ ଦେଶଟାକୁ ବା ଏ ମହାଦେଶଟାକୁ ଆପଣାର ପ୍ରଭାବମଣ୍ଡଳଟି ମଧ୍ୟକୁ ଟାଣିନେବ, ସେଥିଲାଗି ମୁଁ ଆଗ ତାହାକୁ ଅବଶ୍ୟ ଟାଣିନେବି, ସେତେବେଳେ ରାଜନୀତି କହିଲେ ପ୍ରାୟ ଏହାହିଁ ବୁଝାଉଥିଲା ।

ଏହି ଦୃଷ୍ଟିଟି ହେତୁ ସେତେବେଳେ ପୃଥିବୀଯାକ କେତେ ମେଣ୍ଟ ଗଢ଼ାଗଲା । ଆବଶ୍ୟକତା ଥାଉ, ବା ନ ଥାଉ, ଆର୍ଥିକ ଏବଂ ସାମରିକ ସାହାଯ୍ୟର ଲୋଭ ଦେଖାଇ ଦେଶଗୁଡ଼ାକୁ ମେଣ୍ଟ ଭିତରେ ଭର୍ତ୍ତି କରିନିଆଗଲା । ସେତେବେଳେ ପୃଥିବୀରେ, ବିଶେଷ କରିଏସିଆ ଏବଂ ଆଫ୍ରିକାରେ କେତେ କେତେ ଦେଶ ନୂଆ କରିସ୍ୱାଧୀନ ହୋଇଥାନ୍ତି । ଏଗୁଡ଼ାକୁ ମଧ୍ୟ ମେଣ୍ଟ ଭିତରକୁ ଲୁବ୍‌ଧ କରିନେବାକୁ ଏବଂ ସେମାନଙ୍କର ବହିଃସମ୍ୱନ୍ଧ ଓ ଅନ୍ତଃବିକାଶ ଉପରେ ନିୟନ୍ତ୍ରଣ ଜାରି ରଖିବାକୁ ବଡ଼ ଶକ୍ତିମାନଙ୍କ ତରଫରୁ ବିପୁଳ ଚେଷ୍ଟା ହୋଇଥିଲା । କହିବା ବାହୁଲ୍ୟ ଯେ ପୃଥିବୀକୁ ଯୁଦ୍ଧରୁ ମୁକ୍ତ କରିରଖିବା ସକାଶେ ଅର୍ଥାତ୍‌ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ଲାଗି ଏଗୁଡ଼ାକ ଏକାନ୍ତ ଦରକାର ବୋଲି ପୃଥିବୀଯାକ ଡିଣ୍ଡିମ ବଜା ହେଉଥିଲା । ଆମେରିକାର ତତ୍କାଳୀନ ବୈଦେଶିକ ମୁଖ୍ୟ ଜନ୍‌ ଫଷ୍ଟର୍‌ ଡଲେସ୍‌ ଏହି ନୂଆ ନୀତିର ନେତା ହୋଇ ବାହାରିଥିଲେ ।

ଏହି ନୀତି ବା ଅନୀତିର ପ୍ରଥମ ଏବଂ ସକଳ ପ୍ରତିବାଦ କରିଥିଲେ ଭାରତର ତତ୍କାଳୀନ ରାଷ୍ଟ୍ରନେତା ପଣ୍ଡିତ ଜବାହରଲାଲ ନେହେରୁ । ନୂଆ ହୋଇ ସ୍ୱାଧୀନ ହେଉଥିବା ଦେଶଗୁଡ଼ିକୁ ସକଳ ପ୍ରକାର ହସ୍ତକ୍ଷେପ ଓ ନିୟନ୍ତ୍ରଣରୁ ମୁକ୍ତ ରଖାଯିବା ଉଚିତ, ସେମାନଙ୍କୁ ଆପଣା ରୀତିରେ ଓ ଆପଣା ପନ୍ଥାରେ ବିକଶିତ ହେବାଲାଗି ସକଳ ସ୍ୱତନ୍ତ୍ରତା ମିଳିବା ଉଚିତ ଓ ବିଶ୍ୱ ସଭାରେ ଆପଣାର ସ୍ଥାନ ତଥା ଅବଦାନଟିକୁ ସ୍ୱୟଂ ନିରୂପଣ କରିପାରିବାର ଅବକାଶଟି ସେମାନଙ୍କର ସର୍ବଦା ରହିବା ଉଚିତ, ପଣ୍ଡିତ ନେହେରୁ ସେହି ଅଭିଳାଷଟିର ପ୍ରତୀକ ହୋଇ ରହିଥିଲେ ।

ଉପନିବେଶଗୁଡ଼ିକର ମାଲିକ ହୋଇ ରହିଆସିଥିବା ଦେଶମାନେ ଔପନିବେଶିକତାର ଘେରରୁ ମୁକ୍ତ ହୋଇଥିବା ଦେଶଗୁଡ଼ାକ ଏତେ ଶୀଘ୍ର ପୂରା ପଘା ଫିଟାଇ ପଳାନ୍ତୁ ବୋଲି ଆଦୌ ଚାହୁନଥିଲେ । ସେମାନେ ଉକ୍ତ ନବସ୍ୱାଧୀନ ଦେଶମାନଙ୍କର ଅଭିଭାବକ ହୋଇ ରହିବାକୁ ଇଚ୍ଛା କରୁଥିଲେ । ଏହିପରି ଗୋଟିଏ ମତଲବରୁ ମେଣ୍ଟ ରାଜନୀତି ଜନ୍ମଲାଭ କରିଥିଲା । ପଣ୍ଡିତ ନେହେରୁ ଆଫ୍ରିକା ଓ ଏସିଆର ମୁଖପାତ୍ର ହିସାବରେ ସେତେବେଳେ ଯେଉଁ ନୂତନ ପନ୍ଥାର ନିର୍ଦ୍ଦେଶ ଦେଇଥିଲେ, ତାହା ହେଉଛି ମେଣ୍ଟମୁକ୍ତ ନିରପେକ୍ଷ ରାଜନୀତି । ଅର୍ଥାତ୍‌ ଯେଉଁସବୁ ନୂଆ ଦେଶ ସ୍ୱାଧୀନ ହେଉଛନ୍ତି, ସେମାନେ କୌଣସି ସାମରିକ ମେଣ୍ଟରେ ରହିବେ ନାହିଁ, ମେଣ୍ଟରୁ ମୁକ୍ତ ରହିବେ, ଆପଣାର ବିକାଶଗୁଡ଼ିକୁ ସେମାନେ ଆପଣା ବାଟରେ କରିବେ । ମେଣ୍ଟ ଭିତରେ ରହିବାକୁ ପଣ୍ଡିତ ନେହରୁ ଏକ ନୂଆ କିସମର ପରାଧୀନତା ଏବଂ ନୂଆ ଔପନିବେଶିକତା ବୋଲି ବର୍ଣ୍ଣନା କରିଥିଲେ ।

ପୃଥିବୀର ଅଧିକରୁ ଅଧିକ ଦେଶକୁ ଆପଣାର ଛାୟାମଣ୍ଡଳ ଭିତରେ ରଖିବାକୁ ପୃଥିବୀରେ ମେଣ୍ଟମାନ ଗଢ଼ାଗଲା । ଏଣେ ନେହେରୁଙ୍କର ନେତୃତ୍ୱରେ ଭାରତବର୍ଷ ପ୍ରତ୍ୟେକ ଦେଶର ଗୋଷ୍ଠୀନିରପେକ୍ଷ ବିକାଶ ଉପରେ ଗୁରୁତ୍ୱ ଦେଲା । ମେଣ୍ଟ-ରାଜନୀତିର ଜିଦ୍‌ରୁ ଭିଏତ୍‌ନାମରେ ଯୁଦ୍ଧ ଲାଗିଲା, କୋରିଆରେ ଓ କାମ୍ୱୋଡ଼ିଆରେ ଛକାଛକି ରାଜନୀତି ଚାଲିଲା । ଯୁଦ୍ଧଠାରୁ ଶୀତଳ ଯୁଦ୍ଧ ଅଧିକ ସୁହାଇଲା । ଡଲେସ୍‌ ସାହେବ ଇହଧାମରୁ ବିଦାୟ ନେଇ ଯିବାର ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କରି ଅଭିସନ୍ଧିଗୁଡ଼ାକ ମେଣ୍ଟ ରାଜନୀତିକୁ ସତେଅବା କୋଳ କରିଧରିଥିଲା । ଭିଏତ୍‌ନାମ ଓ କାମ୍ୱୋଡ଼ିଆ ସେହି ଧୃତରାଷ୍ଟ୍ର-କୋଳରୁ ଏବେ ମୁକ୍ତ ହେଲେ ଏବଂ ମୁକ୍ତ ହେବା ମାତ୍ରକେ ସେମାନେ କୌଣସି ପ୍ରକାର ସାମରିକ ମେଣ୍ଟରେ ପଶିବେ ନାହିଁ ଓ ଗୋଷ୍ଠୀ ନିରପେକ୍ଷ ରହିବେ ବୋଲି ଘୋଷଣା କଲେ । ସଂସାରରେ ସବୁ ତ୍ରାସକୁ ସେମାନେ ଏକାଥରକେ ଧୂଳି କରିଉଡ଼ାଇଦେଲେ ।

ଦିନ ଥିଲା, ଯେତେବେଳେ ଇଉରୋପ ଓ ଆମେରିକାରେ ମେଣ୍ଟ ରାଜନୀତିକୁ ହିଁ ଏକମାତ୍ର ସ୍ୱାଭାବିକ ରାଜନୀତି ବୋଲି କୁହାଯାଉଥିଲା । ତେଣୁ ମେଣ୍ଟମୁକ୍ତ ସ୍ୱତନ୍ତ୍ର ବିକାଶର ନେହେରୁ ମତଟିକୁ କାଳ୍ପନିକ ଅବାସ୍ତବତା ବୋଲି କହି ନିନ୍ଦା କରାଯାଉଥିଲା । ମାତ୍ର ଇତିହାସ ଠିକ୍‌ ତା’ର ଓଲଟାଟାକୁ ହିଁ ବାସ୍ତବ ଓ ସ୍ୱାଭାବିକ ବୋଲି ପ୍ରମାଣ କଲା । ପୁରୁଣା ମେଣ୍ଟ ରାଜନୀତି ଯେ ଆଦୌ ସୁସ୍ଥ ରାଜନୀତି ନୁହେଁ, ଆଧୁନିକ ପୃଥିବୀ ମଣିଷକୁ କ୍ରମେ ସେହି ଶିକ୍ଷା ଦେଉଥିବା ପରି ମନେ ହେଉଛି । ଏଥର ଆନ୍ତର୍ଜାତିକ ରାଜନୀତି ଓ ଆନ୍ତର୍ଜାତିକ ଶାନ୍ତିର କ୍ଷେତ୍ରରେ ପଣ୍ଡିତ ନେହେରୁଙ୍କୁ ପୁଣି ମନେ ପକାଇବାର ବେଳ ଆସି ପହଞ୍ଚିଯାଇଛି ।

ତା ୨୯.୦୫.୧୯୭୫ ରିଖ

Image

 

ଲେବାନନ୍‌ରେ ସୈନ୍ୟଶାସନ

 

ଇସ୍ରାଏଲର ଉତ୍ତରକୁ ଆଉ ଗୋଟିଏ ଛୋଟ ଦେଶ ଲେବାନନ୍‌ । ସେଠାରେ ଏହି ସପ୍ତାହରେ ସୈନ୍ୟଶାସନ ଅର୍ଥାତ୍‌ ସାମରିକ ଶାସନ ଜାରି ହୋଇଥିଲା ।

 

ଲେବାନନ୍‌ ଔପନିବେଶିକ ଯୁଗରେ ଫ୍ରାନ୍‌ସର ଅଧୀନରେ ଥିଲା । ଏବେ ମଧ୍ୟ ଲେବାନନ୍‌ ଦେଶର ରାଜଧାନୀ ବେରୁଟ୍‌ ସହରର ଧନାଢ଼୍ୟ ବଜାର ଅଞ୍ଚଳ ଭିତରେ କେବେ ସନ୍ଧ୍ୟାବେଳେ ଓ ରାତିରେ ପଶିଗଲେ ସତେ ଅବା ପାରିସ୍‌ ସହରରେ ଆସି ପଶିଗଲାପରି ମନେହେବ । ଲେବାନନ୍‌ ଦେଶର ମୋଟ ଲୋକସଂଖ୍ୟାର ଗୋଟିଏ ଅଂଶ ମୁସଲମାନ ଓ ଆଉ ଗୋଟିଏ ଅଂଶ ଖ୍ରୀଷ୍ଟିଆନ୍‌ । ପାରମ୍ପରିକ ନିୟମ ଅନୁସାରେ ସେଥିଲାଗି ସେଠି ଦେଶର ରାଷ୍ଟ୍ରପତି ଖ୍ରୀଷ୍ଟିଆନ୍‌ ହେଲେ ପ୍ରଧାନମନ୍ତ୍ରୀ ମୁସଲମାନ ହେଉଥିଲେ ଏବଂ ରାଷ୍ଟ୍ରପତି ମୁସଲମାନ ହେଲେ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟିଆନ୍‌ ହେଉଥିଲେ ଏବଂ ଆରବ ଭୂଖଣ୍ଡର ପୂରାପୂରି ମୁସଲମାନ ଅଞ୍ଚଳରେ ପ୍ରଧାନତଃ ଯେଉଁସବୁ ସମସ୍ୟା ଲୋକମନ ଓ ରାଜନୀତିକୁ ତତାଇ ରଖିଥାଏ, ଲେବାନନ୍‌ବାସୀ ସେହିସବୁ ସମସ୍ୟା ସହିତ ଜଡ଼ିତ ହୋଇ ରହିଥିଲେ ମଧ୍ୟ ତଥାପି ସେଗୁଡ଼ିକର ତାତି ସେମାନଙ୍କୁ ଅପେକ୍ଷାକୃତ କମ୍‌ ପରିମାଣରେ ଘାରି ରଖିଥାଏ ।

 

ଏବେ ପାଲେଷ୍ଟାଇନ୍‌ର ଗରିଲାମାନେ ଇସ୍ରାଏଲ ଉପରେ ଚାରିଆଡ଼ୁ ପ୍ରତ୍ୟକ୍ଷ ଆକ୍ରମଣ ଆରମ୍ଭ କରିଦେଲା ପରେ ଲେବାନନ୍‌ର ରାଜନୀତିଟି ମଧ୍ୟ କ୍ରମଶଃ ତାହାରି ଦ୍ୱାରା ଉଦ୍‌ବେଳିତ ହେବାକୁ ଆରମ୍ଭ କରିଛି । ଆଗେ ଇସ୍ରାଏଲର ପୂର୍ବଦିଗରୁ ଅର୍ଥାତ୍‌ ଜର୍ଡ଼ାନ୍‌ ଦେଶ ଆଡ଼ୁ ଏହି ଗରିଲା ଆକ୍ରମଣ ଓ ଖଣ୍ଡଯୁଦ୍ଧମାନ ଆପଣାକୁ ସକ୍ରିୟ କରିରଖିଥିଲା । ଏହାଦ୍ୱାରା ଗରିଲାମାନଙ୍କୁ ଜର୍ଡ଼ାନର ରାଜା ହୁସେନଙ୍କର ଚକ୍ଷୁଶୂଳ ହେବାକୁ ପଡ଼ୁଥିଲା । ଅନେକ ସମୟରେ ଜର୍ଡ଼ାନ୍ ସୈନ୍ୟବାହିନୀ ସହିତ ମଧ୍ୟ ସେମାନଙ୍କର ଖଣ୍ଡଯୁଦ୍ଧ ଲାଗିଯାଉଥିଲା । ପୁଣି ଇସ୍ରାଏଲ ଓ ଆରବଦେଶମାନଙ୍କ ମଧ୍ୟରେ ଏବେ ଯେଉଁ ଯୁଦ୍ଧ ହେଲା, ସେତିକିବେଳେ ଇସ୍ରାଏଲର ସୈନ୍ୟମାନେ ଜର୍ଡ଼ାନ ନଦୀର ପଶ୍ଚିମ ପାଖରେ ଅବସ୍ଥିତ ସମସ୍ତ ଭୂଖଣ୍ଡଟିକୁ ଆପଣା ଅଧିକାରକୁ ନେଇଗଲେ ଏବଂ ସେହିଦିନଠାରୁ ତାହା ସେହିମାନଙ୍କର ଅଧିକାରରେ ହିଁ ରହିଛି । ଏହିସବୁ କାରଣରୁ ପାଲେଷ୍ଟାଇନ୍‌ ଗରିଲାମାନେ ଜର୍ଡ଼ାନସୀମା ଛାଡ଼ି ଲେବାନନ୍‌ ସୀମାକୁ ହିଁ ଇସ୍ରାଏଲର ସହିତ ସମରସକ୍ରିୟ ହୋଇ ରହିବାର କ୍ଷେତ୍ରରୂପେ ବ୍ୟବହାର କରିବାକୁ ଆରମ୍ଭ କରିଛନ୍ତି ଏବଂ ସେମାନଙ୍କୁ ନେଇ ସେତେବେଳେ ଜର୍ଡ଼ାନ ସହିତ ଯେଉଁ ସମସ୍ୟାଟି ସୃଷ୍ଟି ହୋଇଥିଲା, ବର୍ତ୍ତମାନ ଲେବାନନ୍‌ ସହିତ ଠିକ୍‌ ସେହି ସମସ୍ୟାଟିର ସୃଷ୍ଟି ହେଉଛି ।

 

ଲେବାନନ୍‌କୁ ହିଁ ଛାଉଣୀ କରିଗରିଲାମାନେ ଇସ୍ରାଏଲ ଭିତରକୁ ଆସି ଧ୍ୱଂସକାଣ୍ଡମାନ ଭିଆଉଛନ୍ତି ଓ ଲେବାନନ୍‌ ସରକାର ସେମାନଙ୍କୁ ଏଥିରେ ବାଧା ଦେଇ ପାରୁନାହିଁ ବୋଲି ଇସ୍ରାଏଲ ମଧ୍ୟ ପ୍ରତିଶୋଧମୂଳକ ଭାବରେ ଲେବାନନ୍‌ ଉପରେ ଆକ୍ରମଣ କରୁଛି; ଲେବାନନ୍‌ର ନିର୍ଦ୍ଦୋଷ ସୀମାନ୍ତବାସୀଙ୍କ ଉପରେ ମେସିନ୍‌ଗନ୍‌ ଚଳାଉଛି । କିନ୍ତୁ ଲେବାନନ୍‌ର ପ୍ରାୟ ଦୁଇଲକ୍ଷ ପାଲେଷ୍ଟାଇନ୍‌ବାସୀ ଶରଣାର୍ଥୀ ଗରିଲାମାନଙ୍କର ସହାୟତା କରୁଛନ୍ତି ଓ ସେମାନଙ୍କୁ ସାଧ୍ୟ କରିବାକୁ ଲେବାନନ୍‌ର ମାତ୍ର ୧୮୦୦୦ ସୈନ୍ୟବିଶିଷ୍ଟ କ୍ଷୁଦ୍ର ବାହିନୀଟି ଆଦୌ ସମର୍ଥ ହୋଇପାରୁନାହିଁ । ଗୋଟାଏ ଦେଶର ସାର୍ବଭୌମତାକୁ ପୂରା ଅସ୍ୱୀକାର କରିଗରିଲାମାନଙ୍କର ସ୍ୱେଚ୍ଛାଚାର ଚାଲିଛି ଏବଂ ଲେବାନନ୍‌ବାସୀଙ୍କୁ ଇସ୍ରାଏଲ ତରଫରୁ ହେଉଥିବା ପ୍ରତିଶୋଧମୂଳକ ଆକ୍ରମଣଗୁଡ଼ିକର ପୂରା ଦାଉଟିକୁ ଅଙ୍ଗେ ଲିଭାଇବାକୁ ପଡ଼ୁଛି ।

 

ଏହି ସ୍ଥିତିର ସାମନା କରିବା ଲାଗି ଲେବାନନ୍‌ର ଖ୍ରୀଷ୍ଟିଆନମାନେ ଫାଲାଞ୍ଜ ବୋଲି ଏକ ସକ୍ରିୟ ଲଢ଼ୁଆବାହିନୀ ଗଢ଼ିଛନ୍ତି । ଅର୍ଥାତ୍‌ ଲେବାନନ୍‌ରେ ଖ୍ରୀଷ୍ଟିଆନ ଫାଲାଞ୍ଜ ଓ ମୁସଲମାନ ପାଲେଷ୍ଟାଇନବାସୀଙ୍କ ମଧ୍ୟରେ ହଣାମରା ଲାଗିଛି । ଲେବାନନ୍‌ର ସୈନ୍ୟବାହିନୀ ଅବସ୍ଥା ଶାନ୍ତ କରିବାକୁ ଅକ୍ଷମ ହୋଇପଡ଼ିବାରୁ ଲେବାନନ୍‌ ମନ୍ତ୍ରିମଣ୍ଡଳର ୧୮ ଜଣରୁ ଏଗାରଜଣ ମନ୍ତ୍ରୀ ଯହୁଁ ଇସ୍ତଫାପତ୍ର ଦାଖଲ କଲେ, ସେତେବେଳେ ପ୍ରଧାନମନ୍ତ୍ରୀ ରସିଦ୍‌ ଏଲ୍‌-ସୋଲ୍‌ଙ୍କର ମଧ୍ୟ ଇସ୍ତଫା ଦେଇ ଶାସନ-ସଭାରୁ ଓହରିଯିବା ବ୍ୟତୀତ ଆଉ ଅନ୍ୟ ଗତି ନଥିଲା ।

ବେରୁଟ୍‌ର ରାସ୍ତାରେ ରାସ୍ତାରେ ଫାଲାଞ୍ଜ ଓ ଅନ୍ୟ ଦଳ ମଧ୍ୟରେ ଯୁଦ୍ଧ ଚାଲିଲା । ଦୁଇ ପକ୍ଷ ମଧ୍ୟରେ ଦେଶଟାଯାକ ପ୍ରାୟ ଖଣ୍ଡ ଖଣ୍ଡ ହୋଇ ବାଣ୍ଟି ହୋଇଗଲା । ଲେବାନନ୍‌ ସରକାରଙ୍କର ଆଉ କେଉଁଠି ହେଲେ ଅବସ୍ଥା ଉପରେ ଅକ୍ତିଆର ରହିଲା ନାହିଁ । ରାଷ୍ଟ୍ରପତି ଦେଶରେ ଏକ ନୂତନ ମନ୍ତ୍ରିମଣ୍ଡଳ ସମ୍ଭବ କରିପାରିବାରେ ଅସମର୍ଥ ହେଲେ । ତେଣୁ ଶାନ୍ତିରକ୍ଷା କରିବା ସକାଶେ ସରକାରଙ୍କ ତରଫରୁ ଯେଉଁ ସୈନ୍ୟବାହିନୀକୁ ଡାକି କରିଅଣା ହୋଇଥିଲା, ଲେବାନନ୍‌ରେ ସେହି ସୈନ୍ୟବାହିନୀ ହିଁ ହାତକୁ କ୍ଷମତା ନେଲେ ।

ଅର୍ଥାତ୍‌ ଏକ ତୁମୁଳ ଅଶାନ୍ତିର ଚରମ ପରିଣତି ରୂପେ ଲେବାନନ୍‌ରେ ସାମରିକ ମୁଖ୍ୟମାନେ ରାଜ୍ୟର ଶାସନକୁ ହାତକୁ ନେଇଗଲେ । ମାତ୍ର ତଦ୍ଦ୍ୱାରା ଯେ ଅସଲ ସମସ୍ୟାଗୁଡ଼ିକର କୌଣସି ସ୍ଥାୟୀ ପ୍ରତିକାର ବା ସମାଧାନ ହୋଇପାରିବ, ସେପରି ଏକ ପ୍ରତିଶ୍ରୁତି ଆମକୁ କିପରି କୁଆଡ଼ୁ ମିଳିଥାନ୍ତା ?

ତା ୩୦.୫ .୧୯୭୫ ରିଖ

Image

 

Unknown

ତୁରସ୍କର ଧମକ

 

ଏସିଆ ଏବଂ ୟୁରୋପକୁ ନେଇ ଦ୍ୱିତୀୟ ମହାଯୁଦ୍ଧ ପରେ ଯୁକ୍ତରାଜ୍ୟ ଆମେରିକାର ତତ୍ତ୍ୱାବଧାନରେ ମୋଟ ତିନୋଟି ସାମରିକ ମେଣ୍ଟ ଗଢ଼ା ହୋଇଥିଲା । ସେଥିରୁ ଗୋଟିଏ ହେଉଛି ସେଣ୍ଟୋ ଅର୍ଥାତ୍‌ ମଧ୍ୟ ୟୁରୋପୀୟ କେତୋଟି ଦେଶର ସରକାରକୁ ନେଇ ଗଢ଼ା ହୋଇଥିବା ଏକ ମେଣ୍ଟ । ଏଥିରେ ତୁରସ୍କ ସଭ୍ୟ ରହିଛି, ପାକିସ୍ଥାନ ମଧ୍ୟ ସଭ୍ୟ ରହିଛି । ଆମେରିକା ସଭ୍ୟ ନ ରହିକେବଳ ପର୍ଯ୍ୟବେକ୍ଷକ ଭାବରେ ରହିଛି । ମାତ୍ର ଏହି ମେଣ୍ଟ ଲାଗି ଟଙ୍କା ଓ ସାମରିକ ସରଞ୍ଜାମଗୁଡ଼ାକ ଯେ କେବଳ ଆମେରିକାରୁ ହିଁ ଯୋଗାଇ ଦିଆଯାଇଛି ଓ ତେଣୁ ସଭ୍ୟଦେଶଗୁଡ଼ିକର ନାକରେ ଯେ ଆମେରିକାର ପଘାକୁ ଫାଶ କରିଲଗାଯାଇଛି, ସେକଥାରେ କାହାରି କିଛି ସଂଶୟ କରିବାକୁ ନାହିଁ ।

ଏବେ ସେହି ମେଣ୍ଟରେ ଗୋଟିଏ ବୈଠକରେ ତୁରସ୍କ ସରକାର ଆମେରିକାର ପର୍ଯ୍ୟବେକ୍ଷକ ପ୍ରତିନିଧିଙ୍କୁ ପ୍ରାୟ ଏକ ଧମକ ଦେଇଛନ୍ତି । ଗତ କେତେମାସ ହେଲା ଯୁକ୍ତରାଜ୍ୟ ଆମେରିକା ତରଫରୁ ତୁରସ୍କ ସହିତ ସକଳ ପ୍ରକାର ଅସ୍ତ୍ରଶସ୍ତ୍ର କାରବାରକୁ ସ୍ଥଗିତ କରିରଖାଯାଇଥିବାରୁ ତୁରସ୍କ ଆମେରିକା ପ୍ରତି ଆପଣାର ରୋଷ ପ୍ରକଟ କରିଛି ଏବଂ ଆମେରିକା ତା’ର ଏହି ନୀତିଟିକୁ ନ ବଦଳାଇଲେ ଅର୍ଥାତ୍‌ ତୁରସ୍କକୁ ଆମେରିକାରୁ ଅସ୍ତ୍ରଶସ୍ତ୍ର ପୁଣି ନ ଆସିଲେ ଆମେରିକା ସହିତ ତୁରସ୍କର ସମ୍ପର୍କ ଅତିଶୟ ଖରାପ ହେବ ବୋଲି ମତବ୍ୟକ୍ତ କରିଛି ।

ଆମେରିକା ଦୀର୍ଘ ପ୍ରାୟ ଦୁଇଟି ଦଶକ ହେଲା ତୁରସ୍କକୁ ସତେ ଅବା ମୁକ୍ତହସ୍ତ ହୋଇ ଅସ୍ତ୍ରଶସ୍ତ୍ର ପଠାଇ ଆସୁଥିଲା । ସାଇପ୍ରସ୍‌ ଦ୍ୱୀପରେ ଦ୍ୱୀପସ୍ଥ ଗ୍ରୀକ୍‌ ଏବଂ ତୁର୍କୀ ଅଧିବାସୀଙ୍କ ମଧ୍ୟରେ ଗୃହଯୁଦ୍ଧ ଲାଗିବା ପରେ ଏହି ସରବରାହରେ କ୍ରମଶଃ କାର୍ପଣ୍ୟ କରାହୋଇଛି ଏବଂ ଏବେ ତାହା ଶେଷକୁ ବନ୍ଦ ହୋଇଯାଇଛି । ସାଇପ୍ରସ୍‌ରେ ଶାନ୍ତିପ୍ରତିଷ୍ଠା ଦିଗରେ ତୁରସ୍କ ସରକାର ଯଥେଷ୍ଟ ପରିମାଣରେ ସଦିଚ୍ଛା ଦେଖାଇ ପାରୁନାହାନ୍ତି ଅଥବା ସହଯୋଗ କରିପାରୁନାହାନ୍ତି ବୋଲି ଅଭିଯୋଗ କରିଆମେରିକା ଉକ୍ତ ସରବରାହ ବନ୍ଦ କରିଦେଇଛି ଏବଂ ସେଥିଲାଗି ସେଣ୍ଟୋ ବୈଠକରେ ତୁରସ୍କ ପକ୍ଷରୁ ରୋଷ ପ୍ରକଟ କରାହୋଇଛି ।

ତୁରସ୍କକୁ ଆମେରିକାର ଅସ୍ତ୍ରଯୋଗାଣ ପୁଣି ହେଉ ବୋଲି ଏକ ସରକାରୀ ପ୍ରସ୍ତାବ ଆମେରିକା ସିନେଟର ସ୍ୱୀକୃତିଲାଭ କରିସାରିଲାଣି । ଆମେରିକାର ପ୍ରତିନିଧିସଭା ଅବଶ୍ୟ ଏପର୍ଯ୍ୟନ୍ତ ସ୍ୱୀକୃତି ଦେଇନାହିଁ । ଏକ ଅନୁକୂଳ ନିଷ୍ପତ୍ତି କରିବା ବିଷୟରେ ତାହାକୁ ପ୍ରଭାବିତ କରିବା ସକାଶେ ଖୁବ୍‌ ସମ୍ଭବ ତୁରସ୍କ ସରକାର ସେଣ୍ଟୋ ବୈଠକରେ ଆମେରିକାକୁ ଏପରି ସତର୍କବାଣୀ ଶୁଣାଇଦେବା ଉଚିତ୍‌ ମନେକରିଛନ୍ତି । ସିଏ ତ ଏକଥା ମଧ୍ୟ କହି ସାରିଛନ୍ତି ଯେ ଆମେରିକା ଯଦି ତା’ର ନୀତିକୁ ବଦଳାଇ ତୁରସ୍କକୁ ପୂର୍ବପରି ସାମରିକ ସରଞ୍ଜାମ ଯୋଗାଇ ନ ଦିଏ; ତେବେ ତୁରସ୍କ ମଧ୍ୟ ତା’ର ପ୍ରତିକ୍ରିୟାରୂପେ ତୁରସ୍କରେ ଥିବା ଆମେରିକାର ସାମରିକ ଘାଟୀଗୁଡ଼ିକୁ ଉଠାଇନେବା ଲାଗି ଆଦେଶ ଦେବାକୁ ବାଧ୍ୟ ହେବ ।

ଗତ କୋଡ଼ିଏ ବରଷର ମେଣ୍ଟ-ରାଜନୀତି ଯେ ପ୍ରକୃତରେ ଆଦୌ କୌଣସି ବାସ୍ତବ ରାଜନୀତି ନଥିଲା, ଏହିସବୁ ଘଟଣାରୁ ତାହା ବଡ଼ ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଯାଉଛି । ଏହି ମେଣ୍ଟଗୁଡ଼ିକର ପ୍ରତିଷ୍ଠା ହେବା ସମୟରେ ସେଗୁଡ଼ିକର ଆଦୌ କୌଣସି ବାସ୍ତବ ପ୍ରୟୋଜନ ଥିଲା କି ନାହିଁ, ପୃଥିବୀର ରାଜନୀତିଜ୍ଞ ସମୀକ୍ଷକମାନେ କ୍ରମେ ସେହି ପ୍ରଶ୍ନଟିକୁ ମଧ୍ୟ ପଚାରିବାକୁ ଆରମ୍ଭ କଲେଣି । ସାନ ପିଲାଙ୍କୁ ବଡ଼ମାନେ ଆକର୍ଷକ ଦ୍ରବ୍ୟମାନ ଆଣି ଦିଅନ୍ତି । ତା’ପରେ ଅମୁକ କଥାଟିକୁ ନ କଲେ ସେଗୁଡ଼ିକୁ ଛଡ଼ାଇ ନେଇ ନିଆଯିବ ବୋଲି ଧମକ ଦେଖାନ୍ତି । ଆମେରିକା ଏକଦା ସାନ ସାନ ଦେଶମାନଙ୍କୁ ସାମରିକ ସାହାଯ୍ୟର ଆକର୍ଷଣମାନ ଦେଖାଇ ଆପଣା ବଶରେ ରଖିଥିଲା ବୋଲି କଳ୍ପନା କରୁଥିଲା । ତୁରସ୍କ ସାଇପ୍ରସ୍‌ ସମସ୍ୟାଟିର ସମାଧାନ ଦିଗରେ ଯେପରି କାର୍ଯ୍ୟ କରୁ ବୋଲି ଆମେରିକା ଇଚ୍ଛା କରୁଛି, ତୁରସ୍କ ତାହା ନ କରିବାରୁ ଆମେରିକା ପୂର୍ବରୁ ଆଣି ପହଞ୍ଚାଇ ଦେଇଥିବା ଆକର୍ଷଣଗୁଡ଼ିକୁ ଆଉ ପହଞ୍ଚାଇ ଦେବ ନାହିଁ ବୋଲି କୋମଳ ଧମକମାନ ମଧ୍ୟ ଦେବାକୁ ଆରମ୍ଭ କଲାଣି ।

ଏହି ଧମକଗୁଡ଼ାକ ଅନେକ ସମୟରେ ବୁମେରାଙ୍ଗ୍‌ ପରି ମଧ୍ୟ କାର୍ଯ୍ୟ କରୁଛି । ତୁରସ୍କ ଓ ତା’ଭଳି ଅନେକ ଅତିଲାଳିତ ଦେଶ ସାମରିକ ସାହାଯ୍ୟଗୁଡ଼ାକୁ କ୍ରମେ ଆପଣାର ଅଧିକାର ଓ ଅବଶ୍ୟ ପ୍ରାପ୍ୟ ବୋଲି ଧରିନେବାକୁ ଶିକ୍ଷା କରିଛନ୍ତି ଓ ସେଇଟା ନହେଲେ ଆମେ ଆମେରିକାର ଯୁଦ୍ଧଘାଟି ଲାଗି ମଧ୍ୟ ଜାଗା ଛାଡ଼ିଦେବୁ ନାହିଁ ବୋଲି ଧମକ ଦେବାର ସୂତ୍ରଗୁଡ଼ିକ ମଧ୍ୟ କ୍ରମେ ଆୟତ୍ତ କରିନେଲେଣି । ଏହାଦ୍ୱାରା ବିଶ୍ୱ ରାଜନୀତିର ଅନେକ ଅସତ୍ୟ ଗୋଟାସୁଦ୍ଧା ପଦାରେ ପଡ଼ିଯାଉଛି । ବିଶ୍ୱ ରାଜନୀତି ଅର୍ଥାତ୍ ଆନ୍ତର୍ଜାତିକ ସମ୍ପର୍କର ମୀମାଂସାକାରୀ କାରଣଗୁଡ଼ାକ ମଧ୍ୟ ଯେ କ୍ରମଶଃ ବଦଳିଯିବାରେ ଲାଗିଛି, ସେକଥାଟିର ପ୍ରମାଣ ମଧ୍ୟ ଆମ ସମସ୍ତଙ୍କୁ ମିଳିଯାଉଛି ।

ମେଣ୍ଟଗୁଡ଼ାକ ପରି ସାମରିକ ଘାଟୀଗୁଡ଼ାକ ମଧ୍ୟ ପୃଥିବୀରେ ଶାନ୍ତି ରଖିବାରେ କୌଣସି ପ୍ରୟୋଜନରେ ଆସିବ ନାହିଁ । ବଡ଼ ସାନ ନିର୍ବିଶେଷରେ ପ୍ରତ୍ୟେକ ଦେଶ ଅନ୍ୟ ପ୍ରତ୍ୟେକ ଦେଶକୁ ଯଥୋଚିତ ସ୍ୱୀକୃତି ଓ ସମ୍ମାନ ଶିଖିଲେ ଯାଇ ଆମେ ସେହି ଶାନ୍ତି ଦିଗରେ ଅନେକ ଅଗ୍ରସର ହୋଇ ଯାଇପାରିବା ।

ତା ୩୧.୦୫.୧୯୭୫ ରିଖ

Image

 

ବାସନ୍ଦ କର

 

ପ୍ରାଚୀନ ପୃଥିବୀରେ ମଣିଷ ଯାହାକିଛି କରୁଥିଲା, ତା’ଭିତରେ ସେ ଭଗବାନଙ୍କୁ ଆଣି ଜଡ଼ିତ କରିରଖୁଥିଲା । ଏବେ ସତେ ଅବା ରାଜନୀତି ହିଁ ପୂର୍ବର ସେହି ଧର୍ମର ସ୍ଥାନ ଅଧିକାର କରିବାରେ ଲାଗିଲାଣି । ଖାଲି ଧର୍ମ ଭିତରେ ନୁହେଁ; ଖେଳ, ସାଂସ୍କୃତିକ ସମ୍ୱନ୍ଧ ଓ ସାଂସ୍କୃତିକ ଯାବତୀୟ ଉଦ୍ୟମ ଭିତରେ ମଧ୍ୟ ରାଜନୀତିର ଅନୁପ୍ରବେଶ ହେଲାଣି ।

 

ଦକ୍ଷିଣ-ଆଫ୍ରିକାରେ ବହୁସଂଖ୍ୟକ କଳାଙ୍କ ଉପରେ ଅଳ୍ପସଂଖ୍ୟକ ଗୋରାଙ୍କର ଯେଉଁ ଅପଶାସନ ଚାଲିଛି, ସେଥିଲାଗି ପୃଥିବୀର ଅନ୍ୟାନ୍ୟ ଅନେକ ଦେଶ ଦକ୍ଷିଣ-ଆଫ୍ରିକାକୁ ତା’ର ସେହି ହୀନ ନୀତିଟିରୁ ନିବୃତ୍ତ କରିରଖିବାକୁ ଚାହୁଛନ୍ତି । ସେମାନେ ଦକ୍ଷିଣ-ଆଫ୍ରିକାକୁ ଜାତିସଂଘରୁ ବହିଷ୍କୃତ କରିରଖିଛନ୍ତି, ତାହାର ଅର୍ଥନୈତିକ ବାସନ୍ଦ କରିଛନ୍ତି । ମାତ୍ର ସେହି କାର୍ଯ୍ୟପନ୍ଥାଗୁଡ଼ାକ କାର୍ଯ୍ୟସାଧକ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ସେଗୁଡ଼ାକ ଯେଉଁ ସକାଶେ କାର୍ଯ୍ୟକାରୀ ହୋଇ ନ ପାରୁଛି, ତାହାର କାରଣ ବେଶ୍‌ ଜଣାଥିଲେ ମଧ୍ୟ କେହି ତାହାର ପ୍ରତିକାର କରିପାରୁ ନାହାନ୍ତି । ତେଣୁ ଆଉ କିଛି ବାଟ ନ ପାଇ ପ୍ରସ୍ତାବ ପାଶ୍‌ କରିସେମାନେ ଦକ୍ଷିଣ-ଆଫ୍ରିକାକୁ ଅମୁକ ଖେଳରୁ ବା ସମୁକ ପ୍ରତିଯୋଗିତାରୁ ବାସନ୍ଦ କରିରଖିବା ଲାଗି ଭାରି ଉତ୍ସାହର ସହିତ ଲାଗିପଡ଼ିଛନ୍ତି ।

 

ଜାତିସଂଘ ଭିତରେ ଆରବ ଭୂଖଣ୍ଡର ଅନେକ ଦେଶ ସଭ୍ୟ ହୋଇ ରହିଛନ୍ତି ଓ ସେମାନଙ୍କୁ ସମର୍ଥନ କରୁଥିବା ଏକ ଗୋଷ୍ଠୀ ମଧ୍ୟ ସେଠାରେ ରହିଛି । ପେଟ୍ରୋଲ ରାଜନୀତିର ଚାପ ପକାଇ ଆରବ ଦେଶମାନେ ସେହି ଗୋଷ୍ଠୀଟିକୁ ଆପଣା ଆଡ଼କୁ ଆହୁରି ଅଧିକ ଆଉଜାଇ ରଖିବାର ଚେଷ୍ଟା କରିବାରେ ଲାଗିଛନ୍ତି ଏବଂ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକରେ ମଧ୍ୟ ଇସ୍ରାଏଲ ବିରୁଦ୍ଧରେ ସତେ ଅବା ଗୋଟିଏ ଶିବିର ତିଆରି କରିବାର ଚେଷ୍ଟା ହେବାରେ ଲାଗିଛି

 

ୟୁନେସ୍କୋ ସଂସ୍ଥା ଜାତିସଂଘର ଏକ ଶାଖାନୁଷ୍ଠାନ ହୋଇଥିଲେ ମଧ୍ୟ ସେଠାରେ ରାଜନୀତିର କୌଣସି ସ୍ଥାନ ନାହିଁ । ରାଜନୀତି ନିର୍ବିଶେଷରେ ପୃଥିବୀର ବିଭିନ୍ନ ଦେଶ, ଧର୍ମ ଓ ଭାଷାର ମଣିଷ ପରସ୍ପର ସହଯୋଗୀ ହୋଇ କାର୍ଯ୍ୟ କରିବେ; ଶିକ୍ଷା, ସଂସ୍କୃତି ତଥା ବିଜ୍ଞାନ ପ୍ରଭୃତି କ୍ଷେତ୍ରଗୁଡ଼ିକରେ ସେମାନେ ପରସ୍ପର ନିକଟବର୍ତ୍ତୀ ହୋଇ ପୃଥିବୀରେ ରହିଆସିଥିବା ରାଜନୀତିକ ଓ ଜାତିଗତ ଦ୍ୱେଷଗୁଡ଼ାକର ଦାଉକୁ ଊଣା କରିବାର ଚେଷ୍ଟା କରିବେ, ୟୁନେସ୍କୋ ସେହି ଅନ୍ୟ ଉଦ୍ଦେଶ୍ୟରେ ତିଆରି ହୋଇଥିଲା ଓ ସେହି ଅନ୍ୟ ଉଦ୍ଦେଶ୍ୟଟି ଲାଗି କାମ କରିଆସୁଛି । ଏବେ ଆରବ ଦେଶଗୁଡ଼ିକ ଆପଣା ପକ୍ଷରେ ଅଧିକ ମତ ହାସଲ କରିତାହାରି ଦ୍ୱାରା ଶତ୍ରୁ ଇସ୍ରାଏଲକୁ ୟୁନେସ୍କୋରୁ ବାସନ୍ଦ କରିରଖିବେ ବୋଲି ଯାଉଛନ୍ତି ।

 

ଏହି ବାସନ୍ଦ ଓ ବହିଷ୍କାର ଫଳରେ ଇସ୍ରାଏଲ ୟୁଉନେସ୍କୋର କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବ ନାହିଁ । ୟୁନେସ୍କୋ ମାଧ୍ୟମରେ ପୃଥିବୀର ବିଭିନ୍ନ ଦେଶ ମଧ୍ୟରେ ଶିକ୍ଷା, ସଂସ୍କୃତି ଓ ବିଜ୍ଞାନର କ୍ଷେତ୍ରରେ ଯେଉଁ ଆଦାନପ୍ରଦାନ ହେଉଛି, ଇସ୍ରାଏଲକୁ ସେହିସବୁ କ୍ଷେତ୍ରରେ ସତେ ଅବା ଅସ୍ପୃଶ୍ୟ କରିରଖାଯିବ । ଏହାଦ୍ୱାରା ଆରବଦେଶଗୁଡ଼ିକ କେତେଦୂର ଲାଭବାନ ହେବେ କେଜାଣି ? ମାତ୍ର ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏପରି ହେଲେ ୟୁନେସ୍କୋର ଅସଲ ଲକ୍ଷ୍ୟଟି ବଡ଼ କ୍ଷତିଗ୍ରସ୍ତ ହେବ ଓ ୟୁନେସ୍କୋ କ୍ରମେ ରାଜନୀତିକ ଦୁରାତ୍ମତାର ଏକ ମୁକ୍ତ ପ୍ରାଙ୍ଗଣରେ ପରିଣତ ହୋଇଯିବ ।

 

ପୃଥିବୀର ଅନେକ ଦେଶରୁ ଓ ସଂସ୍କୃତିର ଅନେକ କ୍ଷେତ୍ରରୁ କେତେ କେତେ ପ୍ରଖ୍ୟାତ ବ୍ୟକ୍ତି ଏହି ପଦକ୍ଷେପଟିର ତୀବ୍ର ପ୍ରତିବାଦ କରିଛନ୍ତି । ଏହି ପ୍ରତିବାଦକାରୀଙ୍କ ମଧ୍ୟରେ ବ୍ରିଟେନର ବୈଜ୍ଞାନିକ ଜୁଲିଆନ ହକ୍‌ସଲେ ଅଛନ୍ତି, ଔପନ୍ୟାସିକ ଗ୍ରାହାମ୍‌ ଗୀନ୍‌ ଅଛନ୍ତି, ବିଖ୍ୟାତ ବେହେଲାବାଦକ ୟହୁଦୀ ମେନୁହିନ ବି ଅଛନ୍ତି । ସାହିତ୍ୟରେ ନୋବେଲ ପୁରସ୍କାର ଲାଭ କରିଥିବା ଜର୍ମାନୀର ହାଇନରିଖ୍‌ ବ୍ୟୂଲେ ଅଛନ୍ତି, ଏଯୁଗର ଜଣେ ପୁରୋଭାଗସ୍ଥ ଚିନ୍ତାନାୟକ ସାର୍ତ୍ତ୍ର ଅଛନ୍ତି, ନାଟ୍ୟକାର ଆୟୋନେସ୍କୋ ଅଛନ୍ତି ଏବଂ ଏବେ ନେହରୁ ପୁରସ୍କାର ପାଇଥିବା ଫ୍ରାନ୍‍ସର ପ୍ରଖ୍ୟାତ ଲେଖକ ଆଁଦ୍ରେ ମାଲ୍‌ର ମଧ୍ୟ ରହିଛନ୍ତି । ଭାରତୀୟ ଚିନ୍ତାକ୍ଷେତ୍ରରେ ପ୍ରଧାନ ପ୍ରଧାନ ବ୍ୟକ୍ତିମାନେ ମଧ୍ୟ ଏହି ପ୍ରତିବାଦରେ ଆପଣାକୁ ସମ୍ମିଳିତ କରିବେ ବୋଲି ଅପେକ୍ଷା ରହିଛି ।

 

ଦ୍ୱିତୀୟ ମହାଯୁଦ୍ଧ ପୂର୍ବରୁ ପୃଥିବୀର ମଣିଷମାନେ ନାନା ଶିବିରରେ ଓ ନାନା ସ୍ୱାର୍ଥରେ ବିଭକ୍ତହୋଇ ରହିଥିଲେ ଓ ତାହାକୁ ହିଁ ସାଧାରଣତଃ ଏକମାତ୍ର ବାସ୍ତବ ଭାଗ୍ୟ ବୋଲି ମାନି ନିଆଯାଉଥିଲା । ଦ୍ୱିତୀୟ ମହାଯୁଦ୍ଧ ପରେ ନାନା କାରଣରୁ ମଣିଷର ସେହି ପୁରୁଣା କଳ୍ପନା ଓ ପୁରୁଣା ମଡ଼େଲଗୁଡ଼ାକ ଭାଙ୍ଗିଗଲା । ରାଜନୀତି ଓ ଦ୍ୱେଷଭାବନାକୁ ଯଥାସମ୍ଭବ ଗୌଣ କରିରଖି ମଣିଷକୁ ମଣିଷର ନିକଟବର୍ତ୍ତୀ କରାଇ ଆଣିବା ଲାଗି ପୁଣି ଉଦ୍ୟମ କରାଗଲା । ଆନ୍ତର୍ଜାତିକ ସ୍ତରରେ ଦେଶ ଓ ଦେଶର ସହଯୋଗ-କ୍ଷେତ୍ରରେ ୟୁନେସ୍କୋକୁ ହିଁ ଆମେ ସେହି ଉଦ୍ୟମର ଏକ ସବଳ ଦୃଷ୍ଟାନ୍ତ ବୋଲି କହିପାରିବା ଏବଂ, ସେହି ୟୁନେସ୍କୋ ଭିତରେ ଯଦି ରାଜନୀତି ପୂରାଇ ଏହି ଉଦ୍ୟମଟିକୁ ହତବଳ କରିଦେବାର ଚେଷ୍ଟା କରାଯାଏ, ତେବେ ତାହା ମନୁଷ୍ୟଜାତିର ଭବିଷ୍ୟତ ଲାଗି ଆଉ ସହାୟକ ହୋଇପାରିବ କିପରି ?

 

ଆରବଦେଶ ଓ ଇସ୍ରାଏଲ ମଧ୍ୟରେ ଯେଉଁସବୁ ବିବାଦମାନ ରହିଛି, ରାଜନୀତିକ ମାର୍ଗରେ ତାହାର ନିଶ୍ଚୟ ଏକ ସମାଧାନ ହେବ ଏବଂ ସେହି ସମାଧାନଗୁଡ଼ିକୁ ଖୋଜିବା ଲାଗି ଆନ୍ତର୍ଜାତିକ କ୍ଷେତ୍ରରେ ଏକାଧିକ ଆସ୍ଥାନ ମହଜୁଦ ରହିଛି । ତେଣୁ ରାଜନୀତିର ସୀମାଗୁଡ଼ାକୁ ଅତିକ୍ରମ କରିଯେଉଁଠି ମଣିଷକୁ ମଣିଷର ସହାୟକ ଓ ପରିପୂରକ ହିସାବରେ ଆଣି ଠିଆ କରାଇବା ଲାଗି ପ୍ରୟାସ କରାଯାଉଛି, ସେଠାରେ ଆମେ କାହିଁକି ରାଜନୀତିର କଣ୍ଟାଗୁଡ଼ାକୁ ପକାଇ କୌଣସି ହସ୍ତକ୍ଷେପ କରିବାକୁ ଯିବା ?

 

ତା ୦୧-୦୬-୧୯୭୫ ରିଖ

Image

 

ଆଫ୍ରିକାର ହିଟ୍‌ଲର

 

ଗତ ଦୁଇଟି ଦଶକ ମଧ୍ୟରେ ଆଫ୍ରିକା ମହାଦେଶର ବିଭିନ୍ନ ଦେଶ ସ୍ୱାଧୀନତା ଲାଭକରିବା ପରେ ସେଠାରେ ନାନା ବିଚିତ୍ର ପ୍ରକାରର ନେତୃତ୍ୱ ଜନ୍ମଲାଭ କରିବାରେ ଲାଗିଛି । ଆଫ୍ରିକା ଆପଣାର ସ୍ୱକୀୟ ଏବଂ ସଳଖ ବାଟଟିକୁ ପାଇବା ପର୍ଯ୍ୟନ୍ତ ସେଠାରେ ଯେ ଏହିପରି ବହୁ କିସମର ନେତୃତ୍ୱକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଥିବ, ସେକଥାଟି ସତେଅବା ଅବଶ୍ୟମ୍ଭାବୀ ପରି ମନେହେଉଛି । ଆଫ୍ରିକାର ଅଧିବାସୀମାନେ ଏହିପରି ଭାବରେ ନେତୃତ୍ୱର ନାନାବିଧି ବେଶବଦଳା ଓ ପଟବଦଳା ଦେଖିବେ, ଏହିପରି ଭାବରେ ରାଜନୈତିକ ପରିପକ୍ୱତା ଲାଭ କରିବେ ଓ ତା’ପରେ ଆପଣାର ବାଟଟିକୁ ବାଛିନେବେ ।

ଉଗାଣ୍ଡାର ଶାସକ ଇଡ଼ି ଅମିନ ସାରା ଆଫ୍ରିକାରେ ଏକ ଅନନ୍ୟ ପ୍ରକାରର ନେତୃତ୍ୱର ଦୃଷ୍ଟାନ୍ତ ହୋଇ ରହିଛନ୍ତି । ଉଗାଣ୍ଡା ବାହାରେ ଆଫ୍ରିକାର ଅନ୍ୟ ଦେଶମାନଙ୍କରେ ତାଙ୍କୁ ଆଫ୍ରିକାର ହିଟଲର ବୋଲି କୁହାଯାଉଛି ଏବଂ ଆଫ୍ରିକାର ରାଜନୀତିକ ଆକାଶରେ ଏକ ଲଜ୍ଜାକର ଦୁଷ୍ଟ ଶକୁନ ବୋଲି କୁହାଯାଉଛି । ଅମିନ ଅତ୍ୟନ୍ତ ପ୍ରକାଶ୍ୟ ଭାବରେ ଆଡ଼ଲଫ ହିଟଲରଙ୍କୁ ହିଁ ଆପଣାର ମଡ଼େଲରୂପେ ଗ୍ରହଣ କରିଛନ୍ତି । ଏବେ ଉଗାଣ୍ଡାର ଏକ ସହରରେ ସେ ହିଟଲରଙ୍କର ସମ୍ମାନରେ ଏକ ସ୍ମାରକ ନିର୍ମାଣ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଆପଣାକୁ ନେଇ ସେ ଉଗାଣ୍ଡା ଓ ସମଗ୍ର ଆଫ୍ରିକା ବିଷୟରେ କେଡ଼େ କେଡ଼େ ସ୍ୱପ୍ନ ଦେଖିବାରେ ଲାଗିଛନ୍ତି । ସତେ ଅବା ଆଫ୍ରିକାରେ ରାଜଚକ୍ରବର୍ତ୍ତୀ ହୋଇ ବାହାରିବେ ବୋଲି ପଣ କରିଛନ୍ତି । କ୍ଷମତାରେ ରହିବାକୁ ହେଲେ ନେତାଙ୍କୁ ଆଖି ବୁଜି ନୃଶଂସ ହେବାକୁ ପଡ଼ିବ ବୋଲି ସେ କେତେଥର ହୁଙ୍କାର ଦେଇ କହିସାରିଲେଣି । ବିଦେଶରୁ ସାହାଯ୍ୟ ଆଣି ସେ ଆପଣାର ସୈନ୍ୟବାହିନୀକୁ ସ୍ଥଳ, ଜଳ ତଥା ଆକାଶ ମାର୍ଗରେ ପୂରା ଶକ୍ତିଶାଳୀ କରିବାର ଅଭିପ୍ରାୟରେ ଅଗ୍ରସର ହେବାରେ ଲାଗିଛନ୍ତି ଓ ତାହାରି ଉପରେ ହିଁ ସବୁଠାରୁ ବଡ଼ ଭରସା ରଖିଛନ୍ତି । ‘‘ଶକ୍ତ ଏବଂ ବଳୁଆ ହୋଇପାରିଲେ ଯାଇ ଜଣେ ମଣିଷକୁ ସମସ୍ତେ ସମ୍ମାନ ଦେଖାଇବେ ଓ ଭଲ ପାଇପାରିବେ’’ ବୋଲି ସେ ବିଶ୍ୱାସ କରୁଛନ୍ତି ।

ଆଡ଼ଲଫ୍‌ ହିଟଲର ଆପଣାର ନାନା କୌଶଳ କରିଜର୍ମାନୀର ଜନତାଙ୍କୁ ଦିନେ କାବୁ କରିବ୍ୟବହାର କରିପାରୁଥିଲେ; ସଂସାର ଲାଗି କେଡ଼େ ପ୍ରମାଦ ଭିଆଇଲେ, କେତେ ଅକୀର୍ତ୍ତି ଅର୍ଜିଲେ । ମାତ୍ର ବର୍ତ୍ତମାନ ତାଙ୍କ ନିଜ ଜର୍ମାନୀରେ ମଧ୍ୟ ସେ ଭୟାବହତାର ଏକ ସନ୍ତକ ହୋଇ ବସିଲେଣି । ରାଜନୀତିର ବାଟ ଯେ ହିଟଲରର ବାଟ ନୁହେଁ, ଆଧୁନିକ ପୃଥିବୀ କ୍ରମେ ସେହି ବିଷୟରେ ସ୍ପଷ୍ଟ ହେବାରେ ଲାଗିଛି । ତେଣୁ ଉଗାଣ୍ଡାର ଅମିନ ଯେ ତାଙ୍କୁ ପୋଷ୍ୟବାପ କରିଆଣି ଏକ ଆଦର୍ଶରୂପେ ଜୀଆଇ ରଖିବାକୁ ଇଚ୍ଛା କରୁଛନ୍ତି, ଆଫ୍ରିକାରେ ମଧ୍ୟ ରାଜନୀତିକ ସଚେତନତା ରହିଥିବା ଲୋକମାନେ ସେଥିରେ ଆତଙ୍କିତ ହେବାକୁ ଆରମ୍ଭ କଲେଣି । ହିଟଲର ଆଗକୁ ବଢ଼ି ବଢ଼ି କ୍ରମେ ଆପେ ହିଁ ଆପଣାର ଉଗ୍ରତା ଏବଂ ଉତ୍ପୀଡ଼ନଗୁଡ଼ାକାର ଶିକାର ହେଲେ, ଅମିନ ବଢ଼ି ବଢ଼ି ଓ ଫୁଲି ଫୁଲି କେଉଁଯାଏ ଯାଇ ପାରିବେ କେଜାଣି ?

ସମସ୍ତ ଆଫ୍ରିକାର ଅମିନଙ୍କ ଲାଗି ସମସ୍ତେ ଅଶ୍ୱସ୍ତି ପ୍ରକାଶ କରୁଛନ୍ତି ସତ, ମାତ୍ର ପ୍ରତିବେଶୀ ଦେଶ ତାଞ୍ଜାନିଆ ଉପରେ ହିଁ ଅମିନଙ୍କର ସବୁଠାରୁ ବଡ଼ ରୋଷଆଖିଗୁଡ଼ାକ ଯାଇ ପଡ଼ିଥିଲା ପରି ମନେହେଉଛି । କାରଣଟା ଅତ୍ୟନ୍ତ ସ୍ପଷ୍ଟ । ଲୋକମତ ଦ୍ୱାରା ନିର୍ବାଚିତ ହୋଇ ଅମିନ ଗାଦିକୁ ଆସିନାହାନ୍ତି । ଉଗାଣ୍ଡାରେ ତତ୍କାଳୀନ ନିର୍ବାଚିତ ରାଷ୍ଟ୍ରପତି ଡକ୍ଟର ମିଲଟନ ଓବୋଟେଙ୍କୁ ସୈନ୍ୟଦଳର ଭୟପ୍ରଦର୍ଶନ କରାଇ ତତ୍କାଳୀନ ସେନାଧ୍ୟକ୍ଷ ଅମିନ ସେହିଦିନଠାରୁ ଉଗାଣ୍ଡାର ସର୍ବାଧ୍ୟକ୍ଷ ହୋଇ ବସିଛନ୍ତି ଏବଂ ଦେଶକୁ ସୈନ୍ୟଶାସନ ଦ୍ୱାରା ବାଡ଼େଇପିଟି ସାଧ୍ୟ କରିବାରେ ଲାଗିଛନ୍ତି । ଗାଦିଚ୍ୟୁତ ଓବୋଟେ ତାଞ୍ଜାନିଆରେ ଆଶ୍ରୟ ଗ୍ରହଣ କରିଛନ୍ତି ଏବଂ ଅମିନ ଏପର୍ଯ୍ୟନ୍ତ ତାଙ୍କର ଭୂତକୁ ଭୟ କରୁଛନ୍ତି ବୋଲି ତାଞ୍ଜାନିଆକୁ ହିଁ ଆପଣାର ପରମ ଶତ୍ରୁ ଓ ପରମ ପ୍ରମାଦସ୍ଥଳ ରୂପେ ଦେଖୁଛନ୍ତି ।

ତାଞ୍ଜାନିଆକୁ ଭୟ ଦେଖାଇବା ସକାଶେ ଦୁଇ ଦେଶ ମଝିରେ ଥିବା ଭିକ୍ଟୋରିଆ ହ୍ରଦରେ ଅମିନଙ୍କର ବିଦେଶରୁ ପ୍ରାପ୍ତ ଦ୍ୱିଚର ଯୁଦ୍ଧଯାନମାନ ପଇଁତରା ମାରିବାରେ ଲାଗିଛନ୍ତି । ତାଙ୍କ ଉଡ଼ାଜାହାଜଗୁଡ଼ାକ ତାଞ୍ଜାନିଆର ଆକାଶ ମଧ୍ୟକୁ କେତେଥର ଉଡ଼ି ମଧ୍ୟ ଗଲେଣି । ସମଗ୍ର ଆଫ୍ରିକା ମହାଦେଶରେ ତାଞ୍ଜାନିଆ ହୁଏତ ଏକମାତ୍ର ଦେଶ ଯାହାକୁ କି ସାମରିକ ବଳାତ୍କାର ଓ ଶାସନାଧିକାରର ଆଘାତ ଏପର୍ଯ୍ୟନ୍ତ ସହ୍ୟ କରିବାକୁ ପଡ଼ିନାହିଁ । ତେଣୁ ବଳାତ୍କାରରେ କ୍ଷମତାଧୀଶ ହୋଇ ବସିଥିବା ଇଡ଼ି ଅମିନଙ୍କ ଆଖିଗୁଡ଼ାକ ଯେ ଆହୁରି ଗାଢ଼ ହୋଇ ତାଞ୍ଜାନିଆ ଉପରେ ପଡ଼ୁଥିବ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ ।

ଅମିନଙ୍କର ଶକ୍ତିଶାଳୀ ସୈନ୍ୟବଳ ଶାସନ ଉଗାଣ୍ଡାର ଅଧିବାସୀମାନଙ୍କର ମୁହଁକୁ ଗୋଟାସୁଦ୍ଧା ସିଲାଇ କରିରଖିଛି । ସେତିକି ବ୍ୟତୀତ ସେଠାରେ ଅନ୍ୟ କୌଣସି ଆଇନ ସକାଶେ ସ୍ଥାନ ହିଁ ନାହିଁ । ତାଙ୍କ ଅନୁପସ୍ଥିତିରେ ଆଉ କେଉଁ ଆତତାୟୀ କାଳେ ମଉକା ପାଇ ତାଙ୍କର ଆସନଟିକୁ ହରଣ କରିନେଇଯିବ, ସେଥିଲାଗି ଅମିନ ବିଦେଶକୁ ଯିବା ମଧ୍ୟ ପ୍ରାୟ ବନ୍ଦ କରିଦେଇଛନ୍ତି । ଆପଣାର ଜୀବନଗଛଟିକୁ ସେ ପ୍ରାୟ ଉଜାଗର ରହିତିନି ହାତରେ ତିନିଖଣ୍ଡା ଧରି ଜଗି ରହିଛନ୍ତି । ସବୁ ନୃଶଂସ ଶାସକ ଇତିହାସରେ ପ୍ରାୟ ଏହିପରି ହିଁ କରିଛନ୍ତି ।

ତା ୦୩-୦୬-୧୯୭୫ ରିଖ

Image

 

ଲାଓସ୍‌ର ନବବର୍ଷ

 

ଏପ୍ରିଲ ମାସର ମଝିଆମଝି ହୋଇ ଲାଓସ୍‌ର ପାଞ୍ଜି ଅନୁସାରେ ସେଠି ନବବର୍ଷ ଆରମ୍ଭ ହୁଏ । ଆମର ଏଠାରେ ଯେପରି ଠିକ୍‌ ପ୍ରାୟ ସେହି ସମୟକୁ ବୈଶାଖ ସଂକ୍ରାନ୍ତିଠାରୁ ନୂଆବର୍ଷ ଗଣନା ହୁଏ, ସେହିପରି ।

 

ଏବର୍ଷ ନୂଆବର୍ଷଟି ଆରମ୍ଭ ହେବା ଦିନଠାରୁ ଲାଓସ୍‌ର ରାଜନୀତିକ ପରିସ୍ଥିତିରେ ସତେ ଅବା ଏକ ନୂତନ ପର୍ବର ଆରମ୍ଭ ହୋଇଛି । ଏହି ନୂତନ ପର୍ବଟିକୁ ଆମେ ଏକ ନୀରବ ଓ ଶାନ୍ତିପୂର୍ଣ୍ଣ ବିପ୍ଳବର ପର୍ବ ବୋଲି ମଧ୍ୟ କହିପାରିବା । ଲାଓସ୍‌ ଦେଶ ଗତ ତିରିଶି ବର୍ଷ ହେଲା ଯେଉଁ ରାଜନୀତିକ ଅଶାନ୍ତିମୟତା ମଧ୍ୟରେ ରହିବାକୁ ବାଧ୍ୟ ହୋଇ ଆସିଥିଲା, ତାହାର ଅବଶେଷରେ ଏକ ଅବସାନ ଘଟି ଆସୁଥିବା ପରି ମନେହେଉଛି । ବାହାରର ସାମରିକ ହସ୍ତକ୍ଷେପ ହିଁ ଲାଓସ୍‌କୁ ଶତ ଅଶାନ୍ତି ମଧ୍ୟରେ ରଖି ଆସିଥିଲା । ପ୍ରଥମେ ଫ୍ରାନସ୍‌ ଓ ତା’ପରେ ଦକ୍ଷିଣ ଭିଏତ୍‌ନାମରୁ ଯୁକ୍ତରାଜ୍ୟ ଆମେରିକାର ହସ୍ତକ୍ଷେପ ଦ୍ୱାରା ଲାଓସ୍‌ ଅନୁକ୍ଷଣ କଲବଲ ହେବାରେ ଲାଗିଥିଲା । ଇଣ୍ଡୋଚୀନ ଅଞ୍ଚଳକୁ ନେଇ ଜେନେଭାଠାରେ ଦୁଇ ଦୁଇଟା ରାଜିନାମା ହେଲା । ଗୋଟାଏ ୧୯୫୪ରେ ହେଲା ଓ ଆଉ ଗୋଟାଏ ୧୯୬୨ ମସିହାରେ ହେଲା, ମାତ୍ର ତାହା ଫଳରେ ଲାଓସ୍‌ର ତିରିଶି ଲକ୍ଷ ବୌଦ୍ଧଧର୍ମାବଲମ୍ୱୀ ଅଧିବାସୀ ତଥାପି ଶାନ୍ତିରେ ରହିପାରିଲେ ନାହିଁ । କାରଣ ଯୁକ୍ତରାଜ୍ୟ ଆମେରିକା ଦକ୍ଷିଣ ଭିଏତ୍‌ନାମକୁ ସର୍ବଦା ଆପଣାର ଏକ ସଖୀକଣ୍ଢେଇ କରିରଖିବାକୁ ଇଚ୍ଛା କରୁଥିଲା ଏବଂ ତାହାରି ଫଳରେ ସମଗ୍ର ଇଣ୍ଡୋଚୀନ ସତେ ଅବା ଅଭିଶାପ ପାଇଥିବା ପରି ଶାନ୍ତିରୁ ବଞ୍ଚିତ ହୋଇ ରହିଥିଲା, ଆନ୍ତର୍ଜାତିକ କୂଟନୀତି ଲାଗି ଏକ ଗୋଳିଆ ପୋଖରୀ ହୋଇ ରହିଥିଲା ।

 

୧୯୬୨ ମସିହାରେ ଜେନେଭାଠାରେ ଯେଉଁ ରାଜିନାମାଟି ସ୍ୱାକ୍ଷରିତ ହୋଇଥିଲା, ତାହା ଲାଓସ୍‌ରେ ଏକ ମିଳିତ ସରକାରର ଗଠନ ଲାଗି କ୍ଷେତ୍ର ପ୍ରସ୍ତୁତ କରିଦେଇଥିଲା ଏବଂ ତେରଟି ଭିନ୍ନ ଭିନ୍ନ ଦେଶ ଲାଓସ୍‌ର ନିରପେକ୍ଷତା ରକ୍ଷା ଲାଗି ଗ୍ୟାରେଣ୍ଟି ଦେଇଥିଲେ । ଏହି ଦେଶଗୁଡ଼ିକ ମଧ୍ୟରେ ଚୀନ ଥିଲା, ଆମେରିକା ବି ଥିଲା । ମାତ୍ର ଏହି ରାଜିନାମା ଓ ଏହି ଗ୍ୟାରେଣ୍ଟିକୁ ମାନିଲା କିଏ ? ଥାଇଲାଣ୍ଡକୁ ସାମରିକ ଘାଟୀରୂପେ ବ୍ୟବହାର କରିଆମେରିକା ଲାଓସ୍‌ ସହିତ ଦକ୍ଷିଣ ତଥା ଉତ୍ତର ଭିଏତ୍‌ନାମ ଉପରେ ବୋମା ବରଷାଇବାରେ ଲାଗିଥିଲା ।

 

ଭିଏତ୍‌ନାମର ଦୀର୍ଘ ଯୁଦ୍ଧ ଓ ଆମେରିକାନ ହସ୍ତକ୍ଷେପର ଅନ୍ତ ହୋଇ ଆସିବା ସଙ୍ଗେ ସଙ୍ଗେ ଲାଓସ୍‌ର ଇତିହାସରେ ମଧ୍ୟ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଗଲା । ଜାତୀୟ ଆସେମ୍ବ୍ଳି ଭାଙ୍ଗିଦେଇ ଏକ ନୂତନ ପ୍ରତିନିଧିସଭା ଗଠନ ଉଦ୍ଦେଶ୍ୟରେ ଗୋଟିଏ ସାଧାରଣ ନିର୍ବାଚନ କରାଇବାକୁ ଏବଂ ସମୁଦାୟ ଲାଓସ୍‌ର ପ୍ରକୃତ ଲୋକପ୍ରତିନିଧିମାନଙ୍କୁ ନେଇ ଏକ ସ୍ଥାୟୀ ଜାତୀୟ ସରକାରର ପ୍ରତିଷ୍ଠା କରିବାକୁ ଏପ୍ରିଲ ମାସ ଅଧବେଳକୁ ଲାଓସ୍‌ର ପ୍ରଧାନମନ୍ତ୍ରୀ ଯୁବରାଜ ସୁବର୍ଣ୍ଣ ଫୁମା ଗୋଟିଏ ଘୋଷଣା କରିଥିଲେ । ତା’ର ଅବ୍ୟବହିତ ପରେ ହିଁ ଦକ୍ଷିଣ ଭିଏତ୍‌ନାମରେ ଯୁଦ୍ଧ ସରିଲା । ଲାଓସ୍‌ କାଳବିଳମ୍ୱ ନକରି କାମ୍ବୋଡ଼ିଆର ନୂତନ ସରକାର ଏବଂ ଦକ୍ଷିଣ ଭିଏତ୍‌ନାମର ବିପ୍ଳବୀ ସରକାରଙ୍କୁ ଆପଣାର ସ୍ୱୀକୃତି ଜଣାଇଥିଲା । ଏହିସବୁ ନୂତନ ପଦକ୍ଷେପ ଯୋଗୁଁ ସରକାରର ଦକ୍ଷିଣପନ୍ଥୀ ଚାରିଜଣ ମନ୍ତ୍ରୀ ପ୍ରତିବାଦ କରିଇସ୍ତଫା ଦେଇଥିଲେ ଏବଂ ଥାଇଲାଣ୍ଡ ପଳାଇଯାଇଥିଲେ ।

 

ଲାଓସ୍‌ର ରାଜଧାନୀ ଭିଏଣ୍ଟିଏନ ନିକଟସ୍ଥ ଗୋଟିଏ ସହରରେ ଦକ୍ଷିଣପନ୍ଥୀ ଏବଂ ଜାତୀୟତାବାଦୀ ସୈନ୍ୟଙ୍କ ମଧ୍ୟରେ ଯେଉଁ ଲଢ଼େଇ ଆରମ୍ଭ ହୋଇଥିଲା, ତାହାକୁ ଲାଓସ୍‌ ସରକାର ଶୀଘ୍ର ଆପଣାର ନିୟନ୍ତ୍ରଣକୁ ଆଣି ପାରିଥିଲେ । ଏହା ପରେ ପରେ ସେହି ମେ’ ମାସ ପ୍ରଥମ ସପ୍ତାହରେ ଦୁର୍ନୀତିଗ୍ରସ୍ତ କେତେଜଣ ଦକ୍ଷିଣପନ୍ଥୀ ଅଫିସରଙ୍କ ବିରୁଦ୍ଧରେ ଲାଓସ୍‌ର ସୈନ୍ୟବାହିନୀ ଓ ଆକାଶବାହିନୀରେ ଏକ ବିଦ୍ରୋହର ଘୋଷଣା କରା ଯାଇଥିଲା । ସେହି ଅଫିସରମାନେ ମଧ୍ୟ ଶେଷକୁ ଥାଇଲାଣ୍ଡ ଆଡ଼େ ପଳାଇଯାଇଛନ୍ତି ବୋଲି ଖବର ମିଳୁଛି । ଜାତୀୟ ବାହିନୀ ବର୍ତ୍ତମାନ ଲାଓସ୍‌ର ସବୁ ଅଞ୍ଚଳକୁ ଆପଣାର ଦଖଲରେ ରଖିଛନ୍ତି ।

 

ଲାଓସ୍‌ର ରାଜଧାନୀ ଏବଂ ଅନ୍ୟାନ୍ୟ ସହରଗୁଡ଼ିକରେ ଆମେରିକା-ବିରୋଧୀ ପ୍ରତିବାଦର ତରଙ୍ଗ ଛୁଟିଛି । ଛାତ୍ରମାନେ ଆମେରିକାନ୍‌ ଦୂତାବାସ ସମେତ ଅନ୍ୟାନ୍ୟ କେନ୍ଦ୍ରଗୁଡ଼ିକୁ ଆପଣାର ଅବରୋଧ ମଧ୍ୟରେ ରଖିଛନ୍ତି ଓ ଆମେରିକା ତା’ର ଯାବତୀୟ ସାହାଯ୍ୟସଂସ୍ଥାକୁ ଲାଓସ୍‌ରୁ ଅପସରାଇ ନେଉ ବୋଲି ଦାବୀ କରୁଛନ୍ତି । ଆମେରିକା ସରକାର ମଧ୍ୟ ପବନର ଗତିଟିକୁ ବୁଝି ଆପଣାର ଲୋକଙ୍କୁ ଲାଓସ୍‌ରୁ ଅନ୍ୟତ୍ର ନେଇଯିବାକୁ ଆରମ୍ଭ କଲେଣି । ଆଉ ଡଲେସ୍‌ ଯୁଗର ହସ୍ତକ୍ଷେପ ନୀତି ଯେ କୌଣସି କାମ ଦେବନାହିଁ ଭିଏତ୍‌ନାମର ଅଭିଜ୍ଞତା ପରେ ଆମେରିକା ସରକାର ଅନ୍ତତଃ ଏତିକି ଶିକ୍ଷାଲାଭ କରିଥିବେ ।

 

‘‘ଏଥର ଇତିହାସ ସହିତ ବୁଝାମଣା କରିବାକୁ ହେବ ଏବଂ ଇଣ୍ଡୋଚୀନର ଭୂଖଣ୍ଡରେ ଉପୁଜିଥିବା ପରିସ୍ଥିତିର ନୂତନ ବାସ୍ତବତାଗୁଡ଼ିକୁ ସ୍ୱୀକାର କରିନେଇ ତଦନୁରୂପ ଅଗ୍ରସର ହେବାର ମୁହୂର୍ତ୍ତଟି ଆସି ପହଞ୍ଚିଛି’’ ବୋଲି ଲାଓସ୍‌ର ପ୍ରଧାନମନ୍ତ୍ରୀ ଏବେ ଘୋଷଣା କରିକହିଛନ୍ତି ।

 

ସମଗ୍ର ଭିଏତ୍‌ନାମରେ ଗୋଟିଏ ଭାଷା, ଗୋଟିଏ ଇତିହାସ, ଗୋଟିଏ ସଂସ୍କୃତି ଓ ଗୋଟିଏ ଆର୍ଥିକ ଜୀବନ ବୋଲି ଥରେ ହୋ ଚି ମିନ୍‌ ଦିଲ୍ଲୀଠାରେ ଏକ ଭାଷଣରେ କହିଥିଲେ । ଆନ୍ତର୍ଜାତିକ ଖଳରାଜନୀତି ଏହାକୁ ଗତ କୋଡ଼ିଏ ବର୍ଷ ହେଲା ଚାରିଖଣ୍ଡରେ ବିଭକ୍ତ କରିରଖିଥିଲା ଓ ଗୋଟିଏ ଜାତିର ଭାଗ୍ୟକୁ ନେଇ ଖେଳ ଖେଳୁଥିଲା । ଆପଣାର ମୁକ୍ତି ଏବଂ ଏକତା ଲାଗି ଭିଏତ୍‌ନାମର ଅଧିବାସୀମାନଙ୍କୁ ଅନେକ ରକ୍ତ ଦେବାକୁ ପଡ଼ିଲା, ଅନେକ ଭୟାବହ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଲା । ଏଥର ଚରୋଟିଯାକ ଖଣ୍ଡ ଗୋଟିଏ ହୃଦୟ ହୋଇ ଯୋଡ଼ିହୋଇଯିବ । ଲାଓସ୍‌ର ନବବର୍ଷ ତାହାରି ସଙ୍କେତ ବହନ କରିଆସିଥିଲା ପରି ମନେହେଉଛି-

 

ତା ୦୪-୦୬-୧୯୭୫ ରିଖ

Image

 

ମେଣ୍ଟରେ ଅମେଣ୍ଟ

 

ଇଂରାଜୀ ଠାରଭାଷାରେ ଯାହାକୁ ନାଟୋ ବୋଲି କୁହାଯାଏ, ତାହା ହେଉଛି ଏକ ସାମରିକ ମେଣ୍ଟ । ପଶ୍ଚିମ ୟୁରୋପର ପ୍ରାୟ ସବୁ ଦେଶକୁ ବା ଆହୁରି ଯଥାର୍ଥ ଭାବରେ କହିଲେ ପ୍ରାୟ ସବୁ ଅଣକମ୍ୟୁନିଷ୍ଟ ଦେଶକୁ ଏକାଠି ଗୋଟିଏ ଫାଶରେ ଗୁନ୍ଥି ଯୁକ୍ତରାଷ୍ଟ୍ର ଆମେରିକାର ତତ୍ତ୍ୱାବଧାନ ଏବଂ ଅର୍ଥ ଅନୁଦାନରେ ଦ୍ୱିତୀୟ ମହାଯୁଦ୍ଧ ପରେ ଏହି ମେଣ୍ଟ ଗଠିତ ହୋଇଥିଲା । ବେଲଜିଅମ୍‌ର ରାଜଧାନୀ ବ୍ରସେଲଠାରେ ଏହାର କେନ୍ଦ୍ର ଦପ୍ତରମାନ ରହିଲା । କେବଳ ସୁଇଡ଼େନକୁ ଛାଡ଼ି ନରୱେଠାରୁ ଆରମ୍ଭ କରିଇଂଲଣ୍ଡ ଓ ଜର୍ମାନୀ ସମେତ ପୂର୍ବ ଦିଗରେ ଗ୍ରୀସ୍‌ ଓ ତୁରସ୍କ ପର୍ଯ୍ୟନ୍ତ ସେତେବେଳେ ପ୍ରାୟ ସବୁ ଅଣକମ୍ୟୁନିଷ୍ଟ ଦେଶଙ୍କୁ ସେହି ମେଣ୍ଟରେ ଗୁନ୍ଥି ନିଆଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଦେଶସବୁର ପ୍ରାୟ ଅଣ୍ଟା ଭାଙ୍ଗିପଡ଼ିଥିଲା । ଏଗୁଡ଼ିକର ଶୁଶ୍ରୁଷା ଲୋଡ଼ା ଥିଲା, ସାହାଯ୍ୟ ଓ ଅଭୟ ଲୋଡ଼ା ଥିଲା । ସେମାନେ ସମସ୍ତେ ବରମିତ୍ର ଆମେରିକାର ବଦାନ୍ୟତାକୁ ଅପେକ୍ଷା କରିରହିଥିଲେ ଏବଂ ସେଇଥିରୁ ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନର ଜନ୍ମ ହେଲା । ଏହାର ଏକ ତାତ୍କାଳିକ ପରିଣାମ ସ୍ୱରୂପ ନାଟୋର ପ୍ରତ୍ୟେକ ସଦସ୍ୟ ଦେଶରେ ଆମେରିକାର ସୈନ୍ୟଛାଉଣୀ ରହିଲା । ଆମେରିକା ଏହି ଦୃଷ୍ଟିରୁ ଏସବୁ ଦେଶର ନିରାପତ୍ତା ସକାଶେ ଦାୟୀ ହୋଇ ରହିଲା ।

 

ଏସବୁ ଘଟଣା ଆଜି ତିରିଶି ବର୍ଷର ପୁରୁଣା କଥା ହୋଇଗଲାଣି । ମାତ୍ର ପୂର୍ଣ୍ଣ ଉପଚାର ସହିତ ତିରିଶିବର୍ଷ ହେଲା ନାଟୋର ସାମୟିକ ସମ୍ମିଳନୀମାନ ବସୁଛି ଓ ଏକ ନୂଆ ପୃଥିବୀର ପରିପ୍ରେକ୍ଷୀ ଉପରେ ସେଠାରେ ସେହି ପୁରୁଣା କଥାଗୁଡ଼ାକର ଆଲୋଚନା ହେଉଛି । ଏବେ ଏହି ସପ୍ତାହରେ ମଧ୍ୟ ସେହିପରି ଏକ ଅଧିବେଶନ ହୋଇଗଲା ଏବଂ ଆମେରିକାର ରାଷ୍ଟ୍ରପତି ଫୋର୍ଡ଼ ସ୍ୱୟଂ ଏହି ଅଧିବେଶନରେ ଯୋଗ ଦେବାକୁ ବ୍ରସେଲ୍‌ ଆସିଥିଲେ ।

 

ସାମରିକ ମେଣ୍ଟଗୁଡ଼ାକ ଯେ ଆଦୌ ସ୍ଥାୟୀ ହୋଇପାରନ୍ତି ନାହିଁ, ସାମରିକ ମେଣ୍ଟଗୁଡ଼ାକ ଯେ ପ୍ରକୃତରେ କୌଣସି ପ୍ରକାର ସ୍ଥାୟୀ ଆନ୍ତରିକ ମେଣ୍ଟ ସ୍ଥାପନ କରିପାରନ୍ତି ନାହିଁ, ଯୁଦ୍ଧର ପ୍ରାଚୀନ ତଥା ଆଧୁନିକ ଇତିହାସ ଆମକୁ ତାହାର ଭୁରି ଭୁରି ପ୍ରମାଣ ଦେଇଯିବ । ତେଣୁ ଇତିହାସରେ ଅନ୍ୟାନ୍ୟ ନାନା ସାମରିକ ମେଣ୍ଟର କ୍ଷେତ୍ରରେ ଯାହା ହୋଇଛି, ନାଟୋ କ୍ଷେତ୍ରରେ ମଧ୍ୟ ଠିକ୍‌ ତାହା ହିଁ ଦଶା ହୋଇଛି । ସାମରିକ ନିରାପତ୍ତାର ଆଦର୍ଶଠାରୁ ଉଚ୍ଚତର ଆହୁରି ଅନେକ ଜାତୀୟ ଏବଂ ମାନବିକ ଆଦର୍ଶ ଏହି କ୍ଷେତ୍ରଟିରେ ଆସି ହସ୍ତକ୍ଷେପ କରିଛି ଏବଂ ସାମରିକ ମେଣ୍ଟର ସ୍ତମ୍ଭଗୁଡ଼ାକୁ ଦୁର୍ବଳ କରିପକାଇଛି । ଭୟ ହିଁ ସାମରିକ ଯାବତୀୟ ସମରମେଣ୍ଟର ସର୍ବମୂଳ ପ୍ରେରଣା ହୋଇ ରହିଥାଏ ଏବଂ ଭୟ କଦାପି ବିଭିନ୍ନ ବ୍ୟକ୍ତି ବା ବିଭିନ୍ନ ସମୂହକୁ କୌଣସି ପ୍ରକାର ସ୍ଥାୟୀ ଆନ୍ତରିକ ଐକ୍ୟରେ ବାନ୍ଧି ରଖିପାରେ ନାହିଁ । ତେଣୁ ମେଣ୍ଟରେ ଅମେଣ୍ଟ ଆସି ଉପୁଜିଥାଏ ।

 

ସାନ, ବକଟେନାକୁ ଦେଶ ହଲାଣ୍ଡ–ନାଟୋ ସଂସ୍ଥାର ଏକ ପୁରାତନ ସଦସ୍ୟ ହଲାଣ୍ଡ ସରକାର ଏଥର ନାଟୋ କେନ୍ଦ୍ର-ଦପ୍ତରକୁ ଜଣାଇ ଦେଇଛନ୍ତି ଯେ ଯଦି ଆଟଲାଣ୍ଟିକ ଚୁକ୍ତି ସଂଗଠନ ସ୍ପେନ୍‌ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶଗୁଡ଼ିକ ସହିତ ଯୋଗସୂତ୍ର ସ୍ଥାପନ କରିରଖିବାରେ ପ୍ରବୃତ୍ତ ହୁଏ, ତେବେ ହଲାଣ୍ଡ ନାଟୋ ଛାଡ଼ି ବାହାରି ଆସିବ ଓ ସେହି ସଂଗଠନର ଆଉ ସଦସ୍ୟ ହୋଇ ରହିବ ନାହିଁ । ଏହାର ପଛରେ ଯେଉଁ ଅସଲ ଘଟଣାଟି ରହିଛି, ସେଇଟି ହେଉଛି ଯେ ନାଟୋ କର୍ତ୍ତୃପକ୍ଷ ଏବେ ଦକ୍ଷିଣ ଆଫ୍ରିକାରେ ଏକ ରାଡ଼ାରକେନ୍ଦ୍ର ବସାଇବାକୁ ଇଚ୍ଛା କରୁଛନ୍ତି । ଦକ୍ଷିଣ ଆଫ୍ରିକା ଅର୍ଥାତ୍ ଉତ୍ତମାଶା ଆନ୍ତରୀପ ବାଟେ ବୁଲି ଯେଉଁ ସୋଭିଏତ୍‌ ଜାହାଜମାନେ ସମୁଦ୍ରପଥରେ ଯାତାୟତ କରୁଛନ୍ତି, ସେମାନଙ୍କ ବିଷୟରେ ଖବର ସଂଗ୍ରହ କରିବା ଲାଗି ଏହି ରାଡ଼ାରକେନ୍ଦ୍ର ବସାଇବାର ବିଚାର କରାଯାଉଛି । ହଲାଣ୍ଡ ଏଥିରେ ସମ୍ମତ ନହୋଇ ପ୍ରତିବାଦ କରିଛି ।

 

ନାଟୋର ନିଜ ଇସ୍ତାହାର ଅନୁସାରେ ନାଟୋ ହେଉଛି ଗଣତନ୍ତ୍ରରେ ବିଶ୍ୱାସ ରଖିଥିବା ଓ ଗଣତନ୍ତ୍ରକୁ କାର୍ଯ୍ୟକାରୀ କରୁଥିବା ଦେଶମାନଙ୍କର ଗୋଟିଏ ମେଣ୍ଟ । ପୃଥିବୀରେ କୁଆଡ଼େ ଗଣତନ୍ତ୍ରକୁ ନିରାପଦ ରଖିବା ଉଦ୍ଦେଶ୍ୟରେ ହିଁ ସେହି ମେଣ୍ଟର ଯାହାକିଛି ସାମରିକ ଏବଂ ଅଣସାମରିକ ଉଦ୍ୟମ ଏବଂ ଇଉରୋପରେ ସ୍ପେନ ଏପରି ଗୋଟିଏ ଦେଶ, ଯେଉଠି ସରକାର ଗଣତନ୍ତ୍ରରେ କୌଣସି ବିଶ୍ୱାସ କରନ୍ତି ନାହିଁ । ଏକଚ୍ଛତ୍ର ଶାସକ ଫ୍ରାଙ୍କୋଙ୍କ ଅନ୍ତେ ସେଠାରେ ଆଜି ମଧ୍ୟ ଫ୍ରାଙ୍କୋଙ୍କର ମଡ଼େଲଗୁଡ଼ାକ ଜବର ଆସନ ଜମାଇ ରହିଛି । ନାଟୋ ସଂଗଠନର ଏବେ ଯେଉଁ ସମ୍ମିଳନୀ ହେଲା, ସେଥିରେ ପାଶ୍ଚାତ୍ୟ ଶକ୍ତିମାନଙ୍କର ସୁରକ୍ଷା ଉଦ୍ୟମରେ ସ୍ପେନର ମଧ୍ୟ ଯେଉଁ ଅବଦାନ ରହିଛି, ତାହାରି ପ୍ରଶଂସା କରିନାଟୋ ପକ୍ଷରୁ ଏକ ଇସ୍ତାହାର ଘୋଷିତ ହେବ ବୋଲି ଆମେରିକା ତରଫରୁ ପ୍ରସ୍ତାବ ଆସିଥିଲା । ହଲାଣ୍ଡ ସେଥିରେ ମଧ୍ୟ ଅମଙ୍ଗ ହୋଇ ତାହାର ପ୍ରତିବାଦ କରିଥିଲା ।

 

ତିରିଶି ବର୍ଷ ତଳର ଇଉରୋପ ଆଜି ଅନେକ ବଦଳିଯାଇଛି । କାରଣ ତିରିଶି ବର୍ଷ ତଳର ପୃଥିବୀ ମଧ୍ୟ ବଦଳିଯାଇଛି । ସେତେବେଳର ଅନେକ ଭୟ ଆଜି ମିଛଭୟ ବୋଲି ପ୍ରମାଣିତ ହୋଇଯାଇଛି । ପୃଥିବୀରେ ଆଗରୁ ଥିବା ଉପନିବେଶ ଓ ସାମ୍ରାଜ୍ୟଗୁଡ଼ାକ ଏହା ଭିତରେ ଭାଙ୍ଗିଯାଇଛି । ସେତେବେଳେ ଇଉରୋପ ନାନା କାରଣରୁ ମଜବୁର ହୋଇ ବିଚ୍ଛିନ୍ନ ଭାବରେ ଆପଣାର ସ୍ୱାର୍ଥଟି ଦୃଷ୍ଟିରୁ ହିଁ ପୃଥିବୀର ଓ ରାଜନୀତିର ଚିନ୍ତା କରୁଥିଲା । ଏପରିକି ସେହି ଇଉରୋପକୁ ମଧ୍ୟ ପଶ୍ଚିମ ଓ ପୂର୍ବ ଦୁଇଖଣ୍ଡରେ ବିଭକ୍ତ କରିମଝିରେ ଗୋଟାଏ ପ୍ରକାଣ୍ଡ କଣ୍ଟାବାଡ଼ ଠିଆ ହୋଇ ରହିଥିଲା । ବର୍ତ୍ତମାନ ଇଉରୋପ ଆପଣାକୁ ଏକ ଭିନ୍ନ ପୃଥିବୀ ମଧ୍ୟରେ ଅନୁକୂଳିତ କରିରଖିବାଲାଗି ଚିନ୍ତା କରିବାକୁ ବାଧ୍ୟ ହେଲାଣି । ମିଳିତ ଜାତିସଂଘର ସଭ୍ୟସଂଖ୍ୟା ସେତେବେଳର ପଚାଶରୁ ବର୍ତ୍ତମାନ ୧୩୦ ଡେଇଁ ଗଲାଣି । ଇଉରୋପର ଦେଶଗୁଡ଼ିକ ଯଦି ଗଣତନ୍ତ୍ରରେ ବିଶ୍ୱାସ କରୁଥାନ୍ତି, ତେବେ ସେମାନେ ବୃହତ୍ତର ପୃଥିବୀମେଣ୍ଟ ବା ମାନବମେଣ୍ଟରେ ଅଧିକରୁ ଅଧିକ ଯଥାର୍ଥ ଭାବରେ ସହଯୋଗ କରିଶିଖିବେ ନା ସେହି ପୁରୁଣା ଡିହବାଡ଼ିଗୁଡ଼ାକୁ ନେଇ ପଡ଼ିରହିବେ, ଇଉରୋପ ଲାଗି ଆଜି ତାହାହିଁ ସର୍ବବୃହତ୍‌ ଆହ୍ୱାନ । ଉଇରୋପ ଏହି ଆହ୍ୱାନଟିର ଯେପରି ଜବାବ ଦେବ, ପୃଥିବୀ ଆଜି ସେହି ଅନୁସାରେ ହିଁ ଇଉରୋପର ବିଚାର କରିବ ।

 

ତା ୦୫-୦୬-୧୯୭୫ ରିଖ

Image

 

ପୁଣି ଦକ୍ଷିଣ ଆଫ୍ରିକା

 

ଆଗରୁ ଆଫ୍ରିକା ମାନଚିତ୍ରର ଦକ୍ଷିଣ ଭାଗରେ ଯେଉଁ ଦେଶଟିକୁ ଦକ୍ଷିଣ ପଶ୍ଚିମ ଆଫ୍ରିକା ବୋଲି କୁହାଯାଉଥିଲା, ଆଫ୍ରିକାବାସୀଙ୍କର ଭାଷା ଅନୁସାରେ ତାହାକୁ ଏବେ ନାମିବିୟା ବୋଲି କୁହାଯାଉଛି । ପୃଥିବୀର ସବୁ ଦେଶ କ୍ରମେ ସ୍ୱତନ୍ତ୍ର ହେବେ ଓ କେହି କାହାରି ଉପନିବେଶ ହୋଇ ରହିବେ ନାହିଁ ବୋଲି ମିଳିତ ଜାତିସଂଘ ମୂଳରୁ ଯେଉଁ ମୌଳିକ ନୀତିଟିକୁ ମାନିନେଇଛି, ତାହାରି ଅନୁସାରେ ଏହି ମଇମାସ ସୁଦ୍ଧା ନାମିବିୟାରେ ଏକ ମୁକ୍ତ ନିର୍ବାଚନ ହୋଇ ଲୋକପ୍ରତିନିଧି ସରକାର ଗଢ଼ାହେବାର କଥା । ନାମିବିୟା ଜାତିସଂଘର ଏକ ପ୍ରସ୍ତାବ ଅନୁସାରେ ଦକ୍ଷିଣଆଫ୍ରିକାର ମାରଫତରେ ରହିଥିଲା ଏବଂ ନିର୍ଦ୍ଦିଷ୍ଟ ମିଆଦଟି ପରେ ଦକ୍ଷିଣ ଆଫ୍ରିକା ନାମିବିୟାରୁ ଆପଣାର ମାରଫତଦାରୀ ଉଠାଇନେବ ବୋଲି କଥା ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ସ୍ୱୟଂ ମୁକ୍ତ ନିର୍ବାଚନରେ ବିଶ୍ୱାସ କରେନାହିଁ । ସେଠାରେ ଚାରିଭାଗ ମଣିଷଙ୍କର ଅଧିକାରକୁ ଅସ୍ୱୀକାର କରିମାତ୍ର ଭାଗେ ଲୋକ ତଥାକଥିତ ଏକ ଗୋରା ମନମୁଖିତନ୍ତ୍ର ହିଁ ଚଳାନ୍ତି । ତେଣୁ ଦକ୍ଷିଣ ଆଫ୍ରିକା ନାମିବିୟାକୁ ଗଣତନ୍ତ୍ର ଲାଗି ବାଟ ଛାଡ଼ିଦେବ ବୋଲି ସହଜରେ ବିଶ୍ୱାସ ବା କିପରି କରାଯାଇଥାନ୍ତା ?

 

ମଇମାସ ତିରିଶି ତାରିଖ ଅତିକ୍ରାନ୍ତ ହୋଇଗଲା, କିନ୍ତୁ ଦକ୍ଷିଣ ଆଫ୍ରିକା ଚୁକ୍ତିର ପାଳନ କଲାନାହିଁ । ହୁଏତ ଦକ୍ଷିଣ ଆଫ୍ରିକା ଚାହୁଛି ଯେ ଦକ୍ଷିଣ ଆଫ୍ରିକା ପରି ନାମିବିୟାରେ ମଧ୍ୟ ବହୁସଂଖ୍ୟକ କଳାଲୋକଙ୍କର ଗୋଡ଼ହାତ ବାନ୍ଧି ଅଳ୍ପସଂଖ୍ୟକ ଗୋରାଲୋକଙ୍କର ହିଁ ଶାସନ ଚାଲୁ-। ନାମିବିୟାରେ ବହୁମତ ଯଥାର୍ଥ ପ୍ରତିନିଧିଶାସନ ଚାଲିଲେ ତାହା ଯେ ଦକ୍ଷିଣ ଆଫ୍ରିକା ଲାଗି ଏକ କଣ୍ଟା ହୋଇ ରହିବ, ଏକଥା କ’ଣ ଦକ୍ଷିଣ ଆଫ୍ରିକାର ସରକାର ବୁଝି ପାରୁନଥିବେ ? ତେବେ ଯେ ଜାଣୁଜାଣୁ ବିପଦ ଲାଗି ବାଟ ଛାଡ଼ିଦେବେ କିପରି ?

 

ଯେଉଁ ମୁକ୍ତିକାମୀ ସଂଗ୍ରାମୀମାନେ ନାମିବିୟାରେ କଳା ଓ ଗୋରା ନିର୍ବିଶେଷରେ ସବୁ ମଣିଷଙ୍କୁ ମାନବିକ ତଥା ଗଣତାନ୍ତ୍ରିକ ମୌଳିକ ଅଧିକାରମାନ ମିଳୁ ବୋଲି ସ୍ୱର ଉଠାଇ ଆସିଛନ୍ତି, ସେମାନେ ଆଜି ହଜାର ହଜାର ସଂଖ୍ୟାରେ ବନ୍ଦୀଶାଳାରେ ରହିଛନ୍ତି । ଅର୍ଥାତ୍ ଲୋକମାନଙ୍କର ପ୍ରକୃତ ପ୍ରତିନିଧିମାନେ ହିଁ ଜେଲ ଭିତରେ ଅଛନ୍ତି । ତେଣୁ ଏହିପରି ଏକ ପରିସ୍ଥିତି ମଧ୍ୟରେ ସେଠାରେ କି ପ୍ରତିନିଧି ଶାସନ ସମ୍ଭବ ହେବ ଓ ନାମିବିୟା ଏକ ପୂର୍ଣ୍ଣସ୍ୱାଧୀନ ରାଷ୍ଟ୍ର ହିସାବରେ ଆପଣାର ନିର୍ଣ୍ଣାୟକ ପଦକ୍ଷେପଟିକୁ ଗ୍ରହଣ କରିପାରିବ ?

 

ମିଳିତ ଜାତିସଂଘର ନିଷ୍ପତ୍ତିଟିକୁ ଦକ୍ଷିଣ ଆଫ୍ରିକା ଯେ ମାନିଲା ନାହିଁ, ତାହାରି ବିଚାର କରିବା ଲାଗି ଅର୍ଥାତ୍ ଏହି ଚୁକ୍ତିଭଙ୍ଗ ଲାଗି ଦକ୍ଷିଣ ଆଫ୍ରିକା ପ୍ରତି ଆବଶ୍ୟକ ଦଣ୍ଡବିଧାନ କରିବାକୁ ଏବେ ନିରାପତ୍ତା ପରିଷଦର ବୈଠକ ବସିଛି । ଦକ୍ଷିଣ ଆଫ୍ରିକା ଏଥର ସର୍ବପ୍ରଥମଥର ପାଇଁ ବିଶ୍ୱ ପାର୍ଲାମେଣ୍ଟର ଚୁକ୍ତିଭଙ୍ଗ କରିନାହିଁ । ଏହା ପୂର୍ବରୁ ଏପରି ଘଟଣା ଏକାଧିକ ଥର ଘଟିଛି । ଶାସ୍ତିବିଧାନ ମଧ୍ୟ ହୋଇଛି । ଦକ୍ଷିଣ ଆଫ୍ରିକାକୁ ବିଶ୍ୱସଭାରୁ ବହିଷ୍କୃତ କରାଯାଇଛି, ଦକ୍ଷିଣ ଆଫ୍ରିକାକୁ ପୃଥିବୀର ସବୁ ଦେଶ ଆର୍ଥିକ ବୟକଟ କରନ୍ତୁ ବୋଲି କେତେଥର ପ୍ରସ୍ତାବମାନ ପାସ୍‌ କରାହୋଇଛି । ଏଥର ମଧ୍ୟ ହୁଏତ ସେହିପରି କିଛି ଗୋଟାଏ ଘଟିବ ଏବଂ ଆଗପରି ଏଥର ମଧ୍ୟ ଦକ୍ଷିଣ ଆଫ୍ରିକା ତାହାକୁ ପିଠେଇ ଦେଇ ଚାଲିଯିବ ଅଥଚ ତା’ର କିଛି ହେବନାହିଁ ।

 

ପୂର୍ବତନ ଉପନିବେଶଗୁଡ଼ିକର ସ୍ୱାଧୀନତାକୁ ଯଥାସମ୍ଭବ ତ୍ୱରାନ୍ୱିତ କରିଦେବା ପାଇଁ ମିଳିତ ଜାତିସଂଘ ତରଫରୁ ଯେଉଁ ବିଶେଷ କମିଟିଟି ରହିଛି, ଏବେ ତାହାରି ପକ୍ଷରୁ ନିଯୁକ୍ତ ହୋଇଥିବା ଗୋଟିଏ ଉପସମିତି ଅଭିଯୋଗ କରିକହିଛି ଯେ ନାଟୋ ସାମରିକ ମେଣ୍ଟ ରୋଡ଼େସିଆରେ ଅବସ୍ଥାପିତ ଗୋରା ସଂଖ୍ୟାଲଘୁ ସରକାରକୁ ଉଡ଼ାଜାହାଜ, ଟ୍ୟାଙ୍କ୍‌ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ରମାନ ସାହାଯ୍ୟ କରୁଛି । ରୋଡ଼େସିଆକୁ କୌଣସି ଦେଶ ଏପରି ସାମରିକ ସାହାଯ୍ୟ ଦେଇପାରିବେ ନାହିଁ ବୋଲି ଓ ତାହା ସହିତ କୌଣସି ଆର୍ଥିକ କାରବାର ରଖିବେ ନାହିଁ ବୋଲି ଏକଦା ନିରାପତ୍ତା ପରିଷଦରେ ଏକ ପ୍ରସ୍ତାବ କରାଯାଇଥିଲା ଓ ନିର୍ଦ୍ଦେଶ ଦିଆଯାଇଥିଲା । ଉପସମିତିର ମନ୍ତବ୍ୟଟି ଅନୁସାରେ ଇଂଲଣ୍ଡ ଓ ଆମେରିକା ଏପରି ନିର୍ଦ୍ଦେଶକୁ ଅମାନ୍ୟ କରିଆସିଛନ୍ତି ।

 

ଏହି କ୍ଷେତ୍ରରେ କୌଣସି ଶାସ୍ତି ଯେ ଶାସ୍ତିପରି କଦାପି କାର୍ଯ୍ୟ କରିପାରିବ ନାହିଁ, ସେକଥା ଅତ୍ୟନ୍ତ ସ୍ପଷ୍ଟ । ରୋଡ଼େସିଆରେ ଯାହା ଦକ୍ଷିଣ ଆଫ୍ରିକା ବେଳକୁ ମଧ୍ୟ ଠିକ୍‌ ସେଇଆ । ପୃଥିବୀର କେତୋଟି ଦେଶ ଦକ୍ଷିଣ ଆଫ୍ରିକା ଏବଂ ରୋଡ଼େସିଆ ବିରୁଦ୍ଧରେ କରାଯାଇଥିବା ପ୍ରତିବିଧାନଗୁଡ଼ିକୁ ନିଷ୍ଠାପର ଭାବରେ ଅମାନ୍ୟ କରିଥିବାରୁ ହିଁ ଦକ୍ଷିଣ ଆଫ୍ରିକା ଓ ରୋଡ଼େସିଆ ପୃଥିବୀଯାକକୁ ଅମାନ୍ୟ କରିବାକୁ ସମର୍ଥ ହୋଇଛନ୍ତି । ଏହି ଦୁଇଦେଶ ପ୍ରତି କୌଣସି ପ୍ରକାର କଟକଣା ପ୍ରୟୋଗ କରାଗଲାବେଳେ ଇଂଲଣ୍ଡ ଓ ଆମେରିକା ପ୍ରଭୃତି ଦେଶ ପ୍ରାୟ ଏକ ପ୍ରଚ୍ଛନ୍ନ ଖଳତା ସହିତ ପକ୍ଷ ବା ବିପକ୍ଷରେ ଭୋଟ୍‌ ନଦେଇ ନିରପେକ୍ଷ ରହିଛନ୍ତି ଏବଂ ତା’ପରେ ପ୍ରସ୍ତାବଟି ପାସ୍‌ ହୋଇଯିବା ପରେ ନିର୍ଦ୍ଦେଶଟିକୁ ଅମାନ୍ୟ କରିଛନ୍ତି, ଦକ୍ଷିଣ ଆଫ୍ରିକା ଓ ରୋଡ଼େସିଆ ସହିତ ଆର୍ଥିକ କାରବାର ଚାଲୁ ରଖିଛନ୍ତି ଏବଂ ରୋଡ଼େସିଆକୁ ସାମରିକ ସରଞ୍ଜାମମାନ ପଠାଇଛନ୍ତି । ରୋଡ଼େସିଆର ଗୋରା ଶାସକ ୟାନ୍‌ ସ୍ମିଥ୍‌ ସେହି ସରଞ୍ଜାମକୁ କାମରେ ଲଗାଇ ଦେଶରେ କଳା ମୁକ୍ତିକାମୀମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ମଣିଷ ହେବାକୁ ଇଚ୍ଛା କଲାବେଳକୁ ସେ ଅତ୍ୟନ୍ତ ନିର୍ମମ ଭାବରେ କେବଳ ଗୋରାଚମକୁ ହିଁ ମଣିଷର ଚମ ବୋଲି ଗ୍ରହଣ କରିଛନ୍ତି ଓ ଆଫ୍ରିକାର ପ୍ରକୃତ ଅଧିବାସୀମାନଙ୍କୁ ଦାସତ୍ୱର ବ୍ୟବହାର ଦେଖାଇଛନ୍ତି । ବିଂଶ ଶତାବ୍ଦୀରେ ଏକ ମଧ୍ୟଯୁଗୀୟ ବର୍ବରତାକୁ ବଡ଼ ଚମତ୍କାର ଭାବରେ ଜାରିକରିରଖିଛନ୍ତି ଏବଂ ଇଂଲଣ୍ଡ ଓ ଆମେରିକା ବଡ଼ ବିଶ୍ୱସ୍ତ ଭାବରେ ତାଙ୍କରି କିଆରୀକୁ ହିଁ ପାଣି ଦେବାରେ ଲାଗିଛନ୍ତି ।

 

ଏ ରୀତି କେବେ ବଦଳିବ ? ଏ ରୀତି କିପରି ବଦଳିବ ? ମିଳିତ ଜାତିସଂଘ ଯଥାର୍ଥରେ ସର୍ବମଣିଷର ଏକ ଦରବାର ରୂପେ କେବେ ପ୍ରତିଷ୍ଠିତ ହୋଇପାରିବ ? ଏସବୁର ନିର୍ଦ୍ଦିଷ୍ଟ ଉତ୍ତର ନ ମିଳିବା ଯାଏ ପ୍ରସ୍ତାବ ପରେ ପ୍ରସ୍ତାବ ପାସ୍‌ ହେବାରେ ଲାଗିଥିବ, ନଥି ପରେ ନଥି ଜମା ହେବାରେ ଲାଗିଥିବ । ତେବେ ବର୍ବରମାନେ ମଧ୍ୟ ବର୍ବର ହୋଇ ରହିଥିବେ । ଅସ୍ତ୍ରର ଦୌରାତ୍ମ ମଣିଷ ଉପରେ ରଜା ହୋଇ ବସିଥିବ । ଆନ୍ତର୍ଜାତିକ କ୍ଷେତ୍ରରେ ଜଙ୍ଗଲର ମୂର୍ଖତାଗୁଡ଼ାକ ହିଁ ଚାଲିଥିବ ।

 

ତା ୦୬-୦୬-୧୯୭୫ ରିଖ

Image

 

ଜାତିସଂଘ ଉପରେ ଚାପ

 

ଏହି ମାସର ଆରମ୍ଭରେ ଭାରତର ବୈଦେଶିକ ମନ୍ତ୍ରୀ ଶ୍ରୀଯୁକ୍ତ ଯଶୋବନ୍ତ ରାଓ ଚହ୍ୱାଣ ମଧ୍ୟପ୍ରାଚ୍ୟର ସିରିଆ ଗ୍ରସ୍ତରେ ଯାଇଥିଲେ । ସିରିଆର ରାଜଧାନୀ ଡାମସ୍କସଠାରେ ସେ ସେ ଦେଶର ରାଷ୍ଟ୍ରପତି ଏବଂ ବୈଦେଶିକ ବିଭାଗର ମନ୍ତ୍ରୀ ଉଭୟଙ୍କୁ ଭେଟିଥିଲେ । ଗସ୍ତକ୍ରମର ଶେଷରେ ଏହି ଉପଲକ୍ଷେ ଏକ ମିଳିତ ବିବୃତ୍ତି ମଧ୍ୟ ପ୍ରକାଶ ପାଇଥିଲା ।

 

ସେହି ମିଳିତ ବିବୃତ୍ତିରେ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟର ଅଚଳ ଅବସ୍ଥାଟିର ସମାଧାନରେ ଭାରତ ମଧ୍ୟ ଏଣିକି ଉଦ୍ୟମ କରିବ । ବିବୃତ୍ତିରେ ଏକଥା କୁହାଯାଇଛି ଯେ, ଏହି ସମସ୍ୟାଟିର ସମାଧାନ ଦିଗରେ ଭାରତ ଓ ସିରିଆ ଉଭୟେ ମିଶି ଜାତିସଂଘ ଉପରେ ଚାପ ପକାଇବେ ।

 

ଆରବ ଦେଶ ଓ ଇସ୍ରାଏଲ ମଧ୍ୟରେ ଏବେ ଯେଉଁ ଯୁଦ୍ଧ ହୋଇଥିଲା, ସେଥିରେ ଇସ୍ରାଏଲ ବାହିନୀ ସିରିଆର ରାଜଧାନୀର ଅନେକ ନିକଟକୁ ମାଡ଼ି ଆସିପାରିଥିଲେ । ଆଗେ ଇସ୍ରାଏଲ ଓ ସିରିଆ ମଧ୍ୟରେ ଜର୍ଡ଼ାନ ନଦୀ ହିଁ ସୀମା ହୋଇ ରହିଥିଲା । ଜର୍ଡ଼ାନ ନଦୀ ସେପଟକୁ ସିରିଆ ଆଡ଼କୁ ଉଚ୍ଚ ଗୋଲାନ ପର୍ବତ । ତେଣୁ ସିରିଆ ଇସ୍ରାଏଲ ପାଖରୁ ଏହି ଭୌଗୋଳିକ ପ୍ରତିବନ୍ଧକଟି ଦ୍ୱାରା ପ୍ରାୟ ସୁରକ୍ଷିତ ହୋଇ ରହିଥିଲା ଏବଂ ଅପର ପକ୍ଷରେ ସିରିଆପକ୍ଷ ଯେତେବେଳେ ଚାହୁଥିଲେ, ଇସ୍ରାଏଲ ଭିତରକୁ ମାଡ଼ିଆସି ଆତତାୟୀତା କରିପୁଣି ବଡ଼ ସହଜରେ ବାହୁଡ଼ି ଯାଇପାରୁଥିଲେ । ଏହା ଫଳରେ ଇସ୍ରାଏଲକୁ ବଡ଼ ହନ୍ତସନ୍ତ ହେବାକୁ ପଡ଼ୁଥିଲା । ଖୁବ୍‌ ସମ୍ଭବ ସେଇଥିଲାଗି ପ୍ରାୟ ସଂକଳ୍ପ କଲାପରି ଏଥର ଯୁଦ୍ଧରେ ଇସ୍ରାଏଲ ବାହିନୀ ସମସ୍ତ ଶକ୍ତି ପ୍ରୟୋଗ କରିଗୋଲାନ ପର୍ବତରେ ରହିଥିବା ସିରିଆର ସମସ୍ତ ଘାଟୀକୁ ଦଖଲ କରିନେଇଥିଲେ ଓ ପର୍ବତ ସେପାଖକୁ ଆହୁରି ଅନେକ ଦୂରକୁ ମାଡ଼ିଯାଇଥିଲେ ଏବଂ ଯୁଦ୍ଧ ପରେ ସେମାନେ ସିରିଆର ଅଧିକୃତ ଅନ୍ୟ ଅଞ୍ଚଳରୁ ପଛକୁ ଘୁଞ୍ଚି ଆସିଲେ ସତ, ମାତ୍ର ଗୋଲାନ ପର୍ବତର ଅଞ୍ଚଳଟିକୁ ନିଜ ହାତରେ ରଖିଲେ । ଯେତେ ଯାହା ଚୁକ୍ତି ବା ସମାଧାନ ହେଉ ପଛକେ, ଇସ୍ରାଏଲ ବାହିନୀ କଦାପି ଗୋଲାନ ଅଞ୍ଚଳ ଛାଡ଼ିଦେବେ ନାହିଁ ବୋଲି ଇସ୍ରାଏଲ ସରକାର ବହୁବାର ଘୋଷଣା କରିକହିସାରିଛନ୍ତି ।

 

ଏହିପରି ସିରିଆ ଓ ଇସ୍ରାଏଲ ମଧ୍ୟରେ ରହିଥିବା ସୀମାକୁ ନେଇ ଏକ ଅଚଳ ଅବସ୍ଥା ସୃଷ୍ଟି ହୋଇଛି । ଏହି ସମାଧାନ ଲାଗି ଜାତିସଂଘ ଉପରେ ପ୍ରକୃତରେ କେତେଦୂର କି ଚାପ ପକାଇହେବ ? ଜାତିସଂଘ ତ ମଧ୍ୟପ୍ରାଚ୍ୟ ସମସ୍ୟା ଉପରେ ଅତୀତରେ ଏକାଧିକ ପ୍ରସ୍ତାବ କରିଛି ଏବଂ ସଂପୃକ୍ତ ପକ୍ଷମାନେ ତାହାକୁ ନିଷ୍ଠାର ସହିତ ହିଁ ଅମାନ୍ୟ କରିଛନ୍ତି । ଏଇଟା ଏକାବେଳେ ଜଣାଶୁଣା କଥା ଯେ, ବିଶ୍ୱର ବୃହତ୍ ସାମରିକ ଶକ୍ତିମାନେ ମଧ୍ୟପ୍ରାଚ୍ୟର ସମସ୍ୟାଜଙ୍ଗଲଟି ମଧ୍ୟରୁ ଆପଣାକୁ ଅପସରାଇ ନେଇଯାଇ ପାରିଲେ ଯାଇ ମଧ୍ୟପ୍ରାଚ୍ୟର ପ୍ରଶ୍ନଗୁଡ଼ିକୁ ଛିଣ୍ଡାଇବା ଅପେକ୍ଷାକୃତ ଅନେକ ସହଜ ହୋଇଯିବ । କିନ୍ତୁ ବୃହତ୍ ଶକ୍ତିମାନେ ସବୁଠୁଁ ଅପସରି ଗଲେ ସେମାନଙ୍କୁ ଆଉ ବୃହତ୍‌ଶକ୍ତି ବୋଲି କିଏ କାହିଁକି ସ୍ୱୀକାର କରିବ ? ବାଘ ବାଘପଣ ଛାଡ଼ିଦେଲେ ତାହାକୁ ଆଉ ବାଘ ବୋଲି କିଏ କାହିଁକି କହିବ ?

 

ତେଣୁ ଭାରତ ଓ ସିରିଆ ଜାତିସଂଘ ଉପରେ ଚାପ ପକାଇ ପ୍ରକୃତରେ ଖୁବ୍‌ ବେଶୀ କିଛି କରିପାରିବେ ବୋଲି ଖୁବ୍‌ କମ୍‌ ସମ୍ଭାବନା ରହିଛି । ମାତ୍ର ଅନ୍ୟ ପକ୍ଷରେ ମଧ୍ୟପ୍ରାଚ୍ୟର ସମସ୍ୟା-ସମାଧାନ ସକାଶେ ଭାରତ ଯେ ଅନେକ କିଛି କରିପାରିବ ଓ ଅନେକ ପରିମାଣରେ ହୁଏତ ସଫଳ ମଧ୍ୟ ହୋଇପାରିବ, ଏପରି ବିଶ୍ୱାସ କରିବା ଲାଗି ଅନେକ କାରଣ ମହଜୁଦ ରହିଛି । ଇସ୍ରାଏଲକୁ ଭାରତବର୍ଷ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ ସ୍ୱୀକୃତି ଦେଇନାହିଁ ବା ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ଦୂତବିନିମୟ ପ୍ରଭୃତି କୂଟନୈତିକ ସମ୍ପର୍କ ସ୍ଥାପିତ ହୋଇପାରିନାହିଁ । ଏହା ପଛରେ ଅକ୍ତିଆର ବାହାରର ଅନେକ କାରଣ ରହିଛି । ମାତ୍ର ଏକଥା ମଧ୍ୟ ସତ ଯେ ଭାରତର ଇସ୍ରାଏଲ ସହିତ ବାଣିଜ୍ୟିକ ସମ୍ପର୍କ ରହିଛି । ଭାରତରୁ ଏକାଧିକ ବାର ସାଂସ୍କୃତିକ ପ୍ରତିନିଧି ଓ ପରିଦର୍ଶକ ଦଳ ଇସ୍ରାଏଲ ଯାଇଛନ୍ତି । ଇସ୍ରାଏଲରେ ଭାରତବର୍ଷ ପ୍ରତି ଅନେକ ସଦିଚ୍ଛା ରହିଛି ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ, ଇସ୍ରାଏଲର ରାଜନୀତିରେ ତଥା ରାଜନୀତି ବାହାରେ ଏପରି ଅନେକ ପ୍ରତିଷ୍ଠିତ ବ୍ୟକ୍ତି ରହିଛନ୍ତି, ଯେଉଁମାନେ କି ପ୍ରକୃତରେ ବିଶ୍ୱାସ କରନ୍ତି ଯେ ମଧ୍ୟପ୍ରାଚ୍ୟରେ ଆରବ-ଇସ୍ରାଏଲ ବିବାଦରେ ଭାରତ ହିଁ ସବୁଠାରୁ ଅଧିକ ଫଳପ୍ରଦ ଭାବରେ ମଧ୍ୟସ୍ଥତା କରିପାରିବ ।

 

ଭାରତବର୍ଷ ବୋଧହୁଏ ପୃଥିବୀର ଏକମାତ୍ର ଦେଶ, ଯାହା ସହିତ ଇସ୍ରାଏଲ ଏବଂ ଆରବ ଜଗତ ଉଭୟଙ୍କ ସୁସମ୍ପର୍କ ରହିଛି । ଉଭୟ ଶିବିରରେ ଭାରତବର୍ଷ ପ୍ରତି ଅଜସ୍ର ସଦିଚ୍ଛା ରହିଛି । ମଧ୍ୟପ୍ରାଚ୍ୟର ସମସ୍ୟାଗୁଡ଼ିକର କ୍ଷେତ୍ରରେ ଭାରତବର୍ଷ କୌଣସି ପ୍ରକାର ପକ୍ଷପାତ ଦେଖାଇବାର ଯେ ଆଦୌ କୌଣସି କାରଣ ନାହିଁ, ଏକଥା ସେହି ଅଞ୍ଚଳରେ ଅନେକ ଆସନସ୍ଥ ବ୍ୟକ୍ତି ବିଶ୍ୱାସ କରନ୍ତି । ବୃହତ୍‍ଶକ୍ତିମାନଙ୍କ ଉପରେ ରହିଥିବା ବିଶ୍ୱବ୍ୟାପୀ ଅବିଶ୍ୱାସ ଇସ୍ରାଏଲ ଏବଂ ଆରବ ଦେଶମାନଙ୍କରେ ମଧ୍ୟ ବ୍ୟାପକ ଭାବରେ ରହିଛି । ତେଣୁ ଭାରତ ପକ୍ଷରୁ ମଧ୍ୟପ୍ରାଚ୍ୟ ସମସ୍ୟାର ସମାଧାନ ଲାଗି ଏକ ବିଶେଷ ଉଦ୍ୟମ କରାଗଲେ ସେଥିରୁ କୌଣସି ନୂତନ ଫଳ ଫଳିବାର ଅନେକ ସମ୍ଭାବନା ରହିଛି । ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ ଇସ୍ରାଏଲର ସର୍ବାଗ୍ରସ୍ଥାନୀୟ ବୈରୀ ପାଲେଷ୍ଟାଇନ ମୁକ୍ତି ସାମ୍ମୁଖ୍ୟର ନେତାମାନଙ୍କର ମଧ୍ୟ ଭାରତର ସାଧୁତା ଏବଂ ଆନ୍ତରିକତା ଉପରେ ସବୁବେଳେ ପୂର୍ଣ୍ଣ ଆସ୍ଥା ରହିଥିବ । ତେଣୁ ଭାରତ ହିଁ ସମ୍ଭବତଃ ସବୁଠାରୁ ଅଧିକ ସଫଳ ଭାବରେ ମଧ୍ୟପ୍ରାଚ୍ୟରେ ସମ୍ପୃକ୍ତ ଦୁଇପକ୍ଷକୁ ଗୋଟିଏ ଟେବୁଲ ଚାରିପାଖରେ ଏକ ଆଲୋଚନା ଲାଗି ଏକଜୁଟ କରାଇପାରିବ ।

 

ତା ୦୮.୦୬.୧୯୭୫ ରିଖ

Image

 

ଇଣ୍ଡିଆ-ଇଣ୍ଡୋନେସିଆ

 

ଭାରତର ରାଷ୍ଟ୍ରପତି ଶ୍ରୀଯୁକ୍ତ ଫକ୍‌ରୁଦ୍ଦିନ୍‌ ଅଲ୍ଲି ଅହମ୍ମଦ ଏବେ କିଛିଦିନ ଲାଗି ଇଣ୍ଡୋନେସିଆ ଗସ୍ତରେ ଯାଇ ଫେରିଆସିଛନ୍ତି । ଏହାଦ୍ୱାରା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ରହିଥିବା ରାଷ୍ଟ୍ରୀୟ ସମ୍ପର୍କଗୁଡ଼ିକ ଅଧିକ ଦୃଢ଼ୀଭୂତ ହେଲାବୋଲି ଏକ ମିଳିତ ଘୋଷଣାରେ କୁହାଯାଇଛି । ଇଣ୍ଡୋନେସିଆର ବିକାଶ ଯୋଜନାରେ ଭାରତ ସରକାର ଯଥୋଚିତ ସାହାଯ୍ୟ ଏବଂ ସହଯୋଗ କରିବେ ବୋଲି ମଧ୍ୟ ସ୍ଥିର ହୋଇଯାଇଛି ।

 

ଇଣ୍ଡୋନେସିଆ ପ୍ରକୃତରେ ଏକ ଦେଶ ନୁହେଁ । ଏହା ଏକ ଦ୍ୱୀପମାଳା । ପଶ୍ଚିମରେ ଜାଭାଠାରୁ ପୂର୍ବରେ ସେଲିବିସ୍‌ ଓ ବୋର୍ଣ୍ଣିଓ ପର୍ଯ୍ୟନ୍ତ ଭାରତ ମହାସାଗରରେ ଯେଉଁ ସହସ୍ରାଧିକ ସାନବଡ଼ ଦ୍ୱୀପ ରହିଛନ୍ତି, ତାହାରି ଆଧୁନିକ ଏକକ ନାମ ହେଉଛି ଇଣ୍ଡୋନେସିଆ । ଇଣ୍ଡୋନେସିଆର ମସଲା ଦ୍ୱୀପଗୁଡ଼ିକ ହିଁ ଇଉରୋପୀୟ ବଣିକମାନଙ୍କୁ ତାହା ଆଡ଼କୁ ଆକୃଷ୍ଟ କରିଆଣିଥିଲା । ଓଲନ୍ଦାଜ ବଣିକମାନେ ପ୍ରଥମେ ଆସି ଏହି ଦ୍ୱୀପଗୁଡ଼ିକରେ କାରବାର ଆରମ୍ଭ କରିଥିବାରୁ ଏବଂ ସେଠାରେ ସେମାନଙ୍କର ପ୍ରତିପତ୍ତି ହିଁ କାୟମ୍‌ ରହିବାରୁ କ୍ରମେ ଏହି ଭୂଭାଗଟି ହଲାଣ୍ଡର ଏକ ଉପନିବେଶରେ ପରିଣତ ହେଲା । ଦ୍ୱିତୀୟ ମହାଯୁଦ୍ଧରେ ତାହା ଜାପାନୀ ଅଧିକାରରେ ପଡ଼ିଥିଲା ଓ ଯୁଦ୍ଧପରେ ଏସିଆର ଏହି ଅଞ୍ଚଳରେ ଅବସ୍ଥିତ ଅନ୍ୟାନ୍ୟ ଅନେକ ଦେଶ ପରି ଇଣ୍ଡୋନେସିଆ ମଧ୍ୟ ଏକ ଦେଶ ହିସାବରେ ଆପଣାର ସ୍ୱାଧୀନତା ଲାଭକଲା ।

 

ଭାରତବର୍ଷ ସହିତ ଏହି ଦ୍ୱୀପମାଳାର ସମ୍ୱଦ୍ଧ ଦୀର୍ଘ ଅନେକ ଦିନର । ଭାରତୀୟ ପୂର୍ବ-ଉପକୂଳର ବାଣିଜ୍ୟିକ ଇତିହାସରେ ଜାଭା, ସୁମାତ୍ରା ଓ ବାଲି ପ୍ରଭୃତି ନାମ ଅତି ପରିଚିତ ହୋଇ ରହିଛି । ଓଡ଼ିଶାର ଉପକୂଳ ସହିତ ଏସବୁ ଦ୍ୱୀପ ଯେ ବହିର୍ବାଣିଜ୍ୟର ସୂତ୍ରରେ ସଂଯୁକ୍ତ ହୋଇ ରହିଥିଲେ, ଓଡ଼ିଶାର ସାଂସ୍କୃତିକ ଇତିହାସରେ ତାହାର ଅନେକ ନଜିର ରହିଛି । ସେହି ନଜିରକୁ ସାହିତ୍ୟିକ ମଣ୍ଡନ ଦେଇ ଆମ ଓଡ଼ିଆ ଭାଷାରେ ‘ବାଲିରାଜା’ ଉପନ୍ୟାସ ମଧ୍ୟ ଲେଖାଯାଇଛି ।

 

ସେହି କାଳରୁ ଭାରତବର୍ଷର ରାମାୟଣ ଓ ମହାଭାରତ ମଧ୍ୟ ସମୁଦ୍ର ପାରିହୋଇ ଇଣ୍ଡୋନେସିଆକୁ ଯାଇଛନ୍ତି । ରାମଚରିତ ହିଁ ସେଠାରେ ଲୋକନାଟ୍ୟ କଳାରେ ସର୍ବମୁଖ୍ୟ ଆଙ୍ଗିକ ଓ ଉପାଖ୍ୟାନ ହୋଇରହିଛି । ଆଜି ମଧ୍ୟ ଇଣ୍ଡୋନେସିଆର ଏକାଧିକ ଦ୍ୱୀପରେ ରାମଲୀଳା ଏକ ମୁଖ୍ୟ ଅନୁଷ୍ଠାନ ହୋଇରହିଛି । ଲୋକଙ୍କର ନାମଗୁଡ଼ିକରେ ମଧ୍ୟ ସଂସ୍କୃତ ଭାଷାର ସଙ୍କେତ ଚିହ୍ନମାନ ଅଙ୍କିତ ହୋଇରହିଛି । ଇଣ୍ଡୋନେସିଆର ବୋରୋବାଦୁର ଭାରତୀୟ ସ୍ଥପତିକୁ ସେହି ଦ୍ୱୀପମାଳା ଭିତରେ ଅମର କରିରଖିଛି ।

 

ସ୍ୱାଧୀନତା ଲାଭ କରିବାର ପ୍ରାକ୍‌କାଳରେ ମଧ୍ୟ ଇଣ୍ଡୋନେସିଆ ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନରୁ ଅନେକ ପ୍ରେରଣା ପାଇଛି । ଏହି ଦେଶର ମହାତ୍ମା ଗାନ୍ଧୀ ଓ ଜବାହାରଲାଲ ପ୍ରଭୃତିଙ୍କ ନାମ ସେହି ଦେଶରେ ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ପ୍ରାୟ ନିତ୍ୟସ୍ମରଣୀୟ ହୋଇରହିଛି । ଏସିଆର ନବସ୍ୱାଧୀନ ଦେଶଗୁଡ଼ିକ ଏକଦା ଏହି ଇଣ୍ଡୋନେସିଆର ବାନ୍ଦୁଙ୍ଗ୍‌ ସମ୍ମିଳନୀରେ ହିଁ ଆପଣା ରାଷ୍ଟ୍ରୀୟ ବିକାଶରୀତିଟିର ସ୍ୱତନ୍ତ୍ର ଧାରାଟିକୁ ପୃଥିବୀ ସମ୍ମୁଖରେ ଘୋଷଣା କରିଥିଲେ । ପୃଥିବୀ ପ୍ରାୟ ଆତଙ୍କିତ ହୋଇ ଦୁଇଟି ଶିବିରରେ ବିଭକ୍ତ ହୋଇଯାଉଥିବା ବେଳେ ଏସିଆର ରାଷ୍ଟ୍ରମାନେ ଯେ ଶିବିରମୁକ୍ତ ବା ନିରପେକ୍ଷ ରହିବାକୁ ହିଁ ଆପଣାର ପ୍ରଶସ୍ତ ବାଟ ବୋଲି ବାଛିନେଲେ, ସେହି ପ୍ରବୃତ୍ତିଟିର ଏକ ସଙ୍ଗଠିତ ରୂପ ଏହି ବାନ୍ଦୁଙ୍ଗ୍‌ ସମ୍ମିଳନୀରେ ହିଁ ସମ୍ଭବ ହୋଇପାରିଥିଲା । ପଣ୍ଡିତ ନେହେରୁ ଏହି ବାନ୍ଦୁଙ୍ଗ୍‍ଠାରେ ତାଙ୍କର ପଞ୍ଚଶୀଳ ନୀତିର ଅଧିରୋପଣ କରାଇଥିଲେ ।

 

ଏକ ବିକାଶଶୀଳ ରାଷ୍ଟ୍ରର ରାଜନୀତିକ ବିକାଶ ଯେତେ ସୁସ୍ଥ ଭାବରେ ହେବା କଥା, ନାନା କାରଣରୁ ଇଣ୍ଡୋନେସିଆର ବିକାଶ ସେତେ ସୁସ୍ଥ ଭାବରେ ହୋଇପାରିବା ସମ୍ଭବ ହୋଇନାହିଁ । ପ୍ରେସିଡ଼େଣ୍ଟ ସୁକର୍ଣ୍ଣ ଦୀର୍ଘ ଅନେକ ବର୍ଷ ଧରି ଇଣ୍ଡୋନେସିଆର ନେତୃତ୍ୱଦଣ୍ଡକୁ ହାତରେ ରଖିଥିଲେ ମଧ୍ୟ ତଥାପି ଦେଶର ରାଜନୀତିକ ମୂଳଗୁଡ଼ିକୁ ଯଥେଷ୍ଟ ପରିମାଣରେ ଦୃଢ଼ କରିବାକୁ ଆଦୌ ସମର୍ଥ ହୋଇପାରି ନଥିଲେ । ସେ ଦେଶରେ କୌଣସି ରାଜନୀତିକ ସଂହତି ରଖିପାରୁ ନଥିଲେ ଓ ତେଣୁ ପ୍ରାୟ ସବୁ ସମୟରେ ହିଁ ଦେଶରେ ପ୍ରାୟ ଏକ ଗୃହଯୁଦ୍ଧ ପରି ଅବସ୍ଥା ବଳବତ୍ତର ହୋଇ ରହୁଥିଲା । ଦେଶର ବିଶେଷ ଭୌଗୋଳିକ ପ୍ରକୃତି ମଧ୍ୟ ଅନେକ ସମୟରେ ଏହି ଗୃହଯୁଦ୍ଧକୁ ବଳବତ୍ତର ରହିବାରେ ସାହାଯ୍ୟ କରୁଥିଲା । କେତେ ହତ୍ୟା ହେଲା, କେତେ ଅନ୍ତଃବିଦ୍ରୋହ ହେଲା ଏବଂ ଶେଷକୁ ସୁକର୍ଣ୍ଣଙ୍କର ମଧ୍ୟ ସମୟ ଶେଷ ହୋଇଗଲା । ନାନା ଭୁଲ ବୁଝାମଣା ହେତୁ କ୍ରମେ ଇଣ୍ଡୋନେସିଆ ବେଳେବେଳେ ଭାରତବର୍ଷଠାରୁ ମଧ୍ୟ ଦୂରବର୍ତ୍ତୀ ହୋଇଯାଇଥିବା ପରି ବୋଧ ହେଉଥିଲା ।

 

ଇଣ୍ଡୋନେସିଆର ବର୍ତ୍ତମାନ ଶାସକ ସୁହାର୍ତ୍ତୋ ପ୍ରଥମେ ସୈନ୍ୟାଧ୍ୟକ୍ଷ ସୁହାର୍ତ୍ତୋ ରୂପେ ସୁକର୍ଣ୍ଣଙ୍କଠାରୁ ରାଷ୍ଟ୍ରୀୟ କ୍ଷମତା ହସ୍ତଗତ କରିଥିଲେ । ତା’ପରେ ସେଠାରେ ଏକ ନୂତନ ସମ୍ବିଧାନ ଘୋଷିତ ହୋଇଛି, ପ୍ରତିନିଧି ଶାସନର ମୂଳଦୁଆ ପଡ଼ିଛି ଓ ସୁହାର୍ତ୍ତୋ ଇଣ୍ଡୋନେସିଆର ନିର୍ବାଚିତ ରାଷ୍ଟ୍ରପତି ରୂପେ ଅବସ୍ଥାପିତ ହୋଇଛନ୍ତି । ଦେଶରେ ଏକ ସ୍ଥିରାବସ୍ଥା ଆଣି ରାଷ୍ଟ୍ରକୁ ଦୃଢ଼ମୂଳ କରିଗଢ଼ିବାରେ ସେ ନାନାମୁଖୀ ଉଦ୍ୟମ କରୁଛନ୍ତି । ବିଭିନ୍ନ ଦେଶ ସହିତ କଟିଯାଇଥିବା ଡୋରକୁ ପୁଣି ବାନ୍ଧିବା ଲାଗି ମଧ୍ୟ ଚେଷ୍ଟା କରୁଛନ୍ତି ।

 

ଭାରତର ରାଷ୍ଟ୍ରପତିଙ୍କର ଇଣ୍ଡୋନେସିଆ ଗସ୍ତ ଦୁଇଟିଯାକ ଦେଶକୁ ଯେ ପରସ୍ପରର ଅନେକ ନିକଟ କରିଆଣିବ ଓ ଅତୀତର ସଂଯୋଗଗୁଡ଼ିକୁ ଆହୁରି ଦୃଢ଼ କରାଇବ, ସେଥିରେ କୌଣସି ସନ୍ଦେହ ନାହିଁ ।

 

ତା ୦୯-୦୬-୧୯୭୫ ରିଖ

Image

 

ଖାଇବା ଲାଗି ବଞ୍ଚିବା

 

ଭାରତବର୍ଷରେ ଆମେ ଘରଖରଚ ବାବଦରେ ସର୍ବମୋଟ ଯେତିକି ଖରଚ କରୁ, ତା’ର ତିନିଭାଗରୁ ପ୍ରାୟ ଦୁଇଭାଗ ପରିମାଣ ଆମର କେବଳ ଖାଇବାରେ ହିଁ ଖରଚ ହୋଇଯାଏ । ଏହାର ଅର୍ଥ ନୁହେଁ ଯେ, ଆମେ ଯାହାକିଛି ପଇସା ଉପାର୍ଜନ କରୁ, ତାହାର ପ୍ରାୟ ଦଶ ଏଗାର ପଣକୁ ଖିରୀ, ପୁରୀ ଆଉ ମାଲପୁଆରେ ଉଡ଼ାଇଦେଉ । ତାହାର ପ୍ରକୃତ ଅର୍ଥ ହେଉଛି ଯେ ଆମ ଭିତରୁ ଅଧିକାଂଶ ମଣିଷ, ଅର୍ଥାତ୍‌ ସମ୍ଭବତଃ ଶହେରୁ ଷାଠିଏ ଜଣ ମଣିଷ, ଏତେ ଅଳପ ରୋଜଗାର କରନ୍ତି ଯେ, ତାହାର ଏକ ଅତିବଡ଼ ଅଂଶଟିକୁ ପେଟର ଗୁଜରାଣ ମେଣ୍ଟାଇବାରେ ହିଁ ସାରିଦେବାକୁ ପଡ଼େ । ଭୋକର ଦାବୀ ହେଉଛି ମଣିଷ ଜୀବନର ସର୍ବମୂଳ ଓ ସର୍ବପ୍ରଥମ ଦାବୀ ଏବଂ ସେହି ଦାବୀଟିର ଯଥୋଚିତ ପୂରଣ ନ ହୋଇଥିଲା ପର୍ଯ୍ୟନ୍ତ ସେଇଟି ହେଉଛି ମଣିଷ ଜୀବନର ସର୍ବପ୍ରଧାନ ଦାବୀ । ଆମ ସଭ୍ୟ ପୃଥିବୀରେ ଆଜି ପ୍ରାୟ ଅଧକରୁ ବେଶୀ ମଣିଷ ରହିଛନ୍ତି, ଯେଉଁମାନଙ୍କର ଜୀବନରେ ଏଇଟି ସର୍ବପ୍ରଧାନ ଦାବୀ ହୋଇଛି, ସଂସାରର ସବୁଠାରୁ ବଡ଼ ଗଞ୍ଜଣା ହୋଇ ରହିଛି ।

 

ଭାରତର କେନ୍ଦ୍ର ପରିସଂଖ୍ୟକ ବିଭାଗ କେବଳ ଦେଶର ହାରାହାରି ହିସାବଟା ହିଁ ଦେଇଛନ୍ତି । ପରିସଂଖ୍ୟାନ ଆମକୁ କେବଳ ଏକ ହାରାହାରି ଚିତ୍ର ଦେବାକୁ ହିଁ ସମର୍ଥ ହୋଇଥାଏ । ପୋଥିପାଠ ଅନୁସାରେ ଗୋଟାଏ ଦେଶ ବା ଗୋଟାଏ ସଂସାରର ସ୍ଥିତିକୁ ମୋଟାମୋଟି ଭାବରେ ବୁଝିପାରିବା ଲାଗି ହାରାହାରି ହିସାବଗୁଡ଼ାକ ଆମର ଅନେକ ସହାୟତା କରିଥାଏ ସତ, ମାତ୍ର କୌଣସି ଦେଶରେ କେତେକ ଲୋକ ଯେ ଦାରିଦ୍ର୍ୟ ରେଖାରେ ପ୍ରକୃତରେ କେତେ ଦୟନୀୟ ତଳେ ଯାଇ ରହିଛନ୍ତି, ପରିସଂଖ୍ୟକ ଦପ୍ତରର କୋଠାଘର ଓ ପଣ୍ଡିତମାନଙ୍କ ପାଖରୁ ଆମକୁ ସବୁବେଳେ ସେହି ହିସାବଟି ଆଦୌ ମିଳିପାରେ ନାହିଁ । ଭାରତର ହାରାହାରି ମଣିଷ ନିଜ ଆୟର ତିନିଭାଗରୁ ଦୁଇଭାଗକୁ ଖାଇବାରେ ଯେ ବ୍ୟୟ କରେ, ଏକଥା ଯେମିତି ସତ, ଭାରତରେ କୋଟି କୋଟି ମଣିଷଙ୍କର ଉପାର୍ଜନ ଯେ ସେମାନଙ୍କର ପେଟର ଚାହିଦାଟିକୁ ମୋଟେ ଯଥେଷ୍ଟ ହୁଏନାହିଁ; ଏକଥା ମଧ୍ୟ ଠିକ୍‌ ସେହିପରି ସତ୍ୟ । ମାତ୍ର ଖାଲି ପେଟର ଚାହିଦାଟାକୁ ମେଣ୍ଟାଇ ବସିଲେ ଜୀବନ ବଞ୍ଚି ହୁଏ ନାହିଁ, ତେଣୁ ପେଟରୁ କାଟି ମଧ୍ୟ ବଞ୍ଚିବାକୁ ହୁଏ । ଏହିଭଳି ଦୃଷ୍ଟାନ୍ତକୁ ଭାରତବର୍ଷର ଗାଆଁ ଓ ସହର ଉଭୟ ବସତିରେ କଦାପି ଏକ ବ୍ୟତିକ୍ରମ ବୋଲି କହିହେବ ନାହିଁ ।

 

ଯେଉଁମାନେ ଆପଣା ଉପାର୍ଜନରେ ଏତେବେଶୀ ଅଂଶଟାକୁ ଖାଇବାରେ ହିଁ ଖର୍ଚ୍ଚ କରନ୍ତି, ସେମାନେ ପ୍ରକୃତରେ ଖାଆନ୍ତି କଣ ? ପିଲାଙ୍କର ସ୍ୱାସ୍ଥ୍ୟରକ୍ଷା ବହିରେ ଓ ଡାକ୍ତରମାନଙ୍କର ଡାକ୍ତରୀ ବହିରେ ଦେହର ପୂର୍ଣ୍ଣ ପୁଷ୍ଟୀକରଣ ସକାଶେ ଦିନକୁ ମଣିଷ ପିଛା କେତେ କ୍ୟାଲୋରି ଦରକାର, ସେଗୁଡ଼ାକ କେତେ ସଣ୍ଠଣାରେ ଲେଖା ହୋଇ ରହିଥାଏ । କୋଉ ଭିଟାମିନ୍ ଦେହକୁ କ’ଣ ଉପକାର ଦିଏ ଓ ସେସବୁ ନହେଲେ ଦେହର ଗଠନରେ କ’ଣ ସବୁ ଅଭାବ ରହିଯାଏ, ଏକଥା ଗୁଡ଼ାକ ମଧ୍ୟ ବହିମାନଙ୍କରେ ବୁଝାଇ କରିକହି ଦିଆଯାଇଥାଏ । କିନ୍ତୁ ଏହିସବୁ ବହିପାଠ କେବଳ ବହିପାଠର ଆନନ୍ଦ ହୋଇ ରହିଯାଏ । ଜୀବନରେ ଏଗୁଡ଼ାକ ସହିତ ଆଦୌ ଭେଟ ହୁଏ ନାହିଁ, ଅର୍ଥାତ୍ ଭେଟ ହେବାଲାଗି ଆମ ଦେଶରେ ଅଧେ ଲୋକଙ୍କର ସମ୍ୱଳ ନଥାଏ ।

 

ଏକଥାଟି ମଧ୍ୟ ପରିସଂଖ୍ୟାନ ବିଭାଗର ହିସାବଗୁଡ଼ିକରୁ ସ୍ପଷ୍ଟ ଭାବରେ ସୂଚିତ ହୋଇଯାଇଛି । ସେଥିରୁ ଆମେ ଜାଣିବାକୁ ପାଉଛୁ ଯେ ଆମ ଦେଶର ହାରାହାରି ଲୋକର ଖାଇବା ବାବଦକୁ ଯେତେ ଖର୍ଚ୍ଚହୁଏ, ତାହାର ଅଧିକାଂଶ ଭାଗ ଚାଉଳ, ଅଟା, ବାଜରା ଏବଂ ମାଣ୍ଡିଆ କିଣିବାରେ ହିଁ ଖର୍ଚ୍ଚ ହୋଇଯାଏ । ଅର୍ଥାତ୍ ଆମ ଦେଶର ଅନେକ ସଂଖ୍ୟକ ଲୋକ ଦେହକୁ ଖାଆନ୍ତି ନାହିଁ; ସେମାନେ ପେଟକୁ ଖାଆନ୍ତି, ପେଟର ଭୋକ ମେଣ୍ଟାଇବାକୁ ଖାଆନ୍ତି । ସେମାନେ ପ୍ରକୃତରେ ବଞ୍ଚିବା ପାଇଁ ଖାଆନ୍ତି ନାହିଁ, ପେଟର ଜ୍ୱାଳା ଶାନ୍ତ କରିବାକୁ ହିଁ ଖାଆନ୍ତି । ତେଣୁ ସେହି ଜ୍ୱାଳା ମେଣ୍ଟିବା ଲାଗି ଗଦାଏ ଭାତ ବା ଖୁରିରେ ଖୁରିଏ ପଖାଳ ହେଲେ ହିଁ ଚଳିଯାଏ-। ମହାରାଷ୍ଟ୍ରର ଚାଷୀ ଟିପେ ଚଟଣି ଲଗାଇ ପେଟେ ବାଜରାରୁଟି ଖାଇ ଊଦରଭରଣ କରେ । ହିମାଳୟ ଗାଆଁମାନଙ୍କରେ ଆହାର କହିଲେ କେବଳ ଗୁଡ଼ାଏ ରୁଟି ବା କଂସାଏ ଜାଉକୁ ବୁଝାଏ । ଦୁଗ୍‌ଧ, ଦୁଗ୍‌ଧଜାତ ଦ୍ରବ୍ୟ, ତେଲ, ମାଂସ, ଅଣ୍ଡା, ମାଛ, ଘିଅ ଓ ଲହୁଣୀର କେବେହେଲେ ଲୋଡ଼ା ପଡ଼େ ନାହିଁ । ସାନ ପିଲାପାଇଁ ବା ଗର୍ଭିଣୀ ମାଆପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରିବା ପାଇଁ ବଜେଟ ନଥାଏ । ରୋଗରେ ପଡ଼ିବାକୁ ଜୀବନର ସବୁଠାରୁ ବଡ଼ ଅଭିଶାପ ବୋଲି ବିଚାର କରାଯାଏ ।

 

ଭାରତରେ ହାରାହାରି ମଣିଷ ଯେଉଁଥିରେ ଯାହା ଖର୍ଚ୍ଚ କରେ, ଜର୍ମାନୀ, ଜାପାନ ବା ଆମେରିକା ପ୍ରଭୃତି ଅଧିକ ପରିମାଣରେ ବିକଶିତ ଦେଶମାନଙ୍କରେ ହାରାହାରି ମଣିଷ ଠିକ୍‌ ତା’ର ଓଲଟା କରେ । ସେଠି ଖାଇବା ବାବତରେ ଜଣେ ମଣିଷର ହାରାହାରି ଆୟର ଖୁବ୍‌ କମ୍‌ ଅଂଶ ଖର୍ଚ୍ଚ ହୁଏ । ତେଣୁ ଅନ୍ୟାନ୍ୟ ଆବଶ୍ୟକ ଖରଚ ଲାଗି ଉପାର୍ଜନର ଅବଶିଷ୍ଟ ବଡ଼ ଅଂଶଟି ମହଜୁଦ ରହିଥାଏ । ସେଇଥିରୁ ଲୁଗାପଟା କିଣା ହୁଏ, ସେଇଥିରୁ ପିଲାଙ୍କର ପାଠପଢ଼ା ଲାଗି ଯୋଜନା ହୁଏ, ଜୀବନ ବୀମା ହୁଏ, ରହିବାଲାଗି ସ୍ଥାୟୀ ଘରଖଣ୍ଡେ ତିଆରି ହୁଏ, ଛୁଟୀରେ ବୁଲିବାକୁ ଯାଇହୁଏ, ଖବରକାଗଜ କିଣା ହୁଏ–ଆପଣାକୁ ଏହି ଆଧୁନିକ ସଂସାରର ଜଣେ ମଣିଷ ପରି ଅନୁଭବ କରିହୁଏ । ସଂସାର ଲାଗି ମୋର ମଧ୍ୟ ଦରକାର ଥିଲା ବୋଲି ମନେହୁଏ । ଜୀବନରେ କୌଣସି ମୂଲ୍ୟ ଅଛି ବୋଲି ବୁଝି ହୁଏ ।

 

ଏହି ଦେଶକୁ ଆହୁରି ସୁନ୍ଦର କରିଗଢ଼ିହେବ, ଏଠି ମଣିଷକୁ ଆହୁରି ଶ୍ରୀମନ୍ତ ହୋଇ ଜୀବନ ବଞ୍ଚିବାର ସୁଯୋଗ ଦେଇହେବ । ଏହି ବିଜ୍ଞାନର ଯୁଗରେ ସବୁ ମଣିଷଙ୍କ ଲାଗି ଏକ ସୁନ୍ଦର ଓ ଆଶାମୟ ଜୀବନ ଅବଶ୍ୟ ସମ୍ଭବ ବୋଲି କହୁଥିବା ବୈଜ୍ଞାନିକ ହିସାବଗୁଡ଼ାକ ଆମ ପାଖରେ ମହଜୁଦ ହୋଇ ରହିଛି । ମାତ୍ର ସାମାଜିକ ନାନା ଅବ୍ୟବସ୍ଥା ମଧ୍ୟରେ ସେହି ପୁରୁଣା ଧାରାଗୁଡ଼ାକ ଭିତରେ ପଡ଼ି ରହିବାରୁ ଆମ ଭିତରୁ ଅନେକ ମଣିଷ ଭାଗ୍ୟ ବ୍ୟତୀତ ଆଉ କୌଣସି ଅବଲମ୍ୱନ ପ୍ରକୃତରେ ରହିଛି ବୋଲି ଆଦୌ ଅନୁଭବ କରିପାରୁନାହାନ୍ତି ।

 

ତା ୧୦-୦୬-୧୯୭୫ ରିଖ

Image

 

ସାହୀ-ଅର୍ଥନୀତି

 

ସେଦିନ ଇଂଲଣ୍ଡରେ ଗୋଟିଏ ଦିନିକିଆ ସାଧାରଣ ଭୋଟ ହୋଇଗଲା । ଇଂଲଣ୍ଡ ୟୁରୋପୀୟ ବଜାରରେ ସାମିଲ ହେବ କି ନାହିଁ, ତାହାରି ଉପରେ ଲୋକମାନଙ୍କର ମତ ନିଆଯାଉଥିଲା । ଲୋକମାନେ ୟୁରୋପୀୟ ବଜାର ସହିତ ସାମିଲ ହୋଇ ରହିବା ପକ୍ଷରେ ଭୋଟ ଦେଲେ-। ବ୍ରିଟିଶ ସରକାର ଅନିଷ୍ପତ୍ତି ଭିତରେ ଏକ ନିଷ୍ପତ୍ତି ପାଇଗଲେ ।

 

ଏହି ୟୁରୋପୀୟ ବଜାର, ଇଂରାଜୀ ସଂପୂର୍ଣ୍ଣ ନାମରେ ଯାହାକୁ ୟୁରୋପିଆନ୍ କମନ ମାର୍କେଟ ବୋଲି କୁହାଯାଏ, ପ୍ରଥମେ ଜର୍ମାନୀ, ଫ୍ରାନସ୍‌, ଇତାଲି ପ୍ରଭୃତି ୟୁରୋପର ମାତ୍ର କେତୋଟି ଦେଶକୁ ନେଇ ତିଆରି ହୋଇଥିଲା । ବିଶ୍ୱଯୁଦ୍ଧ ପରେ ୟୁରୋପର ଅଣ୍ଟା ବିଲକୁଲ ଭାଙ୍ଗି ପଡ଼ିଥିଲା, ତା’ର ଅର୍ଥନୀତିର ପୂର୍ବ ମୂଳଦୁଆଗୁଡ଼ାକ ମଧ୍ୟ ପୂରାପୂରି ଭୁଷୁଡ଼ି ପଡ଼ିଥିଲା । ଏଣେ ୟୁରୋପ ତଥା ପୃଥିବୀର ରାଜନୀତିକ ଭୂଗୋଳ ମଧ୍ୟ ଗୋଟାସୁଦ୍ଧା ବଦଳିଯାଇଥିଲା । ଜର୍ମାନୀ ଦୁଇଖଣ୍ଡ ହୋଇଯାଇଥିଲା । ୟୁରୋପୀୟ ଦେଶମାନଙ୍କର ଉପନିବେଶଗୁଡ଼ିକର କ୍ରମେ ହାତରୁ ଖସି ସ୍ୱାଧୀନ ହେବାକୁ ଯାଉଥିଲେ ।

 

ଉପନିବେଶଗୁଡ଼ିକ ହାତରେ ଥିବା ସମୟରେ ଉପନିବେଶର ମାଲିକ ଦେଶମାନେ ଆପଣାର ଆର୍ଥିକ ଅଟ୍ଟାଳିକାଟିକୁ ସଂପୂର୍ଣ୍ଣ ଭାବରେ ସେହି ଉପନିବେଶଗୁଡ଼ିକ ଉପରେ ନିର୍ଭର କରାଇ ଠିଆ କରିଥିଲେ । ଉପନିବେଶରୁ କଞ୍ଚାମାଲ ଶସ୍ତା ଦରରେ ଆସୁଥିଲା, ଉପନିବେଶର ଆର୍ଥିକ ଜୀବନକୁ କ୍ଷତବିକ୍ଷତ କରିସେଠାରେ ମାଲିକ ଦେଶଗୁଡ଼ିକର ଯନ୍ତ୍ରଜାତ ଦ୍ରବ୍ୟ ଲାଗି ବଜାର ତିଆରି କରାଯାଉଥିଲା । ପୁଞ୍ଜିବାଦର ନଉକା ବଡ଼ ସୁରୁଖୁରୁରେ ଚାଲୁଥିଲା । କିନ୍ତୁ ଉପନିବେଶଗୁଡ଼ିକ ସ୍ୱାଧୀନ ହୋଇଯିବା ଫଳରେ ମାଲିକ ଦେଶମାନଙ୍କର ଅର୍ଥନୀତି ଉପରେ ଶକ୍ତ ଧକ୍‌କା ବାଜିଲା । ସେମାନେ ତିଷ୍ଠି ରହିବାଲାଗି ନୂତନ ପନ୍ଥାମାନ ବାହାର କରିବାକୁ ଆରମ୍ଭ କଲେ-। ବିପଦରେ ପଡ଼ି ଆଫ୍ରିକା ଜଙ୍ଗଲର ସିଂହମାନେ ସମ୍ମିଳିତ ଆତ୍ମରକ୍ଷାର ଉପାୟ ପାଞ୍ଚିଲାପରି ୟୁରୋପୀୟ ଏହି କେତୋଟି ଦେଶ ମିଳିତ ଭାବରେ ବାଟଟିଏ ବାହାର କରିବାକୁ ବସିଲେ । ସେଇଥିରୁ ୟୁରୋପିଆନ କମନ ମାର୍କେଟର ଜନ୍ମ ହେଲା ।

 

ଏହି କମନ ମାର୍କେଟର ପ୍ରଥମ ପ୍ରର୍ଯ୍ୟାୟରେ ଫ୍ରାନ୍‌ସର ତତ୍କାଳୀନ ଶାସକ ଜେନେରାଲ ଦ’ଗଲ୍ ଓ ପଶ୍ଚିମ ଜର୍ମାନୀର ଶାସନ ମୁଖ୍ୟ କନ୍‌ରାଡ଼ ଆଡ଼େନାଉଅର ଏହାରି ମୁଖ୍ୟ ଦୁଇ କାରପଟଦାର ହୋଇ ରହିଥିଲେ । ସେମାନେ ଆପଣା ଦୁଇ ଦେଶର ଅର୍ଥନୈତିକ ସ୍ୱାର୍ଥଗୁଡ଼ିକୁ ମୁଖ୍ୟତଃ ସୁରକ୍ଷିତ କରିରଖିବାଲାଗି ପଶ୍ଚିମ ଇଉରୋପର କେତେକ ଦେଶକୁ ସାଥିରେ ନେବାକୁ ଆଦୌ ଇଚ୍ଛା କରୁନଥିଲେ । ପୂର୍ବ ଇଉରୋପର କମ୍ୟୁନିଷ୍ଟ ଦେଶମାନଙ୍କୁ ଗୋଷ୍ଠୀରେ ପୂରାଇବାର ତ ପ୍ରଶ୍ନ ହିଁ ଉଠୁନଥିଲା । ବିଶେଷ କରିସୁଇଡ଼େନ ଓ ବ୍ରିଟେନ ପରି ଗଣତାନ୍ତ୍ରିକ ଓ ଅପେକ୍ଷାକୃତ ଅଧିକ ମୁକ୍ତ ଦେଶଗୁଡ଼ିକୁ କମନ ମାର୍କେଟରେ ସ୍ଥାନ ଦେବାଲାଗି ଆଡ଼େନାଉଅର୍ ପ୍ରତ୍ୟକ୍ଷ ବିରୋଧ ମଧ୍ୟ କରୁଥିଲେ । ପଶ୍ଚିମ ଜର୍ମାନୀର ରାଜନୀତିକ କ୍ଷମତାସନରୁ ସେ ଅପସରି ଯିବାପରେ ଯାଇ ବ୍ରିଟେନକୁ ଇଉରୋପୀୟ ବଜାରରେ ଅନ୍ତର୍ଗତ କରିବାର ପ୍ରଶ୍ନଟି କ୍ରମଶଃ ଆଲୋଚନାକୁ ଆସିଲା । ଫ୍ରାନ୍‍ସରେ ମଧ୍ୟ ନେତୃତ୍ୱ ବଦଳିଯିବା ପରେ ଏହି ଆଲୋଚନା ଆହୁରି ଅଧିକ ସକ୍ରିୟ ହେଲା । ବ୍ରିଟେନରେ ମଧ୍ୟ ସମସ୍ତେ ବ୍ରିଟେନ କମନ ମାର୍କେଟରେ ଯୋଗ ଦେବାର ସପକ୍ଷରେ ନଥିଲେ । ବ୍ରିଟେନରେ ଚଳୁଥିବା ଗଣତନ୍ତ୍ରର ବିଧାନ ଓ ପରମ୍ପରାଟି ଅନୁସାରେ ଜାତିର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ବହୁମତର ପ୍ରତିନିଧିତ୍ୱ କରୁଥିବା କ୍ଷମତାସୀନ ସରକାର ମଧ୍ୟ କଦାପି କେବଳ ପାର୍ଲାମେଣ୍ଟର ଭୋଟଦ୍ୱାରା ନେଇପାରିବ ନାହିଁ । ସେଥିଲାଗି ସ୍ୱତନ୍ତ୍ର ଜନମତ-ଗ୍ରହଣ ଆବଶ୍ୟକ ହେବ ।

 

ଏହିପରି ଏକ ଜନମତ ଏବେ ନିଆଗଲା ଏବଂ ବ୍ରିଟିଶ ସରକାର ତାହାରି ରାୟ ଅନୁସାରେ ଏଥର ଇଉରୋପୀୟ ସାଧାରଣ ବଜାରର ଏକ ସଭ୍ୟ ହୋଇ ରହିବାକୁ ଯିବେ । ଆଗେ ଜାତୀୟ ଅର୍ଥନୀତି ଥିଲା । ଅର୍ଥନୀତିର କ୍ଷେତ୍ରରେ ଗୋଟିଏ ଜାତି ବା ଗୋଟିଏ ରାଷ୍ଟ୍ର ଆଉ ଗୋଟିଏ ଜାତି ବା ରାଷ୍ଟ୍ର ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଅର୍ଥନୈତିକ ସ୍ୱାର୍ଥର ସଂଘାତରୁ ଯୁଦ୍ଧ ଉପୁଜିଥିଲା । ଏଥର କେତେଗୁଡ଼ିଏ ଦେଶ ଏକାଠି ହୋଇ ପୃଥିବୀର ବଜାରରେ ଆପଣାର ସ୍ୱାର୍ଥରକ୍ଷା ଲାଗି ମେଣ୍ଟ ବାନ୍ଧୁଛନ୍ତି । ଏକ ବିଶ୍ୱ-ଅର୍ଥନୈତିକ ବ୍ୟବସ୍ଥା ଦିଗରେ ମନୁଷ୍ୟର କ୍ରମଯାତ୍ରାରେ ଏହି ପର୍ଯ୍ୟାୟଟିକୁ ଆମେ ସାହୀ-ଅର୍ଥନୀତିର ପର୍ଯ୍ୟାୟ ବୋଲି କହିପାରିବା । ସାରା ପୃଥିବୀ ରାଜନୀତିକ କ୍ଷେତ୍ର ପରି ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ବର୍ତ୍ତମାନ କେତୋଟି ମେଣ୍ଟ ବା କମନ ମାର୍କେଟରେ ବିଭକ୍ତ ହୋଇ ରହିଛି । ମେଣ୍ଟ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ଅନେକ ସମୟରେ ତାହା ଆନ୍ତର୍ଜାତିକ ରାଜନୀତିକୁ ମଧ୍ୟ ପ୍ରଭାବିତ କରୁଛି । ସବୁ ସ୍ୱାର୍ଥ ମିଶି ଯେତେବେଳେ ବିଶ୍ୱସ୍ୱାର୍ଥର ପାଳି ଆସିବ, ସେତିକିବେଳେ ହୁଏତ ବିଶ୍ୱଯାକର ସବୁ ଦେଶ ଗୋଟିଏ ମେଣ୍ଟ ହୋଇଯିବେ । ସେତିକିବେଳେ ସବୁ ମଣିଷଙ୍କ ପାଇଁ ଗୋଟିଏ ଆର୍ଥିକ ଯୋଜନା ହୋଇପାରିବ । ଶୋଷଣ ଦୂର ହେବ । ପାରସ୍ପରିକ ଭୟ ଦୂର ହେବ । ବିଜ୍ଞାନ ଓ ପ୍ରାକୃତିକ ସମ୍ପଦର ସର୍ବୋତ୍ତମ ସଦ୍‌ବ୍ୟବହାର ହୋଇପାରିବ ।

 

ତା ୧୧-୦୬-୧୯୭୫ ରିଖ

Image

 

ଆନ୍ତର୍ଜାତିକ ବିଡ଼ମ୍ବନା

 

ଆନ୍ତର୍ଜାତିକ କ୍ଷେତ୍ରରେ ବାର୍ଷିକ କୋଡ଼ିଏ ହଜାର ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରୟ ହେଉଥିବାରୁ ଜାତିସଂଘର ସେକ୍ରେଟାରୀ ଜେନେରାଲ ଶ୍ରୀଯୁକ୍ତ କୁର୍ଟ ଭାଲ୍‍ଡ଼୍‌ହାଇମ୍‌ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସଂସାରରେ ମଣିଷର ଯେଉଁ ଜିନିଷଟିର ଅଭାବ ଥାଏ, ସେ ସେହି ଜିନିଷଟିକୁ କିଣିବା ଲାଗି ହିଁ ବଜାରକୁ ଯାଏ ଏବଂ ବଜାରରେ ଯେଉଁ ଜିନିଷଟିର ଚାହିଦା ଯେତେ ଅଧିକ ଥାଏ, ସେହି ଜିନିଷଟିର ହିଁ ଅଧିକ ବିକ୍ରୟ ହୁଏ ।

 

ତେବେ ଆମ ପୃଥିବୀରେ କ’ଣ ଅସ୍ତ୍ରଶସ୍ତ୍ରର ହିଁ ସବୁଠାରୁ ଅଧିକ ଚାହିଦା ରହିଛି ଏବଂ ସେଇଥିଲାଗି କ’ଣ ଅସ୍ତ୍ରଶସ୍ତ୍ରର କ୍ରୟ ଓ ବିକ୍ରୟଟା ହିଁ ଏତେ ଅଧିକ ପରିମାଣରେ ଗରମାଗରମ ହୋଇରହିଛି ? ସଂସାରର ହିସାବ ରଖିଥିବା ବିଶେଷଜ୍ଞମାନେ କହିବେ ଯେ ସଂସାରରେ ସର୍ବପ୍ରଥମେ ଖାଦ୍ୟର ଅଭାବ ରହିଛି, ବାସ ଓ ପରିଧାନର ଅଭାବ ରହିଛି । ଶିକ୍ଷାର ଅଭାବ ରହିଛି-। ୪୦ ଡିଗ୍ରୀ ଉତ୍ତର ଅକ୍ଷାଂଶର ଦକ୍ଷିଣକୁ ଆମେ ପୃଥିବୀରେ ଯେତେ ଯେତେ ଦେଶ ରହିଛି, ସେସବୁଥିରେ ବାସ କରୁଥିବା ଅଧିକସଂଖ୍ୟକ ମଣିଷ ଦାରିଦ୍ର୍ୟରେଖାର ନିମ୍ନରେ ରହିଛନ୍ତି-। ଅର୍ଥାତ୍‌ ସେମାନେ ଯଥେଷ୍ଟ ସମ୍ବଳ ଉପାର୍ଜନ କରିପାରୁନାହାନ୍ତି । ତେଣୁ ସେମାନଙ୍କ ପାଖରେ ଯଥେଷ୍ଟ ଅନ୍ନ ନାହିଁ, ଯଥେଷ୍ଟ ବସ୍ତୁ ନାହିଁ, ଯଥେଷ୍ଟ ଶିକ୍ଷା ବି ନାହିଁ । ଏହିସବୁ ଦେଶରେ ଅଧିକରୁ ବେଶି ମଣିଷ ହୁଏତ ଶହେ ବର୍ଷ ତଳେ ଯେଉଁ ଦୁରବସ୍ଥା ଓ ଯେଉଁ ତିମିରରେ ପଡ଼ିରହିଥିଲେ, ବର୍ତ୍ତମାନ ମଧ୍ୟ ଊଣାଅଧିକେ ପ୍ରାୟ ତାହାରି ମଧ୍ୟରେ ପଡ଼ିରହିଛନ୍ତି । ସେମାନଙ୍କ ଜୀବନ ମଧ୍ୟକୁ ଆଲୋକ ପ୍ରବେଶ କରିପାରି ନାହିଁ, ସଭ୍ୟତା ପ୍ରବେଶ କରିପାରି ନାହିଁ, ବିଶ୍ୱାସ ପ୍ରବେଶ କରିପାରି ନାହିଁ । ସେମାନଙ୍କ ଉପରେ ଭାଗ୍ୟର ହିଁ ଅଦୃଷ୍ଟ ରାଜତ୍ୱ ଚାଲିଛି ।

 

ଏଭଳି ଗୋଟିଏ ପୃଥିବୀରେ ମଣିଷର ଅନ୍ନସଂସ୍ଥାନ, ବାସବ୍ୟବସ୍ଥା ଏବଂ ଶିକ୍ଷା ସୁବିଧା ଲାଗି ହିଁ ସବୁଠାରୁ ଅଧିକ ଖରଚ ହେଉଥାନ୍ତା, ଠିକ୍‌ ଏହିସବୁ କ୍ଷେତ୍ରରେ ହିଁ ଦେଶ ଦେଶ ଓ ସମାଜ ସମାଜ ଭିତରେ ସବୁଠାରୁ ଅଧିକ ଦେଣନେଣ ହେଉଥାନ୍ତା, ମଣିଷର ଆନ୍ତର୍ଜାତିକ ପତଙ୍ଗମାନଙ୍କର ଆଗ ଏହିଗୁଡ଼ିକର ହିଁ ଚର୍ଚ୍ଚା ପଡ଼ୁଥାନ୍ତା । ମାତ୍ର ତାହା ପ୍ରକୃତରେ ହେଉନାହିଁ । ସବୁଠାରୁ ବଡ଼ କାରବାର ଅସ୍ତ୍ରଶସ୍ତ୍ରରେ ହିଁ ହେଉଛି । ଅସ୍ତ୍ରବଳ ବଢ଼ାଇବାକୁ ହିଁ ବିଭିନ୍ନ ରାଷ୍ଟ୍ର ସୁରକ୍ଷା ଓ ନିରାପତ୍ତାର ସୁନିଶ୍ଚିତ ବାଟ ବୋଲି ବିଚାର କରୁଛନ୍ତି । ଆଧୁନିକତମ ଅସ୍ତ୍ରଶସ୍ତ୍ରର ଅଧିକାରୀ ହେଲେ ଯାଇ ଗୋଟିଏ ଦେଶ ଆନ୍ତର୍ଜାତିକ ମର୍ଯ୍ୟାଦା ଲାଭ କରିପାରିବ, ଆଜି ଅନେକସଂଖ୍ୟକ ରାଷ୍ଟ୍ର ଏହିପରି ବିଶ୍ୱାସ କରୁଛନ୍ତି । ଦାରିଦ୍ର୍ୟ ବଢ଼ିଚାଲିଛି, ଅନ୍ଧାର ବଢ଼ିଚାଲିଛି, ତାରତମ୍ୟ ବଢ଼ିଚାଲିଛି ଏବଂ ଏଣେ ଅସ୍ତ୍ରର ଅମାରଗୁଡ଼ାକରେ ଅଧିକରୁ ଅଧିକ ଅସ୍ତ୍ର ଢଳା ହେବାରେ ଲାଗିଛି । ଆମ ପୃଥିବୀରେ ଏବଂ ତାହାର ଚଳନ୍ତି ରାଜନୀତି ଭିତରେ ଆମେ ଏହାକୁ ହିଁ ଏକ ଚରମ ବିଡ଼ମ୍ୱନା ବୋଲି କହିପାରିବା ।

 

ଆମ ପୃଥିବୀରେ ସାଧାରଣତଃ ଧନୀ ଦେଶମାନେ ଅସ୍ତ୍ରଶସ୍ତ୍ର ବିକ୍ରୟ କରୁଛନ୍ତି ଏବଂ ଅଧନୀ ଓ ଅଳ୍ପଧନୀ ଦେଶମାନେ ଅସ୍ତ୍ରଶସ୍ତ୍ର କିଣୁଛନ୍ତି । ମଧ୍ୟପ୍ରାଚ୍ୟର ଆରବ ଦେଶଗୁଡ଼ିକର ସରକାରମାନେ ପେଟ୍ରୋଲିୟମ ବଜାରରୁ ଯେଉଁ ଅଜସ୍ର ଲାଭ ପାଉଛନ୍ତି, ତାହାକୁ ସେମାନେ ପ୍ରଧାନତଃ ଅସ୍ତ୍ରଶସ୍ତ୍ର ଖରିଦରେ ହିଁ ବ୍ୟବହାର କରୁଛନ୍ତି । ସାଧାରଣ ଆରବବାସୀ ଅଜା ଅମଳରେ ଯେଉଁ ଆର୍ଥିକ ସ୍ତରରେ ଥିଲା, ହୁଏତ ବର୍ତ୍ତମାନ ମଧ୍ୟ ପ୍ରାୟ ସେହି ସ୍ତରରେ ରହିଛି ।

 

ଗୋଟିଏ ଦେଶର ବିକାଶ ଏବଂ ସମୃଦ୍ଧିସାଧନରେ ଆଉ ଗୋଟିଏ ଦେଶର ସାହାଯ୍ୟ ଓ ସହଯୋଗ,–ଏଇଟି ହେଉଛି ଦ୍ୱିତୀୟ ମହାଯୁଦ୍ଧ ପରେ ଆମ ପୃଥିବୀରେ ଏକ ସର୍ବପ୍ରଧାନ ତାତ୍ପର୍ଯ୍ୟ ରଖୁଥିବା ଘଟଣା । ଅପେକ୍ଷାକୃତ ଅଧିକ ଉନ୍ନତ ଦେଶମାନେ ଅପେକ୍ଷାକୃତ ଅଧିକ ପଛୁଆ ଅଥଚ ବିକଶମାନ ଦେଶଗୁଡ଼ିକର ଉନ୍ନତିସାଧନାରେ ନାନା ପ୍ରକାରରେ ସହଯୋଗିତା କରିବା ହେଉଛି ଆମ ପୃଥିବୀରେ ମଣିଷଜାତି ଲାଗି ଏକ ନୂତନ ଭାଗ୍ୟର ସୂଚନା । ମାତ୍ର ଏହି ସହଯୋଗିତାର ଛାଇଟାକୁ ଆଶ୍ରା କରିଦେଶ ଦେଶ ମଧ୍ୟରେ ଅସ୍ତ୍ରଶସ୍ତ୍ରର ବିନିମୟ ଏବଂ କ୍ରୟବିକ୍ରୟ,–ଏଇଟା ହେଉଛି ଆମ ଆଧୁନିକ ଜଗତରେ ଏକ ଦୁର୍ଭାଗ୍ୟମୟ ବିଡ଼ମ୍ବନା । ଏହି ବିଡ଼ମ୍ବନାକୁ ଅତିକ୍ରମ କରିବାକୁ ପଡ଼ିବ ଏବଂ ଜାତିସଂଘର ଆବଶ୍ୟକତାକୁ ଅଧିକ ମହତ୍ତ୍ୱ ଦେଇ ହିଁ ସେହି ବିଡ଼ମ୍ବନାକୁ ଅତିକ୍ରମ କରିବା ଦିଗରେ କୌଣସି ଅଗ୍ରଗତି ସମ୍ଭବ ହୋଇପାରିବ ।

 

ତା ୦୮-୦୭-୧୯୭୫ ରିଖ

Image

 

ଅନେକ ବାଟ ବାକି

 

ସାରା ପୃଥିବୀରେ ଏବର୍ଷ ଆନ୍ତର୍ଜାତିକ ମହିଳା ବର୍ଷ ପାଳିତ ହେଉଛି । ଜାତିସଂଘରୁ ହିଁ ଏହି ବର୍ଷ ପାଳନଟିର ପ୍ରସ୍ତାବ ଆସିଛି ଓ ସଦସ୍ୟ ଦେଶର ସରକାରମାନେ ବର୍ଷଟିକୁ ଯଥୋଚିତ ଭାବରେ ପାଳନ କରିବା ଲାଗି ଆପଣା ଆପଣା ଯୋଜନାମାନ କରିଛନ୍ତି । ଜାତୀୟ ସ୍ତରରେ ସମ୍ମିଳନୀମାନ ବସୁଛି, ଏବେ ମେକ୍‌ସିକୋ ଦେଶର ରାଜଧାନୀରେ ମଧ୍ୟ ଆନ୍ତର୍ଜାତିକ ମହିଳା ସମ୍ମିଳନୀଟି ଭାରି ସମାରୋହରେ ଅନୁଷ୍ଠିତ ହେଇଗଲା ।

 

ପୁରୁଷ ପରି ନାରୀର ମଧ୍ୟ ସାମାଜିକ ଜୀବନକ୍ଷେତ୍ରରେ ସମାନ ଅଧିକାର ରହିଛି, ଏହି କଥାଟି ୟୁରୋପରେ ପ୍ରାୟ ଏକ ଶତାବ୍ଦୀର ପୁରୁଣା କଥା । ନାରୀର ଅଧିକାର ଦାବୀ କରିସେଠାରେ ପାର୍ଲିଆମେଣ୍ଟରେ, ରାଜପଥରେ ଏବଂ ସଭାଘରେ କେତେ ଆନ୍ଦୋଳନ ହୋଇଆସିଛି । ଆଧୁନିକ ଯୁଗର ଆବିର୍ଭାବ ସଙ୍ଗେ ସଙ୍ଗେ ସେହି ଆନ୍ଦୋଳନଟି ନାନାପ୍ରକାର ଅଭିନବ ଆକାର ଓ ପ୍ରକାର ମଧ୍ୟ ଧାରଣ କରିଛି । ଏହି ଆନ୍ଦୋଳନରେ ବିଭିନ୍ନ ପ୍ରକାରର ସାଫଲ୍ୟ ମଧ୍ୟ ହାସଲ କରାହୋଇଛି । ନାରୀମାନେ ଭୋଟ ଅଧିକାର ପାଇଛନ୍ତି, ଛାଡ଼ପତ୍ର ଓ ଦ୍ୱିତୀୟ ବିବାହର ଅଧିକାର ପାଇଛନ୍ତି, ମାକ୍‌ସି ବଦଳରେ ମିନି ପିନ୍ଧିବାର ଅଧିକାର ପାଇଛନ୍ତି, ପୁରୁଷଙ୍କ ପରି ସେମାନେ ହକି ଖେଳିଛନ୍ତି, ଘୋଡ଼ାଦୌଡ଼ର ପ୍ରତିଯୋଗିତା କରିଛନ୍ତି ଇତ୍ୟାଦି ଇତ୍ୟାଦି । ତଥାପି ଏହି ପୁରୋଗତିର ଇତିହାସ କେଉଁଠି ବେଗବାନ୍‌ ହୋଇଛି, କେଉଁଠି ମନ୍ଥର ମଧ୍ୟ ହୋଇଛି-। ଏକ ଉଦାହରଣ ରୂପେ ୟୁରୋପର ଏକ ଅତ୍ୟନ୍ତ ସଭ୍ୟ ଓ ସମ୍ପଦଶାଳୀ ଦେଶ ସୁଇଜରଲାଣ୍ଡର ଉଲ୍ଲେଖ କରାଯାଇପାରେ-। ସେଠାରେ ମୋଟେ ଦଶ ବର୍ଷ ହେଲା ନାରୀମାନେ ଭୋଟ ଦେବାର ଅଧିକାର ପାଇଲେ । ପୁରୁଷମାନେ ଆଜିପର୍ଯ୍ୟନ୍ତ ସେମାନଙ୍କୁ ସେହି ଅଧିକାରରୁ ବଞ୍ଚିତ କରିରଖିଥିଲେ ବୋଲି ଯେ ଏପରି ହେଲା ତା’ ନୁହେଁ; ଭୋଟ ଦେବାଭଳି ଏକ ସକ୍ରିୟ ରାଜନୀତିକ ଭୂମିକା ଗ୍ରହଣ କରିବା ନାରୀମାନଙ୍କ ପକ୍ଷରେ ଆଦୌ ସ୍ୱାସ୍ଥ୍ୟକର ନୁହେଁ ବୋଲି ଅନେକ ନାରୀ ସେ ଦେଶରେ ବିଶ୍ୱାସ କରୁଥିବାରୁ ହିଁ ସେଠି ଏପରି ଏକ ଅବସ୍ଥା ସ୍ୱାଭାବିକ ହୋଇ ରହିଥିଲା ।

 

ଭାରତରେ ନାରୀ ପାରମ୍ପରିକ ଅନୁଜ୍ଞାଗୁଡ଼ିକ ଅନୁସାରେ ମୂଳତଃ ଗୃହପାଳିକା ହୋଇ ରହିଆସିଛି । ପୁରୁଷ ଲାଗି ହିଁ ତା’ର ଜୀବନର ହୁଏତ କିଛି ଯୌକ୍ତିକତା ରହିଛି ବୋଲି ଆମ ସମାଜ, ଶାସ୍ତ୍ରନୀତି ତଥା ଲୋକନୀତି ଦ୍ୱାରା ତାକୁ ବିଶ୍ୱାସ କରିବାକୁ ଶିକ୍ଷା ଦେଇଆସିଛି । ଝିଅର ଜନ୍ମକୁ ପୁରୁଷ ଦ୍ୱାରା ପରାକ୍ରାନ୍ତ ଏକ ସମାଜରେ ସବୁବେଳେ ଏକ ମନ୍ଦଭାଗ୍ୟର ସଙ୍କେତ ବୋଲି ଗ୍ରହଣ କରାଯାଇଛି । ସନ୍ତାନଜନ୍ମ ନୁହେଁ, ମାତ୍ର ପୁତ୍ର ଜନ୍ମ ହିଁ ପିତାମାତାଙ୍କୁ ଏକ ବିଶେଷ ନର୍କବିଧାନରୁ ନିଷ୍କୃତି ଦେଇଥାଏ ବୋଲି ଆମ ସାମାଜିକ ଚଳଣିରେ ଗୋଟିଏ ଶାସ୍ତ୍ରବଚନ ରହିଛି-। ପୁଅ ଜନ୍ମ ହେଲାବେଳେ ମିଠାଇ ବଣ୍ଟାହୋଇଛି, କୁଳକୁ ଗୋଟିଏ ପୁଅ ଜନ୍ମ ନ ହେବା ପର୍ଯ୍ୟନ୍ତ ଜନ୍ମନିରୋଧର ପ୍ରଶ୍ନ ହିଁ ଉଠୁନାହିଁ ଏବଂ ସେପର୍ଯ୍ୟନ୍ତ ମାଳ ମାଳ ଝିଅ ଜନ୍ମହେବାରେ ଲାଗିଥିଲେ ମଧ୍ୟ ସେମାନଙ୍କୁ କେହି ଗଣାପୋଛାରେ ନେଇନାହିଁ । ଝିଅକୁ ଯୌତୁକ ଦେଇ ବିକ୍ରୀ କରାଯାଇଛି ଏବଂ ଖାସ୍‌ ଏହି କାରଣରୁ ହିଁ ପୁଅକୁ ବଂଶର ସମ୍ପଦ ଲାଭର ଏକ ପ୍ରଶଂସାଯୋଗ୍ୟ କାରଣ ବୋଲି ବିଚାର କରାଯାଇଛି ।

 

ଭାରତ ବର୍ଷରେ ସାଧାରଣ ସାକ୍ଷରତା ବହୁ ନିମ୍ନରେ ରହିଛି । ପୁରୁଷ ସାକ୍ଷରତା ଠାରୁ ସ୍ତ୍ରୀ ସାକ୍ଷରତା ଅଧିକ ନିମ୍ନରେ ରହିଛି । ଯେକୌଣସି ଗାଆଁରେ ଝିଅମାନଙ୍କ ତୁଳନାରେ ପୁଅମାନେ ହିଁ ଅଧିକ ଅନୁପାତରେ ସ୍କୁଲରେ ପାଠ ପଢ଼ୁଛନ୍ତି । ସାଧାରଣ ମନୋଭାବ ଅନୁସାରେ ପୁଅମାନେ ସିନା ଆବଶ୍ୟକତା ପାଇଁ ପାଠ ପଢ଼ୁଛନ୍ତି, ମାତ୍ର ଝିଅମାନେ ଖୁସିରେ ହିଁ ଅର୍ଥାତ୍‌ ଏକ ସଉକ ହିସାବରେ ପାଠ ପଢ଼ୁଛନ୍ତି । ପୁରୁଷଠାରୁ ଯେ ନାରୀ ଅଧିକ ଦୁର୍ବଳ; ଅଧିକ ସହାୟାପେକ୍ଷୀ, ସେକଥା କେବଳ ପୁରୁଷ ନୁହେଁ, ଅନେକ ସ୍ତ୍ରୀ ମଧ୍ୟ ନିଷ୍ଠାପର ଭାବରେ ବିଶ୍ୱାସ କରୁଛନ୍ତି ।

 

ଆମ ଦେଶରେ ଆପଣାକୁ ମଣିଷ ବୋଲି ଭାବିବା ପୂର୍ବରୁ ଅନେକ ପୁରୁଷ ଆପଣାକୁ ପୁରୁଷ ବୋଲି ହିଁ ଭାବୁଛନ୍ତି । ହୁଏତ ସେହିପରି ଭାବରେ ଅନେକ ସ୍ତ୍ରୀ ମଧ୍ୟ ଆପଣାକୁ ମଣିଷ ବୋଲି ଭାବିବା ପୂର୍ବରୁ ଆପଣାକୁ ସ୍ତ୍ରୀ ବୋଲି ହିଁ ଭାବୁଛନ୍ତି । ଅର୍ଥାତ୍ ଆପଣା ବିଷୟରେ ତଥା ପରସ୍ପର ବିଷୟରେ ସମ୍ମାନର ସହିତ ଭାବିପାରିବା ଲାଗି ଆମ ଦେଶରେ ଆହୁରି ବାଟ ବାକି ରହିଛି । ନାରୀ ପୁରୁଷର ସମକକ୍ଷ ହେବାରେ ପ୍ରକୃତ ଅର୍ଥ ହେଉଛି ନାରୀ ଓ ପୁରୁଷ ଉଭୟେ ମଣିଷ ରୂପେ ସ୍ୱୀକୃତ ହେବା । ଆମ ଦେଶରେ ସବୁ ପୁରୁଷ ଓ ସବୁ ସ୍ତ୍ରୀ ଯେଉଁଦିନ ମଣିଷ ରୂପେ ସ୍ୱୀକୃତ ହେବେ, ଅର୍ଥାତ୍ ଆପଣାକୁ ମଣିଷ ବୋଲି ଅନୁଭବ କରିବେ, ସେହିଦିନ ଯାଇ ସବୁ ସ୍ତ୍ରୀ ଓ ସବୁ ପୁରୁଷ ପରସ୍ପରକୁ ପରସ୍ପରର ସମକକ୍ଷ ବୋଲି ଗ୍ରହଣ କରିନେଇ ପାରିବେ । ନୂଆ ସମାଜର ପ୍ରତିଷ୍ଠା ହେବ, ନୂଆ ଆଭିମୁଖ୍ୟରେ ଜୀବନ ଚାଲିବ, ସମାନତା ଓ ସମ୍ମାନବୋଧର ଦିନ ଆସିବ ।

 

ତା ୦୯-୦୭-୧୯୭୫ ରିଖ

Image

 

ପୁନରୁଜ୍ଜୀବନ

 

ମିଳିତ ଜାତିସଂଘକୁ ତିରିଶିବର୍ଷ ପୂରିଯିବାର ଅବ୍ୟବହିତ ପୂର୍ବରୁ ମିଳିତ ଜାତିସଂଘର ବର୍ତ୍ତମାନ ମହାସଚିତ ଶ୍ରୀଯୁକ୍ତ କୁର୍ଟ ଭାଲ୍‍ଡ଼୍‌ହାଇମ୍‌ ମିଳିତ ଜାତିସଂଘକୁ ପୁନରୁଜ୍ଜୀବିତ କରିବା ଲାଗି ବିଶ୍ୱବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ମିଳିତ ଜାତିସଂଘର କାର୍ଯ୍ୟଗୁଡ଼ିକ ବର୍ତ୍ତମାନ ଯେପରି ଏକ ଛାଞ୍ଚ ଭିତରେ ଚାଲିବାକୁ ବାଧ୍ୟ ହେଉଛି, ତଦ୍ଦ୍ୱାରା ପୃଥିବୀକୁ ଏକ ଶାନ୍ତି ଓ ସମୃଦ୍ଧିର ସଦନରୂପେ ଗଢ଼ି ଆଣିବାର ଆପଣାର ଲକ୍ଷ୍ୟଟିରେ ଜାତିସଂଘ ସନ୍ତୋଷଜନକ ଭାବରେ ଅଗ୍ରସର ହୋଇପାରୁ ନାହିଁ ବୋଲି ଭାଲ୍‌ଡ଼୍‌ହାଇମ୍‌ ମନ୍ତବ୍ୟ କରିଛନ୍ତି ।

 

ମହାସଚିବଙ୍କ ମତରେ ମିଳିତ ଜାତିସଂଘର ପ୍ରତିଷ୍ଠା ହେବାର ଏହି ତିରିଶିବର୍ଷ ପରେ ମଧ୍ୟ ପୃଥିବୀରେ ଲୋକଙ୍କର ଆର୍ଥିକ ଅବସ୍ଥା ଆଦୌ ଆଶାନୁରୂପ ଭାବରେ ଆଗକୁ ବଢ଼ିନାହିଁ । ତିରିଶିବର୍ଷ ତଳେ ପୃଥିବୀର ଯେଉଁ ଦେଶଗୁଡ଼ିକ ଧନୀ ଥିଲେ, ସେମାନେ ଇତିମଧ୍ୟରେ ଅଧିକ ଧନୀ ହୋଇଛନ୍ତି ଏବଂ ଯେଉଁ ଦେଶଗୁଡ଼ିକ ଦରିଦ୍ର ଥିଲେ, ସେମାନେ ଅଧିକ ଦରିଦ୍ର ହୋଇଛନ୍ତି । ଅର୍ଥାତ୍ ବିଜ୍ଞାନ ବଳରେ ଅଧିକ ଉତ୍ପାଦନ, ଆନ୍ତର୍ଜାତିକ ବାଣିଜ୍ୟ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ଦେଶ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗିତା ଦ୍ୱାରା ସମଗ୍ର ଭାବରେ ଆମ ପୃଥିବୀ ଯେତେଦୂର ଉପକୃତ ହୋଇଥାନ୍ତା, ତାହା ହୋଇପାରି ନାହିଁ । ଆଉ ଏକ ଭାଷାରେ କହିଲେ ଆମ ଅର୍ଥନୀତି ଓ ରାଜନୀତିର ଯାବତୀୟ ନୂତନ ଆକାଙ୍‌କ୍ଷା ସତ୍ତ୍ୱେ ପୁରୁଣା ରାଜନୀତିକ ଉପନିବେଶବାଦଗୁଡ଼ାକ ଭାଙ୍ଗି ଭାଙ୍ଗି ଯାଇଥିଲେ ମଧ୍ୟ ଆର୍ଥିକ କ୍ଷେତ୍ରରେ କେତେପ୍ରକାର ଅର୍ଥନୈତିକ ନିର୍ଭରଶୀଳତା ଏବଂ ଅସମର୍ଥତା ସୃଷ୍ଟି ହୋଇ ଚାଲିଛି ।

 

ଗତ ତିରିଶିବର୍ଷ ଭିତରେ ପୃଥିବୀର ରାଜନୀତିକ ମାନଚିତ୍ରଟି ଯେ ଅନେକ ପରିମାଣରେ ବଦଳିଯାଇଛି, ସେକଥାରେ କଦାପି କେହିହେଲେ ଦ୍ୱିମତ ହେବେନାହିଁ । ସେତେବେଳେ ପୃଥିବୀର ପ୍ରାୟ ତିନିଚଉଠ ଦେଶ ଓ ମଣିଷ ପରାଧୀନ ଥିଲେ । ରାଷ୍ଟ୍ରୀୟତା ହିଁ ଜୀବନର ପ୍ରାୟ ସବୁଯାକ କ୍ଷେତ୍ରରେ ପରମ ଆଚରଣୀୟ ହୋଇ ରହିଥିଲା । ସାମ୍ରାଜ୍ୟ ଥିବା କେତୋଟି ଦେଶ ପୃଥିବୀଟାକୁ ସତେ ଅବା ଆପଣାର ଏକ ଖାସ୍‌ ଜମିଦାରୀ ବୋଲି ଭାବୁଥିଲେ । ତେଣୁ ସେତେବେଳେ ମାତ୍ର ପଚିଶିଟି ଦେଶର ବା ପଚିଶିଟି ରାଷ୍ଟ୍ରୀୟ ସରକାରଙ୍କର ସ୍ୱାକ୍ଷର ବହନ କରିଜାତିସଂଘର ସନନ୍ଦଟି ଗୃହୀତ ହୋଇଥିଲା । ସେମାନଙ୍କ ମଧ୍ୟରୁ କେତୋଟି ସରକାରଙ୍କର ସାମ୍ରାଜ୍ୟ ରହିଥିଲା । ଆଗାମୀ ତିରିଶି ବର୍ଷ ମଧ୍ୟରେ ପୃଥିବୀଟା ଯେ କିଭଳି ଦ୍ରୁତ ଓ କିମ୍ଭୂତ ଭାବରେ ବଦଳିଯିବାକୁ ଯାଉଛି, ସେମାନଙ୍କର ସେହି ବିଷୟରେ ହୁଏତ ଆଦୌ କୌଣସି ଧାରଣା ନଥିଲା ।

 

ସେତେବେଳେ ଦ୍ୱିତୀୟ ମହାଯୁଦ୍ଧ ସରିଥାଏ । ବିଜୟୀ ରାଷ୍ଟ୍ରଗୁଡ଼ାକ ମଧ୍ୟ ତଦ୍ଦ୍ୱାରା ଅବସନ୍ନ ହୋଇପଡ଼ିଥାନ୍ତି । ପୃଥିବୀଟା କ୍ରମଶଃ ଭାଙ୍ଗିବାକୁ ଆରମ୍ଭ କଲା । ସାମ୍ରାଜ୍ୟଗୁଡ଼ାକର ମଞ୍ଜି ଚଡ଼ଚଡ଼ କରିଫାଟିଗଲା । ଇଚ୍ଛା ନଥିଲେ ମଧ୍ୟ ଅନେକଙ୍କୁ ସେହି ନୂତନ ସମାଗତଟି ଲାଗି ବାଟ ଛାଡ଼ିଦେବାକୁ ହେଲା । ଗୋରାଲୋକଙ୍କର କାନ୍ଥଦିଆ ପୃଥିବୀଟି ସମସ୍ତଙ୍କର ଏକ ମୁକ୍ତ ପୃଥିବୀରେ ପରିଣତ ହେଲା । ମଣିଷକୁ ନିମିତ୍ତ କରିଏକ ନୂତନ ଭବିଷ୍ୟତର ଅଙ୍କୁରୋଦ୍‌ଗମ ହେଲା । ଆଫ୍ରିକା ସମେତ ସବୁଯାକ ମହାଦେଶ ଏହି ପରିବର୍ତ୍ତନର ମନ୍ଥନରେ ଭାଗ ନେଲେ । ସେମାନେ ସ୍ୱାଧୀନ ହେଲେ, ଅର୍ଥାତ୍ ପରସ୍ପରର ସମକକ୍ଷ ହେଲେ ।

 

ମିଳିତ ଜାତିସଂଘର ସଦସ୍ୟ ସଂଖ୍ୟା ସେତେବେଳର ପଚାଶରୁ ବଢ଼ି ବଢ଼ି ବର୍ତ୍ତମାନ ୧୪୦ ହେବାକୁ ଯାଉଛି । ଏହି ବିଶ୍ୱସଭାରେ ଖାଲି ଆମେରିକା ବା ରୁଷିଆ ପରି ବଡ଼ ବଡ଼ ଦେଶମାନେ ସଦସ୍ୟ ହୋଇ ରହିନାହାନ୍ତି, ଖାଲି ଗୋରାମାନେ ନାହାନ୍ତି ବା ଖାଲି ଇଉରୋପୀୟ ନାହାନ୍ତି । ସେଠି ସମସ୍ତେ ଅଛନ୍ତି, ଅର୍ଥାତ୍ ସବୁ ରାଷ୍ଟ୍ର ଅଛନ୍ତି । ରାଜନୀତିକ ଆଦର୍ଶ ନିର୍ବିଶେଷରେ ସମସ୍ତେ ଅଛନ୍ତି । ଆମେରିକା ସହିତ ସାମୋଆ ପରି ସାନ ଟାପୁଖଣ୍ଡେ ମଧ୍ୟ ସମକକ୍ଷ ସଦସ୍ୟ ହୋଇ ରହିଛି । ଏବେ କେପ୍‌ଭେର୍ଡ଼ ବୋଲି ଯେଉଁ କ୍ଷୁଦ୍ର ଦ୍ୱୀପଟି ସ୍ୱାଧୀନ ହେଲା, ସିଏ ମଧ୍ୟ ଅଚିରେ ଜାତିସଂଘର ସଦସ୍ୟ ହେବାକୁ ଯିବ । ଏହି ପରିବର୍ତ୍ତନକୁ ଆଧୁନିକ ପୃଥିବୀର ଘଟଣାବଳୀ ମଧ୍ୟର ହୁଏତ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଏକ ଘଟଣା ବୋଲି କୁହାଯାଇପାରିବ । ଗୋଟିଏ ଅର୍ଥରେ ଆମେ ଏହାକୁ ଏକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ପୁନରୁଜ୍ଜୀବନ ବୋଲି ମଧ୍ୟ କହିପାରିବା ।

 

ମାତ୍ର ପୁନରୁଜ୍ଜୀବନର ମଧ୍ୟ ଅନେକ ସ୍ତର ରହିଛି । ବିବର୍ତ୍ତନର ଅନେକ ସ୍ତର ପରି ବିଶ୍ୱଭାଗ୍ୟର ମଧ୍ୟ ଅନେକ ସ୍ତର ରହିଛି । ସଂଯୁକ୍ତ ଜାତିସଂଘର ମହାସଚିବ ଆମକୁ ପୁନରୁଜ୍ଜୀବନର ପରବର୍ତ୍ତୀ ସ୍ତରଟି ବିଷୟରେ ସ୍ମରଣ କରାଇଦେଇଛନ୍ତି । ସାମ୍ରାଜ୍ୟବାଦର ସ୍ତରଟି ପରେ ଯେପରି ଜାତୀୟ ସ୍ୱାଧୀନତାର ସ୍ତର ଆସିଲା, ଏହାର ପରବର୍ତ୍ତୀ ସୋପାନଟି ରୂପେ ସେହିପରି ଆନ୍ତର୍ଜାତିକ ସହଭାଗିତାର ସ୍ତରଟି ଆମ ସମସ୍ତଙ୍କ ଲାଗି ଅପେକ୍ଷା କରିରହିଛି । ସେହି ସ୍ତରଟି ଲାଗି ଆମେ ସମସ୍ତେ ପ୍ରସ୍ତୁତ ହେବା । ସାନମାନେ ପ୍ରସ୍ତୁତ ହେବା; ବଡ଼ମାନେ ବି ପ୍ରସ୍ତୁତ ହେବା ।

 

ତା ୧୪-୦୭-୧୯୭୫ ରିଖ

Image

 

ହଙ୍ଗ୍‍କଙ୍ଗ୍‌ ଦ୍ୱୀପ

 

ହଙ୍ଗ୍‍କଙ୍ଗ୍‌ ଦ୍ୱୀପ କହିଲେ କେବଳ ଗୋଟିଏ ଦ୍ୱୀପକୁ ବୁଝାଏ ନାହିଁ । ଚୀନ ସାଧାରଣତନ୍ତ୍ରର ପ୍ରକାଣ୍ଡ ଭୂଖଣ୍ଡରୁ ମୁନିଆ ହୋଇ ବାହାରିଯାଇଥିବା ଏକ ଅନ୍ତରୀପ ସମେତ ଏକ ଅତି କ୍ଷୁଦ୍ର ଭୂଭାଗକୁ ବୁଝାଏ । ହଙ୍ଗ୍‍କଙ୍ଗ୍‌ ନାମଟି ହେଉଛି ଏକ ଚାଇନିଜ୍‌ ନାମ । ସେଠାରେ ସମସ୍ତେ ଚୀନ ଭାଷା କହନ୍ତି । ଚୀନଦେଶ ଓ ଅବଶିଷ୍ଟ ପୃଥିବୀ ମଧ୍ୟରେ ଏକ ସେତୁ ପରି ଅବସ୍ଥିତ ରହିହଙ୍ଗ୍‍କଙ୍ଗ୍‍ର ଜୀବନବ୍ୟବସ୍ଥା ଚାଲିଥାଏ । ଏହି ଦ୍ୱୀପ ଓ ଅନ୍ତରୀପଟିରେ ସର୍ବମୋଟ ପ୍ରାୟ ୪୩ ଲକ୍ଷ ଲୋକ ବାସକରନ୍ତି ।

ଚାରିଶହରୁ କମ୍‌ ବର୍ଗମାଇଲ ପରିମିତ ଏହି ଅଞ୍ଚଳଟି ଆବହମାନ କାଳରୁ ଚୀନର ଗୋଟିଏ ଅଂଶ ହୋଇ ରହିଥିଲା । ୧୮୯୮ ମସିହାରେ ଇଂଲଣ୍ଡ ଓ ଚୀନ ଭିତରେ ହୋଇଥିବା ଏକ ରାଜିନାମା ଫଳରେ ଇଂଲଣ୍ଡ ଏହି ଅଞ୍ଚଳଟିକୁ ଚୀନଠାରୁ ପଟାରୂପେ ପାଇଥିଲା । ଠିକ୍‌ ଶହେବର୍ଷ ଲାଗି ଏହି ପଟା ଦିଆଯାଇଥିଲା । ତେଣୁ ନିୟମାନୁସାରେ ଆଉ ବାଇଶିବର୍ଷ ପରେ ଅର୍ଥାତ୍ ୧୯୯୭ ମସିହାରେ ହଙ୍ଗ୍‍କଙ୍ଗ୍‌ ରାଜ୍ୟ ପୁଣି ଚୀନ ପାଖକୁ ଲେଉଟି ଆସିବା କଥା । ଇଂଲଣ୍ଡର ଶାସକମାନେ ଏ ବିଷୟରେ ସମ୍ପୂର୍ଣ୍ଣ ସଚେତ ରହିଛନ୍ତି ଓ ଉଚିତ ସମୟରେ ପ୍ରଦେଶଟିକୁ ଚୀନକୁ ପୂନର୍ବାର ହସ୍ତାନ୍ତରିତ କରିଦେବାଲାଗି ସେମାନେ ବିଚାର ମଧ୍ୟ କରୁଛନ୍ତି ।

ହଙ୍ଗ୍‍କଙ୍ଗ୍‌ ଉପରେ ଇଂଲଣ୍ଡର ଏହି ଅଧିକାର ବା ଆଧିପତ୍ୟକୁ ଚୀନସରକାର ନିୟମତଃ ସ୍ୱୀକାର କରୁନାହାନ୍ତି । ସେମାନେ ଯୁକ୍ତି ଦେଖାଇ କହୁଛନ୍ତି ଯେ ଚୀନ ଓ ଇଂଲଣ୍ଡ ମଧ୍ୟରେ ସେତେବେଳେ ହୋଇଥିବା ଏହି ଚୁକ୍ତି ହେଉଛି ଏକ ଅସମାନ ଚୁକ୍ତି ଏବଂ ଏକ ଅଧିକ ଶକ୍ତିଶାଳୀ ପକ୍ଷ ହିସାବରେ ଇଂଲଣ୍ଡ ଚୀନଠାରୁ ଜୋରକରି ହଙ୍ଗ୍‍କଙ୍ଗ୍‌ ଉପରେ କର୍ତ୍ତୃତ୍ୱ ରଖିବାର ଏହି ପଟାଟିକୁ ସ୍ୱାକ୍ଷର କରାଇ ନେଇଥିଲା । ମାତ୍ର ସବୁଠାରୁ ମଜାର କଥା ହେଉଛି ଯେ ଚୀନ ହଙ୍ଗ୍‍କଙ୍ଗ୍‌ ବିଷୟରେ ହୋଇଥିବା ରାଜିନାମାଟିକୁ ସ୍ୱୀକାର କରୁ ନଥିଲେ ମଧ୍ୟ, ଯେତେବେଳେ ୧୯୯୭ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡ ସେହି ଭୂଭାଗଟିକୁ ଚୀନ ହାତରେ ଫେରସ୍ତ ଦେବାକୁ ନିଷ୍ପତ୍ତି କରିବ, ସେତେବେଳେ ଚୀନ ତାହା ଫେରସ୍ତ ନେବାକୁ ଖୁବ୍‌ ବେଶି ଆଗ୍ରହାନ୍ୱିତ ହେବ କି ନାହିଁ, ସେ ବିଷୟରେ ବେଶ୍‌ ସନ୍ଦେହ ରହିଛି ।

ଏହି ଅନିଚ୍ଛୁକତାର କାରଣ କ’ଣ ହୋଇପାରେ ? ହଙ୍ଗ୍‍କଙ୍ଗ୍‌ ଚୀନଦେଶରୁ ଅଲଗା ହୋଇ ରହିବା ଦ୍ୱାରା ଚୀନ ସରକାରଙ୍କର ଯେତେ ଲାଭ ହେଉଛି, ତାହା ଚୀନଦେଶର ଅନ୍ତର୍ଗତ ହୋଇଯିବା ପରେ ତାଙ୍କର କଦାପି ସେତେଦୂର ଯେ ଲାଭ ହେବ ନାହିଁ, ଚୀନ ସରକାର ସେକଥା ଭଲକରିଜାଣିଛନ୍ତି । ବ୍ରିଟିଶ ଉପନିବେଶ ହୋଇ ରହିଥିବା ହଙ୍ଗ୍‍କଙ୍ଗ୍‌ ବନ୍ଦର ହେଉଛି ମୁକ୍ତ ବନ୍ଦର । ତେଣୁ ବହିର୍ବାଣିଜ୍ୟର କ୍ଷେତ୍ରରେ ତାହା ଚୀନ ସାଧାରଣତନ୍ତ୍ର ଲାଗି ବୃହତ୍ତର ବହିର୍ଜଗତ ଆଡ଼କୁ ଏକ ଦ୍ୱାର ସ୍ୱରୂପ ହୋଇରହିଛି । ଚୀନ ଆପଣାର ବହିର୍ବାଣିଜ୍ୟ ଦ୍ୱାରା ବର୍ଷକୁ ଯେଉଁ ୧୨୬୦ କୋଟି ଟଙ୍କା ମୂଲ୍ୟର ବୈଦେଶିକ ମୁଦ୍ରା ଅର୍ଜନ କରେ, ତାହାର ଶତକଡ଼ା ୪୦ ଭାଗର କାରବାର ହଙ୍ଗ୍‍କଙ୍ଗ୍‌ ବନ୍ଦର ଜରିଆରେ ହିଁ ହୋଇଥାଏ । କେବଳ ଏକ ରାଜନୀତିକ କାରଣ ସକାଶେ ଏଡ଼େବଡ଼ ଆର୍ଥିକ ଲୋକସାନ ସହ୍ୟ କରିବାକୁ ଚୀନଦେଶର ସରକାର ହୁଏତ କଦାପି ଏକ କୁଶଳ ବୁଦ୍ଧି ବୋଲି ଭାବୁ ନ ଥିବେ । ଜାଣିବା ଶୁଣିବା ଲୋକମାନେ କହିଲେଣି ଯେ ଉଭୟ ଲଣ୍ଡନ ଏବଂ ପେକିଂରେ ଚୀନ ସରକାର କୂଟନୈତିକ ସୂତ୍ରଗୁଡ଼ିକ ମାଧ୍ୟମରେ ବ୍ରିଟେନକୁ ଜଣାଇ ଦେଇ ସାରିଲେଣି ଯେ ହଙ୍ଗ୍‍କଙ୍ଗ୍‌ର ରାଜନୀତିକ ସ୍ଥିତି ବର୍ତ୍ତମାନ ଯେପରି ଅଛି, ଅନିର୍ଦ୍ଦିଷ୍ଟ କାଳ ଲାଗି ତାହା ଠିକ୍‌ ସେହିପରି ରହୁ ବୋଲି ଚୀନ ସରକାର ଇଚ୍ଛା କରୁଛନ୍ତି ।

ମାତ୍ର ହଙ୍ଗ୍‍କଙ୍ଗ୍‌ର ଶାସନକୁ କ୍ରମେ ଅଧିକରୁ ଅଧିକ ପ୍ରତିନିଧିମୂଳକ କରିବାକୁ ଉଭୟ ଲଣ୍ଡନ ଏବଂ କେତେକ ହଙ୍ଗ୍‍କଙ୍ଗ୍‍ବାସୀଙ୍କ ତରଫରୁ ଅଧିକରୁ ଅଧିକ ଚାପ ପଡ଼ୁଛି । ହଙ୍ଗ୍‍କଙ୍ଗ୍‍ରେ କେବଳ ସହର କାଉନସିଲ ସକାଶେ ହିଁ ଜନଗଣଙ୍କ ଭୋଟ ନିଆଯାଏ । ଏହି ଜନଗଣ ନର୍ବାଚନ ପ୍ରଭୃତି ପଦ୍ଧତି ଲାଗି ଅଧିକତର ପରିମାଣରେ ପ୍ରାୟ ଏକ ଉଦାସୀନତା ହିଁ ଦେଖାଇଥାଆନ୍ତି । ସହର କାଉନସିଲ ହାତରେ ଶାସନ ଓ ବିଧାନ ପ୍ରଣୟନ ସଂକ୍ରାନ୍ତୀୟ ପ୍ରାୟ କୌଣସି କ୍ଷମତା ନଥାଏ । କାଉନସିଲର ସଦସ୍ୟମାନେ ମୁଖ୍ୟତଃ ମନୋରଞ୍ଜନ, ଲାଇବ୍ରେରୀ, ରାସ୍ତା ସଫା, ଫେରିବାଲା, ସନ୍ତରଣାଗାର, ଶ୍ମଶାନ ଏବଂ ଉଦ୍ୟାନଗୁଡ଼ିକର ବ୍ୟାପାର ବିଷୟରେ ଯାହାକିଛି କରନ୍ତି । ସେଠାରେ ଯେଉଁ ବିଧାନସଭା ଓ ଶାସନମଣ୍ଡଳୀ ରହିଛି, ସେଥିଲାଗି ସଦସ୍ୟମାନଙ୍କୁ ମନୋନୀତ କରିଆଣିବାକୁ ହୋଇଥାଏ ।

୧୯୯୭ ମସିହା ଆସିବ, ପୁଣି ଚାଲିଯିବ । ହୁଏତ ହଙ୍ଗ୍‍କଙ୍ଗ୍‌ ବର୍ତ୍ତମାନ ଯେପରି ରହିଛି, ସେହିପରି ରହିଥିବ । ସେଠାରେ ଏକ ମୁକ୍ତ ବନ୍ଦର ରହିଥିବ ଏବଂ ଚୀନ ସରକାର ଆପଣାର ବହିର୍ବାଣିଜ୍ୟ ଲାଗି ତାକୁ ବର୍ତ୍ତମାନ ପରି ସେତେବେଳେ ମଧ୍ୟ କାମରେ ଲଗାଉଥିବେ । ହଙ୍ଗ୍‍କଙ୍ଗ୍‌ ଉପନିବେଶ ହୋଇ ରହିଥିବ, ଅଣକମ୍ୟୁନିଷ୍ଟ ହୋଇ ରହିଥିବ ଏବଂ ଚୀନଦେଶର କମ୍ୟୁନିଷ୍ଟ ସରକାର ସେଥିରେ ଆଦୌ କୌଣସି ହସ୍ତକ୍ଷେପ କରୁ ନଥିବେ । ଚୀନ ସରକାର ବର୍ତ୍ତମାନ ପରି ହଙ୍ଗ୍‍କଙ୍ଗ୍‌ ବିଷୟରେ ଏକ ନରମପନ୍ଥୀ ଦୃଷ୍ଟିକୋଣ ରଖିଥିବା ପର୍ଯ୍ୟନ୍ତ ଏହି ଅବସ୍ଥାଟି ହିଁ ଖୁବ୍‌ସମ୍ଭବ ବଳବତ୍ତର ରହିଥିବ । ସେଠି ନେତୃତ୍ୱ ବଦଳିଲେ ଏବଂ ଚୀନର ହଙ୍ଗ୍‍କଙ୍ଗ୍‌ ନୀତିରେ ଅଧିକ ଉଗ୍ର ଦୃଷ୍ଟିକୁ ପ୍ରଶ୍ରୟ ଦିଆଗଲେ ହୁଏତ ଚୀନର ହଙ୍ଗ୍‍କଙ୍ଗ୍‌ ନୀତି ମଧ୍ୟ ବଦଳିଯିବ ।

ତା ୧୫-୦୭-୧୯୭୫ ରିଖ

Image

 

ଜର୍ମାନୀ ଓ ଇସ୍ରାଏଲ୍‌

 

ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ରାବିନ୍‌ ଏବେ ଜର୍ମାନୀ ଗ୍ରସ୍ତରେ ଯାଇଛନ୍ତି । ଅବଶ୍ୟ ଅଧିକ ନିର୍ଦ୍ଦୋଷ ଭାବରେ କହିଲେ ପଶ୍ଚିମ ଜର୍ମାନୀ ଗସ୍ତରେ ଯାଇଛନ୍ତି ବୋଲି କୁହାଯିବ । ଆଧୁନିକ ଇସ୍ରାଏଲ ଦେଶ ଗଠିତ ହେବାର ଗତ ପ୍ରାୟ ତିରିଶି ବର୍ଷ ମଧ୍ୟରେ ଇସ୍ରାଏଲର କୌଣସି ରାଷ୍ଟ୍ରମୁଖ୍ୟ ଏଥିପୂର୍ବରୁ କେବେହେଲେ ଜର୍ମାନୀ ଗସ୍ତରେ ଯାଇନଥିଲେ ।

 

ଇସ୍ରାଏଲ ଇହୁଦୀମାନଙ୍କର ଦେଶ ଏବଂ ଯୁଗାନୁକ୍ରମରେ ଇଉରୋପର ଖ୍ରୀଷ୍ଟିଆନ ଦେଶମାନଙ୍କରେ ଇହୁଦୀମାନଙ୍କୁ ଘୃଣା କରିବା ପ୍ରାୟ ଏକ ଶାସ୍ତ୍ରୀୟ ଘଟଣା ହୋଇ ରହିଆସିଛି । ଯୁଗେ ଯୁଗେ ଖ୍ରୀଷ୍ଟିଆନ ରାଜାମାନେ ଏକ ବର୍ବର ଧର୍ମାଚରଣ ଦ୍ୱାରା ପ୍ରେରିତ ହୋଇ ଇହୁଦୀମାନଙ୍କୁ ଧର୍ଷଣ କରିଆସିଛନ୍ତି, ଇହୁଦୀ-ମାରଣ କରିଆସିଛନ୍ତି ଏବଂ ରାଜାମାନଙ୍କର ଆଜ୍ଞା ଅନୁସାରେ ସେମାନଙ୍କର ପ୍ରଜାମାନେ ମଧ୍ୟ ଇହୁଦୀ ସମାଜକୁ ନାନାମନ୍ତେ ପ୍ରପୀଡ଼ିତ କରିରଖିବାକୁ ହିଁ ପରମ କର୍ତ୍ତବ୍ୟ ବୋଲି ମନେ କରିଛନ୍ତି । ଇଉରୋପର ସାହିତ୍ୟ ଓ ଲୋକସଙ୍ଗୀତ ଭିତରେ ମଧ୍ୟ ଏହି ଇହୁଦୀ ଘୃଣାଭାବ ପ୍ରବେଶ କରିଛି । ଇଉରୋପର ବିଭିନ୍ନ ଦେଶରେ ତାହା ଅଳ୍ପବହୁତ ରହିଆସିଥିଲେ ମଧ୍ୟ ସ୍ପେନ ଓ ଜର୍ମାନୀରେ ତାହା ଅନେକ ସମୟରେ ଏକ ଅତ୍ୟୁଗ୍ର ରୂପ ଧାରଣ କରିଛି । ଜର୍ମାନୀରେ ନାତ୍‌ସୀବାଦ ଓ ହିଟଲରଙ୍କ ଶାସନ ଚାଲୁଥିବା ସମୟରେ ସେହି ଘୃଣା ଏକ ଅପଟାନ୍ତର ସୀମାକୁ ସ୍ପର୍ଶ କରିଥିଲା ।

 

ଆଡ଼ଲ୍‌ଫ୍‌ ହିଟଲର୍ ମାତ୍ର ପନ୍ଦରଟି ବର୍ଷ ଲାଗି ଜର୍ମାନୀ ଶାସନ କରିଥିଲେ ମଧ୍ୟ ସେହି ପନ୍ଦରଟି ବର୍ଷ ମଧ୍ୟରେ ଇଉରୋପର ବିଭିନ୍ନ ଦେଶରେ ତାଙ୍କ ଆଦେଶରେ ପ୍ରାୟ ଷାଠିଏ ଲକ୍ଷ ଇହୁଦୀଙ୍କୁ ହତ୍ୟା କରାଯାଇଛି । ସେଥିରୁ ଦଶ ଲକ୍ଷ ହେଉଛନ୍ତି ସାନ ପିଲା । ମଣିଷ ଯେ ମଣିଷ ପ୍ରତି କେତେ ବର୍ବର ଓ ବୀଭତ୍ସ ହୋଇପାରେ, ହିଟଲର୍‌ ଅମଳର ଇହୁଦୀ-ଉତ୍ପୀଡ଼ନ ତାହାରି ଏକ ପ୍ରତ୍ୟକ୍ଷ ଉଦାହରଣ ହୋଇ ରହିଛି ।

 

ଇଉରୋପର ଇହୁଦୀ ଘୃଣା ହିଁ ଇହୁଦୀଜାତି ଲାଗି ଗୋଟିଏ ସ୍ୱତନ୍ତ୍ର ଭୂମି ସୃଷ୍ଟି କରିବାରେ ସବୁଠାରୁ ବଡ଼ କାରଣ ରୂପେ କାର୍ଯ୍ୟ କରିଛି । ନାତ୍‌ସୀମାନଙ୍କର ଅମାନୁଷିକ ଇହୁଦୀମାରଣ ନୀତି ଇସ୍ରାଏଲର ଜନ୍ମଲାଗି ଏକ ତାତ୍କାଳିକ ଅତ୍ୟାବଶ୍ୟକତା ଆଣିଦେଇଛି । ଇଉରୋପର ବିଭିନ୍ନ ଦେଶରେ ସହସ୍ର ସଂଖ୍ୟାରେ ଆପଣାର କୁଟୁମ୍ୱଲୋକଙ୍କୁ ହରାଇଥିବା ଇହୁଦୀମାନେ ପୃଥିବୀ ଉପରେ ଆପଣା ଲାଗି ଅର୍ଥାତ୍‌ ନିଜର ବୋଲି କହିପାରିବା ଲାଗି ଖଣ୍ଡେ ଭୂମି ଲୋଡ଼ିଛନ୍ତି ଓ ସେହି ବ୍ୟାକୁଳତା ମଧ୍ୟରୁ ଆଧୁନିକ ଇସ୍ରାଏଲ ଦେଶ ପ୍ରତିଷ୍ଠା କରିବାର ଉଦ୍ୟମ ଜନ୍ମଲାଭ କରିଛି । ଇଉରୋପରେ, ବିଶେଷତଃ ହିଟ୍‌ଲର୍-ଶାସିତ ନାତ୍‌ସୀ ଜର୍ମାନୀରେ ଇହୁଦୀମାନେ ଭୋଗ କରିଥିବା କ୍ଷତଗୁଡ଼ାକ ଆଜି ଇସ୍ରାଏଲର ଏକ ଅବିସ୍ମରଣୀୟ ମିଉଜିୟମରୂପେ ସାଇତା ହୋଇରହିଛି । ତେଣୁ ଜର୍ମାନୀ ସହିତ ଯେ ଇସ୍ରାଏଲର ଆଦୌ କୌଣସି ମିତ୍ରସମ୍ପର୍କ ରହିବ ନାହିଁ, ସେକଥା ବୁଝିବାରେ ଆମକୁ ଆଦୌ କୌଣସି ପ୍ରକାର କଷ୍ଟ ହେବ ନାହିଁ ।

 

କ୍ଷତଗୁଡ଼ାକ ଯେତେ ଉତ୍କଟ ହେଲେ ମଧ୍ୟ କାଳକ୍ରମେ ସେଗୁଡ଼ାକ ପ୍ରାୟ ଭୁଲିହୋଇ ଯାଇଥାଏ । ସେଥିଲାଗି କିଛି ସମୟ ଅବଶ୍ୟ ଲାଗେ । ଦ୍ୱିତୀୟ ମହାଯୁଦ୍ଧ ଅନ୍ତେ ପଶ୍ଚିମ ଜର୍ମାନୀରେ ଗଣତନ୍ତ୍ର ଶାସନ ସ୍ଥାପିତ ହେବା ପରେ ଜର୍ମାନୀ ‘ନୈତିକ କ୍ଷତିପୂରଣ’ ରୂପେ ଇସ୍ରାଏଲକୁ ବର୍ଷକୁ ବର୍ଷ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥସାହାଯ୍ୟ ଦେଇଆସୁଥିଲା । ନାତ୍‌ସୀ ଅମଳରେ ଜର୍ମାନୀ ଇହୁଦୀ ଜାତିକୁ ଯେଉଁ ଆଘାତ ଦେଇଥିଲା, ନୂତନ ଇହୁଦୀଭୂମି ଇସ୍ରାଏଲକୁ ତିଆରି କରିବାରେ କିଛି ସକ୍ରିୟ ସହଯୋଗ କରିନିଶ୍ଚୟ କିଂଚିତ୍‌ ପ୍ରାୟଶ୍ଚିତ କରାଯାଇପାରିବ ବୋଲି ଜର୍ମାନୀ ସ୍ୱେଚ୍ଛାକୃତ ଭାବରେ ତାହା କରୁଥିଲା ଏବଂ ଏହାଦ୍ୱାରା ପରୋକ୍ଷ ଭାବରେ ଜର୍ମାନୀ ପ୍ରତି ଇସ୍ରାଏଲର ଦୃଷ୍ଟିକୋଣରେ କ୍ରମଶଃ ଏକ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରୁଥିଲା ।

 

ସମୟକ୍ରମେ ଏକ ନୂତନ ସମ୍ୱନ୍ଧର ସଞ୍ଚାର ମଧ୍ୟ ହେଲା । ପଶ୍ଚିମ ଜର୍ମାନୀର ରାଷ୍ଟ୍ରମୁଖ୍ୟମାନେ କ୍ରମେ ଆପଣା ଦେଶର ସଦିଚ୍ଛା ବ୍ୟକ୍ତ କରିବା ଉଦ୍ଦେଶ୍ୟରେ ଇସ୍ରାଏଲକୁ ଯିବାଲାଗି ସେଠାରୁ ସମ୍ମତି ପାଇଲେ । ମାତ୍ର ଏପର୍ଯ୍ୟନ୍ତ ଇସ୍ରାଏଲର କୌଣସି ରାଷ୍ଟ୍ରମୁଖ୍ୟ ଜର୍ମାନୀ ପରିଦଶର୍ନରେ ଆସି ନ ଥିଲେ । ପୁରୁଣା ଦାଗଗୁଡ଼ାକ ପାସୋରି ଯିବାଲାଗି ପ୍ରାୟ ଗୋଟାଏ ପୁରୁଷ ସମୟ ଲାଗିଗଲା । ଇସ୍ରାଏଲର ଜନମନରେ ପ୍ରାୟ ବଦ୍ଧ ହୋଇ ବସି ଯାଇଥିବା ଜର୍ମାନୀ-ଘୃଣା କ୍ରମେ ଭୁଲିହୋଇଗଲା । ସମ୍ଭବତଃ ତାହାରି ଏକ ନିଦର୍ଶନ ରୂପେ ଏବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ପଶ୍ଚିମ ଜର୍ମାନୀ ଗସ୍ତରେ ଯାଇପାରିଲେ ।

 

ତା ୧୭.୦୭.୧୯୭୫ ରିଖ

Image

 

ଇଉରୋପା

 

ୟୁରୋପରେ ଅଛି ଅନେକ ଭାଷା, ଅନେକ ଦେଶ । ଅତି ସାନ ସାନ ଦେଶ, ସାନ ସାନ ଜାତୀୟ ଏକକର ଦେଶ । ଆଗରୁ ଏପରି ଆଦୌ ନ ଥିଲା । ସମଗ୍ର ୟୁରୋପୀୟ ମହାଦେଶଟି କେତୋଟି ଶକ୍ତିଶାଳୀ ରାଜତନ୍ତ୍ରରେ ବିଭକ୍ତ ହୋଇ ରହିଥିଲା । ଗୋଟିଏ ରାଜ୍ୟ ସହିତ ଆଉ ଗୋଟିଏ ରାଜ୍ୟର ପ୍ରାୟ ସବୁବେଳେ ଯୁଦ୍ଧ ଲାଗିରହିଥିଲା । ରାଜ୍ୟଗୁଡ଼ିକ ଏସିଆ ଓ ଆଫ୍ରିକାରେ କାଳକ୍ରମେ ଆପଣାର ସାମ୍ରାଜ୍ୟ ବିସ୍ତାର କଲେ ଏବଂ ପ୍ରଧାନତଃ ସାମ୍ରାଜ୍ୟଗତ ଅର୍ଥାତ୍‌ ବାଣିଜ୍ୟଗତ ନାନା ବିବାଦମାନ ସ୍ୱାର୍ଥ ନେଇ ସେମାନଙ୍କ ମଧ୍ୟରେ ୧୯୧୪ ମସିହାରେ ଯେଉଁ ଯୁଦ୍ଧଟି ଲାଗିଲା, ଆଧୁନିକ ଇତିହାସରେ ତାହାକୁ ଏକ ମହାସମର ବୋଲି କୁହାଯାଉଛି; କେହି କେହି ଏହାକୁ ଏକ ବିଶ୍ୱଯୁଦ୍ଧ ବୋଲି ମଧ୍ୟ କହୁଛନ୍ତି । ଏହି ମହାଯୁଦ୍ଧରେ ଗୋଟିଏ ପକ୍ଷ ଜିଣିଲା ଓ ଆଉ ଗୋଟିଏ ପକ୍ଷ ହାରିଲା ସତ, ମାତ୍ର ୟୁରୋପ ଦେଶଟା ଅନେକ ସାନ ସାନ ଦେଶରେ ବିଭକ୍ତ ହୋଇଗଲା । ଜାତୀୟତାବାଦ ଓ ଜାତୀୟ ରାଷ୍ଟ୍ରର ଯୁଗକୁ ସ୍ୱାଗତ କରିଅଣାଗଲା ।

 

ଏବଂ ଦ୍ୱିତୀୟ ମହାଯୁଦ୍ଧ ପରେ ମଧ୍ୟ ଗୋଟିଏ ପକ୍ଷ ହାରିଲା ଓ ଆଉ ଗୋଟିଏ ପକ୍ଷ ଜିତିଲା ସତ, ମାତ୍ର ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ପୃଥିବୀବ୍ୟାପୀ ସାମ୍ରାଜ୍ୟଟିର ମୂଳ ଦୁଲୁକିଗଲା, ପୁରୁଣା ପୃଥିବୀଟା ଏକାବେଳେକେ ବଦଳିଗଲା । ୟୁରୋପର ହାତରୁ ପୃଥିବୀର ବଜାରଟା ହିଁ ଖସିଗଲା । ତେଣୁ ୟୁରୋପକୁ ଏକ ନୂତନ ଅର୍ଥନୈତିକ ଆଭିମୁଖ୍ୟ ଦେଇ ଗଢ଼ିବା ଲାଗି ସେଠା ରାଜ୍ୟମାନେ ପରିସ୍ଥିତି ଦ୍ୱାରା ବାଧ୍ୟ ହେଲେ । ପ୍ରଧାନତଃ ସେଇଥିରୁ ହିଁ ୟୁରୋପୀୟ କମନ୍‌ ମାର୍କେଟ୍‌ର ବିଚାରଟି ଜନ୍ମଲାଭ କଲା । ସେହି ବିଚାରଟି କେତେକ ପରିମାଣରେ ଏକ ମୂର୍ତ୍ତ ରୂପ ପାଇବା ପରେ ଏବେ ସମୁଦାୟ ୟୁରୋପକୁ ନେଇ ଏକ ରାଜନୀତିକ ଏକକ ବା ସହଯୋଗୀ ସଂଘର ସ୍ଥାପନା ଲାଗି ମଧ୍ୟ ଉଦ୍ୟମମାନ ଆରମ୍ଭ ହେଲାଣି, ଅଭିଳାଷମାନ ବ୍ୟକ୍ତ କରାଗଲାଣି ।

 

କେତେ ଶହ ବର୍ଷ ତଳେ ଫରାସୀ ଲେଖକ ଭିକ୍‌ଟର ହିଉଗୋ ୟୁରୋପକୁ ଗୋଟିଏ ରାଜନୀତିକ ଓ ସାଂସ୍କୃତିକ ଭୂଖଣ୍ଡ ବୋଲି କଳ୍ପନା କରିଥିଲେ । ସେହି କଳ୍ପନାକୁ ସେ ଏକ ଦେବୀରୂପେ ବର୍ଣ୍ଣନା କରିଥିଲେ । ଇଉରୋପା ଦେବୀଙ୍କର ସେହି ମହାଦେଶୀୟ ଅଙ୍ଗ କଳ୍ପନାରେ ଇଂଲଣ୍ଡଠାରୁ ଆରମ୍ଭ କରିରୁଷିଆ ପର୍ଯ୍ୟନ୍ତ ଭୌଗୋଳିକ ଇଉରୋପର ସବୁ ଦେଶ ଅନ୍ତର୍ଭୁକ୍ତ ହୋଇ ରହିଥିଲେ । ବର୍ତ୍ତମାନ ମଧ୍ୟ ପ୍ରାୟ ବିଗତ କୋଡ଼ିଏ ପଚିଶ ବର୍ଷ ହେଲା ସେହି ଏକକ ଭୂଖଣ୍ଡ ଇଉରୋପର କଳ୍ପନା କରାଯାଉଛି ସତ, ମାତ୍ର ରାଜନୀତିକ କାରଣରୁ ସେଥିରେ ରୁଷିଆ ସମେତ ପୂର୍ବ-ୟୁରୋପର କୌଣସି ଦେଶକୁ ସ୍ଥାନ ବା ଭାଗ ଦିଆଯାଇ ନାହିଁ । ଏହି ନୂତନୋତ୍ସାହୀମାନେ ୟୁରୋପ କହିଲେ ଅଣକମ୍ୟୁନିଷ୍ଟ ପଶ୍ଚିମ ୟୁରୋପକୁ ହିଁ ଯୋଜନା ଭିତରେ ରଖିଛନ୍ତି । ତାହାକୁ ହିଁ ପୁରାତନ କାଳର ଭାବପ୍ରବଣତା ସହିତ ମିଶାଇ ଇଉରୋପା ବୋଲି କଳ୍ପନା କରାଯାଉଛି । ଏହିପରି ଏକ କଳ୍ପନା ହିଁ ଭବିଷ୍ୟତରେ ବାସ୍ତବ ରୂପ ନେବାକୁ ଯାଉଛି ବୋଲି ସୂଚନା ଦେଇ ପଶ୍ଚିମ–ୟୁରୋପର ବିଭିନ୍ନ ଦେଶରେ ମାଳ ମାଳ ଡାକଟିକେଟ ମଧ୍ୟ ପ୍ରସାରିତ ହୋଇସାରିଲାଣି ।

 

ଇଉରୋପା ଅର୍ଥାତ୍ ୟୁରୋପୀୟ ରାଷ୍ଟ୍ରସଂଘକୁ ନେଇ ଜର୍ମାନୀ, ଫ୍ରାନ୍‍ସ ପ୍ରଭୃତି ବଡ଼ ବଡ଼ ଓ ଅଧିକ ଶକ୍ତିସମ୍ପନ୍ନ କେତୋଟି ଦେଶ ଯେତିକି ଉତ୍ସାହ ଦେଖାଉଛନ୍ତି, ଡେନମାର୍କ ବା ସୁଇଜରଲାଣ୍ଡ ପ୍ରଭୃତି ସାନ ଦେଶଗୁଡ଼ିକ ହୁଏତ ସେତିକି ସଂଶୟ ବି ପ୍ରକାଶ କରୁଛନ୍ତି । ସାନ ବଡ଼ ସମସ୍ତଙ୍କୁ ନେଇ ଗୋଟିଏ ରାଜନୀତିକ ସଂଘ ସ୍ଥାପିତ ହେଲେ ସେଥିରେ ବସ୍ତୁତଃ ବଡ଼ ବଡ଼ କେତୋଟି ଦେଶର ହିଁ ପ୍ରତିପତ୍ତି ବଢ଼ିବ ଏବଂ ସାନ ସାନଗୁଡ଼ିକ ତା’ ଭିତରେ ଆପଣାର ସ୍ୱାତନ୍ତ୍ର୍ୟ ହରାଇ କୁଆଡ଼େ ବିସ୍ମରି ହୋଇ ରହିଯିବେ ବୋଲି ସାନ ଦେଶଗୁଡ଼ିକ ଆଶଙ୍କା କରୁଛନ୍ତି । ମହାଦେଶୀୟ ବାଣିଜ୍ୟ ଓ ଆର୍ଥିକ ସରବରାହ ଗୋଳ ଭିତରେ ସେମାନଙ୍କର ସାନ ସାନ ଆର୍ଥିକ ପସରାଗୁଡ଼ିକ ହୁଏତ କୁଆଡ଼େ ମାଡ଼ ଖାଇଯିବ ବୋଲି ସେମାନେ ପ୍ରମାଦ ଗଣୁଛନ୍ତି । ଅର୍ଥାତ୍ ଇଉରୋପକୁ ଗୋଟିଏ ରାଜନୀତିକ ଏକକ କରିଗଠନ କରିବାକୁ ଯେତିକି ପାରସ୍ପରିକ ବିଶ୍ୱାସ ତାହାର ଏକ ପୃଷ୍ଠଭୂମିରୂପେ ଅବଶ୍ୟ ରହିବା ଦରକାର, ୟୁରୋପର ଦେଶ-ଦେଶ ମଧ୍ୟରେ ଓ ବିଭିନ୍ନ ଦେଶର ଅଧିବାସୀଙ୍କ ମନରେ ଏପର୍ଯ୍ୟନ୍ତ ସେହି ବିଶ୍ୱାସ ଏକ ନିର୍ଭରଯୋଗ୍ୟ ଦାନା ବାନ୍ଧିନାହିଁ-। ଚୁଲୀ ଉପରକୁ ହାଣ୍ଡି ଉଠିବା ଲାଗି ଆହୁରି ବେଳ ହୋଇନାହିଁ ।

 

ତା ୨୧.୦୭.୧୯୭୫ ରିଖ

Image

 

ଆକର୍ଷକ ମହାସାଗର

 

ବିଶ୍ୱ-ରାଜନୀତିର କ୍ଷମତା କଣ୍ଟିବାର କ୍ଷେତ୍ରରେ ଭାରତ ମହାସାଗର ସତେ ଅବା ଅତ୍ୟନ୍ତ ଆକସ୍ମିକ ଭାବରେ ଅତି ମାତ୍ରାରେ ଆକର୍ଷକ ହୋଇପଡ଼ିଛି । ସାଗର ଓ ମହାସାଗରଗୁଡ଼ିକ ମଧ୍ୟରୁ ଲୋକବର୍ଣ୍ଣନା ଅନୁସାରେ ଆଫ୍ରିକା ଓ ୟୁରୋପ ମଝିରେ ବନ୍ଧଦିଆ ଜଳାଶୟଟିଏ ପରି ରହିଥିବା ଭୂମଧ୍ୟସାଗର ହିଁ କାଳେ କାଳେ ଭାରି ଆକର୍ଷକ ହୋଇ ରହିଥିଲା । ରୋମାଣ୍ଟିକ ଯୁଗର କବି ଭୂମଧ୍ୟସାଗର ଉପରେ କବିତା ଲେଖୁଥିଲେ । ବର୍ତ୍ତମାନ ମଧ୍ୟ ୟୁରୋପରେ ବସନ୍ତଋତୁ ପ୍ରବେଶ କଲା ମାତ୍ରକେ ବିଶ୍ରାମ ଓ ବିନୋଦନ ଲୋଡ଼ୁଥିବା କେତେ ୟୁରୋପବାସୀ ଆକୁଳ ହୋଇ ସେହି ଭୂମଧ୍ୟସାଗରର ଉପକୂଳ ଆଡ଼କୁ ହିଁ ଦଉଡ଼ି ଯାଆନ୍ତି । ଏବେ ପୃଥିବୀରେ ବୃହତ୍‌ ସମରଶକ୍ତିମାନଙ୍କ ପାଇଁ ହଠାତ୍‌ ଭାରତ ମହାସାଗର ଯେ ଏପରି ଆକର୍ଷକ ହୋଇଉଠିଲା, ଏହି ଘଟଣାଟିକୁ ଆମେ ପ୍ରକୃତରେ କାହାର ଭାଗ୍ୟ ବା ଦୁର୍ଭାଗ୍ୟ ବୋଲି କହିପାରିବା ?

 

ଡିଏଗୋଗାର୍ସିଆ ବୋଲି ଭାରତ ମହାସାଗରରେ ସତରେ କୌଣସି ଦ୍ୱୀପ ରହିଛି କି ନାହିଁ, ପୃଥିବୀର ଅନେକ ସିଦ୍ଧ ଭୂଗୋଳବିତ୍‌ ମଧ୍ୟ ଆଗରୁ ଖୁବ୍‌ ସମ୍ଭବ ଏ ବିଷୟରେ ଆଦୌ ୱାକିବ୍‌ହାଲ ନ ଥିଲେ । ଆମେରିକା ସରକାରଙ୍କୁ ଧନ୍ୟବାଦ ଦେବାର କଥା ଯେ ସେ ପ୍ରଥମ କରିବିଶ୍ୱ-ଜନଶ୍ରୁତିରେ ଏହି ଦ୍ୱୀପଟିକୁ ଆଣି ପରିଚିତ କରାଇଲେ । ଖାଲି ଭାରତ ମହାସାଗରରେ ନୁହେଁ, ପ୍ରଶାନ୍ତ ଏବଂ ଆଟଲାଣ୍ଟିକ ମହାସାଗରରେ ମଧ୍ୟ ଏପରି ଏକାଧିକ ମିନିଦ୍ୱୀପସବୁ ରହିଥିଲେ, ଯେଉଁଠାରେ କି ଆଗରୁ କେତେକ ଲୋକ ଅବଶ୍ୟ ବାସ କରୁଥିଲେ, ଯେଉଁଠାରେ କି ଆଗରୁ ନଡ଼ିଆଗଛ ଓ ଗୁଆଗଛ ଅବଶ୍ୟ ରହିଥିଲା । ମାତ୍ର ବୃହତ୍ତର ପୃଥିବୀକୁ ତାହାର ଆଦୌ କୌଣସି ଖବର ଜଣା ନ ଥିଲା । ପୃଥିବୀର ଖବରକାଗଜମାନେ ସେହିସବୁ ଦ୍ୱୀପର ନାମକୁ ଆଦୌ କେବେହେଲେ ଲୋଡ଼ି ନ ଥିଲେ । ସାମରିକ ଘାଟି ପ୍ରତିଷ୍ଠା କରିବାର ସନ୍ଧାନରେ ବୃହତ୍‌ ଶକ୍ତିମାନେ ଯେତେବେଳେ ପୃଥିବୀ-ପାରିଧିରେ ବାହାରିଲେ, ସେତେବେଳେ ଯାଇ ସେହିସବୁ ଦ୍ୱୀପ ଆମ ପାଞ୍ଜି ଭିତରକୁ ଆସିଲା, ଆମକୁ ସଚେତନ କରାଇଦେଲା ।

 

ଡିଏଗୋଗାର୍ସିଆରେ ଆପଣାର ନୌବାହିନୀ ଓ ଆକାଶବାହିନୀ ଲାଗି ଗୋଟିଏ ଘାଟୀ ତିଆରି କରିବା ଲାଗି ଆମେରିକା ସରକାର ଆଗରୁ ବିଚାର କରୁଥିଲେ ସତ, ମାତ୍ର ଭିଏତ୍‌ନାମରେ ଯୁଦ୍ଧ ସରିଯିବାରୁ ଓ ଆମ ଗୋଲାର୍ଦ୍ଧର ଏହି ଅଞ୍ଚଳଟିରେ ଆମେରିକାର ବିଶାଳତାକୁ ଅନୁଭବ କରିବା ଲାଗି ଆଉ କୌଣସି ଉପଲକ୍ଷ୍ୟ ନ ରହିବାରୁ ଡିଏଗୋଗାର୍ସିଆରେ ଗୋଟାଏ କିଛି ଶୀଘ୍ର ଆରମ୍ଭ କରିଦେବା ଆମେରିକା ଲାଗି ଏକାନ୍ତ ଜରୁରୀ ହୋଇପଡ଼ିଲା । ଏହି ଅଞ୍ଚଳରେ ଆପଣାର ସ୍ୱାର୍ଥକୁ ସୁରକ୍ଷିତ ରଖିବାଲାଗି ଏଠାରେ ଆମେରିକା ଯେଉଁ ଅସ୍ତ୍ରଭେଳାଗୁଡ଼ାକ ଆମର ଦି’ ଗୋଡ଼ ମଝିଦେଇ ଚକ୍‌କର କାଟିବାକୁ ରହିବେ, ସେଗୁଡ଼ିକୁ ଏକ ସ୍ଥାୟୀ ମୁକାମ ଯୋଗାଇଦେବା ଲାଗି ଆମେରିକା ସରକାର ଘାଟୀଟିଏ ତିଆରି କରିବା ଏକାନ୍ତ ଆବଶ୍ୟକ ବୋଲି ହୃଦୟଙ୍ଗମ କଲେ । ଭାରତ ମହାସାଗର ଅଞ୍ଚଳରେ ଅବସ୍ଥିତ ଶ୍ରୀଲଙ୍କା, ବ୍ରହ୍ମଦେଶ ବା ଭାରତବର୍ଷ ଆଦି କୌଣସି ଦେଶ ଆମେରିକା ଲାଗି କୌଣସି ପ୍ରକାରେ ଏକ ବିପଦର କାରଣ ହୋଇ ରହିବେ ବୋଲି ଯେ ଆମେରିକା ମୁଠା ମୁଠା ଡଲାର ମଞ୍ଜୁର କରାଇ ଏହି ନିଷ୍ପତ୍ତିଟିକୁ ଗ୍ରହଣ କଲା, ସେକଥା ଆଦୌ ନୁହେଁ । ଏହି ଅଞ୍ଚଳଟିରୁ ଆମେରିକା ଆପଣାର ଯୁଦ୍ଧସମ୍ପଦଗୁଡ଼ାକୁ ଅପସରାଇ ନେଇଗଲେ ପୃଥିବୀରେ ଥିବା ତା’ର ପ୍ରତିସ୍ପର୍ଦ୍ଧୀ ଅନ୍ୟ ବୃହତ୍ ଶକ୍ତିମାନେ କାଳେ ଏହି ଅଞ୍ଚଳକୁ ପଶିଆସି ଏହି ଅଞ୍ଚଳରେ ସମରଶକ୍ତିର ତଥାକଥିତ ଭାରସାମ୍ୟକୁ ବିପନ୍ନ କରିପକାଇବେ, ତାହାର ଏକ ଆଗତୁରା ପ୍ରତିଷେଧକ ବ୍ୟବସ୍ଥା ରୂପେ ସମ୍ଭବତଃ ଆମେରିକା ଏହି ନିଷ୍ପତ୍ତିଟିକୁ ଗ୍ରହଣ କଲା । ଏଥିପାଇଁ ଏହି ଅଞ୍ଚଳର କୌଣସି ଦେଶକୁ ପଚାରିବା ବା ତା’ର ସ୍ୱୀକୃତି ନେବା ଲାଗି ସେ ଆବଶ୍ୟକ ହିଁ ମନେକଲା ନାହିଁ ।

 

ଭାରତ ମହାସାଗରରେ ଆପଣା ଆପଣାର ଗୋଟାଏ ଘାଟୀ ତିଆରି କରିରଖିବା ଲାଗି ବିଭିନ୍ନ ବୃହତ୍‌ ଶକ୍ତିଙ୍କ ମଧ୍ୟରେ ରହିଥିବା ଏହି ପ୍ରତିସ୍ପର୍ଦ୍ଧାମୂଳକ ଉଗ୍ର ଇଚ୍ଛାଟି ହେତୁ ଏଠାରେ ହୁଏତ ଯେକୌଣସି ସମୟରେ ଏକ ସ୍ଥାନୀୟ ଧରଣର ଯୁଦ୍ଧ ବା ବଳ କଷାକଷି ମଧ୍ୟ ହୋଇଯାଇପାରେ ବୋଲି ସାମ୍ୱାଦିକମାନେ ଏକ ଆଶଙ୍କା ପ୍ରକାଶ କରିଛନ୍ତି । ବହୁଦିନ ପରେ ସୁଏଜ କେନାଲର ବାଟଟି ଖୋଲିଥିବା ହେତୁ ମଧ୍ୟ ୟୁରୋପରୁ ସମର ସରବରାହ ଆଗ ତୁଳନାରେ ଅନେକ ସହଜ ହୋଇଯାଇଛି ଏବଂ ସେହି ଅନୁକୂଳ ପରିସ୍ଥିତିଟି ହେତୁ ଘାଟୀ ତିଆରି କରିବାକୁ ଇଚ୍ଛୁକ ଶକ୍ତିମାନେ ବେଶ୍‌ ଉତ୍ସାହିତ ମଧ୍ୟ ହୋଇପଡ଼ିଛନ୍ତି ।

 

କିନ୍ତୁ ଯାହାର ଘର ଆଗରେ ବା ଚାରିପଟେ ଏହି ଘାଟୀସବୁ ତିଆରି ହେଉଛି ବା ହେବ, ସେମାନଙ୍କର କ’ଣ ଏହି ଅହେତୁକ ଔଦ୍ଧତ୍ୟ ବିଷୟରେ କିଛିହେଲେ କହିବାର ବା କରିବାର ନାହିଁ-? କୂଟନୀତିର ସ୍ତରରେ ପ୍ରତିବାଦଟିଏ ଜଣାଇଦେଲେ ବା ବିବୃତି ଜରିଆରେ ଏହାର ନିନ୍ଦା କରିଦେଲେ କ’ଣ କର୍ତ୍ତବ୍ୟ ପ୍ରକୃତରେ ସଂପୂର୍ଣ୍ଣ ହୋଇଯାଉଛି ? ପୃଥିବୀରେ ଆମେରିକା ଭଳି କେବଳ କେତେଟା ବୃହତ୍‌ଶକ୍ତି ରହିବେ ନା ସମସ୍ତେ ରହିବେ, ଏହି କ୍ଷେତ୍ରରେ ଏହା ହିଁ ହେଉଛି ଅସଲ ପ୍ରଶ୍ନ ?

 

ତା ୨୨.୦୭.୭୫ ରିଖ

Image

 

ଆମେରିକା ଆବିଷ୍କାର

 

ପ୍ରାୟ ପାଞ୍ଚଶହ ବର୍ଷ ପୂର୍ବେ କ୍ରିଷ୍ଟୋଫର କଳମ୍ୱସ୍ ସ୍ପେନ୍‍ରୁ ପଶ୍ଚିମକୁ ଜାହାଜ ଚଳାଇ ଆଟଲାଣ୍ଟିକ ମହାସାଗରର ପଶ୍ଚିମପଟକୁ ଯେଉଁ ଭୂଖଣ୍ଡଟିର ଆବିଷ୍କାର କରିଥିଲେ, ସେତେବେଳେ ସିଏ ତାକୁ ଉତ୍ସାହରେ ଭାରତବର୍ଷ ବୋଲି କହିଥିଲେ ସତ, ମାତ୍ର ଭାରତବର୍ଷ ଯେ ପୃଥିବୀର ଆଉ ଗୋଟାଏ ପଟକୁ ରହିଛି, ସେକଥା ଜାଣିବା ଲାଗି ପଶ୍ଚିମ ଜଗତକୁ ଆଦୌ ଗୁଡ଼ାଏ ବର୍ଷ ଲାଗିଲା ନାହିଁ । ତେଣୁ ଆବିଷ୍କୃତ ଏହି ନୂତନ ଗୋଲାର୍ଦ୍ଧକୁ ୟୁରୋପବାସୀ ଆମେରିକା ବୋଲି କହିଲେ । ପ୍ରାୟ ଉତ୍ତରମେରୁରୁ ଦକ୍ଷିଣମେରୁଯାଏ ହଡ଼ାବଳଦର ମେରୁହାଡ଼ ପରି ଲମ୍ୱି ରହିଥିବା ଏହି ବିରାଟ ଭୂଖଣ୍ଡକୁ ପ୍ରଥମେ ସ୍ପେନ ଏକା ଭୋଗ କରିବାକୁ ଇଚ୍ଛା କରିଥିଲା । ମାତ୍ର ଉତ୍ତର ଅଧଟାକୁ ଇଂରେଜମାନେ ଯୁଦ୍ଧକରି ଛଡ଼ାଇ ନେବାରୁ ଦକ୍ଷିଣ ଅଧଟାରେ ହିଁ ତାହାକୁ ସନ୍ତୁଷ୍ଟ ହୋଇ ରହିବାକୁ ପଡ଼ିଲା । ସେଠି ସ୍ପେନ ଓ ପର୍ତ୍ତୁଗାଲର ସାମ୍ରାଜ୍ୟ ବସିଲା, ସେହିମାନଙ୍କର ଭାଷା ଚଲିଲା, ସେହିମାନଙ୍କର ସଂସ୍କୃତିକୁ ସେଠିକାର ଆଦି ବାସିନ୍ଦାଙ୍କ ଉପରେ ମଡ଼ାଇ ଦିଆଗଲା । ଏବେ ମଧ୍ୟ ଆମେ ଦକ୍ଷିଣ ଆମେରିକାକୁ ଲାଟିନ ଆମେରିକା ବୋଲି କହୁଛୁ ଏବଂ ସେହି ନାମରୁ ହିଁ ଭୂଖଣ୍ଡଟିର ଇତିହାସ ବିଷୟରେ କିଞ୍ଚିତ ସୂଚନା ଅବଶ୍ୟ ପାଇଯାଉଛୁ ।

କାଳକ୍ରମେ ଜର୍ଜ ୱାଶିଂଟନ ଉତ୍ତର ଆମେରିକାକୁ ଇଂରେଜମାନଙ୍କ କବଳରୁ ମୁକ୍ତ କଲେ ଓ ତାହାର ପ୍ରାୟ ଅବ୍ୟବହିତ ପରେ ଦକ୍ଷିଣ ଆମେରିକାର ସିମନ୍‌ ବଲିଭାର ଦକ୍ଷିଣ ଭୂଖଣ୍ଡଟିକୁ ମଧ୍ୟ ଲାଟିନ୍‌ ମାହାଲ ଭିତରୁ ମୁକ୍ତକରି ଆଣିଲେ । ବଲିଭାର ଯେଉଁ ଦେଶଟିକୁ ଆଗ ସ୍ୱାଧୀନ କଲେ, ତାଙ୍କରି ନାମ ଅନୁସାରେ ତାହାର ନାମ ବଲିଭିଆ ହେଲା । ବଲିଭିଆ ପରେ ଗୋଟିକ ପରେ ଗୋଟିଏ ଦେଶ ଔପନିବେଶିକ ଦଖଲ ଭିତରୁ ମୁକ୍ତ ହୋଇ ଆସିଲେ ।

କଲମ୍ୱସ୍‌ ନୂତନ ଗୋଲାର୍ଦ୍ଧର ଯେଉଁ ଆଦି ଅଧିବାସୀମାନଙ୍କୁ ଭାରତୀୟ ବୋଲି ଭାବିଥିଲେ, ସେମାନେ ଆମ ଆଧୁନିକ ଭୂଗୋଳରେ ଲୋହିତ ଭାରତୀୟ ନାମରେ ପରିଚିତ ହେଲେ । ସେମାନେ ସେତେବେଳେ ଯେମିତି ଥିଲେ, ବର୍ତ୍ତମାନ ମଧ୍ୟ ସେମିତି ଅଛନ୍ତି । ସହସ୍ର ସଂଖ୍ୟାରେ ଅଛନ୍ତି । ମାତ୍ର ଜାତୀୟ ଭାଗ୍ୟରେ ପ୍ରାୟ କୌଣସିଠାରେ ସେମାନଙ୍କୁ ସମୁଚିତ ଭାଗ ଦିଆଯାଇନାହିଁ । ଏକ ବିଗତ ସମୃଦ୍ଧ ସଭ୍ୟତାର ବୀର୍ଯ୍ୟହୀନ ବାହକ ରୂପେ ସେମାନେ ଯାଦୁଘରର ପଥରମୁଣ୍ଡା ପରି ପଡ଼ିରହିଛନ୍ତି । ଲାଟିନ୍‌ ଆମେରିକାର ଠିକ୍‌ ମଧ୍ୟଭାଗରେ ଅବସ୍ଥିତ ବଲିଭିଆ ଦେଶରେ ପ୍ରତି ପାଞ୍ଚଜଣ ଅଧିବାସୀରେ ପ୍ରାୟ ତିନିଜଣ ଅର୍ଥାତ୍ ଶତକଡ଼ା ୬୦ ବା ୭୦ ହେଉଛନ୍ତି ଲୋହିତ ଭାରତୀୟ । ସେମାନେ ବିଗତ ଦୁଇହଜାର ବର୍ଷ ହେଲା ସେହି ଭୂମିରେ ବାସକରିଆସୁଛନ୍ତି । ମାତ୍ର ସେମାନେ ଆଜି ମଧ୍ୟ ସେହି ଆଗପରି ନିରକ୍ଷର ହୋଇ ରହିଛନ୍ତି, ଦେଶର ରାଜନୀତିକ ତଥା ଅର୍ଥନୈତିକ ଜୀବନରୁ ସମ୍ପୂର୍ଣ୍ଣ ବାହାର ହୋଇ ରହିଛନ୍ତି । ବଲିଭିଆ ଦେଶ ସ୍ୱାଧୀନ ହେବାର ବିଗତ ଦେଢ଼ଶହ ବର୍ଷ ଭିତରେ ସେଠାରେ ୧୮୭ ଥର ସରକାର ଭାଙ୍ଗି ସରକାର ଗଢ଼ାହେଲାଣି ସତ, ମାତ୍ର ଲୋହିତ ଭାରତୀୟମାନଙ୍କ ଲାଗି ପ୍ରକୃତରେ କେଉଁଠି ହେଲେ କିଛି ବଦଳି ନାହିଁ ।

ଦେଶରେ ଯାହାକିଛି ହେଉଛି ବା ଯାହାକିଛି ଘଟୁଛି, ତାହା କେବଳ ଉପର ସ୍ତରରେ ବିଚରଣ କରୁଥିବା ପ୍ରାୟ କୋଡ଼ିଏ ଲକ୍ଷ ଗୋରାଲୋକଙ୍କୁ ନେଇ ହେଉଛି ବା ଘଟୁଛି । ସେହିମାନେ ହିଁ ଜାତୀୟ କ୍ଷେତ୍ରରେ ସର୍ବୋଚ୍ଚ ସ୍ତରରେ ଅଛନ୍ତି, ସବୁକିଛିର ନିୟନ୍ତ୍ରଣ କରୁଛନ୍ତି ଓ ଭୋଗ କରୁଛନ୍ତି-

ଲୋହିତ ଭାରତୀୟମାନେ ପର୍ବତାଞ୍ଚଳର ଅପନ୍ତରା ଉପତ୍ୟକାମାନଙ୍କରେ ବାସ କରୁଛନ୍ତି; ଯେଉଁଠି କି ହୁଏତ ଗଛଟିଏ ବି କଅଁଳୁନାହିଁ । ସେମାନେ ଯେକୌଣସି ପ୍ରକାରେ ପ୍ରାଣଧାରଣ କରିରହିଛନ୍ତି, ବାହାର ସଂସାର ଓ ବୃହତ୍ତର ଜଗତର ଆକାଙ୍‌କ୍ଷାଗୁଡ଼ିକ ସହିତ ସେମାନଙ୍କୁ ଯୋଡ଼ିପାରିବା ଲାଗି ସେଠି କୌଣସି ରାସ୍ତା ନାହିଁ । ତେଣୁ ଅବହେଳିତ ହୋଇ ରହିବାରୁ ଅସନ୍ତୋଷ ଜାତ ହେଉଛି, ଅସନ୍ତୋଷରୁ ବିଦ୍ରୋହ କୁହୁଳୁଛି ଏବଂ ବିଦ୍ରୋହକୁ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଜବାବ ଦିଆଯାଉଛି । ବିଦ୍ରୋହୀମାନଙ୍କୁ ଧରିଆଣି ଗୁଳିରେ ଲାଛି ଦିଆଯାଉଛି । ବାହାର ଜଗତକୁ କିଛି ଜଣାପଡ଼ୁନାହିଁ । ବଲିଭିଆ ପରି ଲାଟିନ ଆମେରିକାର ଆହୁରି ଅନେକ ଦେଶ ହୁଏତ ଠିକ୍‌ ଏହିଭଳି ଅବସ୍ଥାରେ ରହିଛି । ସ୍ୱାଧୀନ ଦେଶର ବହୁ ଲୋକଙ୍କ ସକାଶେ ଜୀବନଟା ସତେ ଅବା ଏକ ବନ୍ଦୀଗୃହର କଷଣ ହୋଇ ରହିଛି ।

ବଲିଭିଆରେ ଅବସ୍ଥାପିତ ସଂଯୁକ୍ତ ରାଷ୍ଟ୍ରସଂଘ ମିଶନରେ ଜଣେ ଉଚ୍ଚ କର୍ମକର୍ତ୍ତା ଏବେ କହିଛନ୍ତି, ‘‘ଏହି ଲୋହିତ ଭାରତୀୟମାନଙ୍କୁ ଆମେ ଗୋଟିଏ ଟାଇମ ବମ୍‌ ବୋଲି କହିପାରିବା । ସେମାନେ ଏବେ ରେଡ଼ିଓ ଶୁଣିବାକୁ ପାଇଲେଣି । ଅବଶ୍ୟ ବର୍ତ୍ତମାନ ନୁହେଁ, ପରବର୍ତ୍ତୀ ପାଞ୍ଚ ବର୍ଷରେ ନୁହେଁ, ମାତ୍ର ଏହି ଶତାବ୍ଦୀଟି ସରିଲା ବେଳକୁ ସେମାନେ ସମୁଦ୍ର ପରି ମାଡ଼ିଆସିବେ, କର୍ତ୍ତୃତ୍ୱରେ ରହିଥିବା ଗୋରାମାନଙ୍କ ଉପରକୁ ମାଡ଼ିଆସିବେ । ଯଦି ଏହି କେତେବର୍ଷ ଭିତରେ ସେମାନଙ୍କୁ ସମକକ୍ଷ କରିଆଣିବା ଲାଗି କିଛିହେଲେ କରା ନଯାଏ, ତେବେ ସେମାନେ ସମଗ୍ର ଦେଶ ଉପରକୁ ବନ୍ୟା ପରି ମାଡ଼ିଆସିବେ ।’’

ଆମେରିକାର ସେହି ପରବର୍ତ୍ତୀ ଆବିଷ୍କାରଟି ଲାଗି ଯେ ହୁଏତ ଅନେକ ମୂଲ୍ୟ ଦେବାକୁ ପଡ଼ିବ, ବର୍ତ୍ତମାନର ନେତୃତ୍ୱ ସେକଥା କେବେ ହୃଦୟଙ୍ଗମ କରିପାରୁଛି କି ?

ତା ୨୬-୦୭-୧୯୭୫ ରିଖ

Image

 

ହେଲସିଙ୍କି ସମ୍ମିଳନୀ

 

ଜୁଲାଇ ତିରିଶି ତାରିଖରୁ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ସୁଓମି ବା ଫିନ୍‌ଲାଣ୍ଡ ଦେଶର ରାଜଧାନୀ ହେଲସିଙ୍କିଠାରେ ଇଉରୋପୀୟ ରାଷ୍ଟ୍ରମାନଙ୍କର ଏକ ମହାସମ୍ମିଳନୀ ବସିବାକୁ ଯାଉଛି-। ଏହାର ପୂର୍ବ ପ୍ରସ୍ତୁତି ଓ ପ୍ରାରମ୍ଭିକ ସମ୍ମତି ଲାଗି ଜେନେଭାଠାରେ ଗତ ଅନେକ ଦିନ ହେଲା ବିଭିନ୍ନ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ଚାଲିଥିଲା । ସେମାନେ ପରସ୍ପର ମଧ୍ୟରେ ଏକ କାର୍ଯ୍ୟକାରୀ ରାଜିନାମାରେ ଆସି ପହଞ୍ଚି ପାରିଛନ୍ତି ଏବଂ ହେଲସିଙ୍କି ସମ୍ମିଳନୀକୁ ପୁଣି ସଜ ହୋଇ ଆସିବେ ବୋଲି ସ୍ଥିର କରିଘରକୁ ଫେରିଛନ୍ତି ।

 

ହେଲସିଙ୍କି ସମ୍ମିଳନୀକୁ ଔପଚାରିକ ଭାଷାରେ ଇଉରୋପୀୟ ନିରାପତ୍ତା ଏବଂ ସହଯୋଗର ସମ୍ମିଳନୀ ବୋଲି କୁହାଯିବ । ଏହି ସମ୍ମିଳନୀକୁ କେବଳ ଆଲବାନିଆକୁ ଛାଡ଼ିଦେଲେ ଇଉରୋପ ମହାଦେଶର ସବୁ ଦେଶର ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରିବାକୁ ଆସିବେ ଏବଂ ଇଉରୋପୀୟ ନିରାପତ୍ତା ଏବଂ ସହଯୋଗର ଯାବତୀୟ ପ୍ରସଙ୍ଗରେ ପ୍ରତ୍ୟକ୍ଷ ଭାବରେ ଆପଣାକୁ ଜଡ଼ିତ କରିରଖିଆସିଥିବା ଯୁକ୍ତରାଜ୍ୟ ଆମେରିକା ଆସିବ, କାନାଡ଼ା ମଧ୍ୟ ଆସିବ । ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଯେ ୧୮୧୫ ମସିହାରେ ଭିଏନା କଂଗ୍ରେସ ପରେ ହେଲସିଙ୍କିରେ ବସିବାକୁ ଯାଉଥିବା ଏହି ସମ୍ମିଳନୀଟି ସର୍ବାଧିକ ତାତ୍ପର୍ଯ୍ୟପୂର୍ଣ୍ଣ ଏକ ସମ୍ମିଳନୀ ହେବ ।

 

ଅନେକ ଦୃଷ୍ଟିରୁ ବିଚାର କଲେ ସମ୍ମିଳନୀର ଏହି ତାତ୍ପର୍ଯ୍ୟଟିକୁ ଆମକୁ ମାନିନେବାକୁ ହିଁ ପଡ଼ିବ । ଦୀର୍ଘ ଅନେକ ବର୍ଷ ହେଲା ଇଉରୋପ ଗୋଟାଏ ଥାନରେ ଏକାଠି ବସି ଆପଣାର ସମସ୍ୟାଗୁଡ଼ିକୁ ହୁଏତ କେବେହେଲେ ଆଲୋଚନା କରିନଥିଲା । ଇଉରୋପ କେବଳ ନାନା ଶିବିରରେ ହିଁ ଆପଣାକୁ ବିଭକ୍ତ କରିରଖିଆସିଥିଲା । ନାନା ରାଜନୀତିକ ଆଦର୍ଶ ଓ ଅବଲମ୍ୱନ ଦ୍ୱାରା ନାନାପ୍ରକାର ସ୍ୱାର୍ଥରେ ଖଣ୍ଡ ଖଣ୍ଡ ହୋଇ ରହିଥିଲା । ବିଶେଷ କରିଗତ ଦ୍ୱିତୀୟ ମହାଯୁଦ୍ଧ ପରେ ଇଉରୋପ ପ୍ରଧାନତଃ ଦୁଇଟି ବିବାଦମାନ ଖଣ୍ଡରେ ଦୁଇ ଭାଗ ହୋଇ ରହିଥିଲା । ଏହି ବିବାଦର ପ୍ରତିଧ୍ୱନିଗୁଡ଼ାକ ଖାଲି ଇଉରୋପର ଚାରିସୀମା ଭିତରେ ନୁହେଁ; ଇଉରୋପର ବାହାରେ ଆନ୍ତର୍ଜାତିକ ମନାନ୍ତର ଓ ମନୋମାଳିନ୍ୟର ନାନା କ୍ଷେତ୍ରରେ ମଧ୍ୟ ଅତିରିକ୍ତ ପରିମାଣରେ ଅନୁଭୂତ ହୋଇ ଆସୁଥିଲା । ଗୋଟାଏ ପାଖରେ ନାଟୋଗୋଷ୍ଠୀ ଓ ଆଉ ଗୋଟାଏ ପାଖରେ ୱାର୍‌ସ ଚୁକ୍ତିର ଗୋଷ୍ଠୀ ପ୍ରତିସ୍ପର୍ଦ୍ଧୀ ଦୁଇ ଶିବିର ହୋଇ ରହିଥିଲେ । ଇଉରୋପର ବାହାରେ ଥିବା ବା ଏହି ଗୋଷ୍ଠୀ ଦୁଇଟାର ବାହାରେ ଥିବା କେବଳ ବିକଶମାନ ପୃଥିବୀଟାକୁ ଯେ ଏହି ବିବାଦର ଦାଉ ସହିବାକୁ ପଡ଼ୁଥିଲା ତା ନୁହେଁ; ଇଉରୋପ ଭିତରେ ଅବସ୍ଥିତ ସାନ ସାନ ଦେଶଗୁଡ଼ିକ ମଧ୍ୟ ସମ୍ଭବତଃ ଅତ୍ୟନ୍ତ ଉତ୍କଟ ଭାବରେ ତାହାକୁ ଅଙ୍ଗେ ନିଭାଇବାକୁ ବାଧ୍ୟ ହେଉଥିଲେ ଏବଂ ହେଲସିଙ୍କି ସମ୍ମିଳନୀକୁ ସଫଳ କରିବା ପଛରେ ସେହି ସାନ ଦେଶଗୁଡ଼ିକର ହିଁ ସବୁଠାରୁ ଅଧିକ ଉଦ୍ୟମ ରହିଛି ବୋଲି କୁହାଯାଇପାରିବ ।

 

ହେଲ୍‌ସିଙ୍କି ସମ୍ମିଳନୀ ସର୍ବପ୍ରଥମେ କ’ଣ ସବୁ କରିବ ? ତାହା ଇଉରୋପର ରାଷ୍ଟ୍ରୀୟ ଭୌଗୋଳିକ ସୀମାଗୁଡ଼ିକୁ ସ୍ୱୀକାର କରିନେବ । ଅର୍ଥାତ୍ ଇଉରୋପୀୟ ବିଭିନ୍ନ ଦେଶର ଭୌଗୋଳିକ ବର୍ତ୍ତମାନ ସୀମାଗୁଡ଼ିକୁ ତାହା ସର୍ବସମ୍ମତିକ୍ରମେ ସ୍ଥାୟୀ ସୀମା ବୋଲି ମାନିନେବ । ଗତ ମହାଯୁଦ୍ଧ ସମୟରେ ଇଉରୋପର ତତ୍‌ପୂର୍ବରୁ ରହିଆସିଥିବା ଜାତୀୟ ସୀମାଗୁଡ଼ିକ ନାନାପ୍ରକାରେ ଛିନ୍ନ ଭିନ୍ନ ହୋଇଯାଇଛି । ଜର୍ମାନୀ ଓ ଫ୍ରାନସ୍‌ ଭିତରେ ସୀମା ବଦଳିଛି; ସ୍ୱୟଂ ଜର୍ମାନୀ ତିନିଖଣ୍ଡ କି ଚାରିଖଣ୍ଡ ହୋଇଯାଇଛି–ସେମାନଙ୍କର ମଝିରେ ଦ୍ୱୀପ ପରି ଅବସ୍ଥିତ ବର୍ଲିନ ସହରଟା ମଧ୍ୟ ଦ୍ୱିଖଣ୍ଡିତ ହୋଇରହିଛି । ଓଡ଼ର ଓ ନାଇସେ ଦୁଇ ନଦୀକୁ କେନ୍ଦ୍ର କରିଅବସ୍ଥିତ ଅବବାହିକାଟି ଏକାବେଳକେ ରୁଷିଆ, ପୋଲାଣ୍ଡ ଓ ପୂର୍ବଜର୍ମାନୀର ସୀମାଗୁଡ଼ିକୁ କେତେପ୍ରକାରେ ବହୁବିଚିତ୍ର କରିରଖିଛି । ତେଣେ ଇଉରୋପର ଉତ୍ତରମୁଣ୍ଡରେ ଫିନ୍‌ଲାଣ୍ଡ ଓ ରୁଷିଆ ମଧ୍ୟରେ ବି ସୀମା ବଦଳିଛି । ଏଗୁଡ଼ାକୁ ଏପର୍ଯ୍ୟନ୍ତ ସର୍ବସମ୍ମତ ସୀମା ବୋଲି କହିହେଉ ନାହିଁ, କାରଣ ଏ ବିଷୟରେ କ୍ଷତିଗ୍ରସ୍ତ ହୋଇଥିବା ପକ୍ଷଟିର ଅସମ୍ମତିସୂଚକ ଅଭିଯୋଗମାନ ମଧ୍ୟ ରହିଛି । ଏହି ସୀମା ଅଡ଼ୁଆରୁ ପୁଣି କେବେ ଗୋଟାଏ ବଡ଼ ବା ଛୋଟ କନ୍ଦଳ ଲାଗିଯିବ ନାହିଁ ତ ? ଏହି ଆଶଙ୍କାରେ ହେଲସିଙ୍କିଠାରେ ସର୍ବମୋଟ ପଇଁତ୍ରିଶଟି ଦେଶ ସମ୍ମିଳିତ ଭାବରେ ସୀମାସମ୍ୱନ୍ଧୀୟ ସ୍ଥିତାବସ୍ଥାଗୁଡ଼ିକୁ ମାନିନେବାକୁ ଯାଉଛନ୍ତି ।

 

ଇଉରୋପର ସାନ ଦେଶଗୁଡ଼ିକ ହିଁ ଏପରି ଏକ ରାଜିନାମାକୁ ସବୁଠାରୁ ଅଧିକ ଉତ୍କଣ୍ଠାର ସହିତ ଅପେକ୍ଷା କରିରହିଛନ୍ତି, କାରଣ ଇଉରୋପୀୟ ବୃହତ୍‌ ଶକ୍ତିଗୁଡ଼ିକର କୂଟନୈତିକ ମୁକାବିଲା କରିବା ଲାଗି ଏମାନଙ୍କ ପାଖରେ ତତ୍ତୁଲ୍ୟ ସାମରିକ ସାମର୍ଥ୍ୟ ପ୍ରକୃତରେ ମହଜୁଦ ନାହିଁ-। ସାମରିକ ସାମର୍ଥ୍ୟ ହିଁ ଆମ ଏଯୁଗରେ ଅନେକ ସ୍ଥଳରେ ଦେଶ-ଦେଶ ଭିତରେ ଯାବତୀୟ ସମ୍ବନ୍ଧ ନିରୂପଣ କରୁଥିବା ପରି ମନେହେଉଛି ଏବଂ ଇଉରୋପରେ ହିଁ ଆମକୁ ହୁଏତ ଏହାର ଅଧିକତର ଦୃଷ୍ଟାନ୍ତ ଦେଖିବାକୁ ମିଳିବ ।

 

ଗତ ତିରିଶି ବର୍ଷ ଭିତରେ ଇଉରୋପରେ ଯେଉଁ ରାଜ୍ୟସୀମାଗୁଡ଼ିକ ବଦଳିଛି, ତାହା ଗତ ମହାଯୁଦ୍ଧ ସମୟରେ ହିଁ ବଦଳିଛି । ଯିଏ ଯୁଦ୍ଧରେ ଯେତେ ଆଗକୁ ମାଡ଼ିଯାଇଛି, ସିଏ ସେହି ଅନୁସାରେ ଆପଣା ରାଜ୍ୟସୀମାଗୁଡ଼ାକୁ ବଢ଼ାଇ ଦେଇଛି । ଯିଏ ପରାସ୍ତ ହୋଇ ଯେତେ ପଛକୁ ହଟିଯାଇଛି, ସିଏ ଆପଣା ରାଜ୍ୟସୀମାରୁ ସେତିକି ହରାଇଛି ଏବଂ ସେହି ଅନୁସାରେ ନୂଆ ସୀମାଗୁଡ଼ାକ ଧାର୍ଯ୍ୟ ହୋଇଛି । ହେଲସିଙ୍କିର ମହାସମ୍ମିଳନୀ ସେହି ସୀମାଗୁଡ଼ାକୁ ହିଁ ସ୍ଥାୟୀ ସୀମାରୂପେ ମାନିନେବ ବୋଲି ମସୁଧା କରାହୋଇଛି ଓ ଆଶା କରାଯାଉଛି ତାହା ସଫଳ ହେବ ।

 

ତା ୨୯.୦୭.୭୫ ରିଖ

Image

 

ଅନ୍ତରୀକ୍ଷରେ ମିଳନ

 

ସୋଭିଏଟ୍‌ ରୁଷିଆର ସୋୟୁଜ ଓ ଯୁକ୍ତରାଜ୍ୟ ଆମେରିକାର ଆପୋଲୋ ଅନ୍ତରୀକ୍ଷରେ ପରସ୍ପରକୁ ଭେଟିବେ ବୋଲି ଅଦ୍ଭୂତ ବୈଜ୍ଞାନିକ ବ୍ୟବସ୍ଥାମାନ କରାଯାଇଛି । ଏହା ମଧ୍ୟରେ ଦୁଇ ଯାନର ଚାଳକମାନେ ପରସ୍ପରକୁ ଭେଟିଛନ୍ତି । ପରସ୍ପର ସହିତ କଥାବାର୍ତ୍ତା କରିଛନ୍ତି, ପରସ୍ପରର ଫଟୋଚିତ୍ରମାନ ଉଠାଇଛନ୍ତି, ପରସ୍ପର କୁଶଳ ସମ୍ଭାଷଣ କରିଛନ୍ତି ଏବଂ ସୂର୍ଯ୍ୟକୁ ଆଢ଼ୁଆଳ କରିଠିଆହୋଇ ସେମାନେ ଗୋଟିଏ ସରଳରେଖାରେ ରହିକୃତ୍ରିମ ସୂର୍ଯ୍ୟପରାଗ ମଧ୍ୟ ଘଟାଇବେ, ଇତ୍ୟାଦି ଇତ୍ୟାଦି । ପୃଥିବୀଯାକର ମଣିଷ ଏହାକୁ ଆମ ଏଯୁଗର ଏକ ଗୌରବ ବୋଲି ମଣିଛନ୍ତି, ମଣିଷ ବିଜ୍ଞାନ ଓ ଗଣନାଶକ୍ତି ବଳରେ ଅସମ୍ଭବକୁ ସମ୍ଭବ କରିପାରୁଛି ବୋଲି ଉଲ୍ଲସିତ ହୋଇଛନ୍ତି-। ଏହା ସ୍ୱାଭାବିକ ଏବଂ ନିଶ୍ଚିନ୍ତଭାବରେ ଏହି ମହାକାଶଯାତ୍ରା ବିଜ୍ଞାନର ଏକ ଅପୂର୍ବ କୃତିତ୍ୱ । କିନ୍ତୁ, ସଂସାରରେ ସୁଖ ମିଳିବ ନାହିଁ ବୋଲି କେତେକ ଧର୍ମ ଆମକୁ ମୃତ୍ୟୁ ଅନ୍ତେ ସ୍ୱର୍ଗ ରାଜ୍ୟରେ ସୁଖ ଲୋଡ଼ିବା ପାଇଁ ପରାମର୍ଶ ଦେଇଥାନ୍ତି । ପରମାର୍ଥ ଲାଭ କରିବା ଲାଗି ସେହିସବୁ ଧର୍ମ ଆମକୁ ପଳାୟନ କରିବାର କେତେ ସୂତ୍ର ବତାଇଦିଅନ୍ତି । ଇହକୁ ନିନ୍ଦି ପରଲୋକକୁ କେତେ ପ୍ରଶଂସା କରିଥାନ୍ତି, ଏହି ଉଦ୍ଭଟ ଭବାର୍ଣ୍ଣବରୁ ଦେବଲୋକକୁ ଯାଇ ଆମର ଅପ୍ରାପ୍ତ ସବୁକିଛି ପାଇବାଲାଗି ସେମାନେ ଆମକୁ କେତେମନ୍ତେ ପ୍ରେରଣା ଦେଇଥାଆନ୍ତି । ମଣିଷ ମଣିଷକୁ ଏହି ଜଗତରେ ସୁଖୀ ଦେଖିବା ଲାଗି ହିଁ ମଣିଷର ସାଥି ହୋଇରହିଛି । ବିଂଶ ଶତାବ୍ଦୀର ବିଜ୍ଞାନ ଆମକୁ କ’ଣ ପୁରୁଣା ଧର୍ମର ରାସ୍ତାଟିକୁ ଅନୁସରଣ କରି ଏହି ସଂସାର ଛାଡ଼ି ସଂସାର ବାହାରେ ଅନ୍ତରୀକ୍ଷ ମଧ୍ୟରେ ଆଉ କେଉଁଠି ପରସ୍ପରକୁ ଭେଟିବାଲାଗି ପ୍ରରୋଚନା ଦେବାକୁ ବସିଲାଣି କି ? ଆଜି ମହାକାଶ ମିଳନ ପର୍ବ ଆରମ୍ଭରେ ଏପରି ଏକ କଥା ମନକୁ ଆସେ ।

 

ଏହି ପୃଥିବୀ ଉପରେ ତୁମ ଆମ ଘରେ ଅର୍ଥାତ୍‌ ତୁମ ଆମ ଦେଶରେ ମଣିଷ ମଣିଷ ସହିତ ମିଳିବାଟା ପ୍ରକୃତରେ କେଡ଼େ ଦୁରୂହ ହୋଇ ନ ରହିଛି ? ଆମ ସଂସାରରେ ବ୍ୟବଧାନଗୁଡ଼ାକ ଏପରି ଭାବରେ ପ୍ରଚଣ୍ଡ ଓ ପରାକ୍ରମଶାଳୀ ହୋଇ ରହିଛି ଯେ ଆମେ ପରସ୍ପରଠାରୁ ସତେଅବା କେଡ଼େ ନିର୍ମମ ଭାବରେ ଦୂରଛଡ଼ା ହୋଇ ରହିଛୁ । ଅନ୍ତରୀକ୍ଷ ମଣ୍ଡଳରେ ଯେଉଁ ବିଜ୍ଞାନ ମଣିଷକୁ ମଣିଷ ସହିତ ମିଳିବା ପାଇଁ ଅତି ଜଟିଳ ଯନ୍ତ୍ରମାନ ଆଣି ଖଞ୍ଜି ଦେଉଛି, ସେହି ବିଜ୍ଞାନ ଏଠି ଧରାପୃଷ୍ଠରେ ମଣିଷକୁ ମଣିଷଠାରୁ ପ୍ରକୃତରେ କେଡ଼େ ବର୍ଜିତ କରିନ ରଖିଛି-। ଏଣେ ଜ୍ଞାନ ଓ ବିଜ୍ଞାନ ଦ୍ୱାରା ସଂପନ୍ନ ହୋଇ ରହିଥିବା ମଣିଷ ସତେ ଯେପରି ଗୁଳି, ବନ୍ଧୁକ, ବୋମା ଆଉ ବାରୁଦ ବ୍ୟତୀତ ପରସ୍ପରର ସମ୍ମୁଖୀନ ହେବାଲାଗି ଅନ୍ୟ ଭାଷା ହିଁ ପାଉନାହିଁ ।

 

ଏଠି ବଡ଼ ସାନ ସହିତ ମିଳିପାରୁନାହିଁ, ଗୋରା କଳା ସହିତ ମିଳିପାରୁନାହିଁ । ଏ ବାଦ ସେ ବାଦ ସହିତ ମିଳିପାରୁନାହିଁ । ଗୋଟାଏ ପାଖରେ ଆଚାରଗୁଡ଼ାକ କ୍ରିୟାପରି ମନେହେବା ମାତ୍ରକେ ଆଉ ପାଖର ଆଚାରଗୁଡ଼ାକ ଚଟ୍‌କରିପ୍ରତିକ୍ରିୟା ପରି ହିଁ ବୋଧ ହେଉଛି । ଗୋଟାଏ ଦେଶ ଆଉଗୋଟାଏ ଦେଶକୁ ପ୍ରାୟ ଚିତାକାଟିବାକୁ ହିଁ ଆନ୍ତର୍ଜାତିକ ରାଜନୀତିର କୌଶଳ ବୋଲି କୁହାଯାଉଛି । ରାଜନୀତିର ପରିଭାଷାରେ ଜାତି ଜାତି ଭିତରେ ରହିଥିବା ସମ୍ୱନ୍ଧ ଓ ବନ୍ଧୁତାର ତାତ୍ପର୍ଯ୍ୟ ହିଁ ବଦଳିଗଲାଣି । ଏଠି ଜଣେ ଶତ୍ରୁ ହିସାବରେ ସବୁଯାକ ଶିଙ୍ଘ ଲଗାଇ ଆଉ ଜଣକର କାନ୍ଥ ତାଡ଼ି ଘର ଲେଉଟାଇଦେବାକୁ ବସୁଛି, ମାତ୍ର ତେଣେ ଲକ୍ଷ ପରିମାଣରେ ପଇସା ଖରଚ କରିଅନ୍ତରୀକ୍ଷରେ ମିଳନ ଘଟାଇବାରେ ବରାଦ ଚାଲିଛି । ଅନ୍ତରୀକ୍ଷକୁ ପଳାଇଯାଉଥିବା ପର୍ଯ୍ୟନ୍ତ ବିଜ୍ଞାନ ପ୍ରକୃତରେ ମଣିଷ ମଣିଷ ଭିତରେ କୌଣସି ଯଥାର୍ଥ ମିଳନ ଘଟାଇପାରିବ କି ? ଏଠି ମଣିଷପ୍ରତି ଗୋଟାସୁଦ୍ଧା ଉଦାସୀନ ରହିତେଣେ ଅନ୍ତରୀକ୍ଷର ଗହୀର ଭିତରେ ପ୍ରକୃତରେ କୌଣସି ସଦିଚ୍ଛା ଓ ସହଯୋଗର ସ୍ଥାପନା ହୋଇପାରିବ କି ?

 

ମଣିଷ ଅନ୍ତରୀକ୍ଷରେ ଯାଇ ଉଡ଼ି ବୁଲିଲାଣି, ପାଣି ଉପରେ ଭାସିଲାଣି, ଗାତ ଭିତରେ ପଶି ସୁବର୍ଣ୍ଣର ସନ୍ଧାନ କଲାଣି, କିନ୍ତୁ ସେ ଏପର୍ଯ୍ୟନ୍ତ ଏହି ମାଟି ଉପରେ ଚାଲି ଶିଖିନାହିଁ ବୋଲି ଆମର ଏହି ଶତାବ୍ଦୀର ଆରମ୍ଭରେ ରୁଷିଆର ଜଣେ ଲେଖକ ମନ୍ତବ୍ୟ କରିଥିଲେ । ଶତାବ୍ଦୀଟି ଶେଷ ହେବା ବେଳକୁ ମଣିଷ ଓ ତା’ର ବହୁମୂଲ୍ୟ ବିଜ୍ଞାନ ବିଷୟରେ ଠିକ୍‌ ସେହି ମନ୍ତବ୍ୟଟି ଲାଗୁ କରାଯାଇପାରିବ କି ? ଆମର ଜ୍ଞାନକୁ ତେବେ ଆମେ ଏହି ପୃଥିବୀ ଉପରେ ଅଧିକ ବିଶ୍ୱାସ ଓ ନିର୍ଭର ସହିତ ଚାଲି ଶିଖିବାଲାଗି ଖଟାଇବା ନା ଏହି ପୃଥିବୀର ସମସ୍ୟାଗୁଡ଼ାକୁ ଯେମିତି ଅଛି ସେମିତି ଛାଡ଼ିଦେଇ ଆକାଶମଣ୍ଡଳକୁ ପଳାଇଯିବାରେ ଖଟାଇବା ?

 

ଗୋଟାଏ ବିଜ୍ଞାନ ତେଣେ ଅନ୍ତରୀକ୍ଷରେ ମଣିଷ ସହିତ ମଣିଷର ମିଳନ ଘଟାଇ କୃତ୍ରିମ ସୂର୍ଯ୍ୟପରାଗ ସୃଷ୍ଟି କରାଉଥିବା ସମୟରେ ଆମର ଆଉଗୋଟାଏ ବିଜ୍ଞାନ କହୁଛି ଯେ, ଆସନ୍ତା ଦଶବର୍ଷ ଭିତରେ ପୃଥିବୀର ବହୁକୋଟି ମଣିଷ ଖାଦ୍ୟାଭାବରେ ପ୍ରାଣ ହରାଇବାକୁ ଯାଉଛନ୍ତି । ଏ ବିଜ୍ଞାନଟା ସହିତ ସେ ବିଜ୍ଞାନଟାର କ’ଣ ଆଦୌ କୌଣସି ସମ୍ପର୍କ ନାହିଁ ? ଏହି ପୃଥିବୀ ଉପରେ ସବୁ ମଣିଷ ମଣିଷପରି ବଞ୍ଚି ରହିବା ସହିତ ବିଜ୍ଞାନୀ ମଣିଷର ମହାକାଶରେ ଉଡ଼ିବାର କ’ଣ କୌଣସି ସମ୍ବନ୍ଧ ରହିବ ନାହିଁ ? ଏହା ଭାବିବାର କଥା ।

 

ତା ୨୯.୦୭.୭୫ ରିଖ

Image

 

ଶସ୍ତା ମହଙ୍ଗାର ବିଚାର

 

ନିଆଁ ଆଉ ପାଣି ଉପରେ ଯେପରି ରାନ୍ଧୁଣିଆର ହାତ ନ ଥାଏ, ବଜାରରେ କୌଣସି ଜିନିଷର ଦର କାହିଁକି ବଢ଼ିଲା ବା, କାହିଁକି କମିଲା, ତା’ ଉପରେ ସତେ ଅବା କାହାରି କୌଣସି ହାତ ନଥାଏ । ଏଗୁଡ଼ାକ ହଠାତ୍ ହୁଏ, ଦରଗୁଡ଼ାକ ହୁ’କରିବଢ଼ିଯାଏ, ଅଥବା ଆହୁରି ଟିକିଏ ଅଧିକ ପ୍ରାଞ୍ଜଳ କରିକହିଲେ, ଜିନିଷଗୁଡ଼ାକ ହଠାତ୍‌ ସେହି ବଜାର ଭିତରେ କୁଆଡ଼େ ଲୁଚିଛପି ଯାଆନ୍ତି ଏବଂ ତା’ପରେ ଦିନେ ଆମ ସମସ୍ତଙ୍କ ଲାଗି ଏକ ଅଶୁଭ ମୁହୂର୍ତ୍ତର ସଙ୍କେତ ଦେଇ ସେହି ଜିନିଷର ଦାମ୍‌ଗୁଡ଼ାକ ହଠାତ୍‌ ବଢ଼ିଯାଏ, ଦେଢ଼ଗୁଣ ହୋଇଯାଏ ଅଥବା ଦୁଇଗୁଣ ହୋଇଯାଏ । ପଚାରି ବୁଝିବାକୁ ବେଳ ନଥାଏ, କିଣିବାବାଲାର ବେଳ ନଥାଏ କି ବିକିବାବାଲାର ବି ବେଳ ନଥାଏ । ମାଲଗୋଦାମ ଆଡ଼ୁ ଜିନିଷଗୁଡ଼ାକର ସୃଷ୍ଟି ହୋଇ ସେଇ ଭଣ୍ଡାର ଭିତରୁ ବଜାର ସଂସାରକୁ ବାହାରିବା ବେଳକୁ ଯଦି ଦାମ୍‌ଗୁଡ଼ାକ ଚଢ଼ା ହୋଇ ବା ଦେଢ଼ା ହୋଇ ଆସୁଛି, ତେବେ ତାହାକୁ ବୁଝିବାଲାଗି ଆଉ କାହାର ମଗଜ ବା କେଉଁଠୁ ଆସିବ ?

 

ଆମ ଦେଶରେ ଜରୁରୀ ଅବସ୍ଥା ଲାଗୁ ହେବାର ମାତ୍ର କେତେଦିନ ପରେ ବଜାରରେ ଜିନିଷପତ୍ରର ଦରଦାମ୍‌ଗୁଡ଼ିକ କମିଗଲା, ପ୍ରାୟ ହୁ’ ହୁ’ ହୋଇ ତଳକୁ ଖସିଗଲା, ଅନେକ ଲୋକଙ୍କର କଳ୍ପନାର ଅଟକଳଟା ମଧ୍ୟ ଆଉ କୌଣସି କାମଦେଲା ନାହିଁ । ଆଗରୁ ବିଶେଷଜ୍ଞମାନଙ୍କୁ ନେଇ କେତେ କମିଟି ବା କମିଶନ ବସୁଥିଲା, କେତେ ଗବେଷକ ବଜାରର ସ୍ୱଭାବଟାକୁ ଠଉରାଇ ପାରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବଜାରରେ କାମ କରୁଥିବା ଅଦୃଶ୍ୟ ଜାଦୁଗୁଡ଼ାକୁ ଆଦୌ କେହି ଧରିପାରୁ ନଥିଲେ । ମାତ୍ର ଜରୁରୀ ଅବସ୍ଥା ଜାରୀ ହେବାର ଗୋଟାଏ ମାସ ପୂର୍ଣ୍ଣ ନ ହେଉଣୁ ମଧ୍ୟ ଜିନିଷର ଦରଦାମ୍‍ଗୁଡ଼ାକ ତଳକୁ ଖସିପଡ଼ିଲା । ଖାଲି ଗୋଟାଏ ପ୍ରାନ୍ତ ବା ଗୋଟାଏ ଅଞ୍ଚଳରେ ନୁହେଁ, ତମାମ୍‌ ଦେଶରେ ଦରଦାମ୍‍ଗୁଡ଼ାକ ତଳକୁ ଖସିପଡ଼ିଲା ? ଏକଥା ହୋଇପାରିଲା କିପରି ? ସ୍ୱୟଂ କ୍ଷେତ୍ରବିଶାରଦମାନେ ମଧ୍ୟ ବିସ୍ମିତ ହୋଇ ସେଇକଥା ଭାବୁଥିଲେ, ପୋଥିପାଠର ଗୋଟାଳି ପକାଇ ତାକୁ ବୁଦ୍ଧିରେ ଧରିପାରିବାକୁ ଚେଷ୍ଟା କରୁଥିବେ ଏବଂ ସେମାନେ ଯାହା ଘଟିବ ବୋଲି କେବେହେଲେ ବିଶ୍ୱାସ କରୁନଥିଲେ, ବଜାରରେ ତାହା ପ୍ରକୃତରେ ଘଟିବାର ଦେଖି ସେମାନେ ଲୋକଜୀବନକୁ ଚାଳିବା ଲାଗି ଶାସ୍ତ୍ରବାହାର ଅନେକ ଉପାୟ ରହିଛି ବୋଲି ହୁଏତ ବିଶ୍ୱାସ ବି କରିବାକୁ ଆରମ୍ଭ କରୁଥିବେ ।

 

ଗତବର୍ଷ ଏଇଦିନେ ବ୍ୟବହାରୋପଯୋଗୀ ପ୍ରାୟ ସବୁ ଜିନିଷର ମୂଲ୍ୟଗୁଡ଼ାକ କିପରି ହୁ’ହୁ’ ହୋଇ ବଢ଼ିଗଲା, ଖାଉଟି ମାତ୍ରକେ ସେକଥା ସମସ୍ତଙ୍କର ନିଶ୍ଚୟ ମନେଥିବ । ଚାରିବର୍ଷ ତଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୋଟା ଦର ୫.୫% ବଢ଼ିଥିଲା; ତା’ ପରବର୍ଷ ୪% ବଢ଼ିଲା, ତା’ପରେ ପରବର୍ତ୍ତୀ ବର୍ଷକୁ ୯.୯% ବଢ଼ିଲା ଓ ଏହି ଗତବର୍ଷ ଏକାବେଳକେ ୨୨.୬% ବୃଦ୍ଧି ପାଇଲା । ଏହି ବୃଦ୍ଧିଗୁଡ଼ାକ ପ୍ରକୃତରେ ଆହୁରି କେତେଦୂର ବଢ଼ି ବଢ଼ି ଯିବ ଓ ତାହାରି ମଧ୍ୟର ଜୀବନର ଗୁଜରାଣଟିକୁ ମେଣ୍ଟାଇପାରିବା ଆଉ ସମ୍ଭବ ହୋଇପାରିବ କି ନାହିଁ, ସମସ୍ତେ ଭାରି ଅସହାୟ ହେଲାପରି ସେହିକଥା ଭାବୁଥିଲେ ।

 

ଏତିକିବେଳେ ଜରୁରୀକାଳୀନ ଅବସ୍ଥା ଲାଗୁ ହେଲା ଏବଂ ଦେଶସାରା ଦରଦାମ ଗୁଡ଼ାକ ଖସିବାକୁ ଆରମ୍ଭ କଲା । ଖାଲି ମୋଟା ଦର ନୁହେଁ; ଖୁଚୁରା ଦରଗୁଡ଼ାକ ମଧ୍ୟ କମିବାକୁ ଆରମ୍ଭ କଲା । ଖାଦ୍ୟଦ୍ରବ୍ୟର ଦର କମିଲା, ବ୍ୟବହାରୋପଯୋଗୀ ଅନ୍ୟାନ୍ୟ ନାନା ଜିନିଷର ମଧ୍ୟ ଦର କମିଲା । ଅନେକ ସମୟରେ ଅବିଶ୍ୱାସ୍ୟଭାବରେ ଏହି ଦର କମିଲା । ଗହମ ଦର କମିଲା । ଚିନି ଦର କମିଲା, ବନସ୍ପତି ଦର କମିଲା । ଯେଉଁଗୁଡ଼ାକ ବଜାରରେ ଅନେକ ଦିନ ହେଲା ଅଦୃଶ୍ୟପ୍ରାୟ ହୋଇ ରହିଥିଲା, କ୍ରମେ ସେଗୁଡ଼ାକର ମଧ୍ୟ ଆବିର୍ଭାବ ହେଲା ।

 

ପ୍ରାୟ ଗୋଟାଏ ସପ୍ତାହ ଭିତରେ ଏହି ନଘଟିବା କଥାଗୁଡ଼ାକ କିପରି ଘଟି ପାରିଲା ? ଶାସ୍ତ୍ର ଯାହା କରିପାରୁନଥିଲା, ଯୋଜନା ଯାହା କରିପାରୁନଥିଲା ଏବଂ ମୁଦ୍ରାସଂସ୍କାର ଯାହା କରିପାରୁନଥିଲା, ଏକ ଅଦ୍‌ଭୂତଘଟନ ପରି ସେକଥା ହୋଇପାରିଲା କିପରି ? ଜିନିଷଗୁଡ଼ାକର ଉତ୍ପାଦନ ଯେ ଏହି ସପ୍ତାହର ମଧ୍ୟରେ କଦାପି ଏତେବେଶୀ ଅଧିକ ହୋଇଯାଇ ନାହିଁ, ସେକଥା ଆମେ ସମସ୍ତେ କହିପାରିବା । ଏସବୁର କେବଳ ଗୋଟିଏ କାରଣ ରହିଥିବା ପରି ଲାଗୁଛି ଓ ସେଇଟି ପରବର୍ତ୍ତୀ ଘଟଣାଗୁଡ଼ିକ ଦ୍ୱାରା ପ୍ରମାଣିତ ମଧ୍ୟ ହୋଇଯାଉଛି । ବଜାରରେ ସବୁ ଜିନିଷ ଥିଲା, ମାତ୍ର ଗୋପନ ଗୋଦାମରେ ମହଜୁଦ ହୋଇ ରହିଥିଲା । ଚିନି ଥିଲା, ବନସ୍ପତି ଥିଲା, ଗହମ ମଧ୍ୟ ଥିଲା; ମାତ୍ର ଭବିଷ୍ୟତରେ ଖାଉଟିମାନଙ୍କଠାରୁ ଆହୁରି ଅଧିକ ଆଦାୟ କରିବାର ମତଲବରେ ସେଗୁଡ଼ାକ ଗୋପ୍ୟ କରିକବାଟ କିଳି ରଖାଯାଇଥିଲା ଏବଂ ତାହା ହିଁ ଆମ ଦେଶରେ ବଜାର ଅର୍ଥନୀତିର ଅଳିନ୍ଦକୁ କବାଟ କିଳି ରଖିଥିଲା । ତାହାରି ଦ୍ୱାରା ଅଦୃଶ୍ୟ ମୋଟାମାଲିକମାନଙ୍କର ମର୍ଜି ଅନୁସାରେ କୃତ୍ରିମ ଅଭାବମାନ ସୃଷ୍ଟି କରାଯାଉଥିଲା, କୃତ୍ରିମ ଆତଙ୍କ ଓ ଅନିଶ୍ଚିତତା ଭିଆଯାଇ ସେଥିରୁ ଚମତ୍କାର ଫାଇଦା ଉଠାଯାଉଥିଲା । ତେଣୁ ଦ୍ରବ୍ୟଗୁଡ଼ିକର ଉତ୍ପାଦନ ଯଥେଷ୍ଟ ନଥିଲା ବୋଲି ଆଦୌ କହିହେବ ନାହିଁ ।

 

ଜରୁରୀକାଳୀନ ପରିସ୍ଥିତିର ଘୋଷଣା ସଙ୍ଗେ ସଙ୍ଗେ ଏହିସବୁ ଫିକର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରାଗଲା । ଗୋଟାସୁଦ୍ଧା ଧରାପଡ଼ିବା ଭୟରେ ମହଜୁଦକାରୀମାନେ କ୍ରମେ ଲୁକ୍‌କାୟିତ ମାଲପତ୍ର ବଜାରକୁ ଛାଡ଼ିଲେ । ଉତ୍ପାଦନ ଓ ବିତରଣ ବ୍ୟବସ୍ଥାରେ କ୍ରମଶଃ ଗତିସଞ୍ଚାର ହେଲା । ତା’ପରେ ଗୋପନ ଗୋଦାମଗୁଡ଼ିକର ଖାନତଲାସ ହେଲା, ଜିନିଷ ଜବତ ହୋଇ ବଜାରକୁ ଛଡ଼ାହେଲା । ମହଜୁଦଖୋରୀର ଅଣ୍ଟା ଭାଙ୍ଗିଲା–ଦେଶରେ ଏକ ନୂଆ ଅଭିଯାନ ଆରମ୍ଭ ହେଲାପରି ଲାଗିଲା ।

 

ଏହି ଅଭିଯାନ କ୍ରମେ ଆମ ନିତିଦିନରେ ପରିଣତ ହେଉ, ଆମ ସ୍ୱଭାବ ଓ ଶ୍ଳଥତାଗୁଡ଼ାକୁ ତାହା ବଦଳାଇଦେଇଯାଉ ।

 

ତା ୩୧-୦୭-୧୯୭୫ ରିଖ

Image

 

ଲୁଆଣ୍ଡାରେ ଲଣ୍ଡଭଣ୍ଡ

 

ଆଫ୍ରିକାର ଦକ୍ଷିଣ ଭାଗରେ ଆଟଲାଣ୍ଟିକ ମହାସାଗରକୁ ଲାଗିକରିରହିଥିବା ଆଙ୍ଗୋଲ ଦେଶଟି ଏପର୍ଯ୍ୟନ୍ତ ସ୍ୱାଧୀନ ହୋଇନାହିଁ । ଏତେଦିନ ଯାଏ ତାହା ପର୍ତ୍ତୁଗାଲର ଏକ ଉପନିବେଶ ହୋଇ ରହିଥିଲା । ପୂର୍ବପଟ ଆଫ୍ରିକାର ମୋଜାମ୍ୱିକ ପରି ଆଙ୍ଗୋଲା ମଧ୍ୟ ଗତ କେତେ ଶତାବ୍ଦୀ ଧରି ଯାବତୀୟ ଔପନିବେଶିକ ନିର୍ଯାତନା ଭୋଗକରି ଆସିଥିଲା । ସେହି ନିର୍ଯାତନାର ସମ୍ମୁଖୀନ ହୋଇ ମୋଜାମ୍ୱିକ ପରି ଆଙ୍ଗୋଲା ମଧ୍ୟ ଗୋଟିଏ ହୋଇ ଆପଣାର ରାଜନୀତିକ ସ୍ୱାଧୀନତା ଲାଗି ସଂଗ୍ରାମ କରିଶିଖିଲା । ପର୍ତ୍ତୁଗାଲରେ ଏକ ତୁମୁଳ ରାଜନୀତିକ ପରିବର୍ତ୍ତନ ଫଳରେ ପର୍ତ୍ତୁଗାଲର ଔପନିବେଶିକ ନୀତି ବଦଳିଯିବାରୁ ମୋଜାମ୍ୱିକ ସହିତ ଆଙ୍ଗୋଲା ମଧ୍ୟ ସ୍ୱାଧୀନତା ପାଇବ ଏବଂ ଔପନିବେଶିକ ଯୁଗଟି ମଧ୍ୟରୁ ମୁକ୍ତି ଲାଭକରିଆସିବ ବୋଲି ଘୋଷଣା ପ୍ରକାଶ ପାଇଲା ।

 

ମୋଜାମ୍ୱିକ ସ୍ୱାଧୀନ ହୋଇସାରିଲାଣି, ପୃଥିବୀର କେତେ କେତେ ସ୍ୱାଧୀନ ସରକାରଙ୍କଠାରୁ ସ୍ୱୀକୃତି ପାଇସାରିଲାଣି ଏବଂ ଏବେ ଜାତିସଂଘର ସଦସ୍ୟ ହେବାଲାଗି ଦରଖାସ୍ତ ମଧ୍ୟ କରିସାରିଲାଣି । ମାତ୍ର ଆଙ୍ଗୋଲାରେ ଆହୁରି ଅଡ଼ୁଆ ସରିନାହିଁ । ସ୍ୱାଧୀନତା ଲାଭ କରିବାର ତାରିଖଟି କ୍ରମେ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସେହି ଦେଶରେ ଯେଉଁମାନେ ସ୍ୱାଧୀନତାର ଉତ୍ତରାଧିକାରୀ ପ୍ରତିନିଧି ହୋଇ ସ୍ୱାଧୀନତାକୁ ଗ୍ରହଣ କରିଥାନ୍ତେ ଏବଂ ଦେଶର ନୂତନ ନିର୍ମାଣ ଲାଗି ସେହି ସ୍ୱାଧୀନତାକୁ ବ୍ୟବହାର କରନ୍ତେ, ସେହିମାନେ ଏବେ ଆପଣା ଭିତରେ ବଳ କଷାକଷି ହେବାରେ ଲାଗିଛନ୍ତି ଏବଂ ଆଙ୍ଗୋଲାର ରାଜଧାନୀ ଲୁଆଣ୍ଡା ସହରରେ ପ୍ରତିଦ୍ୱନ୍ଦ୍ୱୀ ନେତୃଶିବିରଗୁଡ଼ିକ ଦେଶର ଭାଗ୍ୟଟିକୁ ଏକ ଯୁଦ୍ଧଦ୍ୱାରା ହିଁ ନିଷ୍ପତ୍ତି କରିବାକୁ ବାହାରିଛନ୍ତି-। ଅନେକ ଆଦିବାସୀ ସମାଜରେ କୌଣସି କନ୍ୟାକୁ କିଏ ସ୍ତ୍ରୀ ଭାବରେ ଗ୍ରହଣ କରିବାର ଅଧିକାରୀ ହୋଇପାରିବ, ସେଥିଲାଗି ପ୍ରତ୍ୟାଶୀମାନଙ୍କ ମଧ୍ୟରେ ପଟାଏ ଲଢ଼ାଇ ହୋଇଯିବାର ପରମ୍ପରାଟି ରହିଥାଏ । ପ୍ରତ୍ୟାଶୀମାନଙ୍କ ଭିତରୁ ଯିଏ ଅନ୍ୟମାନଙ୍କୁ ପରାଜିତ କରିବିଜୟୀ ହୁଏ, ସେଇ ସ୍ତ୍ରୀଭୋଗର ଉପଯୁକ୍ତ ହୁଏ । ସ୍ୱାଧୀନତାଭୋଗର ଉପଯୁକ୍ତ ହେବାଲାଗି ଲୁଆଣ୍ଡାରେ କ’ଣ ବର୍ତ୍ତମାନ ସେହିପରି ଏକ ଲଢ଼ାଇ ଲାଗିଛି କି ? ଲୁଆଣ୍ଡାରେ ବର୍ତ୍ତମାନ ପର୍ତ୍ତୁଗୀଜ ସରକାରଙ୍କର ଜଣେ ଭାରପ୍ରାପ୍ତ ପ୍ରତିନିଧି ମଧ୍ୟ ମହଜୁଦ ରହିଛନ୍ତି । ସିଏ ଲଢ଼େଇଗୁଡ଼ାକର ଫଳାଫଳକୁ ନିଶ୍ଚୟ ଆଗ୍ରହ ସହକାରେ ଲକ୍ଷ୍ୟକରିଦେଖୁଛନ୍ତି । ଲଢ଼େଇ ପରେ ଯେଉଁ ଶିବିରଟି ଭୋଗଯୋଗ୍ୟ ହୋଇ ବାହାରିବ, ତାହାକୁ ହିଁ କଳସ ଦେଇ ସ୍ୱଦେଶ ବାହୁଡ଼ିବା ଲାଗି ସିଏ ହୁଏତ ଅପେକ୍ଷା କରିରହିଛନ୍ତି ।

 

ନୂତନ ଆଫ୍ରିକାର ଗତ ପ୍ରାୟ ଦୁଇଟା ଦଶନ୍ଧିର ବିବର୍ତ୍ତନକୁ ଲକ୍ଷ୍ୟକରି ଆସିଥିବା ପୃଥିବୀ ବିସ୍ମିତ ହୋଇ ଅନାଇ ରହିଛି । ରାଜନୀତିକ ସ୍ୱାଧୀନତା ହେଉଛି ଜାତୀୟ ଜୀବନର ଗଠନକ୍ରମରେ ଏକ ପ୍ରଥମ ପର୍ଯ୍ୟାୟ ସ୍ୱରୂପ । ଆଗ ପରାଧୀନତା ଯାଏ, ଜାତି ଆପଣା ବାଟଟିକୁ ବାଛିବାର ଓ ସେହି ରୀତିରେ ଆପଣାର ଭିତ୍ତିଗୁଡ଼ିକୁ ଗଢ଼ିବାର ସ୍ୱାଧୀନତା ଲାଭ କରେ । ଗୋଟିଏ ଗୋଟିଏ ରାଷ୍ଟ୍ର ଆପଣାର ଯଥାର୍ଥ ରାଜନୀତିକ ଏବଂ ସାମାଜିକ ଛାଞ୍ଚଟି ପାଉ ପାଉ ଅନେକ ସମୟରେ ହୁଏତ ପୁରୁଷ ପୁରୁଷ ଲାଗିଯାଏ । କେତେ ପରୀକ୍ଷଣ ଓ ଶିକ୍ଷଣ ମଧ୍ୟଦେଇ ଗତି କରିବାକୁ ହୁଏ, କେତେ ଗଢ଼ାପଡ଼ା ହୁଏ, କେତେପ୍ରକାରେ ଗ୍ରହଣ ଓ ବର୍ଜନ ଚାଲିଥାଏ । ଆଙ୍ଗୋଲାର ନେତାମାନେ ସତେଅବା ଓଲଟା ରୀତିରେ କାମଟାକୁ ହାସଲ କରିବାର ଭ୍ରମରେ ପଡ଼ିଯାଇଛନ୍ତି ।

 

ତେଣୁ ଉପନିବେଶ ହୋଇ ରହିବାର ଅବସ୍ଥାଟି ଶେଷହେବା ପୂର୍ବରୁ ଅର୍ଥାତ୍ ରାଜନୀତିକ ସ୍ୱାଧୀନତା ପାଇବାର ପୂର୍ବରୁ ହିଁ ସେମାନେ ଆପଣାର ବେକ କଟାକଟି ହୋଇ ଜାତୀୟ ଭାଗ୍ୟର ଭବିଷ୍ୟତ ମାର୍ଗଟିକୁ ପକ୍‌କା କରିବାରେ ଲାଗି ଯାଇଛନ୍ତି । ଏହି କ୍ଷେତ୍ରରେ ରାଜନୀତିକ ଆଦର୍ଶଗୁଡ଼ାକ ଭିତରେ ଯେତେ ସଂଘାତ ଲାଗିନାହିଁ, ସମସ୍ତଙ୍କୁ ନିକାଲି ଆପେ କ୍ଷମତାକୁ ଆସିବାର ଜ୍ୱରଟା ବୋଧହୁଏ ତା’ଠାରୁ ଅଧିକ ସାଂଘାତିକ ଭାବରେ କାମୁଡ଼ି ଧରିଛି । ତେଣୁ ଯେଉଁମାନେ କାଲିଯାଏ ସାଧାରଣ ଶତ୍ରୁତା ସହିତ କାନ୍ଧକୁ କାନ୍ଧ ମିଳାଇ ସଂଗ୍ରାମ କରିଆସିଥିଲେ, ସେମାନେ ଲକ୍ଷ୍ୟସ୍ଥଳଟା ଦୃଷ୍ଟିଗୋଚର ହୋଇଯିବା ସଙ୍ଗେ ସଙ୍ଗେ ପରସ୍ପରର ଗୋଛି କାଟିବାରେ ଲାଗିଯାଇଛନ୍ତି ।

 

ଆହୁରି ଲକ୍ଷ୍ୟ କରିବାର କଥା ହେଉଛି, ଏମାନଙ୍କର ଏହି ଲଢ଼େଇଟାକୁ ଅଧିକ ଉଷ୍ମ କରିରଖିବା ଲାଗି ଏମାନଙ୍କୁ ବାହାରୁ ତଥାକଥିତ ହିତୈଷୀମାନଙ୍କଠାରୁ ବନ୍ଧୁକ ଓ ବାରୁଦ ମଧ୍ୟ ମିଳୁଛି । ଗୋଟାଏ ଜାତିର ଭାଗ୍ୟ ଯେ ଆଦୌ ଏ ରୀତିରେ ଗଢ଼ାଯାଏ ନାହିଁ, ଆଙ୍ଗୋଲାର ଆଗାମୀ ଦଶବରଷର ଘଟଣାଗୁଡ଼ିକ ହୁଏତ ତାହା ହିଁ ପ୍ରତିପାଦନ କରିଦେବାକୁ ଯାଉଛି ।

 

ତା ୦୧-୦୮-୧୯୭୫ରିଖ

Image

 

ନୂଆ ବିଶ୍ୱବିଦ୍ୟାଳୟ

 

ମିଳିତ ଜାତିସଂଘର ଆନୁକୂଲ୍ୟ ଓ ଉଦ୍ୟମରେ ନିକଟ ଭବିଷ୍ୟତରେ ଜାପାନର ରାଜଧାନୀ ଟୋକିଓ ସହରରେ ଏକ ବିଶ୍ୱବିଦ୍ୟାଳୟ ଉଦ୍‌ଘାଟିତ ହେବାକୁ ଯାଉଛି । ଆପଣାର ପ୍ରକାର ଓ ଅଧ୍ୟୟନ ପରିସର ଦୃଷ୍ଟିରୁ ଏହାକୁ ଏକ ନୂତନ ବିଶ୍ୱବିଦ୍ୟାଳୟ ବୋଲି ଅବଶ୍ୟ କୁହାଯାଇପାରିବ ।

 

ଏହି ବିଶ୍ୱବିଦ୍ୟାଳୟର ଅଧ୍ୟୟନକାରୀ ଛାତ୍ର ହେବା ଲାଗି ସମଗ୍ର ପୃଥିବୀରୁ ଯୁବକ ଓ ଯୁବତୀମାନେ ନିର୍ବାଚିତ ହୋଇ ଆସିବେ । ଏହି ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ମଧ୍ୟ ସମଗ୍ର ପୃଥିବୀରୁ ଆସିବେ । ସେଠାରେ ସେମାନେ କୌଣସି ସରକାର ଅଧୀନରେ କର୍ମଚାରୀ ହୋଇ ରହିବେ ନାହିଁ । ସେହି ବିଶ୍ୱବିଦ୍ୟାଳୟ ଉପରେ କୌଣସି ଗୋଟିଏ ଅଥବା କେତୋଟି ଦେଶର ଆଦୌ କର୍ତ୍ତୃତ୍ୱ ରହିବ ନାହିଁ । ସେମାନେ ମିଳିତ ଜାତିସଂଘର ପାଣ୍ଠିରୁ ହିଁ ସିଧା ବେତନ ପାଇବେ । କୌଣସି ଗୋଟିଏ ଦେଶ ବା ଗୋଟାଏ ସରକାର ପ୍ରତି ସେମାନଙ୍କର ଅନୁରକ୍ତି ରହିବ ନାହିଁ, ପକ୍ଷପାତହୀନ ଭାବରେ ସମଗ୍ର ମାନବସମାଜ ପ୍ରତି ହିଁ ଅନୁରକ୍ତି ରହିବ ।

 

ଏବଂ ସମାନେ ସମଗ୍ର ମନୁଷ୍ୟ ସମାଜର ସାଧାରଣ ସମସ୍ୟାଗୁଡ଼ିକ ସମ୍ୱନ୍ଧରେ ଅଧ୍ୟୟନ ଏବଂ ଗବେଷଣା କରିବେ । ଏହି ବିଶ୍ୱବିଦ୍ୟାଳୟର ମୁଖ୍ୟ ପରିଚାଳକ ଆମେରିକାର ଡକ୍‌ଟର ରେଷ୍ଟାନ ଏବେ ଗୋଟିଏ ବିବୃତ୍ତିରେ କହିଛନ୍ତି ଯେ, ବିଶ୍ୱ ଖାଦ୍ୟସମସ୍ୟା ବିଷୟରେ ଗବେଷଣା କରିସମ୍ଭାବ୍ୟ କେତୋଟି ସମାଧାନ ବାହାର କରିବା ଏହି ନୂତନ ବିଶ୍ୱବିଦ୍ୟାଳୟର ପ୍ରଥମ କାର୍ଯ୍ୟ ହେବ । ଆମ ପୃଥିବୀର ଲୋକସଂଖ୍ୟା ବଢ଼ି ବଢ଼ି ଯାଉଥିବାବେଳେ ତେଣେ ପୃଥିବୀର ଖାଦ୍ୟସମସ୍ୟା ବଢ଼ି ବଢ଼ି ଯାଉଛି; ଏହାର ସମାଧାନ ଲାଗି କୌଣସି ବହୁମୁଖୀ ଉପାୟ ବାହାର କରିବାକୁ ହେଲେ ବାଣିଜ୍ୟ, ବିତରଣ ଏବଂ ଉତ୍ପାଦନର କ୍ଷେତ୍ରରେ କ’ଣସବୁ ପରିବର୍ତ୍ତନ କରିବାକୁ ପଡ଼ିବ, ଆମ ଶିକ୍ଷାକୁ ଜୀବନ ସହିତ ଅଧିକ ଫଳପ୍ରଦ ଭାବରେ କିପରି ସମ୍ୱନ୍ଧିତ କରାଯାଇପାରିବ ଓ ବିକାଶଶୀଳ ଦେଶଗୁଡ଼ିକ ଅପେକ୍ଷାକୃତ ଅଧିକ ବିକଶିତ ରାଷ୍ଟ୍ରଗୁଡ଼ିକର ଅର୍ଥ ତଥା ବାଣିଜ୍ୟନୀତି ସହିତ କିପରି ଅଧିକ ସାର୍ଥକ ଭାବରେ ସମ୍ୱନ୍ଧିତ କରିରଖାଯାଇପାରିବ, ନୂଆ ବିଶ୍ୱବିଦ୍ୟାଳୟ ସେହିଗୁଡ଼ିକର ଗବେଷଣା କରିବ । ପୃଥିବୀର ବିଭିନ୍ନ ଭାଗରୁ କେତେ କେତେ ଅଧ୍ୟାପକ ଓ ଗବେଷକ ପରସ୍ପରର ସହଯୋଗୀ ଭାବରେ ସେହିସବୁର ଗବେଷଣା କରିବେ ଓ ଏକ ଯଥାସମ୍ଭବ ସମଗ୍ର ସମାଧାନ ଖୋଜି ବାହାର କରିବାର ପ୍ରୟାସୀ ହେବେ । ବିଶେଷଜ୍ଞମାନଙ୍କର ଏହି ଅତିପ୍ରତିପତ୍ତିର ଯୁଗରେ ଏହି କଥାଟିକୁ ଆମେ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି କହିପାରିବା ।

 

ଆମ ପୃଥିବୀର ଅର୍ଥନୀତି ପ୍ରଧାନତଃ ଜାତୀୟ ଅର୍ଥନୀତି ମଧ୍ୟରେ କେତେ ଭାବରେ ଖଣ୍ଡ ଖଣ୍ଡ ହୋଇ ରହିଛି । ବିଶ୍ୱରାଜନୀତିରେ ମଧ୍ୟ ଜାତୀୟ ଓ ରାଷ୍ଟ୍ରୀୟ ରାଜନୀତି ସମୂହର ଜଟିଳତା ଭିତରେ କେତେ ବିକୃତ ଭାବରେ ଖଣ୍ଡ ଖଣ୍ଡ ହୋଇ ରହିଛି । ସବୁଠାରୁ ବ୍ୟଙ୍ଗ ଓ ବିଡ଼ମ୍ୱନାର କଥା ହେଉଛି ଯେ ପୃଥିବୀର ଉତ୍ପାଦନ, ଆୟ ଏବଂ ମନୁଷ୍ୟବଳ ବଢ଼ିବାରେ ଲାଗିଥିଲେ ମଧ୍ୟ ପୃଥିବୀର ଦାରିଦ୍ର୍ୟ ଓ ଦୂର୍ବଳତାଗୁଡ଼ାକ କ୍ରମଶଃ ଅଧିକ ଉତ୍କଟ ହେବାରେ ଲାଗିଛି-। ଆମ ବିଶ୍ୱବିଦ୍ୟାଳୟଗୁଡ଼ାକ ଅଧିକାଂଶ ସ୍ଥଳରେ କେବଳ ଦେଶୀୟ ହୋଇ ରହିଛି, ଏପରି କି କେତେକ କ୍ଷେତ୍ରରେ ପ୍ରାୟ ପ୍ରାଦେଶିକ ହୋଇ ରହିଯାଇଛି । ତେଣୁ ସେମାନେ ଆମର ସାଧାରଣ ସମସ୍ୟାଗୁଡ଼ାକର ସମାଧାନ ଦିଗରେ ଯେତେଦୂର ସହାୟତା କରୁନାହାନ୍ତି, ଆନ୍ତର୍ଜାତିକ ବାଣିଜ୍ୟ, ବିତରଣ ଓ ଉତ୍ପାଦନର କ୍ଷେତ୍ରରେ ଖଣ୍ଡ ସ୍ୱାର୍ଥ ଓ ସଂକୀର୍ଣ୍ଣତାଗୁଡ଼ାକୁ ବଢ଼ାଇବାରେ ହିଁ ତା’ଠାରୁ ଅଧିକ ପରିମାଣରେ ଉତ୍ତେଜକ ପରି କାର୍ଯ୍ୟ କରୁଛନ୍ତି । ଅରଣ୍ୟ ଭିତରେ ରହିସେମାନେ କେବଳ ଗଛଗୁଡ଼ାକୁ ଦେଖୁଛନ୍ତି, ଗଛ ଚାରିପାଖରେ ଦିଆଯାଇଥିବା ଅଟେଇଗୁଡ଼ାକୁ ହିଁ ଦେଖୁଛନ୍ତି, ଅରଣ୍ୟଟିକୁ ଦେଖିପାରୁ ନାହାନ୍ତି ।

 

ଆମ ପୃଥିବୀରେ କେତେ ବିଶ୍ୱବିଦ୍ୟାଳୟ ରହିଛି । ଆମ ଦେଶରେ ମଧ୍ୟ ପଚିଶି ବର୍ଷ ତଳେ ଯେତୋଟି ବିଶ୍ୱବିଦ୍ୟାଳୟ ଥିଲା, ବର୍ତ୍ତମାନ ତାହାର ପ୍ରାୟ ଦୁଇଗୁଣ ସଂଖ୍ୟାର ବିଶ୍ୱବିଦ୍ୟାଳୟ ହେଲାଣି । ଏମାନେ ସବୁଗୁଡ଼ାକ ପୁରୁଣା । କିଏ ଆପଣାର ରୌପ୍ୟଜୟନ୍ତୀ ପାଳନ କରୁଛି ତ କିଏ ସୁବର୍ଣ୍ଣ ବା ହୀରକ ଜୟନ୍ତୀ । ଏଗୁଡ଼ାକ ଆପଣାର ଦୃଷ୍ଟିରେ ମଧ୍ୟ ପୁରୁଣା । ସେହି ଭଟ୍ଟଙ୍କ ଅମଳର ଆଖିରେ ଏମାନେ ବର୍ତ୍ତମାନର ପୃଥିବୀକୁ ଦେଖୁଛନ୍ତି ଓ ପୃଥିବୀର ପ୍ରାୟ କୌଣସି ଯଥାର୍ଥ କାମରେ ଲାଗୁ ନ ଥିବା ଆପଣାର ପୃଥୁଳ ବପୁଗୁଡ଼ାକୁ ମଧ୍ୟ ଦେଖୁଛନ୍ତି । ପୃଥିବୀ ବଦଳିଯାଉଥିବ, ମଣିଷର ଆକୃତି ବଦଳିଯାଉଥିବ; ତଥାପି କ’ଣ ଏମାନେ ଆପଣାର ସେଇ ପୁରୁଣା ପୋଥିଗୁଡ଼ାକର ପାରାୟଣ କରିବାରେ ଲାଗିଥିବେ ? ଏଠି ଆମ ଚାରିପାଖରେ କେତେ କେତେ ସମସ୍ୟା,–ଆର୍ଥିକ ସମସ୍ୟା, ସାଂସ୍କୃତିକ ସମସ୍ୟା ଓ ସାମାଜିକ ସମସ୍ୟା । ଆମର ପୃଥିବୀରେ ଆଜି କେତେ କେତେ ଆହ୍ୱାନ । ଆମ ବିଶ୍ୱବିଦ୍ୟାଳୟଗୁଡ଼ିକ କ’ଣ ଆମକୁ ଏହି ସମସ୍ୟା ଓ ଆହ୍ୱାନଗୁଡ଼ିକର ଯୋଗ୍ୟ ଓ ସମ୍ମୁଖୀନ ହେବାକୁ କେବେହେଲେ ପ୍ରସ୍ତୁତ କରିବେ ନାହିଁ-? ଏବଂ ଆମକୁ ଅଯୋଗ୍ୟ ବୋଲି ଘୋଷଣା କରିଆମର ସମସ୍ୟାଗୁଡ଼ାକ ହିଁ ଆମ ଉପରେ ରାଜା ହୋଇ ବସିଥିବେ, ଆମକୁ ଏହିପରି ଗିଳିପକାଇବାରେ ଲାଗିଥିବେ ?

 

ଟୋକିଓର ନୂତନ ବିଶ୍ୱବିଦ୍ୟାଳୟଟି ନୂତନ ଧାରାରେ ଚିନ୍ତା କରିବାକୁ ଏବଂ ନୂତନ ଧାରାରେ ପ୍ରସ୍ତୁତ ହେବାକୁ ପୃଥିବୀର ସବୁ ବିଶ୍ୱବିଦ୍ୟାଳୟଙ୍କୁ ଆବଶ୍ୟକ ପ୍ରେରଣା ଯୋଗାଇଦେବ ବୋଲି ଆମେ ନିଶ୍ଚୟ ଆଶା କରିବା । ଆମ ବିଶ୍ୱବିଦ୍ୟାଳୟଗୁଡ଼ିକ ଆମର ବିଶ୍ୱଟାକୁ ଆପଣାର ଘର ବୋଲି ଗ୍ରହଣ କରିନେବାରେ ଆମକୁ ବାଟ ଦେଖାଇବେ, ଆମେ ଏକଥା ମଧ୍ୟ ଆଶା କରିବା-

 

ତା ୦୨.୦୮.୧୯୭୫ ରିଖ

Image

 

ଡାକ୍ତରଙ୍କ ଡାକ୍ତର

 

ଆମ ଦେଶରେ ଏପର୍ଯ୍ୟନ୍ତ ପରୀକ୍ଷକମାନେ ହିଁ ଛାତ୍ରମାନଙ୍କର ପରୀକ୍ଷା କରୁଥିଲେ, ବରଷକୁ ଏକାମୁଥକେ ଥରେ ବା ଚାରି ମୁଥରେ ଚାରିଥର ସେମାନଙ୍କର ପରୀକ୍ଷା ନେଉଥିଲେ । ସେମାନେ ପ୍ରକୃତରେ କୌଣସି ପରୀକ୍ଷା ନେଉଥିଲେ କି ? ଏବେ ଗୋଟାଏ ପ୍ରସ୍ତାବ ଉଠିଛି ଯେ ଏଣିକି ଛାତ୍ରମାନେ ମଧ୍ୟ ସେମାନଙ୍କ ପରୀକ୍ଷକମାନଙ୍କର ପରୀକ୍ଷା ନେବା ଉଚିତ, ଅର୍ଥାତ୍ ସେମାନେ ସେମାନଙ୍କର ଶିକ୍ଷକମାନଙ୍କର ପରୀକ୍ଷା କରିବା ଉଚିତ । ଏପରି ଏକ ନୂଆ ରୀତିର ପ୍ରଚଳନ ବିଷୟରେ ଏପର୍ଯ୍ୟନ୍ତ ପରୀକ୍ଷା ନେଇ ଆସିଥିବା ଓ ପ୍ରାୟ କେବେହେଲେ କାହାରି ପାଖରେ ପରୀକ୍ଷା ଦେଇ ନ ଥିବା କେତେକ ପଦସ୍ଥ ବ୍ୟକ୍ତିଙ୍କର ମତ ଲୋଡ଼ାଯାଇଛି ।

 

ଡାକ୍ତରମାନେ ସର୍ବସ୍ୱୀକୃତଭାବରେ ରୋଗୀମାନଙ୍କର ପରୀକ୍ଷା ନିଅନ୍ତି, ମାତ୍ର ସେମାନଙ୍କର ପରୀକ୍ଷା କେବେ ଆଉ କିଏ ଆସି କରୁ ବୋଲି ସେମାନେ ସଚରାଚର ପ୍ରାୟ ଇଚ୍ଛା କରନ୍ତି ନାହିଁ । କିନ୍ତୁ ଡାକ୍ତରମାନେ ଆଗ ଆପଣା ରୋଗଗୁଡ଼ାକୁ ଭଲକରି ଅର୍ଥାତ୍‌ ଆପେ ସୁସ୍ଥ ଓ ସବଳ ହୋଇ ତା’ପରେ ଅନ୍ୟ ରୋଗୀମାନଙ୍କୁ ପରୀକ୍ଷା କରିବାକୁ ଆସୁଥିଲେ ସେମାନେ ସଂସାରରେ ଅନେକ ବ୍ୟାଧିର ନିରାକରଣ ଦିଗରେ ଯେ ପ୍ରକୃତରେ ସହାୟକ ହୋଇପାରୁଥାନ୍ତେ, ସେକ୍‌ସପିଅରଙ୍କ ପର୍ଯ୍ୟନ୍ତ ମଧ୍ୟ ଏହି ସତ୍ୟଟିର ନଜିର ରହିଛି । ମାତ୍ର ଡାକ୍ତରକୁ ପୁଣି ରୋଗୀ ଟେବୁଲ ଉପରେ ନେଇ ଶୁଆଇପାରିବ କିଏ ? ହଁ, ଡାକ୍ତର ଯଦି ନିଜେ କେବେ ଅନ୍ୟ ଏକ ବିବେକଦ୍ୱାରା ପରିଚାଳିତ ହୋଇ ନିଜେ ନିଜର ପରୀକ୍ଷା କରାଇନିଏ, ତେବେ ଆମ ଦୁରୂହ ସମସ୍ୟାଟିର ନିଶ୍ଚୟ ସମାଧାନ ହୋଇଯିବ ।

 

ଯେଉଁ ଦେଶରେ ମୋଟା ମୂଲ୍ୟାୟନର ଗୁରୁମାନଙ୍କୁ ଗୋଟିଏ ଶ୍ରେଣୀରୂପେ ବ୍ରହ୍ମା, ବିଷ୍ଣୁ ବୋଲି ଘୋଷଣା କରାଯାଇଛି, ସେ ଦେଶରେ ଗୁରୁର ପରୀକ୍ଷା ନେବାଟାକୁ ଯେ ପାରମ୍ପରିକ ଭାବରେ ପ୍ରାୟ ଏକ ମହାପାତକ ବୋଲି ବିଚାର କରାଯାଇଥିବ ଏବଂ କରାଯିବ, ଏଥିରେ ବିସ୍ମିତ ହେବା ଆଦୌ ଉଚିତ ନୁହେଁ । ଗୁରୁର ବାକ୍ୟ ହେଉଛି ମହାବାକ୍ୟ, ବେଦସମାନ ବାକ୍ୟ–ଆମ ଶାସ୍ତ୍ର ଯୁଗ ଯୁଗ ଧରି ଏପରି ଏକ କଥାକୁ ଆମ କାନ ପାଖରେ ଫୁଙ୍କି ଫୁଙ୍କି ଆସିଛି । ସେକାଳର ସ୍ୱନିର୍ବାଚିତ ଗୁରୁରୁ ବର୍ତ୍ତମାନ ଆମେ ଆପଣାକୁ ପ୍ରାୟ ଏକ ଶ୍ରମିକ ବୋଲି ମନେକରୁଥିବା ବେତନଭୋଗୀ ଗୁରୁର ପ୍ରର୍ଯ୍ୟାୟରେ ଆସି ପହଞ୍ଚିଲୁଣି ଓ ସେକାଳର ଆଚାର୍ଯ୍ୟ ଆମ ଏକାଳକୁ ମାଷ୍ଟ୍ରେ ହେଲେଣି ସତ, ମାତ୍ର ପାରମ୍ପରିକ ଦୃଷ୍ଟିଟା ଆମ ରକ୍ତଗୁଡ଼ାକରେ ସତେ ଅବା ଜୀବାଣୁ ହୋଇ ରହିଛି । ତେଣୁ ଛାତ୍ରମାନେ ଯେ କେବେ ପରୀକ୍ଷକ ବା ଶିକ୍ଷକମାନଙ୍କର ପରୀକ୍ଷଣ ବା ମୂଲ୍ୟାଙ୍କନ କରିବେ, ସେକଥା ଶୁଣିବା ମାତ୍ରକେ ଉପରେ ଥିବା ବରଡ଼ାମାନଙ୍କର ହୃତ୍କମ୍ପ ଜାତହେବା ଅତି ସ୍ୱାଭାବିକ ଏବଂ ସେମାନେ ନାନା ପ୍ରକାର ପ୍ରତିଯୁକ୍ତି ବାଢ଼ିବାକୁ ଚେଷ୍ଟାକରିବା ମଧ୍ୟ ଏକାନ୍ତ ସ୍ୱାଭାବିକ । ମ୍ୟାଜିକ ଦେଖାଉଥିବା ବ୍ୟକ୍ତି ସିନା ଆମକୁ ନେଇ ତା’ର ଖେଳଗୁଡ଼ାକୁ ଖେଳିପାରିବ, କିନ୍ତୁ ଆମେ ଯଦି ମଞ୍ଚ ଉପରକୁ ଉଠି ମ୍ୟାଜିକବାଲାର ହାତ ସଫେଇ ଓ ତଦନୁକୂଳ ସରଞ୍ଜାମଗୁଡ଼ାକୁ ତନଖି ଦେଖିବାକୁ ସ୍ପୃହା କରିବା, ତେବେ ଏହି ସଂସାରରେ ଆଉ କୌଣସି ମ୍ୟାଜିକ୍‌ ସମ୍ଭବ ବା କିପରି ହେବ ?

 

ଆମ ଦେଶରେ ଯାହା ନ ହୁଏ ବା ହେବା ଅନୁଚିତ ବୋଲି କୁହାଯାଏ, ବିଦେଶର ଏକାଧିକ ଦେଶରେ ତାହା ହୁଏ, ଅଧିକାଂଶତଃ ଅନୌପଚାରିକ ଭାବରେ ତାହା ହୁଏ ଏବଂ ସେହିସବୁର ମାଧ୍ୟମରେ ଅଧ୍ୟାପକ ବା ଶିକ୍ଷକ ଆପଣାକୁ ଶିକ୍ଷାର୍ଥୀମାନଙ୍କର ମୂଲ୍ୟାଙ୍କନର ଦର୍ପଣ ଉପରେ ଦେଖିବାର ଏକ ନିର୍ଦ୍ଦୋଷ ସୁଯୋଗ ପାଆନ୍ତି ଓ ତଦନୁଯାୟୀ ଆପଣାର ଶିକ୍ଷାଦାନ ରୀତିରେ ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରନ୍ତି । ଆମେରିକାର କେତେକ ବିଶ୍ୱବିଦ୍ୟାଳୟରେ ଏପରି ଛାତ୍ରପତ୍ରିକାମାନ ରହିଛି, ଯେଉଁଥିରେ କି ଅଧ୍ୟାପକମାନଙ୍କର ଶିକ୍ଷାଦାନ ଉପରେ ଛାତ୍ରମାନଙ୍କ ଦ୍ୱାରା ସମୀକ୍ଷା କରାଯାଏ । ହାରଭାର୍ଡ଼ର ପ୍ରଖ୍ୟାତ ଅଧ୍ୟାପକ ଜନ୍‌ ଗଲବ୍ରେଥ୍‍ଙ୍କୁ ମଧ୍ୟ ଏହିପରି ଭାବରେ ଛାତ୍ରମତର ସମ୍ମୁଖୀନ ହେବାକୁ ପଡ଼ିଛି । ଆପଣା ଅଧ୍ୟାପନାର ପ୍ରଦର୍ଶିତ ଅଭାବଗୁଡ଼ିକୁ ସ୍ୱୀକାର କରିବାକୁ ପଡ଼ିଛି; ସେଥିରେ ସୁଧାର ମଧ୍ୟ କରିବାକୁ ପଡ଼ିଛି । ତଦ୍ଦ୍ୱାରା ତାଙ୍କର ମର୍ଯ୍ୟାଦା କମିନାହିଁ; ମର୍ଯ୍ୟାଦା ବଢ଼ିଛି ।

 

ଆମ ଦେଶରେ ଏଣିକି ଛାତ୍ରମାନେ ସେମାନଙ୍କର ଶିକ୍ଷକ ଓ ପରୀକ୍ଷକମାନଙ୍କର ପରୀକ୍ଷା କରିବେ, ସେମାନଙ୍କର ମୂଲ୍ୟାଙ୍କନ କରିବେ, ଉପରୁ ଏକ ସାଧାରଣ ଆଇନ କରାହୋଇ ଏକଥାକୁ ଆଦୌ ଲଦି ଦିଆ ନ ଯାଉ । ମାତ୍ର ଏପରି ଏକ ମୂଲ୍ୟାଙ୍କନ ଲାଗି ଅଧ୍ୟାପକ ଓ ପରୀକ୍ଷକମାନେ ସ୍ୱୟଂ ସ୍ୱତଃପ୍ରବୃତ୍ତ ହୋଇ ରାଜିହୋଇଯାଆନ୍ତୁ । ପ୍ରଥମ ପର୍ଯ୍ୟାୟରେ ଏହିପରି ଏକ ପ୍ରବର୍ତ୍ତନ ଦ୍ୱାରା ଅପ୍ରୀତିକରତା ଏବଂ ଅରାଜକତାର ଯେତେ ଆଶଙ୍କା ରହିଥାଉ ପଛକେ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଏହାଦ୍ୱାରା ସଂପୃକ୍ତ ସମସ୍ତଙ୍କର ହିତ ହେବ, ଶିକ୍ଷାର ମାନ ବଢ଼ିବ, ଶିକ୍ଷକ ଓ ଶିକ୍ଷାର୍ଥୀ ମଧ୍ୟରେ ବୁଝାମଣା ବଢ଼ିବ, ଅନେକ ଦିନରୁ ପ୍ରାୟ ସ୍ୱାଧୀକାରମୁଗ୍‌ଧ ହୋଇ ରହିଥିବା ଜଳାଶୟମାନଙ୍କରେ ନୂତନ ସ୍ରୋତର ସଞ୍ଚାର ହେବ, ନୂତନ ସମ୍ଭାବନାଲାଗି ବାଟ ଖୋଲିବ ଏବଂ ଏହିପରି ଭାବରେ ବର୍ତ୍ତମାନର ଅନେକ ସମସ୍ୟାର ସମାଧାନ ହୁଏତ ମିଳିଯିବ ।

 

ତା ୦୪.୦୮.୧୯୭୫ ରିଖ

Image

 

କାମ୍ପାଲା କମ୍ପିଲା

 

ଆଫ୍ରିକାର ଦକ୍ଷିଣ ଭାଗରେ ଚାରିଆଡ଼ୁ ବୃହତ୍‌ କେତେକେତେ ଦେଶଦ୍ୱାରା ସତେଅବା ଚିପିହୋଇ ରହିଥିବା ଏଡ଼େଟିକିଏ ଦେଶ ଉଗାଣ୍ଡା, ଉଗାଣ୍ଡାର ରାଜଧାନୀ କାମ୍ପାଲା । ସେହି କାମ୍ପାଲା ସହରରେ ବର୍ତ୍ତମାନ ଆଫ୍ରିକା ମହାଦେଶର ରାଷ୍ଟ୍ରଗୁଡ଼ିକର ଶୀର୍ଷସମ୍ମିଳନୀ ବସିଛି । ଆଫ୍ରିକାରେ ଥିବା ୪୬ଟି ସ୍ୱାଧୀନ ଦେଶର ରାଷ୍ଟ୍ରମୁଖ୍ୟମାନେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି-

ଆଫ୍ରିକାରେ ଆଫ୍ରିକୀୟ ଏକତା ସଂଗଠନ ବୋଲି ଏକ ରାଜନୀତିକ ସଂସ୍ଥା ଗତ କେତେବର୍ଷ ହେଲା କାର୍ଯ୍ୟ କରିଆସୁଛି । ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ମହାଦେଶଟିର ପୃଥୁଳ ଭୂଖଣ୍ଡଟିରେ ଆରବମାନେ ଅଛନ୍ତି ଓ ନିଗ୍ରୋମାନେ ଅଛନ୍ତି । ଦକ୍ଷିଣ ଆଫ୍ରିକାରେ ଗୋରାଜାତି ମଧ୍ୟ କେତୋଟି ଦେଶରେ ପ୍ରବଳ ହୋଇ ରହିଛନ୍ତି । ଧର୍ମ ଦୃଷ୍ଟିରୁ ବିଚାର କଲେ ଏହି ଗୋଟିଏ ମହାଦେଶରେ ମୁସଲମାନ ଅଛନ୍ତି, ଖ୍ରୀଷ୍ଟିଆନ୍ ମଧ୍ୟ ଅଛନ୍ତି । ପ୍ରାୟ ପଚାଶଟା ବର୍ଷ ତଳେ ଏମାନଙ୍କୁ ସମସ୍ତଙ୍କୁ ସାନ ଇଉରୋପର ବିଭିନ୍ନ ଦେଶ ଉପନିବେଶ କରିରଖିଥିଲେ । ଆଫ୍ରିକା ଇଉରୋପୀୟ ବଣିଜ ଓ ଶିଳ୍ପ ଲାଗି କଞ୍ଚାମାଲ ଓ ସୁଲଭ ଶ୍ରମର ଦେଶ ହୋଇ ରହିଥିଲା, ଆଫ୍ରିକାର ଜଙ୍ଗଲଗୁଡ଼ାକ ଇଉରୋପୀୟ ଶିକାରୀମାନଙ୍କ ଲାଗି ମୃଗୟାବିହାର ହୋଇ ରହିଥିଲା, ଆଫ୍ରିକାର ଅଧିବାସୀମାନେ ଇଉରୋପୀୟ ମିଶନାରୀମାନଙ୍କ ହାତରେ ସହଜ ଧର୍ମପ୍ରଚାର ଲାଗି ଖେଳନା ହୋଇ ରହିଥିଲେ । ଅଲିଭର ଷ୍ଟାନ୍‌ଲି ଏବଂ ଡେଭିଡ଼୍‌ ଲିଭିଙ୍ଗ୍‍ଷ୍ଟାଇନ୍‌ଙ୍କ ଦାୟାଦମାନେ ଆପଣାର ଭୋଗ ଲାଗି ଆଫ୍ରିକାର ଅନ୍ଧାରଗୁଡ଼ାକୁ ଆବିଷ୍କାର କରିବାକୁ ଲାଗିଥିଲେ ।

୧୯୫୦ ମସିହା ପରେ ସେହି ଆଫ୍ରିକା ବଦଳିଗଲା । ଦେଶ ପରେ ଦେଶ ସ୍ୱାଧୀନ ହେଲେ । ସାମ୍ରାଜ୍ୟବାଦର ଯୁଗ ସରିଗଲା । ଉପନିବେଶର ଶାସନ ଇତିହାସ ଭିତରକୁ ଗଲା । ଇଉରୋପ ନୂଆ ସଂସାରର ଚେତାବନୀ ମାନି ପୃଥିବୀରେ ନୂଆ ସମ୍ୱନ୍ଧ ରଖି ଚଳିବା ପାଇଁ ବାଧ୍ୟ ହେଲା । ଆଫ୍ରିକାରେ ନାସେର ଆସିଲେ, ବେନ୍‌ ବେଲା ଆସିଲେ, ୟୋମୋ କେନିଆଟା ଆସିଲେ, କ୍ୱାମେ କ୍ରୁମା ଆସିଲେ, ଲୁମୁମ୍ୱା ଓ ନାଇରେରେ ଆସିଲେ । ଆଫ୍ରିକା ଉପରେ ସାମ୍ରାଜ୍ୟବାଦର ଅନ୍ଧାରୀ ଯୁଗରେ ଯେଉଁ ଅମାନୁଷିକତାଗୁଡ଼ାକ ଶାସନ ହୋଇ ରହିଥିଲା, ଏମାନେ ତାହାର ପ୍ରତିବାଦ ସ୍ୱରୂପ ଆଫ୍ରିକାର ନୂଆ ଆକାଶରେ ଉଦିତ ହୋଇ ଆସିଲେ । ଅନ୍ଧାର ଭିତରେ ଏତେ ଶକ୍ତି ପ୍ରକୃତରେ ପ୍ରଚ୍ଛନ୍ନ ହୋଇ ରହିଥିଲା ବୋଲି ଇଉରୋପ ହୁଏତ କେବେ ବିଶ୍ୱାସ ହିଁ କରିନ ଥିଲା । ଇଉରୋପରୁ ଆସି ଆଫ୍ରିକାରେ ରାଜତ୍ୱ କରୁଥିବା କର୍ତ୍ତାମାନେ କାଳ କାଳ ଧରି ସେଠି କହିଆସୁଥିଲେ ଯେ କଳା ମଣିଷର ସଭ୍ୟତା ନାହିଁ, ଇତିହାସ ନାହିଁ, ଐତିହ୍ୟ ମଧ୍ୟ ନାହିଁ । ତା’ର ବୈଜ୍ଞାନିକ ବୁଦ୍ଧି ନାହିଁ କି ଆଧୁନିକ ପୃଥିବୀରେ ତାଳ ଦେଇ ଆଗକୁ ଯିବାର ଜୁ ନାହିଁ । ତେଣୁ ତାକୁ ଇଉରୋପକୁ ହିଁ ଅବଲମ୍ୱନ କରିବାକୁ ପଡ଼ିବ, ଇଉରୋପର ହିଁ ଅନୁକରଣ କରିବାକୁ ପଡ଼ିବ; କିନ୍ତୁ କଳା ସାହେବମାନେ ହିଁ କଳା ଆଫ୍ରିକାକୁ ରକ୍ଷା କରିପାରିବେ–ନୂଆ ଆଫ୍ରିକା ଏହି ଦାମ୍ଭିକତାର ଦୃଢ଼ ପ୍ରତିବାଦ କଲା, ସେହି ଯୁକ୍ତିଟିର ପ୍ରତ୍ୟାଖ୍ୟାନ କଲା ।

ଘାନାର କ୍ୱାମେ କ୍ରୁମା ସମସ୍ତଙ୍କୁ ଅବାକ୍‌ କଲାପରି କହିଲେ ଯେ ଆଫ୍ରିକାର ମଧ୍ୟ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ରହିଛି । ନୂତନ ଆଫ୍ରିକାକୁ ସେହି ବ୍ୟକ୍ତିତ୍ୱଟିର ଉପଲବ୍‌ଧ କରିବାକୁ ହେବ । ତା’ପରେ ଆଫ୍ରିକାର ଇତିହାସ ଖୋଜା ପଡ଼ିଲା, ଐତିହ୍ୟର ଅନୁସନ୍ଧାନ ହେଲା । ଆଫ୍ରିକା ଯେ ଅତୀତରେ କେତେ କେତେ ସଭ୍ୟତାର କ୍ରୀଡ଼ାସ୍ଥଳୀ ହୋଇ ରହିଥିଲା, ଗବେଷକମାନେ କ୍ରମେ ତାହାରି ଆବିଷ୍କାର କରିବାକୁ ଲାଗିଲେ ।

ଆଫ୍ରିକା ଏଣିକି ତା’ ନିଜ ଗୋଡ଼ରେ ଠିଆ ହେବ, ଅର୍ଥାତ୍‌ ତା’ର ନିଜ ସଂଘବଦ୍ଧତା ମଧ୍ୟରେ ହିଁ ସେ ତା’ର ଆପଣା ଶକ୍ତିଟିକୁ ଆବିଷ୍କାର କରିବ, ଆଫ୍ରିକା ତା’ର ବିବିଧ ସମସ୍ୟାଗୁଡ଼ିକର ସମାଧାନ ନିଜେ କରିବ, ସେ ନିଜେ ନିଜର ଭାଗ୍ୟ ଗଢ଼ିବ,–କାମ୍ପାଲାରେ ବସିଥିବା ସମ୍ମିଳନୀ ସମଗ୍ର ପୃଥିବୀ ସମକ୍ଷରେ ଏହିପରି ଏକ ଘୋଷଣାର ପ୍ରତୀକ ହୋଇ ରହିବ । ମହାଦେଶରେ ବିଭିନ୍ନ ପ୍ରଜାତି, ଧର୍ମ ଓ ସଂସ୍କୃତି ରହିଥିଲେ ମଧ୍ୟ ଆଫ୍ରିକା ଗୋଟିଏ ମହାଦେଶୀୟ ଏକକ ହିସାବରେ ଆଧୁନିକ ପୃଥିବୀରେ ଆପଣାର ଭୂମିକାଟିକୁ ଗ୍ରହଣ କରିବ । ସ୍ୱପ୍ରତିଷ୍ଠ ହେବ ଏବଂ ସ୍ୱଚାଳିତ ହେବ । କାମ୍ପାଲା ସମ୍ମିଳନୀ ମୁଖ୍ୟତଃ ସେଥିଲାଗି ଏକ ଆହ୍ୱାନ, ଏକ ପ୍ରଥମ ପ୍ରସ୍ତୁତି-।

ଆଫ୍ରିକା ହିଁ ଆଫ୍ରିକାର ଭାଗ୍ୟ ନିର୍ଦ୍ଧାରଣ କରୁ, ସମ୍ଭବତଃ ଏହାହିଁ ମିଳିତ ଜାତିସଂଘର ମଧ୍ୟ ମତ । ସେଥିଲାଗି କାମ୍ପାଲା ସମ୍ମିଳନୀର ଉଦ୍‌ଘାଟନ ଉତ୍ସବରେ ଜାତିସଂଘର ମହାସଚିବ ଶ୍ରୀଯୁକ୍ତ ୱାଲଡ଼ହାଇମ୍‌ ମଧ୍ୟ ସ୍ୱୟଂ ଉପସ୍ଥିତ ରହିଥିଲେ ଓ ସମ୍ମିଳନୀରେ ଭାଷଣ ଦେଇଥିଲେ । କାମ୍ପାଲା ସମ୍ମିଳନୀ ଆଫ୍ରିକାର ରାଜନୀତିରେ ଏକ ନୂତନ ଆରମ୍ଭ ଓ ନୂତନ ପଦକ୍ଷେପ ରୂପେ କାର୍ଯ୍ୟ କରିବ, ଆଫ୍ରିକାର ବିକାଶ ଏବଂ ବିବର୍ତ୍ତନରେ ସକଳ ପ୍ରକାର ବାହାର ହସ୍ତକ୍ଷେପକୁ ତାହା ବନ୍ଦ କରିବ, ଆମେ ସମସ୍ତେ ସର୍ବନିମ୍ନ ଏତିକି ଆଶା ନିଶ୍ଚୟ କରିପାରିବା । ଆପଣାର ଅସଲ ପରିଚୟଟି ଲାଭ କରିଆପଣାର ମୂଳଟିକୁ ଦୃଢ଼ କରିପାରିଲେ ଯାଇ ଆଫ୍ରିକା ପ୍ରକୃଷ୍ଟ ଭାବରେ ପୃଥିବୀର ରାଜନୀତିକ ବିବର୍ତ୍ତନରେ ମଧ୍ୟ ଯଥାର୍ଥ ସହଯୋଗ କରିପାରିବ ।

ତା ୦୫.୦୮.୧୯୭୫ ରିଖ

Image

 

ଆଫ୍ରିକାରେ ଦୁଇଟି ରାସ୍ତା ?

 

କାମ୍ପାଲା ସମ୍ମିଳନୀରେ ଆଫ୍ରିକାର ୪୬ଟି ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେଇଛନ୍ତି । ସମ୍ମିଳନୀ ବିଷୟରେ ଆସୁଥିବା ସମ୍ୱାଦରୁ ଯାହା ଜଣାପଡ଼ୁଛି, ସେଥିରେ ମହାଦେଶର ତିନୋଟି ଦେଶ ଯୋଗ ଦେଇନାହାନ୍ତି । ସେମାନେ ସମ୍ମିଳନୀକୁ ବୟକଟ୍‌ କରିଛନ୍ତି ବୋଲି କୁହାଯାଇଛି ।

 

ଏହି ତିନୋଟି ଦେଶ ହେଉଛନ୍ତି ବୋତ୍‌ସୁଆନା, ଜାମ୍ୱିଆ ଏବଂ ଟାଞ୍ଜାନିଆ । ଏମାନେ କାହିଁକି ସମ୍ମିଳନୀରେ ଯୋଗ ଦେଇନାହାନ୍ତି, ସେଥିଲାଗି ଏକାଧିକ କାରଣ ରହିଛି ବୋଲି ଅନୁମାନ କରାଯାଇପାରେ । ଭିନ୍ନ ଭିନ୍ନ କାରଣରୁ ଏମାନେ ସମ୍ମିଳନୀରେ ଯୋଗ ଦେଉନାହାନ୍ତି ବୋଲି ମଧ୍ୟ କୁହାଯାଇପାରେ । ବୋତ୍‌ସୁଆନା ଆଗରୁ ଇଂରେଜମାନଙ୍କର ଏକ ହସ୍ତମୁଦି ମାହାଲ ଥିଲା । କଳାମାନେ ଗୋରାଙ୍କଠାରୁ ଅଲଗା ହୋଇ ରହିବେ, ଆପଣାର ଅଲଗା ଶାସନ ଓ ମୁଲକ ଗଢ଼ିବେ, ଏହିଭଳି ଏକ ନୀତିରେ ଯେଉଁ ନିଗ୍ରୋମାନେ ସମ୍ମତ ହେଲେ, ସେହିମାନଙ୍କୁ ଠୁଳ କରିଦକ୍ଷିଣ ଆଫ୍ରିକାର ଅନ୍ୟାୟଭୂମିରେ ଦ୍ୱୀପ ପରି ଦୁଇଟା ରାଜ୍ୟ–ସ୍ୱାଜିଲାଣ୍ଡ ଓ ବୋତ୍‌ସୁଆନା–ଗଢ଼ି ଉଠିଲା । ନିଗ୍ରୋ ମୁକ୍ତି ଆନ୍ଦୋଳନର ନେତାମାନଙ୍କର ସମର୍ଥନ ଏହା ପଛରେ ଆଦୌ ନଥିଲା-। ସ୍ୱର୍ଗତ ନିଗ୍ରୋ ନେତା ଆଲବର୍ଟ ଲୁଥୁଲି ମଧ୍ୟ ଏହାର ବିରୋଧୀ ଥିଲେ ।

 

ତେଣୁ ଅନୁମାନ କରାଯାଇପାରେ ଯେ ଦକ୍ଷିଣ ଆଫ୍ରିକାର ଗୋରା ଶାସକମାନଙ୍କର ଭୟରେ ଓ ଚାପରେ ବୋତ୍‌ସୁଆନା କାମ୍ପାଲା ସମ୍ମିଳନୀକୁ ଆସିପାରିଲା ନାହିଁ । ଟାଞ୍ଜାନିଆ ଏବଂ ଜାମ୍ୱିଆ ହେଉଛନ୍ତି ଉଗାଣ୍ଡାର ପଡ଼ୋଶୀ ଦୁଇ ରାଜ୍ୟ । ଉଗାଣ୍ଡା ସହିତ ଏହି ଦୁଇ ରାଜ୍ୟର ଆଦୌ ଭଲ ସମ୍ପର୍କ ନାହିଁ । ଉଗାଣ୍ଡାର ପୂର୍ବତନ ରାଷ୍ଟ୍ରପତି ମିଲ୍‌ଟନ ଓବୋଟେ ଉଗାଣ୍ଡାର ବର୍ତ୍ତମାନର ଶାସକ ଇଦି ଅମିନଙ୍କ ଦ୍ୱାରା ବିତାଡ଼ିତ ଓ ଗାଦିଚ୍ୟୁତ ହୋଇ ଟାଞ୍ଜାନିଆରେ ଆଶ୍ରୟ ଗ୍ରହଣ କରିଛନ୍ତି । ଟାଞ୍ଜାନିଆ ଓ ଉଗାଣ୍ଡାର ସୀମାରେ ଏକାଧିକବାର ସାମୟିକ ଖଣ୍ଡଯୁଦ୍ଧ ଲାଗିଯାଇଛି । ଦୁଇ ପକ୍ଷର ସୈନ୍ୟବାହିନୀ ଅପର ପକ୍ଷରୁ ଆଶଙ୍କିତ ଆକ୍ରମଣର ସମ୍ମୁଖୀନ ହେବେ ବୋଲି ତିଆରି ହୋଇ ରହିଛି ଏବଂ ସେହି ଉଗାଣ୍ଡାର ରାଜଧାନୀ କାମ୍ପାଲାରେ ହିଁ ଆଫ୍ରିକାର ଶୀର୍ଷ ସମ୍ମିଳନୀ ବସିଥିଲାବେଳେ ଟାଞ୍ଜାନିଆ ଯେ ସେଥିରେ ଯୋଗ ଦେବାକୁ ସମ୍ମତ ହୋଇନାହିଁ, ସେକଥାଟି ବେଶ୍‌ ବୁଝିହେଉଛି ।

 

କେନେଥ୍‌ କାଉଣ୍ଡା ହେଉଛନ୍ତି ଜାମ୍ବିଆର ରାଷ୍ଟ୍ରମୁଖ୍ୟ । ତାଙ୍କ ରାଜ୍ୟରେ ଗୋରା ଓ କଳା ସମାନ ନାଗରିକ ଅଧିକାର ସହିତ ଏକତ୍ର ବାସ କରୁଛନ୍ତି । ଜାମ୍ୱିଆ ସ୍ୱାଧୀନ ହେବା ପୂର୍ବରୁ ସେଠାରେ ଗୋରାମାନେ ପୁରୁଷାନୁକ୍ରମେ କଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଆସିଥିଲେ ମଧ୍ୟ କାଉଣ୍ଡାଙ୍କର ନେତୃତ୍ୱରେ ପରିଚାଳିତ ସ୍ୱାଧୀନ ଜାମ୍ବିଆ ତା’ର ପ୍ରତିକ୍ରିୟା ସ୍ୱରୂପ ଗୋରାମାନଙ୍କ ଉପରେ କୌଣସି ପ୍ରତିଶୋଧ ନେଇନାହିଁ । ଭାରତବର୍ଷ ସେହି କାଉଣ୍ଡାକୁ ନେହରୁ ପୁରସ୍କାରରେ ପୁରସ୍କୃତ କରିଛି । କଳା-ଗୋରା ବର୍ଣ୍ଣ ସମସ୍ୟା ସମ୍ୱନ୍ଧରେ ଉଗାଣ୍ଡାର ଇଦି ଅମିନଙ୍କ ଦୃଷ୍ଟିକୋଣ ତାଙ୍କ ଦୃଷ୍ଟିକୋଣର ଏକାବେଳେକେ ବିରୋଧୀ । ଇଦି ଅମିନ ଆଫ୍ରିକାର ଥାଟକୁ ଏକତ୍ର କରିଦକ୍ଷିଣ ଆଫ୍ରିକା ଉପରେ ସାମରିକ ଆକ୍ରମଣ କରିବାକୁ ଚାହାନ୍ତି । ଅତୀତର ପ୍ରତିଶୋଧ ନେବାକୁ ଚାହାନ୍ତି ଏବଂ ଆପଣାର ସେହି ମସୁଧାଟି ଲାଗି ଆଫ୍ରିକାର ଅନ୍ୟ ଦେଶଗୁଡ଼ିକୁ ରାଜି କରିଆଣିବାକୁ ସେ କାମ୍ପାଲାଠାରେ ହିଁ ଶୀର୍ଷ ସମ୍ମିଳନୀ ଡକାଇଛନ୍ତି । ଏହି ମସୁଧା ଭିତରେ କାଉଣ୍ଡା କେଭେଁ ପଶିବେ ନାହିଁ । ଘୃଣା ଉପରେ ହିଁ ଗୋଟାଏ ମହାଦେଶର ରାଜନୀତି ଆପଣାର ଭାରସାମ୍ୟଟିକୁ ହରାଇବସୁ ବୋଲି ସେ କଦାପି ଇଚ୍ଛା କରିବେ ନାହିଁ । ଇଦି ଅମିନ ତାଙ୍କ ନିଜ ରାଜ୍ୟ ଉଗାଣ୍ଡାରେ ଉଗାଣ୍ଡାବାସୀ ଗୋରାଙ୍କ ବିଷୟରେ ଯେତେ ଯାହା ନୀତି ଅବଲମ୍ୱନ କରିଆସିଛନ୍ତି, ତାହା ମୂଳରୁ ଅଗଯାଏ କେବଳ ଘୃଣା ଦ୍ୱାରା ହିଁ ଜୁଆ ହୋଇରହିଛି ।

 

ଆଫ୍ରିକା ବିଷୟରେ କାଉଣ୍ଡାଙ୍କ ସ୍ୱପ୍ନ ଅଲଗା, ତାଙ୍କ ରାସ୍ତା ମଧ୍ୟ ଅଲଗା । ହୁଏତ ଟାଞ୍ଜାନିଆର ଜୁଲିଅସ ନାଇରେରେ ଏହି କ୍ଷେତ୍ରରେ କାଉଣ୍ଡାଙ୍କର ସବୁଠାରୁ ଅଧିକ ନିକଟବର୍ତ୍ତୀ ହୋଇ ରହିଛନ୍ତି । ଆଫ୍ରିକାର ଅଧିକ ସଂଖ୍ୟକ ଦେଶରେ ନିର୍ବାଚିତ ପ୍ରତିନିଧି ଶାସନର ବିତାଡ଼ନ ଘଟାଇ ଏକଚ୍ଛତ୍ରବାଦ ହିଁ ଆପଣାର ଆସ୍ଥାନ ଜମାଇଛି, ଜୁଲିଅସ୍‌ ନାଇରେରେ ଏକଚ୍ଛତ୍ର ଶାସକ ରୂପେ ଆପଣାକୁ ଅଧିଷ୍ଠିତ କରିବା ଲାଗି ଯାବତୀୟ ମଉକା ପାଇଥିଲେ ମଧ୍ୟ ତଥାପି ସେହି ରାସ୍ତାକୁ ଯାଇନାହାନ୍ତି । ସିଏ ଲୋକଶକ୍ତିକୁ ଅଧିକ ମଜବୁତ କରିବାଲାଗି ଚେଷ୍ଟା କରିଆସିଛନ୍ତି । ଲୋକଶିକ୍ଷା, ବିଜ୍ଞାନର ପ୍ରସାର ଏବଂ ରାଜ୍ୟର ଶାସନରେ ଅଧିକରୁ ଅଧିକ ଲୋକଙ୍କୁ ଏକ ସକ୍ରିୟ ଭାଗ ନେଇପାରିବା ଲାଗି ଅଧିକରୁ ଅଧିକ ସୁଯୋଗ ଦାନ,–ଏଇଗୁଡ଼ାକ ହିଁ ଟାଞ୍ଜାନିଆରେ ନାଇରେରେଙ୍କର ନୀତି ହୋଇ ରହିଛି । ଉଗାଣ୍ଡା ଓ ଟାଞ୍ଜାନିଆ ମଧ୍ୟରେ ରହିଥିବା ଶତ୍ରୁତା ପଛରେ ଏଇଟା ବି ଏକ କାରଣ ହୋଇ ରହିଥାଇପାରେ ।

 

ଆଫ୍ରିକା ଆଗରେ ଦୁଇଟି ରାସ୍ତା । କାମ୍ପାଲାରେ ନିଶ୍ଚୟ ଏହି ଦୁଇଟିଯାକର ବିଚାର ହେବ । ଦୁଇଟିଯାକର ପକ୍ଷ ଓ ବିପକ୍ଷରେ ମତମାନ ପ୍ରକାଶ ପାଇବ ଏବଂ ଅଶେଷ କୌତୂହଳ ସହିତ ବିହିଃସ୍ଥ ବୃହତ୍ତର ପୃଥିବୀ ତା’ର ସେହି ଦୁଇଟିଯାକ ଉତ୍ସାହକୁ ଲକ୍ଷ୍ୟ କରିଦେଖୁଥିବ ।

 

ତା ୦୭.୦୮.୧୯୭୫ ରିଖ

Image

 

Unknown

ହେଲସିଙ୍କିରେ କଜିଆ

 

ଇଉରୋପରେ ବିଭିନ୍ନ ଦେଶ ମଧ୍ୟରେ କେତେ କେତେ ପ୍ରକାରର ସମସ୍ୟା ଓ ଅତୁଟା ଅଡ଼ୁଆମାନ ରହିଥିଲା । ଏହି ସମସ୍ୟାଗୁଡ଼ିକୁ ଗଣ୍ଠି କରିକେତେ କ୍ଷେତ୍ରରେ ଗ୍ରୀସ୍‌ ଓ ତୁରସ୍କ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧଟା ପ୍ରାୟ ପ୍ରତ୍ୟକ୍ଷ ଶତ୍ରୁତାରେ ପରିଣତ ହୋଇଯାଇଥିଲା ଏବଂ କେବଳ ଗୋଟିଏ ଦୃଷ୍ଟାନ୍ତରେ ହିଁ ତାହା ପ୍ରତ୍ୟକ୍ଷ ସମରର ଆକାର ଧାରଣ କରିସାରିଥିଲା । ହେଲସିଙ୍କି ସମ୍ମିଳନୀର ଗୌରବ ଯେ ତାହା ବିବଦମାନ ଓ ଯୁଦ୍ଧରତ ଏହି ଦୁଇ ପକ୍ଷକୁ ଅନ୍ୟମାନଙ୍କ ସହିତ ଏକାଠି ଗୋଟିଏ ମଣ୍ଡଳୀରେ ନେଇ ବସାଇପାରିଲା ଏବଂ ସେମାନେ ଯେ ପୁରୁଣା ଘାଆଗୁଡ଼ାକୁ ନେଇ ସେଠାରେ ମଧ୍ୟ କଜିଆ କଲେ, ସେଥିରେ ମଧ୍ୟ ବିସ୍ମୟ ପ୍ରକାଶ କରିବାର ଆଦୌ କିଛି ନାହିଁ-

 

ସାଇପ୍ରସ୍‌ ଆଗେ ଇଂରେଜମାନଙ୍କ ଅଧୀନସ୍ଥ ଏକ ଉପନିବେଶ ଥିଲା । ଇଂରେଜ ନୌବାହିନୀର ସ୍ୱାର୍ଥ ଲାଗି ଦ୍ୱୀପଟିର ବନ୍ଦରଘାଟୀଗୁଡ଼ିକୁ ବ୍ୟବହାର କରିପାରିବା ଲାଗି କମଳାଲେମ୍ୱୁ ଓ ଖଜୁରୀଗଛର ଏହି ସୁନ୍ଦର ଦ୍ୱୀପଟିକୁ ଇଂଲଣ୍ଡ ନିଜ ହାତରେ ରଖିଥିଲା । ଦ୍ୱିତୀୟ ମହାଯୁଦ୍ଧରେ ସାଇପ୍ରସ୍ ସ୍ୱାଧୀନ ହେଲା, ମାତ୍ର ତା’ର ରାଜନୀତିକ ମନଟିକୁ ଔପନିବେଶିକ ଶାସନର ନାନା କୌଶଳ ଖଟାଇ ଦୁଇ ଭାଗ କରିଦିଆଯାଇଥିଲା । ଘରେ ନ ପଶୁଣୁ ହିଁ ସେଠାରେ ଗ୍ରୀକ୍‌ ଓ ତୁର୍କୀ ଭାଷାଭାଷୀ ଦୁଇଫାଙ୍କ ହୋଇଗଲେ ଓ ରାଜନୀତିକ ଲଢ଼ାଲଢ଼ି ଆରମ୍ଭ କରିଦେଲେ; ପ୍ରତ୍ୟେକ ପଟ ସେଠି ଆପଣାର ଜ୍ୟେଷ୍ଠଭାଗଟିକୁ ଦାବୀକରିବସିଲେ, ଆପଣାର ଦାବୀ ପୂରଣ ନ ହେଲେ ଯୁଦ୍ଧ ଲାଗିଯିବ ବୋଲି ଉଭୟ ପକ୍ଷରୁ ଧମକ ଆସିଲା । ତେଣୁ ଯୁଦ୍ଧ ହିଁ ଲାଗିଲା । ଅସ୍ତ୍ରଶସ୍ତ୍ରର ଅଭାବ ହେଲା ନାହିଁ । ଗ୍ରୀସ୍‌ ଦେଶରୁ ସାଇପ୍ରସ୍‌ର ଗ୍ରୀକ୍‌ମାନଙ୍କୁ ହେମତ୍‌ ମିଳିଲା ଏବଂ ତୁର୍କୀ ଦେଶରୁ ସାଇପ୍ରସ୍‌ର ତୁର୍କୀମାନଙ୍କୁ ହେମତ୍‌ ମିଳିଲା । ଏହି ହେମତ୍‌ ଦେବାକୁ ପୁଣି ଭାଷାପ୍ରୀତି ବୋଲି କୁହାଗଲା । ସାଂସ୍କୃତିକ ଏକତାରୁ (ଗ୍ରୀକ୍‌ ରାଜନୀତିକ ଭାଷାରେ ଏହାକୁ ଏନୋସିସ୍‌ ବୋଲି କୁହାଗଲା) ପ୍ରସୂତ ଏକ ସ୍ୱାଭାବିକ ଆକାଙ୍‌କ୍ଷା ବୋଲି କୁହାଗଲା । ପରୋକ୍ଷ ଓ ପ୍ରତ୍ୟକ୍ଷ, ସରକାରୀ ଓ ଅସରକାରୀ କେତେ ସାହସ ଓ ସାହାଯ୍ୟ ଆସି ପହଞ୍ଚିଲା । ଯେଉଁମାନେ ଏକାଠି ମିଶି ଆପଣାର ନୂଆ ଭୂଇଁଟିକୁ ଗଢ଼ିଥାନ୍ତେ, ସେମାନେ ଭାଷାକୁ ଆୟୁଧ କରିଯୁଦ୍ଧ ଆରମ୍ଭ କରିଦେଲେ ।

ତା’ପରେ କେତେବର୍ଷ ଲାଗି ସାଇପ୍ରସ୍‌ର ଘଟଣା ହେଉଛି ଏକ ଗୃହଯୁଦ୍ଧ ଓ ଗୃହଈର୍ଷାର ଘଟଣା । ବର୍ତ୍ତମାନ ତୁରସ୍କର ହେମତ୍‌ ପାଇ ସାଇପ୍ରସର୍ ତୁର୍କୀ ଲୋକମାନେ ଦ୍ୱୀପଟିର ଉତ୍ତର ଭାଗଟିକୁ ଦଖଲ କରିଯାଇଛନ୍ତି ଓ ସାଇପ୍ରସ୍‌ ଦୁଇଖଣ୍ଡ ହୋଇ ଦୁଇଟା ରାଷ୍ଟ୍ର ଦ୍ୱାରା ଶାସିତ ହେଉ ବୋଲି ଦାବୀ କରୁଛନ୍ତି । ଅର୍ଥାତ୍‌ ଏହି ମସୁଧା ଅନୁସାରେ ସାନ ଦ୍ୱୀପଟି ଆହୁରି ସାନ ସାନ ଦୁଇଖଣ୍ଡରେ ବିଭକ୍ତ ହେବ; ଉତ୍ତରରେ ତୁର୍କୀ ରହିବେ, ଦକ୍ଷିଣରେ ଗ୍ରୀକ୍‌ ରହିବେ ଏବଂ ତେବେଯାଇ କୁଆଡ଼େ ଶାନ୍ତି ଆସିବ । ମନ ଶାନ୍ତି ହେବ ।

ହେଲସିଙ୍କି ସମ୍ମିଳନୀକୁ ସାଇପ୍ରସ୍‌ର ସରକାରୀ ପ୍ରତିନିଧି ଭାବରେ ସମଗ୍ର ଦ୍ୱୀପର ରାଷ୍ଟ୍ରପତି ଆର୍ଚ୍ଚବିଶପ୍‌ ମାକାରିଅସ୍‌ ଆସି ଯୋଗ ଦେଇଥିଲେ । ସମ୍ମିଳନୀର ଜଣେ ବକ୍ତା ହିସାବରେ ଆପଣାର ବକ୍ତବ୍ୟ କହୁ କହୁ ସେ ଯେ କୋଉଠି ସାଇପ୍ରସ୍‌ର ପ୍ରସଙ୍ଗଟି ମଧ୍ୟ ପକାଇଥିବେ, ସେଥିରେ ବିଚିତ୍ର କଥା କାହିଁକି କ’ଣ ରହିବ ? ମାତ୍ର ସେଇଥିରେ ହିଁ ଏଡ଼େ ବଡ଼ ସମ୍ମିଳନୀରେ ଅଶୁଭ ପଶିଗଲା । ତୁରସ୍କର ସରକାରୀ ପ୍ରତିନିଧି ମଧ୍ୟ ସେହି ସମ୍ମିଳନୀରେ ତାଙ୍କ ସରକାରଙ୍କର ପ୍ରତିନିଧିତ୍ୱ କରିବାକୁ ଉପସ୍ଥିତ ରହିଥିଲେ । ସିଏ ପ୍ରତିବାଦ ଜଣାଇ ମଝିରେ ବାଧା ଦେଇ କହିଲେ ଯେ ସାଇପ୍ରସ୍‌ରେ ବାସକରୁଥିବା ତୁର୍କୀଭାଷୀ ଅଧିବାସୀଙ୍କର ପ୍ରତିନିଧିତ୍ୱ କରିକିଛି କହିବାକୁ ମାକାରିଅସ୍‌ଙ୍କର କୌଣସି ଅଧିକାର ନାହିଁ । ତେଣୁ ସିଏ ତାଙ୍କ ବକ୍ତବ୍ୟକୁ ଶୁଣିବା ଲାଗି ବି ପ୍ରସ୍ତୁତ ନୁହନ୍ତି । ଏତିକି କହି ସେ ସମ୍ମିଳନୀ କକ୍ଷରୁ ବାହାରକୁ ବାହାରିଯାଇଥିଲେ-

ଇଉରୋପର ଏହି ସମ୍ମିଳନୀ ଡକାଯାଇଥିଲା ଇଉରୋପରେ ଶାନ୍ତି, ସଦ୍‌ଭାବ ଏବଂ ସ୍ଥିରତାର ପ୍ରତିଷ୍ଠା ଲାଗି । ଇଉରୋପର ରାଷ୍ଟ୍ରଗତ ନାନା ଅସ୍ଥିରତା ଏବଂ ବୈମନସ୍ୟ ଲାଗି ରହିଥିବା ପର୍ଯ୍ୟନ୍ତ ଏହି ସ୍ଥିରତା କୁଆଡ଼ୁ ସମ୍ଭବ ହେବ ? ତେଣୁ ସ୍ଥାନୀୟ କ୍ଷେତ୍ରରେ ଦେଶ ଦେଶ ଅର୍ଥାତ୍‌ ଦ୍ୱୀପ ଦ୍ୱୀପ ମଧ୍ୟରେ ଯେଉଁସବୁ ସମସ୍ୟା ଓ ଅଛିଣ୍ଡା କଥା ରହିଛି, ଅନ୍ତତଃ ସେତିକି ସମୟ ଲାଗି ସଦସ୍ୟ ଦେଶମାନେ ସେଗୁଡ଼ାକୁ ପଛରେ ରଖିଦେଇ ସମ୍ମିଳନୀକୁ ଆସିପାରିଲେ ସିନା ସମଗ୍ର ମହାଦେଶର ଶାନ୍ତି ଓ ସ୍ଥିରତା ଲାଗି ଏକ ଯଥାର୍ଥ ଅବଦାନ ସମ୍ଭବ ହୋଇପାରନ୍ତା । ଏବଂ, ସେତିକି ହୋଇପାରୁନାହିଁ ବୋଲି ପୃଥିବୀ ଗୋଟିଏ ହୋଇ ମଧ୍ୟ ତଥାପି ଏପରି ଖଣ୍ଡ ଖଣ୍ଡ ହୋଇରହିଛି । ଇଉରୋପ ଗୋଟିଏ ମହାଦେଶ ହୋଇଥିଲେ ମଧ୍ୟ ଇଉରୋପ ତଥାପି କେତେ କାନ୍ଥ ଓ କେତେ ବାଡ଼ ହୋଇ ରହିଛି ଏବଂ ସବୁ ଦେଶରେ ମଣିଷ ନରଖର ହେଉଛି ।

ସାଇପ୍ରସ୍‌ର କଜିଆ ସାଇପ୍ରସ୍‌ରେ ତୁଟିବ । ତୁରସ୍କରେ ତୁଟିବ ନାହିଁ ଅଥବା ଗ୍ରୀସ୍‌ରେ ତୁଟିବ ନାହିଁ । ଏତିକି ସତ୍ୟକୁ ମାନିନେଲେ ତୁରସ୍କ ଓ ଗ୍ରୀସ୍‌ ଉଭୟ ସାଇପ୍ରସ୍‌କୁ ସବୁଠାରୁ ଅଧିକ ସାହାଯ୍ୟ କରିପାରିବ ।

ତା ୧୦-୦୮-୧୯୭୫ରିଖ

Image

 

ବୋମାର କେତୋଟି ବର୍ଷ

 

୧୯୪୬ ମସିହା ଅଗଷ୍ଟ ଛଅ ତାରିଖ ବଡ଼ିସକାଳୁ ଆମର ଏହି ଯୁଦ୍ଧରତ ଅସ୍ତବ୍ୟସ୍ତ ପୃଥିବୀରେ ଯେଉଁ ବଡ଼ କାଣ୍ଡଟି ଘଟିଥିଲା, ତାହାର ସ୍ମରଣ ଦିବସକୁ ସେହିଦିନୁ ହିରୋସିମା ଦିବସ ବୋଲି କୁହାହୋଇ ଆସୁଛି । ସେଇଦିନ ହିରୋସିମା ଓ ନାଗାସାକିରେ ଅଣୁବୋମା ପକାହେଲା; ବିଜ୍ଞାନର ଗବେଷଣାରେ ଗୋଟାଏ ନୂଆ ମହୁଡ଼ ଖୋଲିଗଲା, ମଣିଷର ସଂହାରକତାର ଇତିହାସରେ ଗୋଟାଏ ନୂଆ ଅଙ୍କ ଆରମ୍ଭ ହୋଇଗଲା ।

 

ଜର୍ମାନୀରେ ହିଟଲର କାଳେ ଆଣବିକ ବୋମା ବିଷୟରେ ଗବେଷଣା ଆରମ୍ଭକରି ଦେଇଥିବ ଏବଂ ତେଣୁ ଏହି ମରଣ-ଅସ୍ତ୍ରଟି କାଳେ ହିଟଲର ହାତରେ ପଡ଼ିଯିବ, ତାହାର ଏକ ପ୍ରତିବିଧାନରୂପେ ସେତେବେଳର କେତେଜଣ ବୈଜ୍ଞାନିକଙ୍କର ଚେତାବନୀ ମାନି ଆମେରିକା ସରକାର ଅଣୁବୋମା ଆଡ଼କୁ ମନ ବଳାଇଥିଲେ । ଖୋଦ୍‌ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍‌ ଏହି ଉତ୍ସାହୀ ବୈଜ୍ଞାନିକମାନଙ୍କ ଦଳରେ ନେତା ହୋଇ ଟ୍ରୁମାନଙ୍କ ପାଖକୁ ଯାଇଥିଲେ । ଯୁଦ୍ଧ ସରିବା ପରେ ଆପଣାର ଭୟାବହ ଭୁଲ କାର୍ଯ୍ୟଟିକୁ ବୁଝିପାରି ଆଇନ୍‌ଷ୍ଟାଇନ୍‌ ଗଭୀର ପଶ୍ଚାତ୍ତାପ କଲେ ସତ, ମାତ୍ର ଗଡ଼ିଯାଇଥିବା ଚକଟିକୁ ସେ ଆଉ ପଛକୁ ଫେରାଇ ଆଣିପାରିଲେ ନାହିଁ । ଯୁଦ୍ଧବିଜ୍ଞାନର ଇତିହାସରେ ଆଣବିକ ଅସ୍ତ୍ରର ଯୁଗ ଆରମ୍ଭ ହୋଇଗଲା । ଆମ ପୃଥିବୀର ବୃହତ୍ ଶକ୍ତିମାନେ ଏହି ଦିଗରେ ଆହୁରି ଗବେଷଣା ଆରମ୍ଭ କରିଦେଲେ । ଅଧିକରୁ ଅଧିକ ଶକ୍ତିଶାଳୀ ବୋମାଲାଗି ଅଧିକରୁ ଅଧିକ ଜୋଶ୍‌ର ସହିତ ଗବେଷଣା ଚାଲିଲା ।

 

ପ୍ରଥମେ ଦୁଇଟି ବୃହତ୍‌ ଶକ୍ତି ବଡ଼ ଜାକଜମକରେ ଏହି ବୋମାଶକ୍ତିର ଗବେଷଣା କଲେ । ଆମେରିକାରେ ଏହିଭଳି ଗବେଷକମାନଙ୍କୁ ହିଁ ସବୁଠାରୁ ଅଧିକ ପାରିଶ୍ରମିକ ଏବଂ ପାରିତୋଷିକ ଦିଆଗଲା । ତା’ପରେ ଇଂଲଣ୍ଡ ଓ ଫ୍ରାନ୍‌ସ ତାଲିକା ଭିତରକୁ ଆସିଲେ । ୧୯୬୩ ମସିହାରେ ଆମେରିକାର ରାଷ୍ଟ୍ରପତି କେନେଡ଼ିଙ୍କ ଉଦ୍ୟମରେ ବାୟୁମଣ୍ଡଳରେ ବୋମାର ପରୀକ୍ଷା ହୋଇପାରିବ ନାହିଁ ବୋଲି ଏକ ସମ୍ମିଳିତ ଚୁକ୍ତି ସ୍ୱାକ୍ଷରିତ ହେଲା । ତା’ପରେ ଆଇନ ମାନି ପାରୁଆ ଦେଶମାନେ କେବଳ ମାଟି ତଳେ ହିଁ ଅଣୁବୋମାର ପରୀକ୍ଷା କଲେ ଏବଂ ସେହି ପରୀକ୍ଷାଲବ୍‌ଧ ଜ୍ଞାନରୁ ଅଧିକରୁ ଅଧିକ ଟାଣୁଆ ବୋମାସବୁ ତିଆରି କଲେ । ବୋମା ରାଜ୍ୟରେ ନୂଆ ନୂଆ ଜାତି ଓ ନୂଆ ନୂଆ ପଂକ୍ତିର ଉଦ୍ଭାବନ ହେଲା ।

 

ରାଷ୍ଟ୍ରପତି କେନେଡ଼ି ସେତେବେଳେ ଏକଥା ମଧ୍ୟ କହିଥିଲେ ଯେ, ଅଣୁବୋମାର ଗବେଷଣା ଏବଂ ଉତ୍ପାଦନ କ୍ଷେତ୍ରରେ ଯଦି କୌଣସି ସମ୍ମିଳିତ କଟକଣା ବା ରାଜିନାମା ନ ହୁଏ, ତେବେ ଶତାବ୍ଦୀଟି ଶେଷ ହେବା ବେଳକୁ ପୃଥିବୀର ପ୍ରାୟ ୭୫ଟି ଦେଶ ଏହି ବୋମା ତିଆରି କାରବାର ବୈଜ୍ଞାନିକ ସୂତ୍ରଟି ପାଇଯାଇଥିବେ ଏବଂ ତା’ପରେ ପୃଥିବୀରେ ଆମ ସମସ୍ତଙ୍କର ଶେଷ ହେବାଲାଗି ମଧ୍ୟ ଆଉ କଦାପି ଅଧିକ ବିଳମ୍ୱ ଲାଗିବ ନାହିଁ । କେନେଡ଼ିଙ୍କର ତୁଣ୍ଡ ପରବର୍ତ୍ତୀ କାଳରେ ସତ ହେବାକୁ ଯାଉଥିଲା ପରି ମନେହେଉଛି ।

 

ଚୀନ ଦେଶ ଏହା ମଧ୍ୟରେ ଆଣୁବୋମାର ପରୀକ୍ଷା କରିସାରିଲାଣି, କେତେଟା ବୋମା ବି ତିଆରି କରିରଖିଲାଣି । ଆନ୍ତର୍ଜାତିକ ନିଷେଧ ଦ୍ୱାରା ବାଧ୍ୟ ହେଉନଥିଲେ ଜାପାନ ଓ ଜର୍ମାନୀ ମଧ୍ୟ ହୁଏତ ରାତି ପାହିବା ପୂର୍ବରୁ ବୋମା ତିଆରି କରିଦେଇପାରନ୍ତେ । ଏବେ ଏକ ସମ୍ବାଦରୁ ଅନୁମାନ କରାଯାଉଛି ଯେ ମଧ୍ୟପ୍ରାଚ୍ୟରେ ଉଭୟ ମିଶର ଏବଂ ଇସ୍ରାଏଲ ହାତରେ ମଧ୍ୟ ବୋମା ତିଆରି କରିବାର ବୈଜ୍ଞାନିକ ସୂତ୍ରଗୁଡ଼ାକ ଆସି ପହଞ୍ଚି ଗଲାଣି । ଇସ୍ରାଏଲ ପଛକୁ ହୁଏତ ଆହୁରି କିଏ ଆସିବ, ତା’ପଛକୁ ପୁଣି ଆଉ କିଏ ଆସିବ । ପୃଥିବୀଯାକ ସମସ୍ତେ ଅଣୁବୋମାର ଅଧିକାରୀ ହୋଇଯିବେ । ପୃଥିବୀରେ ବିଭିନ୍ନ ରାଷ୍ଟ୍ରଶକ୍ତି ପାଖରେ ଅଣୁବୋମା ରହିଲେ ସେମାନେ ପରସ୍ପର ହାତରେ ସମୂଳେ ଧ୍ୱଂସ ପାଇଯିବାର ଭୟଟା ଏତେବେଶୀ ରହିଥିବ ଯେ ସେହି ଭୟରେ ପୃଥିବୀରେ ଆଉ ଗୋଟିଏ ଯୁଦ୍ଧ ଲାଗିଯିବାର ଭୟ ଅନେକ ପରିମାଣରେ ହ୍ରାସ ପାଇଯିବ ବୋଲି କେତେବର୍ଷ ତଳେ କାର୍ଲ ୟାସ୍ପରସ୍‌ଙ୍କ ପରି ଦାର୍ଶନିକମାନେ ମଧ୍ୟ ଭାରି ଆଶାନ୍ୱିତ ହୋଇ କହୁଥିଲେ-। କିନ୍ତୁ ସେ ଆଶା ରହିଲା କେଉଁଠି ? ହିରୋସିମାରେ ତିରିଶିବର୍ଷ ତଳେ ଯେଉଁ ବୋମାଟି ପଡ଼ି ଏକ ଅଭୂତପୂର୍ବ ବିଭୀଷିକା ଘଟାଇଥିଲା, ଏବେ ତ ତାହାର ଦଶହଜାର ଗୁଣ ଅଧିକ ଶକ୍ତିସମ୍ପନ୍ନ ଉଦଯାନ ବୋମା ବି ତିଆରି ହୋଇସାରିଲାଣି ଏବଂ ବୋମାଶକ୍ତି ରାଜନୀତିର ବିଶ୍ୱକ୍ଷେତ୍ରରେ ସଦ୍ଭାବଶକ୍ତିର ନିୟନ୍ତ୍ରଣ କରିବାକୁ ବସିଲାଣି ।

 

ତଥାପି ହିରୋସିମା ଦିବସରେ ଆମେ ପୃଥିବୀ ସାରା ଶାନ୍ତି ଲାଗି ବହିଥିବା ଆମର ଅନ୍ତଃକାମନାଗୁଡ଼ାକୁ ଦୋହରେଇବାରେ ଲାଗିଛୁ । ଯେଉଁସବୁ ସରକାର ବୋମା ଲାଗି କୋଟି କୋଟି ଖର୍ଚ୍ଚ କରୁଛନ୍ତି, ସେହିମାନେ ହିଁ ସରକାରୀ ଭାବରେ ହିରୋସିମା ଦିବସର ପାଳନ କରୁଛନ୍ତି-। ବର୍ତ୍ତମାନ ସୁଦ୍ଧା ପୃଥିବୀର ୫ଗୋଟି ଦେଶ ପରମାଣୁ ଶକ୍ତିର ଅଧିକାରୀ ହୋଇସାରିଛନ୍ତି-। ଏମାନେ ହେଲେ ଆମେରିକା, ରୁଷିଆ, ଫ୍ରାନ୍‍ସ, ଇଂଲଣ୍ଡ, ଚୀନ୍‌ ଓ ଭାରତ । ଭାରତ ଗତବର୍ଷ ପ୍ରଥମ କରିପରମାଣୁ ବୋମା ବିସ୍ଫୋରଣ କଲା ଓ ପୃଥିବୀର ପରମାଣୁ ଶକ୍ତିର ଅଧିକାରୀ ୫ମ ରାଷ୍ଟ୍ର ରୂପେ ପରିଗଣିତ ହେଲା । ଏହି ଅବକାଶରେ ପୃଥିବୀର ଜନଗଣକୁ ଏକ ବାର୍ତ୍ତା ଦେଇ ଭାବା ଆଣବିକ ଶକ୍ତି କେନ୍ଦ୍ରର ଚେୟାରମ୍ୟାନ ତଥା ବିଶିଷ୍ଟ ଭାରତୀୟ ବୈଜ୍ଞାନିକ ଶ୍ରୀ ସେଠନା କହିଥିଲେ ଯେ, ଭାରତ ପରମାଣୁ ଶକ୍ତିର ବିନିଯୋଗ ଦ୍ୱାରା କୃଷି ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ବିପୁଳ ପରିବର୍ତ୍ତନ ଆଣିବାକୁ ପ୍ରଚେଷ୍ଟା କରିଚାଲିବ ।

 

ପ୍ରଧାନମନ୍ତ୍ରୀ ଶ୍ରୀମତି ଗାନ୍ଧୀ ମଧ୍ୟ ସ୍ପଷ୍ଟଭାବରେ ଘୋଷଣା କରିଥିଲେ ଯେ, ଯୁଦ୍ଧକ୍ଷେତ୍ରରେ ପରମାଣୁ ବୋମାର ଉପଯୋଗ ନକରିକୃଷିର ବିକାଶ ଓ ମାନବସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ତାହା ପ୍ରୟୋଗ କରାଗଲେ ମାନବଜାତିର ଅଶେଷ ମଙ୍ଗଳ ସାଧିତ ହୋଇପାରିବ ।

 

ବାସ୍ତବିକ ଭାରତର ଏହି ଆଦର୍ଶ ପୃଥିବୀର ପରମାଣୁ ବୋମାଧିକାରୀ ଶକ୍ତି ମାନଙ୍କର ଆଦର୍ଶରେ ପରିଣତ ହେଲେ ବିଶ୍ୱବାସୀଙ୍କର ଅଶେଷ ମଙ୍ଗଳ ସାଧିତ ହୋଇପାରିବ ।

 

ତା ୧୧-୦୮-୧୯୭୫ରିଖ

Image

 

ଭାଙ୍ଗି ଦିଆଯିବ ?

 

ସିଆଟୋ ସଂଗଠନକୁ କୁଆଡ଼େ ଭାଙ୍ଗି ଦିଆଯିବ । ସିଆଟୋ ହେଉଛି ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ । ଏହି ସଂଗଠନଟିକୁ ଗଢ଼ାଯିବାର ପ୍ରାୟ କୋଡ଼ିଏବର୍ଷ ପରେ ସଂଗଠନଟିକୁ ଭାଙ୍ଗି ଦିଆଯିବ । ମାତ୍ର ଏହି ସଂଗଠନଟି ସର୍ବାଦୌ ଗଢ଼ା ହୋଇଥିଲା ବା କାହିଁକି ?

 

ଦକ୍ଷିଣପୂର୍ବ ଏସିଆର ଚୁକ୍ତି ସଂଗଠନ ନାମରେ ଯେଉଁ ଦେଶ ବା ସରକାରଗୁଡ଼ିକ ଏଥିରେ ସଦସ୍ୟରାଷ୍ଟ୍ର ହୋଇ ରହିଥିଲେ, ସେମାନେ ହେଉଛନ୍ତି ଅଷ୍ଟ୍ରେଲିଆ, ଇଂଲଣ୍ଡ, ଫ୍ରାନ୍‍ସ, ଫିଲିପାଇନ୍‍ସ, ନିଉଜିଲାଣ୍ଡ ଏବଂ ଯୁକ୍ତରାଜ୍ୟ ଆମେରିକା । ବଡ଼ ବିଚିତ୍ର କଥା ଯେ ଏହିସବୁ ଦେଶ ମଧ୍ୟରୁ କେବଳ ଥାଇଲାଣ୍ଡକୁ ଛାଡ଼ିଦେଲେ ଆଉ କୌଣସି ଦେଶ ଦକ୍ଷିଣପୂର୍ବ ଏସିଆର ଅଞ୍ଚଳ ଭିତରେ ଅବସ୍ଥିତ ନୁହନ୍ତି । ଏହି ବିଷୟରେ ଆହୁରି ବିଚିତ୍ର କଥା ହେଉଛି ଯେ କେବଳ ଯୁକ୍ତରାଜ୍ୟ ଆମେରିକାର ବଳ, ସମ୍ବଳ ଓ ପ୍ରରୋଚନାରେ ହିଁ ଏହି ଚୁକ୍ତି ସଂଗଠନଟି ସେତେବେଳେ ଗଢ଼ା ହୋଇଥିଲା । ସେତେବେଳେ ଆମେରିକାର ନୀତି ହିଁ ଏହି ସବୁ ଚୁକ୍ତି ସଂଗଠନ ଗଢ଼ି ଆପଣାର ରାଜନୀତିକ ତଥା ସାମରିକ ପ୍ରଭାବକୁ ପୃଥିବୀ ସାରା ବିଛାଇଦେବାର ସପକ୍ଷରେ ରହିଥିଲେ । ଏହି ପ୍ରର୍ଯ୍ୟାୟରେ ନାଟୋ ସଂଗଠନର ଜନ୍ମ ହୋଇଥିଲା, ସେଣ୍ଟୋର ମଧ୍ୟ ଜନ୍ମ ହୋଇଥିଲା ଏବଂ ଏସବୁ ସମ୍ପୃକ୍ତ କୌଣସି ଅଞ୍ଚଳରେ ଯୁକ୍ତରାଜ୍ୟ ଆମେରିକା ଅବସ୍ଥିତ ନଥିଲେ ମଧ୍ୟ ସେହି ଗୋଟିଏ ଦେଶ ହିଁ ପ୍ରାୟ ଏକତରଫା ଭାବରେ ଆପଣାର ଉଦ୍‌ବୃତ୍ତ ସାମରିକ ସମ୍ୱଳକୁ ଲଗାଇ ଏହିସବୁ ସଂଗଠନର ନିର୍ମାଣ କରିଥିଲା ।

 

ପ୍ରକୃତ କଥା ହେଉଛି ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ଏପରି ଦୁଇଟି ଦେଶ ଯେଉଁମାଙ୍କର କି ଆଦୌ କୌଣସି ପ୍ରକାର ସାମରିକ ନିରାପତ୍ତା ବା ସୁରକ୍ଷା ବିଷୟରେ ଚିନ୍ତା କରିବାର ପ୍ରୟୋଜନ ନାହିଁ । କେବଳ ଭୌଗୋଳିକ ଦୃଷ୍ଟିରୁ ବିଚାର କରିଦେଖିଲେ ମଧ୍ୟ ଏହି ଦୁଇଟି ଦ୍ୱୀପ ଆମ ପୃଥିବୀର ଯାବତୀୟ ଜଞ୍ଜାଳରୁ ଏପରି ଦୂରଛଡ଼ା ହୋଇ ରହିଛନ୍ତି ଯେ ଏମାନଙ୍କୁ ହୁଏତ କୌଣସି ପ୍ରକାର ବହିରାକ୍ରମଣର ସମ୍ମୁଖୀନ ହେବାକୁ ହିଁ ପଡ଼ିବ ନାହିଁ । ଆର୍ଥିକ ଦୃଷ୍ଟିରୁ ଦେଖିଲେ ଏମାନେ ହେଉଛନ୍ତି ଗୋଟିଏ ଗୋଟିଏ ସ୍ୱୟଂସମ୍ପୂର୍ଣ୍ଣ ଦେଶ, ଅଳପ ମଣିଷ ଏବଂ ବହୁତ ଧନର ଦେଶ । ତେଣୁ ତିଷ୍ଠି ରହିବା ଲାଗି ଏମାନେ କେବେହେଲେ କୌଣସି ଡଲାର ବା ପାଉଣ୍ଡର ଅଭାବକୁ ଅନୁଭବ ହିଁ କରିନଥାନ୍ତି ।

ଇଂଲଣ୍ଡ ଓ ଫ୍ରାନସ ଦକ୍ଷିଣପୂର୍ବ ଏସିଆର ଦେଶ ନୁହନ୍ତି । ହଁ, ବିଗତ ଦୁଇଶହବର୍ଷ ଯାବତ ଏହି ଅଞ୍ଚଳରେ ଏମାନଙ୍କର ସାମ୍ରାଜ୍ୟ ଓ ଉପନିବେଶମାନ ଅବଶ୍ୟ ରହିଥିଲା । ଉପନିବେଶଗୁଡ଼ିକ ସ୍ୱାଧୀନ ହେବା ପରେ ପୂର୍ବରୁ ଏଠି ମାଲିକ ହୋଇ ରହିଆସିଥିବା ଦୁଇଟି ଦେଶ ହିସାବରେ ତଥାପି ଆପଣାର ରାଜନୀତିକ ତଥା ବାଣିଜ୍ୟିକ ସ୍ୱାର୍ଥ ଓ ମର୍ଯ୍ୟାଦାଗୁଡ଼ିକୁ ରଖିବା ଲାଗି ଏମାନଙ୍କର ଏପାଖରେ ରହିବାର ତଥାପି କେତେକ ପ୍ରୟୋଜନ ଥାଇପାରେ । ଏବଂ ତା’ପରେ ସଦସ୍ୟ ହିସାବରେ ଥାଇଲାଣ୍ଡ ଏବଂ ଫିଲିପାଇନସ୍‌ ଯେଉଁ ଦୁଇଟି ଦେଶ ରହିଲେ, ଗତ ଦୁଇଟି ଦଶକ ହେଲା ସେମାନଙ୍କର ପ୍ରାୟ କୌଣସି ସ୍ୱତନ୍ତ୍ର ପରରାଷ୍ଟ୍ରନୀତି ନଥିଲା । ସେମାନେ ଏହି ବ୍ୟାପାରଟିରେ ଯୁକ୍ତରାଜ୍ୟ ଆମେରିକାର ହିଁ ବୋଲ ମାନୁଥିଲେ ଓ ତଦ୍ଦ୍ୱାରା ନାନାପ୍ରକାରେ ବାଧ୍ୟ ତଥା ଉପକୃତ ମଧ୍ୟ ହେଉଥିଲେ । ତେଣୁ ସ୍ୱୀକାର କରିବାକୁ ପଡ଼ିବ ଯେ ଏକା ଆମେରିକା ହିଁ ପ୍ରାୟ ଏକତରଫା ଉଦ୍ୟମ ଦ୍ୱାରା ଏହି ଦେଶଗୁଡ଼ିକୁ ଏକାଠି ଗୁନ୍ଥି ଚୁକ୍ତି ସଂଗଠନଟିଏ ଗଠନ କରିଥିଲା ଏବଂ ନ୍ୟାୟତଃ ସଂଗଠନର ସକଳ ହାନିଲାଭ ତୁଲାଉଥିଲା ।

ଏବଂ ଦକ୍ଷିଣ ପୂର୍ବ ଏସିଆର ଅସଲ ଅଞ୍ଚଳଟିରେ ଯୁଦ୍ଧ ଲାଗିଥିଲା । ବିଶ୍ୱ ରାଜନୀତିର ଭ୍ରାନ୍ତିକାରୀ ବୋଲିରେ ତାହାକୁ ଏକ ଗୃହଯୁଦ୍ଧ ବୋଲି କୁହାଯାଉଥିଲା ସତ, ମାତ୍ର ସେଠାରେ ଗୋଟାଏ ପାଖରେ ଜନଗଣଙ୍କ ସହିତ, ଅନ୍ୟ ପାଖରେ ଆମେରିକାର ଯୁଦ୍ଧ ଲାଗିଥିଲା । ଆଦର୍ଶ ଲାଗି ଯୁଦ୍ଧ କରୁଥିବାର ଦ୍ୱାହି ଦେଇ ଆମେରିକାର ସରକାର ଏହି ଅଞ୍ଚଳଟିରେ ଏକ କୂଟନୈତିକ ଅଡ଼ୁଆର ଫାଶ ବସାଇ ତାହାରି ଭିତରେ ଆପେ ଛନ୍ଦି ହୋଇଯାଇଥିଲେ । ଆପଣାର ଏହି ଜଞ୍ଜାଳରେ ଦରକାର ହେଲେ ଭାଗୀ କରାଇବା ଲାଗି ସମ୍ଭବତଃ କେତୋଟି ରାଷ୍ଟ୍ରକୁ ସାଙ୍ଗରେ ବାନ୍ଧି ରଖିବାକୁ ହିଁ ଆମେରିକା ସରକାର ଦୂରଦୂରାନ୍ତ ଅଞ୍ଚଳରୁ ବନ୍ଧୁ ଗୋଟାଇ ଏକାଠି କରିଥିଲେ ଓ ତାହାକୁ ସିଆଟୋ ବୋଲି ନାମ ଦେଇଥିଲେ ।

ଇଣ୍ଡୋଚାଇନାରେ ଆମେରିକା ସରକାର ଆପଣାର ଭ୍ରମଟିକୁ ବୁଝି ସାରିବା ପରେ ସେଥିରୁ କ୍ରମଶଃ ଅପସରିଗଲେ ଏବଂ ତା’ପରେ ଯୁଦ୍ଧର ଆୟୋଜିତ ମଞ୍ଚାଟା ମଧ୍ୟ ଭାଙ୍ଗିପଡ଼ିବାକୁ ଆଉ ମୋଟେ ବେଶି ଦିନ ଲାଗିଲା ନାହିଁ । ଭିଏତ୍‌ନାମ, କାମ୍ବୋଡ଼ିଆ ଏବଂ ଲାଓସ୍‌ରେ ଇତିହାସର ସତ୍ୟଗୁଡ଼ାକ ଆପଣାକୁ ପରିପୂର୍ଣ୍ଣ କଲା । ଆମେରିକା, ଇଂଲଣ୍ଡ ଓ ଫ୍ରାନ୍‍ସ ଯେଝା ଯେଝା ଘରକୁ ଲେଉଟିଗଲେ । ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ବି ବେଳ ବୁଡ଼ିଲାରୁ ଆପଣା ଆପଣାର ବାଟ ଦେଖିଲେ । ମାତ୍ର ଦକ୍ଷିଣପୂର୍ବ ଏସିଆର ଅଞ୍ଚଳଟି ସହିତ ସଂପୃକ୍ତ ଥାଇଲାଣ୍ଡ ଓ ଫିଲିପାଇନସ୍‌ ବଡ଼ ଅସୁବିଧାରେ ପଡ଼ିଗଲେ ।

 

ନିଉଜିଲାଣ୍ଡ, ଅଷ୍ଟ୍ରେଲିଆର ଏକ ସରକାରୀ ଗସ୍ତରେ ବାହାରିବାର ଅବ୍ୟବହିତ ପୂର୍ବରୁ ଥାଇଲାଣ୍ଡର ବୈଦେଶିକ ବ୍ୟାପାର ମନ୍ତ୍ରୀ ବିବୃତ୍ତି ଦେଇ କହିଛନ୍ତି ଯେ ସିଆଟୋ ସଂଗଠନ ଭାଙ୍ଗିଯିବା ସମ୍ପର୍କରେ ସେ ସେଠାରେ ଉଭୟ ଦେଶର ନେତାଙ୍କ ସହିତ କଥାବାର୍ତ୍ତା କରିବେ । ଗୋଟାଏ ଅନାବଶ୍ୟକ ଅଡ଼ୁଆର ସମାଧାନ ବାହାର କରିବେ । ଯାହାର ସମୟ ଗଲାଣି, ତାହାକୁ ବିଦାୟ ଦେବା ହିଁ ଯେ ସ୍ୱାଭାବିକ ରାଜନୀତି, ଏକଥା ସମସ୍ତେ ସ୍ୱୀକାର କରିବେ ।

 

ତା ୧୨.୦୮.୧୯୭୫ ରିଖ

Image

 

ଅନାବଶ୍ୟକ ବାସନ୍ଦ

 

ଆମେରିକା ଏକତା-ସଂଗଠନ ଏବେ ଆପଣାର ଏକ ବୈଠକରେ ଗତ ପ୍ରାୟ ଏଗାରବର୍ଷ ହେଲା କ୍ୟୁବା ଉପରେ ଲାଗୁ କରାହୋଇଥିବା ବାଣିଜ୍ୟ ବ୍ୟାପାରର କଟକଣାକୁ ଉଠାଇ ଦେବାକୁ ସ୍ଥିର କରିଛି । ଏହି ନିଷ୍ପତ୍ତି ଅନୁସାରେ କ୍ୟୁବା ସହିତ ବାଣିଜ୍ୟ ସମ୍ପର୍କ ରଖିବା କ୍ଷେତ୍ରରେ କୌଣସି ସଭ୍ୟ ରାଷ୍ଟ୍ର ପାଇଁ ଆଦୌ କୌଣସି ବନ୍ଧନ ବା କଟକଣା ରହିବ ନାହିଁ । ଅର୍ଥାତ୍‌ ଯେଉଁ ରାଷ୍ଟ୍ର କ୍ୟୁବା ସହିତ ବାଣିଜ୍ୟ କାରବାର କରିବାକୁ ଇଚ୍ଛା କରିବ, ସିଏ ଏଣିକି ତାହା କରିପାରିବ ଏବଂ ଯେଉଁ ରାଷ୍ଟ୍ର ଇଚ୍ଛା ନ କରିବ, ତାକୁ ମଧ୍ୟ ତା’ର ଇଚ୍ଛା ବିରୁଦ୍ଧରେ କେହି ବାଧ୍ୟ କରିପାରିବେ ନାହିଁ ।

 

କ୍ୟୁବାକୁ ବାସନ୍ଦ କରିରଖିବା ଯେ ଲାଟିନ୍‌ ଆମେରିକାର ପ୍ରତ୍ୟେକ ଦେଶର ପ୍ରକୃତ ଇଚ୍ଛା ଥିଲା, ସେକଥା ଆଦୌ ନୁହେଁ । ବରଂ କୁହାଯାଇପାରେ ଯେ ଗତ ଅନେକ ବର୍ଷ ହେଲା ତାହା ଯୁକ୍ତରାଷ୍ଟ୍ର ଆମେରିକାର ହିଁ ପରୋକ୍ଷ ଇଚ୍ଛା ଥିଲା ଏବଂ ତାହା ଆମେରିକାର କ୍ୟୁବା ନୀତିରେ ସ୍ପଷ୍ଟ ପ୍ରକଟ ହୋଇଯାଉଥିଲା । କାରଣ ହେଉଛି, ଅନେକ ଅଳ୍ପ କ୍ଷମତାଶାଳୀ ଓ ଅନୁନ୍ନତ ରାଷ୍ଟ୍ରଙ୍କ ଭିତରେ ଯେତେବେଳେ ଗୋଟିଏ ରାଷ୍ଟ୍ର ଅତିରିକ୍ତ କ୍ଷମତାଶାଳୀ ଏବଂ ଅତି ଉନ୍ନତ ହୋଇ ରହିଥାଏ, ସେତେବେଳେ ଅନୁନ୍ନତ ରାଷ୍ଟ୍ରଗୁଡ଼ିକ ଉନ୍ନତ ରାଷ୍ଟ୍ରଟିର ସ୍ୱାର୍ଥଗୁଡ଼ିକୁ ଆଗ ଜଗିକରିଚଳନ୍ତୁ ବୋଲି ଉନ୍ନତ ରାଷ୍ଟ୍ରଟି ବଡ଼ ସ୍ୱାଭାବିକ ଭାବରେ ଆଶା କରିଥାଏ । ଗତ ପ୍ରାୟ ଏକ ଶତାବ୍ଦୀଧରି ଲାଟିନ୍‌ ଆମେରିକାର ଅର୍ଥନୀତି ଓ ରାଜନୀତି ପ୍ରାୟ ଏହି ଆଶା ବା ପ୍ରତ୍ୟାଶାଟି ଦ୍ୱାରା ନିର୍ଦ୍ଧାରିତ ହେଉଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଥିକ ସ୍ୱାର୍ଥରକ୍ଷା ଲାଗି ହିଁ କ୍ୟୁବାରେ ଖାଦ୍ୟଶସ୍ୟର ଚାଷ ନ ହୋଇ ଧୂଆଁପତ୍ର ଓ ଆଖୁଚାଷ ହେଉଥିଲା । କ୍ୟୁବା ପ୍ରଥମେ ଏଥିରେ ସାହସ କରିଅମଙ୍ଗ ହେଲା ଏବଂ ଏହି କାରଣରୁ କ୍ୟୁବାରେ ଫିଡ଼େଲ୍‌ କାଷ୍ଟ୍ରୋ ଆମେରିକାର ଚକ୍ଷୁଶୂଳ ହେଲେ । ସନ୍ଦେହ ବଢ଼ିଲା, ପ୍ରତିଶୋଧ ନେବାର ଇଚ୍ଛା ମଧ୍ୟ ଅଧିକ ତୀବ୍ର ହେବାକୁ ଲାଗିଲା । କେନେଡ଼ିଙ୍କ ସମେତ ଆମେରିକାର ସବୁଯାକ ରାଷ୍ଟ୍ରପତି ଏହି ପୁରୁଣା ଅନୀତିଟାକୁ ହିଁ ନୀତି କରିବଜାୟ ରଖିଲେ । ଏହି ଉତ୍ସାହ ଅନେକ ଗୁଣ ହୋଇ ଆମେରିକାର କୌଶଳ ଏବଂ ଉଦ୍ୟମରେ ଆମେରିକା ଏକତା ସଂଗଠନର ରୂପ ଧାରଣ କଲା ଏବଂ ତାହାକୁ ପ୍ରଧାନତଃ କ୍ୟୁବା ବିରୁଦ୍ଧରେ ହିଁ ଏକ ଐକ୍ୟବଦ୍ଧ ସଂଗଠନରୂପେ ବ୍ୟବହାର କରାଗଲା । ଲାଟିନ୍‌ ଆମେରିକାର ଦେଶଗୁଡ଼ିକ ଆମେରିକାରୁ ଅର୍ଥସାହାଯ୍ୟ ପାଇଲେ ଓ ତେଣେ କ୍ୟୁବାକୁ ବାସନ୍ଦ କରିରଖିବାପାଇଁ ଆମେରିକାର ମସୁଧାରେ ହଁ ଭରିଲେ । ଲାଟିନ୍‌ ଆମେରିକାର ଏକ ଅଙ୍ଗୀଭୂତ ଅଂଶ ହୋଇ ମଧ୍ୟ କ୍ୟୁବା ଲାଟିନ୍‌ ଆମେରିକାର ଦେଶଗୁଡ଼ିକ ଦ୍ୱାରା ବାସନ୍ଦ ହୋଇ ରହିଲା ।

 

ଏହି ବାସନ୍ଦ କାଗଜପତ୍ରରେ ରହିଲା; ପ୍ରାୟ ଏକ ରାଜନୀତିକ ଜିଦ୍‌ ହୋଇ ରହିଲା ସତ, ମାତ୍ର ବାସ୍ତବ କ୍ଷେତ୍ରରେ କ୍ରମେ ତାହା ଅକାମୀ ହୋଇପଡ଼ିଲା । ପ୍ରଥମେ ଆମେରିକାର ଅଜ୍ଞାତସାରରେ ଏବଂ ତା’ପରେ ତା’ର ପ୍ରତିକ୍ରିୟାହୀନ ଜ୍ଞାତସାରରେ ଲାଟିନ୍ ଆମେରିକାର ଏକାଧିକ ଦେଶ କ୍ୟୁବା ସହିତ ବାଣିଜ୍ୟ ସମ୍ୱନ୍ଧ ସ୍ଥାପନ କରିବାକୁ ଆରମ୍ଭ କଲେ । ଲାଟିନ୍ ଆମେରିକାର ବାହାରେ ଥିବା ଆମେରିକାର ଆହୁରି କେତେକ ମିତ୍ରଦେଶ ମଧ୍ୟ କ୍ୟୁବା ସହିତ ବାଣିଜ୍ୟ କାରବାର କଲେ । ମାତ୍ର ପ୍ରେସିଡ଼େଣ୍ଟ ନିକ୍‌ସନ ଗାଦିରେ ରହିଥିବା ପର୍ଯ୍ୟନ୍ତ ସେହି ପୁରୁଣା ଜିଦ୍‌ରେ ହିଁ କାମ ନିଆଗଲା ଓ କ୍ୟୁବାକୁ କାଗଜପତ୍ରରେ ବାସନ୍ଦ କରିରଖାଗଲା । ନିକ୍‌ ସନ ଗଲା ପରେ ଏହି କ୍ଷେତ୍ରରେ କ୍ରମେ ବରଫ ତରଳିଲା, ଅନମନୀୟ ନମନୀୟ ହୋଇଆସିଲା ଏବଂ ଶେଷକୁ ଆମେରିକା ଲାଟିନ୍‌ ଆମେରିକାର ଅନ୍ୟ ଦେଶମାନଙ୍କୁ କ୍ୟୁବା ସହିତ ବାଣିଜ୍ୟବେପାର କରିବା ବିଷୟରେ ସ୍ୱତନ୍ତ୍ର ନୀତିମାନ ଅବଲମ୍ବନ କରିବାକୁ ଛାଡ଼ିଦେଲା ।

 

ଗତ ତିରିଶି ବର୍ଷର ବୈଦେଶିକ ନୀତିରେ ଆମେରିକା ଯେଉଁ ତିନୋଟି କ୍ଷେତ୍ରରେ ସବୁଠାରୁ ଅଧିକ ଧୋକା ସହିଛି, ସେଥିରୁ କ୍ୟୁବା ହେଉଛି ଗୋଟିଏ । ଅନ୍ୟ ଦୁଇଟି ହେଉଛନ୍ତି କମ୍ୟୁନିଷ୍ଟ ଚାଇନା ଏବଂ ଭିଏତନାମ । ଏହି ଭ୍ରାନ୍ତ ନୀତି ତଥା ରାଜନୀତିକ ଜିଦ୍‌ ଦ୍ୱାରା କେବଳ ଯେ ଆମେରିକାକୁ ଅନେକ ବିଫଳତା ସହିବାକୁ ପଡ଼ିଛି ତା’ ନୁହେଁ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଭିନ୍ନ ମହାଦେଶର ସ୍ୱାଭାବିକ ବିବର୍ତ୍ତନରେ ମଧ୍ୟ ଅନେକ ବାଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଏଗୁଡ଼ାକ ଏହି ଆଧୁନିକ ପୃଥିବୀରେ ଆମ ସମସ୍ତଙ୍କର ଦୁର୍ଭାଗ୍ୟ ।

 

କ୍ୟୁବା ଉପରୁ ବାସନ୍ଦ ଉଠାଇବାରେ ଆମେରିକା ଏଥର କୌଣସି ଆପତ୍ତି କଲାନାହିଁ ବା ପ୍ରତିବନ୍ଧକ ସୃଷ୍ଟି କଲା ନାହିଁ, ଏହା ଏକ ସୁସମ୍ବାଦ । ଆମେରିକା ହୁଏତ ପରିସ୍ଥିତିର ଚାପ ଦ୍ୱାରା ବାଧ୍ୟ ହୋଇ ଏପରି କଲା, ନିଜର ଦମ୍ଭ ପରିତ୍ୟାଗ କରିସାନମାନଙ୍କୁ ଓ ଅନ୍ୟମାନଙ୍କୁ ବାଟ ଛାଡ଼ିଦେଲା । ପୃଥିବୀର ବୃହତ୍‌ ଶକ୍ତିମାନେ ଯେପର୍ଯ୍ୟନ୍ତ କେବଳ ବାଧ୍ୟ ହେଲାପରେ ଯାଇ ଅନ୍ୟମାନଙ୍କୁ ବାଟ ଛାଡ଼ୁଥିବେ, ସେପର୍ଯ୍ୟନ୍ତ ପୃଥିବୀର ରାଜନୀତି ଅତ୍ୟନ୍ତ ଅନାବଶ୍ୟକ ଭାବରେ ନାନା ନକାରାତ୍ମକତାର ଗ୍ରାସ ଭିତରେ ପଡ଼ିରହିଥିବ । ସେମାନେ ଆପଣାକୁ ଏଇ ପୃଥିବୀର ଏକ ଅଂଶ ବୋଲି ବିଚାରିଲେ ଯାଇ ବିଶ୍ୱ-ରାଜନୀତିର ସ୍ତର ବଦଳିବ ।

 

ତା ୧୩.୦୮.୧୯୭୫ ରିଖ

Image

 

ବଡ଼ ଯୁଦ୍ଧ, ସାନ ଯୁଦ୍ଧ

 

ହେଲସିଙ୍କିଠାରେ ବସିଥିବା ଇଉରୋପୀୟ ଏକତା ଓ ନିରାପତ୍ତା ସମ୍ମିଳନୀ ସମୟରେ ଆମେରିକାର ରାଷ୍ଟ୍ରପତି ଫୋର୍ଡ଼ ଯେତେବେଳେ ଇଉରୋପ ଆସିଥିଲେ, ଇଉରୋପର ବିଭିନ୍ନ ସ୍ଥାନରେ ସେ ସେତେବେଳେ ଏପରି ଅନେକ କଥା କହିଛନ୍ତି ଯାହାକୁ କି ଆମ ସମସ୍ତଙ୍କର ଅନେକ ଦିନଯାଏ ମନେରଖିବା କଥା । କାରଣ, ବିଶ୍ୱର ରାଜନୀତି ଓ ସମରନୀତିଗୁଡ଼ାକୁ ବୁଝିବାକୁ ହେଲେ ଏହି କଥାଗୁଡ଼ାକ ଆମକୁ ଅନେକ ଗର୍ଭଦୃଷ୍ଟି ଯୋଗାଇ ଦେଇପାରିବ ।

 

କେଉଁଠି ଗୋଟାଏ ଜାଗାରେ ସିଏ କହିଛନ୍ତି ଯେ ପୃଥିବୀରେ ଏକ ବଡ଼ ଯୁଦ୍ଧ ଲାଗିବାର ସେପରି ବେଶୀ ଆଶଙ୍କା ନାହିଁ, ସେହି ଆଶଙ୍କାଟି କ୍ରମଶଃ କମି କମି ମଧ୍ୟ ଯାଉଛି । କାରଣ ଆମେରିକା ଓ ରୁଷିଆ କ୍ରମଶଃ ପରସ୍ପରର ନିକଟବର୍ତ୍ତୀ ହୋଇଆସୁଛନ୍ତି ଓ ପୃଥିବୀର କୂଟନୈତିକ କ୍ଷେତ୍ରରେ ଏହି ଦୁଇଟି ବୃହତ୍‌ଶକ୍ତି ମଧ୍ୟରେ କ୍ରମଶଃ ଅଧିକରୁ ଅଧିକ ବୁଝାବଣା ସମ୍ଭବ ହୋଇପାରୁଛି । ହଁ, ଅବଶ୍ୟ ମଝିରେ ମଝିରେ ଏଠି ସେଠି ସାନ ଯୁଦ୍ଧମାନ ଲାଗିଯାଇପାରେ, ସେଗୁଡ଼ାକ ତ କଦାପି ବେଶୀଦିନ ସ୍ଥାୟୀ ହେବନାହିଁ, ତେଣୁ ସେଗୁଡ଼ାକୁ ଆମେ ସାନ ଯୁଦ୍ଧ ବୋଲି ହିଁ କହିବା-। ସେଥିରେ ଅଳ୍ପ ବାରୁଦ ଖରଚ ହେବ, ଅଳ୍ପ ବନ୍ଧୁକ ଫୁଟିବ ଓ ଅଳ୍ପ ମଣିଷ ମରିବେ; ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ ଏହି ସାନ ଯୁଦ୍ଧଗୁଡ଼ାକ କେବଳ ସ୍ଥାନୀୟ ଯୁଦ୍ଧ ହୋଇ ରହିବ, ସେଥିରେ ମାତ୍ର କେତୋଟି ଦେଶ ଲିପ୍ତ ହୋଇ ରହିବେ; ଏଥିରେ ସାରା ପୃଥିବୀ ଜଳିବ ନାହିଁ କି ସାରା ମହାଦେଶ ମଧ୍ୟ କଦାପି ଜଳିବ ନାହିଁ । ଅର୍ଥାତ୍‌ ଗୋଟିଏ ଭାଷାରେ କହିଲେ, ସ୍ଥାନୀୟ ଏଠି ସେଠି ଯୁଦ୍ଧ, ବୈର ଓ ମାରଣ ଲାଗିରହିଥିଲେ ମଧ୍ୟ ପୃଥିବୀ-ସ୍ତରରେ ଶାନ୍ତି ବିରାଜମାନ ରହିଥିବ ।

 

ଏହାକୁ କେତେକ ଦୃଷ୍ଟାନ୍ତ ଦେଇ କହିଲେ କଥାଟି ଅଧିକ ସ୍ପଷ୍ଟ ହୋଇଯିବ। ସାନ ଯୁଦ୍ଧମାନ ଲାଗିବ, ଅର୍ଥାତ୍‌ ସାଇପ୍ରସ୍‌ରେ ଗ୍ରୀକ୍‌ଭାଷୀ ଓ ତୁର୍କୀଭାଷୀ ବନ୍ଧୁକରେ ବାଡ଼ିଆବାଡ଼ି ହେବେ, ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍ ଓ ଆରବଦେଶ ମଧ୍ୟରେ ଯୁଦ୍ଧ ଲାଗିବ, ଇରାକ ଓ ଇରାନ ମଧ୍ୟରେ ସୀମାକୁ ନେଇ ଯୁଦ୍ଧ ଲାଗିବ, ପାକିସ୍ଥାନ ଓ ଆଫଗାନିସ୍ଥାନ ମଧ୍ୟରେ ଯୁଦ୍ଧ ଲାଗିବ, ଲାଓସ୍‌ ଓ ଥାଇଲାଣ୍ଡ ମଧ୍ୟରେ ବଳ କଷାକଷି ଚାଲିଥିବ । ଗତ ତିରିଶିବର୍ଷ ଭିତରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ଏବଂ ଉତ୍ତର ଭିଏତ୍‌ନାମ ଓ ଦକ୍ଷିଣ ଭିଏତ୍‌ନାମ ମଧ୍ୟରେ ଯେପରି ଯୁଦ୍ଧମାନ ଲାଗିଥିଲା ଓ ପ୍ରାୟ ସାରା ପୃଥିବୀକୁ ହଟାପଟା କରିବାରେ ଲାଗିଥିଲା, ଆମ ପୃଥିବୀରେ ଆହୁରି ଅନେକ ଦିନ ପାଇଁ ସେଭଳି ଯୁଦ୍ଧମାନ ଲାଗି ରହିଥିବ । ବୃହତ୍ ଶକ୍ତିମାନେ ଏଥିରେ ମୋଟେ ଲିପ୍ତ ହୋଇପଡ଼ିବେ ନାହିଁ, ତେଣୁ ଆଧୁନିକ ମହାଯୁଦ୍ଧ କହିଲେ ଯେଉଁ ଭୟନକତା ଓ ସର୍ବସଂହାରଣକୁ ବୁଝାଏ, ସେଇଟା ଆଉ ଆମକୁ ମୋଟେ ଭୋଗିବାକୁ ପଡ଼ିବ ନାହିଁ ।

 

ବୃହତ୍ ଶକ୍ତିମାନେ ଆଉ ସାନ ସାନ ଯୁଦ୍ଧରେ ପ୍ରତ୍ୟକ୍ଷ ଭାଗ ଗ୍ରହଣ କରିବେ ନାହିଁ । ସେମାନେ ପଛରେ ରହିଥିବେ, ପରୋକ୍ଷ ଭାବରେ ପକ୍ଷ ନେଇଥିବେ, ଜାହାଜ ଜାହାଜ ଯୁଦ୍ଧ ସରଞ୍ଜାମ ପଠାଇ ସାନ ଯୁଦ୍ଧଗୁଡ଼ାକୁ ଏକ ବଡ଼ ଧରଣର ଅତୁଟା ଅଡ଼ୁଆ କରିରଖିଥିବେ । ବୃହତ୍‌ଶକ୍ତିଗୁଡ଼ିକର ବୋମା ଓ ବନ୍ଧୁକରେ ହିଁ ପୃଥିବୀରେ ପନ୍ଦରଟା ଥାନରେ ଯୁଦ୍ଧ ହେଉଥିବ, ମାତ୍ର ସେମାନେ ନିଜେ କେଉଁଠି ନଥିବେ । ସେହିମାନଙ୍କର ପ୍ରରୋଚନା ଏବଂ ପ୍ରଚେଷ୍ଟାରେ ସବୁଠାରେ ଯୁଦ୍ଧ ଲାଗିରହିଥିବ, ସ୍ଥାନୀୟ ଶତ୍ରୁତାଗୁଡ଼ାକୁ ବିଲକୁଲ ତପ୍ତ କରିରଖାଯାଇଥିବ, କିନ୍ତୁ ବୃହତ୍‌ଶକ୍ତିଗୁଡ଼ିକର ଆପଣା ଦେଶରେ କେବେହେଲେ କୌଣସି ଯୁଦ୍ଧ ଲାଗିବନାହିଁ । ସେମାନେ ଯୁଦ୍ଧମୁକ୍ତ ହୋଇ ରହିଥିବେ, ନିଶ୍ଚିନ୍ତ ହୋଇ ଯୁଦ୍ଧ ସରଞ୍ଜାମର ଭଣ୍ଡାରଗୁଡ଼ାକୁ ବଢ଼ାଉଥିବେ, ଯୁଦ୍ଧଶିଳ୍ପର ଉନ୍ନତିସାଧନ କରୁଥିବେ ଏବଂ ସେହିମାନଙ୍କର ତିଆରି ଶସ୍ତ୍ରାସ୍ତ୍ରଗୁଡ଼ାକ ପୃଥିବୀର ସବୁ ବଜାରକୁ ରପ୍ତାନୀ ହେଉଥିବ । ସେହିମାନଙ୍କର ଅର୍ଥସାହାଯ୍ୟ ସାରା ପୃଥିବୀରେ ବିଞ୍ଚାହୋଇ ଯୁଦ୍ଧ ଉପକରଣ କିଣିବାଲାଗି ଓ ସ୍ଥାନୀୟ ବୈରାଗୁଡ଼ାକୁ ସ୍ଥାନୀୟ ଯୁଦ୍ଧରେ ପରିଣତ କରିଦେବାଲାଗି ସାନ ସାନ ଦେଶର ବଜେଟ ଓ ପକେଟକୁ ସବୁବେଳେ ଗରମ କରିରଖିଥିବ । ଗତ ତିରିଶିବର୍ଷ ହେଲା ଅର୍ଥାତ୍‌ ବିଶ୍ୱଯୁଦ୍ଧ ସମାପ୍ତ ହୋଇଯାଇଥିଲେ ମଧ୍ୟ ଆମ ପୃଥିବୀରେ ନାନା ସ୍ଥାନରେ ଯେଉଁସବୁ ଶୀତୋଷ୍ଣ ରାଜନୀତି ଓ ଅସ୍ତ୍ରନୀତି ଚାଲିଛି ତାହାହିଁ ଆମର ଭାଗ୍ୟ ହୋଇ ରହିଥିବ ।

 

ଏପରି ଏକ ପରିସ୍ଥିତିକୁ ଆମେ ଶାନ୍ତି ବୋଲି କହିବା ନା ଆଉ କ’ଣ କହିବା ? ତେବେ ପୃଥିବୀର ସାନ ଦେଶଗୁଡ଼ାକୁ କ’ଣ ଚିରଦିନ ବୃହତ୍‍ଶକ୍ତିମାନଙ୍କ ଉପରେ ଏପରି ଶୋଚନୀୟ ଭାବରେ ନିର୍ଭରଶୀଳ କରିରଖାଯାଇଥିବ ? ପୃଥିବୀରେ ଶାନ୍ତି କହିଲେ କ’ଣ ଆହୁରି ଅନେକବର୍ଷ ପାଇଁ ଏହି ନିର୍ବୋଧ ଅଥଚ ଅନିଷ୍ଟକାରୀ ବ୍ୟବସ୍ଥାକୁ ହିଁ ବୁଝାଉଥିବ ? ଯୁଦ୍ଧର ଗୋଦାମଗୁଡ଼ାକରେ କଦାପି ନିଆଁ ଲାଗିବନାହିଁ, ସେଗୁଡ଼ାକ ସବୁବେଳେ ସୁରକ୍ଷିତ ଓ ଅଲିପ୍ତ ହୋଇ ରହିଥିବ ଏବଂ ପୃଥିବୀରେ ଏଠି ସେଠି, ଏ ସାହି ବା ସେ ସାହିରେ ନିଆଁ ଜଳୁଥିବ, ଗୋଦାମରୁ ସରଞ୍ଜାମଗୁଡ଼ାକ ଆସି ସେଇ ନିଆଁକୁ ଜଳାଇ ରଖିଥିବ,–ଏହି ସଂସାରବ୍ୟବସ୍ଥାକୁ କ’ଣ ଆମେ ଆଦୌ କୌଣସି ବ୍ୟବସ୍ଥା ବୋଲି କହିପାରିବା ନା ଏଥିରୁ ବାହାରିବାର ଏକ ଉପାୟ ମଧ୍ୟ କେଉଁଠି ରହିଛି ?

 

ତା ୧୯.୦୮.୧୯୭୫ ରିଖ

Image

 

ଶିକ୍ଷା ଲାଗି ଭିଡ଼

 

ବର୍ଷାଦିନ ଆସିଲେ ଉଚ୍ଚଶିକ୍ଷା–ଅନୁଷ୍ଠାନମାନଙ୍କରେ ପ୍ରବଳ ଭିଡ଼ ଲାଗିଯାଏ । ସ୍କୁଲ ପାଠ ଶେଷ କରିସମସ୍ତେ କଲେଜରେ ପାଠ ପଢ଼ିବାକୁ ଚାହାନ୍ତି । ସାନ କଲେଜର ପାଠ ଶେଷ କରିବଡ଼ କଲେଜରେ ଯାଇ ପଢ଼ିବାକୁ ଚାହାନ୍ତି । ନିମାପଡ଼ାରୁ ପୁରୀ ଆସନ୍ତି ବା ପୁରୀରୁ ଭୁବନେଶ୍ୱର ଆସନ୍ତି । ଉଚ୍ଚଶିକ୍ଷା ଲାଗି ଅଳପ ସ୍ଥାନ ଓ ବହୁତ ଚାହିଦା ରହିଥିବାରୁ ଆମ ଶିକ୍ଷାସ୍ଥାନଗୁଡ଼ିକରେ ନାଆଁ ଲେଖାଇବା ସକାଶେ ଭାରି ଭିଡ଼ ଲାଗିଯାଏ । ବାପା ମା’ ମାନେ ପଢ଼ନ୍ତା ପିଲାଟିକୁ କୌଣସି ନା କୌଣସି କଲେଜରେ ଥଇଥାନ କରାଇ ଦେଇ ପାରିବା ପାଇଁ କେତେ ପ୍ରକାରର କେତେ ଉଦ୍ୟମ କରନ୍ତି । ଏଠି ନ ହେଲେ ସେଠି ଚେଷ୍ଟା କରନ୍ତି । ଆପଣା ପାଖରେ ନ ହେଲେ ପିଲାର ମାମୁଁ ପାଖରେ ନେଇ ରଖନ୍ତି ।

 

ନାଆଁ ଲେଖାଇବା ପାଇଁ ହେଉଥିବା ଏହି ଭିଡ଼ରୁ ଯଦି ଆମ ଦେଶରେ ଉଚ୍ଚ ଶିକ୍ଷାଲାଗି ରହିଥିବା ଆଗ୍ରହର ସୂଚନା ମିଳନ୍ତା, ତେବେ ସମସ୍ତେ ତାହାକୁ ଏକ ସୁସ୍ଥ ବ୍ୟାପାର ବୋଲି ନିଶ୍ଚୟ କହନ୍ତେ । ବିଦ୍ୟାର ଆଗ୍ରହ, ଜ୍ଞାନଲାଭର ଆଗ୍ରହ ଏଗୁଡ଼ାକୁ କିଏ ସୁସ୍ଥ ବୋଲି ନ କହିବ ? ଏପରିକି, ପାଠ ପଢ଼ିଲେ ମୁଁ ନିଜ ଗୋଡ଼ରେ ନିଜେ ଠିଆ ହେବି, ଆପଣା ଉପରେ ଭରସା ରଖିପାରିବି, କଲେଜର ପିଲା ଏତିକି ପ୍ରତ୍ୟୟ ନେଇ କଲେଜକୁ ଆସୁଥିଲେ ତାହା ଆମ ଦେଶ ଓ ଆମ ସମାଜ ଲାଗି କେଡ଼େ ବଡ଼ କଥା ହେଉଥାନ୍ତା । କିନ୍ତୁ ଆମ ଦେଶରେ ପିଲାଏ କ’ଣ ପାଇଁ ପାଠ ପଢ଼ିବାକୁ ଆସନ୍ତି ? ବିହାର ସରକାରଙ୍କ ଦ୍ୱାରା ନିଯୁକ୍ତ ଗୋଟିଏ କମିଟିର ରିପୋର୍ଟରୁ ଏହି ବିଷୟରେ ଆମକୁ କିଞ୍ଚିତ୍‌ ସୂଚନା ମିଳିଯାଉଛି ।

 

ଆବଶ୍ୟକ ତଥ୍ୟଗୁଡ଼ିକୁ ସଂଗ୍ରହ କରିକମିଟି ମନ୍ତବ୍ୟ ପ୍ରକାଶ କରିକହିଛନ୍ତି ଯେ ବିହାରରେ ଉଚ୍ଚଶିକ୍ଷା ନିମନ୍ତେ ଯେଉଁ ପ୍ରବଳ ଭିଡ଼ ଦେଖାଦେଇଛି, ତାହା ପଛରେ ବିବାହ ସମୟରେ ଅଧିକ ଯୌତୁକ ପାଇବାର ଲୋଭ ମଧ୍ୟ ଏକ କାରଣରୂପେ ରହିଛି । କମିଟି ଏକଥା ମଧ୍ୟ ସୂଚାଇ ଦେଇଛନ୍ତି ଯେ କେତେକ ଯୁବକଙ୍କର ଆଉ କୌଣସି କାମ ନ ଥିବାରୁ ସେମାନେ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଆସନ୍ତି । ବିହାର ଅର୍ଥାତ୍‌ ଆମ ଦେଶର ଗୋଟିଏ ରାଜ୍ୟରେ ନିଯୁକ୍ତ ହୋଇଥିବା କମିଟି ଯାହାସବୁ ଅନୁମାନ କରିଛନ୍ତି, ତାହା ଯେ ସମଗ୍ରତଃ ତମାମ ଦେଶର ସବୁ ରାଜ୍ୟରେ ପ୍ରଯୁଜ୍ୟ ହୋଇପାରିବ; ସେ ବିଷୟରେ କଦାପି କାହାର ଅରାଜି ରହିବ ନାହିଁ ।

 

ଆମ ପିଲାମାନେ କୌଣସି ଉଦ୍ଦେଶ୍ୟ ନଥାଇ ପାଠ ପଢ଼ିବାକୁ ଯାଉଛନ୍ତି । କିଛି କାମ ଅର୍ଥାତ୍‌ ଚାକିରିଟିଏ ନ ମିଳିବା ପର୍ଯ୍ୟନ୍ତ ସେମାନେ ଖାଲି ଘରେ ବସି ରହିବା ଅପେକ୍ଷା କଲେଜରେ ଆଉ ଦୁଇଟା ବର୍ଷ କଟାଇ ଆସିବାକୁ ହିଁ କଲେଜ ଯାଉଛନ୍ତି । ପାଠ ପଢ଼ିବାଲାଗି ତ ଘରୁ ପଇସା ଦିଆଯାଉଛି, ତେଣୁ ଛାତ୍ରମାନେ ସେଦିଗରୁ କୌଣସି ସମସ୍ୟାର ସମ୍ମୁଖୀନ ହେଉନାହାନ୍ତି । ଏବେ ଆମ ଦେଶରେ ଝିଅମାନେ ବି ପାଠ ପଢ଼ୁଛନ୍ତି । ଅର୍ଥାତ୍‌ ଆଗେ ଯେତେ ସଂଖ୍ୟାରେ ଝିଅମାନେ କଲେଜକୁ ଯାଉଥିଲେ, ଏବେ ତାହାର ଅନେକ ଗୁଣ ଅଧିକ ସଂଖ୍ୟାର ଝିଅ କଲେଜକୁ ଯାଉଛନ୍ତି । ଝିଅମାନଙ୍କ ସକାଶେ ସ୍ୱତନ୍ତ୍ର କଲେଜମାନ ବି ଖୋଲା ଗଲାଣି । ଆଗେ ଏହି ବୟସରେ ସେମାନେ ବାହା ହୋଇଯାଉଥିଲେ । ବାପାମାନେ କନ୍ୟାଦାୟରୁ ମୁକ୍ତ ହୋଇ ନିଶ୍ଚିନ୍ତ ହେଉଥିଲେ । ଏବେ ବି ବୟସ ହୋଇଗଲେ ବର ଖୋଜାହେବା ଆରମ୍ଭ ହେଉଛି । ମାତ୍ର ପସନ୍ଦ ମୁତାବକ ବରଟିଏ ବା ଘରଟିଏ ନମିଳିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଉଛି । ସେପର୍ଯ୍ୟନ୍ତ ଝିଅ ଘରେ ତୁଚ୍ଛାଟାରେ ବସିରହିବ କାହିଁକି, ସେଥିଲାଗି ତାକୁ କଲେଜରେ ପାଠ ପଢ଼ିବା ପାଇଁ ପଠାଇଦିଆହେଉଛି । ଯୋଉ ମୁହୂର୍ତ୍ତରେ ବାହାଘର ଠିକ୍‌ ହୋଇଯାଉଛି, ସେଇ ମୁହୂର୍ତ୍ତରେ ସେଇଠୁ ଝିଅକୁ କଲେଜରୁ ଉଠାଇ ଅଣାଯାଉଛି । ଝିଅଜନିତ ସମସ୍ୟାଟିର ସମାଧାନ ହୋଇଯାଉଛି ।

 

ବେଶୀ ପାଠ ପଢ଼ିଲେ ପୁଅମାନଙ୍କୁ ବେଶୀ ଯୌତୁକ ମିଳିବାର ଏକ ଚଳଣି ମଧ୍ୟ ଆମ ଦେଶରେ ସବୁଠାରେ ରହିଛି । ଯୌତୁକ ଅର୍ଥାତ୍‌ ମାଗଣା ଲାଭ, ଆନୁଷଙ୍ଗିକ ଲାଭ । ଏହାର ଏକ ଆର୍ଥିକ ଦିଗ ଅବଶ୍ୟ ରହିଛି ଏବଂ ବିବାହ ସମୟରେ ଦ୍ରବ୍ୟ ଆକାରରେ କିଛି ଅର୍ଥ ଉପାର୍ଜନ କରିବାର ଅଭିପ୍ରାୟଟି ଆମ ପୁଅ ଓ ପୁଅପିତାମାନଙ୍କ ମନରେ ଏତେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରୁଛି ଯେ ବାହାଘର ଖୋଜା ହେଉଥିବା ସମୟରେ ସତେଅବା ଏହି ଯୌତୁକ ଦାବୀଟା ହିଁ ପ୍ରଧାନ ହୋଇଯାଉଛି ଓ କନ୍ୟା ଆନୁଷଙ୍ଗିକ ହୋଇ ରହୁଛି । ସାମାଜିକ ମର୍ଯ୍ୟାଦାଟି ସହିତ ସମସ୍ତ ବ୍ୟାପାରଟିକୁ ଏପରି ମିଶାଇ ଦିଆଯାଇଛି ଯେ ତାହାର ଅର୍ଥକାରବାରର ଦିଗଟି ମୋଟେ ଆଖିକୁ ଦେଖା ଯାଉନାହିଁ ।

 

ଆମ ପିଲାଏ ପାଠ ପଢ଼ି ବଡ଼ ହୋଇ ତଥାପି କାହିଁକି କିଛି କରିନ ପାରନ୍ତି ଓ ତେଣୁ ଚାକିରି ମିଳିବାଯାଏ କଲେଜରେ ପଢ଼ୁଥାନ୍ତି, ତାହା ଏକ ଅଲଗା ପ୍ରଶ୍ନ ଓ ଅଲଗା ଭାବରେ ତାହାର ବିଚାର ହୋଇପାରେ । ମାତ୍ର କିଛି ଉଦ୍ଦେଶ୍ୟ ନ ଥାଇ ଆମ ଦେଶରେ ଯେ ଏତେ ପିଲା ପାଠ ପଢ଼ୁଛନ୍ତି ଓ ସେଥିଲାଗି ସମାଜର ଯେ ଏତେ ପଇସା ଖରଚ ହେଉଛି; ତାହାକୁ କାହିଁକି ଏକ ନୃଶଂସତା ଓ ଏକ ଅପଚୟ ବୋଲି କୁହା ନ ଯିବ ?

 

ତା୨୦. ୦୮.୧୯୭୫ ରିଖ

Image

 

ଟିମ ଦ୍ୱୀପ ଟିମୋର୍‌

 

ପୃଥିବୀର ମହାସାଗରଗୁଡ଼ାକ ଭିତରେ ସାନ ସାନ ଏତେଗୁଡ଼ାଏ ଦ୍ୱୀପ ଥିଲା ବୋଲି କିଏ ଜାଣିଥିଲା ? ପୁଣି ସେଠାରେ ମଧ୍ୟ ସ୍ୱାଧୀନତା ପାଇଁ ଆକାଂକ୍ଷା କରିବାକୁ ଏତେ ମଣିଷ ଥିଲେ ବୋଲି ବି କିଏ କଳ୍ପନା କରିଥିଲା ? ପ୍ରଶାନ୍ତ ମହାସାଗରର ଜଳ ପରି ପ୍ରଶାନ୍ତ ମହାସାଗରର ସ୍ଥଳ ମଧ୍ୟ ସମାନ ଭାବରେ ପ୍ରଶାନ୍ତ ବୋଲି ଆମେ ଭୂଗୋଳ ବହିରେ ପଢ଼ି ଆସିଥିଲେ । ପ୍ରାୟ ତିନିଶହ ବର୍ଷତଳେ ସେଠାକୁ ଯେତେବେଳେ ଇଉରୋପୀୟ ବଣିଜ-ବାହିନୀ ଆସିଲେ, ସେଠାରେ ସେତେବେଳେ ପ୍ରକୃତରେ ଶାନ୍ତି ବିରାଜି ରହିଥିଲା ।

 

ସେଠାରେ ସେତେବେଳେ ଆଦିବାସୀମାନେ ବାସ କରୁଥିଲେ । ଆମ ବହି ଗୁଡ଼ାକର କହିବା ଅନୁସାରେ ସେମାନଙ୍କର ସଭ୍ୟତା ନଥିଲା, ଅର୍ଥାତ୍‌ ସଭ୍ୟ ଜାତିମାନଙ୍କର ଗ୍ରାସରୁ ଆପଣାକୁ ରକ୍ଷା କରିପାରିବାକୁ ସେମାନଙ୍କ ପାଖରେ ଯଥେଷ୍ଟ ପରିମାଣରେ ବଳ ବା କୌଶଳ ନଥିଲା । ଇଉରୋପୀୟ ବଣିକ କମ୍ପାନୀମାନେ ଯିଏ ଯୋଉଠି ସବାଆଗ ପହଞ୍ଚିଲେ, ସେଇଟାକୁ ସେମାନେ ନିଜର ବୋଲି କହିଲେ । ସେଠାରେ ଯେ ଆଗରୁ ମଣିଷ ଥିଲେ ଏବଂ ଦ୍ୱୀପଗୁଡ଼ିକ ଯେ ସେହିମାନଙ୍କର ନିବାସଥିଲା, ସାମ୍ରାଜ୍ୟ ସ୍ଥାପନ କରିବାକୁ ପୃଥିବୀରେ ବାହାରିଥିବା ଖର ବୁଦ୍ଧିଗୁଡ଼ାକ ସେକଥା ବୁଝି ବା ପାରିଥାନ୍ତା କିପରି ? ତେଣୁ ଏହିପରି ଭାବରେ ଇଉରୋପର କେତେଟା ଦେଶ ଆପଣା ଭିତରେ ପ୍ରାୟ ଅଧେ ପୃଥିବୀକୁ ବାଣ୍ଟି ନେଇଥିଲେ । ବଣ୍ଟା ଭାଗଗୁଡ଼ାକୁ ସେମାନେ ଆପଣାର ସାମ୍ରାଜ୍ୟ ବୋଲି କହିଲେ । ସେଠାରେ ଆପଣାର ପତକା ଉଡ଼ାଇଲେ । ଏହିପରି ଏକ ରୀତିରେ ସେତେବେଳେ ପ୍ରଶାନ୍ତ ମହାସାଗରର ଏକ ବକଟେନାକୁ ଦ୍ୱୀପ ଟିମୋର୍‌ରେ ପର୍ତ୍ତୁଗୀଜ ପତାକା ଉଡ଼ିଥିଲା । ଟିମୋର ପର୍ତ୍ତୁଗାଲର ସାମ୍ରାଜ୍ୟ ହୋଇ ରହିଲା ।

 

ଟିମୋର୍‌ର ସର୍ବପ୍ରଥମ ଅଧିବାସୀମାନେ କୁଆଡ଼େ ମରିଉଡ଼ି ଗଲେ । ସେଠି ସାମ୍ରାଜ୍ୟର ସିରସ୍ତା ଓ ମାହାଲଗୁଡ଼ାକ ଚଳାଇବାକୁ ପର୍ତ୍ତୁଗାଲ ଅନ୍ୟ ଲୋକ ଆଣିଲା । ଗୋଆରୁ ଆଣିଲା, ଆଫ୍ରିକାରୁ ଆଣିଲା । ଏହିମାନେ ସେଠି ଘରଦୁଆର କଲେ, ସେମାନଙ୍କର ପିଲାଝିଲା ବଢ଼ିଲେ, ସେହିମାନେ ହିଁ କ୍ରମେ ଟିମୋର୍‍ର ପ୍ରଜା ହେଲେ । ଆଧୁନିକ ସ୍ୱାଧୀନତାକାମୀ ଯୁଗର ହାଉଆଗୁଡ଼ାକ ସେଠି ମଧ୍ୟ ଯାଇ ବାଜିଲା । ସେମାନେ ସ୍ୱାଧୀନ ହେବାର ଆକାଂକ୍ଷା ପୋଷଣ କଲେ । ସେମାନଙ୍କର ସୌଭାଗ୍ୟରୁ ପର୍ତ୍ତୁଗାଲରେ ମଧ୍ୟ ପୁରୁଣା ନୂଆ ହେଲା । ନୂଆ ନେତୃତ୍ୱଟି ଉପନିବେଶଗୁଡ଼ିକୁ ସ୍ୱାଧୀନତା ଦେବାଲାଗି ନିଷ୍ପତ୍ତି ଗ୍ରହଣ କଲା । ଏହିପରି ଟିମୋର୍‌ ଦ୍ୱୀପ ମଧ୍ୟ ସ୍ୱାଧୀନ ହେଲା ।

 

ସେଠି ପ୍ରଥମେ ଯେଉଁ ଦଳ ହାତରେ ଶାସନକ୍ଷମତା ଥିଲା, ଏବେ ସେମାନଙ୍କୁ ଆସନଚ୍ୟୁତ କରିଆଉଗୋଟିଏ ଦଳ ହାତକୁ କ୍ଷମତା ନେଇଯାଇଛନ୍ତି । ସେଥିଲାଗି କୌଣସି ରକ୍ତପାତ ହୋଇନାହିଁ । କିନ୍ତୁ ଏକଥା ଏକାନ୍ତ ସତ ଯେ ମାତ୍ର କେତେ ହଜାର ମଣିଷ ବାସ କରୁଥିବା ଟିମୋର୍‌ ଦ୍ୱୀପରେ ମଧ୍ୟ ରାଜନୀତିକ କ୍ଷମତା ଓ ସ୍ୱାର୍ଥକୁ ଗଣ୍ଠିକରି ଭିଡ଼ାଓଟରା ଚାଲିଚି । ଯେଉଁମାନେ ପ୍ରଥମେ କ୍ଷମତାରେ ଥିଲେ, ସେମାନେ ପର୍ତ୍ତୁଗାଲ ସହିତ କୌଣସି ବିଶେଷ ସମ୍ପର୍କ ରଖିବାକୁ ଚାହୁନଥିଲେ, ପୁରୁଣା ସହିତ ଖିଅଟାକୁ ସଂପୂର୍ଣ୍ଣ ଭାବରେ କାଟିଦେଇ ସେମାନେ ନିର୍ମଳ ହୋଇ ନୂଆ ବାଟଟିରେ ଚାଲିବେ ବୋଲି ରାଷ୍ଟ୍ରୀୟ ନୀତି ସ୍ଥିର କରିଥିଲେ । ମାତ୍ର ଅନ୍ୟ ଦଳଟି ସ୍ୱାଧୀନତା ପରେ ମଧ୍ୟ ପର୍ତ୍ତୁଗାଲ ସହିତ ବିଶେଷ ସମ୍ପର୍କ ରଖିବା ଲାଗି ଚାହିଲେ । ପର୍ତ୍ତୁଗାଲର ବାଣିଜ୍ୟିକ ଓ ରାଜନୀତିକ ସ୍ୱାର୍ଥଗୁଡ଼ାକ ପ୍ରତି ବିଶେଷ ସୁରକ୍ଷା–ବ୍ୟବସ୍ଥା ହେଉ ବୋଲି ଚାହିଲେ । ମାତ୍ର କେବଳ ସେଇଥିଲାଗି କ’ଣ କ୍ଷମତାସୀନମାନଙ୍କୁ ବଳଦ୍ୱାରା କ୍ଷମତାଚ୍ୟୁତ କରିନିଜେ କ୍ଷମତା ମାଡ଼ିବସିବାର ଏକ ପ୍ରୟୋଜନ ରହିଥିଲା ନା ସେଥିରେ ଆଉ କୌଣସି ଅଦୃଶ୍ୟ ହାତ ପରୋକ୍ଷରେ କାର୍ଯ୍ୟ କରୁଛି ବୋଲି ଅନୁମାନ କରାଯାଇପାରିବ ?

 

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏସବୁ ପଛରେ ପର୍ତ୍ତୁଗାଲର ହାତ ରହିଛି–ପର୍ତ୍ତୁଗାଲ ତଥାପି ସେଠି ଶାସକମାନଙ୍କ ଜରିଆରେ ଦ୍ୱୀପଟି ଉପରେ ଆପଣାର ଅନ୍ତତଃ କିଛିହେଲେ ମଧ୍ୟ ପ୍ରଭାବ ବଜାୟ ରହୁ ବୋଲି ଇଚ୍ଛା କରୁଛି ଏବଂ ସେଥିଲାଗି ସେଠି ଶାସନ କ୍ଷମତାରେ ତା’ର ଇଚ୍ଛାନୁକୂଳ ଦଳଟି ଅଧିଷ୍ଠିତ ହୋଇ ରହୁ ବୋଲି ପର୍ତ୍ତୁଗାଲ ତୀବ୍ର ଭାବରେ ଚାହୁଛି-। ସେଥିଲାଗି ମନୋମତ ସେହି ଦଳକୁ ତାହା ହୁଏତ ପରୋକ୍ଷ ସାହାଯ୍ୟ ଓ ସମର୍ଥନ ମଧ୍ୟ ଦେଉଛି-। ସାମ୍ରାଜ୍ୟର ଅଭ୍ୟସ୍ତ ମାୟାଗୁଡ଼ାକୁ ଏତେଶୀଘ୍ର ଛିଡ଼ାଇ ଆସିବାକୁ ଆନ୍ତରିକତା ସହିତ ନିଷ୍ପତ୍ତି କରିବା କ’ଣ ଏତେ ସହଜ ?

 

ଟିମୋର୍‌ରେ ବିଭିନ୍ନ ଦଳ ଭିତରେ କ୍ଷମତା ଲାଗି ଝଗଡ଼ା ଲାଗିଛି । ତେଣେ ଆଉ ଏକ ପର୍ତ୍ତୁଗୀଜ ଉପନିବେଶ ଆଙ୍ଗୋଲାରେ ମଧ୍ୟ ସ୍ୱାଧୀନତାର ଭୋଗ କେଉଁ ରାଜନୀତିକ ଦଳ କରିବେ ସେଥିଲାଗି ବେଶ୍‌ ଏକ ଖଣ୍ଡଯୁଦ୍ଧ ଚାଲିଛି । ମଣିଷ ମରୁଛନ୍ତି; ଖାଲି ରାଜନୀତିକ ପକ୍ଷାଗ୍ରହୀମାନେ ନୁହନ୍ତି, ଅରାଜନୀତିକ ନିରୀହ ନାଗରିକ ମଧ୍ୟ ମରୁଛନ୍ତି । ଟିମୋରର ଅବସ୍ଥାକୁ ଭଲ ଭାବରେ ଧ୍ୟାନ କରିବାକୁ ପର୍ତ୍ତୁଗାଲର ସରକାରୀ ପ୍ରତିନିଧି ଟିମୋର ଦଉଡ଼ୁଛନ୍ତି ଏବଂ ଆଙ୍ଗୋଲାର ରାଜଧାନୀରେ ଏବେ ମଧ୍ୟ ପର୍ତ୍ତୁଗାଲ ବାହିନୀର ହଜାର ହଜାର ସୈନ୍ୟ ମୁତୟନ ରହିଛନ୍ତି । ଅବସ୍ଥା ଅସମ୍ଭାଳ ହେଲେ ଅବସ୍ଥାକୁ ସମ୍ଭାଳିବା ଲାଗି ସେମାନେ ସେଠାରେ ରହିଛନ୍ତି ।

 

ଏହି ମଧ୍ୟବର୍ତ୍ତୀକାଳୀନ ଫିସାଦଗୁଡ଼ିକୁ ବି ସ୍ୱାଧୀନତାକାମୀ ମଣିଷର ବାହିନୀ ଅଚିରେ ପାର ହୋଇଯିବ ।

 

ତା ୨୧.୦୮.୧୯୭୫ ରିଖ

Image

 

ରାଜନୀତିକ ଅବିବେକ

 

ଦକ୍ଷିଣ ଭିଏତ୍‌ନାମ ଓ ଉତ୍ତର ଭିଏତ୍‌ନାମ ସଂଯୁକ୍ତ ରାଷ୍ଟ୍ରସଂଘର ସଭ୍ୟ ହେବାକୁ ଆବେଦନ କରିଥିଲେ । ନିରାପତ୍ତା ପରିଷଦରେ ଏହି ଆବେଦନର ବିଚାର ହେଉଥିଲା । ଏହି ବିଷୟରେ ଆଲୋଚନା ହେଲା, ବାଦାନୁବାଦ ବି ହେଲା । ଶେଷକୁ ଭୋଟ ନିଆଗଲା । କେବଳ ଯୁକ୍ତରାଜ୍ୟ ଆମେରିକାକୁ ଛାଡ଼ି ଆଉ ସବୁଯାକ ସଦସ୍ୟରାଷ୍ଟ୍ର ଆବେଦନକାରୀ ଦୁଇ ରାଜ୍ୟଙ୍କୁ ଜାତିସଂଘରେ ଗ୍ରହଣ କରିନିଆଯାଉ ବୋଲି ସପକ୍ଷରେ ମତ ଦେଲେ । ଯୁକ୍ତରାଜ୍ୟ ଆମେରିକାର ଏକ ଛାୟାରାଜ୍ୟ କୋଷ୍ଟାରିକା ମଧ୍ୟ ବିପକ୍ଷରେ ଭୋଟ ଦେଲାନାହିଁ, କେବଳ ନିରପେକ୍ଷ ରହିଲା । ତଥାପି ଉତ୍ତର ଭିଏତ୍‌ନାମ ଓ ଦକ୍ଷିଣ ଭିଏତ୍‌ନାମ ଜାତିସଂଘର ସଦସ୍ୟ ରୂପେ ଗୃହୀତ ହୋଇପାରିଲେ ନାହିଁ ।

 

ଯୁକ୍ତରାଜ୍ୟ ଆମେରିକା ତା’ର ଏକତରଫା ଭେଟୋ ପ୍ରୟୋଗ କରିପରିଷଦର ସର୍ବସମ୍ମତିକୁ ମଧ୍ୟ ନାକଚ କରିଦେଲା । ପରିଷଦର ଅନ୍ୟସବୁ ରାଷ୍ଟ୍ରଙ୍କର ବିବେକ ଭୁଲ ବିବେଚନା କରିଥିଲା ଓ ଖାଲି ଗୋଟିଏ ଯୁକ୍ତରାଜ୍ୟ ଆମେରିକା ହିଁ ଠିକ୍‌ ବିବେଚନା କରୁଥିଲା ବୋଲି ଏହି କ୍ଷେତ୍ରରେ କଦାପି କୁହାଯାଇପାରିବ ନାହିଁ । ଯେଉଁସବୁ ରାଷ୍ଟ୍ର ଅଧିକ ବିବେକର ସହିତ ବିଶ୍ୱ ରାଜନୀତି ଓ ବିଶ୍ୱ ସମସ୍ୟାଗୁଡ଼ିକର ବିବେଚନା କରିପାରିବେ, ସେହିମାନଙ୍କୁ ଯେ ବିଶ୍ୱ ନିରାପତ୍ତା ପରିଷଦରେ ଭେଟୋ କ୍ଷମତାର ପ୍ରୟୋଗ କରିବା ଲାଗି ଅଧିକାର ଦିଆଯାଇଛି, ସେପରି ଅନୁମାନ କରିବାକୁ ଆମ ପାଖରେ କୌଣସି କାରଣ ନାହିଁ । ଦ୍ୱିତୀୟ ମହାଯୁଦ୍ଧରେ ଏହିସବୁ ଦେଶ ଜିତିବା ପକ୍ଷରେ ଥିଲେ ଏବଂ ତେଣୁ ବିଶ୍ୱ ସଭାରେ ମଧ୍ୟ ଅଧିକାରଗୁଡ଼ିକର କ୍ଷେତ୍ରରେ ରାଜଭାଗଗୁଡ଼ିକୁ ମାଡ଼ିବସିଥିଲେ, ଏ ବିଷୟରେ ଏହାହିଁ ହେଉଛି ସତ କଥା । ମହାଯୁଦ୍ଧ ସରିବା ପୁରୁଷେ ହୋଇଗଲାଣି, ସେକାଳର ନାୟକ ଓ ନେତାମାନେ ମଧ୍ୟ କୁଆଡ଼େ ମରିଉଡ଼ି ଗଲେଣି । ମାତ୍ର ପୁରୁଣା ଭେଟୋ ପ୍ରୟୋଗ ବଳବତ୍ତର ରହିଛି । ମନୁଷ୍ୟଜାତିର ପାର୍ଲାମେଣ୍ଟ ପୃଥିବୀକୁ ପୁରୁଣା ରାଜନୀତି ଭିତରୁ ମୁକୁଳାଇ ଆଣିବାକୁ ଯେତେ ଯାହା ମନ୍ତ୍ରଣା ବା ମସୁଧା କରୁଛି; ଭେଟୋ ପ୍ରୟୋଗର ବିଶେଷ ଅଧିକାରଟି ତାକୁ ଟରପେଡ଼ୋ ମାରି ଚୂରମାର କରିଦେଉଛି । ଗତ ମହାଯୁଦ୍ଧର ବିଜେତାମାନେ ଏଥିରେ ଖୁସି ହେଉଛନ୍ତି ସତ, ମାତ୍ର ଅସଲ ନଉକାଟି ଆଉ ଆଗକୁ ଯାଇପାରୁ ନାହିଁ ।

 

ଭେଟୋ ପ୍ରୟୋଗ କରିବା ବିଷୟରେ ଯୁକ୍ତରାଜ୍ୟ ଆମେରିକାର ଯୁକ୍ତିଟି ମଧ୍ୟ ଭାରି ବିଚିତ୍ର । ଆମେରିକା କହୁଥିଲା ଯେ ଉତ୍ତର ଭିଏତ୍‌ନାମ, ଦକ୍ଷିଣ ଭିଏତ୍‌ନାମ ଓ ଦକ୍ଷିଣ କୋରିଆ ତିନୋଟି ଯାକ ଦେଶକୁ ଏକାବେଳେକେ ଜାତିସଂଘର ସଦସ୍ୟ ହିସାବରେ ଗ୍ରହଣ କରିନିଆଯାଉ । ନିରାପତ୍ତା ପରିଷଦର ଅଧିକାଂଶ ସଭ୍ୟ-ରାଷ୍ଟ୍ର ମତ ଦେଇ ଏକଥାଟିକୁ ବ୍ୟକ୍ତ କରିଦେଇଥିଲେ ଯେ ଦକ୍ଷିଣ କୋରିଆ ସଭ୍ୟପଦ ଲାଗି ଗୃହୀତ ହେବା ଉଚିତ ନୁହେଁ । ତେଣୁ ଉତ୍ତର ଭିଏତ୍‌ନାମ ଓ ଦକ୍ଷିଣ ଭିଏତ୍‌ନାମର ଆବେଦନକୁ ଅଲଗା ବିଚାର କରିସେମାନଙ୍କ ବିଷୟରେ ସ୍ୱତନ୍ତ୍ର ନିଷ୍ପତ୍ତି ଗ୍ରହଣ କରାଯାଉ । ଆମେରିକା ଏଥିରେ ରାଜି ହେଲାନାହିଁ ଏବଂ ଭୋଟଦ୍ୱାରା ଯେତେବେଳେ ନିରାପତ୍ତା ପରିଷଦରେ ଦୁଇ ଭିଏତନାମକୁ ସଭ୍ୟ କରିନେବାର ନିଷ୍ପତ୍ତି କରାଗଲା, ସେତେବେଳେ ଆମେରିକା ତା’ର ପୂର୍ବ ଧମକଟି ଅନୁସାରେ ଭେଟୋ-ପ୍ରୟୋଗ କଲା ଏବଂ ଯାହା ଚାହୁଥିଲା, ତାହାହିଁ କରାଇଲା ।

 

ଆମେରିକାର ଆଚରଣରୁ ଉପରୁ ଯାହା ଜଣାଯାଉଛି, ଉତ୍ତର ଭିଏତନାମ ଓ ଦକ୍ଷିଣ ଭିଏତନାମ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟ ହେବା ବିଷୟରେ ତାହାର କୌଣସି ଆପତ୍ତି ନଥିଲା । ଯଦି ଉପର ଆଚରଣଟିକୁ ତା’ର ପ୍ରକୃତ ଇଚ୍ଛା ବୋଲି ବିଶ୍ୱାସ କରାଯାଏ, ତେବେ ଏହି ଦୁଇଦେଶକୁ ସଭ୍ୟ କରିନେବା ବିଷୟରେ ଆମେରିକା କାହିଁକି ଭେଟୋ-ପ୍ରୟୋଗ କଲା, ସେକଥା ମୋଟେ ବୁଝି ହେଉନାହିଁ । ଦକ୍ଷିଣ କୋରିଆକୁ ସଭ୍ୟରୂପେ ଗ୍ରହଣ କରିବା ବିଷୟରେ ନିରାପତ୍ତା କାଉନ୍‌ସିଲ ଯେତେବେଳେ ବିରୁଦ୍ଧ ମତ ଦେଲା, ସେତିକିବେଳେ ତ ଆମେରିକା ଭେଟୋ ପ୍ରୟୋଗ କରିପାରିଥାନ୍ତା ଏବଂ ତଦ୍ଦ୍ୱାରା ଦକ୍ଷିଣ କୋରିଆ ସଂଖ୍ୟାଧିକ ବିରୁଦ୍ଧ ମତ ସତ୍ତ୍ୱେ ଜାତିସଂଘର ସଦସ୍ୟ ହୋଇପାରିଥାଆନ୍ତା ଏବଂ ତାପରେ ଉତ୍ତର ଓ ଦକ୍ଷିଣ ଭିଏତନାମ ବେଳକୁ ଭେଟୋର ପ୍ରୟୋଗ କରିବା ଲାଗି ଆଉ କୌଣସି ପ୍ରୟୋଜନ ହିଁ ପଡ଼ି ନ ଥାନ୍ତା । ତେଣୁ ସ୍ୱତଃ ସଂଶୟ ଜାତ ହେଉଛି, ଉତ୍ତର ଓ ଦକ୍ଷିଣ ଭିଏତନାମକୁ ଜାତିସଂଘରେ ସଦସ୍ୟ କରାଇ ନ ଦେବା ଲାଗି ଆମେରିକା ଦକ୍ଷିଣ କୋରିଆକୁ ପ୍ରକୃତରେ ଏକ ଆଳ କରିବ୍ୟବହାର କରୁଥିଲା କି ?

 

ଭିଏତନାମ ଗତ କୋଡ଼ିଏବର୍ଷ ହେଲା ଆମେରିକାର ମର୍ଯ୍ୟାଦା–ପ୍ରଶ୍ନ ହୋଇ ରହିଥିଲା-। ସେଠି ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ଆମେରିକାକୁ କେତେ କେତେ କ୍ଷତି ସହିବାକୁ ପଡ଼ିଲା । ଶେଷରେ ହାର ମାନିଲା । ସେହି ମର୍ଯ୍ୟାଦାରକ୍ଷାର ଉତ୍ପୀଡ଼ନଟା ଆମେରିକାର ରାଜନୀତିକୁ ଆଜି ମଧ୍ୟ କାମୁଡ଼ି କରିଧରିଛି କି ?

 

ତା ୨୩.୦୮.୧୯୭୫ ରିଖ

Image

 

ମାମଲତକାରୀ ଶାନ୍ତି

 

ସାଇନାଇ ମାଳଭୂମିକୁ ନେଇ ଇସ୍ରାଏଲ ଏବଂ ମିଶର ମଧ୍ୟରେ ସାମୟିକ ଶାନ୍ତି-ରାଜିନାମା ହେବ; ମାତ୍ର ସେଥିଲାଗି ଯେଉଁ କଥାବାର୍ତ୍ତା ହେବ, ତାହା ଇସ୍ରାଏଲରେ ହେବନାହିଁ କି ମିଶରରେ ହେବନାହିଁ । ତାହା ଏକାବେଳକେ ୱାଶିଂଟନରେ ହେବ । ମଝିରେ ଜଣେ ଭଲଲୋକ ରହିବେ, ତେବେଯାଇ ଏହି କଥାବାର୍ତ୍ତା ସମ୍ଭବ ହେବ । ମିଶରର ବୈଦେଶିକ ମନ୍ତ୍ରୀ ଆମେରିକାକୁ ଯିବେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ବି ଆମେରିକାକୁ ଯିବେ ଏବଂ ସେଇଠି ଆମେରିକାର ରାଷ୍ଟ୍ରପତି ଫୋର୍ଡ଼ ଅଥବା ବୈଦେଶିକ ବିଭାଗର ସଚୀବ କିସିଞ୍ଜର ସେମାନଙ୍କ ସହିତ କଥାବାର୍ତ୍ତା କରିବେ, ୟାକୁ ମନାଇବେ ତ ତାକୁ ଘେନାଇବେ ଏବଂ ଏହିପରି ଏକ ମଧ୍ୟସ୍ଥତା ବଳରେ ମିଶର ଓ ଇସ୍ରାଏଲ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବ ।

 

ମାତ୍ର ଅଳ୍ପ କେତେଦିନ ତଳେ ମଧ୍ୟପ୍ରାଚ୍ୟର ପରିସ୍ଥିତି ପ୍ରାୟ ଏକ ଉଷ୍ଣ ଯୁଦ୍ଧର ଅତ୍ୟନ୍ତ ନିକଟବର୍ତ୍ତୀ ହୋଇ ଆସିଥିଲା ବୋଲି ପୃଥିବୀରେ ସମ୍ପୃକ୍ତ ପକ୍ଷମାନେ ଆତଙ୍କ ଗଣିବାକୁ ଆରମ୍ଭ କରିଥିଲେ । ଜାତିସଂଘର ମହାସଚିବ ଭାଲଡ଼୍‌ହାଇମ୍‌ ଏଥିରେ ଘୋର ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ଆମେରିକାର ରାଷ୍ଟ୍ରପତି ଫୋର୍ଡ଼ ଏଥରକ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଗୋଟାଏ ଯୁଦ୍ଧ ଲାଗିଗଲେ ସେଥିରେ ପୃଥିବୀର ବୃହତ୍‌ ଶକ୍ତିମାନେ ମଧ୍ୟ ଜଡ଼ିତ ହୋଇପଡ଼ିବେ ବୋଲି ସତର୍କବାଣୀ ମଧ୍ୟ ଶୁଣାଇ ସାରିଥିଲେ । କିଏ ପୁଣି କହୁଥିଲା ଯେ ଏଥର ଯୁଦ୍ଧରେ ଇସ୍ରାଏଲ ଆରବ ଦେଶଗୁଡ଼ିକର ବିରୁଦ୍ଧରେ ସମ୍ଭବତଃ ଆଣବିକ ଅସ୍ତ୍ରର ମଧ୍ୟ ପ୍ରୟୋଗ କରିବ ।

 

ବିଶ୍ୱ ରାଜନୀତିରେ ଆଗ୍ରହ ରଖୁଥିବା ସମସ୍ତ ପୃଥିବୀ ଯେତେବେଳେ ଏହିପରି ଏକ ଅନିଶ୍ଚିନ୍ତ ଉଦ୍‌ବେଗ ମଧ୍ୟଦେଇ ଗତି କରୁଥିଲା, ସେତେବେଳେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରାବିନ୍‌ ସମ୍ଭବତଃ ଡାକରା ପାଇ ୱାଶିଂଟନ ଗଲେ । ସେଠି ଆମେରିକାର ରାଷ୍ଟ୍ରପତି ଓ ଆମେରିକାର ସାମରିକ ସାହାଯ୍ୟ ବିଭାଗ ସହିତ ତାଙ୍କର ଏକାଧିକ ମୁଥ କଥାବାର୍ତ୍ତା ହେଲା । ଖବରକାଗଜରେ ବାହାରିଲା ଯେ ଆମେରିକା ସରକାର ଇସ୍ରାଏଲ୍‍ର ସୈନ୍ୟବାହିନୀକୁ ଏକ ମୋଟା ସାମରିକ ସାହାଯ୍ୟ ଦେବାକୁ ରାଜି ହୋଇଛନ୍ତି ଓ ସେହି ଆମେରିକା ସରକାର ଓ ସରକାରୀ ଯୋଗସୂତ୍ରକାରୀମାନଙ୍କର ମଧ୍ୟସ୍ଥତାରେ ଇସ୍ରାଏଲର ମିଶର ସହିତ ଗୋଟାଏ ଅସ୍ଥାୟୀ ଏକତରଫା ରାଜିନାମା କରାଇନେବା ବିଷୟରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି । ଏବଂ ତା’ପରେ ମଧ୍ୟ ପ୍ରକାଶ ପାଇଲା ଯେ ସେଇଠି ସେଇ ଆମେରିକାରେ ମିଶର ଓ ଇସ୍ରାଏଲ ମଧ୍ୟରେ ସାଇନାଇ ମାଳଭୂମି ବିଷୟରେ ଏକ ବୁଝାମଣା ପ୍ରାୟ ପକ୍କା ହୋଇଯାଇଛି ଓ ଉଭୟ ପକ୍ଷ ସେହି ବୁଝାମଣାରେ ସମ୍ମତ ମଧ୍ୟ ହୋଇଯାଇଛନ୍ତି ।

 

ଇସ୍ରାଏଲ ତ ପ୍ରଥମେ କୌଣସି ରାଜିନାମାରେ ସମ୍ମତ ହେଉନଥିଲା । ଶ୍ରୀ କିସିଞ୍ଜରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଓ ମିଶର ସରକାରଙ୍କର ସମ୍ମତି ଥିବା ଏକ ଅସ୍ଥାୟୀ ରାଜିନାମାର ପ୍ରସ୍ତାବକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଦେଲା ବୋଲି ଆଗରୁ ଘୋଷିତ ହୋଇସାରିଥିଲା । ତା’ପରେ ୱାଶିଂଟନ ଯାଇ ପ୍ରଧାନମନ୍ତ୍ରୀ ରାବିନ୍‌ ପୁଣି ସବୁ କଥା ବୁଝିଗଲେ କିପରି ଓ ପ୍ରାୟ ସେହି ପ୍ରସ୍ତାବଟିରେ ରାଜି ବି ହୋଇଗଲେ କିପରି ? ୱାଶିଂଟନ ଯାଇ ରାବିନ୍‌ ପ୍ରସ୍ତାବଟିକୁ ଗ୍ରହଣ କରିପାରିବା ଲାଗି ତାଙ୍କର ସର୍ତ୍ତଟିକୁ ବାଢ଼ି ବସିଲେ । ଅର୍ଥାତ୍‌ ଇସ୍ରାଏଲ ତରଫରୁ ଆମେରିକା ସରକାରଙ୍କଠାରୁ ଅଧିକ ସାମରିକ ସାହାଯ୍ୟ ଦାବୀ କରିବସିଲେ । ଆମକୁ ତୁମେ ଅଧିକା ସାହାଯ୍ୟ ଦିଅ, ତେବେଯାଇ ଆମେ ମିଶର ସହିତ ତମ ଦ୍ୱାରା ପ୍ରସ୍ତୁତ ରାଜିନାମାରେ ରାଜି ହୋଇପାରିବୁ, ପରୋକ୍ଷତଃ ବ୍ୟାପାରଟା ପ୍ରାୟ ଏପରି ଏକ ଆକାର ଧାରଣ କରିଥିଲା । ସର୍ତ୍ତର ପୂରଣ ହେଲା ଓ ଇସ୍ରାଏଲ ରାଜିହେଲା । ଆନ୍ତର୍ଜାତିକ କ୍ଷେତ୍ରର ଉଦ୍‌ବେଗଟି ମଧ୍ୟ ଦୂର ହୋଇଗଲା ।

 

ମଝିରେ ଜଣେ ମଧ୍ୟସ୍ଥ ହୋଇ ବସିବେ, ସେଇ ଧମକ ଦେବେ, ସତର୍କବାଣୀ ଶୁଣାଉଥିବେ, ପୁଣି ସେଇ ବର୍ଦ୍ଧିତ ପରିମାଣରେ ସାମରିକ ସାହାଯ୍ୟ ମଧ୍ୟ ଦେବାରେ ଲାଗିଥିବେ । ତାଙ୍କର ମଧ୍ୟସ୍ଥତାରେ ଅର୍ଥାତ୍‌ ତାଙ୍କର ଧମକ ଏବଂ ପ୍ରଲୋଭନ ବଳରେ ଯେଉଁ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହେବ, ତାହା ପ୍ରକୃତରେ କେତେଦୂର ବିଶ୍ୱସନୀୟ ହୋଇ ରହିପାରିବ, ସେକଥା ବିଷୟରେ ଅନେକ କିଛି ବିଚାର କରାଯାଇପାରିବ । ମଧ୍ୟ ପ୍ରାଚ୍ୟରେ ଯେଉଁମାନେ ଶାନ୍ତି ଇଚ୍ଛା କରୁଛନ୍ତି, ମଧ୍ୟ ପ୍ରାଚ୍ୟରେ ଦୁଇ ବିବାଦମାନ ପକ୍ଷ ହାତରେ ବୋଝକୁ ବୋଝ ଅସ୍ତ୍ର ଅଜାଡ଼ିଦେଇ ସେମାନେ ଯେ ମଝିରେ ମଝିରେ ପୃଥିବୀରେ ଆମ ସମସ୍ତଙ୍କୁ ସେଠି ଶାନ୍ତିସ୍ଥାପନା କରାଇଦେବାର ଏକ ମିଛ ପ୍ରବୋଧନା ଆଣିଦେବାର ଚେଷ୍ଟା କରୁଛନ୍ତି, ଏହାକୁ ବିଶ୍ୱ-ରାଜନୀତିର ଗୋଟିଏ ନିର୍ମମ ବିଡ଼ମ୍ୱନା ବୋଲି ହିଁ କୁହାଯିବ । ମଧ୍ୟସ୍ଥ ଦ୍ୱାରା ଏକ ଭ୍ରାନ୍ତ ଶାନ୍ତିର ବିଡ଼ମ୍ୱନା ସୃଷ୍ଟି କରିବାର ଏହି ରୀତିଟି ଦୂର ହୋଇ ପୃଥିବୀରେ ମଧ୍ୟପଦଲୋପୀ ମୁହାଁମୁହିଁ ପ୍ରଚେଷ୍ଟା ଦ୍ୱାରା ହିଁ କେବେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିବ, ପୃଥିବୀରେ ଅନେକ ଅକୂଟନୈତିକ ମଣିଷ ସେହି ସମୟଟି ଲାଗି ଅପେକ୍ଷା କରିରହିଛନ୍ତି ।

 

ଇସ୍ରାଏଲ ଓ ମିଶର ଭିତରେ ଯେଉଁ ଚୁକ୍ତି ହେବ, ତାହା ସେହି ଦୁଇ ପକ୍ଷର ସକ୍ରିୟ ସହମତି ଦ୍ୱାରାହିଁ ହେବ । କୌଣସି ମଧ୍ୟସ୍ଥ ଲୋଭ ଦେଖାଇ କିମ୍ୱା ଧମକ ଦେଇ ସେକଥା କଦାପି ସମ୍ଭବ କରିପାରିବ ନାହିଁ । ପୁଣି ମଧ୍ୟପ୍ରାଚ୍ୟର ସମସ୍ୟା କେବଳ ଇସ୍ରାଏଲ ଓ ମିଶର ମଧ୍ୟରେ ଥିବା ଏକ ଦ୍ୱିରାଷ୍ଟ୍ରୀୟ ସମସ୍ୟା ନୁହେଁ । ଏହା ହେଉଛି ଗୋଟିଏ ପାଖରେ ଇସ୍ରାଏଲ ଓ ଅନ୍ୟପାଖରେ ପାଲେଷ୍ଟାଇନ ମୁକ୍ତି ସାମ୍ମୁଖ୍ୟ ସମେତ ସମଗ୍ର ଆରବ ରାଷ୍ଟ୍ରଗୁଡ଼ିକର ସମସ୍ୟା । ସେମାନଙ୍କ ମଧ୍ୟରୁ କେବଳ ଦୁଇଟି ରାଷ୍ଟ୍ରକୁ ଓ୍ୟାଶିଂଟନ ଡାକିନେଇ କିଛି କରିଦେବାକୁ ବସିଲେ ତାହା ସମସ୍ୟାଟିକୁ କେବଳ ଆହୁରି ଜଟିଳ କରିପକାଇବ ।

 

ତା ୨୫.୦୮.୧୯୭୫ ରିଖ

Image

 

ପ୍ରତିବେଶୀ ଶତ୍ରୁତା

 

ଆଫ୍ରିକା ମହାଦେଶର ଉତ୍ତର ମୁଣ୍ଡକୁ ଭୂମଧ୍ୟସାଗରର ଦକ୍ଷିଣ ପଟକୁ ଲାଗି ଲାଗି ଦୁଇଟି ଦେଶ,–ଲିବିୟା ଏବଂ ମିଶର । ଦୁହେଁ ଦୁହିଁଙ୍କର ପ୍ରତିବେଶୀ । ମରୁଭୂମି ଭିତରେ କୌଣସି ପ୍ରାକୃତିକ ସୀମାରେଖା ନିର୍ଣ୍ଣୟ କରିହେବ ନାହିଁ ବୋଲି ମାନଚିତ୍ର ଉପରେ ସିଧା ଗାରଟିଏ ପକା ହୋଇ କୋଉକାଳୁ ଦୁଇ ଦେଶ ଭିତରେ ସୀମା ବିଷୟରେ ଏକ ପାରସ୍ପରିକ ବୁଝାମଣା ମଧ୍ୟ ହୋଇଯାଇଛି । ତେଣୁ ରାଷ୍ଟ୍ରୀୟ ଭୂଗୋଳରେ ଗୋଟାଏ ସୀମା ରହିଥିଲେ ମଧ୍ୟ ଲୋକଜୀବନର ଭୂଗୋଳରେ ସେହି ଅଞ୍ଚଳରେ ବାସ କରୁଥିବା ଫିର୍‌କାମାନେ ସତେଅବା କୌଣସି ସୀମାର ପାଳନ କରିପାରିନାହାନ୍ତି ।

ମିଶରରେ ରାଷ୍ଟ୍ରପତି ଅନ୍‌ୱାର ସାଦତ୍‌ ଏବଂ ଲିବିୟାର ରାଷ୍ଟ୍ରପତି କର୍ନେଲ ଗାଡ଼ାଫି । କର୍ନେଲ ଗାଡ଼ାଫି ଯେଉଁଦିନଠାରୁ ଲିବିୟାର ରାଜାଙ୍କୁ ଆସନଚ୍ୟୁତ କରିଦେଶରେ ସର୍ବୋଚ୍ଚ ଶାସକ ହୋଇ ବସିଲେଣି, ସେହିଦିନଠାରୁ ସେ ସେହି ଅଞ୍ଚଳରେ ମିଶରର ପୂର୍ବତନ ଦେଶନାୟକ ନାସେରଙ୍କର ଶୂନ୍ୟସ୍ଥାନ ପୂରଣ କରିବେ ବୋଲି ଏକ ସ୍ୱପ୍ନ ଦେଖି ଆସୁଛନ୍ତି ଏବଂ ଆପଣାର ସେହି ଉଚ୍ଚାଭିପ୍ରାୟଟିକୁ ପୂରଣ କରିବା ଉଦ୍ଦେଶ୍ୟରେ ନାନାପ୍ରକାର କାର୍ଯ୍ୟପନ୍ଥା ଅବଲମ୍ବନ କରିବାରେ ଲାଗିଛନ୍ତି । ଏବଂ କହିବା ଅନାବଶ୍ୟକ ଯେ ସେହି ନାସେରଙ୍କର ଉତ୍ତରାଧିକାରୀ ମିଶରର ସାଦତ୍‌ ହିଁ ତାଙ୍କ ଇଚ୍ଛାପୂରଣ ପଥରେ ସର୍ବପ୍ରଧାନ ଅନ୍ତରାୟ ପରି ତାଙ୍କୁ ଦେଖାଯାଉଛନ୍ତି-

ଏକଦା କର୍ନେଲ ଗାଡ଼ାଫି ମିଶର ଓ ଲିବିୟା ଦୁଇଟି ଦେଶ ଗୋଟିଏ ହୋଇଯାଆନ୍ତୁ ବୋଲି ଏକ ପ୍ରସ୍ତାବ ଦେଇଥିଲେ । ଦୁଇ ଦେଶର ସାମରିକ ବାହିନୀ ଗୋଟିଏ ଅଧ୍ୟକ୍ଷତାର ଅଧୀନରେ ରୁହନ୍ତୁ ବୋଲି ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏହି ବିଷୟରେ ସାଦତଙ୍କ ସହିତ ତାଙ୍କର ବେଶ୍‌ କେତେଥର କଥାବାର୍ତ୍ତା ମଧ୍ୟ ହୋଇଥିଲା । କିନ୍ତୁ ଦୁଇଟି ଦେଶ ଏକାଠି ହେଲେ କୋଉ ଦେଶର କର୍ତ୍ତା ସେଥିରେ କେତେ ଭାଗ କ୍ଷମତା ଓ ଅଧିକାର ପାଇବେ, ସେହି ବିଷୟରେ କଥା ନ ଛିଣ୍ଡି ପାରିବାରୁ କଥାବାର୍ତ୍ତା ମଧ୍ୟ ବିଫଳ ହେଲା । ତା’ପରେ ‘‘ଆମେ ମିଶର ସହିତ ମିଶିବାକୁ ଚାହୁ’’ ବୋଲି ଉତ୍ସାହ-ଚିତ୍କାର କରିଗାଡ଼ାଫି କେତେ ହଜାର ଲୋକଙ୍କୁ ମିଶରର ସୀମା ଭିତରକୁ ପ୍ରବେଶ କରିବା ଲାଗି ପଠାଇଲେ । ମିଶରର ସୀମାରକ୍ଷୀ ପୋଲିସ ସେମାନଙ୍କୁ ବାଧା ଦେଲେ । ତେଣୁ ମିଶ୍ରଣର ଉତ୍ସାହ ସେ ବାଟରେ ସେହିଯାଏ ଯାଇ ଅଟକିଗଲା ।

ଏବେ ଗାଡ଼ାଫି ଅନ୍ୟ ଏକ ପନ୍ଥାର ଆଶ୍ରୟ ନେଉଛନ୍ତି ବୋଲି ଖୁବ୍‌ ଆଶଙ୍କା ହେଉଛି । ମିଶରର ଖବରକାଗଜଗୁଡ଼ିକ ଏପରି ଏକ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଗାଡ଼ାଫି ଏଥର ମିଶର ଦେଶକୁ ଆକ୍ରମଣ କରିବାକୁ ମସୁଧା କରୁଛନ୍ତି । ମିଶରର ପଶ୍ଚିମାଞ୍ଚଳକୁ ପ୍ରଥମେ ଦଖଲ କରିନେବାକୁ ସିଏ ତାଙ୍କର ପ୍ରାରମ୍ଭିକ ଯୋଜନାରୂପେ ବାଛିଛନ୍ତି । ସେଥିଲାଗି ଏକ ଗୁପ୍ତଚରବାହିନୀ ହୋଇ ମିଶରରେ ପ୍ରବେଶ କରିବାକୁ ଲୋକମାନେ ବିଶେଷ ତାଲିମ ପାଉଛନ୍ତି । ମିଶରରେ ମଧ୍ୟ ଏହିସବୁ ଗୋଇନ୍ଦା ପ୍ରୟାସର କେନ୍ଦ୍ରମାନ ରହିଛି । ଏବେ ସେହିପରି ଏକ କେନ୍ଦ୍ର ମିଶର ପୋଲିସର ଆଖିକୁ ଆସିଛି ।

ଧରାପଡ଼ିଥିବା ଗୁପ୍ତଚରମାନେ ସ୍ୱୀକାର କରିଛନ୍ତି ଯେ ସେମାନେ ମିଶରରେ ଗୁପ୍ତଚରଗିରି କରିବା ଲାଗି ଏବଂ ଗୁପ୍ତହତ୍ୟାମାନ ଭିଆଇବା ଲାଗି ଲିବିୟା ତରଫରୁ ତାଲିମ ପାଇଛନ୍ତି, ପଇସା ବି ପାଇଛନ୍ତି । ମିଶରର ପ୍ରଧାନ ପ୍ରଧାନ ପଦରେ ରହିଥିବା ବ୍ୟକ୍ତିମାନଙ୍କୁ ହତ୍ୟା କରିବାକୁ ଏବଂ ମିଶରର ସାମରିକ ଛାଉଣୀଗୁଡ଼ିକରେ ଧ୍ୱଂସାଦି ଘଟାଇବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା । ସେହି ଷଡ଼ଯନ୍ତ୍ରକାରୀମାନଙ୍କଠାରୁ ଏକଥା ମଧ୍ୟ ଶୁଣିବାକୁ ମିଳିଛି ଯେ କର୍ନେଲ ଗାଡ଼ାଫି ଏହିସବୁ କାର୍ଯ୍ୟର ସମ୍ପାଦନ ଲାଗି ବର୍ଷକୁ ରାଜକୀୟ ପାଣ୍ଠିରୁ ତିନିକୋଟି ପାଉଣ୍ଡ ଅଲଗା କରିରଖିଛନ୍ତି । ଏଠାରେ ଉଲ୍ଲେଖକରି ରଖିବା ଉଚିତ ଯେ ଇସ୍ରାଏଲ ସହିତ ଯୁଦ୍ଧରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବାର ନିଅଣ୍ଟଗୁଡ଼ିକୁ ପୂରଣ କରିବା ଲାଗି ଲିବିୟା ତରଫରୁ ମିଶରକୁ ଠିକ୍‌ ସେହି ତିନିକୋଟି ପାଉଣ୍ଡ ସାହାଯ୍ୟ ମିଳିଥିଲା ।

ଲିବିୟା ଦେଶ ଏକ ମରୁଭୂମିର ଦେଶ, ଏକ ଧନୀ ଦେଶ । ମାଟିତଳେ ରହିଥିବା ତୈଳଭଣ୍ଡାର ହେଉଛି ଲିବିୟାର ଧନଭଣ୍ଡାର । ଦେଶର ଲୋକସଂଖ୍ୟା ମୋଟେ ପନ୍ଦର ଲକ୍ଷ । ସେମାନେ ସେହି ଦେଶର ତ୍ରିପଲି ଓ ବେଂଘାଜି ପ୍ରଭୃତି କେତୋଟି ସହରରେ ବାସ କରନ୍ତି; ନଗଦ ପଇସାରେ ଜୀବନ ବଞ୍ଚନ୍ତି । ମରୁଭୂମିରେ ଚାଷ ହୁଏନାହିଁ, ଆଉ କୌଣସି ଶିଳ୍ପ ଲାଗି ମଧ୍ୟ ସେଠାରେ କୌଣସି ପ୍ରକାର ବ୍ୟବସ୍ଥା ନାହିଁ । ତେଣୁ ପେଟ୍ରୋଲିୟମ ବିକା ହୋଇ ଯେଉଁ ନଗତ ପଇସା ଲୋକଙ୍କ ହାତକୁ ଆସେ, ସେଇଥିରୁ ଯାବତୀୟ ବ୍ୟବହାର୍ଯ୍ୟ ପଦାର୍ଥ କିଣାହୁଏ ଏବଂ ସେହି ନଗଦ ପଇସାର ବିନିଯୋଗ କରିନେତୃତ୍ୱର କ୍ଷେତ୍ରରେ ସେହି ଅଞ୍ଚଳରେ ଗମେଲା ନାସେରଙ୍କର ସମତୁଲ୍ୟ ହେବା ଲାଗି କର୍ନେଲ ଗାଡ଼ାଫି ହୁଏତ ମସୁଧା କରିବସିଛନ୍ତି ।

ଇସ୍ରାଏଲର ସମ୍ମୁଖୀନ ହେବାଲାଗି ଦୃଢ଼ ଏକତା ଲାଗି ଡାକରା ଦିଆଯାଉଥିବା ବେଳେ ଆରବ ଜଗତ ଭିତରେ ଏହି ପ୍ରତିବେଶୀ ଶତ୍ରୁତା ସେମାନଙ୍କର ସଂକଳ୍ପକୁ ନିଶ୍ଚୟ ଦୁର୍ବଳ କରିପକାଇବ ।

ତା ୨୮.୦୮.୧୯୭୫ ରିଖ

Image

 

ଇସ୍ରାଏଲର ଆରବବାସୀ

 

ଇସ୍ରାଏଲର ପ୍ରଖ୍ୟାତ ପୂର୍ବତନ ଦେଶରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ମୋଶେ ଦାୟାନ ଏବେ ଆପଣାର ଗୋଟିଏ ବିବୃତ୍ତିରେ ସେହି ଦେଶର ଅନେକ ଉଚ୍ଚ ମହଲକୁ ପ୍ରାୟ ବିଚଳିତ କରିଦେଇଛନ୍ତି । ଇସ୍ରାଏଲର ସୈନ୍ୟ ବାହିନୀରେ ଏଣିକି ଇସ୍ରାଏଲରେ ବାସକରୁଥିବା ଆରବ ନାଗରିକମାନଙ୍କୁ ମଧ୍ୟ ଯୋଗ ଦେବାର ସୁଯୋଗ ଦିଆଯାଉ ବୋଲି ସିଏ କହିଛନ୍ତି । ନିଜେ ଦେଶରକ୍ଷା ମନ୍ତ୍ରୀ ଥିଲାବେଳେ ମଧ୍ୟ ସେ ଆପଣାର ଏହି ଇଚ୍ଛାଟିକୁ କେତେଥର ପ୍ରକାଶ କରିଥିଲେ, ମାତ୍ର ସଂପୃକ୍ତ ସମସ୍ତଙ୍କ ଭିତରେ ଏହି ବିଷୟରେ ଆପଣାକୁ ପ୍ରାୟ ଏକୁଟିଆ ଦେଖି ସେଦିଗରେ ଆଉ ଅଗ୍ରସର ହୋଇ ନ ଥିଲେ ।

 

ଇସ୍ରାଏଲ ଦେଶରେ ବର୍ତ୍ତମାନ ପ୍ରାୟ ସାଢ଼େ ଚାରିଲକ୍ଷ ଆରବ ବାସକରୁଛନ୍ତି । ମୋଟ ଲୋକସଂଖ୍ୟାର ଏମାନେ ହେଉଛନ୍ତି ଶତକଡ଼ା ୧୩ ଭାଗ । ଇସ୍ରାଏଲ ଦେଶର ଗଠନ ସମୟରେ ୧୯୪୮ ମସିହାରେ ସେତେବେଳେ ସେହି ଭୂମି ବା ତତ୍କାଳୀନ ପାଲେଷ୍ଟାଇନରେ ବାସ କରୁଥିବା ଆରବମାନେ ଆରବ ଦେଶଗୁଡ଼ିକର ଶାସକମାନଙ୍କଠାରୁ ପ୍ରରୋଚନା ଓ ଉତ୍ତେଜନା ପାଇ ଇସ୍ରାଏଲ ଦେଶ ଗଠିତ ହେବା ବିରୁଦ୍ଧରେ ବିଦ୍ରୋହ ଓ ଅସ୍ତ୍ର ଉତ୍ତୋଳନ କରିଥିଲେ । ଇହୁଦୀ ଓ ଆରବଙ୍କ ଭିତରେ ଯୁଦ୍ଧ ହେଲା । ନୂଆ ଉତ୍ସାହରେ ପ୍ରାୟ ଉତ୍ତପ୍ତ ହୋଇ ରହିଥିବା ଇସ୍ରାଏଲ ବାହିନୀ ଆରବମାନଙ୍କର ଅନେକ ବସତିକୁ ଭାଙ୍ଗି ଛାରଖାର କରିଦେଇଥିଲା । ସହସ୍ର ସହସ୍ର ଆରବ ରାଜ୍ୟ ଛାଡ଼ି ପଳାଇଗଲେ । ତଥାପି ଯେଉଁମାନେ ରହିଗଲେ, ଅର୍ଥାତ୍‌ ନ ଯାଇପାରିଲେ, ସେମାନେ ଇସ୍ରାଏଲ ଦେଶର ନାଗରିକ ହେଲେ । ଇହୁଦୀମାନଙ୍କ ସହିତ ଏକାଠି ହୋଇ ନୁହେଁ, ମାତ୍ର ସ୍ୱତନ୍ତ୍ର ଆରବ ଇଲାକାମାନଙ୍କରେ ରହିଲେ, ଇହୁଦୀ ନାଗରିକମାନଙ୍କଠାରୁ ଅଲଗା ହୋଇ ଆରବ ନାଗରିକ ଭାବରେ ଏକ ବିଶେଷ ଓ ସ୍ୱତନ୍ତ୍ର ପାହିଆର ନାଗରିକ ହୋଇ ରହିଲେ । ଇସ୍ରାଏଲ ସରକାରଙ୍କର ତଥାପି ସନ୍ଦେହଭାଜନ ହୋଇ ରହିଲେ ।

 

ସେହିଦିନଠାରୁ ଇସ୍ରାଏଲ ଓ ଚାରିପାଖରେ ତାକୁ ବେଢ଼ି ରହିଥିବା ଆରବରାଷ୍ଟ୍ରଗୁଡ଼ିକ ମଧ୍ୟରେ ଯେଉଁ ବିବାଦ ଲାଗିଛି, ତାହା ଏବେ ସୁଦ୍ଧା ତୁଟି ପାରିନାହିଁ । ଇସ୍ରାଏଲ ଛାଡ଼ି ସେତେବେଳେ ଚାଲିଯାଇଥିବା ଆରବମାନେ ସେହିଦିନଠାରୁ ଶରଣାର୍ଥୀ ହୋଇ ଏଠି ସେଠି ରହିଛନ୍ତି ଓ ପୁଣି ନିଜର ବାସଭୂମି ଇସ୍ରାଏଲକୁ ଫେରି ଆସିବାଲାଗି ଗରିଲା ମୁକ୍ତିବାହିନୀ ଗଢ଼ିଛନ୍ତି-। ଏହି ସ୍ଥିତିରେ ଇସ୍ରାଏଲରେ ତଥାପି ବାସ କରୁଥିବା ଆରବମାନେ ଯେ ଶରଣାର୍ଥୀ ଆରବ ଓ ଚାରିପାଖରେ ଆରବରାଷ୍ଟ୍ରଗୁଡ଼ିକ ସହିତ ଅଧିକ ସହାନୁଭୂତି ନିଶ୍ଚୟ ରଖିଛନ୍ତି ଓ ଇସ୍ରାଏଲ ସରକାର ଯେ ନିଜ ଦେଶରେ ଥିବା ସେମାନଙ୍କୁ ଶତ୍ରୁ-ଅନୁରକ୍ତ ବୋଲି ଭାବି ସନ୍ଦେହ କରୁଛନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଇସ୍ରାଏଲ ସରକାର ସେମାନଙ୍କୁ ସର୍ବଦା ନାନା କଟକଣା ଭିତରେ ରଖିଛନ୍ତି । ସେମାନେ ସୀମା-ଅଞ୍ଚଳକୁ ଯାଇପାରିବେ ନାହିଁ, ଦେଶ ଭିତରେ ଅନ୍ୟତ୍ର ଗଲେ ସରକାରଙ୍କର ଅନୁମତି ନେବେ ପ୍ରଭୃତି ନାନା କଟକଣା ସେମାନଙ୍କ ପାଇଁ ରହିଛି । ଇସ୍ରାଏଲର ପ୍ରତ୍ୟେକ ଇହୁଦୀ ଯୁବକ ଓ ଯୁବତୀକୁ ତିନିବର୍ଷ ଲାଗି ବାଧ୍ୟତାମୂଳକ ସାମରିକ ଶିକ୍ଷା ଦିଆଯାଉଥିଲେ ମଧ୍ୟ ଇସ୍ରାଏଲର ଆରବମାନେ ସେଥିଲାଗି ବିଶ୍ୱାସଭାଜନ ହୋଇପାରି ନାହାନ୍ତି ।

 

ଏହିସବୁ ପୃଷ୍ଠଭୂମିରେ ବିଚାର କଲେ ଶ୍ରୀ ମୋଶେ ଦାୟାନାଙ୍କର ବିବୃତ୍ତିଟି ଯେ ଇସ୍ରାଏଲ ସରକାର ଓ ଇସ୍ରାଏଲକୁ କେବଳ ଏକ ଇହୁଦୀ ଦେଶ ବୋଲି ଭାବୁଥିବା ଅନେକ ଇହୁଦୀଙ୍କୁ ବିଚଳିତ କରିପକାଇବ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଶତ୍ରୁ ଅନୁରକ୍ତମାନଙ୍କୁ ଆମେ କିପରି ଜାଣିଶୁଣି ସୈନ୍ୟବାହିନୀରେ ରଖିବା, ସେମାନଙ୍କ ହାତରେ ଅସ୍ତ୍ର ଦେବା–ଏହା ହିଁ ସେଠାରେ ଅସଲ ସମସ୍ୟା । କିନ୍ତୁ ଇସ୍ରାଏଲ ଏକ ଦେଶରୂପେ ଜନ୍ମଗ୍ରହଣ କରିବାର ପ୍ରାୟ ତିରିଶିବର୍ଷ ପରେ ମଧ୍ୟ ତାହାର ଶତକଡ଼ା ମୋଟେ ୧୩ ଜଣ ଆରବ କାହିଁକି ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ସନ୍ଦେହଭାଜନ ହୋଇ ରହିଛନ୍ତି, ଏଠାରେ ସେହି ପ୍ରଶ୍ନଟିର ବି ଉତ୍ତର ଖୋଜିବାକୁ ପଡ଼ିବ ।
 

ଇସ୍ରାଏଲ ସରକାରଙ୍କର ଆରବ ନୀତି ଗତ କେତେବର୍ଷ ହେଲା ଯେପରି ଭାବରେ ପରିଚାଳିତ ହୋଇଆସିଛି ଓ ଇସ୍ରାଏଲର ଇହୁଦୀମାନେ ଇସ୍ରାଏଲକୁ ଯେପରି ମୂଳତଃ ଏକ ଇହୁଦୀଦେଶ ବୋଲି ଦେଖି ଆସିଛନ୍ତି, ସନ୍ଦେହର ଅସଲ ମଞ୍ଜିଟି ସେହିଠାରେ ଯାଇ ରହିଛି । ଇସ୍ରାଏଲ ସରକାର ଇସ୍ରାଏଲରେ ବାସ କରୁଥିବା ଆରବମାନଙ୍କୁ ହୁଏତ ନାଗରିକ ଭାବେ ଦେଖିବା ପୂର୍ବରୁ ଆଗ ଆରବ ଭାବରେ ହିଁ ଦେଖିଛି । ସେମାନଙ୍କୁ ପ୍ରାୟ ଶତ୍ରୁପକ୍ଷର ବୋଲି ଅନୁଭବ କରିଛି ଓ ସେମାନଙ୍କ ଲାଗି ତଦନୁସାରେ ଆପଣାର ନୀତିଗୁଡ଼ିକର ନିର୍ଦ୍ଧାରଣ କରିଛି । ଆରବମାନେ ପ୍ରାୟ ସକଳ ଦୃଷ୍ଟିରୁ ସେଠି ବିଦେଶୀ ହୋଇ ରହିଯାଇଛନ୍ତି । ସେମାନଙ୍କୁ ମଧ୍ୟ ଇହୁଦୀମାନଙ୍କ ସହିତ ଗୋଟିଏ ନାଗରିକତାର ମଣ୍ଡଳ ଭିତିରେ ଗ୍ରହଣ କରିବାକୁ ଇସ୍ରାଏଲ୍‍ର ମାର୍ଟିନ ବୁବର୍‌ଙ୍କ ପରି ବ୍ୟକ୍ତିମାନେ ନିବେଦନ କରିଥିଲେ ମଧ୍ୟ ଜାତୀୟତାର ଉତ୍ତେଜନାଗୁଡ଼ାକ ସେଠାରେ ତାହା ସମ୍ଭବ କରିବାକୁ ଦେଇନାହିଁ । ଫଳରେ ସଂଖ୍ୟାଲଘୁ ଆରବ ସଂପ୍ରଦାୟ ଇସ୍ରାଏଲ ଭିତରେ ଆପଣାକୁ ସତେଅବା ଆଲୋଡ଼ା ବୋଲି ଅନୁଭବ କରିଆସିଛି ଏବଂ ତେଣୁ ଅତ୍ୟନ୍ତ ସ୍ୱାଭାବିକ ଭାବରେ ତା’ର ଅନୁରକ୍ତି ଓ ଭାବନାଗୁଡ଼ିକ ଦେଶ ବାହାରେ ଆଉ କେଉଁଠି ଏକ ନୀଡ଼ ବା ଆଶ୍ରୟ ଖୋଜି ବୁଲୁଛି ।

 

ମୋଶେ ଦାୟାନଙ୍କର ବିବୃତ୍ତି ନିଶ୍ଚୟ ସ୍ୱାଗତଯୋଗ୍ୟ, ଏକାକୀ ହେଲେ ମଧ୍ୟ ଏକ ନୂତନ ବିଶ୍ୱାସର ସଞ୍ଚାରକ ହିସାବରେ ଅତ୍ୟନ୍ତ ସ୍ୱାଗତଯୋଗ୍ୟ; ମାତ୍ର ୧୫/୨୦ ବର୍ଷ ପୂର୍ବରୁ କେହି ଏପରି ବିବୃତିଟିଏ ଦେଇଥିଲେ ସେହି ଦେଶରେ ତାହାକୁ ହୁଏତ ବିଚାରଶୀଳ ଅନେକ ମତ ସ୍ୱାଗତ କରିଥାନ୍ତା । ସେତେବେଳେ ମାର୍ଟିନ ବୁବର୍‌ ବଞ୍ଚିଥିଲେ, ତାଙ୍କ ବିଚାରଲାଗି ଇସ୍ରାଏଲର ଅରାଜନୀତିକ ମହଲରେ ଅନେକ ସମ୍ମାନ ମଧ୍ୟ ରହିଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଇସ୍ରାଏଲର ଇହୁଦୀ ଓ ଇସ୍ରାଏଲର ଆରବଙ୍କୁ ଗୋଟିଏ ନାଗରିକତାର ବେଢ଼ ଭିତରକୁ ଆଣିବାକୁ ହେଲେ ଅନେକ ପ୍ରତିକୂଳ ସୁଅ ପହଁରିବାକୁ ପଡ଼ିବ ।

 

ତା ୩୧.୦୮.୧୯୭୫ ରିଖ

Image

 

ଆଦିବାସୀଙ୍କ ଶିକ୍ଷା

 

ଆମ ଦେଶରେ ଯେଉଁମାନେ ଆଦିକାଳରୁ ବାସ କରିଆସୁଛନ୍ତି, ସେମାନଙ୍କୁ ଆମେ ଆଦିବାସୀ ବୋଲି କହୁଛୁ । ଏମାନଙ୍କ ବ୍ୟତୀତ ଆମେ ଆଉ ସମସ୍ତଙ୍କ ପୂର୍ବପୁରୁଷମାନେ ଭାରତବର୍ଷ ବାହାରୁ ଏହି ଦେଶକୁ ଆସିଛୁ । ପଛରେ ଆସିଥିବା ଆମେ ଅନ୍ୟମାନେ ଆଦିବାସୀମାନଙ୍କୁ ଆଡ଼େଇ ଦେଇ ଏହି ଦେଶର ଉପକୂଳ ଏବଂ ଅବବାହିକାଗୁଡ଼ିକରେ ବସତି ସ୍ଥାପନ କରିଆସିଛୁ । ବହୁକାଳ ଧରି ଆଦିବାସୀମାନେ କ୍ରମେ ଜଙ୍ଗଲ ଭିତରେ ଆଶ୍ରୟ ନେଇଛନ୍ତି ।

 

ଭାରତବର୍ଷ ସ୍ୱାଧୀନ ହେଲା ପରେ ହିଁ ପ୍ରକୃତରେ ଭାରତୀୟ ଆଦିବାସୀମାନଙ୍କ ଲାଗି ମଧ୍ୟ ନ୍ୟାୟତଃ ରାତି ପାହିଛି । ମାତ୍ର ନାନା କାରଣରୁ ସେମାନେ କେତେକ କ୍ଷେତ୍ରରେ ଆମରି ସହିତ ରହିମଧ୍ୟ ଆମ ସହିତ ନାହାନ୍ତି । ସେମାନଙ୍କ ଗାଁକୁ ରାସ୍ତା ନଥିଲା, ସେମାନଙ୍କ ଗାଁରେ କୂଅ ନ ଥିଲା । ସେମାନଙ୍କର ପିଲାଏ ଆମ ଦେଶର ଔପଚାରିକ ଶିକ୍ଷାବ୍ୟବସ୍ଥାଠାରୁ ଆଜି ମଧ୍ୟ ଅନେକ ଦୂରରେ ରହିଛନ୍ତି । ଯେଉଁ ଆଦିବାସୀ ଗାଁରେ ଇସ୍କୁଲ ନାହିଁ, ସେଠି ଇସ୍କୁଲ ହେଉଛି । ଇସ୍କୁଲ ଥିଲେ ମାଷ୍ଟର ନାହାନ୍ତି ଏବଂ, ଯେଉଁଠି ଇସ୍କୁଲ ଆଉ ମାଷ୍ଟର ଉଭୟ ଅଛନ୍ତି, ସେଠି ଅଧିକାଂଶ ଆଦିବାସୀ ପିଲା ସ୍କୁଲଘର ମାଡ଼ୁନାହାନ୍ତି ।

 

ସରକାରୀ ହିସାବ ଅନୁସାରେ ସମଗ୍ର ଦେଶରେ ମୋଟ ଯେତେ ପିଲା ବିଭିନ୍ନ ସ୍କୁଲରେ ନାମ ଲେଖାଇଥିଲେ, ୧୯୬୪/୬୫ ମସିହାରେ ସେଥିରୁ କେବଳ ଶତକଡ଼ା ୪.୨ ହିଁ ଆଦିବାସୀ ପିଲା ଥିଲେ ଏବଂ ୧୯୬୮-୬୯ରେ ଏହି ଅନୁପାତଟା ବଢ଼ିବା ପରିବର୍ତ୍ତେ ପ୍ରକୃତରେ ଶତକଡ଼ା ୩.୯କୁ କମିଯାଇଥିଲା । ସ୍କୁଲର ପାଠ ପଢ଼ିବା ବୟସର ସବୁ ପିଲାଙ୍କୁ ସ୍କୁଲରେ ଆଣି ବସାଇବା ଆମ ରାଷ୍ଟ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୀତି ହୋଇଥିବା ସମୟରେ ୬ ରୁ ୧୧ ବର୍ଷର ଆଦିବାସୀ ପିଲାଙ୍କ ମଧ୍ୟରୁ ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ସୁଦ୍ଧା ମୋଟେ ଶତକଡ଼ା ୫୬ ଜଣ ହିଁ ପ୍ରକୃତରେ ସ୍କୁଲକୁ ଆସିପାରିଛନ୍ତି ଓ ୧୧ ରୁ ୧୪ ବର୍ଷର ଆଦିବାସୀ ପିଲାଙ୍କ ମଧ୍ୟରୁ ଶତକଡ଼ା ମୋଟେ ୧୫ଜଣ ହିଁ ସ୍କୁଲକୁ ଆସିଛନ୍ତି ଏବଂ ଭାରତବର୍ଷର ସବୁ ପିଲାଙ୍କ ବିଷୟରେ ଯେଉଁ ହିସାବଟା ରହିଛି, ସେଇଟି ଅନୁସାରେ ୬ ରୁ ୧୧ ବର୍ଷର ଶତକଡ଼ା ୮୪ଜଣ ଓ ୧୧ରୁ ୧୪ ବର୍ଷର ଶତକଡ଼ା ୩୬ ଜଣ ସ୍କୁଲକୁ ଆସିଛନ୍ତି ଏବଂ ପ୍ରଥମ ଶ୍ରେଣୀରେ ଯେତିକି ଆଦିବାସୀ ପିଲା ନାମ ଲେଖାଇଛନ୍ତି, ସେମାନଙ୍କ ମଧ୍ୟରୁ ପାଞ୍ଚଭାଗରୁ ମୋଟେ ଏକ ଭାଗ ଅର୍ଥାତ୍‌ ଶତକଡ଼ା ୨୦ଜଣ ହିଁ ପଞ୍ଚମ ଶ୍ରେଣୀଟି ପାଶ୍‌ କରିବା ପର୍ଯ୍ୟନ୍ତ ସ୍କୁଲରେ ରହିପାରିଛନ୍ତି । ଅନ୍ୟମାନେ ଅଧାରୁ ଇସ୍କୁଲ ଛାଡ଼ି ବାହାରିଯାଇଛନ୍ତି ।

 

ଆଦିବାସୀ ପିଲାଙ୍କ ସକାଶେ ଦରମାଛାଡ଼ କରାଯାଇଛି, ମଧ୍ୟାହ୍ନ ଭୋଜନର ବରାଦ କରାଯାଇଛି, ସେମାନଙ୍କୁ ମାଗଣା ସ୍କୁଲପୋଷାକ, ମାଗଣା ବହିପତ୍ର ଓ ମାଗଣା ପଢ଼ିବା ସରଞ୍ଜାମମାନ ଯୋଗାଇ ଦିଆଯାଇଛି, ମାତ୍ର ଆଦିବାସୀ ପିଲାଙ୍କର ବିଶେଷ ପରିବେଶ ଏବଂ ବିଶେଷ ଆବଶ୍ୟକତାଗୁଡ଼ିକ ପ୍ରତି ଖାସ୍‌ ଦୃଷ୍ଟିରଖି ସେମାନଙ୍କର ଶିକ୍ଷାଲାଗି ପ୍ରାୟ କୌଣସି ଉପଯୁକ୍ତ ଯୋଜନା ଏପର୍ଯ୍ୟନ୍ତ ହୋଇପାରି ନାହିଁ । ସେଥିଲାଗି ଆମର ଶିକ୍ଷା-ବ୍ୟବସ୍ଥାଗୁଡ଼ିକ ଆଦିବାସୀମାନଙ୍କୁ ଓ ବିଶେଷ କରିଆଦିବାସୀ ପିଲାଙ୍କୁ ଖୁବ୍‌ ବେଶୀ ଆକର୍ଷଣକାରୀ ମନେ ହୋଇନାହିଁ ଓ ସେମାନଙ୍କର ବିଶେଷ ଉପକାରୀ ହେବାଲାଗି ଆମର ଯେତେ ଯେତେ ଯୋଜନା ହୋଇଛି, ସେମାନେ ତା’ଭିତରୁ ସତେଅବା ଦଉଡ଼ି ଛିଡ଼ାଇ ବାହାରକୁ ପଳାଇଛନ୍ତି ।

 

ଆଦିବାସୀ ପିଲାଙ୍କର ଶିକ୍ଷା ବର୍ତ୍ତମାନ ଯେଉଁ ସ୍ଥିତିରେ ରହିଛି, ସେଥିରୁ ୬ ରୁ ୧୧ ବର୍ଷ ବୟସର ଆଦିବାସୀ ପିଲାଙ୍କର ଶତକଡ଼ା ୪୪ଜଣଙ୍କୁ ଏବଂ ୧୧ ରୁ ୧୪ ବର୍ଷ ବୟସର ଆଦିବାସୀ ପିଲାଙ୍କର ଶତକଡ଼ା ୮୫ଜଣଙ୍କୁ ସ୍କୁଲରେ ଆଣି ବସାଇବାର ଜାତୀୟ କର୍ତ୍ତବ୍ୟଟି ଆଜି ମଧ୍ୟ ସମ୍ପନ୍ନ ହେବାକୁ ବାକି ରହିଛି । ଓଡ଼ିଶା ଭଳି ଗୋଟିଏ ଆଦିବାସୀ ବହୁଳ ରାଜ୍ୟରେ ୬ରୁ ୧୧ ବର୍ଷ ବୟସର ମୋଟ ଆଦିବାସୀ ପିଲାଙ୍କ ମଧ୍ୟରୁ ମୋଟେ ଶତକଡ଼ା ୩୬.୮ ଜଣ ସ୍କୁଲକୁ ଆସିପାରିଛନ୍ତି । ବାକିତକ ଅଣପୁଚ୍ଛା ହୋଇ ରହିଛନ୍ତି । ୧୧ ରୁ ୧୪ ବର୍ଷ ବୟସର ଆଦିବାସୀ ପିଲାଙ୍କ ମଧ୍ୟରୁ ଓଡ଼ିଶାରେ ଶତକଡ଼ା ମୋଟେ ୧୨.୬ଜଣ ହିଁ ସ୍କୁଲକୁ ଆସିବାର ସୁଯୋଗ ପାଉଛନ୍ତି-। ମଧ୍ୟପ୍ରଦେଶ ଭଳି ଗୋଟାଏ ଆଦିବାସୀପ୍ରଧାନ ରାଜ୍ୟରେ ଏହି ବୟସର ଶତକଡ଼ା ମୋଟେ ୭.୫ଜଣ ପିଲା ସ୍କୁଲକୁ ଆସିପାରୁଛନ୍ତି । ଏସବୁ ତ ପ୍ରାଥମିକ ଶିକ୍ଷାସ୍ତରର ଅବସ୍ଥା ଏବଂ ମାଧ୍ୟମିକ ଶିକ୍ଷାସ୍ତର ବିଷୟରେ ଏହି କ୍ଷେତ୍ରରେ କିଛି ନ କହିବା ହିଁ ଭଲ । ଯେଉଁଠି ମୂଳଗୁଡ଼ାକ ଏତେଦୂର ଅମଜବୁତ ହୋଇ ରହିଛି, ସେଠି ସେଣି ଓ ରୁଅଗୁଡ଼ାକ ସବଳ ହୋଇ ରହିପାରିବ କୁଆଡ଼ୁ ?

 

ଭାରତ ସରକାରଙ୍କର ଶିକ୍ଷାକ୍ଷେତ୍ରରେ ନାନା ନୂତନ ପଦକ୍ଷେପର ଏକ ଅଂଶ ସ୍ୱରୂପ ଓଡ଼ିଶାରେ ମଧ୍ୟ ଆଦିବାସୀ ଅଞ୍ଚଳରେ ପ୍ରାଥମିକ ଶିକ୍ଷାର ପ୍ରସାର ଦିଗରେ ଏକ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାହେବାକୁ ଯାଉଛି । ଏଥିରେ କେତେକ କୋଟି ଟଙ୍କାର ଖର୍ଚ୍ଚ ବରାଦ ରହିଛି ଏବଂ ଏଥିଲାଗି ପ୍ରାୟ କେତେ ହଜାର ଶିକ୍ଷକଙ୍କୁ ବିଶେଷ ତାଲିମ ଦେବାର ଯୋଜନା ମଧ୍ୟ କରାଯାଇଛି । ଆଦିବାସୀ ଇଲାକାଗୁଡ଼ିକରେ ଗୋଟିକ ଜାଗାରେ ଦଶଟା ସ୍କୁଲ ଖୋଲି ଦେଲେ ଓ ସେହି ପୁରୁଣା ବ୍ୟବସ୍ଥାଗୁଡ଼ିକୁ କାୟମ ରଖି ସେଠାକୁ ଆଉ କେତେ ହଜାର ଅଧିକ ଶିକ୍ଷକ ପଠାଇଦେଲେ ଆଦିବାସୀ ଶିକ୍ଷାର ଯେ ସ୍ୱର୍ଣ୍ଣକପାଟ ଖୋଲିଯିବ, ସେକଥା କଦାପି କହିହେବ ନାହିଁ-। ଓଡ଼ିଶା ସରକାରଙ୍କ ଅଧୀନରେ ବିଗତ ଅନେକ ବର୍ଷ ଧରି ରାଜଧାନୀରେ କାର୍ଯ୍ୟ କରିଆସୁଥିବା ଆଦିବାସୀ ଗବେଷଣା ପ୍ରତିଷ୍ଠାନ ସରକାରଙ୍କୁ ଏ ଦିଗରେ ନିଶ୍ଚୟ ସିଦ୍ଧାନ୍ତଗତ ଓ ବ୍ୟାବହାରିକ କେତେକ ମାର୍ଗଦର୍ଶନ ଯୋଗାଇ ଦେଉଥିବ । ଓଡ଼ିଶାର ଦୁଇଟି ବିଶ୍ୱବିଦ୍ୟାଳୟରେ ରହିଥିବା ନୃତତ୍ତ୍ୱବିଜ୍ଞାନ ବିଭାଗ ମଧ୍ୟ ଏଦିଗରେ ସରକାରଙ୍କୁ ସାହାଯ୍ୟ କରିପାରିବା ଭଳି ଅନେକ ଆଲୋକପାତ କରିପାରିବ । କିନ୍ତୁ ସେମାନେ ମନେରଖିବା ଦରକାର ଯେ ଆଦିବାସୀ ଶିକ୍ଷାର କ୍ଷେତ୍ରରେ ମୂଳ ଦୃଷ୍ଟିକୋଣଗୁଡ଼ିକ ସ୍ପଷ୍ଟ ନ ରହିଲେ ଏଥିରୁ ହିତ ଅପେକ୍ଷା ପ୍ରମାଦ ହିଁ ଅଧିକ ଉପୁଜିବାର ଆଶଙ୍କା ରହିଛି ।

 

ତା ୦୩.୦୯.୧୯୭୫ ରିଖ

Image

 

ଆଦିବାସୀ ଶିକ୍ଷାର ଅନ୍ୟ ଏକ ଦିଗ

 

ଓଡ଼ିଶାରେ ଆଦିବାସୀଙ୍କର ସଂଖ୍ୟା ମୋଟ ଲୋକସଂଖ୍ୟାର ପ୍ରତ୍ୟେକ ଚାରିଜଣରେ ଜଣେ । ଏମାନଙ୍କ ଭିତରେ କେତେ କେତେ ଜାତି ଅଛନ୍ତି, କେତେ କେତେ ଭାଷା ଅଛି, କେତେ କେତେ ପରମ୍ପରା ମଧ୍ୟ ରହିଛି । ଏମାନେ ଏବେ ଓଡ଼ିଆମାନଙ୍କ ସହିତ ମିଶି କ୍ରମେ ପ୍ରୟୋଜନତଃ ଓଡ଼ିଆ ହେବାକୁ ମନ ବଳାଉଛନ୍ତି । ଓଡ଼ିଆମାନେ ମଧ୍ୟ ଆଦିବାସୀମାନେ କ୍ରମେ ଓଡ଼ିଆ ହୋଇଗଲେ ହିଁ ସେମାନଙ୍କ ଭିତରେ ଆଧୁନିକ ଆଲୋକ ପ୍ରବେଶ କରିବ ବୋଲି ଅନେକ ସମୟରେ ଏକ ଭୁଲ ବିଶ୍ୱାସର ଦାସ ହୋଇ ରହିଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ ଯେଉଁ ଶବରମାନେ କ୍ରମେ ଓଡ଼ିଆଙ୍କ ସଂସ୍ରବରେ ଆସୁଛନ୍ତି, ଓଡ଼ିଆଙ୍କ ରୀତିନୀତିକୁ କେତେକ ପରିମାଣରେ ଗ୍ରହଣ କରିନେଲେଣି, ସେମାନେ ଶବରଙ୍କ ଭିତରେ ଶୁଦ୍ଧ ଶବର ବୋଲି କୁହାଯାଉଛନ୍ତି ।

 

ଆମେ କ’ଣ ଆମ ଶିକ୍ଷା ବ୍ୟବସ୍ଥାକୁ ଆଦିବାସୀଙ୍କ ଉପରେ ପ୍ରାୟ ଜବରଦସ୍ତି ଲଦି ଦେଇ ସେମାନଙ୍କୁ କ୍ରମେ ଆମରି ଭଳି କରିନେବା ଓ ଏଠି ପ୍ରାୟ ଶହେବର୍ଷ ତଳେ ଇଂରେଜମାନେ ଶିକ୍ଷିତ ଭାରତୀୟମାନଙ୍କୁ ଯେମିତି ଗୋଟାସୁଦ୍ଧା ଇଂରେଜ କରିଦେବାକୁ ମନ ବଳାଇଥିଲେ, ଆମ ମାଷ୍ଟର ଓ ଆମ ବ୍ଲାକ୍‌ବୋର୍ଡ଼ଗୁଡ଼ାକୁ ନେଇ ଆମେ ଠିକ୍‌ ସେହିପରି ଭାବରେ ଆଦିବାସୀ ପିଲାଙ୍କୁ ଗୋଟାସୁଦ୍ଧା ଓଡ଼ିଆ କରିନେବା ? ଭାରତୀୟ ମହାସ୍ରୋତରେ ମିଶିବାକୁ ହେଲେ, ଆଧୁନିକ ଜୀବନ ଲାଗି ଆପଣାକୁ ପ୍ରସ୍ତୁତ କରିବାକୁ ହେଲେ କ’ଣ ଆପଣାର ଭାଷାକୁ ଭୁଲିବାକୁ ପଡ଼ିବ, ଆପଣାର ଭୂଇଁ ଓ ଆପଣାର ପରମ୍ପରା ବିଷୟରେ ଲଜ୍ଜିତ ହେବାକୁ ପଡ଼ିବ ଓ ଆପଣାର ମଉରସୀ ଚେରଗୁଡ଼ାକୁ ଏକାବେଳକେ ଛିଡ଼ାଇଦେଇ ଆସିବାକୁ ପଡ଼ିବ ? ଆଦିବାସୀ ଶିକ୍ଷାରେ ନୀତି ନିର୍ଣ୍ଣାୟକମାନଙ୍କର ଆଗ ଏହିସବୁ କଥା ବିଷୟରେ ହିଁ ଭାବିବା ଦରକାର ।

 

ଆଦିବାସୀ ସମାଜର ପିଲାଏ ସେମାନଙ୍କର ଘର ଭିତରୁ ଅଡ଼ାହୋଇ ଆସି ଇସ୍କୁଲରେ ବସିବେ, ଆର୍ଯ୍ୟମାନେ ଭାରତକୁ ଆସି ଅନାର୍ଯ୍ୟମାନଙ୍କୁ ସଭ୍ୟ କରାଇଲେ ବୋଲି ଇତିହାସ ପାଠ ପଢ଼ିବେ, ସେମାନଙ୍କୁ ଯିଏ ପାଠ ପଢ଼ାଇବାକୁ ଯାଇଥିବେ ସିଏ ଆଦିବାସୀଙ୍କୁ ଜଙ୍ଗଲୀ ବୋଲି କହୁଥିବେ, ସିଏ ନିଜେ ଆଦିବାସୀ ନ ଥିବେ ବା ଆଦିବାସୀଙ୍କର ଭାଷା ଜାଣିନଥିବେ–ଗୋଟିଏ କଥାରେ କହିଲେ ସେହି ଶିକ୍ଷକଙ୍କର ଚେରଗୁଡ଼ାକ ତାଙ୍କର କର୍ମଭୂମିରେ ନ ଲାଗି ରାଜଧାନୀ ସହିତ ଲାଗିଥିବ–କହିବା ଅନାବଶ୍ୟକ ଯେ ଏହାଦ୍ୱାରା ଆଦିବାସୀ ପିଲାର ଓ ଆଦିବାସୀ ସମାଜର ଲାଭ ଅପେକ୍ଷା ଅଧିକ କ୍ଷତି ହେବ, ସେମାନଙ୍କର ଜୀବନଦୃଷ୍ଟିରେ ଅନେକ ଅସୁସ୍ଥତା ଓ ଅନେକ ବିଘଟନ ଆସି ପହଞ୍ଚିଯିବ ।

 

ସୋଭିଏତ୍‌ ରୁଷିଆର ସରକାର ପ୍ରାୟ ପଚାଶ ବର୍ଷ ତଳେ ମଧ୍ୟ-ଏସିଆରେ ଲୋକଶିକ୍ଷାର କ୍ଷେତ୍ରରେ ଯେଉଁସବୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ଯେଉଁଭଳି ଭାବରେ ସେଗୁଡ଼ିକର ସମାଧାନ କରିଥିଲେ; ଆମ ଦେଶରେ ଆଦିବାସୀ ଶିକ୍ଷାର କ୍ଷେତ୍ରରେ ଆମକୁ ସେଥିରୁ ହୁଏତ ସହାୟକ ଅନେକ ଅନ୍ତଃଦୃଷ୍ଟି ମିଳିଯାଇପାରିବ । ମଧ୍ୟ-ଏସିଆରେ ଉଜ୍‌ବେକ୍‌, ତାଜିକ୍‌, ତୁର୍କମେନ୍‌ ଓ କିରଗିଜ୍‌ ପ୍ରଭୃତି ଅନେକ ଜାତି ଶତାବ୍ଦୀ ଶତାବ୍ଦୀ ଧରି ବାସକରିଆସିଥିଲେ-। ସେମାନଙ୍କର ଆଧୁନିକ ଅର୍ଥରେ କୌଣସି ସଭ୍ୟତା ନଥିଲା ସତ, ମାତ୍ର ବହୁକାଳର ପରମ୍ପରାରେ ଦୃଢ଼ ହୋଇରହିଥିବା ଏକ ସମାଜ ଥିଲା, ସଂସ୍କୃତି ରହିଥିଲା, ଜୀବନପ୍ରତି ଏକ ଆଶାସମ୍ମୁଜ୍ଜ୍ୱଳ ଦୃଷ୍ଟିକୋଣ ମଧ୍ୟ ରହିଥିଲା । ସେମାନଙ୍କର ଭାଷା ଥିଲା; କିନ୍ତୁ ଲିପି ନ ଥିଲା, ଲିଖିତ ସାହିତ୍ୟ ନ ଥିଲା । ଋଷିଆର ନୂଆ ସରକାର ସେମାନଙ୍କ ମଧ୍ୟରେ ଯେଉଁ ଶିକ୍ଷାନୀତିର ପ୍ରବର୍ତ୍ତନ କରିଥିଲେ, ତଦ୍ଦ୍ୱାରା ସେମାନେ ଶିକ୍ଷିତ ହେଲେ, ଆଧୁନିକ ସଭ୍ୟତା ମଧ୍ୟକୁ ପ୍ରବେଶ କଲେ, ମାତ୍ର ସେଥିଲାଗି ସେମାନଙ୍କୁ ଚେର ଛିଣ୍ଡାଇ ଉଚ୍ଛନ୍ନ ହେବାକୁ ପଡ଼ିଲା ନାହିଁ । ସେମାନଙ୍କର ଭାଷା ରହିଲା; ଭାଷା ପାଇଁ ଲିପି ଯୋଗାଇ ଦିଆଗଲା ଓ ଲିଖିତ ସାହିତ୍ୟ ମଧ୍ୟ ଆରମ୍ଭ ହେଲା । କିରଗିଜ୍‌ ତା’ର ଭୂଇଁକୁ ଭଲ ପାଇଲା, ଉଜ୍‌ବେଜ୍‌ ତା’ର ସଂସ୍କୃତିକୁ ଭଲ ପାଇଲା, ତୁର୍କମେନ୍‌ର ଚେରଗୁଡ଼ାକ ଆଗରୁ ଯେଉଁଠି ଭେଦି ରହିଥିଲା ଠିକ୍‌ ସେହିଠାରେ ରହିଲା–ମାତ୍ର ସମସ୍ତେ ନୂତନ ଋଷିଆର ନୂଆ ନାଗରିକ ହୋଇ ରହିଲେ । ନୂତନ ସଭ୍ୟତା ବା ଆଧୁନିକତା ସେଠି ଅସଲ ଜୀବନତନ୍ତୁଗୁଡ଼ିକୁ ମୋଟେ ଦୁହିଁ ଛିଣ୍ଡାଇ ପକାଇଲା ନାହିଁ । କଲମ୍ୱସ ଇଉରୋପୀୟମାନଙ୍କ ଲାଗି ଆବିଷ୍କାର କରିଥିବା ଆମେରିକାରେ ଯେପରି ସେଠି କେଉଁ ଆଦିମକାଳରୁ ବାସକରିଆସିଥିବା ଲୋହିତ ଭାରତୀୟମାନଙ୍କୁ ନବାଗତମାନଙ୍କର ସଭ୍ୟତାବର୍ଦ୍ଧନ ଲାଗି ଉଚ୍ଛନ୍ନ କରିଦିଆଯାଇଥିଲା; ରୁଷିଆରେ ଆଦୌ ସେପରି କରିବାକୁ ପଡ଼ିଲାନାହିଁ ।

 

ପୁରାତନ ଓ ପାରମ୍ପରିକକୁ ଗିଳି ପକାଇବା ଆଧୁନିକତା ନୁହେଁ, ଏହା ଏକ ବର୍ବରତା, ଏକ ଆଧୁନିକ ବର୍ବରତା । ଆଧୁନିକ ପୁରାତନଠାରୁ ଶିଖିବ, ପୁରାତନ ଆଧୁନିକକୁ ଗ୍ରହଣ କରିଅଧିକ ସମୃଦ୍ଧ ହେବ ଏବଂ ଏହାରିଦ୍ୱାରା ହିଁ ଦୁହେଁ ଅଗ୍ରସର ହେବେ ଅର୍ଥାତ୍ ଅଧିକ ବିକଶିତ ହେବେ, ପରସ୍ପରର ହାତ ଧରି ଆଗକୁ ଚାଲିବେ । ଆଦିବାସୀ ଶିକ୍ଷାର ଏକ ନୂତନ ପ୍ରସାର ବିଷୟରେ ଯୋଜନା ହେଉଥିବା ସମୟରେ ଓଡ଼ିଶାରେ ସମ୍ପୃକ୍ତ ସମସ୍ତଙ୍କର ଏହି ବିଷୟରେ ଚିନ୍ତା କରିବା ଉଚିତ । ଓଡ଼ିଶାର ତିନିଚଉଠ ଲୋକ ଚଉଠେ ଲୋକଙ୍କୁ ଗିଳିଦେବେ ନା ସେମାନଙ୍କୁ ଅଧିକ ସମୃଦ୍ଧିମନ୍ତ କରିଆପଣା ଭିତରକୁ ସ୍ୱୀକାର କରିନେବେ, ଏହି କ୍ଷେତ୍ରରେ ଏହାହିଁ ସର୍ବପ୍ରଧାନ ପ୍ରଶ୍ନ । ଏହା ମୂଳତଃ ଶିକ୍ଷାର ହିଁ ପ୍ରଶ୍ନ, ଏକ ସ୍ୱୀକାରମୂଳକ ସୁସ୍ଥ ଦୃଷ୍ଟିକୋଣକୁ ବୁଝି ତାହାକୁ ଗ୍ରହଣ କରିପାରିବାର ପ୍ରଶ୍ନ । ଏହି କ୍ଷେତ୍ରରେ ଆମେ ରୁଷିଆର ଅଭିଜ୍ଞତାରୁ ଶିଖିବା, ଆମେରିକାର ଅଭିଜ୍ଞତାରୁ ବି ଶିଖିବା । କିପରି ହେବା ଉଚିତ, ସେକଥା ଶିଖିବା ଏବଂ କିପରି ନହେବା ଉଚିତ, ସେଥିରୁ ମଧ୍ୟ ଶିକ୍ଷା କରିବା ।

 

ତା. ୦୪.୦୯.୧୯୭୫ ରିଖ

Image

 

ଭେଟୋ–ଏକ ପ୍ରତିବନ୍ଧକ

 

ଦକ୍ଷିଣ ଆଫ୍ରିକା ନାମିବିୟାକୁ ଆପଣା କବଳରୁ ମୁକ୍ତ କରିବାକୁ ଇଚ୍ଛା କରୁନାହିଁ ଏବଂ ତଦ୍ଦ୍ୱାରା ଜାତିସଂଘରେ ପୂର୍ବରୁ ହୋଇଥିବା ନିଷ୍ପତ୍ତିଟିର ବିରୁଦ୍ଧାଚରଣ କରୁଛି, ଏହି ସ୍ଥିତିଟି ଉପରେ କିଛିଦିନ ତଳେ ନିରାପତ୍ତା ପରିଷଦରେ ଆଲୋଚନା କରାଯାଇଥିଲା । ଆଫ୍ରିକାର ସଦସ୍ୟ ଦେଶମାନେ ହିଁ ମୁଖ୍ୟତଃ ଏହି ଆଲୋଚନାଟିକୁ ଲୋଡ଼ିଥିଲେ । ଆଲୋଚନା ଶେଷରେ ପରିଷଦରେ ଏହି ବିଷୟଟି ଉପରେ ଭୋଟ ମଧ୍ୟ ନିଆଗଲା; ଦକ୍ଷିଣ ଆଫ୍ରିକା ଜାତିସଂଘର ନିଷ୍ପତ୍ତିଟିର ବିରୁଦ୍ଧାଚରଣ କରିଛି ଏବଂ ସେହି କାରଣରୁ ସଦସ୍ୟ ଦେଶମାନେ ତା’ ଉପରେ ଆର୍ଥିକ ବାସନ୍ଦର ପ୍ରୟୋଗ କରନ୍ତୁ, ଏହି ବିଷୟରେ ଭୋଟ ନିଆଯାଇଥିଲା । ପ୍ରସ୍ତାବର ସପକ୍ଷରେ ଦଶଟି ଭୋଟ ଦେଲେ, ଦୁଇଟି ଦେଶ ନିରପେକ୍ଷ ରହିଲେ । ମାତ୍ର ଇଂଲଣ୍ଡ, ଫ୍ରାନ୍‌ସ ଓ ଆମେରିକା ଆପଣାର ଭେଟୋ କ୍ଷମତାର ପ୍ରୟୋଗ କରିବହୁମତର ସେହି ନିଷ୍ପତ୍ତିଟିକୁ ନାକଚ କରିଦେଲେ ।

 

ଏହି ଭୋଟ କ୍ଷମତା ଏକ ବିଚିତ୍ର କ୍ଷମତା । କେବଳ ପାଞ୍ଚୋଟି ଦେଶକୁ ଜାତିସଂଘର ମୂଳ ସନନ୍ଦଟି ଅନୁସାରେ ଏହି କ୍ଷମତାଟି ଦିଆଯାଇଛି । ୧୯୪୫ ମସିହାରେ ମାତ୍ର ପଚାଶଟି ରାଷ୍ଟ୍ରକୁ ନେଇ ଜାତିସଂଘର ଯେଉଁ ପ୍ରଥମ ବୈଠକ ବସିଥିଲା ସେତିକିବେଳେ ସନନ୍ଦଟିର ଚିଠା ହୋଇଥିଲା । ଦ୍ୱିତୀୟ ମହାଯୁଦ୍ଧରେ ବିଜୟ ଲାଭ କରିଥିବା ରାଷ୍ଟ୍ରମାନଙ୍କର ନାୟକତ୍ୱରେ ହିଁ ସେତେବେଳେ ବୈଠକଟିର ପରିଚାଳନା ହୋଇଥିଲା । ତେଣୁ ଏକଥା ଅତ୍ୟନ୍ତ ସ୍ୱାଭାବିକ ଯେ ସଦସ୍ୟ ଦେଶଗୁଡ଼ିକୁ ସମାନ ପରିମାଣରେ କ୍ଷମତାସମ୍ପନ୍ନ ବୋଲି ନ୍ୟାୟତଃ ସ୍ୱୀକାର କରାଯାଉଥିଲେ ମଧ୍ୟ ସେହି ବିଜୟୀ ଦେଶଗୁଡ଼ିକ ଜାତିସଂଘରେ ଆପଣାଲାଗି ଗୋଟିଏ ଗୋଟିଏ ମୁଖ୍ୟ ସ୍ଥାନ ସୁରକ୍ଷିତ କରିରଖିଥିଲେ ଓ ବିଶେଷ କ୍ଷମତାର ଅଧିକାରୀ ହୋଇ ରହିଥିଲେ । ସମସ୍ତ ସଦସ୍ୟ ଦେଶ ସମ୍ମିଳିତ ଭାବରେ କୌଣସି ବିଷୟରେ ଏକ ନିଷ୍ପତ୍ତିରେ ଆସି ପହଞ୍ଚିଥିଲେ ମଧ୍ୟ ଯଦି ସେହି ପାଞ୍ଚୋଟି ଦେଶ ମଧ୍ୟରୁ ମାତ୍ର ଗୋଟିଏ ଦେଶ କୌଣସି କାରଣରୁ ସେଥିରେ ଅନ୍ୟମତ ପୋଷଣ କରୁଥିବ, ତେବେ ସେ ଆପଣାର ଭେଟୋ କ୍ଷମତା ପ୍ରୟୋଗ କରିସେହି ନିଷ୍ପତ୍ତିଟିକୁ ନାକଚ କରିଦେଇ ପାରିବଜାତିସଂଘରେ ସେତେବେଳେ ଏହା ନିୟମ ହୋଇ ରହିଥିଲା ।

 

ଜାତିସଂଘର ସେହି ପ୍ରଥମ କାଳରେ ମୋଟେ ପଚାଶଟି ସଦସ୍ୟ ଦେଶ ଥିଲେ, ସେମାନଙ୍କ ଭିତରେ ବୃହତ୍ ସାମ୍ରାଜ୍ୟ ଥିବା ଦେଶମାନେ ମଧ୍ୟ ରହିଥିଲେ । ଏସିଆ ଏବଂ ଆଫ୍ରିକାର ପ୍ରାୟ କୌଣସି ଦେଶ ନ ଥିଲେ । ସେମାନେ ସେତେବେଳେ ପରାଧୀନତାରୁ ମୁକ୍ତ ହେବାଲାଗି ସଂଗ୍ରାମ କରୁଥିଲେ । ସେହି ସଂଗ୍ରାମ ଫଳରେ ସାମ୍ରାଜ୍ୟଗୁଡ଼ାକ ଭାଙ୍ଗିଲା । ଏସିଆ ସ୍ୱାଧୀନ ହେଲା । ଆଫ୍ରିକା ସ୍ୱାଧୀନ ହେଲା । ସ୍ୱାଧୀନ ଦେଶଗୁଡ଼ିକ ଗୋଟି ଗୋଟି କରିଜାତିସଂଘର ସଦସ୍ୟ ହେଲେ । ଏହା ଫଳରେ ସଦସ୍ୟ ସଂଖ୍ୟା ମଧ୍ୟ ବଢ଼ିଲା । ପଚାଶ ବଢ଼ି ଶହେ ହେଲା, ଶହେରୁ ବଢ଼ି ବର୍ତ୍ତମାନ ୧୩୭ ହେଲାଣି । ନିୟମ ଅନୁସାରେ ପ୍ରତ୍ୟେକ ସଦସ୍ୟ ଦେଶର ଗୋଟିଏ କରିଭୋଟ ରହିଛି । ଗଣତନ୍ତ୍ରର ବିଧାନ ଅନୁସାରେ ତାହା ହିଁ ହେବା ଉଚିତ ଥିଲା ।

 

କିନ୍ତୁ ଭେଟୋପ୍ରୟୋଗର ପରମ୍ପରାଟି ଗଣତନ୍ତ୍ରର ପଦ୍ଧତିଟି ମଧ୍ୟରେ ଏକ ବିଷକିଳା ସଦୃଶ ହୋଇରହିଛି, ବିଶ୍ୱମତ କାର୍ଯ୍ୟକାରୀ ହେବାରେ ଗୋଟିଏ ପ୍ରତିବନ୍ଧକ ହୋଇ ରହିଛି ଏବଂ ନ୍ୟସ୍ତସ୍ୱାର୍ଥ ସକାଶେ ସମ୍ଭବତଃ ଏକ ରକ୍ଷାକବଚ ପରି କାର୍ଯ୍ୟ କରୁଛି । ପୃଥିବୀ ଯେତିକି ଚଞ୍ଚଳ ଏକ ସମସ୍ୱାର୍ଥ ନ୍ୟାୟପ୍ରତିଷ୍ଠ ମାନବିକ ପରିବାରରେ ପରିଣତ ହେବା ଦିଗରେ ଅଗ୍ରସର ହୋଇପାରନ୍ତା, ଭେଟୋର ସେହି ପୁରୁଣା ପ୍ରଥାଟି ଆଜି ଏହି ପରିବର୍ତ୍ତିତ ଓ ପ୍ରାୟ ନବକଳେବର ପ୍ରାପ୍ତ ଜାତିସଂଘରେ ତଥାପି ବଳବତ୍ତର ହୋଇ ରହିଥିବାରୁ, ତାହା ସେତେ ଚଞ୍ଚଳ ଆଦୌ ଅଗ୍ରସର ହୋଇପାରୁନାହିଁ ।

 

ଦ୍ୱିତୀୟ ମହାଯୁଦ୍ଧରେ ବିଜୟୀ ହୋଇଥିବା ଯେଉଁ ରାଷ୍ଟ୍ରମାନେ ତିରିଶି ବର୍ଷ ତଳେ ମିଳିତ ଜାତିସଂଘର ପ୍ରଥମ ଖସଡ଼ାଟି ତିଆରି କରିଥିଲେ, ସେମାନଙ୍କ ମନରେ ଭବିଷ୍ୟତର ବର୍ତ୍ତମାନ ପୃଥିବୀଟି ବିଷୟରେ ଯେ ଆଦୌ କୌଣସି ଧାରଣା ରହିଥିଲା, ସେକଥା କେହି ବିଶ୍ୱାସ କରିବେ ନାହିଁ । ଆଫ୍ରିକା ଓ ଏସିଆର ଦେଶଗୁଡ଼ିକ ସ୍ୱାଧୀନ ହୋଇ କୋଡ଼ିଏ ପଚିଶି ବର୍ଷ ଭିତରେ ଯେ ସେମାନଙ୍କର ସମକକ୍ଷ ଜଣେ ଜଣେ ସଦସ୍ୟ ରୂପେ ଜାତିସଂଘରେ ବସିବେ, ଏକଥା ସେମାନଙ୍କର ରାଜନୀତିକ ଜ୍ୟାମିତିଟି ସାହାଯ୍ୟରେ ସେମାନେ କଦାପି କଳ୍ପନା କରିପାରିନଥିବେ । ତେବେ ସେମାନେ ଭିଆଇ ରଖିଥିବା ଭେଟୋପ୍ରୟୋଗର ବିଧିଟିକୁ ବର୍ତ୍ତମାନ ଅବସ୍ଥାରେ ଏକ ସହାୟକ ବିଧି ବୋଲି କିପରି କିଏ ଗ୍ରହଣ କରିପାରିବ ?

 

ଭେଟୋର ପ୍ରୟୋଗ ଏକ ବର୍ବର ପ୍ରୟୋଗ, ଏକ ନିପଟ ଅଗଣତାନ୍ତ୍ରିକ ବଳାତ୍କାରର ପ୍ରୟୋଗ । ଏହାଦ୍ୱାରା ମାନବଜାତିର ରାଜନୀତିକ ବିକାଶକ୍ଷେତ୍ରରେ ତା’ ଗୋଡ଼କୁ ବାନ୍ଧିକରିରଖାଯାଉଛି । ଏହାଦ୍ୱାରା ମାନବଜାତିର ଆଦୌ କୌଣସି ଉପକାର ହେଉନାହିଁ, ଅନ୍ୟାୟଗୁଡ଼ାକୁ ସ୍ଥାୟୀ କରିରଖାଯାଉଛି ।

 

ତା ୦୫.୦୯.୧୯୭୫ ରିଖ

Image

 

ରାଜନୀତିରୁ ଅର୍ଥନୀତି

 

ଜାତିସଂଘର ବାର୍ଷିକ ଅଧିବେଶନରେ ଭାରତବର୍ଷର ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଯଶୋବନ୍ତ ଚଭନ ତାଙ୍କର ଭାଷଣରେ ଏଥର ସତେଅବା ସଂପୃକ୍ତ ସମସ୍ତଙ୍କର ଦୃଷ୍ଟିକୁ ଏକ ନୂଆ ମୋଡ଼ ଦେବାକୁ ଚେଷ୍ଟା କରିଛନ୍ତି । ଆମ ସମସ୍ତଙ୍କର ସ୍ମରଣ ରଖିବା ଉଚିତ ଶ୍ରୀ ଚଭନ ଲିମାଠାରେ ଗୋଷ୍ଠୀ ନିରପେକ୍ଷ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ସମ୍ମିଳନୀରେ ଯୋଗ ଦେବାପରେ ସିଧା ଜାତିସଂଘର ବାର୍ଷିକ ଅଧିବେଶନରେ ଯୋଗ ଦେବାକୁ ଯାଇଛନ୍ତି । ତେଣୁ ଜାତିସଂଘରେ ଆପଣାର ଭାଷଣରେ ସିଏ ଯେଉଁସବୁ ବିଚାରର ଉପସ୍ଥାପନ କରିଛନ୍ତି, ସେହିସବୁ ବିଚାର ଲିମା ସମ୍ମିଳନୀର ଆଲୋଚନା ଓ ନିଷ୍ପତ୍ତିଗୁଡ଼ିକର ମଧ୍ୟ ଅନେକ ପରିମାଣରେ ପ୍ରତିଫଳନ କରୁଛି ବୋଲି କହିଲେ ଆଦୌ ଭୁଲ ହେବନାହିଁ ।

ଶ୍ରୀଯୁକ୍ତ ଚଭନ ପୃଥିବୀରେ ଏକ ନୂତନ ଅର୍ଥନୈତିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ବିଷୟରେ କହିଛନ୍ତି । ସେହି ବ୍ୟବସ୍ଥାଟିକୁ କାର୍ଯ୍ୟକାରୀ କରାଇବା ହିଁ ଜାତିସଂଘର ସର୍ବପ୍ରଧାନ କାର୍ଯ୍ୟ ହୋଇ ରହିବା ଉଚିତ ବୋଲି ସେ ଉଦ୍‌ବୋଧନ ଦେଇଛନ୍ତି । ନୂତନ ବିଶ୍ୱ ଅର୍ଥନୀତି ସମତା ଓ ନ୍ୟାୟ ଉପରେ ପ୍ରତିଷ୍ଠିତ ହେବ । ବର୍ତ୍ତମାନ ଯେପରି ବଡ଼ ଦେଶମାନେ ଅର୍ଥାତ୍‌ ଉନ୍ନତ ଶିଳ୍ପପ୍ରଧାନ ଦେଶମାନେ ପୃଥିବୀର କିଣାବିକା, ଅଭାବ ଓ ଆବଶ୍ୟକତାଗୁଡ଼ିକ ଉପରେ ମନମୁଖୀ ନିୟନ୍ତ୍ରଣ କରିବସିଛନ୍ତି, ଆଉ ସେପରି ହେବନାହିଁ । ଯଦି ଏହି ସଂସାରରେ ଅତି-ଉନ୍ନତ, ଅଳ୍ପ-ଉନ୍ନତ, ଏବଂ ଅନୁନ୍ନତ ସବୁଦେଶ ସବୁ ଦେଶ ଏକାଠି ରହିବେ ବୋଲି ସିଦ୍ଧାନ୍ତ ହୁଏ, ତେବେ ସର୍ବମୂଳ ଅର୍ଥନୈତିକ ସ୍ତରରୁ ହିଁ ଏହି ସିଦ୍ଧାନ୍ତଟିର ଚେରକୁ ମଡ଼ାଇ ରଖିବାକୁ ଚେଷ୍ଟା କରାଯିବା ଉଚିତ ।

ଧନୀ ବଳକା ଦେଶମାନେ ନିଅଣ୍ଟିଆ ଦରିଦ୍ର ଦେଶଗୁଡ଼ିକର ଦାରିଦ୍ର୍ୟରୁ ଆଉ କୌଣସି ଫାଇଦା ଉଠାଇବା ଉଚିତ ନୁହେଁ । ଦରିଦ୍ର ଦେଶଗୁଡ଼ିକ ଯେପରି ଶୀଘ୍ରାତିଶୀଘ୍ର ଆର୍ଥିକ ଅଗ୍ରଗତିର ମାର୍ଗରେ ଯଥାର୍ଥ ଗତିବିନ୍ଦୁଟିରେ ଆସି ପହଞ୍ଚିଯିବେ, ଅଧିକ ଉନ୍ନତ ଦେଶଗୁଡ଼ିକ ସେମାନଙ୍କୁ ସେହି ଦିଗରେ ଯଥେଷ୍ଟ ସହାୟତା ଦେବା ଉଚିତ । ଥରେ ଜାତିସଂଘରେ ଠିକ୍‌ ହୋଇଥିଲା ଯେ ଉନ୍ନତ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ବଜେଟର ଶତକଡ଼ା ଅନ୍ତତଃ ଗୋଟିଏ ଭାଗ ଅଳ୍ପ-ଉନ୍ନତ ଦେଶଗୁଡ଼ିକର ବିକାଶ ପାଣ୍ଠି ଲାଗି ଦାନ କରିବେ ।

ଏପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରିବନାହିଁ । ଅନ୍ତରୀକ୍ଷକୁ ରକେଟ୍‌ ଖଞ୍ଜିବାରେ ଓ ନୂଆ ନୂଆ ଯୁଦ୍ଧାସ୍ତ୍ରମାନ ବାହାର କରିବାରେ ପୃଥିବୀରେ ଧନଶାଳୀ କ୍ଷମତାଶାଳୀ ଦେଶମାନେ ଯେତେ ପଇସା ଖରଚ କରୁଛନ୍ତି, ତାହାର ଶହେ ଭାଗରୁ ଭାଗେ ଖରଚ କରିବାକୁ ଇଚ୍ଛୁକ ହେଲେ ପୃଥିବୀର ସବୁ ପିଲା ହୁଏତ ପାଠ ପଢ଼ିବାକୁ ସ୍କୁଲକୁ ଆସନ୍ତେ, ଖାଦ୍ୟସାର ଅଭାବରୁ ପୃଥିବୀର ଅଧେପିଲା ଆଉ ରୋଗଗ୍ରସ୍ତ ହୋଇ ପଡ଼ନ୍ତେ ନାହିଁ । ମାତ୍ର ରାଜନୀତିବାଲା ଆପଣାର ରାଜନୀତିକ ବୁଦ୍ଧି ଦେଇ ଯେଉଁ ଜାତିସଂଘଟିକୁ ଗଢ଼ିଛନ୍ତି, ସେଠାରେ ଆଜି ମଧ୍ୟ ଏଗୁଡ଼ାକ ଅସଲ ଆଲୋଚ୍ୟରୂପେ ଗୃହୀତ ହୋଇନାହିଁ ।

ଶ୍ରୀଯୁକ୍ତ ଚଭନ ପୃଥିବୀର ଧ୍ୟାନକୁ ରାଜନୀତିରୁ ଅର୍ଥନୀତି ମଧ୍ୟକୁ ଆକର୍ଷିତକରି ଆଣିବାକୁ ଚେଷ୍ଟା କରିଛନ୍ତି । ମଣିଷର ସର୍ବମୂଳ ସମସ୍ୟା ହେଉଛି ଅର୍ଥନୀତିର ସମସ୍ୟା, ସର୍ବମୂଳ ଭୋକଟି ହେଉଛି ପେଟର ଭୋକ, ଏବଂ ବର୍ତ୍ତମାନ ଏହି ଆନ୍ତରୀକ୍ଷ ଉଡ଼ିବାର ଯୁଗରେ ମଧ୍ୟ ପୃଥିବୀର ଅଧକରୁ ଅନେକ ବେଶୀ ମଣିଷ ଏହି ପ୍ରଥମ ସମସ୍ୟା ବା ପ୍ରଥମ ଭୋକଟିର ପାଶରୁ ମୁକ୍ତହୋଇ ପାରିନାହାନ୍ତି, ଏହା ହେଉଛି ମଣିଷ ଜାତିପ୍ରତି ସବୁଠାରୁ ବଡ଼ ଉପହାସ । ଜାତିସଂଘ ଗଢ଼ାହେବା ଦିନଠାରୁ ସେଠି ବିଶ୍ୱ-ରାଜନୀତିର ହିଁ ବାଦୀପାଲା ହେଉଥିଲା । ଅର୍ଥନୀତିର ମାମଲାଗୁଡ଼ାକୁ ବୁଝିବା ଲାଗି କେତେଟା ସାନ ବିଶେଷ କମିଟି ଗଢ଼ିଦେଇ ରାଜନୀତିର ଏକତରଫା ବୁଦ୍ଧି ସେଠି ଆଜିଯାଏ ଯୁଦ୍ଧକୁ ଯୁଦ୍ଧବିରାମରେ ପରିଣତ କରୁଥିଲା ଏବଂ ଯୁଦ୍ଧବିରାମକୁ ଏକ ନୂତନ ଯୁଦ୍ଧର ବୀଜ ହେବାଲାଗି ଉତ୍ସାହିତ ମଧ୍ୟ କରୁଥିଲା । ଶ୍ରୀଯୁକ୍ତ ଚଭନ ଏହି ପରମ୍ପରାରେ ଏକ ପରିବର୍ତ୍ତନ ଆଣିବା ଲାଗି ଏଥର ଆହ୍ୱାନ ଦେଇଛନ୍ତି ।

ରାଷ୍ଟ୍ରରେ ମଣିଷମାନେ ରହନ୍ତି ଓ ମଣିଷମାନଙ୍କ କଲ୍ୟାଣ ଲାଗି ହିଁ ରାଜନୀତି ଚାଲେ । ମଣିଷ ଖାଇବାକୁ ପାଇବ, ଆପଣାର ବୁଦ୍ଧିକୁ ସେ ଅନ୍ନଚିନ୍ତା ସକାଶେ ହିଁ ସନ୍ତାପିତ ହୋଇ ରହିବାକୁ ଦେବନାହିଁ, ଏହାହିଁ ହେଉଛି ମଣିଷର ସର୍ବପ୍ରଧାନ କଲ୍ୟାଣ । ଏହି ପ୍ରଥମ ପାଦଟିକୁ ଅବହେଳା କରିକୌଣସି ଆଦର୍ଶ ବା କୌଣସି ରାଜନୀତି ମନୁଷ୍ୟଜାତିର ଖୁବ୍‌ବେଶୀ ଉପକାର ଆଦୌ କରିପାରିବ ନାହିଁ ।

ତେଣୁ ଜାତିସଂଘକୁ ଯଦି ଆମେ ସମଗ୍ର ମଣିଷଜାତିର ପାର୍ଲାମେଣ୍ଟ ବୋଲି କହିବା; ତେବେ ସେଠାରେ ମଣିଷକୁ ଛାଡ଼ି ଦେଇ ଆଉ କୁଆଡ଼େ ପଳାଇଯିବାକୁ ଚାହୁଥିବା ରାଜନୀତିର ହିଁ ଦୌରାତ୍ମ୍ୟ ନଚାଲୁ । ମଣିଷ ହୋଇ ବଞ୍ଚି ରହିବାକୁ ହେଲେ ମଣିଷର ସର୍ବନିମ୍ନ ଯାହାକିଛି ଦରକାର, ସବୁ ମଣିଷଙ୍କ ସକାଶେ ସର୍ବପ୍ରଥମେ ଅନ୍ତତଃ ସେତିକି ଯୋଗାଇ ଦେବା ହିଁ ବିଶ୍ୱ-ରାଜନୀତିରେ ସର୍ବପ୍ରଧାନ ଧ୍ୟେୟ ହୋଇ ରହୁ ।

ଏହି ନୂତନ ଦୃଷ୍ଟିକୋଣଟି ହେଉଛି ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରଗୁଡ଼ିକର ଦୃଷ୍ଟିକୋଣ, ପୃଥିବୀର ଦୁଇତୃତୀୟାଂଶ ଲୋକଙ୍କର ଦୃଷ୍ଟିକୋଣ, ୪୦ ଡିଗ୍ରୀ ଉତ୍ତର ଅକ୍ଷାଂଶର ଦକ୍ଷିଣକୁ ବାସକରୁଥିବା କୋଟି କୋଟି ମଣିଷଙ୍କର ଦୃଷ୍ଟିକୋଣ । ଠିକ୍‌ ଶହେ ବର୍ଷ ତଳେ କାର୍ଲ ମାର୍କସ ରାଜନୀତି ମଧ୍ୟରେ ଏହି ଦୃଷ୍ଟିକୋଣଟିକୁ ଆଣିଦେବାକୁ ଏକ ନୂତନ ବିଚାରର ବ୍ୟାଖ୍ୟା ଦେଇଥିଲେ-। ପୃଥିବୀ କ୍ରମେ ସେହି ବିଚାରଟିକୁ ଯଥାର୍ଥ ଭାବରେ ବୁଝିବାକୁ ଚେଷ୍ଟା କରୁଥିବା ପରି ଲାଗୁଛି ।

ତା ୦୭.୦୯.୧୯୭୫ ରିଖ

Image

 

ହେଲସିଙ୍କିରୁ ଏସିଆକୁ

 

ରୁଷିଆର ସରକାରୀ ସମ୍ୱାଦସଂସ୍ଥା ଏବେ ମତପ୍ରକାଶ କରିକହିଛି ଯେ, ଠିକ୍‌ ମାସକ ତଳେ ହେଲସିଙ୍କିରେ ଯାହା ସମ୍ଭବ ହେଲା, ଅର୍ଥାତ୍ ସେଠାରେ ଯେଉଁ ମନୋଭାବ ଓ ପାରସ୍ପରିକ ସଦିଚ୍ଛାର ଏତେଗୁଡ଼ିଏ ଦେଶ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇପାରିଲା; ଏସିଆ ମହାଦେଶରେ ମଧ୍ୟ ଠିକ୍‌ ସେହିକଥା ସମ୍ଭବ ହେବା ଉଚିତ୍‌ ଏବଂ ଠିକ୍‌ ସେହିପରି ମନୋଭାବ ଏବଂ ସଦିଚ୍ଛାରେ ଏସିଆ ଦେଶଗୁଡ଼ିକ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇପାରିବା ଉଚିତ ।

କେବଳ ଏସିଆ ମହାଦେଶରେ ନୁହେଁ, ସମଗ୍ର ପୃଥିବୀର ସବୁଯାକ ମହାଦେଶରେ ମଧ୍ୟ ହେଲସିଙ୍କିରେ ଯାହା ସମ୍ଭବ ହେଲା, ତାହା ସମ୍ଭବ ହେବା ଉଚିତ ଏବଂ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଯେ, ପତନ ଓ ଅଭ୍ୟୁଦୟର ଏକ ବନ୍ଧୁର ପଥଦେଇ ସମସ୍ତ ପୃଥିବୀ ଅର୍ଥାତ୍ ସମଗ୍ର ମାନବଜାତି ଏବେ ସେହି ଦିଗରେ ହିଁ ଗତି କରିବାରେ ଲାଗିଛି । ପଚାଶବର୍ଷ ପୂର୍ବରୁ ଆମ ପୃଥିବୀରେ କେତେଜଣ ଉଚ୍ଚବିଚାରକ ଓ ଆଦର୍ଶବାଦୀ ହୁଏତ ସେକଥାମାନ କହୁଥିଲେ, ମାତ୍ର ବର୍ତ୍ତମାନ ତାହା ଏକ ପ୍ରୟୋଜନରେ ପରିଣତ ହୋଇସାରିଲାଣି । ବାସ୍ତବ ରାଜନୀତି ମଧ୍ୟ, ବାସ୍ତବତା କହିଲେ ଯଦି ବଂଚି ରହିବାକୁ ଏବଂ ଅଭିବୃଦ୍ଧି ସାଧନ କରିବାକୁ ବୁଝାଏ, କ୍ରମେ ଆମ ସମସ୍ତଙ୍କ ସମ୍ମୁଖରେ ସେହିପରି ଗୋଟିଏ ସତ୍ୟ ଓ ସମ୍ଭାବନାକୁ ଉଦ୍‌ଘାଟିତ କରିଦେଇଛି । ବର୍ତ୍ତମାନ ପୃଥିବୀରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଯେତେଯେତେ ବିବାଦ ଓ ବୈମନସ୍ୟ ଲାଗିରହିଥାଉ ପଛକେ, ଆମେ ସମସ୍ତେ ଯେ କ୍ରମେ ପରସ୍ପର ପାଖରେ ବାଧ୍ୟ ଓ ପ୍ରତିଶ୍ରୁତିବଦ୍ଧ ହୋଇ ରହିବା ଏବଂ ସେହି ପାରସ୍ପରିକ ପ୍ରତିଶ୍ରୁତିଗୁଡ଼ିକ ଦ୍ୱାରା ହିଁ ଯେ ଆମ ପୃଥିବୀ ଚଳିବ, ଏପରି ଏକ ସ୍ୱପ୍ନ ରାଜନୀତିକ ବିଚାରରେ ମଧ୍ୟ ଏବେ ଅଧିକରୁ ଅଧିକ ସ୍ଥାନ ପାଇଲାଣି ।

ତଥାପି ଏସିଆ ଏବଂ ଇଉରୋପ ସମାନ ନୁହନ୍ତି । ହେଲସିଙ୍କି ପର୍ଯ୍ୟନ୍ତ ଆସିବାଲାଗି ଇଉରୋପକୁ ଶତାବ୍ଦୀ ଶତାବ୍ଦୀ ଅତିକ୍ରମ କରିବାକୁ ପଡ଼ିଛି, କେତେ ଯୁଦ୍ଧ, ରାଷ୍ଟ୍ରବିପ୍ଳବ ଓ ଆକ୍ରମକତାକୁ ପହଁରିବାକୁ ପଡ଼ିଛି, ଧର୍ମ, ବାଦ, ଓ ଦେଶକୁ ପ୍ରତିମା କରିବସାଇ ସେଠି ମଣିଷ ମଣିଷଙ୍କ ଭିତରେ କେତେ ରକ୍ତପାତ ହୋଇଛି । ପୁଞ୍ଜିବାଦ, ସାମ୍ରାଜ୍ୟବାଦ, ଗଣତନ୍ତ୍ର ଓ ସମାଜବାଦର କେତେ ପଥ ଓ କେତେ ଉପପଥମାନ ଧରିବାକୁ ହୋଇଛି । ଏକ ପାରସ୍ପରିକତା ଆଡ଼କୁ ଅଗ୍ରସର ହୋଇ ଯିବାରେ ଆଧୁନିକ ରାଜନୀତି, ଆଧୁନିକ ବିଜ୍ଞାନ ଓ ଆଧୁନିକ ଅର୍ଥନୀତି ଇଉରୋପର କେତେ ପ୍ରକାରେ ସହାୟକ ହୋଇଛି, କେତେ ପ୍ରକାରେ ପ୍ରତିବନ୍ଧକ ପରି ମଧ୍ୟ କାମ କରିଛି । ସାନ ଇଉରୋପଟିକୁ ସେସବୁ ସାଂସ୍କୃତିକ ସ୍ଥିତି ସକଳ ଏକତ୍ୱ ସତ୍ତ୍ୱେ ଅନେକ ଖଣ୍ଡ କରିରଖିଛି ।

ଆୟତନରେ ଇଉରୋପ ଅନେକ ଗୁଣ ହେଉଛି ଏସିଆ । ଏହି ମହାଦେଶଟି ତୁନ୍ଦ୍ରାଞ୍ଚଳରୁ ବିଷୁବ ମଣ୍ଡଳ ପର୍ଯ୍ୟନ୍ତ ଏକାଧିକ କଟିବନ୍ଧରେ ବିସ୍ତୃତ ହୋଇ ରହିଛି । ଏଠାରେ କେତେପ୍ରକାର ସଂସ୍କୃତି ଏକାବେଳେକେ ବିକଶିତ ହୋଇଆସିଛନ୍ତି, ଏଠି ସଂସ୍କୃତି କେତେ ବିଚିତ୍ର ପଥରେ ମନୁଷ୍ୟସମାଜକୁ ଜୁଆଇ ରଖିଆସିଛି । ବର୍ତ୍ତମାନ ମଧ୍ୟ ଏଠାରେ ଏକାବେଳେକେ କେତେପ୍ରକାର ଅର୍ଥନୀତି ମଣିଷର ସାମୂହିକ ଜୀବନକୁ ପରସ୍ପରଠାରୁ ଭିନ୍ନ କରିରଖିଛି । ପୃଥିବୀରେ ପ୍ରତ୍ୟେକ ବଡ଼ ଭାଷା ଓ ପ୍ରତ୍ୟେକ ବଡ଼ ଧର୍ମର ଜନ୍ମଭୂମିରୂପେ ଆଜି ମଧ୍ୟ ଏସିଆର ଏକ ବଳିଷ୍ଠ ସ୍ୱାତନ୍ତ୍ର୍ୟ ରହିଛି । ଇଉରୋପରେ ରାଜନୀତି କହିଲେ ଜୀବନର ଯେତିକି ବଡ଼ ପୁଳାଟିକୁ ବୁଝାଏ, ଏସିଆର କୋଟି କୋଟି ଜନଗଣ ରାଜନୀତିକୁ ସେତେ ବେଶୀ ତାତ୍ପର୍ଯ୍ୟ ଦେଇ କଦାପି ବୁଝନ୍ତି ନାହିଁ ।

ଇଉରୋପର ବିଭିନ୍ନ ଦେଶ ମଧ୍ୟରେ ରହିଥିବା ବର୍ତ୍ତମାନ ସୀମାଟିକୁ ହେଲସିଙ୍କିଠାରେ ଆପୋଷ ରାଜିନାମା ଦ୍ୱାରା ସାଧାରଣ ଭାବରେ ସ୍ୱୀକୃତ ଏକ ସ୍ଥାୟୀ ସୀମା ବୋଲି ମାନି ନିଆଯାଇଛି । ଏସିଆରେ ବର୍ତ୍ତମାନ ସ୍ଥିତିରେ ସେତିକି ବି ସମ୍ଭବ ହୋଇପାରିବ କି ? ଏସିଆରେ ବର୍ତ୍ତମାନ ଏକାବେଳକେ କେତେ ପ୍ରକାରର ତନ୍ତ୍ର ଚାଲିଛି । କୋଉଠି ଜଣେ ରାଜା ବା ସମ୍ରାଟଙ୍କ ହାତରେ ଶାସନ ଅଛି, କେଉଁଠି ଡିକ୍‌ଟେଟର ଶାସନ ଚାଲିଛି ଏବଂ ଗଣତନ୍ତ୍ର ମଧ୍ୟ ନାନା ପରିଚ୍ଛଦରେ ଏହି ମହାଦେଶରେ ନାନାଭଳି ଦିଶୁଛି । ଏସିଆରେ ହଂକଂ ଅଛି, ମାକାଓ ଅଛି,–ତିବ୍ଦତ ଅଛି । ସାଇବିରିଆ ଓ ମଧ୍ୟଏସିଆର ବୃହତ୍ ଭୂଖଣ୍ଡଟି ଏକ ଇଉରୋପୀୟ ସଘଂର ଅନ୍ତର୍ଭୁକ୍ତ ହୋଇରହିଛି । ତେଣୁ ହେଲସିଙ୍କିରେ ପାରସ୍ପରିକ ଭୌଗୋଳିକ ସୀମାଗୁଡ଼ିକୁ ମାନିନେବା ଲାଗି ଯେପରି ଯଥାର୍ଥ ସ୍ଥିତିଟି ପରିପକ୍ୱ ହୋଇ ଆସିଥିଲା, ଏସିଆରେ ସେହି ପରିପକ୍ୱତା ହୁଏତ ଏପର୍ଯ୍ୟନ୍ତ ଆସିନାହିଁ ।

ହଁ, ଗୋଟିଏ କଥା ଅବଶ୍ୟ ସତ୍ୟ । ଯେଉଁ ସଦିଚ୍ଛା ଓ ରାଜନୀତିକ ସ୍ୱଚ୍ଛ ବୁଦ୍ଧି ଦ୍ୱାରା ଇଉରୋପରେ ହେଲସିଙ୍କିର ରାଜିନାମାଟି ସମ୍ଭବ ହୋଇପାରିଲା, ଆମେ ଏସିଆରେ ମଧ୍ୟ ସେହିପରି ସଦିଚ୍ଛା ଏବଂ ସ୍ୱଚ୍ଛ ବୁଦ୍ଧି ସକାଶେ ଅଧିକରୁ ଅଧିକ ପରିସର ଓ ଅଧିକ ଅନୁକୂଳତା ସୃଷ୍ଟି କରିବା । ଆମର ଏହି ମହାଦେଶରେ ଯେଉଁସବୁ ପରିବର୍ତ୍ତନ ଅବଶ୍ୟମ୍ଭାବୀ, ସେଗୁଡ଼ିକ ଅବଶ୍ୟ ହେବ । କିନ୍ତୁ ସେହି ପରିବର୍ତ୍ତନ ଭିତରେ ମଧ୍ୟ ସ୍ୱଚ୍ଛ ବୁଦ୍ଧି ହିଁ ନେତୃତ୍ୱ ନେଇପାରୁଥିବ, ଭବିଷ୍ୟତ ବିଷୟରେ ଏକ ସଦିଚ୍ଛା ହିଁ ଏହି ଯାବତୀୟ କ୍ଷେତ୍ରରେ ନିର୍ଣ୍ଣୟକାରୀ ଇଚ୍ଛା ହୋଇ ରହିଥିବ ।

ତା ୦୮.୦୯.୧୯୭୫ ରିଖ

Image

 

ଲିମାରୁ କଲମ୍ୱୋ

 

କାହିଁ ଦକ୍ଷିଣ ଆମେରିକାରେ ପେରୁ ଦେଶର ରାଜଧାନୀ ଲିମା ସହର ଓ କାହିଁ ଶ୍ରୀଲଙ୍କା ବା ସିଂହଳର ରାଜଧାନୀ କଲମ୍ୱୋ । ଏବର୍ଷ ସେହି ଅଗଷ୍ଟ ମାସରେ ଲିମା ସହରରେ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ସମ୍ମିଳନୀ ବସିଥିଲା ଓ ଆରବର୍ଷ ଅର୍ଥାତ୍‌ ୧୯୭୬ ମସିହାରେ ଏହି ଅଗଷ୍ଟ ମାସରେ କଲମ୍ୱୋ ସହରରେ ସେହି ବୈଦେଶିକ ମନ୍ତ୍ରୀମାନଙ୍କର ପରବର୍ତ୍ତୀ ସମ୍ମିଳନୀଟି ଅନୁଷ୍ଠିତ ହେବ । କଲମ୍ୱୋରେ ସେଥିଲାଗି ଏବଠାରୁ ସଜବାଜ ଆରମ୍ଭ ହେଲାଣି, ଏଡ଼େ ବଡ଼ ଗୋଟିଏ ସମ୍ମିଳନୀର ନିମନ୍ତ୍ରଣକାରୀ ଦେଶରୂପେ ଶ୍ରୀଲଙ୍କାର ସରକାର ଏବଠାରୁ ମଧ୍ୟ ପ୍ରସ୍ତୁତ ହେଲେଣି ।

 

ଏହି ସମ୍ମିଳନୀକୁ ବିଶ୍ୱର ୭୫ଟି ବିଭିନ୍ନ ଦେଶର ପ୍ରତିନିଧି ମଣ୍ଡଳ ଆସିବେ । ଆଉ ୨୫ଟି ବଡ଼ ବଡ଼ ରାଜନୀତିକ ସଂଗଠନ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେ । ଅର୍ଥାତ୍‌ ଏହି ସଂକ୍ରାନ୍ତରେ ପ୍ରାୟ ପାଞ୍ଚ ହଜାର ପରିଦର୍ଶକ ସେତେବେଳେ ଶ୍ରୀଲଙ୍କାକୁ ଆସିବେ । ଏହି ସମ୍ମିଳନୀରେ ମୋଟ ଚାରୋଟି ଭାଷାରେ ଯୁଗପତ୍‌ ଭାବରେ ସମ୍ମିଳନୀର ଯାବତୀୟ କାରବାର ହେବାର ବ୍ୟବସ୍ଥା ରହିବ । ସେହି ଚାରୋଟି ଭାଷା ହେଉଛି :- ଆରବୀ, ଇଂରାଜୀ, ଫରାସୀ ଏବଂ ସ୍ପାନିଶ୍‌ । ସମ୍ମିଳନୀକୁ କେତେ ବିଭିନ୍ନ ଧର୍ମର ଓ ବିଭିନ୍ନ ଜାତିର ପ୍ରତିନିଧି ଆସିବେ, କେତେଭଳି ରାଜନୀତିକ ଗଢ଼ଣରେ ଚାଲୁଥିବା ରାଷ୍ଟ୍ରମାନେ ଏହି ସମ୍ମିଳନୀରେ ପ୍ରତିନିଧିତ୍ୱ କରିବେ । ଶ୍ରୀଲଙ୍କା ପ୍ରଥମ କରିଏପରି ଏକ ବଡ଼ ସମ୍ମିଳନୀରେ ଦାୟିତ୍ୱ ବହନ କରିବାକୁ ଯାଉଛି, ତେଣୁ ସେଥିଲାଗି ଏଇଦିନୁ ସଜ ହେଲାଣି ।

 

ପ୍ରାଥମିକ ଭାବରେ ଯାହା ଅଟକଳ କରାଯାଇଛି, ସେଥିରୁ ଏହି ସମ୍ମିଳନୀରେ ନଅକୋଟିରୁ ସାଢ଼େ ବାରକୋଟି ପର୍ଯ୍ୟନ୍ତ ଟଙ୍କା ଖରଚ ହେବ ବୋଲି ଅନୁମାନ କରାଯାଉଛି । ଗୋଷ୍ଠୀ ନିରପେକ୍ଷ ବିଭିନ୍ନ ରାଷ୍ଟ୍ର ଏହି ଖର୍ଚ୍ଚକୁ ଏକତ୍ର ତୁଲାଇବେ । କିଏ ଏଇଟା ତୁଲାଇନେବ ତ କିଏ ସେଇଟା ତୁଲାଇନେବ ।

 

ଗୋଷ୍ଠୀନିରପେକ୍ଷତା କହିଲେ ପ୍ରକୃତରେ କ’ଣ ବୁଝାଇବ ଓ କେଉଁସବୁ ଦେଶକୁ ଆମେ ଗୋଷ୍ଠୀନିରପେକ୍ଷ ବୋଲି କହିପାରିବା ? ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ଭାଷାରେ କହିଲେ, ଯେଉଁସବୁ ଦେଶ କୌଣସି ସାମରିକ ମେଣ୍ଟର ସଦସ୍ୟ ନ ହୋଇଛନ୍ତି ଏବଂ ଯେଉଁମାନେ ପୃଥିବୀର ସବୁ ଦେଶଙ୍କ ସହିତ ବନ୍ଧୁତାର ସମ୍ପର୍କ ରଖିବାକୁ ଇଚ୍ଛା କରୁଛନ୍ତି, ସେହିମାନେ ହେଉଛନ୍ତି ଗୋଷ୍ଠୀନିରପେକ୍ଷ ଦେଶ ।

 

ଗୋଟାଏ ସମୟ ଥିଲା, ଯେତେବେଳେ କୌଣସି ଏକ ସାମରିକ ଗୋଷ୍ଠୀରେ ସଦସ୍ୟ ହୋଇ ରହିବାକୁ ହିଁ ଏକମାତ୍ର ବାସ୍ତବ ରାଜନୀତି ବୋଲି ବିଚାର କରାଯାଉଥିଲା । ଇଉରୋପ ଓ ଆମେରିକାରେ ଏହା ବ୍ୟତୀତ କୌଣସି ରାଷ୍ଟ୍ରନୀତି ଏବଂ ବିଶ୍ୱ ରାଜନୀତିର କଳ୍ପନା ହିଁ କରାଯାଇପାରୁନଥିଲା । ପୃଥିବୀର ଦୁଇଟି ବୃହତ୍ ଶକ୍ତି ଦୁଇ ବିରୋଧୀ ବାଦ, ଦୁଇ ବିରୋଧୀ ଶିବିରରେ ନାୟକ ହୋଇ ରହିଥିଲେ ଏବଂ ଦୁଇଟି ମଧ୍ୟରୁ କୌଣସି ଗୋଟିଏ ପଟକୁ ଆଉଜି ପଡ଼ିବା ବ୍ୟତୀତ ସତେଯେପରି ଆଉ କୌଣସି ରାଜନୀତି ହିଁ ନଥିଲା । ଆଶା କରାଯାଉଥିଲା ଯେ ନୂତନ ହୋଇ ସ୍ୱାଧୀନତା ହାସଲ କରୁଥିବା ଏସିଆ ଓ ଆଫ୍ରିକାର ଦେଶଗୁଡ଼ିକ ମଧ୍ୟ ଏହିପରି ଭାବରେ ଏପାଖକୁ ନଚେତ୍ ସେପାଖକୁ ଆଉଜି ପଡ଼ିବେ ଓ ତା’ ଫଳରେ ସମୁଦାୟ ପୃଥିବୀ ଜବର ହୋଇ ଅତି ପରିଷ୍କାର ଭାବରେ ଦୁଇଟି ଶିବିରରେ ବିଭକ୍ତ ହୋଇରହିବ, ଗୋଟିଏ ଆରେକଟିର ପ୍ରତିଦ୍ୱନ୍ଦ୍ୱୀ ପୂର୍ଣ୍ଣ ସଶସ୍ତ୍ର ହୋଇ ତିଆରି ହେଉଥିବ । ସେତେବେଳେ ଏପଟ ଓ ସେପଟ ତରଫରୁ ଏହି ତଥାକଥିତ ତୃତୀୟ ପୃଥିବୀଟିକୁ ଆପଣା ପଟକୁ ଆଉଜାଇ ନେବାକୁ କେତେ ଯେ ରାଜନୀତିକ ଓ ଅନ୍ୟ ଚାପର ପ୍ରୟୋଗ କରାହୋଇଛି, ସେଗୁଡ଼ାକ ବର୍ତ୍ତମାନ ଇତିହାସ ହୋଇ ରହିଗଲାଣି ।

 

ଯେଉଁମାନେ ବିଶ୍ୱର ଏହିପରି ଏକ ଭୟାବହ ଗତି ହେଉ ବୋଲି ସପକ୍ଷରେ ନଥିଲେ, ସେହିମାନେ ଗୋଷ୍ଠୀନିରପେକ୍ଷ ଦଳଟିକୁ ଗଢ଼ିଲେ । ଭାରତବର୍ଷର ପଣ୍ଡିତ ନେହେରୁ, ଯୁଗୋସ୍ଲାଭିୟର ମାର୍ଶାଲ ଟିଟୋ ଓ ମିଶରର ରାଷ୍ଟ୍ରପତି ନାସେରଙ୍କୁ ଆମେ ଏହି ନୂତନ ରାଜନୀତି ଓ ନୂତନ ବିଶ୍ୱନୀତିର ପୁରୋଧା ବୋଲି କହିପାରିବା । ପଶ୍ଚିମ ଇଉରୋପ ଓ ଆମେରିକାରେ ସେତେବେଳେ ଗୋଷ୍ଠୀନିରପେକ୍ଷତାକୁ ଅବାସ୍ତବତା ବୋଲି କହି କେତେ ଉପହାସ କରାଯାଇଥିଲା; ନବସ୍ୱାଧୀନ ଦେଶଗୁଡ଼ିକୁ ପଘାରେ ବାନ୍ଧି ରଖିବାକୁ କେତେମନ୍ତେ ପ୍ରୟାସ କରାଯାଇଥିଲା ।

 

ଗୋଷ୍ଠୀନିରପେକ୍ଷ ଦେଶମାନେ ପୃଥିବୀକୁ ଦୁଇଟି ବିବାଦମାନ ଓ ପ୍ରତିଦ୍ୱନ୍ଦ୍ୱୀ ଶିବିରରେ ବିଭକ୍ତ ହୋଇଥିବା ଦୁଇଟି ଖଣ୍ଡ ବୋଲି ହିଁ ବିଶ୍ୱାସ କରନ୍ତି ନାହିଁ, ସେମାନେ ସମଗ୍ର ପୃଥିବୀକୁ ଗୋଟିଏ ଗୋଷ୍ଠୀ ବୋଲି ହିଁ ବିଶ୍ୱାସ କରନ୍ତି । ପୃଥିବୀର ଭାଗ୍ୟକୁ ସେମାନେ ଗୋଟିଏ ଭାଗ୍ୟ ବୋଲି ବିଶ୍ୱାସ କରନ୍ତି । ପୁରୁଣା ରାଜନୀତିରେ ଯୁଦ୍ଧ ଲାଗି ଅବିରାମ ପ୍ରସ୍ତୁତିକୁ ହିଁ ଶାନ୍ତି ବୋଲି କୁହାଯାଉଥିଲା ।

 

ବିଶ୍ୱର ରାଜନୀତିରେ ସମ୍ମିଳିତ ବିକାଶ ଲାଗି ସମ୍ମିଳିତ ଉଦ୍ୟମକୁ ହିଁ ନୂତନ ମାର୍ଗଦର୍ଶକ ବୋଲି କ୍ରମେ ଗ୍ରହଣ କରାଗଲାଣି ଏବଂ ଏହି ଦିଗ-ପରିବର୍ତ୍ତନରେ ଗୋଷ୍ଠୀନିରପେକ୍ଷ ଓ ତୃତୀୟ ପୃଥିବୀର ସମ୍ଭବତଃ ସବୁଠାରୁ ଅଧିକ ଅବଦାନ ରହିଛି । ଗୋଷ୍ଠୀଗୁଡ଼ାକ କ୍ରମେ ଅନାବଶ୍ୟକ ପ୍ରମାଣିତ ହେଉଛନ୍ତି, ଭାଙ୍ଗି ଭାଙ୍ଗି ଯାଉଛନ୍ତି । ପୃଥିବୀ ଅନ୍ୟ ପ୍ରକାରେ ଚିନ୍ତା କରିଶିଖୁଛି ।

 

ତା ୦୯.୦୯.୧୯୭୫ ରିଖ

Image

 

ବିଶ୍ୱସିନ୍ଦୂକ ସମ୍ୱାଦ

 

ବିଶ୍ୱ ବ୍ୟାଙ୍କ୍‌ ଏବଂ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସଭାରେ ଭାରତର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ସୁବ୍ରହ୍ମଣ୍ୟମ୍‌ ମୁଦ୍ରା ମାଲିକମାନଙ୍କୁ କହିଛନ୍ତି ଯେ ସେମାନେ ବଜାର ରେଟ୍‌ରେ କିଛି ସୁନା ବିକ୍ରୀ କରନ୍ତୁ ଓ ସେଥିରୁ ଲବ୍‌ଧ ଅର୍ଥରାଶିକୁ ବିକାଶମୁଖୀ ଦେଶଗୁଡ଼ିକୁ ସାହାଯ୍ୟରୂପେ ଦିଅନ୍ତୁ । ବିଶ୍ୱବ୍ୟାଙ୍କ୍‌ ଏବଂ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ସଭାମାନଙ୍କରେ ଏପରି ଅନୁରୋଧ ଆଗରୁ ମଧ୍ୟ ଏକାଧିକବାର କରାଯାଇଛି । ଏହି ଅନୁରୋଧକୁ ଦାତାମାନେ କର୍ଣ୍ଣପାତ କରିନାହାନ୍ତି । ଏଥର ଯେ କର୍ଣ୍ଣପାତ କରିବେ, ସେପରି ବିଶ୍ୱାସ କରିବାଲାଗି ଆଦୌ କୌଣସି ବିଶେଷ କାରଣ ନାହିଁ ।

 

ବିଶ୍ୱ ବ୍ୟାଙ୍କ୍‌ ସମୁଦାୟ ବିଶ୍ୱର ଅର୍ଥକୁ ନେଇ ଗଢ଼ାଯାଇଥିବା ଏକ ବ୍ୟାଙ୍କ ନୁହେଁ ଅଥବା ଆନ୍ତର୍ଜାତିକ ମୁଦ୍ରାପାଣ୍ଠିରେ ମଧ୍ୟ ଆନ୍ତର୍ଜାତିକତା ଖୋଜିବାକୁ ଗଲେ ଆମକୁ ନିଶ୍ଚୟ ହତାଶ ହେବାକୁ ପଡ଼ିବ । ଏହି ଦୁଇଟି ଅର୍ଥ-ଅନୁଷ୍ଠାନ ପୃଥିବୀର କେତୋଟି ଅର୍ଥସ୍ୱଚ୍ଛଳ ବଳକା ଦେଶମାନଙ୍କ ଦ୍ୱାରା ଗଠିତ ହୋଇଛି, ସେହିମାନଙ୍କର ସ୍ୱାର୍ଥଗୁଡ଼ିକୁ ଆଗ ଜଗି ତା’ପରେ ଯାଇ ଅଧିକ ଅର୍ଥ ଓ ଅଧିକ ପୁଞ୍ଜି ଲୋଡ଼ୁଥିବା ଦେଶମାନଙ୍କୁ ସାହାଯ୍ୟ କରିବା ଲାଗି ସେଥିରେ ଏକ ବ୍ୟବସ୍ଥା ରହିଛି । ଶିଳ୍ପ ଓ ଉଦ୍ୟୋଗ ଦୃଷ୍ଟିରୁ ବିକଶିତ ଦେଶମାନେ ହିଁ ଏହି ପାଣ୍ଠି ଦୁଇଟିର କାରବାର କରୁଛନ୍ତି, ଅର୍ଥବିତରଣର ନିୟମଗୁଡ଼ିକୁ ଧାର୍ଯ୍ୟ କରିଦେଉଛନ୍ତି ।

 

ବର୍ତ୍ତମାନ ଏହି ବିକଶିତ ଧନୀ-ଦେଶଗୁଡ଼ିକ ହିଁ ଏକ ଅନ୍ୟପ୍ରକାର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି । ସେସବୁ ଦେଶରେ ଜନଗହଳରୁ ସୃଷ୍ଟିନାଶ ହେବାକୁ ଯାଉଛି, ଅର୍ଥାଧିକ ହିଁ ସମସ୍ୟା ହୋଇଛି । ଜିନିଷଗୁଡ଼ାକର ଦରଦାମ୍‌ ହୁ’ହୁ’ ବଢ଼ିଯାଉଛି, ମୁଦ୍ରାସ୍ଫୀତିର ବେଗ ଆଉ ସତେଅବା ବୋଲ ହିଁ ମାନୁନାହିଁ । ପୁଞ୍ଜିବାଦ ଯୁଗର ଅର୍ଥନୈତିକ ମୂଳ ସିଦ୍ଧାନ୍ତଗୁଡ଼ାକ ବର୍ତ୍ତମାନ ଯେଉଁ ପ୍ରାୟ ଅକାମୀ ଓ ଅଚଳ ଅବସ୍ଥାରେ ଆସି ପହଞ୍ଚିଲେଣି, ସେହି ଦେଶଗୁଡ଼ିକୁ ବର୍ତ୍ତମାନ ସେହି ଅବସ୍ଥାଟିର ସମ୍ମୁଖୀନ ହେବାକୁ ପଡ଼ୁଛି । ନିଜ କଥା ଅସମ୍ଭାଳ ହୋଇ ଆସୁଥିବାବେଳେ ସେମାନେ ଯେ ଅନ୍ୟ ଦେଶକୁ ସାହାଯ୍ୟ କଲାଭଳି କିଛି କରିବେ, ଅଳ୍ପ ସୁଧରେ ଋଣ ଦେବେ, ସେକଥା ଆଦୌ ବିଶ୍ୱାସ କରିହେଉନାହିଁ ।

 

ଏହି ମୁଦ୍ରାପାଣ୍ଠି ଦୁଇଟିରେ ଭାରତବର୍ଷ ଯେତେ ସୁନା ଜମା ଦେଇଥିଲା, ସେହି ମୁତାବକ ଋଣ ସେ ଆଗରୁ ପାଇସାରିଲାଣି, ପ୍ରଥମ ମୁଥ ଋଣଟି ପାଇସାରିବା ପରେ ଦ୍ୱିତୀୟ ମୁଥ ଋଣ ନେବାବେଳକୁ ବ୍ୟାଙ୍କ୍‌ ଓ ମୁଦ୍ରାପାଣ୍ଠି ତରଫରୁ ପ୍ରଦତ୍ତ କେତେକ ସର୍ତ୍ତ ଅନୁସାରେ ହିଁ ଋଣ ନେବାକୁ ପଡ଼େ । ୧୯୬୬ ମସିହାରେ ଭାରତ ଏହିପରି ଋଣ ପାଇଥିଲା । ଭାରତୀୟ ମୁଦ୍ରାର ଅବମୂଲ୍ୟନ ହେଉ ବୋଲି ସର୍ତ୍ତ ଦିଆଯାଇଥିଲା । ଭାରତ ସର୍ତ୍ତ ମାନି ଋଣ ଆଣିଲା । ଚିଲିରେ ରାଷ୍ଟ୍ରପତି ଆୟେଣ୍ଡେଙ୍କର ଶାସନ ସମୟରେ ଚିଲି ଋଣ ମାଗିବାରୁ କୁହାଗଲା ଯେ ଚିଲି ଆଗ ତା’ର ତମ୍ୱାଖଣିଗୁଡ଼ିକ ଉପରୁ ଜାତୀୟକରଣ ଉଠାଇନେଉ, ତା’ପରେ ଋଣ ଦିଆଯିବ । ବାଂଲାଦେଶ ଓ ଶ୍ରୀଲଙ୍କାକୁ ଋଣ ଦିଆଗଲାବେଳେ ମଧ୍ୟ ସେହିପରି ଗୋଟିଏ ଗୋଟିଏ ସର୍ତ୍ତ ବଢ଼ାଯାଇଥିଲା । ଅର୍ଥମନ୍ତ୍ରୀ ସୁବ୍ରହ୍ମଣ୍ୟମ୍‌ ଏଥର ଅନୁରୋଧ କରିକହିଛନ୍ତି ଯେ ସର୍ତ୍ତ ନୀତିରେ କୋହଳ କରାଗଲେ ଯାଇ ଭାରତ କିଛି ଦ୍ୱିତୀୟ ମୁଥ ଋଣ ନେବାଲାଗି ସମର୍ଥ ହେବ । ଅସଲ କଥା ହେଉଛି ଯେ ଏହି କ୍ଷେତ୍ରରେ ସର୍ତ୍ତ ରହିଥିବା ପର୍ଯ୍ୟନ୍ତ ଭାରତବର୍ଷର କୌଣସି ଋଣ ସ୍ୱୀକାର କରିବା ଆଦୌ ଉଚିତ ହେବନାହିଁ । କାରଣ ସବୁ କ୍ଷେତ୍ରରେ ହିଁ ଏହି ସର୍ତ୍ତଗୁଡ଼ିକ କେବଳ କ୍ଷତିକାରକ ବୋଲି ସାବ୍ୟସ୍ତ ହୋଇଛି ।

 

ଏହି ଋଣଗୁଡ଼ାକର ପରିଶୋଧ କିପରି ହେବ ? ଆମେ ଆମ ଦାତାମାନଙ୍କର କବଳରୁ କେବେ ଓ କିପରି ମୁକ୍ତ ହୋଇ ଆସିପାରିବା ? ସେମାନଙ୍କ ପାଖରେ ତ ଆଉ ସବୁଦିନେ ବନ୍ଧା ପଡ଼ି ରହିଲେ ହେବ ନାହିଁ । ଆମ ଦେଶର ରପ୍ତାନି ବଢ଼ିଲେ ଯାଇ ଆମକୁ ମୁକୁଳିବାର ଏକ ବାଟ ମିଳିଯିବ । ବର୍ତ୍ତମାନ ଆମେ ଯେଉଁସବୁ ଦ୍ରବ୍ୟଲାଗି ବିଦେଶ ଉପରେ ନିର୍ଭର କରୁଛୁ ଓ ତେଣୁ ସେଗୁଡ଼ିକୁ ବିଦେଶରୁ ଆମଦାନୀ କରିବାକୁ ବାଧ୍ୟ ହେଉଛୁ, ସେହି ଦ୍ରବ୍ୟଗୁଡ଼ିକୁ ନିଜ ଦେଶରେ ଉତ୍ପାଦନ କରିପାରିଲେ ମଧ୍ୟ ଆମେ ଆର୍ଥିକ କ୍ଷେତ୍ରରେ ସ୍ୱୟଂନିର୍ଭର ହୋଇଯିବା । ବିଶେଷତଃ, ବର୍ତ୍ତମାନ ଆମକୁ ଯେପରି ଲକ୍ଷ ଲକ୍ଷ ଟନ ଖାଦ୍ୟଶସ୍ୟ ବିଦେଶରୁ ହିଁ ମଗାଇବାକୁ ଅର୍ଥାତ୍‌ କିଣିବାକୁ ପଡ଼ୁଛି, ନିଜ ଦେଶରେ ଖାଦ୍ୟଶସ୍ୟର ଉତ୍ପାଦନ ବଢ଼ାଇ ଆମେ ଏଇଠି ଆମର ଆବଶ୍ୟକ ଖାଦ୍ୟ ପରିମାଣଟିକୁ ଉପଲବ୍‌ଧି କରିପାରିଲେ ବିଦେଶୀ ଅର୍ଥ ସାହାଯ୍ୟ ଲାଗି ଆମର ଆବଶ୍ୟକତା ଆପେ ଆପେ କମ୍‌ ହୋଇଯିବ ।

 

ବାହାର ଉପରେ ନିର୍ଭର କରୁଥିବା ପର୍ଯ୍ୟନ୍ତ ବାହାରର କେତେ ପ୍ରମାଦର ଶିକାର ହେବାଲାଗି ମଧ୍ୟ ଆମର ଛିଦ୍ରଗୁଡ଼ାକ ମେଲା ହୋଇ ରହିଥିବ । ସାହାଯ୍ୟକାରୀଙ୍କର ଗହଳ ଭିତରେ ଗୋଇନ୍ଦା ବି ଆସୁଥିବେ, ଏଠି ସେମାନଙ୍କର କାରବାର ଲାଗି ଗୋପନ ଗାତମାନ ତିଆରି କରିରଖୁଥିବେ । ଘର ଭିତରେ ହିଁ ତଣ୍ଟିକଟାମାନଙ୍କୁ ସୃଷ୍ଟି କରିବାର ସୁରାଖ ଖୋଜୁଥିବେ । ତେଣୁ ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହିଁ ଲକ୍ଷ୍ୟ ହୋଇରହିବା ଉଚିତ । ଏହାକୁ ଏକ ଜାତୀୟ ଲକ୍ଷ୍ୟ ବୋଲି ଗ୍ରହଣ କରାଯିବା ଉଚିତ ।

 

ତା ୧୧.୦୯.୧୯୭୫ ରିଖ

Image

 

ଉତ୍ସବରେ କେହି ନଥିଲେ

 

ଏବେ କେତେଦିନ ତଳେ ସୁଦୂର ସୁଇଜରଲାଣ୍ଡର ଜେନେଭା ସହରରେ ମିଶର ଏବଂ ଇସ୍ରାଏଲ ମଧ୍ୟରେ ସିନାଇ ମାଳଭୂମି ବିଷୟରେ ଯେଉଁ ଅସ୍ଥାୟୀ ଚୁକ୍ତିଟିଏ ସ୍ୱାକ୍ଷରିତ ହେଲା ଏବଂ ସେଥିଲାଗି ଅନୁଷ୍ଠାନିକ ଭାବରେ ଯେଉଁ ଉତ୍ସବଟି ଅନୁଷ୍ଠିତ ହେଲା, ସେଠି କୁଆଡ଼େ କେହି ଉପସ୍ଥିତ ନ ଥିଲେ । ମଧ୍ୟପ୍ରାଚ୍ୟର ଯୁଦ୍ଧ ବନ୍ଦ ହେବ ବୋଲି ଜେନେଭାଠାରେ ଯେଉଁ ସମ୍ମିଳନୀମାନ ଗତ କେତେମାସ ହେଲା ବସୁଥିଲା, ସେଥିରେ ଆମେରିକା ଓ ଋଷିଆ ଦୁହେଁଯାକ ମୁଖ୍ୟ ଉଦ୍ୟୋକ୍ତା ରୂପେ କାର୍ଯ୍ୟ କରିଆସିଥିଲେ । ମଧ୍ୟପ୍ରାଚ୍ୟର ମାମଲାରେ ଏକ ଆଞ୍ଚଳିକ ଶାନ୍ତିଚୁକ୍ତିର ଘୋଷଣା କରିକିନ୍ତୁ ସେହି ଜେନେଭା ସହରରେ ଯେଉଁ ରାଜିନାମା ସ୍ୱାକ୍ଷରିତ ହେଲା, ସେଥିରେ ରୁଷିଆ ବା ଆମେରିକା କେହି ଯୋଗ ଦେଲେନାହିଁ ।

ଅନେକ ବିଫଳତା ଏବଂ ଅନେକ ବରାଦ ପରେ ଏହି ଯେଉଁ ସାମୟିକ ଚୁକ୍ତିଟିରେ ମିଶର ଏବଂ ଇସ୍ରାଏଲ ଉଭୟେ ରାଜି ହେଲେ, ତାହା ଫଳରେ ସିନାଇ ମାଳଭୂମିରେ ଇସ୍ରାଏଲ ତା’ର ଅଧିକୃତ ଅଞ୍ଚଳଗୁଡ଼ିକୁ କେତେଶହ ବର୍ଗ ମାଇଲ ପଛକୁ ହଟିଯିବ ଏବଂ ତାହା ବଦଳରେ ମିଶର ସୁଏଜ କେନାଲ ବାଟଦେଇ ଇସ୍ରାଏଲର ମାଲବାହୀ ଜାହାଜମାନଙ୍କୁ ଗତି କରିବାଲାଗି ଅନୁମତି ଦେବ । ସିନାଇ ମାଳଭୂମିର ଅଧିକାର-ରେଖାଟିକୁ ସୁରକ୍ଷିତ କରିରଖିବାଲାଗି ସେଠାରେ ଆମେରିକା ତରଫରୁ ଦୁଇଶହ ବ୍ୟକ୍ତିଙ୍କର ଏକ ପ୍ରଶିକ୍ଷିତ ବାହିନୀ ନିଯୁକ୍ତ ହୋଇ ରହିବ-। ଏହି ବାହିନୀଟି ଆମେରିକାର ନିଜ ଖରଚରେ ସେଠାରେ ରହିବ । ଏପର୍ଯ୍ୟନ୍ତ ସୀମାରେଖା ଜଗିବା ସକାଶେ ଜାତିସଂଘ ତରଫରୁ ହିଁ ଏହିଭଳି ବାହିନୀମାନେ ନିଯୁକ୍ତ କରିରଖାଯାଉଥିଲା । ଆମେରିକାର ପ୍ରଶିକ୍ଷିତ ବାହିନୀ କାହିଁକି ଏହି ଦାୟିତ୍ୱଟିକୁ ବହନ କରିସେଠାରେ ରହିବ, ତାହାର ପ୍ରତିବାଦ କରିସୋଭିଏଟ୍‌ ରୁଷିଆ ସରକାର ଜେନେଭାର ରାଜିନାମା ସ୍ୱାକ୍ଷର ଉତ୍ସବକୁ ନିଜର କୌଣସି ପ୍ରତିନିଧି ପଠାଇଲେ ନାହିଁ । ରୁଷିଆ ପ୍ରତିନିଧି ନ ପଠାଇବାର ଘୋଷଣା କଲାରୁ ଅପର ପକ୍ଷରେ ଆମେରିକା ସରକାର କ’ଣ ଭାବିଲେ କେଜାଣି, ସିଏ ମଧ୍ୟ ତାଙ୍କର କୌଣସି ପ୍ରତିନିଧି ପଠାଇଲେ ନାହିଁ ।

ଏହି ଚୁକ୍ତି ଓ ରାଜିନାମାଟିର ଗୁରୁତ୍ୱ ବା ଆବଶ୍ୟକତାଟିକୁ ହୃଦୟଙ୍ଗମ କରିଯେ ମିଶର ଏବଂ ଇସ୍ରାଏଲ ତାହାକୁ ସ୍ୱାକ୍ଷର କରିବାକୁ ରାଜି ହେଲେ, ସେକଥା ଆଦୌ ନୁହେଁ । ସେମାନଙ୍କୁ ଅନେକ ପ୍ରଲୋଭନ ଦେଖାଇ ଅନେକ ପ୍ରକାରେ ପ୍ରବର୍ତ୍ତାଇ ଆପୋଷ କଥାବାର୍ତ୍ତା ଓ ଆପୋଷ ରାଜିନାମାର ଟେବୁଲ ପାଖକୁ ମଙ୍ଗାଇ ଆଣିବାକୁ ପଡ଼ିଲା ଓ ଏସବୁଯାକ କାର୍ଯ୍ୟ ଆମେରିକା ସରକାରଙ୍କର ବୈଦେଶିକ ବ୍ୟାପାର ବିଭାଗର ସଚିବ ଶ୍ରୀଯୁକ୍ତ ହେନରି କିସିଞ୍ଜରକୁ ହିଁ କରିବାକୁ ପଡ଼ୁଥିଲା । ଏହି ମଙ୍ଗାଇବାରେ ଏବଂ ସେଥିଲାଗି ଆବଶ୍ୟକ ପ୍ରଲୋଭନଗୁଡ଼ିକୁ ଆଣିଦେବାରେ ଆମେରିକାକୁ ମହାର୍ଘ ମୂଲ୍ୟ ଦେବାକୁ ପଡ଼ିଲା । ଆମେରିକା ସରକାର ଇସ୍ରାଏଲ ଓ ମିଶର ଦୁଇପକ୍ଷକୁ ହିଁ ସାମାରିକ ସାହାଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଲେ । ଏପରିକି ଇସ୍ରାଏଲ୍‍କୁ କୌଣସି ସାମରିକ ସାହାଯ୍ୟ ଦିଆଯବ ନାହିଁ ବା ତା’ ସହିତ ଅସ୍ତ୍ରଶସ୍ତ୍ରର କୌଣସି କାରବାର ହେବନାହିଁ ବୋଲି ମୋଟେ ଛଅଟି ମାସ ପୂର୍ବେ ଆମେରିକା ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଥିଲେ, ଜେନେଭାର ତଥାକଥିତ ରାଜିନାମାଟି ସକାଶେ ତାଙ୍କୁ ସେହି ନିଷ୍ପତ୍ତିଟାକୁ ପୁଣି ନାକଚ କରିଦେବାକୁ ପଡ଼ିଲା ।

ଜେନେଭା ରାଜିନାମା ସ୍ୱାକ୍ଷରିତ ହେବାର ମାତ୍ର ଗୋଟିଏ ସପ୍ତାହ ନ ଯାଉଣୁ ମିଶରର ରାଷ୍ଟ୍ରପତି ଶ୍ରୀଯୁକ୍ତ ସାଦତ୍‌ ଦେଶକୁ ଫେରି ତାଙ୍କ ଦେଶର ବୈଜ୍ଞାନିକମାନଙ୍କର ଗୋଟିଏ ସମ୍ମିଳନୀ ଡକାଇଲେ ଏବଂ ସେମାନେ କେତେ କମ୍ ସମୟରେ ଦେଶର ସୁରକ୍ଷାବାହିନୀ ଅର୍ଥାତ୍‌ ସମରବାହିନୀ ସକାଶେ ପରମାଣୁ ବୋମା ତିଆରି କରିଯୋଗାଇ ଦେଇପାରିବେ, ସେକଥା ହିସାବ କରିଶୀଘ୍ର ଜଣାଇବା ଲାଗି ସେମାନଙ୍କୁ ନିର୍ଦ୍ଦେଶ ଦେଲେ । ସାମରିକ ହାଲଚାଲ ବିଷୟରେ ଯେଉଁମାନେ ଆପଣାକୁ ସୁଅବଜ୍ଞାତ କରାଇ ରଖିଛନ୍ତି ସେମାନେ କହୁଛନ୍ତି ଯେ ଇସ୍ରାଏଲ ବେଶ୍‌ କେତେ ବର୍ଷ ହେଲା ଆଣବିକ ବୋମାର ଅଧିକାରୀ ହୋଇସାରିଲାଣି । ତେଣୁ, କଥାଗୁଡ଼ାକ ଯେତେବେଳେ ଏତେଦୂର ଯାଏ ଗଲାଣି ଓ ମଧ୍ୟପ୍ରାଚ୍ୟର ବିବଦମାନ ପକ୍ଷମାନେ ଯେତେବେଳେ ବିବାଦ ମେଣ୍ଟାଇବେ ବୋଲି ପରମାଣୁ ବୋମା କଥା ଚିନ୍ତା କଲେଣି, ସେତେବେଳେ ଜେନେଭାରେ କେବଳ ସିନାଇ ମାଳଭୂମିଟା ବିଷୟରେ ଅନ୍ୟ ପକ୍ଷର କେବଳ ଗୋଟିଏ ଦେଶ ମିଶରକୁ ହାତକୁ ଆଣି ଇସ୍ରାଏଲ ସହିତ ଗୋଟାଏ ରାଜିନାମା ସ୍ୱାକ୍ଷରିତ କରିବାର ମହାର୍ଘ ଫନ୍ଦାରେ ଯେ କି କାରଣ ପ୍ରକୃତରେ ରହିଛି, ସେକଥା ସେହି ଆମେରିକା ସରକାରଙ୍କୁ ଜଣାଥିବ ବା ସମସ୍ତ ପ୍ରହସନଟିର ସୂତ୍ରଧର ଶ୍ରୀ କିସିଞ୍ଜର ତାହାର ଭେଦଟିକୁ ବୁଝିଥିବେ ।

ଆରବ ଜଗତର ଅନ୍ୟାନ୍ୟ ଦେଶମାନେ ଏହି ଚୁକ୍ତି ସ୍ୱାକ୍ଷରର ନିନ୍ଦା କରିଛନ୍ତି ଏବଂ ଆରବ ଦେଶଗୁଡ଼ିକ ମଧ୍ୟରେ ତୁଚ୍ଛା ମତଭେଦ ଓ ପାରସ୍ପରିକ ଭୁଲ ବୁଝାମଣା ଆଣି ପୂରାଇ ଦେଉଥିବା ସକାଶେ ଆମେରିକା ସରକାରଙ୍କୁ ଦୋଷୀ କରାଇଛନ୍ତି । ଆମେରିକାରେ ମଧ୍ୟ ସଂପୃକ୍ତ ଅନେକ ମହଲ ଏହାକୁ ଆଦୌ ସ୍ୱାଗତ କରିପାରି ନାହାନ୍ତି । କୋଡ଼ିଏ ବର୍ଷତଳେ ଏହିପରି ଏକ ଗେଲଖେଳ ଖେଳୁ ଖେଳୁ ଆମେରିକା ଯେପରି ଭିଏତନାମରେ ଗୋଟାସୁଦ୍ଧା ଛନ୍ଦି ହୋଇପଡ଼ିଥିଲା, ଜେନେଭାରେ ଆଚରିତ ଅତ୍ୟୁତ୍ସାହୀ ମଧ୍ୟସ୍ଥତା ଦ୍ୱାରା ସେ ପୁଣି ସେହି ବିପଦଟିକୁ ଆପଣା ଅଣ୍ଟିକୁ ଡାକି ଆଣୁଛି ବୋଲି ସେମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

ତା ୧୩.୦୯.୧୯୭୫ ରିଖ

Image

 

ଶୂନ୍ୟସ୍ଥାନର ପ୍ରପୂରଣ

 

ଭିଏତ୍‌ନାମ୍‌ରେ ଯୁଦ୍ଧ ସରିଯିବା ପରେ ସେହି ଅଞ୍ଚଳରେ ସତେ ଯେପରି ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଗଲା ବୋଲି ଆନ୍ତର୍ଜାତିକ ରାଜନୀତିକୁ ତୁଚ୍ଛା କେତେଟା ପ୍ରଭାବ ମଣ୍ଡଳର ପରସ୍ପରାକର୍ଷଣର ନୀତି ବୋଲି ବୁଝୁଥିବା କେତେକ ମହଲ ଅଭିଯୋଗ କଲାପରି କହୁଛନ୍ତି । ଆମେରିକା ରାଜନୀତି ଓ ଆମେରିକାର ବୈଦେଶିକ ନୀତିର ଯେପରି ଫାଳେ କି ଦେଢ଼ଫାଳ ଅଞ୍ଚଳ ବର୍ତ୍ତମାନ ତୁନି ପଡ଼ିଗଲା । ଆମେରିକାର ସୈନ୍ୟ ଓ ଆମେରିକାର ଯୁଦ୍ଧାସ୍ତ୍ର ତୁନିପଡ଼ି ଘରେ ରହିବାକୁ ବାଧ୍ୟ ହେଲେ । ଥାଇଲାଣ୍ଡ ପରି ଏକ ବିଶ୍ୱସ୍ତ ଦେଶ ହାଉଆରୁ କି ଗନ୍ଧ ବାରିଲା କେଜାଣି, ଆମେରିକାର ଯୁଦ୍ଧଘାଟୀ ଓ ସୈନ୍ୟ ଛାଉଣୀଗୁଡ଼ାକ ଶୀଘ୍ର ତା’ ଭୂଇଁରୁ ଆଉ କୁଆଡ଼େ ଉଠିଯାଉ ବୋଲି ଦାବୀ କରିବସିଲା । ତେଣେ ଲାଓସ୍‌ର ଛାତ୍ରମାନେ ସେଠୁ ଆମେରିକାର ଯାବତୀୟ ସାହାଯ୍ୟସଂସ୍ଥା ଉଠିଯାଉ ବୋଲି ଦାବୀକରିବିକ୍ଷୋଭ କରିବାକୁ ଆସିଲେ ।

 

ସିଆଟୋର ଯୋଡ଼ମୁହଁଗୁଡ଼ାକ ସତେଅବା ଚଡ଼ଚଡ଼ ହୋଇ ଫାଟି ଯାଉଥିବା ପରି ଶୁଣାଗଲା । ଆମେରିକାକୁ ଫନ୍ଦକରି ବସାଇ ଦକ୍ଷିଣ–ପୂର୍ବ ଏସିଆରେ ଯେଉଁ ପାଞ୍ଚୋଟି ଦେଶକୁ ନେଇ ଦକ୍ଷିଣ ପୂର୍ବ ଏସିଆର ତଥାକଥିତ ସାମରିକ–ସାହାଯ୍ୟମେଣ୍ଟ ଗଢ଼ା ହୋଇଥିଲା, ଭିଏତନାମରେ ଉରୁଭଙ୍ଗ ପରେ ସେହି ପାଞ୍ଚୋଟି ଦେଶ ଏପରି ଏକ ମେଣ୍ଟ ଭିତରେ ଆଉ ରହିବାଟାକୁ ହିଁ ଅନାବଶ୍ୟକ ମନେ କରିବାକୁ ଲାଗିଲେ । ତେଣେ ଭିଏତ୍‌ନାମ୍‌ରେ ନିରସ୍ତ ହୋଇ ଆମେରିକାର ବୈଦେଶିକ ହସ୍ତକ୍ଷେପ ରାଜନୀତି ହଠାତ୍‌ ଭାରତ ମହାସାଗରରେ ନୂଆ ଚାରଣଭୂମିର ସନ୍ଧାନ କରିବୁଲିଲା । ଜଳଧିର ଶାନ୍ତ ମାନଚିତ୍ରଟି ଉପରେ ଡିଏଗୋଗାର୍ସିଆ ଦ୍ୱୀପଗୁଡ଼ିକର ଆବିଷ୍କାର ହେଲା, ଶାନ୍ତ ମହାସାଗର ଅଶାନ୍ତି ଓ ଓଲଟା ରାଜନୀତିରେ ସରଗରମ ହୋଇଉଠିଲା । ଭିଏତ୍‌ନାମ୍‌ରେ ସୃଷ୍ଟି ହେଇଥିବା ଶୂନ୍ୟସ୍ଥାନକୁ ଆମେରିକା ସରକାର ଭାରତ ମହାସାଗରରେ ପଶି ପୂରଣ କରିବାକୁ ମନ ବଳାଇଲେ ।

 

ଆମେରିକା ଦକ୍ଷିଣ-ପୂର୍ବ ଏସିଆର ଏକ ଅଂଶ ନୁହେଁ, ଭାରତବର୍ଷ ହେଉଛି ଏହାର ଏକ ଅଂଶ; ଭୌଗୋଳିକ ଅଂଶ ଓ ସାଂସ୍କୃତିକ ଅଂଶ । ଦକ୍ଷିଣ-ପୂର୍ବ ଏସିଆର ଭାଗ୍ୟକୁ ନେଇ ରାଜନୀତି ଓ ଯୁଦ୍ଧନୀତି ଖେଳରେ ସାର ଚଳାଇବାକୁ ଆମେରିକାର ଯେପରି ଆଦୌ କୌଣସି ଅଧିକାର ନାହିଁ, ଦକ୍ଷିଣ ପୂର୍ବ ଏସିଆର ଏକ ଅନ୍ୟତମ ଦେଶ ହିସାବରେ ଭାରତବର୍ଷର ଏହି ଅଞ୍ଚଳଟି ପ୍ରତି ସେହିପରି ଏକ ନିଶ୍ଚିତ ଦାୟିତ୍ୱ ରହିଛି । ଆଗେ ଭାରତବର୍ଷର ପୂର୍ବୋପକୂଳରୁ ରାଜାମାନେ ସମୁଦ୍ରପାର ହୋଇଯାଇ ସୁଦୂର କମ୍ୱୋଜ ଓ ଜାଭା ସୁମାତ୍ରାରେ ରାଜ୍ୟ ସ୍ଥାପନ କରିଥିଲେ । ବିଦେଶକୁ ଯାଇ ରାଜ୍ୟ ସ୍ଥାପନ କରିବାର ସେହି ସାଧୁ ତଥା ଅସାଧୁ ଉଭୟ ସାମ୍ରାଜ୍ୟବାଦର ଯୁଗଟି ଇତିହାସର ପ୍ରାଙ୍ଗଣ ଉପରୁ କ୍ରମେ ବିଦାୟ ନେଇସାରିଲାଣି । ମାତ୍ର ପ୍ରତିବେଶୀ ପ୍ରତି ପ୍ରତିବେଶୀ ଦେଶର ଦାୟିତ୍ୱ ଆମ ଏହି ଯୁଗଟିର ପୂର୍ବ ତୁଳନାରେ ଅଧିକ ବୃଦ୍ଧି ପାଇଛି । ଦକ୍ଷିଣ-ପୂର୍ବ ଏସିଆର ବିବର୍ତ୍ତନର ଏହି ଦ୍ୱିତୀୟ ଅଧ୍ୟାୟଟିରେ ସେଠି ଯାହାସବୁ ଘଟିବ, ଭାରତବର୍ଷକୁ ସେଗୁଡ଼ିକ ସହିତ ଘନିଷ୍ଠ ଭାବରେ ଅବଶ୍ୟ ସମ୍ପୃକ୍ତ ରହିବାକୁ ପଡ଼ିବ । ଆପଣାର ସ୍ୱାର୍ଥ ଲୋଡ଼ୁଥିବା ଏକ ତଥାକଥିତ ବୃହତ୍‍ଶକ୍ତି ହିସାବରେ ନୁହେଁ; ମାତ୍ର ଭୂଖଣ୍ଡଟିର ଏକ ପ୍ରଗତିକାମୀ ଅନ୍ୟତମ ପ୍ରତିବେଶୀ ହିସାବରେ ଭାରତକୁ ସେଗୁଡ଼ିକ ସହିତ ଅବଶ୍ୟ ସମ୍ପୃକ୍ତ ରହିବାକୁ ପଡ଼ିବ ।

 

ଗତ ଦୀର୍ଘ କୋଡ଼ିଏ ବର୍ଷ ଧରି ଭିଏତ୍‌ନାମ୍‍ରେ ଯାହାସବୁ ଖାଲି ଭାଙ୍ଗି ଭାଙ୍ଗି ଯାଇଛି, ଏଥର ଯୁଦ୍ଧପରେ ସେହିଗୁଡ଼ିକୁ ହିଁ ପୁନର୍ବାର ଗଢ଼ିବାକୁ ପଡ଼ିବ ଏବଂ ସେହି ପୁନର୍ନିର୍ମାଣର ପର୍ବରେ ଭାରତବର୍ଷକୁ ମଧ୍ୟ ଜଣେ ସହଯୋଗୀ ବନ୍ଧୁ ଦେଶ ହିସାବରେ ଭିଏତ୍‌ନାମ୍‌ ପାଖରେ ଯାଇ ଠିଆହେବାକୁ ପଡ଼ିବ । ଗତ କୋଡ଼ିଏ ବର୍ଷ ହେଲା ବୈଦେଶିକ ଶକ୍ତିମାନେ ଭିଏତ୍‌ନାମ୍‌ର ଭାଗ୍ୟରେ କେବଳ ହସ୍ତକ୍ଷେପ ହିଁ କରିଆସିଥିଲେ । ଭାରତବର୍ଷ ହସ୍ତକ୍ଷେପ କରିବ ନାହିଁ, ମାତ୍ର ଭିଏତ୍‌ନାମ୍‌ର ରାଷ୍ଟ୍ରୀୟ ଏବଂ ଜାତୀୟ ବିକାଶରେ ଲୋଡ଼ା ପଡ଼ିଲା ମାତ୍ରକେ ସାହାଯ୍ୟ କରିବାକୁ ସିଏ ପ୍ରସ୍ତୁତ ହୋଇ ରହିଥିବ । ଏହି ସାହାଯ୍ୟ ଓ ସହଯୋଗରେ କୌଣସି ରାଜନୀତିକ ଅନ୍ୟଅଭିପ୍ରାୟ ରହିବ ନାହିଁ । ଗତ ପଚିଶିବର୍ଷର ବିକାଶ କାଳରେ ଭାରତବର୍ଷରେ ଯେଉଁସବୁ ଅଭିଜ୍ଞତା ରହିଛି,–ନୂତନ ରାଷ୍ଟ୍ର ନିର୍ମାଣର ଅଭିଜ୍ଞତା, ନୂତନ ଟେକ୍‌ନିକ୍‌ ଓ ନୂତନ କାରିଗରୀର ଅଭିଜ୍ଞତା ଏବଂ ନୂତନ ରାଜ୍ୟବିକାଶର ଅଭିଜ୍ଞତା–ଭାରତବର୍ଷ ଆପଣାର ସେହିସବୁ ଅଭିଜ୍ଞତାକୁ ହିଁ ଆବଶ୍ୟକ ପଡ଼ିବା ମାତ୍ରକେ ଭିଏତ୍‌ନାମ୍‌ର ଦ୍ୱାରରେ ନେଇ ପହଞ୍ଚାଇଦେବାକୁ ସମର୍ଥ ହେବ ।

 

ଯୁଦ୍ଧବେଳର ସାଥୀ ଅପେକ୍ଷା ଯୁଦ୍ଧର ପରବର୍ତ୍ତୀ କାଳର ନିର୍ମାଣ ବେଳର ସାଥୀ ବା ବନ୍ଧୁ ହୋଇପାରିବା ହେଉଛି ଅଧିକ କଷ୍ଟକର । ଆପଣାର କୌଣସି ପ୍ରକାର ରାଜନୀତିକ ବା ଅନ୍ୟ ଅଭିପ୍ରାୟଗତ ପ୍ରଭାବ ନପକାଇ ତଥାପି କାହାର କାର୍ଯ୍ୟରେ ଲାଗିପାରିବା ହେଉଛି ଆଧୁନିକ ପୃଥିବୀରେ ସବୁଠାରୁ ଅଧିକ କଷ୍ଟକର କାର୍ଯ୍ୟ, ଅଥଚ ସବୁଠାରୁ ଅଧିକ ଜରୁରୀ ଏକ ଆବଶ୍ୟକତା-। ଭାରତବର୍ଷ ସେହି ଆବଶ୍ୟକତାଟିର ଯୋଗ୍ୟ ହୋଇପାରିଲେ ତାହା ଯେ ଦକ୍ଷିଣପୂର୍ବ ଏସିଆର ଅନେକ କାର୍ଯ୍ୟରେ ଲାଗିପାରିବ ଓ ଏକ ଦୀର୍ଘ ଉପଦ୍ରୁତ ଅଞ୍ଚଳର ସୁସ୍ଥ ବିବର୍ତ୍ତନରେ ସହଯୋଗ କରିପାରିବ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ।

 

ତା ୧୫.୦୯.୧୯୭୫ ରିଖ

Image

 

ଏଥିଓପିଆର ବର୍ଷେ

 

ଆଫ୍ରିକାର ଉତ୍ତର-ପୂର୍ବ ଭାଗରେ ବୃହତ୍‌ ମାଳଭୂମି–ବେଷ୍ଟିତ ଗୋଟିଏ ଦେଶ ଏଥିଓପିଆ । ପ୍ରାୟ ଦଶରଥଙ୍କ ଅମଳରୁ ସେଠାରେ କୌଣସି ପରିବର୍ତ୍ତନ ହୋଇନଥିଲା । ସେଠାରେ ସାମନ୍ତବାଦର ରାଜତ୍ୱ ଚାଲିଥିଲା । ଦେଶର ପ୍ରାୟ ଗୋଟିଏ ପ୍ରଦେଶରେ ବାସ କରୁଥିବା ସାମନ୍ତଶ୍ରେଣୀ ସମଗ୍ର ଦେଶରେ ଯାବତୀୟ କ୍ଷେତ୍ରରେ କର୍ତ୍ତୃତ୍ୱର ସ୍ଥାନଗୁଡ଼ିକୁ ଅଧିକାର କରିରହିଥିଲେ ଏବଂ ସବା ଉପରେ ସେଠି ଏକ ରାଜତନ୍ତ୍ର ରହିଥିଲା । ସେଠାରେ କାର୍ଯ୍ୟ କରୁଥିବା ଗୀର୍ଜା ଓ ଧର୍ମଯାଜକମାନେ ରାଜାଙ୍କର ଆଜ୍ଞାବହ ହୋଇ ରହିଥିଲେ । କର୍ତ୍ତୃତ୍ୱ ଓ ଅଜ୍ଞାନର ଜାଲ ଭିତରେ ଲୋକଜୀବନକୁ ଶାନ୍ତ ଓ କାକୁସ୍ଥ କରିରଖାଯାଇଥିଲା ।

୧୯୭୪ ମସିହାରେ ସେଠି ମଧ୍ୟ ପରିବର୍ତ୍ତନର ହାଉଆ ବହିଲା, ଯୁଗ କଡ଼ ଲେଉଟାଇଲା । ଗତ ପଚାଶବର୍ଷ ହେଲା ହାଇଲେ ସିଲାସି ସେଠାରେ ସମ୍ରାଟ ହୋଇ ଶାସନ କରିଆସିଥିଲେ, ଅପରିବର୍ତ୍ତନର ପ୍ରତୀକ ହୋଇ ରହିଆସିଥିଲେ । ଦେଶର ଜନଗଣ ତାଙ୍କୁ ସତେ ଅବା ଦେବତା ପରି ହିଁ ଦେଖୁଥିଲେ, ସିଏ ନ ରହିଲେ ଦେଶ ଅଚିରେ ସତରଖଣ୍ଡ ହୋଇ ଭାଙ୍ଗିପଡ଼ିବ ଓ ଉଚ୍ଛନ୍ନ ହୋଇଯିବ ବୋଲି ବିଶ୍ୱାସ କରୁଥିଲେ । ୧୯୭୪ ମସିହାରେ ସେହି ସମ୍ରାଟଙ୍କୁ ହିଁ ଗାଦିଚ୍ୟୁତ କରାଗଲା । ସମ୍ରାଟ ହାଇଲେ ସିଲାସି ଅତ୍ୟନ୍ତ ଚତୁରତା ସହିତ ତାଙ୍କର ସୈନ୍ୟବାହିନୀକୁ ଏକ ସୁଚିନ୍ତିତ ଯୋଜନା ଅନୁସାରେ ନାନାପ୍ରକାରେ ବିଭକ୍ତ କରିଥିଲେ ଏବଂ ତଦ୍ଦ୍ୱାରା ଆପଣାର ବ୍ୟକ୍ତିଗତ ସମ୍ରାଟ ଆସନଟିକୁ ନିରାପଦ ରଖିଆସିଥିଲେ । ଏବେ ଗତବର୍ଷ ସେହି ସୈନ୍ୟବାହିନୀର ଅଫିସରମାନେ ଏକତ୍ର ହୋଇ ସମ୍ରାଟଙ୍କୁ ଗାଦିଚ୍ୟୁତ କଲେ । ସେମାନେ ବିନା ରକ୍ତପାତରେ ଏହା କରିପାରିଲେ ।

ସୈନ୍ୟବାହିନୀର ହାତକୁ ଶାସନ ଆସିବାର ଗୋଟିଏ ବର୍ଷ ଭିତରେ ଏଥିଓପିଆରେ ଅନେକ ପରିବର୍ତ୍ତନ ଘଟିଲାଣି । ପର୍ଯ୍ୟବେକ୍ଷକମାନଙ୍କର ମତରେ ଏହିସବୁ ପରିବର୍ତ୍ତନ ଅତ୍ୟନ୍ତ ପ୍ରଖର ବେଗରେ ଘଟୁଛି । ସେମାନଙ୍କର ମତ ଯେ କିଉବା, ଚୀନ ଓ ଏପରିକି ଯୋଭିଏଟ୍‌ ରୁଷିଆରେ ଯେଡ଼େ ବେଗରେ ପରିବର୍ତ୍ତନ ହୋଇନଥିଲା, ଏଠି ତା’ଠାରୁ ଅଧିକ ବେଗରେ ପୁରୁଣାକୁ ବଦଳାଇଦିଆଯାଉଛି । ନୂଆ ବ୍ୟବସ୍ଥା ହୁ’ ହୁ’ ହୋଇ ମାଡ଼ିଚାଲିଛି ।

ସାମନ୍ତବାଦୀ ଅର୍ଥନୀତି ଓ ସାମନ୍ତବାଦର ଶାସନକୁ ବିଲୁପ୍ତ କରିଦିଆଯାଇଛି । ଗାଆଁମାନଙ୍କରେ କୃଷକସଭାମାନ ଗଠନ କରାଯାଇଛି ଓ ଏହିଗୁଡ଼ିକ ହିଁ ଗ୍ରାମସ୍ତରରେ ସ୍ୱାୟତ୍ତଶାସନର ପରିଚାଳନା କରିବେ ବୋଲି ଆଶା କରାଯାଉଛି । ଗ୍ରାମାଞ୍ଚଳର ସମସ୍ତ କୃଷିଯୋଗ୍ୟ ଭୂମିକୁ ରାଷ୍ଟ୍ରର ସମ୍ପତ୍ତି ବୋଲି ଘୋଷଣା କରାଯାଇଛି, ଏହାଦ୍ୱାରା ଜମିର ପ୍ରକୃତ ଚାଷ କରୁଥିବା ହଜାର ହଜାର ଚାଷୀ ପ୍ରତ୍ୟକ୍ଷ ଭାବରେ ଉପକୃତ ହୋଇଛନ୍ତି ଓ ଆସନ୍ତା ବର୍ଷକୁ ଦେଶର ସବୁ ଭୂମିହୀନ ଜମି ପାଇପାରିବେ ବୋଲି ଘୋଷଣା କରାଯାଇଛି । ଆଗେ ଗ୍ରାମବାସୀମାନେ ସାମନ୍ତମାନଙ୍କୁ ଯେତେପ୍ରକାର କର ବା ଶୁଳ୍‌କ ଦେବାକୁ ବାଧ୍ୟ ହେଉଥିଲେ, ସେସବୁକୁ ଉଠାଇ ଦିଆଯାଇଛି । ଏହି କରଗୁଡ଼ିକର ଭରଣା କରିବାକୁ ଯାଇ ଚାଷୀମାନଙ୍କୁ ପ୍ରତିବର୍ଷ ଆପଣା ଲବ୍‌ଧ ଶସ୍ୟର ପ୍ରାୟ ଅଧେ ବା ତିନିଚଉଠ ଅଂଶ ଜମିଦାର ପାଖରେ ନେଇ ପହଞ୍ଚାଇବାକୁ ହେଉଥିଲା । ଏବେ ତାକୁ ସେହି ଦଣ୍ଡରୁ ମୁକ୍ତ କରାଯାଇଛି ।

ଏଥିଓପିଆର ଛାତ୍ରମାନଙ୍କ ଭିତରେ ଏକ ନୂତନ ଜାଗରଣ ଦେଖାଦେଇଛି । ଆଗରୁ ସେମାନଙ୍କୁ ଦବାଇ ରଖାଯାଇଥିଲା, ଏଥିଲାଗି ଅନେକ ସମୟରେ ବନ୍ଧୁକର ଆଶ୍ରୟ ନିଆ ଯାଉଥିଲା । ବର୍ତ୍ତମାନ ସେମାନେ ଦେଶଯାକ ଏକ ସମାଜବାଦୀ ଜାଗରଣ ଲାଗି ନୂତନ ସଂଗଠନ ଗଢ଼ି ଗ୍ରାମାଞ୍ଚଳରେ ଏକ ନୂତନ ଚେତନା ଓ ନୂତନ ଆନ୍ଦୋଳନର ପ୍ରସ୍ତୁତି କରାଉଛନ୍ତି । ସେମାନେ ଗାଆଁ ଗାଆଁରେ ଜାତୀୟ ପୁନର୍ଗଠନର ନାନା କାର୍ଯ୍ୟରେ ନିୟୋଜିତ ହୋଇ ରହିଛନ୍ତି । ବର୍ତ୍ତମାନ ଏଥିଓପିଆରେ ଅନ୍ତତଃ ୩୫୦୦୦ ଛାତ୍ର ଏହିପରି ସାନ ସାନ ସହର ଓ ଗାଆଁମାନଙ୍କରେ ଯାଇ କାର୍ଯ୍ୟ କରୁଛନ୍ତି । ସେମାନେ ସେଠାରେ ନିରକ୍ଷରମାନଙ୍କୁ ସାକ୍ଷର କରାଉଛନ୍ତି, ଯେଉଁସବୁ ଜାଗାରେ ଆଗରୁ ରାସ୍ତା ନଥିଲା, ସେଠାରେ ରାସ୍ତା ତିଆରି କରୁଛନ୍ତି, ନୂତନ ଭୂମିସଂସ୍କାର ବିଷୟରେ ଲୋକମାନଙ୍କୁ ବୁଝାଉଛନ୍ତି ଓ କୃଷକ ସମିତି ଗଢ଼ୁଛନ୍ତି । ଏଥିଓପିଆର ସ୍ତ୍ରୀଲୋକମାନେ ମଧ୍ୟ ଇତିହାସରେ ପ୍ରଥମ କରିପୁରୁଷମାନଙ୍କର ସହଚାରିଣୀ ରୂପେ ବାହାରକୁ ବାହାରି ଆସିଛନ୍ତି ।

ଏଥିଓପିଆରେ ପ୍ରାୟ ବର୍ଷେ ହେଲା ଯେଉଁ ସାମାଜିକ ବିପ୍ଳବଟି ଆରମ୍ଭ ହୋଇଛି, ଦୂର ଭବିଷ୍ୟତରେ ସେଥିରୁ କେଉଁ ସ୍ଥାୟୀ ରୂପଟି ଜନ୍ମଗ୍ରହଣ କରିବ, ସେକଥା କେହି କହି ପାରିବନାହିଁ । ରାଜନୀତିକ ବାଦକୁ ଆଧାର କରିଜାତୀୟ ବା ସାମାଜିକ ବିପ୍ଳବର ବିଚାର କରୁଥିବା କେତେ ଲୋକ ଏଥିଓପିଆ ବିଷୟରେ ମଧ୍ୟ କେତେପ୍ରକାର ଚିନ୍ତା ଓ ଅଚିନ୍ତାମାନ କରୁଛନ୍ତି । କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେଠାରେ ବର୍ତ୍ତମାନ ପୁରୁଣା ମାଟିଗୁଡ଼ା ଧସି ପଡ଼ିବାକୁ ଆରମ୍ଭ ହୋଇଛି । ଏଥିଓପିଆର ଅଢ଼େଇ କୋଟି ଜନସଂଖ୍ୟାରୁ ଅଧିକାଂଶ ଏବେ ମଧ୍ୟ ଦାରିଦ୍ର୍ୟ, ଅଶିକ୍ଷା ଏବଂ ରୋଗରେ ସଢ଼ୁଛନ୍ତି ଓ ସେମାନେ ଏହିସବୁ ନୂଆ ପରିବର୍ତ୍ତନରେ ଏପର୍ଯ୍ୟନ୍ତ କୌଣସି ଭାଗ ନେଇ ନାହାନ୍ତି ସତ; ମାତ୍ର ତଥାପି ସ୍ୱୀକାର କରିବାକୁ ହେବ ଯେ ପରିବର୍ତ୍ତନର ସ୍ରୋତଟି କ୍ରମେ ସେମାନଙ୍କୁ ସାଙ୍ଗରେ ନେବ ବୋଲି ସେମାନଙ୍କର ଘରଯାଏ ଆସୁଛି । ସେମାନଙ୍କୁ ମଧ୍ୟ ପରିବର୍ତ୍ତନର ସ୍ରୋତଟି ମଧ୍ୟରେ ସକ୍ରିୟ ଭାବରେ ସାମିଲ କରିନେବାକୁ ଆସୁଛି ।

ତା ୧୬.୦୯.୧୯୭୫ ରିଖ

Image

 

ମାକାଓର ବିଚିତ୍ର ଭାଗ୍ୟ

 

ଏଡ଼େବଡ଼ ଚୀନ ଦେଶର ପୂର୍ବ ଉପକୂଳରେ ମାକାଓ ହେଉଛି ବକଟେ ବୋଲି ଜାଗା । ପ୍ରାୟ କେତେ ଶତାବ୍ଦୀ ତଳେ ଯେତେବେଳେ ଇଉରୋପୀୟ ଏକାଧିକ ଦେଶ ଚୀନକୁ ଭାଗ ଭାଗ କରିଦଖଲ କରିନେବାକୁ ବସିଥିଲେ, ସେତେବେଳେ ସାନ ପର୍ତ୍ତୁଗାଲ ମଧ୍ୟ ସାମ୍ରାଜ୍ୟ ନାଆଁରେ ଚୀନ ଭୂଭାଗରୁ କାନେ ଜାଗା ମାଡ଼ିବସିଥିଲା । ତାହା ଆଜିକୁ ଚାରିଶହ ବର୍ଷ ତଳର କଥା । ସେହିଦିନଠାରୁ ମାକାଓ ଅଞ୍ଚଳଟି ପର୍ତ୍ତୁଗାଲର ଗୋଟିଏ ଉପନିବେଶ ହୋଇ ରହିଆସିଛି । ଏହି ଚାରିଶହ ବର୍ଷ ମଧ୍ୟରେ ବଡ଼ ଦେଶ ଚୀନରେ କେତେ ବିପ୍ଳବ ଓ ରାଷ୍ଟ୍ରୀୟ ପରିବର୍ତ୍ତନ ଘଟିସାରିଲାଣି, ସୁନ୍‌ ୟାତ୍‌ ସେନ୍‌ ଯାଇ ଚିଆଙ୍ଗ୍‌ କାଇସେକ୍‌ ଆସିଲେ, ସିଏ ଯାଇ ମାଓ ସେ ତୁଙ୍ଗ୍‌ ଆସିଲେଣି । କିନ୍ତୁ ମାକାଓ ଯେମିତି ଥିଲା, ଠିକ୍‌ ସେମିତି ରହିଛି । ସେଠି କିଛି ବଦଳି ନାହିଁ ।

 

ବର୍ତ୍ତମାନ ପର୍ତ୍ତୁଗୀଜ ଉପନିବେଶ ମାକାଓର ଲୋକସଂଖ୍ୟା ପ୍ରାୟ ତିନିଲକ୍ଷ । ଏମାନଙ୍କ ମଧ୍ୟରୁ ଶହେରେ ଅଠାନବେ ଜଣ ହେଉଛନ୍ତି ଚୀନା ଲୋକ । ମାକାଓର ପ୍ରଶାସନ ଲାଗି ପର୍ତ୍ତୁଗାଲ ତରଫରୁ ସେଠାରେ ଖୁବ୍‌ ବେଶୀ ହେଲେ ପ୍ରାୟ ହଜାରେ ସରିକି ପର୍ତ୍ତୁଗୀଜ କର୍ମଚାରୀ ରହିଛନ୍ତି । ଏମାନଙ୍କ ଭିତରୁ ତିନିଶହ ହେଉଛନ୍ତି ସୈନ୍ୟବାହିନୀର ଲୋକ, ପର୍ତ୍ତୁଗାଲ ସରକାରଙ୍କ ତରଫରୁ ସାମ୍ରାଜ୍ୟର ଶାନ୍ତିରକ୍ଷା ସକାଶେ ନିଯୁକ୍ତ ହୋଇ ରହିଛନ୍ତି ।

 

ପୃଥିବୀର ଉପନିବେଶଗୁଡ଼ାକ ଗୋଟାକ ପରେ ଗୋଟାଏ କରିବିଲୁପ୍ତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ମାକାଓ ତଥାପି ଏକ ଉପନିବେଶ ହୋଇ ରହିଛି । ସମ୍ରାଜ୍ୟବାଦର (୧୯୪ ପୃଷ୍ଠା) ଶେଷ ସନ୍ତକ ଦେଶ ପର୍ତ୍ତୁଗାଲରେ ପୁରୁଣା ଯୁଗ ବଦଳି ନୂଆ ଲାଗି ସିନ୍ଦୂରା ଫାଟିଲାଣି । ଏହି ନୂତନ ହାଉଆରେ ତାଡ଼ିତ ହୋଇ ପର୍ତ୍ତୁଗାଲର ସବୁଯାକ ଉପନିବେଶ ସ୍ୱାଧୀନ ହେବେ ବୋଲି ପର୍ତ୍ତୁଗାଲର ସରକାର ଘୋଷଣା କରିସାରିଲେଣି । ମାତ୍ର ମାକାଓ ବିଷୟରେ କିଛି କୁହା ହୋଇନାହିଁ-

 

ମାକାଓ ଉପରେ ଚାରିଶହ ବର୍ଷ ଧରି ରହିଆସିଥିବା ଏହି ଆଧିପତ୍ୟକୁ ଚୀନ ସରକାର ଏପର୍ଯ୍ୟନ୍ତ ସ୍ୱୀକାର କରିନାହାନ୍ତି । ହଙ୍ଗ୍‍କଙ୍ଗ୍‌ ପରି ମାକାଓକୁ ମଧ୍ୟ ଚୀନ ସରକାର ଚୀନ-ଭୂଭାଗର ଏକ ଅଂଶ ବୋଲି ମାନୁଛନ୍ତି ଓ କେବଳ ସାମୟିକ ଭାବରେ ହିଁ ତାହା ଯଥାକ୍ରମେ ଇଂରେଜ ଓ ପର୍ତ୍ତୁଗୀଜମାନଙ୍କର ଶାସନାଧୀନରେ ରହିଛି ବୋଲି କହୁଛନ୍ତି । ମାତ୍ର ମାକାଓ ଦ୍ୱୀପରୁ ପର୍ତ୍ତୁଗୀଜ ଆଧିପତ୍ୟଟି କେବେ ହଟି ମଧ୍ୟ ଯାଉ ବୋଲି ଚୀନ ସରକାର ଆଦୌ ଇଚ୍ଛା କରୁନାହାନ୍ତି । ଅନ୍ୟାନ୍ୟ ଉପନିବେଶଗୁଡ଼ିକ ସହିତ ପର୍ତ୍ତୁଗୀଜ ସରକାର ମାକାଓକୁ ମଧ୍ୟ ସ୍ୱାଧୀନ ବୋଲି ଘୋଷଣା କରିଦିଅନ୍ତୁ ବୋଲି ଚୀନ ସରକାର ଆଦୌ ଇଚ୍ଛା କରୁନାହାନ୍ତି । ମାକାଓ ବର୍ତ୍ତମାନ ଯେପରି ଅଛି, ଅର୍ଥାତ୍‌ ବିଗତ ଚାରିଶହ ବର୍ଷ ହେଲା ତାହା ଯେଉଁଭଳି ସ୍ଥିତିରେ ରହିଆସିଛି ତାହା ଠିକ୍‌ ସେହିଭଳି ସ୍ଥିତିରେ ରହୁ ବୋଲି ହିଁ ଚୀନ ସରକାର ଇଚ୍ଛା କରୁଛନ୍ତି । ତେଣୁ ହୁଏତ ଏପରି ହିଁ ଘଟିବ ଯେ ପର୍ତ୍ତୁଗାଲ ତା’ର ଅବଶିଷ୍ଟ ସବୁ ଉପନିବେଶକୁ ସ୍ୱାଧୀନ ବୋଲି ଘୋଷଣା କରିଦେବ, ମାତ୍ର ଚୀନ ସରକାରଙ୍କର ଚାପରେ ପଡ଼ି ମାକାଓ ସ୍ୱାଧୀନତା କେବେହେଲେ ଘୋଷଣା କରାହେବନାହିଁ । ଚୀନ ସରକାରଙ୍କ ସହିତ ବନ୍ଧୁତାର ସମ୍ପର୍କ ରଖି ରହିବାକୁ ଇଚ୍ଛା କରୁଥିଲେ ପର୍ତ୍ତୁଗାଲ ସରକାର ମାକାଓକୁ ଆପଣାର ଉପନିବେଶ କରିରଖିଥିବେ ।

 

ମାକାଓ ସ୍ୱାଧୀନ ହେଉ, ଚୀନ ସରକାର ସେକଥା ଚାହାନ୍ତି ନାହିଁ । ମାକାଓ ଚୀନଦେଶର ବୃହତ୍ତର ଭୂଭାଗଟିରେ ମିଶିଯାଉ, ଚୀନ ସରକାର ସେକଥା ମଧ୍ୟ ଚାହାନ୍ତି ନାହିଁ । ହଙ୍ଗ୍‍କଙ୍ଗ୍‌ ପରି ମାକାଓକୁ ମଧ୍ୟ ଚୀନ ସରକାର ବୃହତ୍ତର ପୃଥିବୀଟି ଆଡ଼କୁ ଗୋଟିଏ ଗବାକ୍ଷ ପରି ବ୍ୟବହାର କରିବାକୁ ଚାହାନ୍ତି । ମାକାଓ ଏବଂ ହଙ୍ଗ୍‍କଙ୍ଗ୍‍କୁ ଗଳିବାଟ ପରି ବ୍ୟବହାର କରିବର୍ତ୍ତମାନ ଯେପରି ବାହାର ପୃଥିବୀ ସହିତ ଚୀନର ବାଣିଜ୍ୟିକ ଯୋଗସୂତ୍ରମାନ ରକ୍ଷା ହୋଇପାରୁଛି, ସବୁଦିନ ଲାଗି ତାହା ଠିକ୍‌ ସେହିପରି ରହିଥାଉ ବୋଲି ଚୀନ ସରକାର ଇଚ୍ଛା କରନ୍ତି ।

 

ଇଏ ବଡ଼ ବିଚିତ୍ର ନୀତି । ସାରା ପୃଥିବୀରେ ଉପନିବେଶବାଦର ଲୋପ ହେଉ, ଚୀନ ସରକାର ଏହାକୁ ଆପଣାର ସ୍ପଷ୍ଟନୀତି ବୋଲି କେବେଠାରୁ ଗ୍ରହଣ କରିଛନ୍ତି । ମାତ୍ର ବାହାର ପୃଥିବୀ ସହିତ ଆପଣାର ବାଣିଜ୍ୟଗତ ସ୍ୱାର୍ଥଗୁଡ଼ିକୁ ଅକ୍ଷୁର୍ଣ୍ଣ କରିରଖିବାଲାଗି ଚୀନ ସରକାର ପର୍ତ୍ତୁଗାଲ ସରକାରଙ୍କୁ ମାକାଓକୁ ସବୁଦିନ ପାଇଁ ଗୋଟିଏ ଉପନିବେଶ କରିରଖିବାକୁ ଯେ ବାଧ୍ୟ କରିବେ, ଏହାକୁ ବିଶ୍ୱ ରାଜନୀତିରେ ଏକ ବିଚିତ୍ର କଥା ବୋଲି ଅବଶ୍ୟ କୁହାଯିବ । ଅବଶ୍ୟ ଏକଥା ମଧ୍ୟ ସତ ଯେ ଟିମୋର ପରି ମାକାଓରେ ସ୍ୱାଧୀନତା ପ୍ରାପ୍ତି ଲାଗି ଆଦୌ କୌଣସି ଆନ୍ଦୋଳନ ନାହିଁ । ମାକାଓର ୯୮% ଅଧିବାସୀ ହେଉଛନ୍ତି ଚୀନା ଲୋକ । ସେମାନଙ୍କର ସର୍ବପ୍ରଧାନ ଅନୁରକ୍ତି ଚୀନ ଆଡ଼କୁ ରହିଛି ଏବଂ ଏବର ସ୍ଥିତାବସ୍ଥାରେ ସେମାନେ ସବୁଆଡ଼ୁ ଉପକୃତ ହୋଇପାରୁଥିବାରୁ ସ୍ଥିତିରେ ଆଦୌ କୌଣସି ପରିବର୍ତ୍ତନ ଇଚ୍ଛା କରୁନାହାନ୍ତି ।

 

ତା ୧୭.୦୯.୧୯୭୫ ରିଖ

Image

 

ଜାତିସଂଘର ତିରିଶି ବର୍ଷ

 

ଏହି ସପ୍ତାହରୁ ନିଉୟର୍କଠାରୁ ଜାତିସଂଘର ତ୍ରିଂଶତମ ବାର୍ଷିକ ଅଧିବେଶନ ଆରମ୍ଭ ହୋଇଛି । ସାନ ବଡ଼ ହୋଇ ସର୍ବମୋଟ ଶହେ ତେୟାଳିଶିଟି ଦେଶର ପ୍ରତିନିଧି ଏହି ଅଧିବେଶନରେ ଯୋଗ ଦେଇଛନ୍ତି । ୧୯୪୫ ମସିହାରେ ପୃଥିବୀରେ ମାତ୍ର ପଚାଶଟି ଦେଶର ପ୍ରତିନିଧିଙ୍କୁ ବସାଇ ସାନଫ୍ରାନ୍‌ସିସ୍କୋଠାରେ ମିଳିତ ଜାତିସଂଘର ପ୍ରଥମ ବୈଠକ ବସିଥିଲା । ସେତେବେଳେ ଯେଉଁ ସରକାର ଓ ସେମାନଙ୍କର ପ୍ରତିନିଧିମାନେ ଏକାଠି ମିଶି ଅନାଗତ ବିଶ୍ୱଭାଗ୍ୟର ଯୋଜନାମାନ କରୁଥିଲେ, ତିରିଶି ବର୍ଷ ପରେ ସେହି ଅନୁଷ୍ଠାନଟି ପ୍ରକୃତରେ ଏପରି ଏକ ଆକାର ଗ୍ରହଣ କରିବ ବୋଲି ସେମାନେ କଳ୍ପନା ବି କରିନଥିଲେ ।

 

ସେତେବେଳେ ଯେଉଁ ଦେଶମାନେ ଦ୍ୱିତୀୟ ମହାଯୁଦ୍ଧରେ ଜୟଲାଭ କରିଥିଲେ, ସେହିମାନଙ୍କର ମାମଲତକାରୀ ଓ ସେହିମାନଙ୍କର ସଦିଚ୍ଛାକୁ ପୁଞ୍ଜିକରି ଜାତିସଂଘର ଅୟମାରମ୍ଭ ହୋଇଥିଲା । ଅଳ୍ପ କେତୋଟି ବଡ଼ ଦେଶ ଓ ବୃହତ୍‌ଶକ୍ତି ସେତେବେଳେ ଆଗ ଆପଣାର ସ୍ୱାର୍ଥ ଏବଂ ସୁରକ୍ଷାକୁ ସମ୍ମୁଖରେ ରଖି ବିଶ୍ୱଭାଗ୍ୟର ମସୁଧା କରିଥିଲେ । ଏହି ବୃହତ୍‌ ଶକ୍ତିଗୁଡ଼ିକ ଆପଣାଲାଗି ଏକତରଫା ଭେଟୋ-ବ୍ୟବସ୍ଥାଗୁଡ଼ିକୁ ଏକଚାଟିଆ କରିରଖିଥିଲେ । ସେତେବେଳେ ବିଶ୍ୱ କହିଲେ ରାଜନୀତିକ ଦୃଷ୍ଟିରୁ ପ୍ରଧାନତଃ ଆମେରିକା ଏବଂ ଇଉରୋପକୁ ହିଁ ବୁଝାଉଥିଲା । ଆମେରିକା ଏବଂ ଇଉରୋପ ସବୁ କାଳଲାଗି ବିଶ୍ୱଭାଗ୍ୟର ନିମନ୍ତ୍ରଣକାରୀ ଉପଭୋକ୍ତା ହୋଇ ରହିବେ ବୋଲି ସେତେବେଳେ ପ୍ରାୟ ଏକ ଅକାଟ୍ୟ ସତ୍ୟ ବୋଲି ଧରିନିଆଯାଉଥିଲା । ଏସିଆ ଏବଂ ଆଫ୍ରିକାର ଦେଶଗୁଡ଼ାକର ପୃଥିବୀଭାଗ୍ୟର ବହିରେ ସେତେବେଳେ ଆଦୌ କୌଣସି ଗଣାପୋଛା ହିଁ ହୋଇନଥିଲା । ସେମାନେ କେବଳ ଗୋଟିଏ ଗୋଟିଏ ଉପନିବେଶ ହୋଇ ରହିଥିଲେ । ସେଗୁଡ଼ିକ ଯେ ଆପଣାର ସ୍ୱାଧୀନତା ହାସଲ କରିବେ, ତଥାକଥିତ ବୃହତ୍‌ ଏବଂ ପ୍ରଧାନ ରାଷ୍ଟ୍ରଗୁଡ଼ିକର ସମକକ୍ଷ ହୋଇ ସେହି ଏକ ବିଶ୍ୱସଭାରେ ବସିବାକୁ ଆସିବେ, ସେକଥା ସେତେବେଳେ ହୁଏତ କେହିହେଲେ ଆଶଙ୍କା ବି କରିନଥିଲା ।

 

ପୃଥିବୀ କହିଲେ ଯେ ପୃଥିବୀର ଛଅଟିଯାକ ମହାଦେଶ ଓ ତିନିଶହ କୋଟି ସବୁ ମଣିଷଙ୍କୁ ବୁଝାଏ, ଏହି ସତ୍ୟଟିର ଉପଲବ୍‌ଧିକୁ ଆମେ ମିଳିତ ଜାତିସଂଘର ସର୍ବପ୍ରଧାନ କରାମତି ବୋଲି କହିପାରିବା । ରାଜନୀତି କହିଲେ ଯେ ମାତ୍ର କେତେଟା ଦେଶର ସ୍ୱାର୍ଥପୋଷଣ ଓ ଶକ୍ତିତୋଷଣକୁ ନ ବୁଝାଇ ପୃଥିବୀରେ ସବୁ ସମୂହଗୁଡ଼ିକର ଏକତ୍ର ଓ ସହଯୋଗମୂଳକ ସହାବସ୍ଥାନକୁ ବୁଝାଏ, ଏହି ସତ୍ୟଟିର ସ୍ୱୀକୃତିକୁ ଆମେ ଗତ ତିରିଶି ବର୍ଷର ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଘଟଣା ବୋଲି କହିପାରିବା । ଏହି ତିରିଶି ବର୍ଷ ଭିତରେ ପୃଥିବୀରେ ରାଜନୀତିକ ଔଦ୍ଧତ୍ୟର ଅକୀର୍ତ୍ତିଗୁଡ଼ାକ ଅନେକ ପରିମାଣରେ କମିଛି, ସାମରିକ ଔଦ୍ଧତ୍ୟର ପରିମାଣ ତା’ଠାରୁ ଆହୁରି ଅଧିକ କମିଛି ଏବଂ ରାଷ୍ଟ୍ରୀୟତାର ପ୍ରବଳ ପ୍ରମତ୍ତତା ଜାଗାରେ ଏକ ସହଚାରିତାର ମନୋଭାବ ପୃଥିବୀରେ ପୂର୍ବାପେକ୍ଷା ଅଧିକ ପରିମାଣରେ ସକ୍ରିୟ ହୋଇପାରିଛି । ଗତ ତିରିଶି ବର୍ଷ ମଧ୍ୟରେ ପୃଥିବୀରେ ବୋମାର ସଂଖ୍ୟା ବଢ଼ିଛି, ସାମରିକ ଖରଚ ବଢ଼ିଛି ଏବଂ ପୃଥିବୀର ଏକାଧିକ ଥାନରେ ସାନ ସାନ ଯୁଦ୍ଧ ମଧ୍ୟ ଲାଗିଯାଇଛି ସତ, ମାତ୍ର ତଥାପି କୁହାଯାଇପାରିବ ଯେ ସାମରିକ ଦୁଃସାହସିକତାକୁ ଏବେ ପୃଥିବୀରେ ଅଧିକତର ରାଷ୍ଟ୍ର ଓ ନିଶ୍ଚିତ ଭାବରେ ଅଧିକତର ଲୋକ ଏକ ମନ୍ଦ-ସାହସିକତା ବୋଲି ବିଚାର କରିବାକୁ ଆରମ୍ଭ କଲେଣି । ଏହି ଦୁଃସାହସିକତା ଯେ ଆଦୌ କୌଣସି ସାହସିକତା ନୁହେଁ, ଭିଏତ୍‌ନାମର ଯୁଦ୍ଧ ଓ ଯୁଦ୍ଧାବସାନ ଆମ ସମସ୍ତଙ୍କ ଲାଗି ସେହି ସତ୍ୟଟିକୁ ଜଳ ଜଳ କରିପ୍ରମାଣ କରିଦେଇଯାଇଛି ।

 

ମିଳିତ ଜାତିସଂଘର ଇତିହାସ ହେଉଛି ସାମ୍ରାଜ୍ୟବାଦ ଅନ୍ତହେବାର ହିଁ ଇତିହାସ, ମାନବୀୟ ସହଯୋଗର ଇତିହାସ, ଆତ୍ମଗର୍ବ ଓ ଆତ୍ମପ୍ରସାରଣର ସବୁପ୍ରକାର ନିର୍ବୋଧତାକୁ ପରିହାର କରିପୃଥିବୀରେ ସମସ୍ତଙ୍କ ସହିତ ଏକାଠି ଏହି ଗୋଟିଏ ବିଶ୍ୱପରିବେଶ ମଧ୍ୟରେ ବାସ କରିଶିଖିବାର ଇତିହାସ । ସମଗ୍ର ସଂସାରରୁ କ୍ଷୁଧା, ବ୍ୟାଧି ଓ ଦାରିଦ୍ର୍ୟକୁ ଦୂର କରିବା ଲାଗି ବିଜ୍ଞାନ ଏବଂ ମନୁଷ୍ୟର ହିତବୁଦ୍ଧିକୁ ଅଧିକରୁ ଅଧିକ କାମରେ ଲଗାଇ ପାରିବାର ବି ଇତିହାସ । ଏହି ମାର୍ଗରେ ଏବେ ମଧ୍ୟ ଅନେକ ଅକାରଣ ପ୍ରତିବନ୍ଧକ ରହିଛି, ଅନେକ ପୁରୁଣା ନିଶା ଆଜି ମଧ୍ୟ ମଣିଷର ବାଟ ଉଗାଳି ରହିଛି । ତଥାପି ସ୍ୱୀକାର କରିବାକୁ ହେବ ଯେ ଆମ ପୃଥିବୀରେ ଏବେ ଅଧିକରୁ ଅଧିକ ସୀମା ଭାଙ୍ଗି ଭାଙ୍ଗି ଯିବାରେ ଲାଗିଛି । ଘୃଣାଗୁଡ଼ାକ ଅଧିକରୁ ଅଧିକ ଅକାମୀ ବୋଲି ପ୍ରମାଣିତ ହୋଇଯାଉଛି ।

 

ଏହି ପୃଥିବୀରେ ମଣିଷ ହିଁ ଜିତିବ । ଅସ୍ତ୍ର ହାରିଯିବ, ସ୍ୱାର୍ଥପ୍ରଣୋଦିତ ରାଜନୀତି ହାରିଯିବ, ସଂକୀର୍ଣ୍ଣ ରାଷ୍ଟ୍ରୀୟତା ମଧ୍ୟ କ୍ରମେ ମଉଳନ ପଡ଼ିଯିବ । ଏଯୁଗର ଅର୍ଥନୀତି, ବିଜ୍ଞାନ ଓ ଯାବତୀୟ କୌଶଳ ସବୁକିଛି ମଣିଷର ହିତ ପାଇଁ ନିୟୋଜିତ ହେବ । ମିଳିତ ଜାତିସଂଘର ଅନୁଷ୍ଠାନଟି ପଛରେ ଆତ୍ମା ପରି ଏହି ପ୍ରେରଣାଟି ହିଁ ପୃଥିବୀରେ କାର୍ଯ୍ୟ କରୁଛି, ଆମକୁ ସେଥିଲାଗି ଅଧିକରୁ ଅଧିକ ପ୍ରସ୍ତୁତ କରିବାରେ ଲାଗିଛି । ସେହି ପ୍ରେରଣାଟି ଚିରଞ୍ଜିବୀ ହେଉ ।

 

ତା ୨୧.୦୯.୧୯୭୫ ରିଖ

Image

 

ପଞ୍ଜାବରେ ଶିକ୍ଷାସଂସ୍କାର

 

ଶିକ୍ଷାକ୍ଷେତ୍ରରେ ଆବଶ୍ୟକ ସଂସ୍କାର ଲାଗି ପଞ୍ଜାବ ସରକାର ଏବେ ଗୋଟିଏ କମିଟି ଗଠନ କରିଛନ୍ତି । ସେଥିରେ ମୋଟ ଏକତିରିଶି ଜଣ ସଦସ୍ୟ ଅଛନ୍ତି ଏବଂ ରାଜ୍ୟର ଶିକ୍ଷାମନ୍ତ୍ରୀ ସ୍ୱୟଂ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ରାଜ୍ୟରେ ଥିବା ତିନୋଟି ବିଶ୍ୱବିଦ୍ୟାଳୟର ତିନିଜଣଯାକ କୁଳପତି ଅଛନ୍ତି, ଶିକ୍ଷାକ୍ଷେତ୍ରରେ କାର୍ଯ୍ୟ କରୁଥିବା ଓ ଶିକ୍ଷାରେ ବିଶେଷ ଆଗ୍ରହ ରଖିଥିବା ପ୍ରଧାନ ପ୍ରଧାନ ଅନ୍ୟମାନେ ମଧ୍ୟ ରହିଛନ୍ତି । ଏହି କମିଟିରେ ତିନି ବିଶ୍ୱବିଦ୍ୟାଳୟର ଛାତ୍ର ପ୍ରତିନିଧି ମଧ୍ୟ ଅଛନ୍ତି । ଏପରି ଏକ ଗୁରୁଦାୟିତ୍ୱ ଏବଂ ଉଚ୍ଚ କ୍ଷମତାସମ୍ପନ୍ନ କୌଣସି କମିଟିରେ ଛାତ୍ରମାନଙ୍କର ପ୍ରତିନିଧିଙ୍କୁ ମଧ୍ୟ ସଦସ୍ୟରୂପେ ଗ୍ରହଣ କରିବା ଆମ ଦେଶରେ ଏଇଟି ବୋଧହୁଏ ସର୍ବପ୍ରଥମ ଦୃଷ୍ଟାନ୍ତ । ପ୍ରଶ୍ନ ହେଉଛି, ଏହି କମିଟିଟି ପ୍ରକୃତରେ କେଉଁସବୁ କାମ କରିବ ?

ଶିକ୍ଷାସଂସ୍କାରର ବିଚାର କରିବା ଲାଗି ଓ ଏହି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଓ ଆବଶ୍ୟକ ପରାମର୍ଶମାନ ଦେବାଲାଗି ଭାରତବର୍ଷରେ ଗତ କେତେବର୍ଷ ମଧ୍ୟରେ ଯେଉଁସବୁ କମିଶନ ବସିଛି ଓ ସେମାନେ ଯେଉଁ ପରାମର୍ଶମାନ ଦେଇଛନ୍ତି, କମିଟି ସେଗୁଡ଼ିକ ବିଷୟରେ ବିଚାର କରିବ । ସେଗୁଡ଼ିକ ମଧ୍ୟରୁ ପଞ୍ଜାବରେ ବିଶେଷ ଭାବରେ କେଉଁଟିକୁ କେତେଦୂର କାର୍ଯ୍ୟକାରୀ କରାଯାଇପାରିବ, ସେକଥା ମଧ୍ୟ ଠିକ୍ କରିବ । ବର୍ତ୍ତମାନ ରାଜ୍ୟରେ ଯେଉଁ ଶିକ୍ଷା ବ୍ୟବସ୍ଥାଟି ଚାଲୁଛି, ରାଜ୍ୟର ସାଂପ୍ରତିକ ସାମାଜିକ ତଥା ଆର୍ଥିକ ଆବଶ୍ୟକତା ଦୃଷ୍ଟିରୁ ସେଥିରେ କେତେଦୂର କଣ ପରିବର୍ତ୍ତନ ଅଣାଯାଇପାରିବ, କମିଟି ସେହି ପ୍ରଶ୍ନଟି ଉପରେ ମଧ୍ୟ ସମ୍ୟକ୍‌ ଦୃଷ୍ଟିପାତ କରିବ ଏବଂ ସରକାରକୁ ନିର୍ଦ୍ଦିଷ୍ଟ କେତୋଟି ପରାମର୍ଶ ବା ପ୍ରସ୍ତାବ ବି ଦେବ ।

ଏଇଠି ଗୋଟିଏ ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବାର ରହିଛି । ଇଂରାଜୀ ଅମଳରେ ଆମ ଦେଶରେ ଶିକ୍ଷା ନାମରେ ଯାହାକିଛିର ପରିବର୍ତ୍ତନ ହୋଇଥିଲା, ତାହା ଆଉ ଯାହା କରିଥାଉ ବା ନ କରିଥାଉ ପଛକେ, ଦେଶର ସାମାଜିକ ତଥା ଆର୍ଥିକ ଭୂମିଟିକୁ ତାହା କେବେହେଲେ ଆପଣାର ଦୃଷ୍ଟିରେ ରଖିନଥିଲା । ସେତେବେଳେ ଶିକ୍ଷାର ଆବଶ୍ୟକତା ବିଲାତର ଆବଶ୍ୟକତା ଓ ଇଚ୍ଛୁକତା ଦ୍ୱାରାହିଁ ନିୟନ୍ତ୍ରିତ ହେଉଥିଲା । ସ୍ୱାଧୀନତା ପରେ ଆମ ଶିକ୍ଷାର ଯୋଜନା ଭିତରେ ଆଦର୍ଶ ବା ଲକ୍ଷ୍ୟବୋଲି ଗୋଟିଏ ଆକର୍ଷକ ଦ୍ରବ୍ୟ ଆସି ପଶିଲା ସତ, ମାତ୍ର ମଡ଼େଲ୍‍ଗୁଡ଼ାକ ଲାଗି ଆମେ ତଥାପି ଆମ ଦେଶଛାଡ଼ି ଆଉ କୁଆଡ଼େ ଅନାଇ ରହିଲୁ । ତେଣୁ, ପୁରୁଣାଗୁଡ଼ାକ ଯେପରି ଭାବରେ ବଦଳିବା ଉଚିତ ଥିଲା, ତାହା ଆଦୌ ବଦଳି ପାରିଲାନାହିଁ ଏବଂ ଆମର ଶିକ୍ଷା ଆମ ଦେଶର ବୃହତ୍ତର ସାମାଜିକ ତଥା ରାଜନୀତିକ ଧ୍ୟେୟଦୃଷ୍ଟିକୁ ସତେଅବା ଏକ ମହାର୍ଘ ଅଥଚ ବିନାଶକାରୀ ବିଳାସରେ ହିଁ ପରିଣତ କରିରଖିଲା । ଆମ ଅଧ୍ୟାପକମାନେ କ୍ରମେ ଦ୍ୱୀପବାସୀ ହୋଇରହିଲେ, ଆମ ପିଲାଏ ପାଠପଢ଼ି ବାବୁହୋଇ ରହିଲେ, ସେମାନେ ପାଠୁଆ ହିସାବରେ ଏହି ଦେଶଠାରୁ ଅଧିକ ବେତନ ଓ ଅଧିକ ଆରାମର ଦାବୀ କଲେ ସିନା, ମାତ୍ର ଦେଶଲାଗି ଆପଣାକୁ ଆଦୌ ତିଆରି କରିପାରିଲେ ନାହିଁ । ଆପଣାର ବ୍ୟକ୍ତିଗତ ଓ ତାତ୍କାଳିକ ସ୍ୱାର୍ଥଗୁଡ଼ିକଠାରୁ ଅଧିକ ବୃହତ୍ ହୁଏତ କୌଣସି କଥା ଲାଗି ତିଆରି ହୋଇପାରିଲେ ନାହିଁ ।

ଏହି ଅଭାବଟି ସମ୍ୱନ୍ଧରେ ଆମ ଦେଶର ସଂପୃକ୍ତ ସମସ୍ତଙ୍କ ଭିତରେ କ୍ରମଶଃ ଏକ ସଚେତନତା ଆସିଲାଣି । ଛାତ୍ର-ଅସନ୍ତୋଷ ଆପଣାକୁ ଏକ ଜାତୀୟ ସମସ୍ୟା ରୂପେ ଅଭିବ୍ୟକ୍ତ କରିଅନ୍ତତଃ ଏଇଟି ବିଷୟରେ ଆମ ସମସ୍ତଙ୍କୁ ଅଧିକ ସଚେତନ ଓ ସକ୍ରିୟ ହେବାଲାଗି ଅନେକ ସହାୟତା କରିପାରିଛି । ଶିକ୍ଷା କହିଲେ କାର୍ଯ୍ୟତଃ ଜଣେ ପୂର୍ଣ୍ଣବିକଶିତ ବ୍ୟକ୍ତି ହିସାବରେ ଯେ ଆପଣାର ସମାଜ ଓ ଆପଣାର ପୃଥିବୀଟି ଲାଗି ପ୍ରସ୍ତୁତ ହେବାକୁ ବୁଝାଏ, କ୍ରମେ ଆମେ ସେହି ସତ୍ୟଟିକୁ ହୃଦୟଙ୍ଗମ କରିବାକୁ ଆରମ୍ଭ କରୁଛୁ ଏବଂ ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ; ଆମ ଦେଶରେ ଆଗାମୀ ଶିକ୍ଷାସଂସ୍କାର ପ୍ରଧାନତଃ ସମସ୍ୟାର ଏହି ଦିଗଟି ଉପରେ ହିଁ ନିଶ୍ଚୟ ସର୍ବାଧିକ ଗୁରୁତ୍ୱ ଦେବ । ତେଣୁ ଆମ ଶିକ୍ଷା ଆମକୁ ଆମ ସମାଜ ଲାଗି ପ୍ରସ୍ତୁତ କରିବ । ସମାଜର ନବନିର୍ମାଣରେ ଆବଶ୍ୟକ ନୂତନ ନେତୃତ୍ୱଟି ଦେଇପାରିବା ପାଇଁ ତାହା ଆମକୁ ଉଚିତ ପ୍ରଶିକ୍ଷଣ ଦେବ । ପଞ୍ଜାବ ସରକାରଙ୍କ ସହିତ ଦେଶର ଅନ୍ୟ ରାଜ୍ୟସରକାରମାନେ ଏହି ଦିଗରେ ଯେତେ ଶୀଘ୍ର ଓ ଯେତେ ଦାୟିତ୍ୱସମ୍ପନ୍ନ ଭାବରେ ଚିନ୍ତା କରିବାକୁ ଓ କାର୍ଯ୍ୟରେ କିଛି କରିଦେଖାଇ ଦେବାକୁ ଆଗଭର ହୋଇ ଆସିବେ, ସମଗ୍ର ଦେଶଲାଗି ତାହା ନିଶ୍ଚୟ ସେତେ ବେଶୀ ମଙ୍ଗଳକାରୀ ହେବ ।

ଆମ ଦେଶର ଶିକ୍ଷାକ୍ଷେତ୍ରଟି ଯେପରି ପ୍ରାୟ ଏକ ଶିକ୍ଷା-ବ୍ୟବସାୟରେ ପରିଣତ ହୋଇ ରହିଛି, ତାହା ଆଉ ସେପରି ହୋଇ ନରହିଏକ ଜାତୀୟ କାର୍ଯ୍ୟକ୍ରମରେ ପରିଣତ ହୋଇପାରିବ । ସେତେବେଳେ ଆମ ସ୍କୁଲ ଓ କଲେଜଗୁଡ଼ାକ ଆଉ ଆମ ସମାଜଠାରୁ ଆପଣାକୁ ନିର୍ବାସିତ କରିରଖିଥିବା ଗୋଟାଏ ଗୋଟାଏ ସ୍ୱେଚ୍ଛାଚାରୀ ଏବଂ ଭୟାଳୁ ଦୁର୍ଗ ହୋଇ ରହିବେ ନାହିଁ । ତେଣିକି ସେମାନେ ଆମର ବୋଲି ମନେହେବେ, ଆମ ଭାଗ୍ୟଟି ସହିତ ଗଅଁଠା ହୋଇ ରହିବେ, ଏହି ଦେଶରେ ଯାବତୀୟ ନବୋନ୍ମେଷଣାର ଜନନୀ ହୋଇ ରହିବେ । ଏପର୍ଯ୍ୟନ୍ତ ଆମ ଦେଶର ଶିକ୍ଷାକ୍ଷେତ୍ରରେ ବସିଥିବା କମିଶନ ଏବଂ କମିଟିଗୁଡ଼ିକ କେବଳ କଳ୍ପନା କରିଥିଲେ, ଖାଲି କଥା କହିଥିଲେ, ଖାଲି ବହି ଲେଖିଥିଲେ । ଏଥର ସେମାନେ କାର୍ଯ୍ୟରେ କିଛି କରିଦେଖାଇବାର ପ୍ରମାଣ ଦେବା ଦରକାର ।

ତା ୨୨.୦୯.୧୯୭୫ ରିଖ

Image

 

ଏକୁଟିଆ ତାଇୱାନ୍‌

 

ଆଗରୁ ଯାହାକୁ ଫର୍ମୋଜା ଦ୍ୱୀପ ବୋଲି କୁହାଯାଉଥିଲା ଓ ଏବେ ରାଜନୀତିକ ନାମଖାତାରେ ଯାହାକୁ ତାଇୱାନ୍‌ ବୋଲି କୁହାଯାଉଛି, ତା’ର ଗତ ତିରିଶି ବର୍ଷର ଇତିହାସ ପ୍ରକୃତରେ ଏକ ବିଚିତ୍ର ଇତିହାସ । ଏହି ଦ୍ୱୀପକୁ ଏକଦା ପୃଥିବୀର ଏକ ବୃହତ୍‍ଶକ୍ତିର ସମର୍ଥନରେ ଚୀନ ବୋଲି କୁହାଯାଉଥିଲା । ଅସଲ ଚୀନରୁ ଆପଣାର ଆସନ ହରାଇ ଆସିଥିବା ଏକ ପ୍ରଜାହୀନ ରାଷ୍ଟ୍ର ଓ ସରକାରକୁ ମିଳିତ ଜାତିସଂଘରେ ଅସଲ ଚୀନ ବୋଲି ଗ୍ରହଣ ମଧ୍ୟ କରାଯାଉଥିଲା । ଯୁକ୍ତରାଜ୍ୟ ଆମେରିକା ଆପଣାର ଭେଟୋ କ୍ଷମତାର ପ୍ରୟୋଗ କରିଏହି ବ୍ୟଙ୍ଗକୁ ବାସ୍ତବ କରିରଖିଥିଲା ଏବଂ ସେତେବେଳେ ଆମେରିକାକୁ ଗୋଷ୍ଠୀନାୟକ ବୋଲି ମାନୁଥିବା ପାଶ୍ଚାତ୍ୟ ଜଗତର ପ୍ରାୟ ସବୁ ରାଷ୍ଟ୍ର ଏହି ଅବାସ୍ତବଟାକୁ ହିଁ ପ୍ରକୃତ ସତ୍ୟ ବୋଲି କହୁଥିଲେ । ସେତେବେଳେ ଚୀନ ବଦଳରେ ତାଇୱାନ୍‌ ଦ୍ୱୀପର ମଧ୍ୟ ନିରାପତ୍ତା ପରିଷଦରେ ଭେଟୋ ପ୍ରୟୋଗ କରିବାର ଅଧିକାର ରହିଥିଲା ଏବଂ କହିବା ବାହୁଲ୍ୟ ଯେ ଆମେରିକାର ନିର୍ଦ୍ଦେଶ ଅନୁସାରେ ଅତ୍ୟନ୍ତ ବିଶ୍ୱସ୍ତ ଭାବରେ ତାଇୱାନ୍‌ ସେହି ଅଧିକାରକୁ କାର୍ଯ୍ୟକାରୀ କରୁଥିଲା-

 

ତାଇୱାନ୍‌ ସରକାର ତାଇୱାନ୍‌ବାସୀଙ୍କର ସରକାର ହିଁ ନଥିଲା । ଚିଆଙ୍ଗ୍‌ କାଇ ଶେକ୍‌ଙ୍କର କୋମିଣ୍ଟାଙ୍ଗ୍‌ ସରକାର ପ୍ରଧାନ ଭୂଖଣ୍ଡଟିରୁ ବିତାଡ଼ିତ ହୋଇ ଆସିବା ସମୟରେ ତାଇୱାନ୍‌ରେ ଆଗରୁ ବାସ କରିଆସୁଥିବା ଜନସମୂହ ତାହାକୁ ଯେ ସ୍ୱଇଚ୍ଛାରେ ଆପଣା ଦେଶକୁ ଡାକିନେଇ ଆସିଥିଲେ ଓ ତାହାକୁ ଗୋଟିଏ ଆସ୍ଥାନ ଯୋଗାଇ ଦେଇଥିଲେ, ସେକଥା ଆଦୌ ନୁହେଁ । ଯୁକ୍ତରାଜ୍ୟ ଆମେରିକାର ବରାଦ ଅନୁସାରେ ଚିଆଙ୍ଗ୍‌ ସରକାରଙ୍କୁ ତାଇୱାନ୍‌ର ଅଧିବାସୀଙ୍କ ଉପରେ ପ୍ରାୟ ଜବରଦସ୍ତି କରିଲଦି ଦିଆଯାଇଥିଲା । ବୃହତ୍‌ଶକ୍ତି ସ୍ୱାର୍ଥନୀତି ଦ୍ୱାରା ପ୍ରପୀଡ଼ିତ ହୋଇ ଆସୁଥିବା ବିଶ୍ୱ ରାଜନୀତିରେ ସେକଥାକୁ ସମ୍ପୃକ୍ତ ସମସ୍ତେ ଦେଖି ସୁଦ୍ଧା ତଥାପି ଦେଖି ନଥିଲେ । ଚୀନରୁ ହାରି ଆସିଥିବା ସୈନ୍ୟସାମନ୍ତଙ୍କ ବଳରେ ଚିଆଙ୍ଗ୍‌ କାଇ ଶେକ୍‌ ତାଇୱାନ୍‌ରେ ଆପଣାର ଆସ୍ଥାନଟିକୁ ଦୃଢ଼ କରିନେଲେ, ବିଶ୍ୱର ରାଜନୀତିକ ବିବେକରେ ତୁମୁଳ ବିଡ଼ମ୍ୱନା ସୃଷ୍ଟି କରିଆପଣାର ପ୍ରତିନିଧିମାନଙ୍କୁ ହିଁ ଜାତିସଂଘରେ ଚୀନ ଦେଶର ପ୍ରତିନିଧି ବୋଲି ପରିଚିତ କରାଇଲେ ।

 

ଚିଆଙ୍ଗ୍‌ କାଇ ଶେକ୍‌ କହୁଥିଲେ ଯେ ତାଇୱାନ୍‌ ଦ୍ୱୀପରୁ ସେ ଉଚିତ ମୁହୂର୍ତ୍ତଟି ଆସିବା ମାତ୍ରକେ ଚୀନର ପ୍ରଧାନ ଭୂଖଣ୍ଡଟି ଉପରେ ଆକ୍ରମଣ କରିବେ, ଚୀନକୁ ନୂଆ ସରକାରଙ୍କ ହାତରୁ ମୁକ୍ତ କରିବେ ଓ ସେଠାରେ ପୁଣି କୋମିଣ୍ଟାଙ୍ଗର ସରକାର ସ୍ଥାପନ କରିବେ । ତାଙ୍କର ଏହି ଉଚ୍ଚାକାଙ୍‌କ୍ଷାର ପ୍ରଜ୍ୱଳନ ଲାଗି ଆମେରିକା ସରକାରଙ୍କର ଅର୍ଥ ତଥା ଅସ୍ତ୍ରସାହାଯ୍ୟ ଈନ୍ଧନ ଯୋଗାଇ ରଖିଥିଲା । ମାତ୍ର ବିଶ୍ୱଘଟଣାର ନାନା ଅନ୍ୟ ପରିଣତି ଫଳରେ ଆମେରିକା ସରକାର ଚୀନର ଯେଉଁ ଅସଲ ସରକାରକୁ କଣ୍ଢେଇ ତାଇୱାନ୍‌ ସରକାରଙ୍କ ଦ୍ୱାରା ଟଳାଇ ଦେବେ ବୋଲି ଆଗରୁ କେତେ ଉଦ୍ୟମ କରିଥିଲେ, ଆମେରିକାର ଜଣେ ରାଷ୍ଟ୍ରପତି ସେହି ଅସଲ ସରକାରକୁ ପରିଶେଷରେ ସ୍ୱୀକୃତି ଦେଲେ, ସେହି ସରକାରର ନିମନ୍ତ୍ରଣ ପାଇ ସେଠାକୁ ପରିଭ୍ରମଣରେ ଗଲେ ଓ ସେହି ଦେଶଟି ସହିତ ଆମେରିକାର ବାଣିଜ୍ୟ ସମ୍ପର୍କ ସ୍ଥାପନ କରାଇଲେ । ଏଗୁଡ଼ାକ ତାଇୱାନ୍‌ ଜଳ ଜଳ କରିଅନାଇ ରହିଥିବା ବେଳେ ହିଁ ଘଟିଲା । ତାଇୱାନ୍‌ କେତେ ଲାଞ୍ଜ ପିଟିଲା, କେତେ ପ୍ରତିବାଦ କଲା ଓ ତୋଡ଼ ଦେଖାଇଲା । କିନ୍ତୁ ସେତିକି କରିବା ବ୍ୟତୀତ ଆଉ ଅଧିକ କ’ଣ କରିବା ଲାଗି ତା’ର ପ୍ରକୃତରେ କୌଣସି ଅଧିକାର ବା ଔଚିତ୍ୟ ରହିଥିଲା ?

 

ଚିଆଙ୍ଗ୍‌ କାଇ ଶେକ୍‌ ବୁଢ଼ା ହୋଇ ସଂସାରରୁ ବିଦା ହୋଇ ଗଲେ, ତେଣେ ପ୍ରାୟ କୋଡ଼ିଏ ବର୍ଷର ଖଣ୍ଡଯୁଦ୍ଧ ଏବଂ ଖଣ୍ଡପ୍ରଳୟ ପରେ ଆମେରିକା ଯୁକ୍ତରାଜ୍ୟ ମଧ୍ୟ ଭିଏତନାମରୁ ବିଦା ହୋଇଗଲା । ଦକ୍ଷିଣପୂର୍ବ ଏସିଆର ବହୁପୁରୁଣା ଗଣ୍ଠିଗୁଡ଼ାକ ଫିଟିଗଲା ଏବଂ ଏହାରି ଫଳରେ ତାଇୱାନ୍‌ ପ୍ରକୃତରେ ବଡ଼ ଏକୁଟିଆ ହୋଇଗଲା । ଆମେରିକାର କୃପା ଫଳରେ ସେତେବେଳେ ତା’ର ବନ୍ଧୁ ହୋଇ ଦକ୍ଷିଣ ଭିଏତନାମ ଥିଲା, ଥାଇଲାଣ୍ଡ ଥିଲା, ଫିଲିପାଇନ୍‌ ମଧ୍ୟ ଥିଲା । ଆମେରିକାର ଇଙ୍ଗିତ ଅନୁସାରେ ଏହି ଦେଶଗୁଡ଼ିକ ସେତେବେଳେ ଅସଲ ଚୀନକୁ ରାଜନୀତିକ ସ୍ୱୀକୃତି ନଦେଇ ତାଇୱାନ୍‌ର ଚିଆଙ୍ଗ୍‌ ଦରବାରକୁ ହିଁ ଚୀନ ବୋଲି ସ୍ୱୀକାର କରୁଥିଲେ-। ବର୍ତ୍ତମାନ ଦକ୍ଷିଣପୂର୍ବ ଏସିଆର ପରିବର୍ତ୍ତିତ ପରିସ୍ଥିତିରେ ଉପରିଲିଖିତ ସବୁ ଦେଶ ଚୀନକୁ ଚୀନ ବୋଲି ସ୍ୱୀକୃତି ଦେଇ ସାରିଲେଣି । ଏହି ବିଷମ ପରିସ୍ଥିତିରେ ତାଇୱାନ୍‌ ବିଚରା ଏକୁଟିଆ ହୋଇ ଆପଣାଲାଗି ଏକ ବାଟ ଖୋଜୁଛି, ହୁଏତ ତିଷ୍ଠି ରହିବାଲାଗି ଏକ କାରଣ ଖୋଜୁଛି ।

 

ଅବଶ୍ୟ ଏକଥା ସତ ଯେ ୧୯୫୫ ମସିହାରେ ତାଇୱାନ୍‌ ସହିତ ଯୁକ୍ତରାଜ୍ୟ ଆମେରିକା ଯେଉଁ ସୁରକ୍ଷା ଚୁକ୍ତିଟି କରାଇଥିଲା, କାଗଜପତ୍ରରେ ସେଇଟି ବର୍ତ୍ତମାନ ମଧ୍ୟ ବଳବତ୍ତର ରହିଛି । କିନ୍ତୁ ବାସ୍ତବ ପରିପ୍ରେକ୍ଷୀଟି ଉପରେ ଏହାର ଆଉ କୌଣସି ତାତ୍ପର୍ଯ୍ୟ ହିଁ ନାହିଁ-। ଚିଆଙ୍ଗ୍‍ଙ୍କର ଉତ୍ତରାଧିକାରୀମାନେ ଯେ ବର୍ତ୍ତମାନ ମଧ୍ୟ ପ୍ରଧାନ ଭୂଖଣ୍ଡଟି ଉପରେ ଆକ୍ରମଣ କରିତାହାକୁ ମୁକ୍ତ କରିବାର କୌଣସି ଉଦ୍ଦଣ୍ଡ ସ୍ୱପ୍ନ ଦେଖୁଥିବେ, ସେକଥା କେହି କଦାପି କଳ୍ପନା କରିବାକୁ ଯିବେନାହିଁ ।

 

ତେଣୁ ତାଇୱାନ୍‌ର ଏହି ଏକୁଟିଆ ଦଶାରେ କିପରି ଓ କି ପରିବର୍ତ୍ତନ ଘଟିବ, ରାଜନୀତିର ଜ୍ୟୋତିଷମାନେ ବର୍ତ୍ତମାନ ସେହି ବିଷୟରେ ନାନାପ୍ରକାର ଅନୁମାନ କରିବାକୁ ଆରମ୍ଭ କଲେଣି । ମାତ୍ର ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ପ୍ରଧାନ ଭୂଖଣ୍ଡଟିର ଇଚ୍ଛା ଉପରେ ହିଁ ଏହି ପରିବର୍ତ୍ତନ ନିଶ୍ଚୟ ଅନେକ ପରିମାଣରେ ନିର୍ଭରଶୀଳ ହୋଇ ରହିଥିବ ।

 

ତା ୨୪.୦୯.୧୯୭୫ ରିଖ

Image